Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ନିଦ ହଜିଛି

ନିଦ ହଜିଛି

8 mins
502


ସବୁଦିନ ଭଳି ଆଜି ବି ନଅ' ଟା ବେଳକୁ ଡ୍ୟୁଟି କୁ ବାହାରିଲି । ମୋ ଘର ପାଖରୁ ରେଲୱେ ଷ୍ଟେସନ(ଭାଲୁ ମୁଣ୍ଡା) ଗୋଟିଏ କିଲୋମିଟର ପାଖାପାଖି । ନଅ' ଟା କୋଡ଼ିଏ ରେ ଟ୍ରେନ, ତେଣୁ ଟିକେ ଶିଘ୍ର ଆସିବାକୁ ପଡେ । ଘର ଠାରୁ ଛଅଶ ମିଟର ଗଲାପରେ ଗୋଟିଏ ବୁଢା ବରଗଛ ପଡେ। ନିଜର ଜଟା କୁ ଏଭଳି ଭାବେ କାୟା ବିସ୍ତାର କରିଛି,ଯେକେହି ବି ଦିନ ବାରଟା ବେଳେ ଗଲେ ଡର ଲାଗିବ,ପୁରା ଯେମିତି ହରର ମୁଭି ଶୁଟିଂ ପାଇଁ ସେ ସ୍ଥାନ କୁ ପ୍ରକୃତି ଗଢିଛି । ଆମ ଘର ପାଖ ବୁଲା ଦାଦି କୁଆଡେ ଦିନେ ସେ ଗଛ ମୂଳେ ବସିଥିଲେ,ଖାଲି ଚଟକଣି ପରେ ଚଟକଣି କିଏ ବସେଇଲା ତାଙ୍କ ଗାଲରେ । ଗାଲ ଟି ବି ଅସମ୍ଭାଳ ଭାବେ ଫୁଲି ଯାଇଥିଲା। ଦି'ଶହ ଟଙ୍କା ସେ ଗାଲରେ ଖର୍ଚ କରିବାରୁ ଯାଇ ଭଲ ହେଲା। ଏମିତି କେତେ କ'ଣ କାହାଣୀ ଅଛି ସେ ବୁଢା ବରଗଛ କୁ ନେଇ । ସେ ଗଛ ମୂଳଟି ଗଞ୍ଜୋଡିଆ ଙ୍କ ଚରାଭୂଇଁ । ବେଳେ ବେଳେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଏ ଗଛ ରେ ଏତେ ଭୂତ ପ୍ରେତ ଥାଇ ମଧ୍ୟ ସେ ଗଞ୍ଜୋଡିଆ ଙ୍କ ର କିଛି କରନ୍ତିନି।ଆମ ଗାଁ ରେ ଯଦି କିଏ ରାତି ବାରଟା ପରେ ଫେରେ ତେବେ ଗୋଟିଏ ସାହାସ ନେଇ କ'ଣ..... ସେଠି ପରା ଗଞ୍ଜୋଡିଆ ସବୁ ଥିବେ । 


ଅଶୋକ ବାବୁ ଙ୍କ ର କ'ଣ ହେଇଛି କେଜାଣି, ଗାଁ ଯିବାର ଦୁଇ ଦିନ ହେଲାଣି, ଫୋନ ଉଠଉ ନାହାନ୍ତି,ସେ ଅଫିସ ର ଏସ .ଓ (S.O) । ମୋର ଶୁଭଚିନ୍ତକ, ସହଯୋଗୀ । ନୁଆ ନୁଆ କ୍ଲର୍କ ହେଇ ଯେତେବେଳେ ମୁଁ ସେ ଅଫିସ ରେ ଯୋଗଦାନ କରିଥିଲି ସେ ମୋତେ ହାତ ଧରି କାମ ଶିଖାଇଥିଲେ । ମୋ ଠାରୁ କୋଡ଼ିଏ ବର୍ଷ ବଡ ସେ । ଅଫିସ ରେ ମୋ ବୟସ ର ଅନେକ ପିଲା ଥିଲେ ମଧ୍ୟ ମୋତେ ପୁଅ ଭଳି ଦେଖନ୍ତି ଆଉ ବେଶୀ ଭଲ ବି ପାଆନ୍ତି। ହେଲେ ଅସୁବିଧା କଥା କ'ଣ କେହି ସଠିକ୍ କହିପାରୁନାହାନ୍ତି। ଆଜି ଅଫିସ ଗଲେ ସେ ବିଷୟରେ ଜାଣିବାକୁ ପଡିବ, କଥା କ'ଣ ?

