Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Rath

Tragedy

2  

Arabinda Rath

Tragedy

ଭୁଖା

ଭୁଖା

14 mins
7.9K


ଦୋକାନ ଠାରୁ ଅନତିଦୂରରେ ପ୍ରବଳ ଜନଗହଳି ଦେଖି ଟିକେ ଆଚମ୍ବିତ ହୋଇଗଲେ ମଧୁବାବୁ। ପାଖକୁ ଯାଇ ଦେଖିଲା ବେଳକୁ ପୋଲିସ ଭିଡ ଦୂରେଇବାରେ ବ୍ଯସ୍ତ। ଗହଳି ଭେଦ କରି ବଡ କଷ୍ଟରେ ଯାହା ଦେଖିଲେ ତାଙ୍କର ଆଶ୍ଚର୍ଯ୍ଯର ସୀମା ରହିଲାନି। ରକ୍ତାକ୍ତ ହୋଇ ଭୂଇଁରେ ମୁହଁ ମାଡି ଲୋଟିଛି ଏକ ଶବ। ଶରୀରର ପ୍ରତ୍ଯେକ ଅଙ୍ଗରେ ଗଭୀର କ୍ଷତ ଚିହ୍ନ। ଦେଖିଲେ ଲାଗୁଛି ଅତି ନିର୍ମମ ଭାବରେ କିଏ ଲୋକଟିକୁ ହତ୍ଯା କରିଛି। ଡାକ୍ତରଖାନା କର୍ମଚାରୀ ମାନେ ଶବ ବ୍ଯବଚ୍ଛେଦ ପାଇଁ ନେବାକୁ ଉଠାଇଲା ବେଳେ ମୃତଲୋକର ମୁହଁ ଦେଖି ହତବମ୍ବ ହୋଇଗଲେ ମଧୁବାବୁ।

“କାଲି ରାତିର ଦେଖିଥିଲି, ତେବେ କଣ କାଲି ମୁଁ ଦୋକାନରୁ ଯିବା ପରେ.......” ମନେମନେ ବିଳିବିଳେଇ ଉଠିଲେ ସେ।

ନୂତନ ଭାବରେ ଗଢି ଉଠିଥିବା ସହରର ଆୟତନ ବେଶ୍ ଛୋଟ ଥିଲା। ଦେଶର ବିକାଶ କାରଣରୁ ହେଉ ବା ଜନସଂଖ୍ଯା ବିସ୍ଫୋରଣକୁ ଧାରଣ କରିବାକୁ ହେଉ , ପୁରାତନ ଗ୍ରାମ ଗୋରଖପୁର ରୂପାନ୍ତରିତ ହୋଇଥିଲା ଗାୟତ୍ରୀନଗରରେ। ସହର ହେବା ପୂର୍ବରୁ, କିଛି ଅତି ଗରୀବ ଲୋକଙ୍କର ଝାଟିମାଟି ଘରର ସମାହାରରେ ଗଢି ଉଠିଥିଲା ଏକ ବସ୍ତି। ବସ୍ତି ବାସିନ୍ଦା ମାନେ ସେହି ଜାଗାଟିକୁ ନିଜର ଭିଟା ମାଟି ଭାବରେ ଦେଖି ଆସୁଥିଲେ କାହିଁ କେତେ କାଳରୁ। ସେହି ଜାଗାର ମାଲିକାନା କାହାର ଥିଲା ଓ ସେମାନଙ୍କର ଅଧିକାର କଣ ଥିଲା, ସେ ବିଷୟରେ କେବେ ଚିନ୍ତା କରିବାର ଅବକାଶ ଯୁଟି ନଥିଲା। କ୍ରମବର୍ଦ୍ଧିଷ୍ଣୁ ସହରର ସ୍ଥୁଳ କାୟା ବିସ୍ତାରିତ ହୋଇ ଗୋରଖପୁର ନାମକ ଗ୍ରାମକୁ ନିଶ୍ଚିହ୍ନ କରିଦେବା ପରେ, ଜନ୍ମ ନେଇଥିଲା ନୂତନ ସହର ଗାୟତ୍ରୀ ନଗର। ବସ୍ତି ବାସିନ୍ଦା ମାନଙ୍କର ଝାଟିମାଟି ଘର, ଆଶା, ଆକାଂକ୍ଷା, ସ୍ବପ୍ନ ଓ ଭବିଷ୍ଯତ, ପ୍ରକାଣ୍ଡକାୟ ଲୌହ ଯନ୍ତ୍ର ମାନଙ୍କ ଚକା ତଳେ ଧ୍ବସ୍ତବିଧ୍ବସ୍ତ ହୋଇ, ନିଜର ସତ୍ତା ହରାଇ ସାରିଥିଲେ। ବାସିନ୍ଦା ମାନେ କୁଆଡେ ଗଲେ ତା’ର ହିସାବ କାହା ପାଖରେ ନ ଥିଲା, କିନ୍ତୁ ସେମାନଙ୍କର ଲୁହ ଓ ଅଭିଶାପର ବହ୍ନି ଅଦୃଶ୍ଯ ଅବସ୍ଥାରେ ଅହରହ ଘୁରି ବୁଲୁଥିଲା ଗାୟତ୍ରୀ ନଗରରେ।

ମଧୁବାବୁ ଗାୟତ୍ରୀ ନଗରରେ ଏକ ଜାଗା କିଣି ସେଠାରେ ନିଜର ବ୍ଯବସାୟ ଆରମ୍ଭ କରିଥିଲେ। ଅତ୍ଯାଧୁନିକ ବୈଦୁତିକ ସରଞ୍ଜାମ ସମ୍ଭାରରେ ଭରପୁର ଥିବା ତାଙ୍କର ଦୋକାନଟି ବେଶ୍ ଭଲରେ ଚାଲିଥିଲା। ଅଳ୍ପ କିଛିଦିନ ଭିତରେ ସେ ଅଞ୍ଚଳର ବିଶିଷ୍ଟ ବ୍ଯବସାୟୀ ଭାବରେ ଲୋକେ ତାଙ୍କୁ ଚିହ୍ନିବା ଆରମ୍ଭ କରିଦେଇଥିଲେ। ସେ ଲୋକ ହିସାବରେ ଭୀଷଣ ବଦରାଗୀ ପ୍ରକୃତିର ଥିଲେ ଓ ସାନସାନ କଥାରେ କ୍ରୋଧ ଜର୍ଜରିତ ହେବା ତାଙ୍କର ଅଭ୍ଯାସ ଥିଲା। ବ୍ଯବସାୟରେ ଦୁଇ ପୁଅ ତାଙ୍କୁ ସାହାଯ୍ଯ କରୁଥିଲେ ଓ ପିତାଙ୍କର କ୍ରୋଧର ବଜ୍ର ଯେପରି ଗ୍ରାହକଙ୍କ ଉପରେ ନ ପଡେ ସେଥିପାଇଁ ସେମାନେ ବିଶେଷ ଯତ୍ନବାନ ଥିଲେ। ଦୋକାନର ପାଖରେ କିଛି ଲୋକଙ୍କର ଘର ଥିଲା ଓ ସେମାନେ ଘରର ତଳ ମହଲାରେ ଦୋକାନ ମାନ ଖୋଲିଥିଲେ। ଗାୟତ୍ରୀ ନଗରର ଜନସଂଖ୍ଯା ସେତେ ବେଶୀ ନ ଥିଲେ ମଧ୍ଯ ଦିନସାରା ଜନଗହଳି ଲାଗିରହୁଥିଲା। ଲୋକମାନେ ଜିନିଷ ପତ୍ର କିଣା କିଣି ପାଇଁ ସେହି ସହର ଉପରେ ନିର୍ଭରଶୀଳ ଥିଲେ।

