Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନର ରାକ୍ଷସ
ନର ରାକ୍ଷସ
★★★★★

© sushama Parija

Others

6 Minutes   550    46


Content Ranking

ବଡି ଭୋର୍ ରୁ ଉଠି ନିଜର ନିତ୍ୟକର୍ମ ସାରି ତରତର ହୋଇ ମନ୍ଦିର କୁ ବାହାରୁଥିଲା ବାସନ୍ତୀ । ଘର ର କବାଟ ଟାକୁ ବନ୍ଦ କରିବାକୁ ଗଲା ବେଳକୁ ଦେଖିଲା ପଛରେ ନାହିଁ ଆରତୀ । ମନେମନେ ଖୁବ୍ ବିରକ୍ତ ହେଲା ସିଏ । ଯେତେ କହିଲେ ବି ଝିଅ ଟା ଚଳ ଚଞ୍ଚଳ ହେଲା ନାହିଁ । ସବୁଠାରୁ ମଠେଇ ଝିଅ ଟା ତା'ରି କଷାଳ କୁ ଜୁଟିଛି ବୋଧହୁଏ । ଗୋଟିଏ ବୋଲି ଝିଅ ତା'ର , କୋଉ ନଅଟା ନା ଛଅଟା ଅଛି ଯେ । ତାଆରି କଥା ଭାବି ଭାବି ବାସନ୍ତୀ ଆଉ ଉମାକାନ୍ତ ର ଦିନ ସରୁ ନାହିଁ ହେଲେ ତା' ର କୋଉ କଥା କୁ ନିଘା ନାହିଁ । ଆସି ତେର ବରଷର ହେଲାଣି , ବୁଦ୍ଧି ଶୁଦ୍ଧି କିଛି ହେଲା ନାହିଁ । ଗାଧୋଉଛି ତ ଗାଧୋଉଛି , ଖାଉଛି ତ ଖାଉଛି, ପଢୁଛି ତ ପଢୁଛି , ସବୁ କଥା ରେ ଡେରି । ଏଇ ସକାଳୁ ଶୀଘ୍ର ମନ୍ଦିର ଯିବା କୁ ହେବ ବୋଲି କାଳିଆ ନନା କାଲି ଠାରୁ କହିଥିଲେ ତାକୁ ହେଲେ ଝିଅ ଟା କାମ ସାରିଲେ ତ ସିଏ ଯିବ। ସହଜେ

ତ ଅରୁ ର ବାପା କାଲି ଠାରୁ ଯାଇଛନ୍ତି ଗାଁ କୁ ବିପିଏଲ ଚାଉଳ ଗଣ୍ଡାକ ଆଣିବା ଲାଗି । ଏ ଝିଅଟା ଯୋଗୁ ଏତେ ଡେରି ହେଲାଣି । ପାଟି କରି ଡାକ ଟେ ମାରିଲା ବାସନ୍ତୀ ' ଅରୁ ! ଆଲୋ ହେ ଅରୁ ! ଘର ଭିତରୁ ବାହାରି ପାରୁନୁ ନା କଅଣ । ତେଣେ ପରା ମନ୍ଦିର ଯିବାକୁ ଉଛୁର ହେଉଛି '। ବୋଉ ର କିଳିକିଳା ରଡି ଶୁଣି ଓଦା ହୋଇ ଥିବା ଲମ୍ବା କେଶ କୁ ହାତରେ ଝାଡି ଝାଡି ବାହାରକୁ ବାହାରିଲା ଆରତୀ । କହିଲା 'କାହିଁକି ଗୋଟାଏ ସବୁବେଳେ ଏମିତି ଚିଲା ପକାଇ ଡାକୁ କହିଲୁ ବୋଉ । ମୁଁ ତ ଗାଧେଇ ସାରି ଏଇନା ଆସୁଛି । ତୋର ସବୁବେଳେ ଖାଲି ତରତର । କୋଉ ଟ୍ରେନ୍ ଟା ଛାଡି ଦେବ ଯେ । ହଉ ଚାଲ୍ ଚାଲ୍ ଘର ତା ପକା ଯିବା ଏବେ। ମୁହଁ ଫଣଫଣ କରି କବାଟ ରେ ତାଲା ପକେଇଲା ବାସନ୍ତୀ ।

ମନ୍ଦିର ରେ ପହଞ୍ଚିବା ପରେ ବେଢ଼ା ଓଳାଇବାରେ ଲାଗି ଗଲା ବାସନ୍ତୀ । ନନା କହନ୍ତି ମନ୍ଦିର ବେଢା ଓଳା ପୋଛା କଲେ ଅଶେଷ ପୁଣ୍ୟ ମିଳେ। ସେଥିଲାଗି ସେ ସବୁଦିନ ମନ୍ଦିର ଆସିଲେ ଆଗ ବେଢା ଓଳା ପୋଛା କରେ , ତା 'ରେ ଦିଅଁ ଦର୍ଶନ କରେ। ସବୁଦିନ ଯିବା ଆସିବା କରିବା ଭିତରେ ନନା ଙ୍କ ସାଙ୍ଗରେ ବି ଦି ପଦ ଦୁଃଖ ସୁଖ ହୋଇଥାଏ । ସବୁଦିନ ଆରତୀ ନାଁ ରେ ,ତା ବାପାଙ୍କ ନାଆଁ ରେ ପାଣିଲାଗି କରିବା ଲାଗି ନନାଙ୍କୁ ଅନୁରୋଧ କରେ। ସେଇ ମାନଙ୍କର ମଙ୍ଗଳ ମନାସି ଠାକୁର ଙ୍କୁ ପ୍ରାର୍ଥନା କରେ। ସେମାନେ ସୁଖରେ ରହିଲେ ତା'ର ସୁଖ। ଗୋଟିଏ ବୋଲି ଝିଅ, କେମିତି ଭଲ ଘର ଭଲ ବର ପାଇ ଥଇଥାନ ହୋଇ ଯିବ , ସେଇଥି ଲାଗି ତା 'ର ସବୁଠୁ ବେଶି ଚିନ୍ତା । ସେକଥା ସେ ନନାଙ୍କୁ ଅନେକ ସମୟରେ କହିଛି । ନନା କହନ୍ତି ' ତୁ ବ୍ୟସ୍ତ ହୁଅନା ମା ' ମୁଁ ସବୁଦିନେ ଠାକୁରଙ୍କୁ ତୋ କଥା ଜଣାଉଛି , ତୁ ଖାଲି ତୋ ଝିଅ କୁ ଆଣିକି ଥରେ ମୋତେ ତା 'ର ହାତ ଟି ଦେଖାଇ ଦେ , ମୁଁ ତା'ର ହସ୍ତରେଖା ଦେଖି ସବୁ କହି ଦେବି ,କିଛି ଅସୁବିଧା ଥିଲେ ମଧ୍ୟ ତା'ର ପ୍ରତିକାର ବତେଇ ଦେବି , ତୁ ଆନନ୍ଦ ରେ ନିଶ୍ଚିନ୍ତ ରେ ରହ '। କୃତ୍ୟକୃତ୍ୟ ହୋଇଯାଏ ବାସନ୍ତୀ । ନନାଙ୍କ ପାଦ ଛୁଇଁ ବାର ବାର ପ୍ରଣାମ କରେ। ସେଦିନ ସେ ଝିଅ କୁ ସାଥୀରେ ଆଣିଥିଲା ଖାସ୍ ସେଇଥି ପାଇଁ। ସକାଳୁ ସକାଳୁ ମନ୍ଦିର ରେ ଭିଡ ନଥିବ ନନା ଆରତୀ ର ହସ୍ତରେଖା ଦେଖି ତା'ର ଭାଗ୍ୟ ବିଷୟରେ କହିବେ ବାସନ୍ତୀ କୁ। ନିଜେ ବେଢା ଓଳେଇବାକୁ ଗଲାବେଳେ ଆରତୀ କୁ ମନ୍ଦିର ଭିତରକୁ ଯାଇ ନନା ଙ୍କୁ ଦେଖାକରିବାକୁ ପଠାଇ ଦେଇଥିଲା ।