 

ଆକାଶ ମେଘୁଆ ପାଗ, ଶୁଖିଲା ଘଡଘଡି ମାରୁଛି ବହୁତ ଜୋରରେ। ଅଫିସ ଯିବା ପାଇଁ ତରତର ରେ ଷ୍ଟେସନ ରେ ଆସି ପହଁଚିଲି । ଷ୍ଟେସନ ବି ଫାଙ୍କା, ଦୁଇ ଚାରି ଜଣ ଙ୍କୁ ଛାଡି ଆଉ କେହି ନାହାନ୍ତି । ନଅ'ଟା ପନ୍ଦର, ଆହୁରି ପାଞ୍ଚ ମିନିଟ୍ ବାକି ଟ୍ରେନ ଆସିବାକୁ । ହଠାତ୍ ବାହାରେ ପାଟି ଶୁଭିଲା,ଦେଖରେ କି ଦୃଶ୍ୟ । କେହି ଜଣେ କହିଲା , ପୁରା ଏଚ ଡି ପିକ୍ଚର । ମୋବାଇଲଟା କାଢବେ ଉଠେଇବା ଫୋଟୋ । ଏ ୱାନ୍ ଲାଗୁଛି ରେ,ଆଗ ଆଡୁ ଉଠା ବେ । ମୁଁ ଯାଇ ଦେଖିଲା ବେଳକୁ ଝିଅ ଟିଏ,ବୟସ ୨୫ ଭିତରେ ହେବ । ମୁଣ୍ଡ ବାଳ ସବୁ ଜଟା ଭଳି ହେଇଛି, ତା'ର କାହା ପ୍ରତି ନଜର ନାହିଁ। ପୂଳାଏ ଖବରକାଗଜ,ବହି ଗୁଡ଼ିଏ ଧରି ବସିଛି । ଷ୍ଟେସନ ର ସିମେଣ୍ଟ ଚେୟାର ରେ ଗୋଟିଏ ଗୋଡ଼ ତଳେ ଆଉ ଗୋଟିଏ ଉପରେ , ଅର୍ଦ୍ଧ ଉଲଗ୍ନ । ଯେହେତୁ ମୁଁ ସେହି ଗାଁ ପିଲା ପାଟି କରିବାରୁ ଭୟରେ ସେମାନେ ଚାଲିଗଲେ କିନ୍ତୁ ମୁଁ କ'ଣ କରିବି ଏବେ । ମୋ ‌କାନ୍ଧଗଳା ବ୍ୟାଗ୍ ଟି ବାହାର କଲି । ମୋ ବ୍ୟାଗ୍ ରେ ସବୁବେଳେ ହାଫ୍ ପ୍ୟାଣ୍ଟ୍ ଆଉ ଗୋଟେ ଗାମୁଛା ସବୁବେଳେ ଥାଏ ତା' ସହିତ ଗୋଟେ ପାଣି ବୋତଲ, ଅଫିସ ଗଲାବେଳେ ଏତିକି ସମ୍ପତ୍ତି ମୋ ବ୍ୟାଗ୍ ରେ ଥାଏ।

ବ୍ୟାଗ୍ ରୁ ହାଫ୍ ପ୍ୟାଣ୍ଟ୍ କାଢ଼ିବା ଦେଖି ମୋ କହିବା ପୂର୍ବରୁ ମୋ ହାତରୁ ଛଡାଇ ନେଇ ପିନ୍ଧିଲା। ଗାମୁଛା ନେଇ ନିଜକୁ ଘୋଡାଇ ହେଲା,ମୋ ମନ ରେ ପ୍ରଶ୍ନ ଉଠୁଥିଲା ଏଇଟା ସତରେ ପାଗେଳି ନା ଅଭିନୟ କରୁଛି । 


ମୋ ସହିତ ଏଭଳି ଆଗରୁ ଘଟିଛି । ଥରେ ଦିଲ୍ଲୀରେ ଗୋଟେ ଭିକାରୀ ଭିକ ମାଗୁଥଲା,ମୋ ପାଖକୁ ଆସି କାନ୍ଦ ବୋବାଳି ଛାଡ଼ିଲା,ତା'ପରିସ୍ଥିତି ବିଷୟରେ କହିଲା, ତା'ର ଘର ବିହାରରେ,ବାପ'ମା ଛେଉଣ୍ଡ । ଘରେ ଦାଦା, ବଡବାପା କେହି ପଚାରୁ ନାହାଁନ୍ତି, କିଏ ଗୋଟେ ତାକୁ ଘରେ ରଖିବ ବୋଲି ଦିଲ୍ଲୀ ଆଣିଥଲା । ପରେ ସେ ଜାଣିଲା ଯେ ତାକୁ କୁଆଡେ ବିକ୍ରି କରିବାକୁ ଅଣାଯାଇଛି, ଏକଥା କହିଲାବେଳେ ଲିଟେରେ ଲୁହ ଆଖିରୁ ଝରେଇଲା । ଏ ସବୁ ଶୁଣିବାପରେ ମୋର ଆଖିରୁ ଲୁହ ଆସିଗଲା, ମୁଁ ବି ଲୁହ ଲୁଚାଇ ତାକୁ ପାଞ୍ଚଶହ ଟଙ୍କା ଦେଇ କହିଲି, ଯା' ତୋ ଗାଁକୁ ପଳା। ତା' ହାତକୁ ଟଙ୍କା ବଢେଇଛି ତ ଚର୍ତ୍ତୁଦିଗରୁ ତାଳି ବଜେଇ ବଜେଇ ଆମ ଆଡକୁ ପଚିଶ ତିରିଶ ପୁରୁଷ ଆଉ ମହିଳା ମାଡିଆସିଲେ, ମୋତେ ଆଶ୍ଚର୍ଯ୍ୟ ଲାଗୁଥିଲା ଆଉ ଖୁସି ବି ହେଲି, ମୋ ଅଜାଣତରେ ଲୋକେ ମୋତେ ଦେଖୁଥିଲେ। ଯାହା ହେଉ, ମୋତେ ଏବେ ବାହା ବାହା କରିବେ, କିନ୍ତୁ ଏ କ'ଣ ,ସେ ପିଲାକୁ କାନ୍ଧ ରେ ବସାଇ ତାଳି ମାରୁଛନ୍ତି,କିଏ ଗୋଟେ କହିଲା ତୁ ପାସ ହେଇଗଲୁ ରେ । ପରେ ସେ ଭିଡ଼ ଭିତରୁ ଜଣେ କହିଲେ ଆଜ୍ଞା,ଖରାପ ଭାବିବନି,ଏ ପିଲା ହେଉଛି ନାସନାଲ ସ୍କୁଲ ଅଫ ଡ୍ରାମା ଇନ୍ସଚ୍ୟୁଟର । ମୋ ମୁହଁ ରୁ ସ୍ୱତଃ ବାହାରି ଆସିଲା..... ଏବେ....ମୋ ଟଙ୍କାଟା ଫେରେଇ ଦେଇ ଯା, କିଏ ଗୋଟେ ତାଗିଦା ସ୍ୱର ରେ କହୁଥିଲା 'ଏ ଟଙ୍କା କୁ କେବେବି ଖର୍ଚ୍ଚ କରିବୁନି,ଏଇଟା ତୋ ପୁରସ୍କାର' ।


ପୂରୁଣା କଥା ମନେ ପଡି ଯାଉଥାଏ,ମୋ ସହ କେହି ମଜାକ କରୁନି ତ । ବଡ଼ ବାବୁ ଙ୍କୁ ମେସେଜ କଲି,ସାର୍ ଗୋଟିଏ ଜରୁରୀ କାମ ପାଇଁ ଅଫିସ ଯାଇପାରିବିନି । ତାକୁ ପଚାରିଲି ତୋ ନାଁ କ'ଣ ? ଘର କୋଉଁଠି ? ଏ ଷ୍ଟେସନ କୁ କେମିତି ଆସିଲୁ ? ଉତ୍ତର କିଛି ନାହିଁ । ମୁଁ ଟିକେ ସର୍ଟ ଟେମ୍ପରିଆ ମଣିଷ, ବାରମ୍ବାର ପଚାରିବା ସତ୍ୱେ ଉତ୍ତର ନ ଦେଉଥିବାରୁ ମୁଁ ଚିଡି ଯାଉଥାଏ । ୟା ପାଇଁ ଆଜି ଅଫିସ ବନ୍ଦ ହେଲା,ଇୟେ ସିନା କିଛି କହିଲେ ମୁଁ କ'ଣ କରିପାରିବି, ନ ହେଲେ ?

