କି-ହୋଲ୍
କି-ହୋଲ୍
- ଏମାନେ ବିକିବାକୁ ଆସନ୍ତିନି , ଆସନ୍ତି ବିକାଇବାକୁ । ହୁସିଆର।
- ମାନେ ?
- କଥାଛଳରେ ଆଖି ବୁଲାଇନିଅନ୍ତି ଘରଭିତରେ। ଜାଣିନିଅନ୍ତି , କିଏ ଏକୁଟିଆ , କିଏ ଅସହାୟ । ବାସ୍ ଏଠୁ ଯାଇ , ଖବର ପହୁଞ୍ଚାନ୍ତି ଠିକଣା ଥାନରେ। ଶେଷକୁ ମଣିଷ ହାଉହାଉ ହୁଏଯେ' ଏତେ ସିକ୍ୟୋରିଟି ଥାଇବି , ସର୍ବସ୍ୱନ୍ତ ହୋଇଗଲୁ ।
- ସତରେ କଣ ଏମାନେ ଏଡେ ଡେଞ୍ଜର୍ ?
- ସତମିଛ ଖୋଳତାଡ ନକରି , ନିଜ ଆବଶ୍ୟକତା ସବୁର ଚିଠା ବନାଇ ରଖ ଖାଲି । ସହରରେ ହଜାରେ ସପିଂମଲ୍ । ଏସବୁ ଫାଲତୁ ବୁଲାବିକାଳି ମାନଙ୍କ ଚକ୍କର୍ ରେ ପଡି ନିଜକୁ ବିକେଇ ହେବନି କେବେ ।
★★★
ସୁଖର ଜୀବନ ସବୁ ଏବେ ସ୍କୋୟାର୍ ଫୁଟ୍ ରେ ବନ୍ଧା ! ଝର୍କା ମାନଙ୍କରେ ବି ସୁରକ୍ଷାର ଜାଲି ! ଜାଲି ପଛପାଖେ ଦୁନିଆଁର କିଟିମିଟି ଅନ୍ଧାର । କୁଆଡୁ କାହିଁକି ମଣିଷ ପାଇଁ ଆସେ ଭୟ ସତେ ?? ଦୁନିଆଁକୁ ଦେଖିବାକୁ ଏଇମାତ୍ର ରନ୍ଧ୍ରଟିଏ । 'କି-ହୋଲ୍' ।
'ସୁଦୀପ୍ତା'ର ଦୁଆର ଖୋଲିବାର ନଥିଲା। ସେ କେବଳ କି-ହୋଲ୍ ଦେଇ ଝିଅଟିକୁ ଦେଖୁଥିଲା । ଖୁବ୍ ସାଜସଜା ଆଉ ସୁଦ୍ଦୁ ଅସଜଡା ଝିଅ ମାନଙ୍କର ବୟସ ଆକଳନ , ମୁସ୍କିଲ୍ !! ହେଇପାରେ କୋଡିଏରୁ ପଚିଶ୍ । ଓଢଣୀରେ ଘୋଡେଇ ଧରିଛି ସାରାଦେହ । ମୁଣ୍ଡ ମୁହଁ କେମିତି ଗୋଟେ ନୁଖୁରା ନୁଖୁରା । ବଡ ବ୍ୟାଗ୍ ଭିତରେ ଭରିଛି କିଛି । ଅପଲକ ହୋଇ ବିକଳରେ ଚାହିଁରହିଛି ଦୁଆରଖୋଲାକୁ ।
ଅଥଚ 'ସୁଦୀପ୍ତା'ର ଆଦୌ ଖୋଲିବାର ନଥିଲା। ତୃତୀୟ ବାର କଲିଂବେଲ୍ କୁ ଚିପି ଧରିବାରୁ , ଉତକ୍ଷିପ୍ତ ହୋଇ ପଚାରିଲା -
- କିଏ ?
- ମାମ୍ , ପ୍ଲିଜ୍ ଖୋଲନ୍ତୁ ।
- ନାଃ! କିଛି ଦେଖିବାର ନାହିଁ । ଯାଃ ଏଠୁ ।
- ମାମ୍ ପ୍ଲିଜ୍।
ଝିଅଟି ତାକୁ ବାହାରୁ ଦେଖିପାରୁନଥିଲା । କିନ୍ତୁ 'ସୁଦୀପ୍ତା' କି-ହୋଲ୍' ଦେଇ , ଝିଅଟିର ବିକଳତା ଢେର୍ ଉପଭୋଗ କରୁଥିଲା। ଏମିତି ବି 'ସୋମେଶ୍' ଅଫିସ୍ ଆଉ 'ଲିଜୁ' ସ୍କୁଲ ଚାଲିଗଲା ପରେ , ସେ ନିହାତି ବୋର୍ ହେଇପଡୁଥିଲା । କେତେଆଉ ସେ ଟିଭି , ମୋବାଇଲର ଭ୍ରମରେ ପଡିବ ? ଆଜି ଅନ୍ତତଃ ଦୁଆର ଆଗେ ଠିଆହୋଇଛି ଗୋଟେ ସଜୀବ !!
