Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajib Gopal Swain

Inspirational Tragedy

2.3  

Rajib Gopal Swain

Inspirational Tragedy

ଅମୃତ ବନ୍ଧନ

ଅମୃତ ବନ୍ଧନ

6 mins
6.9K


କେତେବେଳୁ ସଞ୍ଜ ନଇଁଲାଣି । ଜହ୍ନ ଉଠିବାର ନାହିଁ । ଅନ୍ଧାର ହୋଇ ଆସୁଛି ଗାଁ ଦାଣ୍ଡ । ଅନ୍ଧାର ହୋଇ ଆସୁଛି ଗୁରୁବାରୀର ନୁଆଁଣିଆ ଚ଼ାଳ ବରଡ଼ା ଛପର ଘର । ତା' ସହିତ ପାପ ଛୁଉଁଛି ଗୁରୁବାରୀର ମନକୁ । କୁଆଡେ ଗଲା ପୁଅଟା, ଏତେବେଳ ଯାଏଁ ଫେରିଲା ନାହିଁ । ପନ୍ଦର କୋଡିଏ ଦିନ ହେବ ପୁଅଟା ନିହାତି ଦୁର୍ବଳିଆ ହୋଇ ପଡ଼ିଥିଲା, ଆଉ ଖାସ୍‍ ଏଥପାଇଁ ସମସ୍ତଙ୍କ ପଛରେ ଘଣ୍ଟ ଘୋଡେଇ ଆଣୁଥିଲା ଗୁରୁବାରୀ । ଆଜି କଣ ହେଲା କେଜାଣି ଶିଘ୍ର ଫେରିବାକୁ ପଡ଼ିଲା । ଗୁରୁବାରୀ ଭାବୁଥିଲା ପୁଅ ବି ଫେରୁଥିବ । କିଛି ସମୟ ପାଇଁ ସେଥି ପ୍ରତି ତାର ନିଘା ନଥିଲା । କିଛି ଦୂର ଆସିବା ପରେ ସେ ପୁଅ ଉଦ୍ଦେଶ୍ୟରେ ପଛକୁ ଚାହିଁଲା । ନା ! ପଛରେ କେବଳ ବହଳ ଧୂଳିପଟ୍ଟଳ ଛଡ଼ା ଆଉ କିଛି ଦିଶୁନାହିଁ । ଗୁରୁବାରୀ ଭାବିଲା - ସେ ପଛକୁ ଫେରି ପଡ଼ିବ କି ? ସେ ହୁଏତ ଫେରି ପାରିଥାନ୍ତା ହେଲେ ଏ ଗୋପାଳଟା ଛାଡ଼ିବ ତ ! ହାତରେ ତା'ର କେନ୍ଦୁ କାଠର ପାଞ୍ଚଣ, ଆଉ ରାଗିଲେ ତାହାର ବ୍ୟବହାର ସେ ବହୁତ ବାର ଦେଖିଛି । ସେଥିପାଇଁ ମନରେ ସାହାସ ଅଣ୍ଟୁନି । ସେ ନିଜକୁ ନିଜେ ବୋଧ କଲା - ପୁଅ ଡେରିରେ ହେଉପଛେ ନିଶ୍ଚୟ ଫେରିବ । ତା ସାଥୀରେ ଯେତେ ସବୁ ବଣକୁ ଯାଇଥିଲେ ସମସ୍ତେ ଯେଝା ଘରକୁ ଫେରି ଗଲେଣି । ନିଜ ଘର ଆଗରେ ଠିଆ ହୋଇ ପୁଣିଥରେ ପଛକୁ ଚାହିଁଲା ଗୁରୁବାରୀ, ନା ! ପୁଅ ଆସୁନାହିଁ ।

