ସତ୍ତା
ସତ୍ତା
ଝର୍କା ସେପଟେ ଚେନାଏ ଆକାଶର କାନ୍ଭାସ୍ ରେ ବଦଳୁଥାଏ ରଙ୍ଗ ।ଖିଆଲୀ ଚିତ୍ରକର ନିବିଷ୍ଟ ମନରେ କେତେବେଳେ ଛିଞ୍ଚି ଦେଉଥାଏ ଖରାପାଇଁ ହାଲୁକା ହଳଦିଆ ରଙ୍ଗ ତ କେତେବେଳେ ଗାଢ କଳା ରଙ୍ଗ ମେଘ ପାଇଁ। ସେଇ ରଙ୍ଗ ବଦଳାକୁ ଲତିକା ଦେଖୁଥାନ୍ତି ନିବିଷ୍ଟ ମନରେ ।ଆଶାଢର ଶେଷ ଅପରାହ୍ଣରେ ମେଘର ଏଇ ଖରାଛାଇ ଖେଳ ଭଳି ଏବେ ତାଙ୍କ ଜୀବନ ନାଟକରେ ବଦଳି ଚାଲିଛି ପ୍ରେମ ଆଉ ଘୃଣାର ଦୃଶ୍ଯ ବିନା ଯବନିକା ପତନରେ ।କୁହାଯାଏ ପ୍ରେମର ଶକ୍ତି ହିଁ ସବୁଠୁ ଶ୍ରେଷ୍ଠ ଏଇ ଜଗତରେ ।ସେତିକି ବିଶ୍ବାସରେ ସେ ଚାଲି ଆସିଛନ୍ତି ବୋହୂ ହେଇ ଅସିତ୍ଙ୍କର ହାତ ଧରି ।ପଛରେ ଛାଡି ଆସିଛନ୍ତି ତାଙ୍କ ଗୌରବମୟ ଅତୀତ ।ଭରପୁର ସ୍ନେହର ମହଲରେ ବଢିଥିବା ତାଙ୍କ କୁଆଁରୀ ମନଟି ଯେତେବେଳେ ସ୍ବପ୍ନର ନାୟକକୁ ଭଲ ପାଇବସେ ସେତେବେଳେ ଜାତି କଥାଟା ଭାବିବା କଣ ନିହାତି ଜରୁରୀ ଥିଲା ?ମୁନି ପରାଶର ତେବେ ସତ୍ଯବତୀଙ୍କ ପ୍ରେମରେ ପଡି କଣ ଭୁଲ୍ କରିଥିଲେ ?ଶବର ଝିଅକୁ ବ୍ରାହ୍ମଣ ହୋଇ ଶୃଙ୍ଗାର କଲେ କେମିତି ?ସେଇ ପ୍ରେମର ଅମୃତ ଫଳ ବ୍ଯାସଦେବ ସାରା ଜଗତକୁ ଏବେ ବି ଅଜ୍ଞାନତା ଭେଦୀ ଆଲୋକର ରାସ୍ତା ଦେଖା ଚାଲିଛନ୍ତି ତ ! ତେବେ ସେ ପଟ୍ଟନାୟକ ଘର ଝିଅ ବ୍ରହ୍ମଣ ଘର ବୋହୂ ହେଇ ଏମିତି କଣ ଭୁଲ୍ କଲେ ?
ସେପଟୁ ଶାଶୁଙ୍କ ପାଟି ଶୁଭିଲା।"ଆଲୋ ନବାବ ଘର ଝିଅ ,ବାସନ ମଜା କେତେବେଳେ ହବ ?ମୁଁ ସନ୍ଧ୍ଯା ଦେବିନି କି ?"
