Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କଲ୍ୟାଣୀ ..........
କଲ୍ୟାଣୀ ..........
★★★★★

© ପ୍ରଶାନ୍ତ କୁମାର ବେହେରା

Tragedy

6 Minutes   13.8K    14


Content Ranking

କଲ୍ୟାଣୀ - ଜୀବନ ସଂଗ୍ରାମରେ ସଂଘର୍ଷରତ ନାରୀର ନାମ..

------------------------------------------------------------------

କଲ୍ୟାଣୀ - ଆଲୁରି ସ୍ତ୍ରୀ ଲୋକଟିଏ l ଛନ୍ଦ କପଟ କିଛି ଜାଣେନି l ଆମ କଲେଜର ଚତୁର୍ଥଶ୍ରେଣୀ କର୍ମଚାରୀ ଭାବରେ ୨୦୦୭ ରୁ କାର୍ଯ୍ୟକରି ଆସୁଛି l ପାଠ ବି ବିଶେଷ ପଢିନି l ଅତି ବେଶି ହେଲେ ଏଇ ତୃତୀୟ କି ଚତୁର୍ଥ ପର୍ଯ୍ୟନ୍ତ ମାତ୍ର l

୨୦୦୭ ମସିହା କଥା l ଆମ କଲେଜ ଛାତ୍ରୀନିବାସର ମୂଖ୍ୟଫାଟକର ମରାମତି କାର୍ଯ୍ୟ ଚାଲିଥାଏ l ଜଣେ ରାଜମିସ୍ତ୍ରୀ ସହ ମୁଲିଆକୁ ସେଇ କାମରେ ଲଗାଇଥାଏ ଲେବର କଣ୍ଟ୍ରାକ୍ଟର୍ l ଅସାବଧାନତା ହେଉ ବା ଖରାପ ବେଳ ପାଇଁ ହେଉ, ହଠାତ୍ ସିଡିରୁ ଗୋଡ ଖସିଗଲା ସେ ମୁଲିଆଟିର l ବେଶି ଉଚ୍ଚତା ବି ନୁହେଁ, ସେଇ ମାତ୍ର ୫ କି ୬ ଫୁଟ୍ ଖଣ୍ଡେ ହେବ l ତଳେ ପଡିବା ସହିତ ସେ ଚେତାଶୂନ୍ୟ ହୋଇଗଲା l ଲେବର କଣ୍ଟ୍ରାକ୍ଟର୍ ସଙ୍ଗେ ସଙ୍ଗେ ଗୋଟେ ରିକ୍ସାରେ ତାକୁ ନିଜେ ଧରି ଜଗତସଂହପୁର ମେଡିକାଲ୍ କୁ ନେଲା l

ସେତେ ବେଳେ ଆମ କଲେଜର ଅଧ୍ଯକ୍ଷ ଦାୟିତ୍ୱରେ ଶ୍ରୀଯୁକ୍ତ ବିପିନବିହାରୀ ଦାସ ଥାନ୍ତି l ସେ ମୋ ଶିକ୍ଷକ ତଥା ଅଧ୍ଯକ୍ଷ ହେବା ପୂର୍ବରୁ ଆମ ବିଭାଗୀୟ ମୁଖ୍ୟ ଦାୟିତ୍ୱରେ ବି ଥିଲେ l

ସମୟ ପାଖା ପାଖି ୧୧.୪୫ ରେ ସାର୍ ମୋ ମୋବାଇଲ୍ କୁ ଫୋନ୍ କରି ପଚାରିଲେ, " ପ୍ରଶାନ୍ତ କେଉଁଠି ଅଛ ?"

ମୁ୍ଁ କହିଲି, " ସାର୍, ଏଇଠି କମନରୁମ୍ ରେ ଅଛି l"

ସାର୍ କହିଲେ," ସଙ୍ଗେ ସଙ୍ଗେ ଆସ ଟିକେ ଜରୁରୀ କାମରେ ମେଡିକାଲ୍ ଯିବା ।"

ସାର୍ ଓ ମୁଁ ସାଙ୍ଗ ହୋଇ ମଟର ସାଇକେଲ୍ ରେ ମେଡିକାଲ୍ ଯିବା ବାଟରେ ଠିକ୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ସେ ରିକ୍ସାକୁ ଅତିକ୍ରମ କଲୁ l ଲେବର କଣ୍ଟ୍ରାକ୍ଟର୍ ବେହୋସ୍ ଅବସ୍ଥାରେ ଥିବା ସେ ଲୋକଟିକୁ ସେମିତି ଜାବୁଡ଼ି ଧରି ବସିଥାଏ ସେ ରିକ୍ସାରେ l

