Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଭିନ୍ନ ଏକ ପ୍ରେମ କାହାଣୀ
ଭିନ୍ନ ଏକ ପ୍ରେମ କାହାଣୀ
★★★★★

© Rasmi Rekha Tripathy

Abstract Drama

8 Minutes   13.9K    15


Content Ranking

ରାଣୀ ଅନ୍ତପୁରକୁ କୌଣସି ପୁରୁଷ ଆସିବା ତ ଦୂରର କଥା, ପୁରୁଷର ଛାଇ ପଡିବା ମଧ୍ୟ ନିଷିଦ୍ଧ ଥିଲା l ରାଜକୁମାରୀ ଥିଲେ ଅସୂର୍ଯ୍ୟଂପଶ୍ୟା l ତାଙ୍କ ପାଇଁ କୌଣସି ଜିନିଷ ଅଦେୟ ନ ଥିଲା l ପାଟିରୁ ବାହାରୁ ବାହାରୁ ବାପା ସବୁ ଜିନିଷ ଆଣି ଗଦେଇ ଦେଇଥାନ୍ତେ, ରାଜକୁମାରୀଙ୍କ ପାଦ ତଳେ l ଅଥଚ ମନ ବଦଳରେ ମନଟିଏ ମାଗିଥିଲେ ରାଜକୁମାରୀ l ଦେଇ ପାରିଲେନି ବାପା ତାଙ୍କର l ତାଙ୍କର ଝିଅ ସାମାନ୍ୟ ଏକ ପ୍ରଜା ସହ ସମ୍ପର୍କ ରଖିବ ? ଗରମ ହୋଇଯାଇଥିଲା ରାଜରକ୍ତ ତାଙ୍କର l ରାଜକୁମାରୀ ପ୍ରତିବାଦ କଲେ l ଫଳରେ ତାଙ୍କ ଉପରେ ଲଗା ହେଲା କଟକଣା l କିନ୍ତୁ ଦବିଗଲେନି ରାଜକୁମାରୀ l ତାଙ୍କ ଦେହରେ ମଧ୍ୟ ବହୁଥିଲା ରାଜରକ୍ତ l କଳେ ବଳେ କୌଶଳେ ନେଇ ଆସିଥିଲେ ତାଙ୍କ ପ୍ରେମୀକୁ ରାଣୀ ଅନ୍ତଃପୁରକୁ l କେତେବେଳେ ଦିନ ଯାଇ ରାତି ଆସୁଥିଲା, ପୁଣି କେତେବେଳେ ରାତିର କଳା ଚାଦରକୁ ହଟେଇ ସୂର୍ଯ୍ୟ ପୃଥିବୀକୁ ଆସୁଥିଲେ ଜଣା ପଡୁ ନ ଥିଲା ଏହି ପ୍ରେମୀଯୁଗଳଙ୍କୁ l ଅଥଚ ରାଜକୁମାରୀ ଅଭିନୟ କରୁଥିଲେ, ସବୁ କିଛି ଭୁଲିଯାଇ ରାଜାଙ୍କ ଅନୁସାରେ ଚଳୁଥିବା ଏକ ପିତୃଭକ୍ତ ଝିଅର l ସୁଖର ଦିନ ସବୁଦିନ ରୁହେନି l ଦିନେ କୌଣସି ଏକ ସୂତ୍ରରୁ ଖବର ପାଇ ଅଚାନକ ଅନ୍ଦର ମହଲରେ ପ୍ରବେଶ କଲେ ରାଜା l ଅନ୍ୟ କୌଣସି ରାସ୍ତା ନ ପାଇ ରାଜକୁମାରୀ ଲୁଚେଇଦେଲେ ତାଙ୍କର ପ୍ରେମୀଙ୍କୁ ଚୁଲି ଉପରେ ବସିଥିବା ବିରାଟ ପାଣି ହାଣ୍ଡି ଭିତରେ l ରାଜାଙ୍କର ସନ୍ଦେହ ବିଜଡିତ ଆଖି ଘୁରି ବୁଲୁଥିଲା ରାଜକୁମାରୀଙ୍କ କୋଠରୀର ଅନ୍ଦିକନ୍ଦି l ହଠାତ୍ ତାଙ୍କର ଦୃଷ୍ଟି ଯାଇ ନିବଦ୍ଧ ହେଲା ଚୁଲିରେ ବସିଥିବା ହାଣ୍ଡିଟି ଉପରେ l ବିଜ୍ଞ ରାଜା ବୁଝି ଯାଇଥିଲେ ସବୁ କିଛି l ଗରମ ହୋଇ ଉଠିଥିଲା ରାଜରକ୍ତ ତାଙ୍କର l ସତରେ କଣ ସେଇଟା ରାଜରକ୍ତ ଥିଲା ? ଜମ୍ମା ନୁହେଁ l ନ ହେଲେ ସିଏ କଣ ନିଜର ମିଛ ପ୍ରତିଷ୍ଠା ପଛରେ ଗୋଡେଇ ଭାଙ୍ଗି ଦେଇଥାନ୍ତେ ଅଲିଅଳ ଝିଅର ମନକୁ ? ଜଳେଇ ଦେଇ ପାରିଥାନ୍ତେ କି ସେହି ଚୁଲିକୁ l ଉପଭୋଗ କରିପାରିଥାନ୍ତେ କି ତା ଭିତରେ ଛଟପଟ ହେଉଥିବା ଗୋଟିଏ ମଣିଷର ବେଦନାକୁ ?