ବେଢା ଓଳା ପୋଛା ସାରି ବାସନ୍ତୀ ପଶିଲା ମନ୍ଦିର ଭିତରେ । ଦିଅଁ ଦର୍ଶନ କରି ସାରି ନନାଙ୍କୁ ଭେଟିଲା। ପଚାରିଲା ' ଗୋସେଇଁ ! ଅରୁ ର ହସ୍ତରେଖା ଦେଖିଲେ ଟି ? କ'ଣ କେମିତିକା ବର ଘର ମିଳିବ ମତେ ଟିକେ କହିଲେ , ସବୁ ଭଲ ନା ନାଇଁ ଯେ ' । ନନାଙ୍କ ମୁହଁ ଟା କେମିତି ଗମ୍ଭୀର ଦେଖା ଯାଉଥିଲା । ସେ କହିଲେ ' କ'ଣ କହିବି ମାଆ , ଘୋର ବିପତ୍ତି । ତମ ଝିଅ ର ହାତ ରେ ବିଧବା ଯୋଗ ଲେଖା ହୋଇଛି । ସେଥିଲାଗି ପ୍ରତିକାର କରିବାକୁ ପଡିବ । ଖୁବ୍ ନିଷ୍ଠାପର ଭାବରେ ପୂଜା କରିବାକୁ ପଡିବ ଆଉ ସେଇଟା ମଧ୍ୟ ସନ୍ଧ୍ୟା ଗଡି ଗଲା ପରେ , ମନ୍ଦିର ରେ ନୁହେଁ ,ତମ ନିଜ ଘରେ । ଏବେ ମୁଁ ଯାହା ଯାହା ପୂଜା ରେ ଲାଗିବ ସେଇ ସାମଗ୍ରୀର ଚିଠା ପ୍ରସ୍ତୁତ କରି ଦେଉଛି , ତମେ ସବୁ ଯୋଗାଡ କରି ରଖିଥିବ , ମୁଁ ସନ୍ଧ୍ୟା ଆଳତି ସାରି ତମ ଘରେ ପହଞ୍ଚିବି । ତା' ପରେ ପୂଜା କାମ ଆରମ୍ଭ କରିବା '। ମନ ଟା ମରି ଯାଇଥିଲା ବାସନ୍ତୀ ର। ଗୋଟିଏ ବୋଲି ଛୁଆ , ତା' ଭାଗ୍ୟରେ ପୁଣି ଏତିକି ଦୁଃଖ ଲେଖା ହୋଇଛି ?

ଠାକୁରଙ୍କ ପାଖରେ ଠୋ'କରି ମୁଣ୍ଡ ପିଟି ଦେଲା ସେ। କାନ୍ଦିକାନ୍ଦି ପ୍ରାର୍ଥନା କଲା “ପ୍ରଭୁ ! ମୋ ଝିଅକୁ କ୍ଷମା କରି ଦିଅ, ତା'ର ଏ ବିଧବା ଦୋଷ ଖଣ୍ଡନ କରି ଦିଅ, ତମ ପାଖରେ ମେଳା କରିବି , ଶହେ ଆଠ ନଡ଼ିଆ ଭାଙ୍ଗିବି, ଦେଉଳ ରେ ନେତ ଚଢେଇବି “। ନନାଙ୍କ ପାଦ ତଳେ ପଡି ଗଲା ବାସନ୍ତୀ । କହିଲା “ ଗୋସେଇଁ ! ତମ ଗୋଡହାତ ଧରି ନେହୁରା ହେଉଛି , ଯେମିତି ହେଲେ ପୂଜା, ଉଜା କରି ମୋ ଝିଅର ବିଧବା ଦୋଷ ଟି କଟାଇ ଦିଅ , ଯହା ଖର୍ଚ୍ଚ ହେବ ମୁଁ ଯୋଗାଡ କରିବି , ତମେ ଖାଲି ନିଷ୍ଠା ରେ ପୂଜାପାଠ ଟି କର” ।