ମେଡିକାଲ୍ ରେ ପହଞ୍ଚିବା ପରେ ଆମେ ସମସ୍ତେ ମିଶି ତାକୁ ଧରାଧରି କରି ଆଉଟ୍ ଡ଼ୋର୍ ରେ ଥିବା ବେଡ୍ ଉପରେ ଶୁଆଇ ଦେଲୁ l ସେ ସମୟରେ ଡିଉଟିରେ ଥିବା ଡାକ୍ତର ଆସି ପରୀକ୍ଷା କରି ଆମକୁ ଟିକେ ଦୂରକୁ ଡାକିନେଇ କହିଲେ, " ଜୀବନ ଆଉ ନାହିଁ , ପୋଷ୍ଟମଟର୍ମ କରିବାକୁ ହେବ l"

ବିପିନ୍ ସାର୍ ଙ୍କ ସହ ମୋ ମୁଣ୍ଡରେ ବି ସେ ସମୟରେ କିଛି ବୁଦ୍ଧି ପଶିଲାନି l ମୁଁ ଆଉଥରେ ସେ ଲୋକର ମୃତ ଶରୀରକୁ ଅନାଇଲି l ଅତିବେଶୀରେ ୩୨ ବର୍ଷ ଭିତରେ ବୟସ ହେବ l କୌଣସି କ୍ଷତଚିହ୍ନ ଶରୀରର କେଉଁଠି ବି ନାହିଁ l ତଥାପି ମୃତ ବୋଲି ଡାକ୍ତର ଘୋଷଣା କରିଦେଲେ l ଆଦୌ ବିଶ୍ୱାସ ହେଉ ନଥାଏ l ସେ ଲୋକଟିର ଘର ନିକଟବର୍ତ୍ତୀ ସୋମନାଥ ହାଟ ପାଖ ଗାଁରେ ହୋଇଥିବାରୁ ଆସ୍ତେ ଆସ୍ତେ ମେଡିକାଲ୍ ରେ ଲୋକଙ୍କ ଭିଡ ଜମିବା ଆରମ୍ଭ ହେଲା l ପୁଲିସ୍ ବି ଆସି ପହଞ୍ଚି ସାରିଥାଏ l କିଛି ଲୋକ ପାଟିତୁଣ୍ଡ କରିବା ଆରମ୍ଭ କରି ସାରିଥାନ୍ତି l

ପୁଲିସ୍ ଇନିସ୍ପେକ୍ଟର ଆମକୁ ଆସି କହିଲେ , " ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ l ଆପଣମାନେ କଲେଜ ପଳାନ୍ତୁ l"

ବିପିନ୍ ସାର୍ ଆଉ ମୁ୍ଁ ଚୁପଚାପ୍ ସେଠୁ ବାଇକ୍ ରେ ପଳାଇ ଆସିଲୁ l

ସେ ଘଟଣାର ଠିକ୍ ୧୫ ଦିନ ପରେ ଆମ କଲେଜ ପରିଚାଳନା ସମିତିର ନିଷ୍ପତି ଅନୁଯାଇ ଏ କଲ୍ୟାଣୀ ଚତୁର୍ଥଶ୍ରେଣୀ କର୍ମଚାରୀ ହିସାବରେ ମାତ୍ର ୨୦୦୦ ଟଙ୍କା ମାସିକ ଦରମାରେ ଚାକିରିରେ ଯୋଗ ଦେଲା l

ହଁ ଆଜ୍ଞା ଏ ହେଉଛି କଲ୍ୟାଣୀ ପ୍ରଧାନ, ଯାହାର ସ୍ୱାମୀ ଆମ କଲେଜ ଛାତ୍ରୀନିବାସରେ କାମ କରୁଥିବା ଅବସ୍ଥାରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣତ୍ଯାଗ କରିଥିଲା l କଲ୍ୟାଣୀର ବୟସ ଖୁବ୍ ହେଲେ ୨୮ ବର୍ଷ ଭିତରେ ହେବ l ଏତେ କମ୍ ବର୍ଷରେ କଣ ତା' ଦୋଷ ଥିଲା କେଜାଣି, ଭଗବାନ୍ ତାକୁ ବିଧବା କରିଦେଲେ l ଦୁଇଟି ପିଲା, ୭ ବର୍ଷର ଝିଅ ଆଉ ୩ ବର୍ଷର ପୁଅ, ବାପ ସ୍ନେହରୁ ସବୁଦିନ ପାଇଁ ବଞ୍ଚିତ ହୋଇଗଲେ l