ଏମାନେ ବ୍ରାହ୍ମଣ ବୋଲି ତାଙ୍କୁ ଘରେ ପୁରାନ୍ତିନି ।ସେ ଉଚ୍ଚ ଶିକ୍ଷିତା।ଦେଖିବାକୁ ବି ସୁନ୍ଦର ।ଘର କରଣା ଅନେକ କାମ ସେ ଜାଣନ୍ତି ନିଖୁଣ ଭାବେ ।କେବଳ ଜାତି ଯୋଗୁ ସେ ରହନ୍ତି ବାଡିପଟ ଗୋଟେ ଘରେ ।ଅସିତ୍ ଘରର ବଡପୁଅ ପୁଣି ଅଫିସର୍ ।କିନ୍ତୁ ସେ ବାଡିଘରେ ରହନ୍ତି ।ଘର ଓଳା ,ବାସନ ମଜା ଏଇ ସବୁ କାମ କରନ୍ତି ।ବୋହୂ ହେଇ ବି ତାଙ୍କୁ ମିଳେନି ସ୍ବୀକୃତି ।ତାଙ୍କ ଯୋଗୁ କାଳେ ସାତ ପୁରୁଷ ଅଶାନ୍ତି ବୋଲି ଦେଖେଇ ଶୁଣେଇ କହନ୍ତି ଏ କଥା ଘରର ସମସ୍ତେ ।
ସେଇ ଅପମାନ ଭିତରେ ସେ ବଞ୍ଚିବାକୁ ଅଭ୍ଯାସ କରନ୍ତି ନିଜ ପ୍ରେମକୁ ପାଥେୟ କରି ।
ବହୁତ ସ୍ପଷ୍ଟବାଦୀ ଅସିତ୍ ।ତାଙ୍କର ଏଭଳି ପରିତ୍ଯକ୍ତ ଜୀବନ ସେ ପସନ୍ଦ କରି ପାରନ୍ତିନି ।ଦୃଷ୍ଟ ପ୍ରତିବାଦ କରନ୍ତି ।କିନ୍ତୁ ପ୍ରେମ କରୁଥିବା ହୃଦୟ ଝରଝର ଝରଣାଟି ଭଳି ଜଣକ ପାଇଁ ଝରେ ସିନା ,କିନ୍ତୁ ନିଜକୁ ବ୍ଯାପ୍ତ କରିବାର ତୃଷ୍ଣାଟିଏ ତାକୁ ଟାଣିନିଏ ବିଶାଳତା ଆଡକୁ ।ଅନେକ ବୁଝାନ୍ତି ଲତିକା ଅସିତ୍ଙ୍କୁ ।"ତୁମକୁ ଭଲ ପାଇଛି ଯେତେବେଳେ ,ତୁମ ବାପାମା ,ଭାଇ ଭଉଣୀ ,ତୁମ ଘର ପରବେଶ ସବୁ ମୋର ଏକାନ୍ତ ଆପଣାର ।ପ୍ରେମରେ ସଂକୀର୍ଣ୍ଣ ହେଇ ହୁଏନା ।"ଶୁଷ୍କ ମରୁ ଭଳି ଜୀବନରେ ଅସିତ୍ଙ୍କ ଛାତିରେ ଟିକେ ଆଶ୍ରୟ ଓଏସିସ୍ ଭଳି ଅନୁଭବ ହୁଏ ।ଦେହରେ ପ୍ରେମ ନଥାଏ ସିନା ହେଲେ ମନକୁ ଆଶ୍ରୟ ଦିଏ ଦେହ ।
କିନ୍ତୁ ସେ ତ ରହିପାରନ୍ତିନି ସବୁବେଳେ ।କେବଳ ଛୁଟୀରେ ଆସନ୍ତି ।ଏତେ ବଡ କ୍ବାଟର୍ ତାଙ୍କର ।ଏଠି ଅବହେଳାରେ ପଡିବା ଅପେକ୍ଷା ସେଇଠି ଯାଇ ରହିବାକୁ ବାଧ୍ଯ କରନ୍ତି ।କିନ୍ତୁ ଯିଏ ହୃଦୟ ଜୟ କରିବାକୁ ବାହାରିଛି ତାକୁ କଣ ପଛଘୁଞ୍ଚା ଭଲ ଲାଗେ ।
ହେଲେ ସେଇଟା କଣ ଏତେ ସହଜ !
