Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soumya Shubhadarshinee

Tragedy

3  

Soumya Shubhadarshinee

Tragedy

ଚିଠି

ଚିଠି

4 mins
2.2K


ଭାଇ,

ମୋ ସ୍ନେହ ନେବୁ। ବାବା ଆଉ ବୋଉ ଙ୍କୁ ମୋର ପ୍ରଣାମ। ଏଇ ରାକ୍ଷୀରେ ଯାଇପାରୁନି ରେ । ରାକ୍ଷୀ ପଠେଇଲି ବାନ୍ଧିବୁ। ମୋ ରାଣ ମନ ଖରାପ କରିବୁନି ।

ଏମିତି ଗୋଟେ ଭାବନା ଆସି ବ୍ୟସ୍ତ କରୁଛି ରେ ସେଇ କଥା ଦୁଇପଦ କହୁଛି। ଭାଇ ତୁ ଜଦି ବଡ଼ ନନା ହେଇଥାନ୍ତୁ। ବିଶ୍ୱାସର ଛାତଟେ ମିଳିଥାନ୍ତା। ଦୁଃଖ ରେ ସାହସ ହେଇଥାନ୍ତୁ। ସୁଖରେ ସାଥି ହେଇଥାନ୍ତୁ।ଏକା ଏକା ସାରା ଜୀବନ ଚାଲିନଥାନ୍ତି। ତୁ ସହଯାତ୍ରୀ ହେଇ ବାଟ ଦେଖେଇଥାନ୍ତୁ।

ଯେବେ କଲେଜ କୁ ଯାଇଥାନ୍ତି ତୁ ମୋ ଦାୟିତ୍ୱ ନେଇଥାନ୍ତୁ। ହଜାରେ ବେକାର୍ ଆଖିରୁ ବଞ୍ଚେଇ ରଖିଥାନ୍ତୁ। ସକାଳେ ଗାଡ଼ିରେ ବସେଇ ଟ୍ୟୁସନ ରେ ନେଇ ଛାଡ଼ିଥାନ୍ତୁ। ମୋ ବତ୍ରୁତା ପ୍ରତିଯୋଗିତା ପାଇଁ ସୁନ୍ଦର ସନ୍ଦେଶ ଲେଖିଦେଇଥାନ୍ତୁ।

ବ୍ୟସ୍ତ ବିବ୍ରତ ପରୀକ୍ଷା ସମୟରେ , '' ଯା ଭଲ ହେବ , ଏତେ ଟେନ୍ସ କଣ ହେଉଛୁ" , । କହି ଭୁଲେଇ ଥାନ୍ତୁ। ହାରି ଯାଉଥିବା , ଡର ଲାଗୁଥିବା, ଚିନ୍ତା ବଢୁଥିବା ପାଠ ଭିତରେ ତାଗିଦ କରି ସାହସ ଦେଇଥାନ୍ତୁ।

ଯେବେ ବାହାଘର ହେଲା ତୁ ସାଥିରେ ମୋର ଆସିଥାନ୍ତୁ। ମୋ ଅଜଣା ନୂଆ ଘରେ ମୋତେ ଅଭୟ ଦେଇଥାନ୍ତୁ। ମୋ ସାହସ ହେଉଥାନ୍ତୁ । ଭଲରେ ମନ୍ଦରେ ପଚାରି ଥାନ୍ତୁ। ପୂଜା ପାର୍ବଣ ରେ ନୂଆ ଶାଢ଼ୀ ପାଇଁ ଅଳୀ କରିଥାନ୍ତି। ସାନ ଯା' କୁ ଦେଖେଇ କହିଥାନ୍ତି "ଭାଇ ଦେଇଛି"। ତୋ ଦିଆ ଶାଢ଼ୀ କୁ ନେଇ ଗର୍ଵ କରିଥାନ୍ତି। ତୁ ଗୋଟେ ଆଶିଷର ହାତ ମୁଣ୍ଡ ଉପରେ ରଖନ୍ତୁ। ଅସୀମ ଧର୍ଯ୍ୟ ମିଳନ୍ତା।