       କେଉଁଠି କେଜାଣି ପଢିଥିଲି ଗପଟିକୁ ମନେ ନାହିଁ l କିଏ ସେହି ରାଜା କିମ୍ବା କେଉଁ ରାଜ୍ୟର ରାଜା ମଧ୍ୟ ସଠିକ୍ ମନେ ନାହିଁ l ତଥାପି ବି ଗପଟି ମୋ ମନରେ ଏକ ତୀବ୍ର ପ୍ରତିକ୍ରିୟା ଭାବ ଜାତ କରେଇଥିଲା l ମୁଁ ଯେତିକି ରାଜାଙ୍କ ଉପରେ ରାଗି ନ ଥିଲି, ତା ଠୁଁ ବେଶୀ ରାଗିଥିଲି ସେଇ ରାଜକୁମାରୀଙ୍କ ଉପରେ l କେମିତି ସେ ରାଜକୁମାରୀ ? ସତରେ କଣ ସିଏ ଭଲପାଉଥିଲେ ? ଯିଏ ଭଲ ପାଏ ସିଏ କଣ ନିଜ ସମ୍ମାନକୁ ଜଗେ ? ଅଥଚ କେମିତି ସିଏ ତାଙ୍କ ପ୍ରେମୀକୁ ନିଜ ପ୍ରେମର ଦ୍ୱାହି ଦେଇ ନିଜର ସମ୍ମାନକୁ ରକ୍ଷା କରିବା ପାଇଁ ଭିକ୍ଷା କରିଥିଲେ ? ଛିଃ………………….l ଅଥଚ ହେ ପ୍ରେମୀ ତୁମେ ଯିଏ ହୁଅନା କାହିଁକି ତୁମେ ମୋର ଚିର ନମସ୍ୟ l ତୁମକୁ ତ କେବେ ବି ଦେଖିପାରିବିନି l କିନ୍ତୁ ତୁମ ପାଇଁ ଗୋଟିଏ ଖୁସି ଖବର l ତୁମର ଦାୟାଦ ତ କହିପାରିବିନି l ତୁମେ ବାସ୍ତବ କି କଳ୍ପନା ମୁଁ ସଠିକ୍ ଜାଣିନି l ଅଥଚ ତୁମର ଏକ ବାସ୍ତବ ରୂପକୁ ମୁଁ ଆଜି ପ୍ରଣାମ କରିବାକୁ ଯାଉଛି l ଆଜି ମଧ୍ୟ ସେହି ରାଜା ଅଛନ୍ତି l ରାଜକୁମାରୀ ବି ଅଛି l ଅଥଚ ତୁମର ପ୍ରତିବିମ୍ବକୁ ରାଜା ନୁହେଁ ବରଂ ତା ନିଜର ମା ଓ ଭଉଣୀମାନେ ହିଁ ହତ୍ୟା କରିଛନ୍ତି l

       ଏ ଯୁଗର ସେହି ରାଜକୁମାରୀଟି ହେଉଛି ରାଣୀ l ମୋ ଦଦେଇଙ୍କ ଝିଅ l ଆମର ତ ବହୁତ ବଡ ପରିବାର l ଆମେ ଭାଇ ଭଉଣୀ ଏକାଠି ହୋଇଗଲେ ଗୋଟିଏ ଭୋଜିଘର ହୋଇଯିବ l ମୋତେ ବହୁତ ଭଲ ପାଏ ରାଣୀ l ମୁଁ ବି ରାଣୀକୁ ବହୁତ ଭଲ ପାଏ l ହୁଏତ ସେହି ଭରସାରେ ସିଏ ଦିନେ ଆସି ହାଜର ହୋଇଗଲା ମୋ ପାଖରେ l ଅଚାନକ ରାଣୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି ମୁଁ l ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟଜନକ ଘଟଣାଟେ ଥିଲା ହିଁ l ରାଣୀ………………..l ସିଏ ପୁଣି ଏକା ଏକା ମୋ ପାଖରେ ? ଅଥଚ ଆଗକୁ ମୋ ପାଇଁ ଆହୁରି ଆଶ୍ଚର୍ଯ୍ୟ ଅପେକ୍ଷା କରି ରହିଥିଲା l ସିଏ ତ ବହୁତ ପରର କଥା l

       ଏମିତିରେ ତ ଝିଅ ବୋଲି ଦଦେଇ ମୋତେ ଜମ୍ମା ଭଲ ପାଆନ୍ତି ନାହିଁ l କିନ୍ତୁ ବିବାହ ପାଇଁ ମୁଁ ରୋକଠୋକ୍ ମନା କରିଦେବା ପରେ ଦଦେଇଙ୍କ ରାଗ ଘୃଣାରେ ବଦଳି ଯାଇଥିଲା l ଏବଂ ଠିକ୍ ତା ପରଠାରୁ ହୁଏତ ରାଣୀ ସହିତ ମୋର ମିଳାମିଶା ବନ୍ଦ ହୋଇ ଯାଇଥିଲା l କିନ୍ତୁ ସେହି ଏକା କାରଣ ପାଇଁ ହିଁ ରାଣୀ ଘର ଛାଡି ଆସିଛି ଜାଣି ଆଶ୍ଚର୍ଯ୍ୟ ଲାଗିଲା ମୋତେ l ମୋ ଜାଣିବାରେ ରାଣୀ ତ କେବେ ବିବାହ ପାଇଁ ବୀତସ୍ପୃହ ନ ଥିଲା ?

         : ତୁମେ କେବେ କାହାକୁ ଭଲ ପାଇଛ ନାନୀ ? ନିଜ ଠାରୁ ବି ଅଧିକ ? ମୋ ଆଖିକୁ ସ୍ଥିର ଦୃଷ୍ଟିରେ ଚାହିଁ ପଚାରୁଥିଲା ରାଣୀ l

       ତାର ଏହି ସିଧା ପ୍ରଶ୍ନରେ ହଡବଡେଇ ଗଲି ମୁଁ l ପ୍ରେମ…………l ଏଇ ଦୁଇ ଅକ୍ଷର ବିଶିଷ୍ଟ ଛୋଟିଆ ଅଥଚ ସୁନ୍ଦର ଶବ୍ଦଟିରେ କେତେ ଯେ ପୁଲକ ଥାଏ, ସେ କଥା ହୁଏତ ଅନୁଭବୀ ହିଁ ବୁଝି ପାରିବ l ଶୁଣିଛି ପ୍ରେମର ଶକ୍ତି ବହୁତ l ପ୍ରେମ ଏମିତି ଏକ ଭାଷା ଯାହାକି ବଧିର ଶୁଣି ପାରେ l ପ୍ରେମ ଏମିତି ଶକ୍ତି ଯାହାକି ଏକ ଅନ୍ଧ ଅନୁଭବ କରିପାରେ l ଅଥଚ ମୋ ପାଇଁ ସେଇଟା ଏକ ନିର୍ଜୀବ ଶବ୍ଦଟିଏ ବ୍ୟତୀତ ଆଉ କିଛି ନ ଥିଲା l ମୋତେ ଲାଗେ ଆଜିର ଏ ବସ୍ତୁବାଦୀ ଦୁନିଆଁରେ ପ୍ରେମ ଏକ ନିର୍ଜୀବ ଶବ୍ଦଟିଏ ବ୍ୟତୀତ ଆଉ କିଛି ନ ଥିଲା l ପ୍ରେମକୁ ନେଇ ଗପ ଲେଖାଯାଇପାରେ, କବିତା ଆସର କରାଯାଇପାରେ, କିମ୍ବା ପାର୍କ୍ କିମ୍ବା ସିନେମା ଗୃହରେ ସମୟ ଅତିବାହିତ କରା ଯାଇପାରେ l ଅଥଚ ବଞ୍ଚି ହୁଏନା l ବଞ୍ଚିବା ପାଇଁ ଆବଶ୍ୟକ ଅର୍ଥ l ଏଠି ଅର୍ଥର ମୋହରେ ପ୍ରେମ ସମାଧିସ୍ଥ ହୋଇଯାଏ l ନ ହେଲେ ମୋତେ ଭଲ ପାଉଥିବାର ଡିଣ୍ଡିମ ପିଟୁଥିବା ବିକାଶ ମୋର ନାସ୍ତି ବାଣୀ ଶୁଣି ହତାସ ହୋଇଯିବାର ଅଭିନୟ କରୁଥିବା ବିକାଶ, ମୋ ବିନା ମୂହୁର୍ତ୍ତେ ବଞ୍ଚି ପାରିବନି ବୋଲି କହୁଥିବା ବିକାଶ, ମୋ ସ୍ମୃତିକୁ ପାଥେୟ କରି ବଳକା ଜୀବନ ବିତେଇ ଦେବା ପାଇଁ ପଣ କରିଥିବା ବିକାଶ, କେଉଁ ଏକ ପ୍ରବାସୀ ଭାରତୀୟର ଜାମାତା ବନିଯିବା ପରେ ଅଚାନକ କେଉଁଠି କେବେ ଦେଖା ହୋଇଗଲେ କଣ ଅଜଣା ଅଚିହ୍ନା ଭଳି ବ୍ୟବହାର କରିଥାନ୍ତା ? ଅନ୍ତତଃ ଗୋଟିଏ ସାଙ୍ଗ ପରି ବ୍ୟବହାର କରିପାରିଥାନ୍ତା ତ ! ଅବଶ୍ୟ ମୋର କିଛ ଫରକ ପଡେନତା l କାଲି ତାର ଆନ୍ତରିକତାରେ ମୁଁ ଉଛୁଳା ହେଇ ନ ଥିଲି କି ଆଜି ତାର ବୀତସ୍ପୃହତାରେ ମୁଁ ଅସ୍ଥିର ହେଉନି l ମୋର ଲକ୍ଷ୍ୟ ସ୍ଥିର ଏବଂ ସେ ଲକ୍ଷ୍ୟର ପାଦ ଦେଶରେ ପହଞ୍ଚିବା ପାଇଁ ବିକାଶର ପ୍ରେମ ବଦଳରେ ମୋର ଦୃଢତା, ମୋର ପରିଶ୍ରମ ନିହାତି ଆବଶ୍ୟକ l

       କିନ୍ତୁ ରାଣୀର କଥାରୁ ଲାଗୁଥିଲା ସେ ଯେମିତି କାହାକୁ ବହୁତ ଭଲ ପାଉଛି ଏବଂ କୌଣସି କାରଣରୁ ତା ସହିତ ତାର ବାହାଘର ନ ହେଇ ପାରିବାରୁ ଅନ୍ୟତ୍ର ବାହାଘର ପାଇଁ ମନା କରିଦେବା ଯୋଗୁଁ ଦଦେଇଙ୍କ କ୍ରୋଧର ଶୀକାର ହୋଇ ଚାଲି ଆସିଛି ମୋ ପାଖକୁ l ମୋତେ ଲାଗୁନି ଦଦେଇ ରାଣୀର ପସନ୍ଦ ନାପସନ୍ଦ ଉପରେ ଗୁରୁତ୍ୱ ଦେଇଥାନ୍ତି l ମୁଁ ବି ଯେଉଁ ଦିନ ବିବାହ ପାଇଁ ମନା କରି ଦେଇଥିଲି, ଦଦେଇ ମୋତେ ସ୍ପଷ୍ଟ ଭାବରେ ଅନ୍ୟ କେଉଁଠି କିଛି ମୋର ଇଛା ଅଛି କି ବୋଲି ପଚାରିଥିଲେ l ରାଣୀ ତ ତାଙ୍କ ଝିଅ l ଏଣୁ ଏ କ୍ଷେତ୍ରରେ ବ୍ୟତିକ୍ରମ ହୋଇଥିବ ବୋଲି ମୁଁ ଜମ୍ମା ଭାବି ପାରୁ ନ ଥିଲି l କିନ୍ତୁ ପ୍ରେମର ଅନ୍ୟ ନାମ ଯେ ଜ୍ଜ୍ୱଳନ l ରାଣୀ ବା ସେଥିରୁ ବର୍ତ୍ତିଯିବ କେମିତି ? ମୋ ରାଣୀର ସ୍ୱପ୍ନର ରାଜକୁମାର ଥିଲେ ଅମୃତ୍ ଭାଇନା l

       ରାଣୀ ମୁହଁରୁ ଅମୃତ୍ ଭାଇନାଙ୍କ ନାମ ଶୁଣିବା ମାତ୍ରେ ପ୍ରଥମ ଧକ୍କା ଲାଗିଥିଲା ମୋତେ l କିନ୍ତୁ ଦ୍ୱିତୀୟ ଧକ୍କା ପାଇଲି ମୁଁ, ଯେତେବେଳେ ଶୁଣିଲି ଯେ, ଅମୃତ୍ ଭାଇନା ଜନ୍ତୁ କାମୁଡାରେ ନୁହେଁ ବରଂ ଆତ୍ମହତ୍ୟା କରିଛନ୍ତି l ଅମୃତ୍ ଭାଇନା ମୋର ଦୂର ସମ୍ପର୍କୀୟ ଭାଇ ହେବେ l ତାଙ୍କ ନନା ବୋଉଙ୍କୁ ଆମେ ଦଦେଇ ଦେଠେଇ ଡାକୁ l କିନ୍ତୁ କେଉଁ ପୂର୍ବ ପୁରୁଷରୁ ତାଙ୍କ ଘର ଓ ଆମ ଘର ମଧ୍ୟରେ ଏମିତି କିଛି ଭଲ ସମ୍ପର୍କ ନ ଥିଲା, କିଛିଟା ପାର୍ଥିବ ସମ୍ପତ୍ତିକୁ କେନ୍ଦ୍ର କରି l ଅଥଚ କେଉଁ ଏକ ଦୁର୍ବଳ ମୂହୁର୍ତ୍ତରେ ଏହି ଦୁଇଟା ମନ ଭିତରେ ସମ୍ପର୍କର ସେତୁଟିଏ ଯୋଡି ହୋଇଯାଇଥିଲା, ତାର ଆଭାସ କେହି ମଧ୍ୟ ପାଇ ନ ଥିଲେ l ମୋତେ ତ ଭାବିଲେ ଏବେ ବି ଆଶ୍ଚର୍ଯ୍ୟ ଲାଗୁଛି l ଆମ ଗାଁ ଏକ ରକ୍ଷଣଶୀଳ ଗାଁ, ଯେଉଁଠି ଝିଅଟିଏ ଏବେ ମଧ୍ୟ ଅସୂର୍ଯ୍ୟଂପଶ୍ୟା l କେଇଟା ମୂହୁର୍ତ୍ତର ଦେଖା ସାକ୍ଷାତ ଓ କେତେଟା ଚିଠିର ଆଦାନପ୍ରଦାନରେ ମଣିଷ କଣ ଏତେ ନିକଟତର ହୋଇପାରେ ? ହୁଏତ ମୋର ଏ ବସ୍ତୁବାଦୀ ମନ ଏକ ପ୍ରେମର ସଂଜ୍ଞା ବୁଝିବା ବହୁତ କଷ୍ଟ l ସେ ଯାହା ହେଉନା କାହିଁକି ସୂର୍ଯ୍ୟ ଆଉ ଚନ୍ଦ୍ର ଯେମିତି ସତ୍ୟ, ଅମୃତ ଭାଇନା ଓ ରାଣୀର ସମ୍ପର୍କ ସେମିତି ସତ୍ୟ l

       ଦେଠେଇ ଓ ଟିକି ନାନୀ ଚାହିଁ ଥିଲେ କଣ ଏ ବାହାଘର ହୋଇ ପାରି ନ ଥାନ୍ତା ? ଅଥଚ ଦୁହେଁ ରାଜି ନ ଥିଲେ ରାଣୀକୁ ବୋହୁ କରିବା ପାଇଁ l କାଳି ଝିଅଟିକୁ ଜାଣି ଶୁଣି ସେମାନେ କେମିତି ବୋହୁ କରିଥାଆନ୍ତେ ଯେ ? ଭଗବାନ ବି କେମିତିଆ ଲୋକ ? ମୋ ରାଣୀକୁ ଏତେ ସୁନ୍ଦର ରୂପଟିଏ ଦେଲେ, ତା ଠୁଁ ସୁନ୍ଦର ମନଟିଏ ଦେଲେ l ଅଥଚ ଚମଟାକୁ ଟିକିଏ ଗୋରା କରିଦେଲେନି ? କିନ୍ତୁ ଏମିତିରେ ବି ଦେଠେଇ ବି ଜମ୍ମା ସୁନ୍ଦର ନ ଥିଲେ l ଟିକି ନାନୀ ବି ତ ମୋର ରାଣୀ ଠାରୁ ଆହୁରି କଳା ଥିଲା l ଅସଲ କଥା ହେଲା, କୋଉ ପୂର୍ବ ପୁରୁଷର ତିକ୍ତତାକୁ ସେମାନେ ତଥାପି ବି ଧରି ରଖିଥିଲେ l ଅମୃତ ଭାଇନା କିନ୍ତୁ ତା ଜିଦରେ ଅଟଳ ଥିଲା l ଯେମିତି ହେଲେ ବି ସେ ବାହା ହୋଇଥାନ୍ତା ରାଣୀକୁ l କିନ୍ତୁ ଯେଉଁ ଦିନ ପ୍ରୀତମ୍ ଭାଇନା (ଅମୃତ ଭାଇନାଙ୍କ ଭାଇ) ରାଣୀର ଅନ୍ୟ ଦୁଇ ଭଉଣୀଙ୍କ ବାହାଘର କେବେ ବି କରେଇ ଦେବ ନାହିଁ ବୋଲି ଧମକ ଦେଲା, ଦବିଗଲା ରାଣୀ l ରୋଜି ଓ ମିନିର ବାହାଘର ପର୍ଯ୍ୟନ୍ତ ସେ ଅପେକ୍ଷା କରିବା ପାଇଁ ପ୍ରସ୍ତୁତ ଥିଲା l କିନ୍ତୁ ସେ ତା ଜିଦରୁ ନ ହଟିଲେ ଦେଠେଇ ଓ ଟିକି ନାନୀ ଆତ୍ମହତ୍ୟା କରିବାର ଧମକି ଥିଲେ l

       ସେ ଦିନ ସନ୍ଧ୍ୟା ବେଳେ ଛାତ ଉପରେ ଜଳୁଥିଲା କିଛି କାଗଜ l ପାଖରେ ଠିଆ ହୋଇଥିଲା ଅମୃତ ଭାଇନା l ଆଖିରେ ତାର ବିଶ୍ୱ ବିଜୟର ନିଶା l ମନେ ମନେ ଆଶ୍ୱସ୍ତ ହେଉଥିଲେ ଦେଠେଇ ଓ ଟିକି ନାନୀ l ଶେଷ ଥର ପାଇଁ ରାଣୀକୁ ଦେଖା କରିଥିଲା ସେ କୂଅ ମୂଳରେ l ଅନେକ ସମୟ ଧରି କାନ୍ଦିଥିଲା କେବଳ l ରାତିରେ ମଝି ଚଟାଣର ଉପରେ ସବୁଦିନ ଭଳି ଆଡ୍ଡା ଜମେଇ କିଛି ନ ଘଟିଥିବା ଭଳି ଚୁପଚାପ୍ ଖାଇଲା l ତା ପରେ ଆସି ଖଣି ଉପରେ ଶୋଇଲା l ସେତେବେଳେ ସେ କିଛି ଖାଇ ଦେଇଥିଲା ବୋଧହୁଏ l କିଛି ସମୟ ପରେ ବିଷର ଜ୍ଜ୍ୱାଳା ପ୍ରବଳ ହେବା ପରେ, ପାଖରେ ଶୋଇଥିବା ଦଦେଇଙ୍କୁ ଉଠେଇ କିଛି ଗୋଟାଏ ଜନ୍ତୁ କାମୁଡି ଦେଲା ବୋଲି କହିଲା l ଏଣୁ ସମସ୍ତଙ୍କର ମନ ସେ ଆଡକୁ ଚାଲି ଯାଇଥିଲା l କେଳା ଆସି ମନ୍ତ୍ର ଫୁଙ୍କିଲା l ଆଶ୍ଚର୍ଯ୍ୟ………………..l ଏ ହେଉଛି ଏକବିଂଶ ଶତାବ୍ଦୀର ଅୟମାରମ୍ଭ l ଅଥଚ ଏଠି ଆଜି ମଧ୍ୟ ମନ୍ତ୍ର ଫୁଙ୍କା ହୁଏ, ଜନ୍ତୁ କାମୁଡା ଜନିତ ବିଷ ଝାଡିବା ପାଇଁ l      

