Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅଶ୍ରୁମତୀ
ଅଶ୍ରୁମତୀ
★★★★★

© Chinmoyee Mohanty

Others

2 Minutes   7.4K    23


Content Ranking

ଜଳନ୍ତା ନିଆଁ ଖଣ୍ଡେ ହାତରେ ମୁଠେଇ ଧରି ଅଶ୍ରୁ ଚିତ୍କାର କରୁଥିଲା । ହାତଟା ଜଳୁଥିଲେ ବି,ନିଆଁ ଖଣ୍ଡକୁ ଫିଙ୍ଗି ନଦେଇ, ଆହୁରି ଜୋରରେ ମୁଠେଇ ଧରୁଥିଲା ସେ । ସାମନାରେ ଫଟୋଫ୍ରେମରେ ସଜା ହେଇ ରହିଛି ତା'ର ବାହାଘରର ଫଟୋ । ନବ ବଧୂ ଅଶ୍ରୁର ଆଖିରେ ସତେ ଯେମିତି ଅୟୁତ ସ୍ୱପ୍ନ ଲହଡି ଭାଙ୍ଗୁଛି ।ସ୍ୱାମୀଙ୍କ ଓଠରେ ଆତ୍ମତୃପ୍ତିର ହସ । ବିଜୟ ଦିପ୍ତୀରେ ଝଲସି ଉଠୁଛି ସାରା ମୁହଁ । ଜୋରରେ ଆଖି ଦି'ଟା ବନ୍ଦ୍ କରିଦେଲା ଅଶ୍ରୁ ।ହେଲେ ସେଇ ନିବୁଜ୍ ଆଖି ତଳେ ଦିଶିଯାଉଛି ,ଆଜି ସମୟ ସୁଅରେ ହଜେଇ ଦେଇଥିବା ତା'ର ଅତି ଆପଣାର ବାପାଙ୍କର ମଳିଚିଆ ହସ। ।ସେ ଯେମିତି କହୁଛନ୍ତି," ତୁ ଠକି ଗଲୁ ଅଶ୍ରୁ ।" ଖୁବ୍ ବଡ ପାଟିରେ ଗଳା ଫଟେଇ ଚିତ୍କାର କରି ଆଖିରୁ ଗୁଡାଏ ଲୁହ ନିଗାଡି ଦବାକୁ ଭାରି ଇଚ୍ଛା ହଉଥିଲା।" ସୁନାର ପଂଜୁରୀରେ ରୂପା ଗିନାର ଦୁଧ ଭାତ ମତେ ଭଲ ଲାଗିଲାନି ବାପା ।ମୁଁ ଚାହିଁଲି ଉଡିବି ।ଖୁବ୍ ଉପରକୁ । ଅନେକ ଦୂରକୁ । ଗ୍ରହ ନକ୍ଷତ୍ରକୁ ଛୁଇଁଲା ଯାଏ ଉଡିବି.....ହେଲେ ,ପଂଜୁରୀ ଛାଡୁ ଛାଡୁ ହଠାତ୍ ଏକ ଅନାଗତ ଛଞ୍ଚାଣର ଆଘାତରେ ଡେଣା ହରେଇ ଏମିତି ଛଟପଟ ହେବି ବୋଲି ମୁଁ କ'ଣ ଜାଣିଥିଲି !! ଉଡିବାର ସ୍ୱପ୍ନ ତ ଏକାବେଳେ ଶେଷ ହୋଇଗଲା । ଆଉ ସୁନା ପଂଜୁରୀକୁ ଫେରିବାର ବାଟଟା ବି ବନ୍ଦ୍ ହୋଇଗଲା ସବୁ ଦିନ ପାଇଁ।"