           ରାତି ଯେତିକି ଯେତିକି ବଢ଼ି ଚାଲିଛି ସେତେ ଅଧିକ ଛନକା ପଶୁଛି ଗୁରୁବାରୀ ମନରେ । ମାଆ ସିଏ, ଅନ୍ତଫାଡ଼ି ଜନ୍ମ ଦେଇଥିବା ସନ୍ତାନ ତା'ର ନିରୁଦ୍ଧିଷ୍ଟ । ସେ ବା କେମିତି ସ୍ୱଚ୍ଛନ୍ଦରେ ଶୋଇ ପାରିବ ? ଆଖି ଆଗରେ ଦିଶିଯାଉଛି ପୁଅର ସରଳ କଁଅଳ ମୁହଁ, ସେ କେମିତି ଥିବ ! ଗହଳ ଜଙ୍ଗଲରେ ନିରାପଦ ସ୍ଥାନଟିଏ କୋଉଠି ଅଛି ଯେ,ତା ପରି ଅଳ୍ପଜ୍ଞାତ ଭୋଳା ପିଲାଟି ଆଶ୍ରୟ ନେବ । ସ୍ୱାପଦ ହିଂସ୍ର ଜନ୍ତୁମାନଙ୍କର ବିଚରଣ କ୍ଷେତ୍ର ମଧ୍ୟକୁ ପୁଅ ଚାଲିଯାଇନି ତ । ଯଦି ଯାଇଥାଏ ତେବେ, ସେ କ'ଣ ତା' ପୁଅକୁ ଫେରିପାଇବ ? ମନେ ମନେ ନିଜର ଜୀବନ ପ୍ରତି ବିତସ୍ପୃହ ହୋଇ ପଡୁଥିଲା ଗୁରୁବାରୀ । ନିଜକୁ ନିଜେ ଧିକ୍କାର କରୁଥିଲା । ଏଠି ନା ଅଛି ସ୍ୱାଧୀନତା, ନା ଅଛି ସାମାନ୍ୟ ସୁଖ । ଜୀବନ ବ୍ୟାପୀ କେବଳ ତ୍ୟାଗ ହିଁ ତ୍ୟାଗ । ତା’ର ମନେ ଅଛି..ଏଇ ଘରେ ସେ ଯେତେବେଳେ ଜନ୍ମ ନେଇଥିଲା ସେତେବେଳେ ସେ ଥିଲା ତା' ମାଆର ଅନେକ ବର୍ଷ ପରେ ଏକମାତ୍ର କନ୍ୟା ସନ୍ତାନ । ଗୁରୁବାର ଦିନ ଜନ୍ମ ନେଇଥିବାରୁ ଖାଉନ୍ଦାଣୀ ତା' ନାଁ ରଖିଥିଲେ ଗୁରୁବାରୀ । ଗୁରୁବାରୀ ଆସିଲା ପରଠାରୁ ଦୁଇ ଚାରିଟା ଆଶା କରିଥିବା ସ୍ଥାନରୁ ସମ୍ପତ୍ତି ମିଳିଥିଲା । ସେଥିପାଇଁ ସେ ଥିଲା ଲକ୍ଷ୍ମୀବନ୍ତୀ । ତା'ପ୍ରତି ପରିବାରରେ ସଭିଙ୍କର ସ୍ନେହ ବଢ଼ିଯାଇଥିଲା ଅହେତୁକ ଭାବରେ ଗୁରୁବାରୀ କସରା ଦିହରେ ଠାଏଁ ଠାଏଁ ଧଳାଦାଗ । ନହକା କାନ । ଛୋଟ ଛୋଟ ଶିଙ୍ଗ ତା' ବୟସ ବଢ଼ିବା କ୍ରମରେ ବେଶ୍‍ ସୁନ୍ଦର ହୋଇଆସୁଥିଲା । ତା' ସହିତ ମାଲିକାଣୀର ସାନଝିଅ ତୁତୁଲର ସେ’ ହୋଇଉଠୁଥିଲା ଅତିପ୍ରିୟ ଅତି ଘନିଷ୍ଠ !