ସବୁକ୍ଷେତ୍ରରେ ସମୃଦ୍ଧ ଥିବା ମଧୁବାବୁ ଦୋକାନ ଆସିବା ମାତ୍ରେ ସବୁଦିନ ଭୀଷଣ ବିରକ୍ତ ହୋଇଉଠୁଥିଲେ ; କାରଣ ଥିଲା ଜଣେ ପ୍ରୌଢ ଲୋକ । ସେ ଲୋକଟି ସବୁଦିନ ରାତିରେ ତାଙ୍କ ଦୋକାନ ବାରଣ୍ଡାରେ ଶୋଉଥିଲା ଓ ଦୋକାନ ଖୋଲିବା ପର୍ଯ୍ଯନ୍ତ ଅପେକ୍ଷା କରି ରହୁଥିଲା। ମଧୁବାବୁ ଗାଳି ଫଜିତ୍ କରିବା ପରେ ସେ ଦିନ ତମାମ କୁଆଡେ ଅଦୃଶ୍ଯ ହୋଇଯାଏ, କିନ୍ତୁ ପରଦିନ ସକାଳେ ପୁଣି ସେହି ସମାନ ଦୃଶ୍ଯର ପୁନରାବୃତ୍ତି ହେଉଥିଲା।

ଲୋକଟିର ଜୀର୍ଣ୍ଣଶୀର୍ଣ୍ଣ ଶରୀର, ମୁଣ୍ଡର ଅସ୍ତବ୍ଯସ୍ତ କେଶରାଶି, କୋଟରଗତ ଚକ୍ଷୁ ଓ ହସ୍ତଯୁଗଳର ଶିରାଳ ରୂପ ଦେଖିଲେ ଜଣା ଯାଉଥିଲା ସେ ନିହାତି ଗରୀବଶ୍ରେଣୀର ହୋଇଥିବ। ନିଷ୍ପ୍ରଭ, ମାଂସବିହୀନ ମୁଖମଣ୍ଡଳରେ ଉକୁଟି ଉଠୁଥିବା କୁଞ୍ଚିତ ରେଖା, ତାର ବ୍ଯକ୍ତିତ୍ବକୁ ଆହୁରି ଦୟନୀୟ କରି ଗଢି ତୋଳୁଥିଲା। ତା’ର ଚାହାଁଣୀରେ ଥିଲା ଶ୍ମଶାନର ନୀରବତା ଓ ଅଦମ୍ଯ ଶୋଷ। କାହିଁକି କେଜାଣି, ସଦାବେଳେ ଅପଲକ ନୟନରେ ଚାହିଁ ରହୁଥିଲା ମଧୁବାବୁଙ୍କ ଦୋକାନ ଆଡକୁ ; ସତେକି କିଛି ଅତି ମୂଲ୍ଯବାନ ସମ୍ପତ୍ତି ସେଇ ଦୋକାନରେ ଲୁଚି ରହିଛି। ସଦାବେଳେ ଚୁପ୍ ଚାପ୍ ରହୁଥିବା ଲୋକଟିର ଦାରିଦ୍ୟ ତା ମୁହଁରେ ଲାଖି ରହୁଥିବା ଚେନାଏ ହସର ରେଖାକୁ ନିଶ୍ଚିହ୍ନ କରିପାରି ନ ଥିଲା। ଯେତେ ଗାଳି ମନ୍ଦ ଦେଲେ ବି ସେ କୌଣସି ପ୍ରତିବାଦ ନ କରି ନୀରବ ହୋଇ ସେ ଦୋକାନ ଆଗରୁ ଚାଲିଯାଉଥିଲା। ଦେହରେ କେବଳ ଲଜ୍ଜା ନିବାରଣ କରିବାକୁ ପିନ୍ଧୁଥିଲା ଏକ ଚିରା ଫଟା ସାର୍ଟ ଓ ଖଣ୍ଡେ ଲୁଙ୍ଗି। ଦେଖିଲେ ଜଣା ପଡେ, କାହିଁ କେତେ ଦିନରୁ ସେଗୁଡିକ ସଫା କରିନି। ପୁଙ୍ଗୁଳା ପାଦରେ ଦୃଶ୍ଯ ହେଉଥିବା ଖଣ୍ଡିଆ ମାନ ସୂଚାଉଥିଲା, ଜୀବନ ସଂଗ୍ରାମରେ ସେ ଅବିରତ କରିଚାଲିଥିବା ଯୁଦ୍ଧର ଗାଥା। ତା’ର ସମୁଦାୟ ସମ୍ପତ୍ତି ଏକ ନୀଳ ରଙ୍ଗର ଜରି ବ୍ଯାଗ ଭିତରେ ସୁରକ୍ଷିତ ହୋଇ ରହିଥଲା, ଯାହାକୁ ସେ ସଦାବେଳେ କାଖତଳେ ଜାକି ରଖୁଥିଲା। ସେ କ’ଣ ଖାଏ, କ’ଣ ପିଏ କେହି ଜାଣିବାର ଅବକାଶ ନ ଥିଲା। ଜାଣିବ ବା କିଏ ? ସେ ଯାଗାରେ ତ ସବୁ ଲୋକ ନୂଆ।

କାହିଁକି କେଜାଣି, ଲୋକଟିର ଉପସ୍ଥିତି ମଧୁବାବୁଙ୍କ ମନ ଭିତରେ ଭୀଷଣ ଅଶ୍ବସ୍ତିକର ଭାବନା ସୃଷ୍ଟି କରାଉଥିଲା। ବାରମ୍ବାର ମନା କରିବା ଓ ଅପମାନିତ କରିବା ପରେ ମଧ୍ୟ ଲୋକଟିର ପ୍ରକୃତିରେ କୌଣସି ପରିବର୍ତ୍ତନ ଆସୁ ନ ଥିଲା। ତାଙ୍କୁ ଲାଗୁଥିଲା, ଲୋକଟି ଦୋକାନ ଉପରେ ଅଧିକାର ଜାହିର କରିବା ସହିତ, ତାଙ୍କ ପ୍ରଭୂତ୍ବ ଉପରେ ବିରାଟ ପ୍ରଶ୍ନବାଚୀ ଚିହ୍ନ ଆଙ୍କି ଚାଲିଥିଲା ନିତି ଦିନ। ମନର କୌତୁହଳ ଦମନ କରି ନ ପାରି ଦିନେ ମଧୁବାବୁ ପଡୋଶୀଙ୍କୁ ସେ ଲୋକଟି ବିଷୟରେ ପଚାରିଲେ।

