Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଲେଡ଼ିଜ ଛତା
ଲେଡ଼ିଜ ଛତା
★★★★★

© Lopamudra Mishra

Children Others

15 Minutes   8.1K    24


Content Ranking

*ଲେଡ଼ିଜ ଛତା*

ଲୋପାମୁଦ୍ରା ମିଶ୍ର

ନନ୍ଦିପୁର, ଯାଜପୁର

ସକାଳୁ ମୁଷଳ ଧାରା ରେ ବର୍ଷା ଲାଗିରହିଛି l ଘରୁ ବାହାରକୁ ଗୋଡ଼ କାଢି ହେଉନାହିଁ l ଆଜି ସାନ ଭଉଣୀ ମିକି ର ଲଗ୍ନଧରା l ବାପା ଚାରିଦିନ ହେଲା କହିଲେଣି, "ଯେମିତି ହେଉ ଜ୍ୱାଇଁ ଆଉ ତୁ ଦିନକ ପାଇଁ ଆସିବ "l ବୋଉ ଦିନ ରେ ଦୁଇଥର ଫୋନ କରୁଛି l ଛୁଟିଦିନ l ଅନୁପ କିନ୍ତୁ ଏଯାଏଁ ଶୋଇରହିଛନ୍ତି l "ଆରେ କାହିଁକି ଏତେ ବ୍ୟସ୍ତ ହେଉଛ?ବର୍ଷା ଛାଡିଯାଉ ଯିବା l କେତେଦୂର କି ଏମିତି?ଏ ବର୍ଷା ରେ କିଏ ଘରୁ ବାହାରେ?",ବେଡ ରେ ଥାଇ ଅନୁପ ମୀରା ଙ୍କ ଉଦେଶ୍ୟ ରେ କହୁଛନ୍ତି l

ବର୍ଷା କୁ ଖୁବ ବହୁତ ଭଲପାଉଥିବା ମୀରା ଆଜି ବର୍ଷା ଉପରେ ବହୁତ ରାଗୁଛନ୍ତି l ବାହାର ଟା ଅନ୍ଧାରୁଆ ହୋଇ ସମୟ ଆଦୌ ଜଣାପଡ଼ୁନାହିଁ l ଆଉ କୋଉ ଦିନ ହେଇଥିଲେ ମୀରା ଝରକା ପାଖେ ବସି ଚା' ପିଉ ପିଉ ବର୍ଷା ର ମନୋରମ ଦୃଶ୍ୟ କୁ ଉପଭୋଗ କରୁଥାନ୍ତେ l ଛମ ଛମ ଶବ୍ଦ ର ତାଳେ ତାଳେ ଅବାରିତ ବର୍ଷା ର ମନ ମୁଗ୍ଧକର ନୃତ୍ୟ କୁ ପ୍ରାଣଭରି ପିଇଯାଉଥାନ୍ତେ l କବାଟ ଖୋଲି ଦେଖୁଥାନ୍ତେ କେମିତି ପବନ ରେ ଦୋହଲି ଦୋହଲି ଘର ଆଗ ଫୁଲ ଗଛ ଗୁଡିକ ବର୍ଷାରେ ନାଚି ନାଚି ଗାଧୋଉଛନ୍ତି l ଆଜି କିନ୍ତୁ ସେସବୁ କରିବାକୁ ତାଙ୍କର ବିଲକୁଲ ଇଚ୍ଛା ନାହିଁ l ବରଂ ଆଜି ର ବର୍ଷା ତାଙ୍କୁ ବଡ ବିରକ୍ତ କରୁଛି l ଯେମିତି ପିଲାଦିନେ ସ୍କୁଲ ବାହାରିଲା ବେଳେ ବର୍ଷା ଉଠେଇଲେ ଖୁବ ରାଗିଯାଆନ୍ତି ସେ ଓ ତାଙ୍କ ସାନଭଉଣୀ ମିକି l

ମୀରା ବର୍ଷା କମିବାକୁ ଅପେକ୍ଷା କରି ବସିଛନ୍ତି l ଭାବୁଛନ୍ତି ସମୟ କେମିତି ପାଣି ପରି ବହିଗଲା l ମିକି କେତେବେଳେ ଏତେ ବଡ ହେଇଗଲା ! ଏହିପରି ବର୍ଷା ଦିନରେ ସେ ଓ ମିକି ଲେଡ଼ିଜ ଛତା ଟେ ପାଇଁ କେଡେ ଅଳି ନକରନ୍ତି ବାପାଙ୍କ ପାଖେ !ସବୁ କଥା ଛବି ଟି ପରି ଆଖି ଆଗରେ ତାଙ୍କର ଭାସି ଉଠୁଥିଲା l ମୀରା ଫେରିଯାଉଥିଲେ ଅତୀତ କୁ l ଆଠ ଦଶବର୍ଷ ତଳର କିଶୋରୀ ମୀରା ରେ ସେ ରୂପାନ୍ତରିତ ହୋଇଯାଉଥିଲେ l

ମୀରା ଙ୍କ ବାପା ବିନୟ ବାବୁ ଥିଲେ ଗାଁ ଡାକଘରେ ପୋଷ୍ଟ ମାଷ୍ଟର l ମାସକୁ ଦରମା ମାତ୍ର ଷୋହଳ ଶହ ଟଙ୍କା l ଘରେ ବାପା ମାଆ, ଜେଜେ, ଜେଜେମାଆ, ସେମାନେ ଦୁଇଭଉଣୀ ଓ ଛୋଟ ଗୋଟେ ଭାଈ କୁ ନେଇ ତାଙ୍କ ପରିବାର l ବାପାଙ୍କ ସ୍ୱଳ୍ପ ଦରମାରେ କଷ୍ଟେ ମଷ୍ଟେ ଘର ଚଳେ l ମୀରା ଙ୍କ ଠୁ ମିକି ଦୁଇବର୍ଷ ସାନ l ମିକି ପରେ ରାଜା l ସେ ସବୁଠୁ ସାନ l ମିକି ଛଅ ବର୍ଷ ର ହେଲା ପରେ ରାଜା ତାଙ୍କ ବୋଉ କୋଳକୁ ଆସିଲା l ସବୁଠୁ ଗେଲ୍ହା ସେ l

ମୀରା ଗାଁ ସ୍କୁଲ ରୁ ସପ୍ତମ ପାସ କରି ଘରଠୁ ଦେଢ଼ କିଲୋମିଟର ଦୂର ସାହାପୁର ହାଇସ୍କୁଲ କୁ ଅଷ୍ଟମ ପଢିବାକୁ ଗଲେ l ମିକି ସେତେବେଳେ ପଞ୍ଚମ ପରେ ଆଉ ଗାଁ ସ୍କୁଲ ରେ ପଢିବାକୁ ଆଦୌ ରାଜି ହେଲାନାହିଁ l ସବୁବେଳେ ନାନୀ ର ଲାଞ୍ଜ ହେଇ ପଛେ ପଛେ ଚାଲିବା ତାର ଅଭ୍ୟାସ ଥିଲା l ନାନୀ ପଳେଇଲେ ଆଉ ସ୍କୁଲ ଯିବନି ଜିଦ୍ଦି କଲାରୁ ବାପା ତାର ବି ସାହାପୁର ସ୍କୁଲ ରେ ଷଷ୍ଠ ଶ୍ରେଣୀ ରେ ନାଁ ଲେଖେଇଦେଲେ l ଦୁଇ ଭଉଣୀ ସାଙ୍ଗ ହୋଇ ନୂଆ ସ୍କୁଲ କୁ ଗଲେ l