କଲ୍ୟାଣୀ ବହୁ କଷ୍ଟକରି ପିଲା ଦୁଇଟାଙ୍କୁ ମଣିଷ କରିବାକୁ ଲାଗି ପଡିଲା l ସବୁବେଳେ ତ ପଇସାର ଅଭାବ l ଆଜିକାଲିର ଏ ଦୁନିଆରେ ମାସକୁ ୨୦୦୦ ଟଙ୍କାର ମୂଲ୍ୟ ବା କଣ ? ଜମିବାଡ଼ି ନାହିଁ, ଖାଲି ନାହିଁ ନାହିଁରେ ତା ସଂସାର l ଏ ଭିତରେ କିଏ ଜଣେ ବଦମାସ୍ ତାକୁ ରୋଜ୍ ଭ୍ୟାଲି ଚିଟ୍ ଫଣ୍ଡ୍ କମ୍ପାନୀରେ କାମ କରିବାକୁ ପ୍ରବତାଇଲା l କଲ୍ଯାଣୀ ବି ଭାବିଲା ଏମିତିରେ ତା ଚିହ୍ନା ପରିଚୟ ଲୋକଙ୍କୁ କୁହାବୋଲା କରି କିଛି ଟଙ୍କା ସେମାନେ ରୋଜ୍ ଭ୍ୟାଲିରେ ରଖିଲେ ସେ କିଛି କମିଶନ୍ ବି ପାଇଯିବ l କମିଶନ୍ ଏଜେଣ୍ଟ୍ ହୋଇ କେତେ ପାଇଥିବ କେଜାଣି , କିନ୍ତୁ କିଛି ଦିନ ପରେ ସବୁ ଚିଟ୍ ଫଣ୍ଡ୍ ସଂସ୍ଥା କୁଆଡେ ଗାଏବ୍ ହୋଇଗଲେ l କଲ୍ୟାଣି ବି କାମ କରୁଥିବା ରୋଜ ଭ୍ୟାଲିର ଜଗତସିଂହପୁରର ଗାନ୍ଧିଛକ ସ୍ଥିତ ଅଫିସ୍ ର ଅଫିସର୍ ମାନେ କୁଆଡେ ଫେରାର୍ ହୋଇଗଲେ l କିଛି ଜମାକାରୀ କଲ୍ୟାଣୀ ନାଁ ରେ ଥାନାରେ ଏତଲା ଦେଲେ l ସବୁବେଳେ ଅଭାବ ଭିତରେ ସଢୁଥିବା କଲ୍ୟାଣୀ କି ଅବସ୍ଥା ହୋଇ ଲୋକଙ୍କ ସମସ୍ତ ଟଙ୍କା ଶୁଝି ପୁଲିସ୍ କେସ୍ ରୁ ବର୍ତ୍ତିଥିବ ତାହା ସେ ହିଁ କେବଳ ଜାଣିଥିବ l ସେତେବେଳେ ଥରେ ସେ ମୋ ଠାରୁ ଖୁବ୍ ଅସୁବିଧାରେ ପଡି ହଜାରେ ଟଙ୍କା ନେଇଥିଲା l

ଏ ଭିତରେ କଲ୍ୟାଣିର ଝିଅ ମାଟ୍ରିକୁଲେସନ୍ ରେ ୮୫ % ରୁ ଅଧିକ ନମ୍ୱର ରଖି ପାଶ୍ କଲା l ଆମ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ଶ୍ରେଣିରେ ପଢିବା ପାଇଁ ଉପଯୁକ୍ତ ବିବେଚିତ ହେଲା l ଆଡମିସନ୍ ୨ ଦିନ୍ ଥାଏ, କଲ୍ଯାଣୀ ମୋତେ କହିଲା , " ସାର୍, ଝିଅର ଆଡମିସନ ଦୁଇ ଦିନ ପରେ ଅଛି l ଆପଣ ହଜାରେ ଟଙ୍କା ଦେଇଥିବେ l ମୁ୍ଁ ପରେ ଶୁଝିଦେବି l"