           ଗୁରୁବାରୀ ସବୁ ଜାଣୁଥିଲା । ମାଲିକାଣୀଙ୍କ ମନକଥା ଠୁଁ ଆରମ୍ଭ କରି ବାବୁଙ୍କର ଅୟସର କଥା, ତୁତୁଲ ଦେଇଙ୍କର ନିରୀହ ନିଷ୍ପାପ ଦରୋଟି ଓଠର ଭାଷା । ସବୁ ଜାଣୁଥିଲା ଗୁରୁବାରୀ । ଏ’ ପରିବାର ପାଇଁ ସେ ହେଉଛି ଲକ୍ଷ୍ମୀ ସମସ୍ତିଙ୍କର ଆଦରର ଗୁରୁବାରୀ । ତଥାପି ମନରେ ତା’ର ଡର । ନିଜ ଠାରୁ ଅଧିକ ଆପଣାର ଭାବୁଥିବା ପରିବାରଟି ପାଇଁ ତା' ମନରେ ଏକ ନିରବ ନିଶ୍ଚୁପ ଭୟର ସମାବେଶ । ଗୁରୁବାରୀ ଯେଉଁଦିନ ପ୍ରଥମ କରି ମା' ହେବାର ଜଣାପଡ଼ିଲା ସେ ଦିନ ଘରେ ଖେଳିଯାଇଥିଲା ଆନନ୍ଦର ଲହରୀ । ସାମାନ୍ୟ ବଡ଼ ହୋଇଯାଇଥିବା ତୁତୁଲ ଦେଈ ଜିଦ୍‍ ଧରିଥିଲ ଚକୁଳିପିଠା ବନାଇବାକୁ । ଆଉ ସେଇ ଚକୁଳିର କେଇଟା ନିଜ ହାତରେ ଭାଙ୍ଗି ଖୁଆଇଥିଲା ଗୁରୁବାରୀକୁ । ଗୁରୁବାରୀ ପ୍ରତି ଯତ୍ନର ଅଭାବ ନ ଥିଲା । ଖାଇବା ପିଇବାଠାରୁ ଆରମ୍ଭ କରି ତା'ର ପ୍ରତିଟି କଥାରେ ସତର୍କ ହୋଇଯାଇଥିଲେ ମାଲିକାଣୀ । ନିର୍ଦ୍ଦିଷ୍ଟ କେଇଦିନର ବ୍ୟବଧାନରେ ଭେଟିନାରୀ ଡାକ୍ତର ଘରକୁ ଆସୁଥିଲେ, ଆଉ ପଚାରି ବୁଝୁଥିଲେ ତା ସ୍ୱାସ୍ଥ୍ୟ କଥା । ପରିଷ୍କାର ପରିଚ୍ଛନ୍ନତାରେ ହେଳା ହେଉ ନଥିଲା ତା' ରହିବା ସ୍ଥାନ । ସେ, ଯାହା ହେଉ, ନିର୍ଦ୍ଦିଷ୍ଟ ବେଳାଟି ଆସି ପହଞ୍ଚିଥିଲା । ରାତି ସାରା ଉଜାଗର ରହି ପରିବାର ସାଥେ ଗୁରୁବାରୀ ଗର୍ଭର ଯନ୍ତ୍ରଣାକୁ ମର୍ମେ ମର୍ମେ ଅନୁଭବ କରୁଥିବା ବେଳେ ବାହାରେ ଥିଲା ବର୍ଷାର ତାଣ୍ଡବ । ଶ୍ରାବଣର ନିଝୁମ୍‍ ବାରିଧାରା ଧରଣୀକୁ କରୁଥିଲା ସିକ୍ତ, ମଧୁର । ମଝିରେ ମଝିରେ ଲଣ୍ଠନ ଆଲୁଅକୁ କାଟି ଚମକି ଉଠୁଥିବା ବିଜୁଳୀ ମାଧ୍ୟମରେ ଗୁରୁବାରୀ ଦେଖିପାରୁଥିଲା ଖାଉନ୍ଦାଣୀଙ୍କ ଆଖି ଲୁହକୁ । ପାହାନ୍ତା ବେଳକୁ ପୁଅଟିଏକୁ ଜନ୍ମ ଦେଇଥିଲା ଗୁରୁବାରୀ । ଭାରି ଗୁଲୁଗୁଲିଆ ଚେହେରା ସାଙ୍ଗକୁ ତା'ର କଅଁଳ ନରମ ଚାହାଣୀ ଭିତରେ ଫୁଟି ଉଠୁଥିଲା ଗୁରୁବାରୀ ଛବି । ମେଘ ଛାଡ଼ି ଯାଇଥିଲା । ପରିଷ୍କାର ହୋଇଯାଇଥିଲା ଆକାଶ ତଥାପି ଗାଁ ଦାଣ୍ଡରେ ପାଣିର ସୁଅ । ସୁଅରେ ଡଙ୍ଗା ଭସାଇବା ଛାଡ଼ି ତୁତୁଲ ଦେଈ ଗୁରୁବାରୀ ପାଖରେ ତା' ପୁଅକୁ ଚାହିଁ ରହିଥିଲା । ଇସ୍‍ କି ବଢ଼ିଆ ବାଛୁରୀଟେ ହୋଇଛି...!! ତୁତୁଲ ଦେଇ ସ୍କୁଲରୁ ଫେରିବା ବେଳକୁ ଗୁରୁବାରୀର ପୁଅ ଠୁକ୍‍ ଠୁକ୍‍ କରି ଚାଲିବା ଆରମ୍ଭ କରିସାରିଥିଲା । ମନରେ କେତେ କେତେ ସରାଗ ସତରେ । ଏଥର ତ କ୍ଷୀର ଟିକେ ଟିକେ ମିଳିବ । ବାହାରୁ କ୍ଷୀର ଆଣିବାକୁ ପଡ଼ିବ ନାହିଁ, ଭାବୁଥିଲେ ତୁତୁଲର ବାପା । ସାହି ପଡ଼ିଶା କହିଲେ ଅଣ୍ଡିରା ଛୁଆଟା କି କାମରେ ମ... । ମାଈଟେ ହୋଇଥିଲେ ସିନା ବଂଶ ବଢ଼ିଥାନ୍ତା । କୋଉ ମଣିଷ ଜାତି ହୋଇଛି ଯେ, ଅଣ୍ଡିରାଟା କୁଳ ଦିଅଁଙ୍କୁ ପାଣିଦେବ !! ମନରେ ନିରବ ଘୃଣା ଟିକ୍‍କେ ଜମୁଥିଲା । ଆଉ ଗୁରୁବାରୀର ପୁଅ ବଢ଼ିବା ସଙ୍ଗେ ସଙ୍ଗେ ଏ ଘୃଣା ଟିକକ ବି ବଢ଼ିବାକୁ ଆରମ୍ଭ କରିଥିଲେ । ତୁତୁଲ ଦେଈର ପରୀକ୍ଷା ବେଳକୁ ସେ ଘରୁ ବାହାରୁ ନଥିବା ବେଳେ ହଠାତ୍‍ ଗୁରୁବାରୀର ସବୁ କ୍ଷୀର ସତେ ଯେମତି ତା ପୁଅ ପାଇଁ ବନ୍ଦ ହୋଇଗଲା । ଗଉଡ଼ ଘଡ଼ିକ ପାଇଁ ତା ପୁଅକୁ ପଘାରୁ ଫିଟାଇଦେଇ ସାମାନ୍ୟ ପହ୍ନାଇବା ଯାଏଁ ଅପେକ୍ଷା କରୁଥିଲା ଆଉ ହଠାତ୍‍ ପୁଅଟା ଦୁଇ ଢୋକ ନେଇଥିବ ନା ନାହିଁ ତାକୁ ଗୁରୁବାରୀ ଆଗରେ ବାନ୍ଧି ରଖୁଥିଲା । ବିଚାରା ଗୁରୁବାରୀ ପୁଅର ହମ୍ୱାରଡ଼ି ଆଉ ନିରବ ଅଶ୍ରୁକୁ ନିଜ ଜିଭରେ ଚାଟି ନେଇ ସହି ଯାଉଥିଲା ଗଉଡ଼ ଗୋପାଳର ନିର୍ମମତାକୁ । ବେଶ୍‍ ତିନି-ଚାରି ସେର ସରିକି କ୍ଷୀର ନିଗାଡ଼ି ଉଠୁଥିଲା ଗୋପାଳ । ତାପରେ ପଘାରୁ ଫିଟୁଥିବା ଗୁରୁବାରୀର ପୁଅ, କ୍ଷୀର ହୀନ ଥନରେ ମୁହଁ ମାରି ଢ଼ୋକେ ପିଇବାର ଅସଫଳ ପ୍ରୟାସ କରୁଥିବା ବେଳେ, ଆଖିବୁଜି କାନ୍ଦୁଥିଲା ଗୁରୁବାରୀ । ହାୟରେ କପାଳ ! ସେ’ କଣ ବା କରିପାରିବ ?