- - ଓଃ ଆପଣ ତାହା ହେଲେ ସେ “ଭୁଖା” ପାଇଁ ଏତେ ଚିନ୍ତା କରୁଛନ୍ତି। ଯମା ବ୍ଯସ୍ତ ହୁଅନ୍ତୁ ନାହିଁ ଆଜ୍ଞା, ସେ ଚୋର ନୁହଁ କି ପାଗଳ ନୁହଁ। ଭିକ ମାଗି ଯାହା ପାଏ ସେତିକିରେ ଚଳିଯାଏ। କୌଣସି କଥାରେ ତାର ଆପତ୍ତି ନ ଥାଏ। କିଏ ଭିକ ଦେଲେ ହସୁ ଥାଏ, ନ ଦେଲେ ବି ହସୁଥାଏ। କିଛି ଖାଇବା ଜିନିଷ ପାଇଲେ ମନ ଖୁସିରେ ନିଏ। ତା ପେଟରେ ସଦା ବେଳେ ଭୋକ ଥାଏ ବୋଲି ମୁଁ ତାକୁ “ଭୁଖା” ନାମରେ ସମ୍ବୋଧିତ କରେ। ତା ବିଷୟରେ ସେମିତି କିଛି ଖାସ୍ ଖବର ନାହିଁ ମୋ ପାଖରେ। ତେବେ ମୋ ଘରେ କରୁଥିବା ଚାକରାଣୀ କହୁଥିଲା ସେ ପୂର୍ବରୁ ଏଇ ବସ୍ତିରେ ରହୁଥିଲା। ଏବେ ସେ ଆପଣଙ୍କ ଦୋକାନର ବାରଣ୍ଡାକୁ ସେ ନିଜର ଘର କରି ନେଇଛି ବୋଲି କହିଲେ ଭୁଲ ହେବ ନାହିଁ। ଦିନ ସାରା ଯୁଆଡେ ଥାଉ ପଛକେ ରାତିରେ ଯାହା ହେଲେ ବି ସେ ଆପଣଙ୍କ ବାରଣ୍ଡାରେ ଶୋଇବ। ଏତେ ଖାଲି ଜାଗା ଥିଲେ ବି ସେ କାହିଁକି ଆପଣଙ୍କ ଦୋକାନ ଆଗରେ ଶୁଏ, ସେ କାରଣ କେହି ଜାଣି ନାହାଁନ୍ତି। ଆପଣ ତ ନିଶ୍ଚିନ୍ତ ରହିବା କଥା, ବିନା ଦରମା ରେ ଜଣେ ରାତ୍ର ଜଗୁଆଳ ଆପଣଙ୍କୁ ମିଳି ଯାଇଛି। ପଡୋଶୀଙ୍କ ପାଖରୁ ପରୋକ୍ଷରେ ଲୋକଟିର ପ୍ରଶଂସା ଶୁଣି ମନେମନେ ବିରକ୍ତ ହେଲେ ମଧୁବାବୁ। ଟିକେ ଚଢା ଗଳାରେ କହିଲେ-- ଦରକାର ନାହିଁ ମୋର ସେମିତି ରାତି ଜଗୁଆଳୀ, ସକାଳେ ବାରଣ୍ଡା ଟା ଯେମିିତିି ଦୁର୍ଗନ୍ଧ ହେଉଛି ଥରେ ଶୁଙ୍ଘିଥିଲେ ଆପଣ ଏମିତି କୁହନ୍ତେ ନାହିଁ। ସବୁଦିନ ସକାଳୁ ଅଲକ୍ଷଣାର ମୁହଁ ଦେଖିଲେ ଦିନଟା ଅଶୁଭ ହେଲା ପରି ଲାଗୁଛି। ତା ଥୋବରା ମୁହଁ ଦେଖିବାର ଆଗ୍ରହ ମନରେ ନ ଥିଲେ ବି, ମୋତେ ସବୁ ଦିନ ଦେଖିବାକୁ ପଡୁଛି ଓ ସେ ଯିବା ପରେ ଫିନାଇଲ ପକେଇ ବାରଣ୍ଡା ଧୋଇବାକୁ ପଡୁଛି। ମୋତେ ତ ଲାଗୁଛି ଲୋକଟା କୌଣସି ଚୋର ଗ୍ଯାଙ୍ଗର ସଦସ୍ଯ ହୋଇଥିବ। କିଏ ଜାଣେ, ମୋ ଦୋକାନରେ କଳା କନା ବୁଲାଇବାର ଉଦ୍ଦେଶ୍ଯ ରଖି ମୋ ଦୋକାନ ଆଗରେ ଅଧିଆ ପଡୁଥିବ।

ପଡୋଶୀ ତାଙ୍କ କଥାରେ କୌଣସି ଗୁରୁତ୍ବ ନ ଦେବା ଦେଖି, ଉତ୍ତେଜିତ ହୋଇ କହିଲେ

– – ମୋତେ ଲାଗୁଛି, ଆପଣଙ୍କର ସେ ବିଷୟରେ କିଞ୍ଚିତ୍ ଚିନ୍ତା ନାହିଁ। ନୋହିଲେ ସେ ଲୋକଟାକୁ ଧକ୍କା ମାରି ବିଦାୟ କରିବା କଥା ଭାବିବା ଛାଡି ତାର ଗୁଣଗାନ କରନ୍ତେ ନାହିଁ।

ମଧୁବାବୁଙ୍କ କ୍ରୋଧୀ ପ୍ରକୃତି ବିଷୟରେ ପଡୋଶୀ ଜାଣିଥିଲେ, ତେଣୁ କିଛି ନ କହି ସେ ମଧୁବାବୁଙ୍କୁ ସହାସ୍ଯ ବଦନରେ ବିଦାୟ ଦେଲେ। ଅସ୍ଥିର ମନରେ ଦୋକାନ ରେ ବସି, ମଧୁବାବୁ ସେ ଲୋକଟି ବିଷୟରେ ଭାବିବାବୁ ଲାଗିଲେ। ତାଙ୍କୁ ଲାଗିଲେ ସେ ଲୋକଟା ଗୋଟେ ମସ୍ତବଡ ଚୋର ହୋଇଥିବ। ରାତିରେ ବାରଣ୍ଡାରେ ଶୋଇବାର ବାହାନା କରି କେବେ ତାଙ୍କ ଦୋକାନରେ କଳାକନା ବୁଲାଇଦେବ। ସେ ପୁଅ ମାନଙ୍କୁ ଡାକି ସବୁ କଥା କହିଲେ। କିନ୍ତୁ ସେମାନେ କୌଣସି ଆଗ୍ରହ ନ ଦେଖେଇବା ଅନୁଭବ କରିପାରି ଆହୁରି ଉତ୍ତେଜିତ ହୋଇ ଘରକୁ ଚାଲିଗଲେ। ଯିବା ବାଟରେ ଭାବିଲେ ସେ ଲୋକଟି କୁଆଡେ ଯାଉଛି, କଣ କରୁଛି ସେ ବିଷୟରେ କିଛି ତଥ୍ଯ ହାସଲ କରିବାପାଇଁ। ବଜାର ଭିତର ସାରା ମଧୁବାବୁଙ୍କ ଆଖି ଖୋଜିଚାଲିଥିଲା ସେଇ ଲୋକଟିକୁ ଯାହାକୁ ପଡୋଶୀ “ଭୁଖା” ନାମରେ ନାମକରଣ କରିଥିଲେ। ଯୋଗକୁ ମନ୍ଦିର ସାମନାରେ ତାକୁ ଆବିଷ୍କାର କଲେ। କିଛି ଦୂରରେ ଛିଡା ହୋଇ ସେ ଲୋକଟିକୁ ନିରୀକ୍ଷଣ କରିବାରେ ଲାଗିଲେ ଓ ମୋବାଇଲରେ ତାର ଫଟୋ ଉଠାଇଲେ। ଲୋକଟି ନିହାତି ଅନାସକ୍ତ ଭାବରେ ବସିଥିଲା ମନ୍ଦିର ପାହାଚରେ। କାହାକୁ କିଛି ମାଗୁ ନ ଥିଲା, କେବଳ ଚୁପଚାପ ହାତ ପତେଇ ବସି ରହିଥିଲା। କିଏ ଦୟାରେ କିଛି ଦେଲେ, ତା ପ୍ରତି ଆଶିର୍ବାଦ ଦେବା ଭଙ୍ଗୀରେ ଦୁଇ ହାତ ଟେକିି ଦେଉଥିଲା। ବହୁତ ସମୟ ଛିଡା ହୋଇ ଦେଖିବା ପରେ ତାଙ୍କୁ ଲୋକଟିର ଚାଲିଚଳଣରେ କିଛି ଅସ୍ବାଭିକତା ଦେଖାଦେଲା ନାହିଁ। ତଥାପି ତାଙ୍କ ମନ ରୂପକ ଜ୍ବାଳାମୁଖୀରୁ ବୋହି ଚାଲିଥିବା ଉତ୍ତପ୍ତ ଲାଭା ସଦୃଶ କ୍ରୋଧ ଓ ସନ୍ଦେହ ପ୍ରଶମିତ ହେବାର କୌଣସି ଲକ୍ଷଣ ଦେଖାଗଲା ନାହିଁ।