ମୁଁ ତାକୁ ସଇଠି ସଙ୍ଗେ ସଙ୍ଗେ ଟଙ୍କାଦେଇ କହିଲି, " ନାଇଁ ଶୁଝିବା ଦରକାର୍ ନାହିଁ l "

କଲେଜରେ ଦୁଇ କି ତିନି ଜଣଙ୍କ ବ୍ୟତିତ ସେ ଅନ୍ୟ କାହାକୁ ଧାର ମାଗେନି l

ପଇସା ଅଭାବରୁ ସେ ତା ପିଲା ଦୁଇଟିଙ୍କୁ ଦାମିକା ପ୍ରାଇଭେଟ୍ ଇଂରାଜୀ ମିଡିୟମ୍ କିମ୍ବା ସରସ୍ୱତୀ ଶିଶୁ ମନ୍ଦିରରେ ପଢାଇ ନପାରି ସରକାରୀ ସ୍କୁଲ୍ ରେ ପଢାଇବାକୁ ବାଧ୍ଯ ହୋଇଛି l ବହି ମାଗଣାରେ ମିଳିବା ସହ ମଧ୍ଯାହ୍ନ ଭିଜନ ସେଠି ଥିବାରୁ ଆଉ ପଢିବା ପାଇଁ କୌଣସି ମାସିକିଆ ଫିସ୍ ଦେବାକୁ ହୁଏନି l

କଲ୍ୟାଣୀର ପୁଅ ବି ଖୁବ୍ ମେଧାବୀ l ସପ୍ତମରେ ଜାତୀୟ ଗ୍ରାମୀଣ ମେଧା ବୃତ୍ତି ( NRTS ) ପାଇଛି l କଲ୍ୟାଣୀର ପୁଅ ବା ଝିଅ କେହି ବି ଘରୋଇ ଟିୟୁସନ୍ ନହେଇ ନିଜ ଚେଷ୍ଟାରେ ଏମିତି ସଫଳତାର କଥା ଶୁଣି ମୁଁ ବହୁତ ଖୁସି ହୁଏ l ଭାବେ ଯାହା ହେଉ, ବାପ ଛେଉଣ୍ଡ ପିଲା ଦୁଇଟାଙ୍କୁ ଲାଗିପଡି ମଣିଷ କରୁଛି l ସବୁବେଳେ ତ ଏମିତି ସ୍ଥିତି ରହିବନି l ପିଲା ଦୁଇଟି ବଡ ହେବେ, ଭଲ ମଣିଷ ହେବେ, ସେତେବେଳେ ଯାଇ ଏ କଲ୍ଯାଣୀର ଦୁ୍ଃଖ ଫେରିବ l ମୁଁହରେ ତା'ର ହସ ଫୁଟିବ l ଭଗବାନ୍ ତ ସବୁବେଳେ ଅାଉ ତା ଉପରେ ନିର୍ଦ୍ଦୟ ହେବେନି l

ଏଇ ୧୫ ଦିନ ତଳେ ମୁ୍ଁ କଲେଜ ବାରଣ୍ଡାରେ ଯାଉଥାଏ l କଲ୍ଯାଣୀ ସେଇ ବାରଣ୍ଡାରେ ଠିଆ ହୋଇଥାଏ l ତା ପାଖରେ ୧୪ ବର୍ଷ ଭଳି ପିଲାଟେ ସ୍କୁଲ୍ ୟୁନିଫର୍ମ ପିନ୍ଧି ଠିଆ ହୋଇଥାଏ l ମୁଁ ଯେତେବେଳେ ପାଖା ପାଖି ହେଲି ସେ ପିଲାକୁ କିଛି କହିଲା ଆଉ ସେ ଆସି ମୋତେ ଶିଶୁମନ୍ଦିର ପିଲାଙ୍କ ଶୗଳୀରେ ପ୍ରଣାମ କଲା l ଜାଣିଲି ଏ ହେଉଛି ତା ପୁଅ l

ପଚାରିଲି ," ଆରେ ବାପା, କୋଉ କ୍ଲାସ୍ ରେ ପଢୁଛୁ ? "