ଆଉ ଗୋଟେ ପଟେ ମୁହଁ ବୁଲେଇଲା ଅଶ୍ରୁ । ଦିଶୁଛି ମିଲିର ମୁହଁ । ସେ ବି ହସୁଛି,ଯିଏ ତା'ବାହାଘର ଦିନ କାନ୍ଦି କାନ୍ଦି ଅଧିର ହୋଇପଡୁଥିଲା ।" ଏତେ ଦିନେ ଶେଷରେ ମୋଠୁ ତତେ ଅଲଗା କରି ଛଡେଇ ନେଲା ସିଏ!" ଚାରିଆଡେ ହସର ଇଗଲ୍ ଡେଣା ଝାଡି ଚାଲିଛି । ସେଇ ହସର ଜଲସା ଭିତରେ ସେ "ଅଶ୍ରୁ", "ଅଶ୍ରୁମତୀ"। ପିଲା ଦିନର ନାକ କାନ୍ଦୁରୀ "ଅଶ୍ରୁ"! ଝଲକାଏ ପବନରେ ଝର ଝର ବରଷି ଯାଉଥିବା "ଅଶ୍ରୁ" ..ଏବେ ସେ ଚିରସ୍ରୋତା ପାଲଟି ଯାଇଛି । ଅନେକ ଅଳିଆ ଆବର୍ଜନାକୁ ଧୋଇ ଧୋଇ ସେ ନିଜେ ମଇଳା ହୋଇଯାଇଛି । ପିଠିରେ ଅନେକ ମଇଳାର ବୋଝ ବୋହି ବୋହି, ହଠାତ୍ 'ନୀଳ ମାଷ୍ଟରାଣୀ'ରୁ ସିଏ ପାଲଟି ଯାଇଛି 'ନୀଳ ଧୋବଣୀ'!

ନା... ସେ କେହି ନୁହେଁ । ପାପ ଧୋଇ ଧୋଇ ସେ ପାବନୀ ଗଙ୍ଗା ନୁହେଁ, କି ଦ୍ରୌପଦୀର ସ୍ୱପ୍ନ ଦେଖିଥିବା 'ନୀଳ ମାଷ୍ଟରାଣୀ'ରୁ ପାଲଟି ଥିବା 'ନୀଳ ଧୋବଣୀ' ନୁହେଁ। ପରିପୂର୍ଣ୍ଣ ସଂସାର ଭିତରେ, ବାପାଙ୍କର ଅତି ଅଲିଅଳୀ ,ଆଉ ନିଜ ହାତ ତିଆରି କୁଟା କାଠିର ବସାଟିରେ ଅତି ଅସହାୟ ଭାବରେ ଦୋହଲୁଥିବା ଅଶ୍ରୁ ସେ।ତ'ର କର୍ମକ୍ଳାନ୍ତ ଜୀବନରେ ସୂର୍ଯ୍ୟ ଉଠେ ଅନ୍ଧକାରର ନିବୁଜ୍ କକ୍ଷରେ, ଆଉ ସୂର୍ଯ୍ୟ ବୁଡେ କାନ୍ଥ ଘଣ୍ଟାର ବାରଟା ବାଜିବାର ସଂକେତରେ । ଏଇ ତା'ର ଜୀବନର ମିଶାଣ,ଫେଡାଣ, ଗୁଣନ,ହରଣର ଅଙ୍କ କଷୁ କଷୁ ସେ ଭାବେ, ନଟେଇର ସୂତାଟା କୋଉଠି କେମିତି ଅଡୁଆ ହୋଇଯାଉଛି । ତା'ରି ଆଖି ଆଗରେ କେତେ ରଂଗ ବେରଂଗର ଗୁଡି ସବୁ ଲୋଟେଇ ଲୋଟେଇ ଉଠି ଯାଉଛନ୍ତି ଉପରକୁ । ଆଉ ଲହୁ ଲୁହାଣ ହେଇ, ଅଶ୍ରୁ ଚାହିଁ ରହିଛି । ହାତରେ ତା'ର ଅଡୁଆ ସୂତାର ନଟେଇ,ଆଉ ଆକାଶରେ ଉପରକୁ ଉଠି ନପାରି ତଳକୁ ଖସି ପଡିଥିବା ତା'ର ଅସହାୟ ଗୁଡି !!

ଜଳନ୍ତା ନିଆଁ ଅଶ୍ରୁ

Rate the content


Originality
Flow
Language
Cover design

Comments

Post

Some text some message..