ଜାଣୁ ଯେବେ ଦିଲ୍ଲୀରେ ପୁଅ ହେଲା ଆସିଲେ ନି ବାପା ଗୋଟେ ଅଭିମାନରେ। ତୁ ଥିଲେ ନିଶ୍ଚିତ ଆସିଥାନ୍ତୁ। ହାତରେ ଶାଢ଼ୀ ,ଜୋଡ, ମିଠା, ପୁଅ ଲାଗି ନୂଆ ପୋଷାକ ନେଇ। ମୋ ଜୀବନରେ ଏତେ ବଡ଼ ଆନନ୍ଦରେ ନିଜର ହେଇ ସବୁ କରିଥାନ୍ତୁ। ଏକୋଇଶା ପୂଜାରେ ବଡ଼ ମାମୁଁ ହେଇ ବସିଥାନ୍ତୁ। ମୁଁ ତୋତେ ଦେଖି କୋଟିନିଧି ପାଇଯାଇଥାନ୍ତି। କିନ୍ତୁ ଜାଣୁ କେହି ଆସିଲେନି ମୁଁ କେବଳ କାନ୍ଦିଲି ବହୁତ ବହୁତ କାନ୍ଦିଲି। ଜୀବନର ଗୋଟେ ଆନନ୍ଦ ମୁଖର ମୁହୂର୍ତ୍ତରେ ସୁଖି ହେଇପାରିଲି ନାହିଁ।ତୁ ଥିଲେ ଏମିତି କେବେ ହେଇନଥାନ୍ତା।

ମୁଁ ଯେବେ ଏକା ଓଡ଼ିଶା ଆସି ଚାକିରୀ କଲି । ଛୋଟ ପୁଅ, ଶାଶୁ ଘର ବ୍ୟସ୍ତତା, ଦୂର ଜାଗା ଚାକିରୀ, ଦେହ ଖରାପ, ନୂଆ ସ୍କୁଟି ଚଲା କଷ୍ଟ, ଆକ୍ସିଡେଣ୍ଟ, ଦରମା ପାଇବାରେ ବିଳମ୍ବ , ଘରେ ଆଉ ବାହାରେ ଅପର୍ଯ୍ୟାପ୍ତ କାମ ଭିତରେ ତୋତେ ଲୋଡି ଥାନ୍ତି। ଅବିଶ୍ରାନ୍ତ ବର୍ଷା ରେ ଭିଜୁଥିବା ସନ୍ଧ୍ୟାରେ ତୋତେ ଡାକିଥାନ୍ତି। ପୁଅର ଦେହ ଖରାପ ରେ ଦିଅରକୁ ଅନେଇ ଆଖି ଲୁହ ଓଠ ପିଇ ନଥାନ୍ତ। ତୁ ଆସି ନେଇଯାଇଥାନ୍ତୁ ସହର ର ସବୁଠୁ ଭଲ ଡାକ୍ତର ପାଖକୁ।

ହଜାର ଥର ଚାକିରୀ ସଂକ୍ରାନ୍ତୀୟ ବିଭିନ୍ନ ସମସ୍ୟା ପାଇଁ ଏ ଅଫିସରୁ ସେ ଅଫିସ ଏକା ଏକା ବୁଲି ନଥାନ୍ତି । ତୁ ସାଥିରେ ରହିଥାନ୍ତୁ । ତୋର ଥାନ୍ତେ ବହୁତ ଚିହ୍ନା କଟକ ପିଲା ସ୍ମାର୍ଟ ଆଉ ପାରିବାର ।