ସେଥର ପୂଜା ଛୁଟୀରେ ଘର ଭର୍ତି ଲୋକ ।ବନ୍ଧୁ ବାନ୍ଧବଙ୍କ ସାମ୍ନାରେ ଲତିକା ସତେ ଅବା ଗୋଟେ ଦର୍ଶନୀୟ ବସ୍ତ।କାରଣ ବ୍ରାହ୍ମଣ ଘରେ କରଣ ଘରର ଝିଅ ବୋହୂ ହେଇଛି ।ସମସ୍ତଙ୍କ ମୁହଁ ମୋଡା ଟୀକା ଟିପ୍ପଣୀ ଶୁଣି ନଶୁଣିଲା ଭଳି ହଜମ କରୁଥାନ୍ତି ସେ ।ଆଉ ଘରର ଏଇ ଅବସ୍ଥା ପାଇଁ ଲତିକା ହିଁ ଦାୟୀ ବୋଲି ଶାଶୁ ସ୍ପଷ୍ଟ ଭାବେ ପ୍ରଚାର କରୁଥାନ୍ତି ।ଶଶୁର ତ ତାଙ୍କୁ କଥା କହନ୍ତିନି ।ମୋ ବଡପୁଅକୁ ବାହାହେଇ ସାତ ପୁରୁଷକୁ ନର୍କକୁ ପଠେଇଲା ଏଇ ଖରାପ ଝିଅଟା ବୋଲି ସେଇ ଆରମ୍ଭରୁ କହି ସାରିଛନ୍ତି ।ସେଇଭଳି ଦୃଷ୍ଟିରେ ଦେଖନ୍ତି ବି ।ତାଙ୍କର ଏଇ ଦୃଢ ବିଶ୍ବାସ ଆଗରେ ଲତିକାଙ୍କ ପ୍ରେମ ସତେ ଅବା ଦୁର୍ବଳ ହେଇଯାଏ ।ପ୍ରେମର ଅସ୍ତ୍ର ଧରି ହୃଦୟ ଜୟ କରିବାକୁ ଆସିଥିବା ତାଙ୍କ ଗୌରବମୟ ମନ ସତେ ଅବା ପରାଭୂତ ହେଇଯାଏ !!
ଶରତର ନିର୍ମଳ ଜହ୍ନରାତି ।କୁଅ ମୂଳେ ସେ ଆଉ ଅସିତ୍ ।ପରିସ୍ଥିତି କିଛି ବି ବଦଳୁନି ଦେଖି ମେଘୁଆ ଆକାଶ ଭଳି ଦୁହିଁଙ୍କ ମନ ଭାରାକ୍ରାନ୍ତ ।ହାୟ ପ୍ରେମ ଆଉ ତୋ ଦ୍ବାରା ଆକ୍ରାନ୍ତ ପ୍ରେମୀ !! ସବୁଠି କଣ ବିଷ ହିଁ ପିଇବାକୁ ହୁଏ ?ବିଷ ଭିତରେ ବିନ୍ଦୁଏ ଅମୃତ ସୄଂକ୍ରମିତ ହେଇଥିଲା ଲତିକାଙ୍କ ଗର୍ଭରେ ।
"ତୁମେ ତ ବିଜ୍ଞାନର ଛାତ୍ରୀ ।ପିଲାଟି ପାଇଁ ହେଲେ ଏଥର ମୋ ସାଥୀରେ ଚାଲ ଏଥର ।ମୋଠୁ ଅଧିକ ଏସବୁ ତୁମେ ବୁଝ ।"
ରିକ୍ବେଷ୍ଟ କରୁଥିଲେ ଅସିତ୍ ।ସେ ଭଲ କି ଜାଣଛନ୍ତି ଯେତେ ଚେଷ୍ଟା କଲେ ବି ଘର ଲୋକେ ବୁଝିବେନି ।ଏ ଅବସ୍ଥାରେ ଛାଡିଗଲେ ଲତିକାଙ୍କ ଦେହ ଆହୁରି ଖରାପ ହେଇଯିବ ।କିନ୍ତୁ ହୃଦୟ ଜିତିବାର ନିଶା ଆଉ ସଫଳ ବଡବୋହୁ ହେବାର ସ୍ବପ୍ନରେ ସେ ଅସିତ୍ଙ୍କ ଅନୁରୋଧକୁ ଟାଳି ଦିଅନ୍ତି ।
ଘରର ସବୁକାମ କଲେ ବି ରୋଷେଇ ଘରୁ ପାଣିଗ୍ଳାସ୍ଟେ ନେଇ ପିଇବା ତାଙ୍କପାଇଁ ମନା ।ଏଇ ସମୟରେ ଅରୁଚି ହୁଏ ।ହେଲେ ସେମାନଙ୍କ ପସନ୍ଦର ଖାଇବା ହିଁ ମିଳେ ।ଅସିତ୍ ସେଥର କିଛି ଡ୍ରାଏ ଫୁଡ୍ ଆଣିଥିଲେ ।କିନ୍ତୁ ସାନ ଭାଇ ଭଉଣୀ ଥାଉଥାଉ ଏକା ମାଈପକୁ ନେଇ ଦଉଛି ବୋଲି ଭଲକି କଥା ଶୁଣିଲେ ।ଧୀରେ ଧୀରେ ନିଜକୁ ସତେ ଅବା ଅଦରକାରୀ ମନେ କରନ୍ତି ଲତିକା ।ଅଦରକାରୀ ଜିନିଷକୁ ଘରେ ଯାଗା ମିଳେ ।କିନ୍ତୁ ଅଦରକାରୀ ମଣିଷକୁ ?
ବାଧ୍ଯ ହୋଇ ସେଥର ସେ ଚାଲିଗଲେ ଅସିତ୍ଙ୍କ କର୍ମକ୍ଷେତ୍ରକୁ ।ଡେଲିଭରୀ ସମୟରେ ପାଖରେ ନିଜ ଲୋକ ନରହିଲେ ଅସୁବିଧା ।ଏଠିକି ସିନା ବାରଣ ଅଛି ସେଠିକି ତ ତାଙ୍କ ମାଆବାପା ଆସି ପାରିବେ ।ପ୍ରଥମରୁ ବହୁତ ଅଣହେଳା ଯୋଗୁ ପୁଅ ଜନ୍ମ ବେଳକୁ ଯମ ସହିତ ବହୁତ ଲଢେଇ କରିବାକୁ ହେଲା ।ଦରମରା ହେଇ ବେଡ୍ ରେ ପଡିଥିଲେ ସେ ।ପୁଅ କିନ୍ତୁ ସୁସ୍ଥ ଥିଲା ।ପୂର୍ବ ରାଗ ଭୁଲି ଶାଶୁ ଶଶୁର ଦେଖିବାକୁ ଆସିଥିଲେ ନାତିକି ।ହେଲେ ତାଙ୍କ ଅସୁସ୍ଥତା ପାଇଁ ବିବ୍ରତ ଅସିତ୍ଙ୍କୁ ବୁଝେଇ ଦେଇଗଲେ ଯେ ଗୁରୁଜନଙ୍କୁ ଅଶାନ୍ତି କରି ଏମିତି କାମ କଲେ ମୃତ୍ଯୁ ବି ବେଶୀ କିଛି ବଡ ଦଣ୍ଡ ନୁହେଁ ।ଝର୍କା ସେପଟୁ ସ୍ତବ୍ଧ ହୋଇ ଶୁଣୁଥିଲେ ଲତିକା ପ୍ରେମ ନାଟକର ଶେଷ ନିର୍ଦ୍ଦେଶନା।ହୃଦୟ ଜିତିବାକୁ ବାହାରିଥିବା ହଦୟଟାକୁ ଚିରକାଳ ଅତ୍ଯନ୍ତ କୋମଳ କରି ଗଢିଥାଏ ବିଧାତା ।ଏତେ କୋମଳ ଯେ ଟିକେ ବି ଆଘାତରେ ସେ ଝରି ପଡେ ବିନା ସର୍ତରେ ବିବାକ ସେଇ ଯୁଦ୍ଧଭୂଇଁଟାରେ ।ସେଇଠି ଦିନେ ସେ ସ୍ବପ୍ନ ଦେଖିଥିଲା ଗଢିବ ତା ସ୍ବପ୍ନର ମହଲ ।ପ୍ରେମ ମଧୁ ଝରୁଥିବ ତାଙ୍କ ହୃଦୟରୁ କୁନି ଏକ ଫୁଆରା ଭଳି ଆଉ ଜଡେଇ ଯାଉଥିବେ ତାଙ୍କ ପ୍ରିୟ ମଣିଷର ପରିଜନମାନେ ।ହେଲେ ସ୍ବପ୍ନ ଭାଙ୍ଗିଯାଏ ।ପ୍ରେମର ଦୁନିଆରୁ ମୃତ୍ଯୁ ମାଧ୍ଯମରେ ତାଙ୍କୁ ବିଦାୟ ନେବାକୁ ହୁଏ ।ଦୁର୍ବଳ ଶରୀର ଭିତରେ ଘୃଣାର ଉଈ ଚରି ଯାଇଥିବା ତାଙ୍କ ସତ୍ତାଟି ଖୁବ୍ ସହଜରେ ମିଶିଯାଏ ମାଟିରେ ।ଏଇଆ ହିଁ ତ ହବାର ଥିଲା ।କାରଣ ସେ ଥିଲେ ନୀଚ ଜାତିର !!