ନବମରେ ବୋଲି ଖୁବ୍ ଧୀର ସ୍ୱରରେ ଉତ୍ତର ଦେଲା ସେ l

ମୁଁ ତାକୁ ଭଲକରି ଦେଖିବାରୁ ଜାଣିଲି ତା ବେକ ଖୁବ୍ ଜୋରରେ ଫୁଲିଛି l ଆଉ ସେଥିପାଇଁ ତା ପାଟିରୁ ଭଲକରି ଶବ୍ଦ ବାହାରୁନାହିଁ l

ମୁଁ କଲ୍ୟାଣୀକି ପଚାରିଲି, " ପୁଅ ତଣ୍ଟି କାଇଁ ଏମିତି ଫୁଲିଛି ? "

ସେ କହିଲା , " ଥଣ୍ଡାରୁ ଏମିତି ହେଉଛି , ଡାକ୍ତର ଔଷଧ ଲେଖିଛନ୍ତି, ସେ ଖାଉଛି ସାର୍ l"

ତାପରେ ମୁଁ ମୋ କାମରେ ଚାଲିଗଲି l

ସେ ଘଟଣାର ଠିକ୍ ୫ ଦିନ ପରେ ଦିନେ ସକାଳୁ ସକାଳୁ କଲ୍ୟାଣୀ ମୋ ଗୋପାଳସାଗରସ୍ଥିତ ଘରେ ଆସି ପହଞ୍ଚିଲା l ମୁଁ ଡ୍ରଇଙ୍ଗ୍ ରୁମ୍ ରେ ବସି ଖବରକାଗଜ ପଢୁଥାଏ l ସେ ମୋ ପଖରେ ଠିଆ ହୋଇ ନମସ୍କାର କରିବାରୁ ମୁଁ ତାକୁ ଦେଖିଲି l ଆଶ୍ଚର୍ଯ୍ୟ ହୋଇ ପଚାରିଲି, " ଏମିତି ସକାଳୁ ସକାଲୁ ଆସିବାର କାରଣ କଣ ? "

ସେ କାନ୍ଦ କାନ୍ଦ ହୋଇ କହିଲା , " ପୁଅର ସେ ତଣ୍ଟି କାଇଁ କମୁନି,ତାକୁ କଟକ ନେଇ ଦେଖାଇବି l ଆପଣ ୨୦୦୦ ଟଙ୍କା ଦେଇଥାନ୍ତୁ l ଦରମା ପାଇଲେ ଦେଇଦେବି ।"

୨୦୦୭ ରେ ଚାକିରି ଆରମ୍ଭ ବେଳେ ସେ ୨୦୦୦ ଟଙ୍କା ମାସିକ ପାଉଥିଲା l ଏବେ ତା ଦରମା ବଢି ବଢି ମାତ୍ର ୩୨୦୦ ଟଙ୍କା l ସେ ଟଙ୍କାରେ କେମିତି ସେ ଦୁଇଟି ପିଲାଙ୍କୁ ଖୁଆଇ ପିଆଇ ପଢାଉଥିବ ତାହା କେବଳ ସେ ହିଁ ଜାଣିଥିବ l ମୁଁ ତାକୁ ୨୦୦୦ ଟଙ୍କା ଦେଇ ପୂର୍ବଥର ପରି କହିଲି , " ଏ ଟଙ୍କା ଫେରାଇବା ଦରକାର ନାହିଁ l"

କଲ୍ୟାଣୀ ତରତର ହୋଇ ଟଙ୍କା ନେଇ ଚାଲିଗଲା l ଏଇ ଦୁଇ ଦିନ ତଳେ କଲେଜରୁ ଶୁଣିଲି ତା ପୁଅକୁ କ୍ୟାନସର୍ ହୋଇଛି l ବେକ ପାଖରୁ ହାର୍ଟ ଆଡକୁ ମାଡି ଯାଇଛନ୍ତି ସେ ଭୟଙ୍କର ବେମାରିର ଜୀବାଣୁ ମାନେ l ଏବେ ସେ ଭୁବନେଶ୍ବରସ୍ଥିତ ଏମ୍ସ୍ ରେ ( AIIMS ) ଚିକିତ୍ସିତ ହେଉଛି l ଓଷଦପାଣି ସେଠି ମାଗଣାରେ କାଳେ ମିଳିଯିବ ସେଇ ଆଶାରେ କଲ୍ଯାଣୀ ତାକୁ ସେଠି ଆଡମିସନ୍ କରିଛି l ଗତ କାଲି ସେଠି ତା' ପୁଅର ପୂର୍ଣ୍ଣ ଶରୀର ସ୍କାନ ପାଇଁ ୨୩ ହଜାର ଟଙ୍କା ଦେବାକୁ ହେଲା l ଆଗକୁ ଏମିତି ଖର୍ଚ ଚାଲିବ ନିଶ୍ଚେ l