- କ'ଣ ଆଣିଛ ?
- ମାମ୍ ଡ୍ରେସ୍ ପିସ୍ । ଫ୍ୟାକ୍ଟୋରୀ ସେଲ୍ ।ଡିସକାଉଣ୍ଟ । ଡିଜାଇନର୍ ।
ଓଃ! ଲମ୍ବା ହେଉଥିଲା ବିପଣୀ । ବିକିବା ଲୋକଟା ଆଉ ଖରାପ କୁହନ୍ତାକି ? କିଣିବା ଲୋକଟାର ଇଛାଟିଏ ଥିଲେ ସିନା ???
- ନା ନା । ମୁଁ ରେଡିମେଡ୍ ପିନ୍ଧେ । ଦର୍କାର ନାହିଁ । ଫେରିଯା ।
- ମାମ୍ ! ଖୋଲନ୍ତୁ ପ୍ଲିଜ୍ ।
- ଦର୍କାର ନାହିଁ ତ , ପୁଣି ଖୋଲିବି ପୁଣି କଣ ?
- ମାମ୍ ! ମୋର ଦର୍କାର ଅଛି । ପ୍ଲିଜ୍ ।
ଝିଅଟିର ଏଇତକ କଥାରେ , 'ସୁଦୀପ୍ତା' ଧରିନେଲା ଯେ' , ବୋଧେ ଅଧିକା ପ୍ରୋଟେକ୍ସନ ପାଇଁ , 'ସୋମେଶ୍' ତାକୁ ମିଛରେ ବେଳେବେଳେ ଡରାଇଦିଅନ୍ତି । ଝିଅଟିର ବ୍ୟାକୁଳତା ପଛରେ , କିଛି ଦର୍କାରଟେ ଥାଇପାରେ। ସେ ନାରୀ । ପୁଣି ଏକ ବଢିଲା ଝିଅର ମା' ବି । ଯେମିତି ଲାଗିଲା , ଅସୁବିଧାରେ ପଡି , 'ଲିଜୁ' ଆଉ କା' ଦୁଆରେ ଯାଇ ସାହାଯ୍ୟ ମାଗୁଛି। ବାଧ୍ୟ କରାଉଛି । ଘରେ ଲାଗିଛି ସିସିଟିଭି କ୍ୟାମେରା। କଲୋନୀ ଗେଟ୍ ରେ ଚବିଶ୍ ଘଣ୍ଟିଆ ସିକ୍ୟୋରିଟି। ଭିତରକୁ ପଶିଲା ବେଳେ , ନିଜର ବ୍ୟକ୍ତିଗତ ବିବରଣୀ ଆଉ ଫଟୋ ଦେଇ ଆସିଥିବ।
ଦେଖାଯାଉ । ଥରୁଟିଏ ରିସ୍କ ନିଆଯାଇପାରେ 'ସୋମେଶ୍'ଙ୍କୁ ନଜଣାଇ । ଥରେଅଧେ ଦୁନିଆଁ ସହ ମିଶିହେବ 'ସୋମେଶ୍'କୁ ନଜଣାଇ। ଅଧାଦୁଆର ଖୋଲି ,ଖାଲି ମୁଣ୍ଡ କାଢି ପଚାରିଲା -
- ଦର୍କାର କଣ କହ?
- ମାମ୍ ଟିକେ ବାଥରୁମ !!!
- ଆଁଆଁଆଁଆଁ ???
ଏ ଯାଏଁ ସାହସ କେ'କଣ କରିପାରେ ?? ଏଇପରି କିଛି କଥା କ'ଣ କେବେ ସମ୍ଭବ ?? ଘର ତିଆରି ବେଳେ , ବିଲ୍ଡ଼ରକୁ ବାଥରୁମ ଉପରେ ଅଧିକା ଆଟେନସନ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲା 'ସୁଦୀପ୍ତା' । ମଣିଷର ଜୀବିତ ଜୀବନରେ ବୋଧେ , ସବୁଠାରୁ ବଡ ସ୍ୱର୍ଗ ହେଲା ଶୌଚାଳୟ । ଯେଉଁଠି ସେ ନିଜେ ନିଜକୁ ଆବିଷ୍କାର କରିପାରେ । ବାଥରୁମ ଉପରେ କୌଣସି କମ୍ପ୍ରମାଇଜ୍ କରିପାରିନଥିଲା 'ସୁଦୀପ୍ତା' ! ନା ସାଇଜ୍ ରେ , ନା ଆପ୍ଲାଏନ୍ସ ରେ ।
ଆଜି ରାସ୍ତାକଡର ମଣିଷଟେ ଆସି , ତାକୁ ବ୍ୟବହାର କରିବାକୁ ଅନୁମତି ମାଗୁଛି !!!