ୟାକୁ ବି ଘରକୁ ନେଇ ହବନି, ଘରେ କହିବେ କାହାକୁ ଗୋଟିଏ ନେଇ ଆସିଲା, କୋଉ ସାଙ୍ଗ ଘରକୁ ନେବା କଥା ଭାବିବା ବି ଭୁଲ । କ'ଣ କରିବି ? ଶେଷକୁ ନିଷ୍ପତ୍ତି ନେଲି, ଥାନା ରେ ଦେଇଦେଲେ କଥା ସରେ,କିଏ ଏ ଝାମେଲା ରେ ପସିବ,ଶଳା...ଯାହା ପଚାରୁଛି କିଛି କହୁନାହିଁ,ଖାଲି ଦେହ କୁ ମୋ ପାଖରେ ଲଗେଇ ବସୁଛି । ଯେମିତି କି ମୋତେ ଆଗରୁ ଜାଣିଛି କିମ୍ବା ମୋ ଉପରେ ତା'ର ଅଗାଧ ବିଶ୍ୱାସ ।


ଯିଏ ପାଗେଳି,ଯାହାର ହିତାହିତ ଜ୍ଞାନ ଲୋପ ପାଇଛି, ଉଲଗ୍ନ ହେଇ ବୁଲୁଛି,ଯାହା ପଚାରିଲେ କିଛି କହୁନାହିଁ ସେ ମୋ ଦେହରେ ଲାଗି ବସିବା, ଜାବୁଡ଼ି ଧରିବା, କାହିଁକି କେମିତି କେମିତି ଲାଗୁଛି। ୟାକୁ ଥାନା ରେ ଦେଲେ ଠିକଣା କଥା ବାହାରିବ । ତା'ର ହାତ କୁ ମୁଁ ଧରିଲି, କାଇଁ ରିଆକ୍ସନ‌ ତ ନାହିଁ । ଆଉ ସେ ଆଗ ଅପେକ୍ଷା ଅଧିକ ଖୁସି ଥିବା ଜଣା ପଡୁଥାଏ । 


ମୋ ସାଙ୍ଗ ପୋଲିସ କନେଷ୍ଟବଳ ଥାଏ, ତାକୁ ଏ ବିଷୟରେ ଜଣାଇଲି, ଅଧିକ ଘଣ୍ଟା ଭିତରେ ଜଣେ ଲେଡି କନେଷ୍ଟବଳ କୁ ଧରି ଷ୍ଟେସନ୍ ରେ ହାଜର । ମୁଁ ତାକୁ ତାଙ୍କ ପାଖରେ ଛାଡି ଯିବାକୁ ବସେ ତ ଲେଡି କନେଷ୍ଟବଳ କହିଲେ - କୁଆଡେ ଯାଉଛନ୍ତି ?


ମୁଁ- ମୋ ଦାଇତ୍ୱ ସରିଲା,ଆଉ କ'ଣ କରିବି ?

ଲେ.କ - ଠିକ୍ କଥା ଯେ, ହେଲେ ଏ ତ କିଛି କହୁନାହିଁ ବୋଲି ଫୋନ୍ ରେ କହୁଥିଲ, ଏତେ ଭଲ କାମ ଟିଏ କରିଛ, ଆମକୁ ଟିକେ ସହଯୋଗ କର,ଥାନା କୁ ଯାଇ ରିପୋର୍ଟ କର।

ମୁଁ ମୋ ସାଙ୍ଗ କୁ କରୁଣ ଦୃଷ୍ଟି ରେ ଅନେଇଲି, ସେ ମଧ୍ୟ ସମାନ‌ କଥା କହିଲା ।

ହଉଟିଏ ମାରି ଝିଅ କୁ ଧରି ପୋଲିସ ଷ୍ଟେସନ କୁ ଗଲି, ରିପୋର୍ଟ ଲେଖିସାରିଲା ପରେ ଯେତେବେଳେ ଥାନା ରୁ ବାହାରି ଆସିଲି ହଠାତ୍ କାହାର କାନ୍ଦିବା ଶବ୍ଦ ଶୁଭିଲା । ମୋ ସାଙ୍ଗ ମୋତେ ଡାକୁଛି ଆରେ ରୋହିତ........ ରୋହିତ ପୁଣି ଥାନା କୁ ଯିବାରୁ କାନ୍ଦ ବନ୍ଦ । ଇନ୍ସ ପେକ୍ଟର ପଚାରିଲେ - ସତ କହିଲ, ୟାକୁ ଚିନ୍ହିଚ ?