ତା ପରଦିନ ସକାଳୁ ପୁଣି ସେ ଲୋକଟି ମଧୁବାବୁଙ୍କୁ ଦେଖିଲା ପରେ ଦୁଇହାତ ଯୋଡି ନମସ୍କାର କରିବା ପରେ ବାରଣ୍ଡାରୁ ଚାଲିଯିବାକୁ ଉଦ୍ଯତ ହେଲା। ତା ମୁହଁ ଦେଖିବା ମାତ୍ରେ ମଧୁବାବୁ ନିଜ ଉପରୁ ନିୟନ୍ତ୍ରଣ ହରାଇଦେଲେ। ଦୋକାନ ଭିତରୁ ଏକ ବାଡି ଆଣି ସେ ଲୋକଟି ନିର୍ଘାତ ପ୍ରହାର କରି କହିଲେ--

-- – ଆଉ ଯଦି ମୋ ଦୋକାନ ଆଗକୁ ଆସିବୁ, ତୋ ହାତ ଗୋଡ ଭାଙ୍ଗି ନଦୀରେ ଭସେଇ ଦେବି। ସେ ଦୁଇହାତ ଯୋଡି, କାଖତଳେ ସେହି ନୀଳ ଜରିଟିକୁ ଜାକି ସେମିତି ହସ ହସ ମୁହଁରେ ଛିଡା ହୋଇ ରହିଥିଲା। ସେ ହସ ମଧୁବାବୁଙ୍କ କ୍ରୋଧକୁ ଆହୁରି ଭୟଙ୍କର ଭାବରେ ପ୍ରଜ୍ବଳିତ କରାଇବା ପାଇଁ ଯଥେଷ୍ଟ ଥିଲା। ସେ ଲୋକଟି ଉପରକୁ ଏକ ପ୍ରକାର ଲମ୍ଫପ୍ରଦାନ କରି ଗୋଇଠା ପରେ ଗୋଇଠା ମାରି ଚାଲିଲେ। ତଳେ ପଡି ଲୋକଟି ବିକଳରେ ଗଁ ଗଁ ହେବାକୁ ଲାଗିଲା। ପୁଅ ମାନେ ଓ ପଡୋଶୀ ଆସି ମଧୁବାବୁଙ୍କ କବଳରୁ ଲୋକଟିକୁ ଉଦ୍ଧାର କଲେ। କଷ୍ଟରେ ଭୂଇଁରୁ ଉଠି ଲୋକଟି ସମ୍ପୂର୍ଣ୍ଣ ନୀରବ ହୋଇ ବଡ କଷ୍ଟରେ ଛୋଟେଇ ଛୋଟେଇ ସେ ଜାଗାରୁ ଚାଲିଗଲା। ଚେୟାର ରେ ବସି ଏକ ପୈଶାଚିକ ଆନନ୍ଦର ଅନୁଭିତିରେ ମସଗୁଲ ଥିଲେ ମଧୁବାବୁ। ତାଙ୍କୁ ଲାଗୁଥିଲା ଏତେ ମାଡ ଖାଇବା ପରେ ଲୋକଟି ଜୀବନ ଥିବା ଯାଏ ତାଙ୍କ ଦୋକାନ ପାଖକୁ ଆସିବ ନାହିଁ। ପୁଅ ମାନେ ଓ ପଡୋଶୀ, ମଧୁବାବୁଙ୍କର ଏପରି କାର୍ଯ୍ଯକଳାପରେ ଭୀଷଣ ବ୍ଯଥିତ ଥିଲେ ମଧ୍ଯ କିଛି କହିବାର ସାହାସ ଜୁଟାଇ ପାରୁ ନ ଥିଲେ। ସେମାନଙ୍କୁ ଲାଗୁଥିଲା ବୋଧହୁଏ ଦୁର୍ବଳ ଲୋକ ଉପରେ ବଳ ଜାହିର କରି ସବଳ ଲୋକ ମାନେ ଏମିତି ପୈଶାଚିକ ଆନନ୍ଦର ମଜା ନିଅନ୍ତି। ସେତିକି ବେଳକୁ ମଧୁବାବୁଙ୍କର ଜଣେ ପୁରୁଣା କର୍ମଚାରୀ ଦୋକାନକୁ କିଛି ଜିନିଷ କିଣିବା ପାଇଁ ଆସିଲା।

– – ଆରେ ନଖି, ତୁ କେମିତି ଆଜି ମୋ ଦୋକାନ କୁ ଆସିଲୁ? ଆଜି କାଲି କଣ କରୁଛୁ, ତୋ ଦେଖା ଦର୍ଶନ ମିଳୁନି।

– – ଆଜ୍ଞା, ମୁଁ ଏବେ ଗୋଟେ କମ୍ପାନୀରେ ଚାକିରି କରୁଛି। ଝିଅ ବାହାଘର ପାଇଁ କିଛି ଜିନିଷପତ୍ର କିଣିବାକୁ ଆସିଛି। ଯାହାହେଲେ ବି ଆପଣ ମୋର ପ୍ରଥମ ମାଲିକ, ସେ କଥା କଣ ମୁଁ ଭୁଲିଯିବି? ଆପଣଙ୍କର ଇଟାଭାଟି ଥିଲା ବେଳେ ଏଇ ହାତରେ କେତେ ଇଟା ପୋଡିଛି ବାବୁ। ଆପଣଙ୍କ ପରି ବଡ ଲୋକ ମାନଙ୍କର ଆଶିର୍ବାଦ ବଳରେ ସିନା ମୁଁ ଦୁଇ ଗୋଡରେ ଛିଡା ହୋଇଛି। ନୋହିଲେ ଏ ନଖିକୁ କିଏ ପଚାରୁଥିଲା ?

ନଖିର ପ୍ରଶଂସାବାଣୀରେ ଟିକେ ଉଲ୍ଲସିତ ହୋଇଗଲେ ମଧୁବାବୁ। ପୁଅ ମାନଙ୍କୁ ଡାକି କହିଦେଲେ ଭଲ ଜିନିଷ ରିହାତି ଦରରେ ନଖି କୁ ଦେବା ପାଇଁ। ସେତିକି ବେଳକୁ ତାଙ୍କର ମନେ ପଡିଗଲା ନଖି ଗାୟତ୍ରୀନଗର ହେବା ପୂର୍ବରୁ ଗୋରଖପୁରରେ ରହୁଥିଲା। ତାଙ୍କର ଆଖି ଦୁଇଟି ଉଜ୍ବଳ ହୋଇ ଉଠିଲା। ଯାହାହେଉ ଏତେ ଦିନର ପ୍ରତୀକ୍ଷାର ଅବସାନ ଘଟିବ। ସେ ଲୋକଟା ବିଷୟରେ ସବୁ ତଥ୍ଯ ନଖି ପାଖରୁ ଆରାମରେ ମିଳିଯିବ। ସେ ନଖିକୁ ପାଖକୁ ଡାକି ଲୋକଟିର ଫଟୋ ଦେଖାଇ ତା ବିଷୟରେ ପଚାରିଲେ। ମନରେ ସନ୍ଦେହ ଥାଏ, କାଳେ ସେ ଲୋକଟାକୁ ନଖି ଜାଣି ପାରିବ କି ନାହିଁ। କିନ୍ତୁ ମଧୁବାବୁଙ୍କ ପାଖରୁ ଲୋକଟିର ବେଶଭୂଷା ଓ ଚାଲିଚଳଣ ବିଷୟରେ ଶୁଣି ଓ ଫଟୋଟିକୁ ତନ୍ନତନ୍ନ କରି ଦେଖି ଉଲ୍ଲସିତ ହୋଇ ନଖି କହିଲା

-- ମୁଁ ଜାଣିଲି ଆଜ୍ଞା, ଆପଣ ସୁରିଆଭାଇ ବିଷୟରେ କହୁଛନ୍ତି। ସେ ଏବେ ସହରର ଶିବ ମନ୍ଦିର ଆଗରେ ଭିକ ମାଗି ଚଳୁଛି। କିନ୍ତୁ ସବୁଦିନ ରାତିରେ ଏଇ ଗାୟତ୍ରୀ ନଗରରେ ଶୋଉଛି।