ଯେବେ ଦେହ ମୋର ବହୁତ ଖରାପ ହେଇଥିଲା। ମୁଁ ଏକା ହସ୍ପିଟାଲ ଯାଇ ନଥାନ୍ତି। ଏକା ଆଡ଼ମିଶନ କରି ନିଜର ଅପରେସନ କାଗଜ ରେ ନିଜେ ଦସ୍ତଖତ କରି ନଥାନ୍ତି। ଏକା ଏକା ଅପରେସନ ଥିଏଟର୍ ଯିବା ବେଳେ ଆଉ ଫେରି ବି ତ, ନା ନାହିଁ? ଏମିତି ଭୟ ପାଇନଥାନ୍ତି।

ତୁ ଆସିଥାନ୍ତୁ , ମୋ ଭାଉଜ ବି ଆସିଥାନ୍ତେ। ଯେମିତି ବଡ଼ ମାମୁଁ ବୋଉ ଦେହ ଖରାପ ରେ ମନ୍ଦିର ଧଣ୍ଡା ଆଉ ସିନ୍ଦୁର ନେଇ ଆସିଥିଲେ। ମୁଣ୍ଡରେ ମାରି ଦେଇ ସିନ୍ଦୁର ଟିକେ ଦେହ କିଳି ଦେଇଥାନ୍ତୁ। ଡର ଛାଡି ଯାଇଥାନ୍ତା।

ଅସୁସ୍ଥ ଦେହ ଆଉ ମନ କୁ ଶ୍ରଦ୍ଧାର ପରଶରେ ସଜାଡି ଦେଇଥାନ୍ତୁ। ଗ୍ଲୁକୋଜ, ହରଲିକ୍ସ, ଫଳ, ଘର ରନ୍ଧା ଖାଇବା, ଆଉ ତୋ ସହଚାର୍ଯ୍ୟ ରେ ଭଲ ଲାଗିଥାନ୍ତା। ତୁ ପାଖରେ ବସି ଜୋକ୍ ଶୁଣେଇ ଥାନ୍ତୁ । ହସିଥାନ୍ତି ଯନ୍ତ୍ରଣାମୟ ଅପରେସନ ପେଟର କଷ୍ଟ ଭୁଲି ଯାଇଥାନ୍ତି।

ଯେବେ ଅସୁବିଧା ହୁଅନ୍ତା ଟଙ୍କାପଇସାରେ ତୋତେ ମାଗନ୍ତି। ଆଉ ଫେରେଇବି ନାହିଁ ବି କୁହାନ୍ତି ଅଧିକାର ରେ। ତୁ ହସି ଦେଇଥାନ୍ତୁ।

ଯେବେ ମୋ ଗୋଡ଼ ଭାଙ୍ଗି ଯାଇଥିଲା ତୁ ସାଥିରେ ନେଇ ପ୍ଲାଷ୍ଟର୍ କରେଇ ଘରକୁ ନେଇଥାନ୍ତୁ। ଶାଶୁ ଘରକୁ ଯାଇନଥାନ୍ତି ଜମା।ସତ କହୁଛି ଇଛା ନଥିଲା ସେଠି ରହିବାକୁ ଭଙ୍ଗା ଗୋଡ଼ର ଅସହାୟତା ଭିତରେ।

ଯେବେ ଏ' ଧାମରାରେ ପୋଷ୍ଟିଂ ପାଇ ଚାଲିଗଲେ। ମୁଁ ଏକା ରହିଲି ପୁଅ ପଢ଼ା ପାଇଁ ଶାଶୁ ଘରୁ ଦୂରରେ। ତୁ ଆସିଥାନ୍ତୁ ପୁଅକୁ ଗାଡ଼ିରେ ବସେଇ ବୁଲେଇ ଆଣିଥାନ୍ତୁ। ଅସୁସ୍ଥ ଦେହରେ ମୁଁ ହାଟ ସଉଦା କରିନଥାନ୍ତି । ଘର ଆଉ ଚାକିରୀ ଭିତରେ ଧନ୍ଦି ହେଇ ନଥାନ୍ତି। ପୁଅକୁ ନେଇ ଏକା ରହି ତା ସ୍କୁଲ, ଘରକାମ, ପାଣି ବିଲ, ଇଲେକ୍ଟ୍ରି ବିଲ, ସଉଦା, ଡାକ୍ତର , ଅଫିସ ଭିତରେ ଆକ୍ତା ମାକ୍ତା ହେଇନଥାନ୍ତା। ତୋ ଉପରେ ନିର୍ଭର କରି ଥାନ୍ତି । କେବେ କେମିତି ତୋତେ ନେଇ ଧାମରା ଯାଇଥାନ୍ତି । ପୁଅ ବାପା ଙ୍କୁ ସରପ୍ରାଇଜ୍ ଦେଇଥାନ୍ତା।