ମୁଁ- ଚିହ୍ନିଥିଲେ ଏଠାକୁ କାହିଁକି ଆସିଥାଆନ୍ତି ।

ଇଂସ୍ପେକ୍ଟର - ଆପଣ ଥିଲାବେଳେ କାନ୍ଦୁନି, ଗଲାବେଳେ କାନ୍ଦୁଛି 


ମୁଁ- କ'ଣ କରିବି ?

ସେ ଝିଅ ମୋତେ ଦେଖି ମୋ ପାଖକୁ ଚାଲି ଆସିଲା ମୋତେ ମାଡିବସି ଜୋରରେ କାନ୍ଦିବାକୁ ଲାଗିଲା, ମୁଁ ଯେମିତି ତା'ର ଅତି ନିଜର । ଗୋଟିଏ ଅପ୍ରିତୀକର ପରିସ୍ଥିତି ରେ ପଡିଗଲି।

ବେ, ଶଳା , ଜୀବନରେ କୋଉ ଝିଅକୁ ପ୍ରେମ କରିନି ଆଉ ଇଏ ଯେମିତି ହଉଛି ଯିଏ ଦେଖିବ କହିବ ଇଏ ପରା ସ୍ବାମୀ ସ୍ତ୍ରୀ ।

ଛିଃ.. ଆଜି କାହା ମୁହଁ ଦେଖି ମଣିଷ ଘରୁ ବାହାରି ଥିଲା ।

ବହୁତ ବୁଝାସୁଝା ପରେ ମଧ୍ୟ ଝିଅ ଟି ମୁହଁ ଖୋଲୁନି , ଖୋଲୁଛି ତ ଖାଲି ଭେମା ରଡି ଛାଡୁଛି । 

ଥାନା ରେ ଏଭଳି ସ୍ଥିତି ଦେଖି ଓଲଟା ମୋତେ ବୁଝାଇବାରେ ଲାଗିଲେ । ଆଇଆଇସି ଆସି କହିଲେ- ତୁମେ ରିପୋର୍ଟ ଦେଇଛ, କିଛି ଅସୁବିଧା ନାହିଁ, ଆମେ ତୁମ ସହିତ ଅଛୁ,ତୁମ ସାଙ୍ଗ ପରା ଆମ ଷ୍ଟାଫ୍।


ମୁଁ- କ'ଣ କହୁଛ ସିଧା ସିଧା କୁହନ୍ତୁ । 

ଆଇଆଇସି- ଦେଖ, ଝିଅଟି ର ଅବସ୍ଥା ବର୍ତ୍ତମାନ ଏମିତି ୟାକୁ କୋଉଁଠିକି ପଠେଇ ହେବନି, କିଛି ବି କରିହେବ ନାହିଁ, ମୁଁ ସବୁ ଫାଇଲ୍ ଦେଖି ସାରିଲେଣି, ଏଭଳି ଝିଅ ମିସ ହେବାର କେସ ଆମକୁ ମିଳିନି । ବୋଧେ ଝିଅଟି ନିଖୋଜ ହେବାର ଚବିଶ ଘଣ୍ଟା ପୁରିନି ଯାହା ଜଣାପଡୁଛି ଝିଅଟି ତୁମକୁ ବେଶ୍ ଭଲ ଭାବରେ ଜାଣିଛି ।


ମୁଁ- ମୋତେ ସେ ଜାଣିଛି କିନ୍ତୁ ମୁଁ ତାକୁ ଚିହ୍ନି ନାହିଁ ।

ଆଇଆଇସି- ହଁ, ତୁମେ ପରୋପକାର କାର୍ଯ୍ୟ କରୁଛ ବହୁତ ଭଲ କଥା, ଆପଣଙ୍କ ବିଷୟରେ ଆପଣଙ୍କ ସାଙ୍ଗ ସବୁ ଆମକୁ କହିସାରିଛି,ଆଉ ଯଦି ଆପଣ ଆଉ ଦି'ପାଦ ଆଗେଇ ହେଲ୍ପ କରିବ , ତେବେ ଏ ଅବଳା ଝିଅଟି ତା'ଘରକୁ ଯାଇ ପାରିବ ।


ମୁଁ- କୁହନ୍ତୁ, କ'ଣ କରିବି ?

ଆଇଆଇସି- 'ହୋମ୍ ସୁଇଟ୍ ହୋମ୍' ସୋସିଆଲ ଅର୍ଗାନାଇଜେସନ୍ ସହ କଥା ହେଇଛି, ତାଙ୍କର ମତ ଯଦି ଝିଅ ଟି କାହାକୁ ଚିନ୍ହିପାରନ୍ତାନି ତେବେ ସେ କିଛି କରିପାରନ୍ତେ, ଯଦି ଏଭଳି ଅବସ୍ଥାରେ ତାକୁ ହୋମ୍ ସୁଇଟ୍ ହୋମ୍ କୁ ନିଆଯାଏ ତେବେ ଏ ଝିଅ ବହୁତ ଅସୁବିଧା କରିବ, ତା' ଛଡ଼ା ଏ ତ ଆପଣଙ୍କୁ ଅତି ନିକଟରୁ ଜାଣିଲା ଭଳି ଲାଗୁଛି, ଯଦି ଆମ ପାଖକୁ ଏଭଳି ସୂଚନା ଆସେ ଆମେ ଆପଣଙ୍କୁ ଜଣାଇବୁ । ଆପଣ ଏତେ କଷ୍ଟ ସହିଲେଣି, ତା'କୁ ଘରକୁ ନେଇ ଯାଆନ୍ତୁ, ସେଠି ଆପଣଙ୍କ ବାପା, ମା' ଅଛନ୍ତି, ସେଠି ରହୁ, ଆମ ଷ୍ଟାଫ୍ ସବୁଦିନ ସକାଳୁ ଯାଇ ରିପୋର୍ଟ କରିବ ।

ମୋ ସାଙ୍ଗକୁ - ଯାଅ ଅଫିସ୍ ଗାଡ଼ିରେ ତାଙ୍କ ଘରକୁ ଛାଡି ଆସ ।


ଲମ୍ବା ହଁ ଟିଏ ମାରି ତାକୁ ସାଙ୍ଗରେ ଧରି ଆସିଲି, ମନେ ପଡୁଥାଏ ଘରର ସଂସ୍କାର, ଅଜଣା ଅଶୁଣା ଝିଅ କୁ ଧରି ଘର କୁ ଯାଉଛି, ଯିଏ ପଚାରିଲେ କହିବି କ'ଣ ନା ପରୋପକାର କରୁଛି । ବାପା, ବୋଉ ଦେଖିଲେ କ'ଣ ଭାବିବେ, ଏକଥା ଭାବିଲା ବେଳକୁ ଦେହ କ'ଣ ହେଇଯାଉଛି । ଆଜି ଅଫିସ ପଳେଇ ଥିଲେ ଭଲ ହେଇଥାନ୍ତା, ଏମିତି ଭାବିବା ଭିତରେ ମୋବାଇଲ ଆଡ଼କୁ ହାତ ଗଲା, ଦେଖେ ସୁଇଚ୍ ଅଫ୍ । ସକାଳେ ବଡ଼ବାବୁ ଙ୍କୁ ମେସେଜ କଲାପରେ ଘଡଘଡି ମାରୁଥିବାରୁ ମୋବାଇଲ ସୁଇଚ୍ ଅଫ୍ କରିଦେଇଥଲି । ମୋବାଇଲ ଅନ୍ କଲି, ଅଶୋକ ବାବୁ ଙ୍କ ର ପଇଁତିରିଶ ଟା କଲ୍ ଆସିଛି।

ମନକୁ ପାପ ଛୁଇଁଲା, କ'ଣ କିଛି ଅସୁବିଧା ହେଲା କି ? ତାଙ୍କ ଦେହ ଭଲ ଅଛି ତ ? ସେ ଫୋନ୍ କାହିଁକି ଉଠଉ ନଥିଲେ, ଆଉ ଆଜି ଏତେ ଗୁଡିଏ କଲ୍ । ଏସବୁ ଭାବନା ଭିତରେ ପୁଣି ରିଂ ହେଲା ମୋ ମୋବାଇଲ। ଡରଡର ହେଇ ଫୋନ୍ ଉଠାଇଲି -

ହାଲୋ-

ଅଶୋକ ବାବୁ - ରୋହିତ ?