– ଆରେ ନଖି ଗାୟତ୍ରୀ ନଗରରେ ନୁହଁ, ମୋ ଦୋକାନ ଆଗରେ ଶୋଉଛି। ତାକୁ ଯେତେ ମାଡ ଗାଳି ଦେଲେ ବି ସେ ଲୋକଟା ଏ ଯାଗା ଛାଡି ଯାଉନାହିଁ। କଣ ଟିକେ ଉପାୟ ମୋତେ ଦେ, ତାକୁ ଦେଖିଲେ ମୋ ରକ୍ତ ଗରମ ହୋଇଯାଉଛି। ଆଜି ସକାଳେ ନିଲ୍ଲଠାଟାକୁ ଭଲକରି ବାଡେଇଛି। ଯେତେ ମନା କଲେ ବି ମୋ କଥା ଶୁଣିଲାନି, ତେଣୁ ମୋ ପ୍ରକୃତ ରୂପ ଦେଖେଇବାକୁ ପଡିଲା।

– – ଆଜ୍ଞା, କାହିଁକି ତାକୁ ବାଡଉଥିଲେ, ସେ ଲୋକଟାର ପ୍ରକୃତି ଯମାରୁ ମନ୍ଦ ନୁହଁ। ସେ ଆମ ଗୋରଖପୁର ବସ୍ତିର ନେତା ଥିଲା । କାଳର କରାଳ ପାଟିରେ ବିଚରା ସର୍ବସ୍ବାନ୍ତ ହୋଇ ଆଜି ଭିକାରୀ ସାଜିଛି।

– – ସେ ବାହାସ୍ଫୋଟିଆ କଥା ନ କହି ଅସଲ କଥା କହ ନଖି।

– – ସୁରିଆ ଭାଇ ଆମ ବସ୍ତିର ହୀରା ଥିଲା ବାବୁ। ଦେହରେ ଥିଲା ସିଂହ ପରି ବଳ। ତା ପରି ଲୋକଟେ ସଂସାର ଭିତରେ ମିଳିବା କଷ୍ଟ। ଅନ୍ଯର ସୁଖ ପାଇଁ ନିଜ ଜୀବନକୁ ବାଜି ଲଗେଇ ଦେବା ପରି ଲୋକ ସିଏ। ବସ୍ତିଲୋକଙ୍କର ସବୁ ସୁଖ ଦୁଃଖରେ ଛିଡା ହେଉଥିଲା ସୁରିଆ ଭାଇ। ଡାକ୍ତରଖାନା, ଥାନା, ମଶାଣି, ବନ୍ଧୁଘର ଯୁଆଡେ ଡାକିବେ ସେ ହାଜର ହୋଇ ଯାଉଥିଲା। ବସ୍ତିର ନର୍ଦ୍ଦମା ସଫେଇ ହେଉ, କ୍ଲବ ଘରେ ନାଚଗୀତ ହେଉ, ଭସାଣୀ ଶୋଭାଯାତ୍ରା ହେଉ ବା ବସ୍ତି ବାସିନ୍ଦାଙ୍କ ସ୍ବାର୍ଥ ପାଇଁ ଲଢେଇ ହେଉ,ସବୁଥିଲେ ଆଗ ଖୋଜା ପଡୁଥିଲା ସୁରିଆ ଭାଇକୁ। ସେ ନ ଆସିଲା ଯାଏ ବସ୍ତିବାସିନ୍ଦା ମାନେ କୌଣସି କାମ କରୁ ନ ଥିଲେ। ସମସ୍ତଙ୍କ ପରିବାରର ସଦସ୍ଯ ଥିଲା ସୁରିଆ ଭାଇ। କାହା ଘରେ ଲୋକେ ଦିହ ଖରାପରେ ପଡି କାମ କୁ ଯାଇ ନ ପାରିଲେ,ସେ ସେମାନଙ୍କ ଭାଗ କାମ କରି ପାଉଣା ଆଣି ଧରାଇ ଦେଉଥିଲା । ଅନ୍ଯର ଦୁଃଖ ଦେଖିଲେ ସେ କାନ୍ଦି ପକଉଥିଲା। ଭୋକିଲା ଲୋକ ଦେଖିଲେ ନିଜ ଖାଇବା ଥାଳିରୁ ଉଠି ସେ ଲୋକକୁ ଖାଇବା ଭୁଞ୍ଜାଇବା ପରି ଲୋକ ଥିଲା ସିଏ।

– – ଆରେ ହେଃ ନଖି, ସେମିତି ପାଗଳାଙ୍କ ପରି କାହିଁକି ବକି ଯାଉଛୁ । ତୋତେ ସେ ଲୋକ ବିଷୟରେ ପଚାରିଲି ନା ତା ବିଷୟରେ ପ୍ରଶଂସାଗୀତ ଗାଇବା ପାଇଁ କହିଲି। ମୋ ପାଖରେ ସମୟ ନାହିଁ ଏମିତି ଫାଲତୁ କଥା ଶୁଣିବାକୁ। ଯଦି କିଛି ନ ଜାଣିଛୁ ତୋ ଜିନିଷ ନେଇ ପଳା ମୋ ଦୋକାନ ରୁ।

ସେ ଲୋକଟିର ପ୍ରଶଂସା ଶୁଣିବା ପରେ ମଧୁବାବୁଙ୍କ ମନ ଭିତରେ ଇର୍ଷାର ମାତ୍ରା କାହିଁ କେତେ ଗୁଣ ବଢି ଯାଇଥିଲା। ଗୋଟେ ନିହାତି ତୁଚ୍ଛ, ନଗଣ୍ଯ ଭିକାରିର ପ୍ରଶଂସା ତାଙ୍କ ମନର ଅହଙ୍କାର ସୌଧକୁ ଭୀଷଣ ଧକ୍କା ଦେବାପାଇଁ ଯଥେଷ୍ଟ ଥିଲା। ନଖି ତା ପୂର୍ବ ମାଲିକର ବଦରାଗୀ ଗୁଣ ବିଷୟରେ ଭଲ ଭାବରେ ଅବଗତ ଥିଲା। ଟିକେ ଟିକେ କଥାରେ ନିଆଁବାଣ ହୋଇ ଯାଉଥିବା ମଧୁବାବୁ ମୁହଁରେ କ୍ରୋଧର ବହ୍ନି ଦେଖି ସେ ନିଜକୁ ସଞ୍ଜତ କରି ଗଳା ଝାଡି କହିଲା