ସ୍କୁଲ ଖୋଲିବାର ଅଳ୍ପ ଦିନ ପରେ ବର୍ଷା ଋତୁ ଆରମ୍ଭ ହୋଇଗଲା l ବାପା ଘରେ ଥିବା ଏକ ବଡ କଳା ରଙ୍ଗର ଛତା ର ଟାଙ୍କ କୁ ଖୁବ ଜୋରରେ ଭିଡ଼ି ସିଲେଇ କରି ମଜବୁତ କରିଦେଲେ l ସେଇଟି ଏତେ ବଡ଼ ଛତା ଥିଲା ଯେ ଏକାବେଳେ ତିନିଜଣଙ୍କୁ ବର୍ଷା ରୁ ରକ୍ଷା କରିପାରିବ l ମୀରା ଆଉ ମିକି ଦୁହିଁଙ୍କୁ ସେହି ଛତା ନେଇ ସ୍କୁଲ ଯିବାକୁ ପଡିଲା l ବର୍ଷା ହେଲେ ସ୍କୁଲ ଯିବା ରାସ୍ତା ରେ ଦୁଇଭଉଣୀ ଦେଖନ୍ତି ଝିଅମାନେ କେତେ ରଙ୍ଗ ବେରଙ୍ଗ ର ଲେଡ଼ିଜ ଛତା ଧରି ସ୍କୁଲ ଯାଉଛନ୍ତି ଆଉ ସେମାନେ ଧରିଛନ୍ତି ମସ୍ତ ବଡ ଗୋଟେ କଳା ଜେଣ୍ଟସ ଛତା l ମୀରା ଙ୍କୁ ଖୁବ ଲଜ୍ଜ୍ୟା ଲାଗେ ନିଜ ନୂଆ ସାଙ୍ଗ ମାନଙ୍କ ଆଗରେ ଏତେ ବଡ ଜେଣ୍ଟସ ଛତା ମୁଣ୍ଡେଇ ଚାଲିବା ପାଇଁ l ଘରକୁ ଆସି ବାପାଙ୍କ ପାଖେ ଅଳି କରେ, "ମୋର ଗୋଟେ ଲେଡ଼ିଜ ଛତା ଆଣିଦିଅ l ମତେ ଲାଜ ଲାଗୁଛି ଏଡ଼େ ଛତା ଟେ ନେଇକି ଯିବା ପାଇଁ l ମୁଁ ଆଉ ବର୍ଷା ହେଲେ ସ୍କୁଲ ଯିବିନି l ମିକି ଏକା ଯାଉ "l ବାପା ବୁଝେଇ ବାକୁ ଚେଷ୍ଟା କରନ୍ତି, "ବଡ ଛତା ଟା ଭଲ l ପାଣି ଛାଟିବନି କି ପବନରେ ଉଡେଇ ନେବନି l ଛୋଟ ଛତା ଗୁଡ଼ା ଜଲଦି ଭାଙ୍ଗିଯାଏ " l ଦୁଇ ଭଉଣୀ କିନ୍ତୁ ଜମା ବୁଝନ୍ତିନି l ବାପା ପୁଣି ପ୍ରତିଶୃତି ଦିଅନ୍ତି, "ଏହି ମାସ ଟା ଚଳେଇଦିଅ l ଆର ମାସ ଦରମା ଆସିଲେ ନିଶ୍ଚୟ ଲେଡ଼ିଜ ଛତା ଆସିବ "l ଆର ମାସ ହୁଏ l ଦରମା ଆସେ l ଆସୁ ଆସୁ ଘର ଖର୍ଚ୍ଚ ରେ ସରିଯାଏ l ଆଉ ମୀରାଙ୍କର ଲେଡ଼ିଜ ଛତା କିଣାଯାଇ ପାରେନା l ସେତେବେଳେ ଭଲ ଫୋଲଡିଂ ଵାଲା ଲେଡ଼ିଜ ଛତା ଟେ କେତେ ବା ଟଙ୍କା ? ଏଇ ଅଶୀ କି ନବେ ଟଙ୍କା l ସେତିକି ବି ଯୋଗାଡ଼ ହୋଇପାରେନାହିଁ l

ଦୁଇଭଉଣୀ ଏବେ କେବଳ ବର୍ଷା ବର୍ଷିଲେ ହିଁ ସେ ବଡ ଛତାଟି ଖୋଲିକରି ଧରି ଯାଆନ୍ତି l ବର୍ଷା ଖାଲି ଉଠେଇ ନହେଉଥିଲେ ଛତା ଟାକୁ ବେକାର ଟାରେ ହାତରେ ଧରିକି ନିଅନ୍ତିନାହିଁ l ଘରେ ଛାଡ଼ିଯାଆନ୍ତି l

ଥରେ ସକାଳୁ ଝିପି ଝିପି ବର୍ଷା ଲାଗିରହିଲା l ସ୍କୁଲ ବନ୍ଦ କରି ଘରେ ରହିଲେ ବାପା ବହୁତ ରାଗିବେ l ଦୁଇଭଉଣୀ ଛତା ଟି ଧରି ବାହାରିଲେ l ସ୍କୁଲ ପାଖ ହୋଇଆସିଲା ରୁ ଦୁହିଁଙ୍କ ଭିତରେ କଳି ଲାଗିଲା କିଏ ଛତା ଟା ପାଖରେ ରଖିବ l ମୀରା କହିଲେ, "ଦେଖ ମିକି !ମୁଁ ବଡ କ୍ଲାସ ରେ ପଢୁଛି l ମୋର ବେଶୀ ସାଙ୍ଗ l ମୋ ପୁଅ ସାଙ୍ଗମାନେ ଏତେବଡ ଛତା ଦେଖି ମତେ ଚିଡାଉଛନ୍ତି l ତୁ ଆଜି ଏଇଟା ରଖ l ଆଉ ଦିନେ ବର୍ଷା ହେଲେ ମୁଁ ରଖିଦେବି " l ମିକି ବି ସେହିପରି ମନା କଲା ନାହିଁ ରଖିବନାହିଁ l ଆଜି ସେ ଦୁହିଁଙ୍କୁ ଖୁବ ଇଚ୍ଛା ହେଉଥିଲା ସେମାନେ ପୁଅ ପିଲା ହେଇଥାନ୍ତେ କି ଆଉ ଜେଣ୍ଟସ ଛତା ଧରିବାକୁ ଲାଜ ଲାଗିନଥାନ୍ତା l ମୀରା ଯେତେବେଳେ ମିକି କୁ କହିଲେ ତାଙ୍କ ଲେଡ଼ିଜ ଛତା ଟା ଆସିଲେ ସେ ସବୁଦିନ ମିକି କୁ ରଖିବାକୁ ଦେବେ ସେବେ ଯାଇ ମିକି ରାଜି ହୋଇ ବଡ ଛତା ଟାର ବଙ୍କୁଲୀ ବେଣ୍ଟ କୁ ଧରି ଷଷ୍ଠ ଶ୍ରେଣୀ ଭିତରକୁ ପଶିଗଲା l