 ଗୁରୁବାରୀ ପୁଣି ଭାବେ । ଏ କ୍ଷୀର ତ ତା'ର ଅତିପ୍ରିୟ ଦେଈ ପାଇଁ ଯାଉଛି । ତୁତୁଲ ଦେଈ ତାର ଅତିପ୍ରିୟ ଆପଣାର ମଣିଷ ଯାହାକୁ ସେ ଏ ପରିବାର ଠୁଁ ବୋଧହୁଏ ସାରା ସଂସାରରୁ ବେଶୀ ଭଲପାଏ । ତୁତୁଲ ଦେଇ ବି ତ ତାକୁ କମ୍‍ ସ୍ନେହ କରେନି ! ତା ପାଇଁ ତ ସେ ଆଜି ଏ ଘରର ଜଣେ ଅନ୍ତରଂଗ ସଦସ୍ୟ । ତୁତୁଲ ଦେଈକୁ ସେ କଣ ଅଭିଶାପ ଦେଇପାରିବ ? ମାତୃ ସୁଲଭ ଆତ୍ମୀୟତାରେ ଗୁରୁବାରୀର ଛାତି ଚଉଡ଼ା ହୋଇଯାଉଥିଲା । ତୁତୁଲ ଦେଈ ମନ ଭରି ପିଉ ତା କ୍ଷୀର... ପିଇ ଯାଉ ତା'ର ସବୁ ଶାଶ୍ୱତ, ସୁନ୍ଦର ଭଲ ପାଇବାକୁ, ପିଇଯାଉ ଗୁରୁବାରୀ ମନର ସ୍ନେହ, ଶ୍ରଦ୍ଧା, ପୂଜା ଫୁଲକୁ । ଏ'ତ ଅଣ୍ଡିରା ପିଲାଟା ଆଜି ନ ହେଲେ ନାହିଁ ,କାଲି ଦୁବ ଘାସ, କଅଁଳ ପତର ଖାଇ ସୁସ୍ଥ ହୋଇଯିବ, ହେଲେ ତୁତୁଲ ଦେଈ... । ମହନୀୟ ଚିନ୍ତାରେ ଉଦ୍‍ଭାଷିତ ହେଉଥିଲା ଗୁରୁବାରୀର ମୁଖମଣ୍ଡଳ । ମହମହ ହୋଇ ଦିବ୍ୟ ଆନନ୍ଦରେ ଭାସି ଉଠୁଥିଲା ତା’ର ମନ । ହେଇ କେଇ ଦିନ ତଳେ ତ ଗୁରୁବାରୀ ଦେଖିଥିଲା ତୁତୁଲ ଦେଈକୁ । କୋଠା ଉପରୁ ତା ଆଡ଼କୁ ଚାହିଁ ହସୁଥିଲା । କେତେ ଝଡ଼ିଯାଇଛି ସତରେ ତୁତୁଲ ଦେଈ । ଏତେ ପରିଶ୍ରମ କରୁଛି । ଭଗବାନ୍‍ ତାର ମଙ୍ଗଳ କରନ୍ତୁ । ଏଥର ଛାତିକୁ ପଥର କରି ସେ ଗୋପାଳକୁ ମନେ ମନେ ଉଚ୍ଚାରଣ କରେ - ନେଇଯା ଗୋପାଳ ମୋ ଥନରୁ ସବୁ କ୍ଷୀର ନେଇ ଯା ! ମୋ ତୁତୁଲ ଦେଈ ପାଇଁ ନେଇ ଯା ! ମୋର କିଛି ଦରକାର ନାହିଁ । ମୋର ଘର ସଂସାର କ'ଣ ହେବ ଯେ ? ଏଇ ଅଣ୍ଡିରା ପିଲାଟି ପାଇଁ ଭାବୁଛୁ ମୁଁ ଚିନ୍ତା କରୁଛି । ନା ରେ ଗୋପାଳ, ଆଜି ନ ହେଲେ ନାହିଁ ଆସନ୍ତା କାଲି ତ ୟେ ତୋ ପଛେ ପଛେ ଯିବ, ଘାସ ଖାଇବ, ଜଙ୍ଗଲି ଝରଣାରୁ ପାଣି ପିଇବ । ତୁ ହିଁ ତାକୁ ସବୁ ଶିଖାଇବୁ । ନେଇ ଯା ଗୋପାଳ ମୋର ସବୁ କ୍ଷୀର ନେଇ ଯା, ମୋ ତୁତୁଲ ଦେଈ ପାଇଁ ନେଇ ଯା । ସତକୁ ସତ ଗୋପାଳ ପଛରେ ଗୁରୁବାରୀ ସହ ତା' ପୁଅବି ଗଲା । ଜଙ୍ଗଲର ଶାନ୍ତ ନିର୍ମଳ ପବନରେ ଫୁର୍ତ୍ତି ଦେଖାଗଲା । ତଥାପି ତା'ର ବଳ ଅଣ୍ଟୁ ନ ଥିଲା । ଏତେ ବାଟ ନିତିନିତି ଚାଲିଯିବାରେ କେତେ କଷ୍ଟସତରେ !! ଆଜି ସେଇ ପୁଅ ଫେରିନି । ଗୁରୁବାରୀର ଟାଣ ହୋଇଯାଇଥିବା ଛାତିରେ କେଉଁ ଏକ ନିଭୃତ କୋଣରୁ କେହି ଯେମିତି ଚିତ୍କାର କରୁଛି - ମାଆ....ମାଆ..... ମୁଁ ଫେରିନି ମାଆ.....ପଛରେ ରହିଯାଇଛି । ମୁଁ ଆଉ ଚାଲିପାରୁନି ମାଆ..... ଥରୁଟେ ହେଲେ ପଛକୁ ଚାହଁ.....ମାଆ ! ମାଆ ! ମାଆ !