– – ଆଜ୍ଞା, ଗାୟତ୍ରୀ ନଗର ତିଆରି ହେଲା ବେଳେ ସବୁ ବସ୍ତିବାସିନ୍ଦାଙ୍କୁ ଜୋର ଜବରଦସ୍ତି କରି ଏ ଯାଗାରୁ ତଡି ଦିଆଗଲା। କିଛି ଲୋକ ପଇସା ନେଇ ଚୁପଚାପ ଜାଗା ଛାଡି ଚାଲିଗଲେ ଓ ସୁରିଆ ପରି କିଛି ଜିଦିଆ ଲୋକ ଏ ଜାଗା ଛାଡି ଯିବେନି ବୋଲି ସଫା ଶୁଣାଇଦେଲେ। ଅବସ୍ଥା ଏମିତି ହେଲା ଯେ ବସ୍ତିର ସବୁ ଲୋକ ଚାଲିଯିବା ପରେ ମଧ୍ଯ ସୁରିଆ ଭାଇ, ତା ସ୍ତ୍ରୀ ଓ କୁନି ପୁଅ ଗୋଟିଏ କୁଡିଆରେ ପଡି ରହିଲେ । ତା’ର ଏକା ଜିଦ୍, ସେ ତାଙ୍କ ଭିଟାମାଟିି ଛାଡି କୁଆଡେ ଯିବନି। ଏବେ ଆପଣଙ୍କ ଦୋକାନ ଯେଉଁ ଜାଗାରେ ଛିଡା ହୋଇଛି ସେଇ ଯାଗାରେ ସୁରିଆର ଚାଳିଆ ଥିଲା। ତା ହସଖୁସିର ସଂସାର ରେ ଲୁହର ଚିହ୍ନବର୍ଣ୍ଣ ନ ଥିଲା। ନିଜ ପରିବାର ର ସୁରକ୍ଷା ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥିଲା ସେ। କେବଳ ପ୍ରସ୍ତୁତ ନ ଥିଲା, ଏ ଜାଗା ଛାଡି ଯିବା ପାଇଁ। ଦିନେ ସେ କାମ କୁ ଯାଇଥିବା ସମୟରେ ଠିକାଦାରର ଭଡାଟିଆ ଗୁଣ୍ଡା ଆସି ସୁରିଆ ଭାଇ ସ୍ତ୍ରୀର ସର୍ବସ୍ବ ଲୁଟିନେଲେ। ସେତିକିରେ ତାଙ୍କ ମନ ମାନିଲାନି ଯେ ଚାଳିଆ ସହ ସୁରିଆ ଭାଇର ସ୍ତ୍ରୀ ଓ କୁନିପୁଅଟିକୁ ଜୀଅନ୍ତା ଜାଳିଦେଲେ। କାମରୁ ଫେରି ସୁରିଆ ଭାଇ ଦେଖିଲା, ତା ପରିବାର ଓ ଚାଳିଆ ସହ ଗୋରଖପୁରର ନାଁଆ ବି ନିଆଁରେ ଜଳିପୋଡି ପାଉଁଶ ହୋଇଯାଇଛି। ସ୍ତ୍ରୀ ଓ ପୁଅର ଚିତା ଜଳାଇବା ବି ତା ଭାଗ୍ଯରେ ନ ଥିଲା। ସେଇ ପୋଡିଯାଇଥିବା ଘରୁ କିଛି ପାଉଁଶ ଜରି ବ୍ଯାଗ୍ ରେ ଧରି ପାଗଳଙ୍କ ପରି ଦଉଡିଲା ସେ। ଘଟଣା ପରଦିନ ଠାରୁ ଗାୟତ୍ରୀନଗର ଜନ୍ମ ନେଲା, କିନ୍ତୁ ସୁରିଆଭାଇ ର ପତ୍ତା ମିଳିଲାନି। ବହୁତ୍ ଦିନ ପରେ ତାକୁ ଆମେ ଶିବ ମନ୍ଦିର ପାହାଚ ଉପରେ ଦେଖିଲୁ। ତା ଉଜ୍ଜଳ ଆଖି ଓ ହସହସ ମୁହଁ କୁ ଛାଡିଦେଲେ ଅନ୍ଯ ସବୁ ଜିନିଷ ହଜି ଯାଇଥିଲା ସୁରିଆ ଭାଇର। ସେତିକି କହିଲା ବେଳକୁ ନଖିର ଆଖିରେ କେଇ ବୁନ୍ଦା ଲୁହ ଜକେଇ ଆସିଲା।

ସବୁ ଶୁଣି ସାରି ମଧୁବାବୁ ଗମ୍ଭୀର ସ୍ବରରେ କହିଲେ – ଆଚ୍ଛା ତୁ ଜିନିଷ ନେଇ ଏବେ ଯାଆ।

ସୁରିଆର ହୃଦୟ ବିଦାରକ ଅତୀତ ବିଷୟରେ ଜାଣିବା ପରେ ମଧ୍ଯ ତାଙ୍କ ମନରେ ସୁରିଆ ପ୍ରତି କୌଣସି ସମବେଦନା ବା କରୁଣାଭାବ ଜାତ ହୋଇ ନ ଥିଲା। ବରଂ ସେ ସୁରିଆ ପାଇଁ ଅଧିକ ଅସହିଷ୍ଣୁ ହୋଇ ପଡିଲେ। ତାଙ୍କୁ ଲାଗିଲା ସୁରିଆ ତାଙ୍କ ଦୋକାନ ଜାଗାରେ ନିଜର ଅସ୍ତିତ୍ବ ଜାହିର କରିବାପାଇଁ ଦୋକାନ ବାରଣ୍ଡାରେ ଶୋଉଛି। ସେ ଭାବି ପାରିଲେ ନାହିଁ ଯେ, ବୋଧହୁଏ ନିଜର ପ୍ରାଣଠାରୁ ପ୍ରିୟ ସ୍ତ୍ରୀ ଓ ପୁଅର ସମାଧି ପାଖରେ ସବୁଦିନ ରାତିରେ ଶୋଇ, ସୁରିଆ ମନରେ ପୂର୍ଣ୍ଣତାର ଭାବନା ଆସୁଥିବ।

ବେଶ୍ କିଛିଦିନ ଯାଏ ମଧୁବାବୁଙ୍କ ନଜର ସାମନାକୁ ସୁରିଆ ଆସିଲାନି। କିନ୍ତୁ ସେ ଜାଣି ପାରୁଥିଲେ ସବୁଦିନ ରାତିରେ ଦୋକାନ ବାରଣ୍ଡାରେ ସୁରିଆ ନିହାତି ଶୋଉଛି। ନହେଲେ ସବୁ ଦିନ ସକାଳୁ ଦୋକାନର ବାରଣ୍ଡା ଏମିତି ଦୁର୍ଗନ୍ଧ ଛାଡୁଛି କହିଁକି ?

ସେଦିନ ଦୋକାନରେ ପୂଜା ହେଉଥିଲା। ପାଖ ପଡୋଶୀ ମାନେ ଦୋକାନକୁ ଆସି ପ୍ରସାଦ ଖାଇ ଘରକୁ ଫେରୁଥିଲେ। ମଧୁବାବୁଙ୍କ ପୁଅ ଦେଖିଲା କିଛି ଦୂରରେ ସୁରିଆ ଅପଲକ ନୟନରେ ଦୋକାନ ଆଡେ ଚାହିଁ ରହିଛି। କେହି ନ ଜାଣିବା ପରି ସେ ଗୋଟିଏ ଖଲିରେ ପ୍ରସାଦ ନେଇ ସୁରିଆକୁ ଦେଇ କହିଲା-- ଆଜି ଆମ ଦୋକାନରେ ପୂଜା ହୋଇଛି, ତୁମେ ପ୍ରସାଦ ପାଇନେବ। କିନ୍ତୁ ବାପାଙ୍କ ସାମନାକୁ ଆସିବ ନାହିଁ, ତାଙ୍କ ପ୍ରକୃତି ତୁମେ ଜାଣିଛ। ମନଖୋଲା ହସି ସୁରିଆ କହିଲା-- ଜାଣିଛି ବାବୁ, ସବୁ ଜାଣିଛି। ସେଥିରେ ତାଙ୍କର ଦୋଷ ନାହିଁ। ଭଗବାନ ତୁମର ମଙ୍ଗଳ କରନ୍ତୁ। ସେତିକି କହି ମହା ତୃପ୍ତିରେ ସେ ପ୍ରସାଦ ଖାଇବାରେ ଲାଗିଲା। ସେତିକି ବେଳକୁ କାହାର ଗର୍ଜନରେ ଚମକି ଉଠିଲା ସୁରିଆ। ଦେଖିଲା ବେଳକୁ ତା ସାମନାରେ ମଧୁବାବୁ ଛିଡା ହୋଇଛନ୍ତି।

– ତୁ ପ୍ରକୃତରେ ଗୋଟେ କୁକୁର ଠାରୁ ବି ହୀନ। ଏତେ ମାଡ ଦେଲା ପରେ ବି ତୋ ମୁହଁରେ ଲାଜ ନାହିଁ ଯେ ମୋ ଦୋକାନ ମୁହଁ ମାଡିଲୁ? ପୁଣି ମୋ ପୂଜାର ପ୍ରସାଦ ଖାଉଛୁ ଅଲକ୍ଷଣା !!