ସ୍କୁଲ ଛୁଟି ହେଲା ବେଳକୁ ମିକି ମୀରାଙ୍କ କ୍ଲାସ ଆଗରେ ତାଙ୍କୁ ଅପେକ୍ଷା କରିରହିଛି l ମୁହଁ କୁ ହାଣ୍ଡି କରି ଠିଆ ହୋଇଛି l ମୀରା ଆସିଲା ପରେ ରାଗିକରି ବଡ ଛତା ଟା ତଳେ କଚାଡି ଦେଲା l ଆଜି କ୍ଲାସ ରେ ତା ଛତା ଟାକୁ କେମିତି 'ବୁବୁ' ବୁଢାଅଜା ର ବଙ୍କୁଲୀ ବାଡ଼ି କହି ଥଟ୍ଟା କଲା ଆଉ ସବୁ ପିଲା ବି ଦେଖିକି ହସିଲେ ସେହିକଥା କହି ମିକି କାନ୍ଦି ପକେଇଲା l ତାକୁ ବହୁତ ଖରାପ ଲାଗିଛି l ପୁରା ଶ୍ରେଣୀ ରେ କାହାର ବି ଏମିତି ପୁରୁଣାକାଳିଆ ଛତା ନାହିଁ l ଆସିଲା ବେଳକୁ ମୀରା ଛତା ଟି ଧରି ଧରି ଆସିଲେ l ସେମାନେ ସେଦିନ ଅଲଗା ଗୋଟେ ରାସ୍ତା ରେ ଆସିଲେ ଯୋଉବାଟେ ଅଳ୍ପ ପିଲା କେବଳ ସାଇକେଲ ନେଇକି ଯାଆନ୍ତି l

ସେହିଦିନଠୁଁ ବର୍ଷା ଉଠେଇଥିଲେ,ବର୍ଷିବା ଆଗରୁ ସ୍କୁଲ ଟାଇମ ହେଇନଥିଲେ ବି ଦୁଇଭଉଣୀ ଯାକ ଦୌଡ଼ା ଦୌଡ଼ି ହୋଇ ଆଗୁଆ ସ୍କୁଲ ପଳାନ୍ତି l ଆଉ ଛତା ନେଇକି ଯାଆନ୍ତିନାହିଁ l ସ୍କୁଲ ରୁ ଫେରିଲା ବେଳକୁ ବର୍ଷା ହେଲେ ଭିଜି ଭିଜି ଆସନ୍ତି l ବୋଉ କୁ କୁହନ୍ତି ଛତା ନେବାକୁ ଭୁଲିଯାଇଥିଲୁ l ଦିନେ ଦିନେ ମେଘୁଆ ପାଗରେ ସ୍କୁଲ ପଳାନ୍ତି ବିନା ଛତାରେ l ଛୁଟି ବେଳକୁ ସମସ୍ତେ କିଏ ଛତା ଧରି ତ ଆଉ କିଏ ରେନ କୋଟ ପିନ୍ଧି ଗୋଟି ଗୋଟି କରି ପଳାଉଥାନ୍ତି, କେବଳ ଷଷ୍ଠ ରୁ ମିକି ଓ ଅଷ୍ଟମ ରୁ ମୀରା ରହିଯାଆନ୍ତି ବର୍ଷା କମିବାକୁ ଅପେକ୍ଷା କରି l ଶିକ୍ଷକମାନେ ଗାଳିଦେଉଥାନ୍ତି କାହିଁକି ସେମାନେ ଏତେ ବେପରଵା ହେଇଛନ୍ତି ଯେ ମେଘ ପାଗ ଦେଖିକି ବି ଛତା ଆଣିନାହାଁନ୍ତି l ବର୍ଷା ନକମିଲେ ପୁଣି ଜେଜେ ନିଜେ ଗୋଟେ ଛତା ହାତରେ ଧରି ଆଉ କାଖରେ ସେହି ବଡ ଛତା ଟା ଜାକି ଆସିଯାନ୍ତି ଦୁହିଁଙ୍କୁ ନେବା ପାଇଁ l ଏଇମିତି ହେଇ ହେଇ ସେ ବର୍ଷଟିରୁ ବର୍ଷା ଋତୁ ଚାଲିଯାଏ l

ମୀରା ଙ୍କର ନବମଶ୍ରେଣୀ ଆରମ୍ଭ ରେ ବର୍ଷା ହେବା ଆଗରୁ ସେ ଜିଦ୍ଦି କରନ୍ତି, ତାଙ୍କୁ ଗୋଟେ ଲେଡ଼ିଜ ଛତା ଆଣିନଦେଲେ ସେ ଆଉ ସ୍କୁଲ ଯିବେନି l ବାପା ସ୍କୁଲ ଖୋଲିବା ଆଗ ଦିନ ହିଁ ଗୋଟେ ସୁନ୍ଦର ରଙ୍ଗୀନ ଫୋଲଡିଂ ଲେଡ଼ିଜ ଛତା ଆଣି ଆସନ୍ତି l ଗାଢ଼ ନୀଳ ରଙ୍ଗ ଉପରେ ସୁନେଲି ରଙ୍ଗର ସୁନ୍ଦର ସୁନ୍ଦର ଚିତ୍ର ଥାଇ ଖୁବ ମନଲୋଭା ହୋଇଥାଏ ଛତା ଟି l ଦୁଇଭଉଣୀ ଯାକ ନୂଆ ଛତା କୁ ଦେଖି ଖୁସିରେ ନାଚି ଉଠିଲେ l ପୁଣି କଳି ଲାଗିଲେ ଛତାଟି କିଏ ରଖିବ l ମିକି ମନେ ପକେଇଦେଲା, "ନାନୀ ତୁ କହିଥିଲୁ ନୂଆ ଲେଡ଼ିଜ ଛତା ଆସିଲେ ମତେ ଦେବୁ ରଖିବାକୁ l ଭୁଲିଯାଆନା"l

ଦୁହିଁଙ୍କ କଳି ବି ସମାଧାନ ହେଇଯାଏ l ଦିନେ ରଖିବ ମିକି ଦିନେ ରଖିବେ ମୀରା l

ସ୍କୁଲ ଖୋଲିଲା ଦୁହେଁ ଯାକ ନିତି ନୂଆ ଛାତଟିକୁ ବ୍ୟାଗ ରେ ଭର୍ତ୍ତି କରି ନେଇଯାଆନ୍ତି l ହେଲେ ବର୍ଷା ହୁଏନି l ସେମାନଙ୍କ ଛତା ଖୋଲାଯାଇ ପାରେନାହିଁ l ଭାରି ମନ ଦୁଃଖ ଦୁଇଭଉଣୀ ଙ୍କର l ବେଶୀ ମନ କଷ୍ଟ କରେ ମିକି l ସେ ଚାହେଁ ସେହି ଦୁଷ୍ଟ ବୁବୁ ଆଉ ସବୁ କ୍ଲାସ ପିଲାଙ୍କ ଆଗରେ ସେ ଗର୍ବ ର ସହ ତା ନୂଆ ସୁନ୍ଦର ଛତା ଟି ନେଇ ପଛ ବେଞ୍ଚ ଉପରେ ଖୋଲିଦେଇ ଶୁଖାନ୍ତା l ପୁଣି ଆସିଲାବେଳକୁ ଛତା ବନ୍ଦ କରି ବ୍ୟାଗ ରେ ରଖନ୍ତା l ହେଲେ ଏ ବେକାରିଆ ବର୍ଷା ଟିକେ ବି ହେଉନାହିଁ ଆଉ ସେ ବ୍ୟାଗ ରୁ ଛତା ଟି ବାହାର କରିବାର ସୁଯୋଗ ପାଉନି l