ଘରକୁ ଫେରି ନନାଙ୍କ ବରାଦ ଅନୁସାରେ ସବୁ ଜିନିଷ ଯୋଗାଡ କରି ରଖିଲା ବାସନ୍ତୀ । ନନା କହିଥିଲେ ଶୁଦ୍ଧପୂତ ଭାବରେ ରହି ପୂଜା କରିବା ଲାଗି , ତେଣୁ ମା ଝିଅ ଦି ଜଣ ଅରୁଆ ଭାତ ଡାଲମା ଖାଇ ପୂଜା କରିବା ଲାଗି ଫୁଲ ତୋଳା ତୋଳି କରି , ଘରଦ୍ୱାର ଧୁଆଧୋଇ କରି ନନାଙ୍କୁ ଅପେକ୍ଷା କରି ବସି ରହିଲେ ।

ସଂଜ ଗଡି ଗଲା ପରେ ମନ୍ଦିର କାମ ତୁଟେଇ ନନା ଆସି ପହଞ୍ଚିଲେ ବାସନ୍ତୀ ର ଘରେ। ପୁଜା ସରଞ୍ଜାମ ଯୋଗାଡି ଦେଇ ନନାଙ୍କ ପାଖରେ ଠିଆ ହୋଇଥାଏ ବାସନ୍ତୀ, କାଳେ ଆଉ କ'ଣ ଦରକାର ହେବ ବୋଲି ।

ଚାରି ଆଡକୁ ଦୃଷ୍ଟି ପକେଇ ନନା କହିଲେ “ ବୁଝିଲୁ କି ମାଆ ! ଯାହା ଲାଗି ପୂଜା ହେବ , ତା ‘ଛଡା ଏ ଘରେ ଆଉ ଅନ୍ୟ ଲୋକ ରହିବେ ନାହିଁ କାରଣ ଆଉ କାହା ଛାଇ ପଡିଲେ ପୂଜା ଖଣ୍ଡିତ ହେବ । ଥରେ ପୂଜା ଖଣ୍ଡିତ ହେଲେ ଆଉ କଦାପି ପ୍ରତିକାର ହୋଇ ପାରିବ ନାହିଁ । ତେଣୁ ତୁମେ ଆରତୀ ପୂଜା ରେ ବସିଲା ଆଗରୁ ଏ ଘରୁ ବାହାରି ଯାଅ। ଦାଣ୍ଡ ଦୁଆରେ ବସି ଦେଖୁଥିବ କେହି ଯେପରି ଏ ଘରକୁ ନ ଆସନ୍ତି । ସେଇଆ କଲା ବାସନ୍ତୀ । ଆରତୀ କୁ ପୂଜା ପାଖରେ ଛାଡିଦେଇ ଘର ର କବାଟ ଆଉଜାଇ ଦେଲା। ନିଜେ ଯାଇ ଅଗଣା ସେପଟକୁ ଦାଣ୍ଡ ଦୁଆରକୁ ଜଗି ବସି ରହିଲା ।

ପ୍ରାୟ ଦୁଇ ଘଣ୍ଟା ପରେ ପୂଜା ସାରି ଘରୁ ବାହାରକୁ ବାହାରିଲେ ନନା। ଦେହ ମୁଣ୍ଡ ଝାଳ ନାଳ ଆଣ୍ଠିଏ , ମୁହଁ ଟା ପୁରା ନାଲି ପଡିଛି , ମୁହଁକୁ ପୋଛି ପୋଛି କହିଲେ “ ବହୁତ କଷ୍ଟ କରିବାକୁ ପଡିଲା , ଏତେ ସମୟ ପୂଜା ରେ ବସି ବସି ଥକି ପଡିଛି ଆରତୀ , ମୁଁ ତାକୁ ସେଇଠି ଶୋଇପଡି କିଛି ସମୟ ବିଶ୍ରାମ ନେବା ପାଇଁ କହିଛି । ଆଉ କିଛି ସମୟ ପରେ ସେ ଆପେଆପେ ଉଠିବ। ତାକୁ ତମେ ବ୍ୟସ୍ତ କରିବ ନାହିଁ “ । ମନେମନେ ଠାକୁରଙ୍କୁ ଡାକିଲା ବାସନ୍ତୀ “ ପ୍ରଭୁ କରୁଣାମୟ ! ତମର ଅଶେଷ କରୁଣା , ନନାଙ୍କ ପୂଜା ରେ ତମେ ସନ୍ତୁଷ୍ଟ ହୁଅ ପ୍ରଭୁ ! ମୋ ଝିଅର ବିଧବା ଦୋଷ ଖଣ୍ଡନ କର ହେ ପ୍ରଭୁ “।