ମୁଁ - ଆଜ୍ଞା, ସାର୍ କୁହନ୍ତୁ ।

ଅ.ବା - ତୁମ ଫୋନ୍ ଲାଗୁ ନ ଥିଲା କାହିଁକି ? ( କଡ଼ା ସ୍ୱର ରେ )

ମୁଁ - (ଡରି ଯାଇ) କ'ଣ ହେଇଛି, କୁହନ୍ତୁ ?

ଅ.ବା - ଜାଣିଛ , ଅଫିସରେ ତୁମକୁ କେତେ ଖୋଜିଲି,ବଡ ବାବୁ କହିଲେ ତୁମର କ'ଣ ଆଜି ଇମରଜେନ୍ସୀ କାମ ଅଛି ତୁମେ ଆଜି ଆସିଲନି (କାନ୍ଦ କାନ୍ଦ ସ୍ୱର ରେ) ତୁମକୁ କେତେ ଭଲପାଏ ଜାଣିଛ, ତୁମକୁ ମୁଁ ମୋ ପରିବାର ଗୋଟିଏ ସଦସ୍ୟ ବୋଲି ଭାବେ । କୋଉଠି ଅଛ ?

ମୁଁ - ଘରକୁ ଯାଉଛି, ଆଉ ଦୁଇ କିଲୋମିଟର ଅଛି ।

ଅ.ବା - ଷ୍ଟେସନ ପାଖରେ ମୁଁ, ଆସି ଦେଖାକର ।

ଷ୍ଟେସନ ପାଖରେ ପହଁଚି ଗାଡିରୁ ଓଲ୍ହାଇ ସାର୍ ଙ୍କ ପାଖକୁ ଗଲି । ସାର୍ ମୋତେ ଦେଖି ଜୋରରେ କାନ୍ଦିବାକୁ ଲାଗିଲେ, ସବୁ ସରିଗଲା ରୋହିତ ।

ମୁଁ - କ'ଣ ହେଇଛି ସାର୍ କୁହନ୍ତୁ, ଦି'ଦିନ ହେଲା ଆପଣଙ୍କ ଫୋନ୍ ଲାଗୁନି ।

ଅ.ବା - କ'ଣ କହିବି,ମୋ ଝିଅ ଗତ କାଲି ଠାରୁ କୁଆଡେ ଚାଲିଯାଇଛି ?

ତାକୁ ଖୋଜି ଖୋଜି ତୁମ ପାଖକୁ ଆସିଛି ।

ଏତିକି ବେଳେ ଗାଡିରୁ ଡେଇଁ ପଡିଲା ସେ ଝିଅଟି, ଆଉ ଦୋଉଡି ଆସି ବାପା ବୋଲି କହି ଅଶୋକ ବାବୁ ଙ୍କୁ କୁଣ୍ଢେଇ ଧରିଲା ।

ବର୍ତମାନ ମୁଁ ସବୁ ଉତ୍ତର ପାଇ ସାରିଥାଏ । ଅଶୋକ ବାବୁ ଙ୍କୁ ମୁଁ କହିବା ପୂର୍ବରୁ ଥାନା ବାଲା ସବୁ କଥା ଉପସ୍ଥାପନା କରିଦେଲେ । 


ସାତ ଦିନ ପରେ , ଅଶୋକ ବାବୁ ସପରିବାର ସହିତ ଆମ ଘରେ ପହଁଚିଲେ ।ସେ ଯେଉଁ କଥା କହିଲେ ଘଟଣା ଟି ଏପରି ।

ଅଶୋକ ବାବୁ ଘରୁ ଫୋନ୍ ଆସିଲା ଝିଅ ର ମୁଣ୍ଡ ବିନ୍ଧୁଛି, ଶୋଇପାରୁନାହିଁ । ସେଥିପାଇଁ ସେ ଛୁଟି ନେଇ ଘରକୁ ଯାଇଥିଲେ । ତା'ପର ଦିନ ଡକ୍ଟରଙ୍କୁ ଦେଖାଇବାକୁ ବୁକ୍ ମଧ୍ୟ କରିଥିଲେ । କିନ୍ତୁ ରାତିରେ ହିଁ ଝିଅ ନିଖୋଜ ହେଇଗଲା । ତା'ପର ଘଟଣା ମୁଁ କହିସାରିଛି । ମୋ ଠାରୁ ଝିଅ କୁ ନେଲା ପରେ ଡକ୍ଟରଙ୍କୁ ଦେଖେଇଲେ, ଡକ୍ଟର କହିଲେ ଅଧିକ ରାତି ପର୍ଯ୍ୟନ୍ତ ପଢ଼ିବା/ ନ ଶୋଇବା/ସବୁବେଳେ ବହି କଥା ଭାବିବା ,ସମାଜ ରୁ  ବିଛିନ୍ନ ହୋଇ ରହିବା ଭଳି ଜୀବନ ଯାପନ‌ ଶୈଳୀ/ସୋସିଆଲ ମିଡ଼ିଆ ରେ ଅଧିକ ସମୟ କାଟିବା , ଏ ସବୁ ମାନସିକ ବିକୃତି ଆଡ଼କୁ ଟାଣି ନିଏ, ପାଠ ପଢିବା ରେ ଅସୁବିଧା ନାହିଁ ଶରୀର ପ୍ରତି ସଚେତନତା ରହିବା ଦରକାର । ଏକଥା ଧ୍ୟାନ ରଖିବା ଦରକାର ଯେ ସୁସ୍ଥ ମନ ହିଁ ସ୍ମରଣ ଶକ୍ତି ବଢାଇଥାଏ । ଜଣେ ବିଦ୍ୟାର୍ଥୀ କୁ ସଠିକ୍ ସମୟରେ ନିଦ ନିହାତି ଦରକାର , ନିଦ ସାଥିରେ ଖେଳିବାର ଦୁଃସାହସ କରୁଣ ପରିସ୍ଥିତି କୁ ଟାଣି ନିଏ ।


ଆଉ ବାକି ରହିଲା ସେ ଝିଅ ମୋତେ ଛାଡ଼ୁନଥିଲେ କ'ଣ ପାଇଁ,ମୋ ପାଖାପାଖି କାହିଁକି ରହୁଥିଲେ ?

ଉତ୍ତର - ଅଶୋକ ବାବୁ ମୋତେ ଜ୍ୱ।ଇଁ କରିବା ପାଇଁ ମୋ ଅଗୋଚର ରେ ମନେ ମନେ ସ୍ଥିର କରିଥିଲେ । ଏକଥା ତାଙ୍କ ଘର ଲୋକେ ସମସ୍ତେ ଅବଗତ ଥିଲେ ଆଉ ଝିଅ ଫେସବୁକ ରେ ମୋ ଫ୍ରେଣ୍ଡ୍ ନଥାଇ ମଧ୍ୟ ମୋତେ ସବୁବେଳେ ଫେଲୋ କରନ୍ତି । ଯେହେତୁ ସେ‌ ମୋର ପ୍ରତିଟି ପୋଷ୍ଟ ଦେଖନ୍ତି ମୋତେ ଚିନ୍ହିବାରେ ତାଙ୍କୁ ଅସୁବିଧା ହେଲା ନାହିଁ । ଆଉ ଡକ୍ଟର ଦେଇଥିବା ମେଡିସିନ ଖାଇ , ତିନିଦିନ ଜୋର ଦାର ନିଦ ନେଲା ପରେ ସେ ସାମାନ୍ୟ ସ୍ଥିତି କୁ ଆସିଗଲେ ।


ଖୁସି ର କଥା ଆମର ନିର୍ବନ୍ଧ ହେବାକୁ ଯାଉଛି , ଆଉ ବାହାଘର କୁ ବି ନିଶ୍ଚିତ ଜଣାଇବି ।


ସନ୍ତୋଷ ସ୍ୱାଇଁ

ଜଗତସିଂହପୁର

+୯୧ ୭୩୭୭ ୩୩୩୩ ୧୦


Rate this content
Log in

Similar oriya story from Classics