ମନରେ ପ୍ରଶ୍ନ ଉଠିଲା, ସତରେ କଣ ଭଗବାନ୍ ତମେ ଅଛ ଏ ଦୁନିଆରେ ? କେତେ ଆଉ ଦୁଃଖ କଲ୍ୟାଣୀ ଭାଗ୍ୟରେ ଲେଖିଛ ? ୨୮ ବର୍ଷ ବୟସରେ ତ ତାକୁ ସାଧବାରୁ ବିଧବା କଲ l ଜୀବନଯୁଦ୍ଧରେ ଏକୁଟିଆ ଲଢିବାକୁ ଛାଡିଦେଲ l ଖୁବ୍ କଷ୍ଟରେ ସେ ଅପାଠୁଆ ନାରୀ ଏ ସଂସାର ପଥରେ ଆଗେଇ ଚାଲିଥିଲା ତା ଲକ୍ଷ୍ୟରେ l

ମାତ୍ର ୧୪ ବର୍ଷରେ ତା' ର ଗୋଟେ ମାତ୍ର ପୁଅକୁ ଏମିତିକା ଭୟଙ୍କର ରୋଗଟାଏ ଦେଇଦେଲ, ଯେଉଁଠି ଥିଲାବାଲା କୋଟିପତି ବି ନିଜର ସମସ୍ତ ସାମର୍ଥ୍ଯ ହରାଇ ବସନ୍ତି l ଜୀବନ କଣ ଭଲକରି ଜାଣି ନଥିବା ପିଲାଟିକୁ କାଇଁ ଏମିତି ଅବସ୍ଥାକୁ ନେଇ ଆସିଲ ? ମା' ର କଷ୍ଟକୁ ୩ ବର୍ଷରୁ ଦେଖି ଆସୁଥିବା ପିଲାଟି କେବେ ବି କିଛି ଦୁଷ୍ଟାମି କରିନି l ସବୁବେଳେ ହେତୁ ପାଇବା ଦିନରୁ ମନ ଦେଇ ପାଠ ପଢିଛି l ପଞ୍ଚମ ଓ ସପ୍ତମ ଶ୍ରେଣୀରେ ବୃତ୍ତି ବି ପାଇଛି l ଜୀବନରେ ବୋଧେ ଗୋଟେ ଲକ୍ଷ୍ଯ ରଖିଥିଲା l ଭଲ ପଢି ଭଲ ମଣିଷ ହେବ ଆଉ ତା' ଦୁଃଖୀ ମା ମୁହଁରେ ହସ ଫୁଟାଇବ l କିନ୍ତୁ କଣ ପାଇଁ ତାକୁ ଏମିତି ରୋଗ ଧରାଇଦେଲ ହେ ପ୍ରଭୁ ? କଣ କରିପାରିବ ଏ କଲ୍ୟାଣୀ ? ସତରେ ଭଗବାନ୍ ତମେ କଣ ଦୁଃଖୀ ମାନଙ୍କୁ ହିଁ ସବୁ ଦୁଃଖ ଦେଇଥାଅ ବୋଝ ଉପରେ ଲଳିତା ବିଡା ପରି ?

ଆଗକୁ କଣ ହେବ କଲ୍ୟାଣୀର ଜାଣିନି l ଖୁବ୍ ଦୁଃଖରେ ସେ ଏବେ ? ଅହରହ କାନ୍ଦୁଥିବ ନିଶ୍ଚେ l ଖାଇବା ପିଇବା ଶୋଇବା ସେ ଭୁଲି ଯାଇଥିବ l

*******************************:**********

ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬

କର୍ମଚାରୀ ରିକ୍ସା ଶିଶୁମନ୍ଦିର

Rate the content


Originality
Flow
Language
Cover design

Comments

Post

Some text some message..