ଛତା ଆସିବାର ଚାରି ଛଅ ଦିନ ପରେ ଆରମ୍ଭ ହୋଇଗଲା ଲଗୁଚାପ ଜନିତ ବର୍ଷା l ଅବାରିତ ବର୍ଷାର ଧାରା ଲାଗିରହିଲା l ବର୍ଷା କମିବାର ନାଁ ଧରୁନଥାଏ l ଜେଜେମାଆ ଓ ମାଆ ଙ୍କ ଶତ ମନା ସତ୍ୱେ ଦୁଇଭଉଣୀ ସେହି ଛୋଟିଆ ଲେଡ଼ିଜ ଛତା ତଳେ ଜାକି ଜୁକି ହୋଇ ଧୀରେ ଧୀରେ ପାଦ ଚିପି ଚିପି ସ୍କୁଲ ଗଲେ l ଅଧିକାଂଶ ପିଲା ଲଗାଣ ବର୍ଷା ଯୋଗୁଁ ସ୍କୁଲ ଆସିନଥାନ୍ତି, କିନ୍ତୁ ଏବେ ବର୍ଷା ରେ ମୀରା ଓ ମିକି ଙ୍କର ଗୋଟିଏ ବି ଦିନ ସ୍କୁଲ ବନ୍ଦ ହୁଏନା l ବର୍ଷା ରେ ଘରକୁ ଫେରିଲା ବେଳେ କେବଳ ମୁଣ୍ଡ ଯୋଡିକ ବ୍ୟତୀତ ଦୁହିଁଙ୍କ ଶରୀର ର ଅର୍ଧେକ ଭାଗ ବର୍ଷା ପାଣି ଛିଟା ରେ ଭିଜି ଓଦା ହୋଇଯାଏ l ମିକି ର ବି ଏବେ ଇଚ୍ଛା ହୁଏ ତାର ଅଲଗା କରି ଆଉ ଗୋଟେ ଠିକ ଏହିପରି ଛତା ଆସନ୍ତାକି ! ନାନୀ ସାଙ୍ଗରେ ଏମିତି ଗୋଟିଏ ଛତାରେ ଗେଞ୍ଜି ହୋଇ ଯିବାକୁ ପଡ଼ନ୍ତାନି l ପୁଣି ନିଜ ଛତା ଟିକୁ ବି ନିଜ ପାଖରେ ସବୁବେଳେ ରଖିପାରନ୍ତା l ପରମୁହୂର୍ତ୍ତ ରେ ପୁଣି ଇଚ୍ଛା ଟାକୁ ପଛକୁ ଠେଲିଦେଇ ମନେ ମନେ କହେ, "ଧେତ.. ବାପା ତ ଆଗ ଦେଉଥିଲେ ଆଉ ଗୋଟେ? ଏଇଟା ବି ତ ମୋର l ଦିନେ ଛାଡ଼ି ଦିନେ ହେଉପଛେ "l

ସେଦିନ ଥାଏ ଚିତା ଲାଗି ଅମାବାସ୍ୟା l ଅଳ୍ପ ଅଳ୍ପ ବର୍ଷା ହେଉଥାଏ l ମୀରା ଓ ମିକି ଛତା ଖୋଲି ସ୍କୁଲ କୁ ଗଲେ l ଛତା ରଖିବା ପାଳି ମିକି ର l ଅଳ୍ପ ଓଦା ହୋଇଥିବା ନିଜ ପ୍ରିୟ ଲେଡ଼ିଜ ଛତାଟିକୁ ମିକି ସଗର୍ବେ ନେଇ ସପ୍ତମ ଶ୍ରେଣୀ ର ଶେଷ ବେଞ୍ଚ ପଛ ପାଖ ଖାଲିଜାଗାରେ ଖୋଲି ରଖିଦେଲା l ଚିତାଲାଗି ଅମାବାସ୍ୟା ପାଇଁ ଖେଳଛୁଟି ପରେ ସବୁ କ୍ଲାସ ବନ୍ଦ ହୋଇଗଲା l ପିଲାମାନେ ଖୁସିରେ ଦୌଡ଼ା ଦୌଡି କରି ଘରକୁ ଧାଇଁଲେ l ଆକାଶ ନିର୍ମଳ l ବର୍ଷା ର ଚିହ୍ନ ବର୍ଣ୍ଣ ନାହିଁ l ମୀରା ଧାଇଁ ଆସି ମିକି କୁ ଡାକିଲା l ଦୁହେଁ ଆନନ୍ଦ ମନରେ ହାତ ଧରା ଧରି ହୋଇ ଘର ଅଭିମୁଖେ ଚାଲିଆସିଲେ l

ଘରେ ଆସି ମିକି ର ମନେ ପଡିଲା ସେ ତାଙ୍କ ରଙ୍ଗୀନ ଛତା ଟିକୁ ସ୍କୁଲ ରେ ଛାଡ଼ି ଆସିଛି l ନାନୀ କୁ କାନ୍ଦି କାନ୍ଦି କହିଲା l ମୀରା ଖୁବ ରାଗିଲେ, "ଏଇଥିପାଇଁ ତତେ ମୋ ନୂଆ ଛତା ରଖିବାକୁ ଦେଉନଥିଲି l ବାପା ଜାଣିଲେ କଣ ହେବ ଜାଣିଛୁ?କେତେ କଷ୍ଟ ରେ ବାପାଙ୍କୁ କହି କିଣେଇଥିଲି ! ଇଁ ଇଁ ଇଁ... ତୁ ମୋ ଛତା ଆଣି ଦେ l ମୁଁ ଜାଣିନି ତୁ କେମିତି ଆଣିବୁ "l ଇଁ ଇଁ.. ମୀରା ଙ୍କର କାନ୍ଦ l

"ନାନୀ ତୁ କାନ୍ଦେନା l ବାପା ଜାଣିଗଲେ ମତେ ବାଡେଇବେ l ମତେ ବି ତ ବହୁତ ଦୁଃଖ ଲାଗୁଛି l ଶୁଣୁ କାଲି ଶନିବାର l ସକାଳୁଆ ସ୍କୁଲ l ଆମେ ପୁରା ଜଲଦି ପଳେଇବା l ଆମ କ୍ଲାସ ପଛ ବେଞ୍ଚ ତଳକୁ ଛତା ଟା ଥିବ l ନେଇଆସିବା l "