ସୁରିଆ କିଛି ପ୍ରତିକ୍ରିୟା ଦେଖାଇବା ପୂର୍ବରୁ ପାଖରେ ପଡିଥିବା ଏକ ପଥର ଆଣି ମଧୁବାବୁ ତା ଆଡକୁ ଫିଙ୍ଗିଲେ। ପଥରଟି ଆଖି ପାଖରେ ବାଜିଲା। ରକ୍ତ ଧାରକୁ ହାତରେ ଚାପି ସୁରିଆ ଖାଇବା ଛାଡି କାନ୍ଦି କାନ୍ଦି ସେ ଜାଗାରୁ ଚାଲିଗଲା। ବିଜୟସୂଚକ ହସ ହସି ମଧୁବାବୁ କହିଲେ-- ଯାହା ହେଉ ଏତେ ମାଡ ଖାଇଲା ପରେ, ଅନ୍ତତଃ ଲୋକଟା ଆଖିରେ ଆଜି ଲୁହ ଦେଖିଲି। ନୋହିଲେ ସବୁଦିନ ମାଡଖାଇ ଦାନ୍ତ ନେଫେଡୁଥିଲା।

ତା ପରଦିନ ସକାଳର ଘଟଣାବଳୀ ମଧୁବାବୁଙ୍କ ମୁଣ୍ଡ ଗୋଳମାଳ କରିବାକୁ ଯଥେଷ୍ଟ ଥିଲା। ତାଙ୍କ ସାମନାରେ ମେଡିକାଲ କର୍ମଚାରୀ ମାନେ ସୁରିଆର ରକ୍ତାକ୍ତ, କ୍ଷତାକ୍ତ ଦେହକୁ ବ୍ଯବଚ୍ଛେଦ ପାଇଁ ନେଉଥିଲେ। ଜଣେ କର୍ମଚାରୀ କହୁଥିଲା-- ଆହାଃ, ବିଚରା ଲୋକଟିକୁ କେତେ ବିଭତ୍ସ ଭାବରେ ଭୁଜାଲିରେ ହାଣି ପକେଇଛନ୍ତି। ଦେଖୁନ, ତା ଦେହ ସାରା ଦେହରେ ଭୁଜାଲି ମାଡର କେତେ ଚୋଟ ପଡିଛି।

ସୁରିଆର ଶବ ସେ ଜାଗାରୁ ନିଆ ସରିଥିଲା। ପୋଲିସ୍ ପାଖ ପଡୋଶୀ ମାନଙ୍କୁ ପଚରା ଉଚୁରା କରୁଥିଲା। ପାଖ ପଡୋଶୀଙ୍କ ଚାକର ପିଲାର କଥାବାର୍ତ୍ତା ଓ ରଙ୍ଗଢଙ୍ଗରେ ସନ୍ଦେହ ହେବାରୁ ପୋଲିସ୍ ତାକୁ ଦୁଇ ବାଡି ପକେଇ ପଚାରିଲା

– “କଣ ଜାଣିଛୁ କହ, ନୋହିଲେ ହାଜତରେ ପୁରେଇ ଭଲରେ ଠୁଙ୍କିବି” । ପୋଲିସ୍ ନାଲି ଆଖି ଦେଖି ପିଲାଟା କାନ୍ଦି କାନ୍ଦି ସବୁ ଘଟଣା କହିବାକୁ ଲାଗିଲା।

ପିଲାଟି କହିଲା--- ଆଜ୍ଞା, ରାତିରେ ମୁଁ ପରିଶ୍ରା କରିବାକୁ ବାହାରକୁ ଆସିଥିଲି। ଦେଖିଲି, ସବୁଦିନ ପରି କାଲି ରାତିରେ ବହୁତ ଡେରିରେ ଭୁଖା ମଧୁବାବୁଙ୍କ ବାରଣ୍ଡାରେ ଶୋଇବାକୁ ଆସିଥିଲା।

ପିଣ୍ଡାରେ ମୁଣ୍ଡ ବାଡେଇ ରାହା ଧରି କାନ୍ଦି କହୁଥିଲା-- ଆଜି ଦିନରେ ଭଗବାନ ତୁମ ଦୁଇଜଣଙ୍କୁ ମୋ ପାଖରୁ ଛଡେଇନେଲେ। ସେଦିନ ମୁଁ କାମରୁ ଫେରିଲା ବେଳକୁ ସେ ଅସୁର ମାନେ ତୁମ ମାନଙ୍କୁ ପାଉଁଶ କରିଦେଇଥିଲେ। ତୁମ ଦୁଇଜଣଙ୍କୁ ଛାତିରେ ଜାକି ସେଦିନ ଠାରୁ ବୁଲୁଛି, ହେଲେ ମୋ ମନର ନିଆଁକୁ କିଏ ଲିଭେଇବ। ମୋତେ କଣ ପାଇଁ ଛାଡି ଗଲୁରେ ମୁନା.....ଲୋ ମୁନା ବୋଉ ତୁ କେମିତି ମୋତେ ଏକା କରି ଚାଲିଗଲୁ। ତୋର ମନେ ଅଛି ନା, ଥରେ ମୁଁ କହିଥିଲି, ମୁଁ ବଞ୍ଚିଥିବା ଯାଏ ତୁମ ଦୁଇଜଣଙ୍କୁ ଜଗି ରହିଥିବି। ସେଇଥି ପାଇଁ ତ, ଏତେ ମାଡ ଗାଳି ଖାଇଲା ପରେ ବି ମୁଁ ତୁମ ଦୁଇଜଣଙ୍କ ସମାଧି ଆଗରେ ସବୁ ରାତିରେ ଜଗି ବସୁଛି। ନାଃ....ଆଉ ମୁଁ ପାରିବିନି, ବହୁତ ଥକି ଗଲିଣି। ତୁମ ମାନଙ୍କୁ ଛାଡି ମୁଁ ଆଉ ବଞ୍ଚି ପାରିବିନି। ବହୁତ ଜଲଦି ତୁମ ପାଖକୁ ଚାଲିଯିବି।