       ଧିରେ ଧିରେ ଭାଇନାର କଣ୍ଠ ପଡି ଯାଉଥିଲା l ଆଖି ଯୋଡିକ ତାର ନିବଦ୍ଧ ଥିଲା ରାଣୀ ଘର ଉପରେ l ଅମୃତ୍ ଭାଇନାର ଶବ ଚାଲି ଯାଉଥିଲା l ଅଥଚ ରାଣୀ କାନ୍ଦି ପାରୁ ନ ଥିଲା l ତା ଆଖିର ଲୁହରେ ଧୋଇଯିବ ତା ଘରର ସମ୍ମାନ l ସେ ଦୁଇ ଜଣଙ୍କ କାହାଣୀ ଦୁଇ ଘରର ସୀମା ଟପି ପ୍ରସାରିତ ହୋଇଯିବ ସମଗ୍ର ଗାଁରେ l ଦେଠେଇ ଓ ଟିକି ନାନୀ ଅନେକ ପ୍ରକାର ଚେଷ୍ଟା କରିଥିଲେ ରାଣୀକୁ ବଦନାମ୍ କରି ଦେବା ପାଇଁ l ଅଥଚ ଅମୃତ ଭାଇନା ନିଜେ ଜଳିଯିବା ଆଗରୁ ସତେ ଯେମିତି ରାଣୀର ଚିଠିକୁ ନୁହେଁ ବରଂ ତାର ଆଗତ ବଦନାମୀକୁ ଜାଳି ଦେଇ ଯାଇଥିଲା l ରାଣୀର କ୍ଷତବିକ୍ଷତ ମନକୁ ପୁଣି ଥରେ ଯୋଡି ଦେବା ପାଇଁ ଦଦେଇ ତାର ବିବାହର ଆୟୋଜନ କରୁଥିଲେ l ଅଥଚ ବୁଝି ପାରୁ ନ ଥିଲେ ଯେ, ମନ ହେଉଛି ଏକ କାଚ, ଯାହା କି ଥରେ ଭାଙ୍ଗି ଗଲେ ଆଉ କେବେ ବି ଯୋଡି ହୁଏନା l

       ରାଣୀ ଯେତେବେଳେ ମୋତେ ଏ ସବୁ କଥା କହୁଥିଲା, ମୋର ତୁମ କଥା ମନେ ପଡୁଥିଲା l ତୁମ ନାଁ କଣ ମୁଁ ଜାଣେନି l ତୁମେ ବାସ୍ତବା ନା କୌଣସି ଭାବୁକ ମନର କଳ୍ପନା ମୁଁ ଏ କଥା ବି ଜାଣେନି l କିନ୍ତୁ ଏତିକି ନିଶ୍ଚିତ ଯେ, ତୁମେ ଯିଏ ବି ହୁଅ ନା କାହିଁକି, ଅମୃତ ଭାଇନା ହେଉଛନ୍ତି ତୁମର ସାକାର ରୂପ l ତୁମେ ରାଜକୁମାରୀର ସମ୍ମାନ ପାଇଁ ତାର ଅନୁରୋଧ ରକ୍ଷା କରି ନିଜକୁ ଆହୁତି ଦେଇଥିଲ l ଅଥଚ ଅମୃତ ଭାଇନା ତା ରାଣୀକୁ ହରେଇ ପାରିବନି ବୋଲି ନିଜକୁ ବଳି ଦେବା ପୂର୍ବରୁ କେମିତି ତା ରାଣୀ ଘରର ସମ୍ମାନ ବଞ୍ଚେଇଦେଲା ଦେଖିଲ ତ ? ବୋଧହୁଏ ଏହି ତ୍ୟାଗର ଅନ୍ୟ ନାମ ହିଁ ପ୍ରେମ l

ରାଜକୁମାରୀ ପ୍ରଜା ରାଣୀ ଅମୃତ୍

Rate the content


Originality
Flow
Language
Cover design

Comments

Post

Some text some message..