ମିକି ନିଜେ ବୁଝିଯିବା ସହ ନାନୀ କୁ ବି ବୁଝେଇ ଦେଲା l

କିନ୍ତୁ ତା ଆରଦିନ ସ୍କୁଲ ରେ ସେମାନେ ଆଉ ତାଙ୍କ ପ୍ରିୟ ଛତା ଟି ପାଇଲେ ନାହିଁ l ଦୁହେଁ ମିଶି ଖୁବ ଖୋଜିଲେ କୋଉଠି ମିଳିଲାନାହିଁ l ଦୁଇ ଭଉଣୀ ଘରେ କିଛି ନକହି ଚୁପ ଚାପ ରହିଲେ l ଘରେ ବି ସମସ୍ତେ ଜାଣନ୍ତି ଦୁଇଜଣ ଯାକ ଛତାଟିକୁ ଜୀବନ ପରି ଭଲ ପାଆନ୍ତି, ସେଥିପାଇଁ କେହି ସେ ଛତା କୁ ବ୍ୟବହାର କରିବାକୁ ମାଗନ୍ତିନାହିଁ l ଏବେ ବର୍ଷା ହେଲେ ମିକି ଜେଜେ ଙ୍କ ପୁରୁଣା ଛତା ଟାକୁ ବାଡ଼ିପଟେ ଲୁଚେଇ କି ନେଇ ରଖିଦେଇ ଆସେ l ଦୁଇଭଉଣୀ ଖାଇସାରି ଡକା ଡକି ହୋଇ ସେହିବାଟେ ସ୍କୁଲ ପଳାନ୍ତି l ଘରକୁ ଆସିଲେ କହନ୍ତି, "ଗୋଟେ ଛତା ରେ ବହି ଖାତା ଓଦା ହେଇଯାଉଛି, ସେଥିପାଇଁ ଦୁଇଟା ନେଇଯାଇଥିଲୁ " l ଏମିତି ଛତା ହଜିବା କଥା ଟା ନିଜ ଭିତରେ ଗୋପନ ରଖନ୍ତି l ବାପାଙ୍କ କାନ କୁ କଥା ଯାଏନାହିଁ l

ଛତା ହଜିବାର ପ୍ରାୟ କୋଡିଏ ପଚିଶ ଦିନ ପରେ ଦିନେ ମିକି ଝିପି ଝିପି ବର୍ଷା ରେ ଘଷିପଡିଆ ଆଡେ ଯାଇଥିଲା ଦେଖିବାକୁ ପୋଖରୀ ଆଉ ନଇ ରେ କେତେ ପାଣି ହେଲାଣି l ପଡିଆ ପଛପଟ ବିଲରେ ଦେଖିଲା ରଙ୍ଗୀନ ଛତାଟେ ଝୁଲି ଖେଳିଲା ପରି ଏପଟ ସେପଟ ହେଉଛି l ପାଖକୁ ଗଲାରୁ ଜାଣିଗଲା ସେଇଟି ତାଙ୍କ ପ୍ରିୟ ଲେଡ଼ିଜଛତା l ବୁଢୀ ଟିଏ ସେହି ଛତା କୁ କାଖ ରେ ଜାକି ହିଡ ରୁ ଘାସ କାଟୁଛି l ମିକି ଏତକ ଦେଖି ପକେଇ ଖୁବ ଜୋରରେ ଘରକୁ ଦୌଡିଲା l ନାନୀ କୁ ସାଙ୍ଗରେ ନେଇ ପାଞ୍ଚମିନିଟ ରେ ପୁଣି ସେହି ଜାଗାକୁ ଫେରିଆସିଲା l

-ନାନୀ ଦେଖ ଏ ବୁଢୀ ଆମ ଛତା ଚୋରୀ କରିଛି l ଭଲ କି ଦେଖ l ଏଇଟା ଆମରି ହିଁ ଛତା l

"ହଁ ତ ! ଇଏ ତ ମୋରି ଛତା ! ଏ ମାଉସୀ ! ଏ ଛତା କୋଉଠୁ ପାଇଲ? ଏଇଟା ଆମର l ଆମକୁ ଦେଇ ଦିଅ ",ମୀରା ବୁଢୀ କୁ ଅନେଇ କହିଲେ l

ବୁଢୀ ଟି ଖୁଁ ଖୁଁ ହେଇ କାଶୁ କାଶୁ କହିଲା, "ଆଁ !ଏଇଟା କାହିଁକି ତୁମ ଛତା ହେବ?ବର୍ଷା ରେ ଓଦା ହୋଇ ମତେ ଜର ହେଇଯାଇଥିଲା ବୋଲି ମୋ ନାତୁଣୀ ଏଇଟା ମତେ ଦେଇଛି l ଏଇଟା ମୋ ନାତୁଣୀ ର "l ପୁଣି ବୁଢୀ କାଶିଲା l

-"ମାଉସୀ ତୁମ ନାତୁଣୀ ନାଁ କଣ? ସେ କଣ ସାହାପୁର ସ୍କୁଲ ରେ ସପ୍ତମ ପଢୁଛି କି? "

ମିକି ପଚାରିଲା l

ବୁଢୀ ଦାଆ ଟା ତଳେ ରଖି ଦେଇ କହିଲା, "ତା ନାଁ ତୀଳ l ମୁଁ ଜାଣିନି ସେ କୋଉ କିଲାସ ପଢୁଛି l ହଁ ସେ ସାହାପୁର ଇସୁକୁଲୁ ଯାଏ l"

ଦୁଇଭଉଣୀ ଠରା ଠରି ହୋଇ ସେଠୁ ପଳେଇଆସିଲେ l

-ନାନୀ ! ମୁଁ ସେ ତୀଳ କୁ ଚିନ୍ହିଛି l ଆମ କ୍ଲାସ ର ସବୁଠୁ ଡେଙ୍ଗା ଝିଅ l ଭାରି କଳେହି ଟା l ପାଠ ପଢା କୋଉଦିନ ବି କରିକି ଆସେନି l ସବୁବେଳେ ପଛ ଧଡ଼ି ରେ ଏକା ବସେ l ସେହି ଚୋରୀ କରିଛି ମୋ ଛତା l ତା ଘର ଏହି ପାଟପୁର ବୋଲି ସେ କହୁଥିଲା l

- କାଲି ରବିବାର ଅଛି l ମୋ ସାଙ୍ଗ ଘରକୁ ଇଂରାଜୀ ନୋଟ ଆଣିବାକୁ ଯିବା କହି ତା ଘରକୁ ଯାଇ ତା ବାପା ମାଆ ଙ୍କୁ କହି ଆମ ଛତା ଟା ନେଇଆସିବା l ହେଲା l ତୁ ତାଙ୍କ ଘର ଦେଖିଛୁ ଟି?

-ନାଇଁ ଦେଖିନି l ପାଟପୁର ଯାଇ କାହାକୁ ପଚାରିଦେଲେ, ଘର ଟା ଜାଣିଯିବାନି?

ତହିଁଆର ଦିନ ସକାଳୁ ଯୋଜନା ମୁତାବକ ଦୁହେଁ ପାଟପୁର ଗଲେ l ତାଙ୍କ ଗାଁ ବାବଲପୁର ରୁ ମାତ୍ର ଆଠଶହ ମିଟର ଦୂରରେ ତୀଳ ର ଗାଁ l ପଚାରି ପଚାରି ଯାଇ ଦୁହେଁ ତୀଳର ଘର ଆଗରେ ହାଜର ହୋଇଗଲେ l ତାଙ୍କ ଘର ଆଗରେ ବହୁତ ଭିଡ଼ l ଭିତରୁ କାନ୍ଦଣା ଶୁଭୁଛି l ତୀଳ ବି ବୋଧେ କାନ୍ଦୁଛି l ମୀରା ଜଣଙ୍କୁ ପଚାରି ବୁଝିଲେ ତାଙ୍କ ବୁଢୀ କୁ କିଛିଦିନ ହେବ ଜର ହେଇ ଆଉ ଭଲ ହେଉନଥିଲା l କାଲି ରାତି ରେ ଶୋଇଥିଲା ଆଉ ଆଜି ସକାଳୁ ଉଠିଲାନାହିଁ l ବୁଢୀଟା ମରିଯାଇଥିବା ଶୁଣି ଦୁଇ ଭଉଣୀଯାକ ଛତା କଥା ଭୁଲିଗଲେ l ସେଠୁ ଖାଲି ହାତରେ ମୁହଁ କୁ ଓହଳେଈ ଚାଲିଆସିଲେ l ସେଦିନ ପର ଠୁ ତୀଳ ବି ଆଉ ସ୍କୁଲ ଆସିଲାନାହିଁ l ମୀରା ଓ ମିକି ଙ୍କର ରଙ୍ଗୀନ ଛତା ଟା ଫେରିପାଇବା ର ଆଶା ମଧ୍ୟ ଧୀରେ ଧୀରେ ମରି ଗଲା l

ବାପା ଦିନେ ସେମାନଙ୍କୁ ବର୍ଷା ରେ କୁଙ୍କୁରି କାଙ୍କୁରି ହୋଇ ଗୋଟେ ଭଙ୍ଗା ଛତା ଧରି ସ୍କୁଲ ରୁ ଫେରୁଥିବାର ଦେଖିଦେଲେ l ଘରେ ଆସି ପଚାରିଲା ରୁ ଦୁହେଁ ଆଗରୁ ପ୍ରସ୍ତୁତ କରି ରଖିଥିବା ମିଛ କାହାଣୀ ଟି କହିଦେଲେ, "ବାରମଜା ଖାଉଥିଲା ବେଳେ ଛତା ଟା ତଳେ ରଖିଥିଲୁ l କିଏ ଚୋରୀ କରି ନେଇଗଲା ଜାଣିହେଲା ନାହିଁ "l

ଏମିତି ହୋଇ ସେ ବର୍ଷ ବର୍ଷା ଦିନଗୁଡ଼ା ମଧ୍ୟ ତାଙ୍କର ବିନା ଲେଡ଼ିଜ ଛତା ରେ କଟିଗଲା l ବାର୍ଷିକ ପରୀକ୍ଷା ସରିଗଲା l ଏ ବର୍ଷ ମିକି ଅଷ୍ଟମ କୁ ଯିବ l ମୀରାଙ୍କର ମାଟ୍ରିକ ପରୀକ୍ଷା l ଅନେକଦିନ ପରେ ପିଉସୀ ନାନୀ ଆସିଛନ୍ତି l ପିଉସୀ ନାନୀ ଗଲାବେଳକୁ ଦୁହିଁଙ୍କ ହାତରେ ଶହେ ଶହେ କରି ଦୁଇଶହ ଟଙ୍କା ଦେଇଗଲେ l ଦୁଇଭଉଣୀଙ୍କର ଟିକେ ପରିପକ୍ୱତା ଆସିସରିଥାଏ l ସେମାନେ ଘରର ଆର୍ଥିକ ପରସ୍ଥିତି କୁ ଏବେ ଟିକେ ବୁଝିବାକୁ ଚେଷ୍ଟା କଲେଣି l ସେମାନେ ସବୁଯାକ ଟଙ୍କା ନେଇ ବୋଉ କୁ ଦେଇଦେଲେ l ବାପା ସେହି ଟଙ୍କାରେ ଆଉ କିଛି ମିଶେଇ ରଜ ପୂର୍ବରୁ ଦୁଇଟି ସୁନ୍ଦର ଲେଡ଼ିଜ ଛତା ଦୁହିଁଙ୍କ ପାଇଁ ନେଇଆସିଲେ l ଦୁଇ ଦୁଇ ଟି ଛତା ପାଇ ମଧ୍ୟ ଦୁହିଁଙ୍କ ମନରେ ଆଗ ପରି ସେ ଉତ୍ସାହ ନାହିଁ l ଏ ଛତା ଦୁଇଟି କେବେ ମଧ୍ୟ ତାଙ୍କର ପ୍ରିୟ ପ୍ରଥମ ଲେଡ଼ିଜ ଛତା ପରି ହୋଇପାରିବ ନାହିଁ l ପ୍ରଥମ ଛତାଟିର ଆକର୍ଷଣ ଥିଲା ଭିନ୍ନ ପ୍ରକାର l ଜୀବନ ରେ ପ୍ରଥମ କରି ମିଳିଥିବା ଦ୍ରବ୍ୟ କୁ କେହି କେବେ ଭୁଲିପାରେନି, ସେ ହେଉପଛେ ସାମାନ୍ୟ ଏକ ରଙ୍ଗୀନ ଛତା l ଆଜି ବି କୋଉଠି ଗୋଟେ ସ୍କୁଲ ଝିଅ କୁ ରଙ୍ଗୀନ ଛତା ଟେ ଧରିଯାଉଥିବାର ଦେଖିଲେ, ମୀରା ନିଜର ହଜିଯାଇଥିବା ସେହି ନୀଳ ଓ ସୁନେଲି ରଙ୍ଗର ଲେଡ଼ିଜ ଛତା ଟିକୁ ଝୁରି ହୁଅନ୍ତି l

"ମୀରା !ମୀରା !ତୁମକୁ କଣ ସତରେ ଶୁଭୁନି?କଣ ଏମିତି ବସି ଘଣ୍ଟାଏ ହେଲା ଭାବୁଛ?ଯିବନି କି ତୁମ ଘରକୁ? ବର୍ଷା ପା କେତେବେଳୁ ଛାଡ଼ିଗଲାଣି l ରାଜା ଫୋନ କରିଥିଲା l ପୁଅ ଘରଲୋକ ଆସିପହଞ୍ଚିଲେଣି l ଜଲଦି ରେଡି ହୁଅ l ମୋ କାମ ମୁଁ ସାରିଲିଣି l ", ଅନୁପ ବାଥରୁମ ରୁ ବାହାରିଆସି ମୀରାଙ୍କୁ କହିଲେ l

ମୀରା ପ୍ରକୃତିସ୍ଥ ହେଲେ l ପିଲା ଦିନରୁ ବର୍ତମାନ କୁ ଫେରିଆସିଲେ l

ମିକି ର ଲଗ୍ନଧରା ସମାପ୍ତ ହେଲା l ସନ୍ଧ୍ୟା ରେ ସମସ୍ତ ଅତିଥି ଖାଇ ପିଇ ବିଦାୟ ନେଲେ l ଆକାଶ କୁ ଆହୁରି କଳାହାଣ୍ଡିଆ ମେଘ ଘୋଡେଇ ରଖିଛି l ବିନୟ ବାବୁ ଜ୍ୱାଇଁ ଓ ଝିଅ ଙ୍କୁ ରାତିରେ ରହିଯିବାକୁ ଅନୁରୋଧ କଲେ l ଅନୁପ ଙ୍କର ଅଫିସ ରେ ଅନେକ କାମ l ଅନୁରୋଧ ରକ୍ଷା କରିପାରିଲେନି l ସେ ମୀରାଙ୍କୁ ଦୁଇ ଚାରିଦିନ ପାଇଁ ବାପଘରେ ଛାଡ଼ି ଏକା ଫେରିଗଲେ l

ସକାଳୁ ଉଠି ମିକି ମୀରାଙ୍କୁ ନିଦ ରୁ ସେହିପରି ଉଠାଇଲା, ଯେମିତି ପିଲାବେଳେ ରୀତିମତ ଉଠାଉଥିଲା l

- ନାନୀ ଆମ ସେହି ହଜିଯାଇଥିବା ରଙ୍ଗୀନ ଛତା ଟା କୋଉଠି ଅଛି ଦେଖିବୁ?

ମୀରା ଙ୍କ ନିଦ ଚଟ କରି ଭାଙ୍ଗିଗଲା l

-ହଁ l କୋଉଠି?

-ଆସ ମୋ ସାଙ୍ଗରେ ଦେଖଉଛି l

ମୀରା ଚଟାପଟ ମୁହଁ ଟା ଧୋଇକରି ବାହାରି ଆସିଲେ l ବାହାରେ ବର୍ଷା ହେଉଛି l ବାପା ଦାଣ୍ଡ ପିଣ୍ଡାରେ ବସିଛନ୍ତି l ଦୁହିଁଙ୍କୁ ବାହାରକୁ ବାହାରୁଥିବାର ଦେଖି କହିଲେ, "ଆରେ ! ଏ ବର୍ଷା ରେ କୁଆଡେ ବାହାରିଲ?ଏ ମୀରା ! ରହ ମୁଁ ଲେଡ଼ିଜ ଛତା ଟା ଆଣିଦେଉଛି l"

"ବାପା !ଏ ଯେଉଁ ପବନ ବହୁଛି ଲେଡ଼ିଜ ଛତା କଣ କାମ ଦେବ? ଭାଙ୍ଗିଯିବ " l ମୀରା ପୁଣି ନିଜ ହାତରେ ଧରିଥିବା ସେହି ପୁରୁଣା ଜେଣ୍ଟସ ଛତା ଟିକୁ ଦେଖେଇ କହିଲେ, "ଏଇଟା ନେଉଛୁ ପାଣି ଟିକେ ବି ଛାଟିବନି କି ଗଳିବନି "l

ଦୁଇ ଭଉଣୀ ସେହି ବଡ ଜେଣ୍ଟସ ଛତା ଟିକୁ ଧରି ଗାଁ ଶେଷ ମୁଣ୍ଡ ଆଡକୁ ଚାଲିଛନ୍ତି l ଯେମିତି ଦଶବର୍ଷ ତଳେ ସାହାପୁର ସ୍କୁଲ କୁ ହାତ ଧରା ଧରି ହେଇଯାଉଥିଲେ, ଠିକ ସେମିତି l ମୀରା ଭୁଲି ଯାଉଛନ୍ତି ସେ ବିବାହିତା ଓ ମିକି ଆଉ ପନ୍ଦରଦିନ ପରେ ନୂଆବୋହୂ ବେଶ ହୋଇ ଏ ଗାଁ ମାଟି ଛାଡ଼ି ଆଉ କୋଉଠିକୁ ଚାଲିଯିବ l ସେଦିନ ମିକି ଯେମିତି ମୀରା ଙ୍କୁ ଛତା ସନ୍ଧାନ ରେ ବାଟ କଢେଇ ପାଟପୁର ନେଇଯାଉଥିଲା, ଆଜି ବି ସେମିତି ନାନୀ କୁ ରାସ୍ତା ଦେଖେଇ ଆଗକୁ ନେଇଯାଉଛି l ମୀରା ମଧ୍ୟ ଏକ ଅଦ୍ଭୁତ ଆକର୍ଷଣ ରେ ଆଗେଇ ଚାଲିଛନ୍ତି l

-"ମିକି ! ଇଆଡ଼େ କୁଆଡେ ଯାଉଛୁ? ୟାଡେ ପା କାଇଥି ପଡିଆ ସ୍ମଶାନ ଟା? ସିଆଡେ କୁଆଡୁ ଆମ ଛତା ମିଳିବ? ଚାଲ ପଳେଇ ଚାଲ l ମୁଁ ବି ଛୋଟପିଲା ପରି ତୋ ସାଙ୍ଗରେ ଦୌଡି ଚାଲିଆସିଲି l ଚାଲିଲୁ ଏଠୁ l"

ମୀରା ଟିକେ ଡରିଗଲା ପରି କହିଲେ l

- ତୁ ତ ଖାଲି ଛାନିଆଁ ହେଲୁ ! ଆସେ ଆଗକୁ ମୁଁ ଦେଖଉଛି l

ମିକି ମୀରାଙ୍କୁ ଏକ ପ୍ରକାର ଟାଣି ଟାଣି ନେଇ ଗୋଟେ ଜାଗା ରେ ଠିଆ କରେଇଦେଲେ l

-ହେଇ ଦେଖ ଆମ ଛତା l

ମୀରା ଦେଖିଲେ ମାଟି ପଡି ଜାଗା ଟି ଟିକେ ଉଚ୍ଚା ହେଇଯାଇଛି l ଚାରିପଟେ ଛିଣ୍ଡା ଲୁଗା ପଟା ପଡିଛି l ପିଣ୍ଡିଟାର ଠିକ ମଝା ମଝିକୁ ଗୋଟେ ପୁରୁଣା ଲେଡ଼ିଜ ଛତା ପୋତା ଯାଇଛି l ବର୍ଷା ପାଣି ଖାଇ ଛତା ର ରଙ୍ଗ ଉଡିଯାଇଛି l ଟାଙ୍କ ଗୁଡାକ ବି ଭାଙ୍ଗି ବଂକି ଯାଇଛି l ଫିକା ନୀଳ ରଙ୍ଗ ର ଛତାରେ ପଡିଥିବା ସୁନେଲି ରଙ୍ଗ ର ଚିତ୍ର ଗୁଡିକ କିନ୍ତୁ ତାଙ୍କ ପୁରୁଣା ହଜିଯାଇଥିବା ବା ତୀଳ ଦ୍ୱାରା ଚୋରୀ ହୋଇଥିବା ଛତା ର ଚିତ୍ର ପରି ଅବିକଳ ଦିଶୁଛି l

- ହେ..ଏଟା ଆଉ କାହାର ହେଇଥିବ l ଏତେଦିନ ପରେ ସେ ଛତା ଆଉ ଥିବ ତୁ ଭାବୁଛୁ?କୁଆଡେ ନଷ୍ଟ ହେଇ ଯିବଣି ନା l

ମିକି କିନ୍ତୁ ମାଟିର ସେ ସମାଧି ଆଡକୁ ଏକଲୟ ରେ ଚାହିଁ କହୁଥାଏ, "ଏଇଟା ଆମରି ସେହି ଛତା ନାନୀ ! ନଷ୍ଟ ହେଇନଥିଲା l ଥିଲା " l

-ତୁ କେମିତି ଜାଣିଲୁ ଏଇଟା ଆମରି ଛତା?ବଜାର ରେ କଣ ସେଭଳି ଆଉ ଛତା ବିକ୍ରି ହେଉନଥିଲା ନା କଣ?

-ମୁଁ ଜାଣିଛି ଏଇଟା ଆମ ଲେଡ଼ିଜ ଛତା l କାରଣ ଏ ସମାଧୀ ଟା ତୀଳ ର l

ମୀରା ଅବାକ l "ତୀଳ ର?? କିନ୍ତୁ କେମିତି? ସେ ତ .. "

କହୁ କହୁ ମୀରା ଅଟକି ଗଲେ l

ମିକି ସେହପରି ସମାଧୀକୁ ଅପଲକ ନୟନ ରେ ଚାହିଁଛି ଓ କହୁଛି, "ତୀଳକୁ ଯକ୍ଷ୍ମା ହେଇଥିଲା l ତାଙ୍କ ଘର ଲୋକ ଠିକ ରେ ଚିକିତ୍ସା କରେଇପାରିଲେନି l ରୋଗଟା ତାକୁ ଧୀରେ ଧୀରେ ଖାଇଗଲା l ରୋଗ ପୁରୁଣା ହୋଇ ଆଉ ଭଲ ହେଲାନାହିଁ l ସେ ବହୁତ ଦୁର୍ବଳ ହୋଇପଡିଲା l ଶୁଖିକି କୁଆଡେ ସଳିତା ହେଇଯାଇଥିଲା l ମାସେ ତଳେ ଦିନେ ଅପରାହ୍ନ ବାରଟା ବେଳେ ତୀଳ ସବୁ ରୋଗ ଯନ୍ତ୍ରଣା ରୁ ମୁକ୍ତି ପାଇଗଲା l ସବୁଦିନ ପାଇଁ ସେ ଆଖି ବୁଜି ଦେଲା lଏଇ ଆମ ଛତା ଟାକୁ ସିଏ କାଳେ ବହୁତ ଭଲ ପାଉଥିଲା l କି ଖରା କି ବର୍ଷା ସବୁବେଳେ ଏଇ ଛତା ଟି ସେ ଧରି ବୁଲୁଥିଲା l ସେଥିପାଇଁ ତା ଘର ଲୋକ ଏଇ ଛତା ଟାକୁ ଆଣି ତା ସମାଧୀ ପାଖରେ ପୋତି ଦେଇଛନ୍ତି l ନାନୀ !ଏଇଟା ହିଁ ଆମର ପ୍ରଥମ ରଙ୍ଗୀନ ଲେଡ଼ିଜଛତା l ସେଦିନ ଛୁଟିପରେ କ୍ଲାସ ରୁ ତୀଳ ଏଇଟିକୁ ଉଠେଇ ଆଣିଥିଲା l "

କଥା ଶେଷ ହେଉଣୁ ମିକିର ଆଖିରୁ ଠପ ଠପ ଦୁଇ ଠୋପା ଲୁହ ଖସି ପଡିଲା l

ମୀରା ତୀଳର କଥା ଭାବି ପୁରା ହଜି ଯାଇଛନ୍ତି l ଛାତି ଭିତରେ କିଛି ଗୋଟେ ରୁନ୍ଧି ହେଲା ପରି ଯନ୍ତ୍ରଣା l ଦୁଇ ଆଖିର କୋଣ ରେ ଲୁହ ଜକେଇ ଆସୁଛି l ବର୍ଷା ର ବେଗ ବି ବଢୁଛି l ଗୋଟେ ହାତରେ ଛତା ଧରିଛନ୍ତି l ଆର ହାତ କୁ ବିସ୍ତାରିତ କରି ମିକି କୁ ନିଜ ପାଖକୁ ଜଡେଇ ଆଣି କହିଲେ, "ମୋ ସୁନା ଭଉଣୀ ଟା !ତୁ ଆଜିବି ବଡ ହେଇନୁ ଲୋ l ଏ ମିକି ! ବାୟାଣୀ ଟା l ଶୁଣୁ ମୋ କଥା l ସେଇଟା ଅବଶ୍ୟ ଆମର ପ୍ରଥମ ଛତା ଥିଲା କିନ୍ତୁ ତାପରେ ଏହି ଦଶ ବର୍ଷ ଭିତରେ ଆମ ଜୀବନ ରେ ଅନେକ ଲେଡ଼ିଜଛତା ଆସିଲାଣି ଆଉ ଗଲାଣି l ହେଲେ ତୀଳ କଥା ଟିକେ ଭାବିଲୁ l ତୀଳ ପାଇଁ ତ ସେଇଟି ପ୍ରଥମ ଓ ଶେଷ ଲେଡ଼ିଜଛତା ଥିଲା ନାଁ ! "

- ମିକି ମୀରାଙ୍କ ହାତ କୁ ଜାବୁଡି ଧରି କହିଲା , "ଚାଲ ନାନୀ ଏଠୁ ଜଲଦି ପଳେଇବା l ସତରେ ଏ ଛତା ଟା ଆମର କେବେ ବି ନଥିଲା l ଏଇଟା ସମ୍ପୂର୍ଣ ରୂପେ ତୀଳ ର l କେବଳ ମାତ୍ର ତୀଳର "l

ଦୁହେଁ ଏକସଙ୍ଗେ ଆଉଥରେ ମୁହଁ ଫେରେଇ ତୀଳ ର ସମାଧୀ ଆଡକୁ ବୁଲି ଅନେଇଲେ l ତୀଳ ଯେମିତି ରଙ୍ଗୀନ ଛତା ଟି ଧରି ହସି ହସି ତାଙ୍କୁ ବିଦାୟ ଦେଉଛି l ଦୁହିଁଙ୍କୁ ସେମିତି ହିଁ ଅନୁଭବ ହେଲା l ବର୍ଷା ମୁଷଳ ଧାରାରେ ବର୍ଷିବାରେ ଲାଗିଲା l ତୀଳ ର ସମାଧୀ ଉପରେ ରଙ୍ଗୀନ ଛତାଟି ଭୀଷଣ ବର୍ଷା ର ମାଡ଼ରେ ଦୋହଲି ଯାଇ ସମାଧୀ ଉପରେ ପିଟିହେଇଯାଉଛି l

ଆଉ ପଛକୁ ନଅନେଇ ଦୁଇଭଉଣୀ ଚୁପ ଚାପ ସେଠୁ ଚାଲିଆସିଲେ l ଚାରିପଟୁ ବର୍ଷା ଛାଟି ଦୁହେଁ ଏକବାର ଓଦା ଜଡ଼ସଡ଼ l ଘରକୁ ଆସିବା ଭିତରେ ରାସ୍ତାରେ କେହି କାହାକୁ ଆଉ ପଦେ କିଛି କହିନାହାଁନ୍ତି l

ମୀରା ଓ ମିକି ଦୁହିଁଙ୍କ ମନ ଭିତରେ କିନ୍ତୁ ଆଜି ତୀଳ

ଓ ତାଙ୍କ ପ୍ରଥମ ଲେଡ଼ିଜଛତା ର ସ୍ମୃତି ଖେଳିବୁଲୁଛି l ଦୁହେଁ ଏକାଠି ବସିଛନ୍ତି ଓ ଭାବୁଛନ୍ତି, "ଆଜି କଣ ପୁଣି ଆମେ ବଡ ରୁ ସାନ ହୋଇଯାଉଥିଲୁ ଖାସ ସେହି ଲେଡ଼ିଜ ଛତା ଟା ପାଇଁ l ସେଇଟି ସତରେ କାହାର? ଆମର ପ୍ରଥମ ତୀଳ ର ଶେଷ ନାଁ ତୀଳ ର ପ୍ରଥମ ତୀଳ ର ହିଁ ଶେଷ?"

ଦୁହେଁ କିନ୍ତୁ ଏକଦମ ନିରବରେ ବସି ଭାବୁଛନ୍ତି l

ମିକି ଗୋଟେ ଦୀର୍ଘଶ୍ୱାସ ର ସହ ନୀରବତା ଭଙ୍ଗ କରି କହିଲେ, " କେବଳ ଗୋଟେ ଲେଡ଼ିଜଛତା"!!

*************ଲୋପାମୁଦ୍ରା ମିଶ୍ର ***********

ବର୍ଷା ସାହାପୁର ବଡ ଛତା ଲେଡ଼ିଜ ଛତା ତୀଳ

Rate the content


Originality
Flow
Language
Cover design

Comments

Post

Some text some message..