ସେତିକି ବେଳକୁ ଚାରି ଜଣ ଲୋକ ମୁହଁରେ କଳାକନା ବାନ୍ଧି ସେ ଜାଗାକୁ ଆସିଲେ। ସେମାନେ ଭୁଖାକୁ ଧମକାଇ ସେ ଯାଗାରୁ ଚାଲିଯବାକୁ କହି ଭୁଜାଲି ଦେଖେଇଲେ। ସେମାନେ ନିହାତି ଡକାୟତ ହୋଇଥିବେ ଆଜ୍ଞା... ମଧୁବାବୁଙ୍କ ଦୋକାନରୁ ଡକାୟତି କରିବାକୁ ଆସିଥିବେ। ଭୁଖା ସେମାନଙ୍କର ଧମକରେ ଡରି ନ ଯାଇ, ସେମାନଙ୍କୁ ଚାଲି ଯିବାକୁ କହିଲା। ମାତ୍ର ଜଣେ ଲୋକ ତାକୁ ଧକ୍କାଟେ ମାରି ତଳେ ପକେଇଦେଲା। କିନ୍ତୁ ଆଜ୍ଞା, ଭୁଖା ବାଘ ପରି ଗର୍ଜନ କରି ତଳୁ ଉଠିଲା ଓ ସେ ଲୋକ ମାନଙ୍କ ସହ ଲଢେଇ କରିବାକୁ ଲାଗିଲା। ବିଶ୍ବାସ କରିବେନି ଆଜ୍ଞା, ଭୁଖା ଦେହରେ ଏତେ ବଳ ଥିବ ବୋଲି ମୁଁ ଜାଣି ନଥିଲି। ଏକୁଟିଆ ଲୋକଟା ଚାରି ଚାରିଟା ଡକାୟତଙ୍କ ସହ ଖାଲି ହାତରେ ଲଢିଲା ଓ ସେମାନଙ୍କୁ ଦୋକାନ ବାରଣ୍ଡା ଚଢାଇବାକୁ ଦେଲାନି। ଜଣେ ଡକାୟତ ଭୁଜାଲିରେ ଚୋଟ ମାରିଲା ଭୁଖାକୁ। ଚୋଟ ଖାଇସାରିବା ପରେ ଆହୁରି ଭୟଙ୍କର ହୋଇଗଲା ଭୁଖା ଓ ସେ ଡକାୟତ ହାତରୁ ଭୁଜାଲି ଛଡେଇ ସମସ୍ତଙ୍କୁ ଜଖମ କରିବାରେ ଲାଗିଲା। କାହାକୁ ଛାଡିନି ସେ, ସବୁ ଡକାୟତଙ୍କ ମୁହଁ, କାନ୍ଧ, ପିଠି ଓ ହାତରେ ଭୁଜାଲି ଚୋଟ ବସେଇଛି। ଜଣେ ଲୋକ କେତେ ଜଣଙ୍କ ସହ ଲଢି ପାରିବ ! ସେମାନେ ମିଳି ମିଶି ଭୁଖାର ହାତ ଧରି ପେଟରେ ଭୁଜାଲି ଚଲେଇଦଲେ। ଜଣ ଜଣ କରି ଚାରି ଜଣ ଯାକ ଭୁଖା ଦେହରେ ଚୋଟ ପରେ ଚୋଟ ମାରି ଚାଲିଲେ। ମୋ ଆଗରେ ସବୁ ଘଟଣା ଏତେ ଜଲଦି ଘଟି ଗଲା ଯେ, ମୋ ଚେତା ହଜିଗଲା ପରି ଲାଗିଲା। ମୋ ତଣ୍ଟି ଶୁଖିଗଲା ଆଜ୍ଞା, କାହାକୁ ଡାକିବି କଣ କରିବି କିଛି ଜାଣି ପାରିଲିନି। ସେତିକି ବେଳକୁ ସେମାନେ ଭୁଖାକୁ ଘାଷାରି ନେଇ ରାସ୍ତାରେ ଫିଙ୍ଗିଦେଲେ। ବିଚରା ଭୁଖା ଦେହରୁ ରକ୍ତର ଝରଣା ବୋହି ଚାଲିଥିଲା। ଗଁ ଗଁ ହୋଇ ସେ କେବଳ “ମୁନା ରେ ମୋ ଧନ” ବୋଲି ଚିତ୍କାର କରୁଥିଲା। ଛଟପଟ ହୋଇ ଜୀବନ ଛାଡିବା ବେଳକୁ ମଧୁବାବୁଙ୍କ ଦୋକାନ ଆଡକୁ ଅପଲକ ଆଖିରେ ଚାହିଁ ରହିଥିଲ। ଡକାୟତ ମାନେ ଜଖମ ହୋଇ ସେ ଯାଗାରୁ ଦଉଡି ପଳେଇଲେ। ସବୁ ମୁଁ ନିଜ ଆଖିରେ ଦେଖିଛି ଆଜ୍ଞା, କିନ୍ତୁ କାଳେ ମୋତେ କେହି ଦୋଷ ଦେବ ବୋଲି ଡରରେ ଚୁପ୍ ରହିବା ଠିକ୍ ବୋଲି ଭାବିଲି।

--- ମୁର୍ଖ କୋଉଠିକାର। ସେତିକି ବେଳେ ଯଦି କାହାକୁ ଡାକି ଦେଇଥାନ୍ତୁ ଲୋକଟାକୁ ଡାକ୍ତରଖାନା ନେଇଥିଲେ ତାର ଜୀବନ ବଞ୍ଚି ଯାଇଥାନ୍ତା। ବିରକ୍ତ ହୋଇ କହିଲେ ପୋଲିସ ବାବୁ।

ମଧୁବାବୁ ଲଥ୍ କରି ତଳେ ବସି ପଡିଲେ। ମନ ଭିତରେ ସେତେବେଳ ଯାଏ ଫୁଟୁଥିବା ଆଗ୍ନେୟଗିରୀର ଉତ୍ତପ୍ତ ଲାଭା ପରି କ୍ରୋଧ ଓ ଅହଙ୍କାର ଶୀତଳ ହୋଇ ଅଶୃ ରୂପରେ ଦୁଇ ଆଖିରୁ ଅବାରିତ ଝରି ଚାଲିଥିଲା। ପଶ୍ଚାତାପ ଓ ଅନୁତାପର ବହ୍ନି ତାଙ୍କର ପ୍ରାଣ ଓ ଆତ୍ମାକୁ ତିଳ ତିଳ କରି ଜାଳିବା ଆରମ୍ଭ କରିଦେଇଥିଲା। ସୁରିଆ ଓରଫ ଭୁଖା ପ୍ରତି ସେ କରିଥିବା ଅତ୍ଯାଚାର , ବିଷଧର ସାପ ପରି ତାଙ୍କ ହୃଦୟକୁ ଅହରହ ଦଂଶନ କରିଚାଲିଥିଲା। ସୁରିଆ ମରି ପଡିଥିବା ଯାଗାର କିଛି ଦୂରରେ ନୀଳ ରଙ୍ଗର ଜରିଟି ମେଞ୍ଚା ହୋଇ ପଡିଥିଲା। ତାକୁ ଖୋଲି ଦେଖିଲେ ମଧୁବାବୁ। କିଛି ପାଉଁଶ ଓ ହାତ ଚୁଡି ଛଡା ଅନ୍ଯ କିଛି ନ ଥିଲା ସେ ଜରିରେ। ଆଖି ସାମନାରେ ନାଚି ଯାଉଥିଲା ସୁରିଆର ହସହସ ଚେହେରା। ନିୟତିର ଖେଳ ଏତେ କୃର ହୋଇପାରେ, ତାର ପ୍ରମାଣ ସେ ପାଇ ସାରିଥିଲେ।

ନିଜକୁ ପଚାରି ଚାଲିଥିଲେ ସେ-- କାହିଁକି ସେ ନିଜକୁ ଏତେ ଅସୁରକ୍ଷିତ ଭାବୁଥିଲେ ସୁରିଆ ସାମନାରେ? କାହିଁକି ସେ ପଶୁ ପରି ବ୍ଯବହାର କଲେ ଏତେ ନିରୀହ ଲୋକଟିକୁ ? କାହିଁକି ତାକୁ ଖାଇବା ଯାଗାରୁ ପଥର ମାରି ତଡିଦେଲେ? ସେଦିନ ରାତିରେ ସୁରିଆ ଖାଉଥିଲା ତାଙ୍କ ଦୋକାନ ପୂଜାର ପ୍ରସାଦ, ଯାହା ଥିଲା ତାର ଶେଷ ଖାଦ୍ଯ, କିନ୍ତୁ ସେତକ ବି ତାକୁ ସମ୍ପୂର୍ଣ୍ଣ ଖାଇବାକୁ ଦେଇ ନ ଥିଲେ । କାହାକୁ ସୁରକ୍ଷା ଦେଉଥିଲା ଭୁଖା? ତାର ଭିଟାମାଟିକୁ, ନା ତାର ମରିଯାଇଥିବା ପରିବାରକୁ, ନା ତାଙ୍କ ଦୋକାନକୁ? ଏମିତି ସହସ୍ର “କାହିଁକି” ର ଘୂର୍ଣ୍ଣିବଳୟରେ ଆକ୍ତାମାକ୍ତା ହୋଇ ଉଠୁଥିଲେ ସେ। ସୁରିଆର ନିର୍ଲିପ୍ତ, ନିରାସକ୍ତ ଓ ଶାନ୍ତ ହସହସ ମୁହଁ ତାଙ୍କ ଆଖି ସାମନାରେ ନାଚି ଚାଲିଥିଲା। “ମୋତେ କ୍ଷମା କରିଦେବ ସୁରିଆ” କହି ଚିତ୍କାର କରିବା ବେଳକୁ, ହଠାତ୍ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କଲେ ଓ ଭୂଇଁ ଉପରେ କଚାଡି ହୋଇ ପଡିଲେ।

---- ସମାପ୍ତ---

ଅରବିନ୍ଦ ରଥ


Rate this content
Log in

Similar oriya story from Tragedy