ତୁ ମୋ ଭଲ ମନ୍ଦ କଥା ବୁଝିଥାନ୍ତୁ, ଘରକୁ ଆସିଥାନ୍ତୁ, ତୋ ବାଟ ଜଗିଥାନ୍ତି। ତୋ ଠାରୁ ସାହସ ପାଇ ଜୀବନକୁ ଆହୁରି ଶକ୍ତ କରିଥାନ୍ତି।

ଭାଇ ତୁ ଅଛୁ ମୋ ଛୁଆ ଭାଇ ହେଇ । ମୁଁ ତୋ ପାଇଁ ସାହସ ହେବାର ଅପଚେଷ୍ଟା କରୁଛି ସାରା ଜୀବନ । କିନ୍ତୁ ପାରୁନି । ଜାଣୁ , ବଡ଼ ଭାଇ ପରି ନୁହେଁ ବଡ଼ ଭଉଣୀର ସାହସ।

ଭାରି ଇଚ୍ଛା ହୁଏ, ଏମିତି ତୋତେ ଖୋଜିବାକୁ । ହେଲେ ରାଣ ଅଛି କେବେ କୁହେନି। ନିଜକୁ ଦୁର୍ବଳ ଭାବେ ରଖେନି ଅନ୍ୟ ଆଗରେ।ସବୁବେଳେ ନିଜକୁ ଦୃଢ଼ କରିବାର ଚେଷ୍ଟା କରେ। କିନ୍ତୁ ଜାଣୁ ଏମିତି ତୋତେ ଖୋଜେ ସବୁବେଳେ।

ବାପା ଆଉ ବୋଉ ଙ୍କୁ କୁହେନି କିଛି । ମୋ ସଂଘର୍ଷ ର ବ୍ୟାକୁଳତା , କାରଣ ସେମାନେ ଢେର କରିଛନ୍ତି। ମୋତେ ମଣିଷ କରି ନିଜ ଗୋଡ଼ରେ ଠିଆ ହେବାର ସାମର୍ଥ୍ୟ ଦେଇଛନ୍ତି। ହେଲେ ଗୋଟେ ବଡ଼ ନନାର ଅଭାବ ଅଛି କଣ କରିବି କହ।

ହେ ବହୁତ କିଛି ଆଡୁ ସାଡୁ ଲେଖିଦେଲି। ଖରାପ ଭାବିବୁନି। ତୁ ମୋ ଗେଲ୍ହା ଭାଇ ମୋ ଛୁଆ ଭାଇ। ଭଲରେ ଥା । ଈଶ୍ୱର ତୋତେ ମୋ ଆୟୁଷ ଦେଇ ଦିଅନ୍ତୁ। ତୁ ଦୀର୍ଘଜିବୀ ହୋ। ବାପା ବୋଉ ଙ୍କୁ କହିବୁନି। ସେମାନେ ମନ ଖରାପ କରିବେ। ମୋ ସୁନାଟା ପରା।

ରାକ୍ଷୀ ବାନ୍ଧିବୁ ମିଠା ପାଇଁ ଟଙ୍କା ବି ପଠେଇଛି ନେବୁ।

ଇତି

ତୋ ନାନୀ

ସୌମ୍ୟା ଶୁଭଦର୍ଶିନୀ


Rate this content
Log in

Similar oriya story from Tragedy