ଏତେ କୋଣ ଅନୁକୋଣ , ବିସ୍ତୀର୍ଣ୍ଣ ଜାଗାସବୁ , ସର୍ବସାଧାରଣଙ୍କ ଶୌଚାଳୟ , ଏମିତିକି ସେ ସିକ୍ୟୋରିଟିର ଆଉଟପୋଷ୍ଟ ପଡିଛି । ତଥାପି ଏପରି ଇଛାଟିଏ ଜନ୍ମିଲା କେମିତି ସାଧାରଣ ଝିଅଟିର ???
★★★
ଏଇ ବିଭେଦଟେ କେମିତି ବନିଗଲା ସୃଷ୍ଟିର ଆରମ୍ଭରୁ ? ଯଦି ପୁରୁଷ ଆଉ ନାରୀଟିଏ ସମାନ ମଣିଷତ୍ୱ ନେଇ ଜନ୍ମହେଲେ , ପୁରୁଷକୁ ଏତେ ଉନ୍ମୁକ୍ତ ଆଉ ନାରୀକୁ ଏତେ ସଙ୍କୁଚିତ ହେବାପରି , ମାନସିକତାଟେ ପ୍ରଥମେ କେଉଁଠୁ ସୃଷ୍ଟିହେଲା ??? କାହିଁକି ବି ହେଲା ???
ବସ୍ ଜର୍ଣ୍ଣୀକୁ ପସନ୍ଦ କରେନି 'ସୁଦୀପ୍ତା' । କିନ୍ତୁ ବର୍ଷରେ ଥରେ , 'ସୋମେଶ୍'ଙ୍କ ଗାଁକୁ ଯିବାକୁପଡେ। ଭୁବନେଶ୍ୱରରୁ ଚାରିଶହ କିଲୋମିଟର ଡ୍ରାଇଭିଂ କରିବାକୁ ସାହସ କରିପାରନ୍ତିନି 'ସୋମେଶ୍' ! ଅତଏବ ଯିବାକୁପଡେ ରାତ୍ରିବସ୍ ରେ ।
ସେଇ ଯିବାଫେରିବା ବେଳର ଅକଥନୀୟ ଯନ୍ତ୍ରଣାସବୁ ମନେପଡିଯାଏ 'ସୁଦୀପ୍ତା'ର । ବେଳେବେଳେ ଖୁବ୍ ଜରୁରୀ ପଡିଯାଏ ଶୌଚ ହେବା । ନିହାତି ଅସହାୟ ହୋଇପଡେ ସେତେବେଳେ ନାରୀତ୍ୱ ! କୌଣସି ମତେ ନିଜେ ସମ୍ଭାଳିନେଲେବି , କାନ୍ଦକାନ୍ଦ ହୋଇପଡେ 'ଲିଜୁ' । ଗାଡି ଅଟକାଇ ରାସ୍ତାଧାରକୁ ଯିବାପାଇଁ ବାଧାଦେଉଥାଏ ବିବେକ ଆଉ ଚାହିଁ ରହିଥିବା ସମାଜ ! କଷ୍ଟ ପିଇପିଇ ଘର ପହଞ୍ଚିଗଲେ , ଫାଟିପଡେ କୋହ !!! ପ୍ରତିଜ୍ଞାଟିଏ ଭିତରୁ ଆସେ , ଆଉକେବେ ଗାଁ କୁ ନଆସିବାକୁ !
ନିଜେ ଭୋଗିଥିବା ଯନ୍ତ୍ରଣାରୁ ସହାନୁଭୂତ ହୋଇପଡେ ନାରୀ ! ଆପଣାଛାଏଁ ସହଯୋଗପଣ ଉକୁଟି ଆସେ । ଅତଏବ ଢେର୍ ହଁ ନାହିଁ ଭିତରେ , ଦୁଆର ଖୋଲି , ହାତବଢାଇ ଦେଖାଇଦେଲା 'ସୁଦୀପ୍ତା' କମନ୍ ବାଥରୁମ ଆଡକୁ । କେତେବେଳୁ ଏଇ ନିର୍ଦ୍ଦେଶ ଟିକକକୁ ଅପେକ୍ଷାରେ ଥିଲା ଝିଅଟି । ହଜାରେ ସନ୍ଦେହ ନେଇ , ଦୁଆରପାଖେ ଛିଡାହୋଇ ରହିଲା 'ସୁଦୀପ୍ତା' ! କିଛିକଣ ଓଲଟାପାଲଟା ହେଲେ ...