ଘଣ୍ଟାଏ ଗଲା ଦି ଘଣ୍ଟା ଗଲା ତେବେ ବି ଉଠିକି ଆସିଲା ନାହିଁ ଆରତୀ । ମାଆ ମନ ଆଉ ସମ୍ଭାଳି ହେଲାନାହିଁ ବାସନ୍ତୀ ର। ଧୀରେ ଧୀରେ ଯାଇ ପୂଜା ଘର କବାଟ ଖୋଲିଲା ସେ। ଘର ଭିତରଟା ସଂପୂର୍ଣ୍ଣ ଅନ୍ଧାର । ବୋଧହୁଏ ପୂଜା ପାଇଁ ଜଳୁଥିବା ଦୀପ ଟି ଲିଭି ଯାଇଛି ଘିଅ ସରିଯିବାରୁ । ଅଣ୍ଡାଳି ଅଣ୍ଡାଳି ଲଣ୍ଠନ ଟି କୁ ଖୋଜୁ ଖୋଜୁ କ'ଣ ଗୋଟାଏ ଝୁଣ୍ଟି କରି ତଳେ ପଡିଗଲା ବାସନ୍ତୀ । ସେମିତି ଘୁସୁରି ଘୁସୁରି ଯାଇ ଲଣ୍ଠନ ଟା ଖୋଜି ସେଥିରେ ଖୋସା ହୋଇ ଥିବା ଦିଆସିଲି ଟା ମାରିଲା ବାସନ୍ତୀ । ଲଣ୍ଠନ ର ଫିକା ଆଲୁଅ ରେ ସେ ଯାହା ଦେଖିଲା ସେତକ ତା ' ର ହୋସ୍ ଉଡେଇ ଦେଲା। ଅଧା ଲଙ୍ଗଳା ହୋଇ ପଡିଥିଲା ଆରତୀ , ବାଳ ମୁକୁଳା, ହାତର ଭଙ୍ଗା ଚୁଡି ଖଣ୍ଡ ଆଉ ତା' ପାଟି ରୁ ବାହାରି ଶୁଖି ଯାଇଥିବା ରକ୍ତ ଧାରେ ,ତା ' ସହିତ ଘଟିଥିବା ଅଘଟଣକୁ ସ୍ପଷ୍ଟ ଭାବରେ ବୟାନ କରୁଥିଲେ । ଝିଅ ମୁହଁରେ ପାଣି ଛାଟି ତା'କୁ ହୋସ୍ କୁ ଆଣିବା ପାଇଁ ଲାଗି ପଡିଲା ସେ। ଅନେକ ସମୟ ପରେ ଚେତା ଫେରିଲା ଆରତୀ ର। ମାଆକୁ ଧରି ଭେମା ରଡି ଛାଡି କାନ୍ଦି ଉଠିଲା ଆରତୀ। କାନ୍ଦି କାନ୍ଦି ଗୋଟି ଗୋଟି କରି ବୟାନ କଲା ପୂଜା ଛଳରେ ତା’ ସହିତ ମନ୍ଦିରର ନନା କରିଥିବା ଦୁଷ୍କର୍ମ କଥା ।

ମୁଣ୍ଡ ବାଡେଇ କୋଡି କଚାଡି ହୋଇ କାନ୍ଦିଲା ବାସନ୍ତୀ, ନିଜ ହାତରେ ନିଜର ଝିଅର ଜୀବନ ଟା କୁ ନଷ୍ଟ କରିଦେଲା ବୋଲି ନିଜକୁ ଧିକ୍କାର କଲା। ସାରାରାତି ମାଆ ଝିଅଙ୍କର କାନ୍ଦି କାନ୍ଦି କଟିଲା । ସକାଳ ହେଲାରୁ ଭାବିଲା ସାହି ପଡିଶା ରେ କହିବ ନିଜ ଝିଅର ଦୁର୍ଦ୍ଦଶା କଥା , ହେଲେ ସାହସ ଜୁଟାଇ ପାରିଲାନି , କାରଣ ନନା ବିଗତ ପନ୍ଦର ବର୍ଷ ଧରି ଏଇ ଗାଁ ର ମନ୍ଦିର ରେ ପୂଜକ ଥିଲେ ଆଉ ଆଗରୁ ତାଙ୍କ ନାଁ ରେ କେବେ କିଛି ଏମିତି ଘଟଣା ଶୁଣା ଯାଇ ନଥିଲା । ତା'ଛଡା ତା' ଭଳିଆ ଗରିବ ସ୍ତ୍ରୀ ଲୋକଟିର କଥାକୁ କିଏ ବା ବିଶ୍ବାସ କରିବ । ତୁଚ୍ଛାଟାରେ ତା' ଝିଅ ର ନିନ୍ଦା ବାଇଦ ବାଜିବ ସିନା କିନ୍ତୁ କିଛି ଲାଭ ହେବନି ।

ଆଖିର ଲୁହ ଆଉ ଛାତିର କୋହକୁ ଚାପି ରଖି ଚୁପ୍ ହେଇ ବସି ରହିଲା । ଆରତୀ ଅତର୍କିତ ଭାବରେ ଏମିତି ଗୋଟାଏ ଦୁର୍ଘଟଣାର ସମ୍ମୁଖୀନ ହୋଇ ସ୍ତବ୍ଧ ହୋଇଯାଇଥିଲା ଯେମିତି । ତା ' ପାଟିରୁ କଥା ବାହାରୁ ନଥିଲା, ସେ ଖାଲି ତ୍ରସ୍ତା ହରିଣୀ ଟିଏ ଭଳି ଜଳଜଳ ହୋଇ ଚାହିଁ ରହିଥିଲା । ସନ୍ଧ୍ୟା ବେଳକୁ ଫେରିଲା ଉମାକାନ୍ତ । ତାକୁ ଦେଖି ବାସନ୍ତୀ ର ଏତେବେଳ ଧରି ସମ୍ଭାଳି ରଖି ଥିବା ଧୈର୍ଯ୍ୟର ବନ୍ଧ ଟା ଭାଙ୍ଗି ପଡିଲା ଯେମିତି ।

କଇଁ କଇଁ ହୋଇ କାନ୍ଦି କାନ୍ଦି ସବୁ ଘଟଣା ସେ କହିଗଲା ତା' ଆଗରେ। ଗୁମ୍ ମାରି ବାରଣ୍ଡାରେ ବସି ପଡିଲା ମୁଣ୍ଡରେ ହାତ ଦେଇ । କିଛି ସମୟ ପରେ ନିଜେ ନିଜକୁ ସମ୍ଭାଳି ଉଠି ଠିଆ ହେଲା ସେ। ଆଖିରୁ ଲୁହ ପୋଛି ବାସନ୍ତୀ ଆଉ ଆରତୀ କୁ ସାଙ୍ଗରେ ଧରି ସେଇ ଅନ୍ଧାର ରାତିରେ ଚାଲିଲା ନିକଟସ୍ଥ ପୋଲିସ୍ ଷ୍ଟେସନ୍ ଆଡକୁ ।।

ବିପିଏଲ ଚାଉଳ ଟ୍ରେନ୍ ମନ୍ଦିର

Rate the content


Originality
Flow
Language
Cover design

Comments

Post

Some text some message..