           ଓଦା ଆଖିକୁ ଧଡ଼ କରି ବନ୍ଦ କରିଦେଲା ଗୁରୁବାରୀ । ସକାଳ ପାହି ଆସିଥିଲା । ପୂର୍ବ ଦିଗରୁ ସୂର୍ଯ୍ୟ ଉଠି ଆସୁଥିଲେ ସୁନାର କିରଣ ବିଞ୍ଚି । ଗୁରୁବାରୀ ଗୁହାଳ ଆଗରେ ଚହଳ ଗହଳ । କଣ ହୋଇଛି । ଗୁରୁବାରୀ ଉଠି ଠିଆ ହେଲା । ବାଉଁଶ ତାଟି ଉପରେ ମୁହଁ ଗଳାଇ ସେ ଯାହା ଦେଖିଲା ସେଥିରେ ସ୍ଥିର ହୋଇଗଲା ତା' ଆଖି । ଗୁହାଳ ଆଗରେ ଲମ୍ୱ ହୋଇ ପଡ଼ି ରହିଛି ତା' ପୁଅର ନିର୍ବାକ ନିଷ୍ପନ୍ଦ ଶରୀର । ତାକୁ ବେଢ଼ି ରହିଛନ୍ତି ପରିବାର ଓ ସାହି ପଡିଶାର ଲୋକ । ସଭିଙ୍କ ମୁହଁରେ ଆହା ଚୁ ଚୁ ର ଶବ୍ଦ । ଗୋପାଳ କହୁଥିଲା - ଗତକାଲି ସେ ଗୋରୁପଲ ସହିତ ଆସି ନଥିଲା । ବୋଧ ହୁଏ ବାଟ ହୁଡ଼ି ଯାଇଥିବ । ହେଲେ ଦେଖ ସେ’ କେମିତି ସାରା ରାତି ଚାଲି ଚାଲି ଆସିଛି । ବୋଧ ହୁଏ ମମତାର ଡୋରୀ ତାକୁ ଏଠାକୁ ଟାଣି ଆଣିଛି । ଗୋରୁ ହେଲେ କ'ଣ ହେଲା ତା’ର ବି ହୃଦୟ ଅଛି । ସଭିଏଁ କାନ୍ଦୁଥିଲେ । ଅଧର୍ଯ୍ୟ ହେଉଥିଲା ଗୁରୁବାରୀ । ଗୋପାଳ ଖୋଲି ସାରିଥିଲା ତା' ବନ୍ଧନ । ଗୁରୁବାରୀ କିନ୍ତୁ ପାର୍ଥିବ ବନ୍ଧନ ଠାରୁ ନିଜକୁ ମୁକ୍ତ କରିବାକୁ ହମ୍ୱାଳୁ ନଥିଲା, ହମ୍ୱାଳୁ ଥିଲା ସେଇ ମମତାର ବଂଧନକୁ ଆହୁରୀ ନିବିଡ଼ ଆହୁରି ସଶକ୍ତ କରିବା ପାଇଁ । ସଭିଙ୍କ ଆଖି ଲୁହରେ ଓଦା ହେଉଥିବା ବେଳେ ମୃତ ପୁତ୍ରର ଶରୀରକୁ ଅବିଶ୍ରାନ୍ତ ଭାବରେ ଚାଟି ଚାଲିଥିଲା ଗୁରୁବାରୀ । ସତେ କେମିତି ଏଇ ମମତା ଟିକକ ପାଇଁ ପ୍ରତୀକ୍ଷାରେ ହିଁ ଥିଲା ଗୁରୁବାରୀ ମୃତ ପୁତ୍ର । ତା' ଖୋଲା ଆଖି ଦୁଇଟା ବନ୍ଦ ହୋଇଯାଇଥିଲା ସଭିଙ୍କୁ ଆଶ୍ଚର୍ଯ୍ୟ ଚକିତ କରି । ଗୁରୁବାରୀ କିନ୍ତୁ ଅବିଶ୍ରାନ୍ତ ଭାବରେ ଅଜାଡ଼ି ଚାଲିଥିଲା ତା ମମତା ଓ ଅଶ୍ରୁର ବନ୍ୟାକୁ ।

                                   

ରାଜୀବ ଗୋପାଳ ସ୍ଵାଇଁ ମାତୃକୁଟୀର, କୁରୁଣ୍ଟି, ମେରାମଣ୍ଡଳୀ, ଢେ଼ଙ୍କାନାଳ-୭୫୯୧୨୧ Contact No:7684989557(M)


Rate this content
Log in

Similar oriya story from Inspirational