★★★
- ଗୋଟା ପିସ୍ କେତେ ?
- ତିନିଶ' ।
- ତୋତେ କେତେ ମିଳେ ?
- ତିରିଶ୍ ।
- ଦିନକୁ କେତେ ଯାଏ ?
- କିଛି ଠିକ୍ ନଥାଏ ।
- ଆଜି ?
- ଆରମ୍ଭ ହୋଇନି ।
- ହେବନି ଯଦି ଯମା ?
- ଓପାସ୍ । ଆଉକଣ ?
- ଏଯାଏଁ ଖାଇନୁ ?
- ବିକ୍ରି ହେଇନି ଯେ ?
- ଦେବି କିଛି ?
- ନାଇଁ । ଗୋଟେ ପିସ୍ ରଖନ୍ତୁ । କାମବାଲୀକୁ ହେଲେ ଦେଇଦେବେ ।
- ତୁ ତିରିଶ୍ ପାଇଯିବୁ । ନୁହେଁ ?
- ହଁ । ଖାଇନେବି । ଆଉ ...
- ଆଉ ?
- ନିଜପାଇଁ କିଛି କିଣି ନେବି ।
- ଠିକ୍ ଅଛି। ଦୁଇଟା ଦେ । ଦଶରା , ଦୀଆଲୀରେ କାମବାଲୀକୁ ଦେଇଦେଲେ ହେବ । ତୋତେ ବି ଷାଠିଏ ମିଳିଯିବ । ନୁହେଁ ??
- ହଁଅଁ ମା' !
'ମା' ଡାକିଦେଲାରୁ 'ଲିଜୁ'ଲିଜୁ' ଲାଗିଲା ଝିଅଟି !! ଟିକିଏ ଆଖିକୋଣ ଓଦା ହୋଇଆସିଲା 'ସୁଦୀପ୍ତା'ର । ପାଣିବୋତଲଟେ ଆଉ ଛ'ଶ ଟଙ୍କା ଆଣି ଧରାଇଦେଲା , ମୁହଁପାତି ଛିଡା ହୋଇଥିବା ଝିଅଟା ହାତକୁ । କହିଲା -
- ଯା । ବାହାରେ ଢେର୍ ଖରା । ଖାଇନେବୁ ଆଗ ।
କେମିତିକା କୃତ୍ୟକୃତ୍ୟ ହୋଇ ଫେରୁଥିଲା ଝିଅଟି । ନାଁ ଟା ପଚାରିବାକୁ ଇଛା ନଥିଲା 'ସୁଦୀପ୍ତା'ର । ନାଁ ମାନେ ତ ହଜିଯା'ନ୍ତି ଭିଡ ଭିତରେ । କାଲି ହୁଏତ ଆଉକିଏ କଲିଂବେଲ୍ ମାରିପାରେ ଶୌଚ ହେବାକୁ !!!
ହଠାତ ନଜର ପଡିଲା , 'ସୁଦୀପ୍ତା'ର ଝିଅଟି ଦେହରେ ଓଢଣୀଟି ନାହିଁ !!! ଏଥର ଖୁବ୍ ବୟସ୍କ ଲାଗିଲା ପିଲାଟି ! ବାହାରେ ଖରା । ଓଢଣୀ ନଥିବା ଦେହସବୁ ତରଳିଯା'ନ୍ତି ମଣିଷର ଆଖି ଉତ୍ତାପରେ !!
- ହେଏ ଝିଅ ! ରହ ରହ । ତୋ' ଚୁନି ବାଥରୁମରେ ଛାଡିଦେଲୁକି ??
- ନାଃ ମା' !
- ଆଉ ??
- ୟୁଜ୍ କରିଦେଇଛି ।
ଛାତି ଫାଟି ଖଣ୍ଡଖଣ୍ଡ ହୋଇଗଲା 'ସୁଦୀପ୍ତା'ର ଏଥର । କି' ଅଭାବନୀୟ ସମସ୍ୟା ଭିତରେ ନାରୀ ??? ଅଭିମାନ ରେ ପୋତିପକାଇଲା 'ସୁଦୀପ୍ତା' ସାରା ଈଶ୍ୱରୀୟ ସୃଷ୍ଟିକୁ !!!!
ଟିକେ ଆଗରୁ ସେ କହୁଥିଲା ସକାଳୁ ଏଯାବତ କିଛି ବିକ୍ରି ହୋଇନି ବୋଲି !!! 'ସୁଦୀପ୍ତା' ସ୍ନେହଁରେ ଡାକିଲା -
- ଆଃ ଭିତରକୁ ଚୁପଚାପ୍ । ବ୍ୟବସ୍ଥା କରୁଛି ମୁଁ !!!
■ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ■