Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଧଳୁ
ଧଳୁ
★★★★★

© Arabinda Rath

Tragedy

19 Minutes   1.7K    10


Content Ranking

ଲେଖକ – ଅରବିନ୍ଦ ରଥ

ସେଦିନ ଏପରି ଏକ ଘଟଣା ଘଟିଲା ଯାହା ଗଗନଙ୍କ ସଶକ୍ତ ହୃଦୟକୁ ବିଦୀର୍ଣ୍ଣ କରି ଦେଇଥିଲା। ଏକ ଗଛ ପାଖରେ ଜାକିଜୁକି ହୋଇ ବସି, ସେ ପିଲାଙ୍କ ପରି ବାହୁନି ବାହୁନି କାନ୍ଦି ଚାଲିଥିଲେ। ତାଙ୍କ ଚାରିପଟରେ ଡାକ୍ତରଖାନାର ଅନ୍ଯ କର୍ମଚାରୀ ମାନେ ନୀରବରେ ଦେଖି ଚାଲିଥିଲେ ଗଗନ ପରି ଜଣେ ଦୃଢ ମନୋବଳ ବିଶିଷ୍ଟ ଡାକ୍ତରଙ୍କ ଚରିତ୍ରର ଏହି ଅନାବିଷ୍କୃତ ଦିଗକୁ। ସମସ୍ତେ ଭଲରେ ଜାଣିଥିଲେ ଯେ ଡାକ୍ତରବାବୁଙ୍କ ଡାକ୍ତରୀ ଜ୍ଞାନକୌଶଳ ବା ଚିକିତ୍ସାଶାସ୍ତ୍ରର ଅଭିଜ୍ଞତା, ତାଙ୍କ ସମ୍ମୁଖରେ ଉପସ୍ଥିତ ସେହି ଭୟଙ୍କର ବାସ୍ତବିକତାର ଭୀଷଣତା କୁ କୌଣସି ଉପାୟରେ ନ୍ଯୁନ କରିବାକୁ ଅସମର୍ଥ ଥିଲା। ସୁତରାଂ, ସେମାନଙ୍କ ପାଖରେ ନୀରବଦ୍ରଷ୍ଟା ହୋଇ ଛିଡା ହେବା ବ୍ଯତୀତ ଅନ୍ଯ କୌଣସି ଉପାୟ ନ ଥିଲା।

ସହରଠାରୁ ଦୂର ଏକ ଗ୍ରାମାଞ୍ଚଳର ଡାକ୍ତରଖାନାରେ ଗଗନ କାର୍ଯ୍ଯରତ ଥିଲେ ଡାକ୍ତର ଭାବରେ । ସ୍ତ୍ରୀ ରମା ଓ ଦଶ ବର୍ଷର ଝିଅ ମିନିକୁ ନେଇ ତାଙ୍କ ପରିବାର। ଜଣେ ଭଲ ଡାକ୍ତର ଓ ଦରଦୀ ମଣିଷ ଭାବରେ ତାଙ୍କର ବେଶ୍ ସୁଖ୍ଯାତି ଥିଲା। ସଦାବେଳେ ହସୁଥିବା ଗଗନ, ସେଦିନ ଦୁଃଖର ବଜ୍ରପାତରେ ଏପରି ଭାବରେ କବଳିତ ହେବେ ବୋଲି କେହି କଳ୍ପନା କରି ନ ଥିଲେ। କିନ୍ତୁ, କିଏ ବା ନିୟତି ର କ୍ରୁର ପରିହାସ ରୁ ଛାଡ ପାଇଛି ଯେ ଗଗନ ପାଇ ଥା'ନ୍ତେ।

ସେଦିନ ବର୍ଷାମୁଖର ନିଶାର୍ଦ୍ଧ ରଜନୀ ରେ ଝରକା ପାଖେ କାହାର କାନ୍ଦିବାର ଶବ୍ଦ ଶୁଣି ଚମକି ଉଠିଲେ ଗଗନ। କିଏ ଯେ ଏପରି ବିକଳ ହୋଇ କାନ୍ଦୁଛି ଭାବିଲା ବେଳକୁ, ପତ୍ନୀ ରମା ଧିର ସ୍ବରରେ କହିଲେ-- ଏତେ ରାତି ରେ କିଏ କାନ୍ଦୁଛି, ଚାଲ ଟିକେ ଦେଖି ଆସିବା। ସାନ ପିଲାର ପାଟି ପରିି ଶୁଭୁଛି ତ! !!! ଉଚ୍ଚ ପାଚେରୀ ଘେରା ଘର ଭିତରକୁ କୌଣସି ପିଲା ପଶିବା ନିହାତି ଅସମ୍ଭବ ବୋଲି ଜାଣିବା ପରେ ମଧ୍ଯ, ସ୍ବାମୀ ସ୍ତ୍ରୀ ହାତରେ ଟର୍ଚ୍ଚ ଧରି ସନ୍ତର୍ପଣରେ ଝରକା ପାଖକୁ ଆଗେଇଲେ। ବେଶି ସମୟ ଖୋଜିବାକୁ ପଡିଲାନି ; ଟର୍ଚ୍ଚ ଆଲୋକରେ ସେମାନେ ଦେଖିଲେ, ଏକ କ୍ଷତାକ୍ତ ବିଲେଇ ଜାକିଜୁକି ହୋଇ ଝରକା ପାଖରେ ବସି ବିକଳ ରେ କାନ୍ଦୁଛି। ପାଖକୁ ଯିବା ପରେ ମଧ୍ଯ ସେ ନିଜ ସ୍ଥାନରୁ ନ ଘୁଞ୍ଚିବା ଦେଖି, ଗଗନ ଟର୍ଚ୍ଚ ପକାଇ ତାକୁ ନିରୀକ୍ଷଣ କରି କହିଲେ--

– – ବିଚାରି ବିଲେଇର ଗୋଡ ବୋଧେ ମୂଷାଧରା ଜନ୍ତାରେ ପଡିଯାଇଥିଲା। କୌଣସି ମତେ ସେଥିରୁ ଖସିବାରେ ସଫଳ ହୋଇଛି;ମାତ୍ର ତା ପଞ୍ଝାର ଅର୍ଦ୍ଧାଧିକ ଭାଗ କଟି ଯାଇଛି। ଯଥାଶୀଘ୍ର କ୍ଷତ ସ୍ଥାନ କୁ ଡ୍ରେସିଙ୍ଗ କରି ପଟି ଭିଡି ଦେଲେ ବିଚାରି ର ଜୀବନ ବଞ୍ଚିଯିବ। ନୂତନ ରୋଗୀକୁ ଏକ କାଗଜ ପେଟିରେ ପୁରାଇ ଗଗନ ଘର ଭତରେ ପଶିଲେ।

ରାତି ରେ ଆଘାତପ୍ରାପ୍ତ ବିଲେଇର ସେବା କରି ତାକୁ ଉଷୁମ କ୍ଷୀର ଦେବା ପରେ ସେ ନିଘୋଡ ନିଦରେ ଶୋଇଗଲା। ଯତ୍ନ ସହକାରେ ସେ କାଗଜପେଟିକୁ ଗ୍ଯାରେଜ୍ ଘରେ ରଖି ଉଭୟ ଶୋଇବାକୁ ଗଲେ। ତାହିଁ ଆରଦିନ ସକାଳୁ ଝିଅ ମିନି ତାଳି ମାରି ଖୁସି ରେ ନାଚି ଗଗନ ଙ୍କୁ କହିଲା-- ବାପା ଆସ ଦେଖିବ, ଆମ ଗ୍ଯାରେଜ୍ ଘରେ କେତେ ସୁନ୍ଦର ବିଲେଇଟିଏ ଶୋଇଛି। ଦେହର ରଙ୍ଗ ଧଳା ଓ ଦେଖିବାକୁ ଖୁବ୍ ଗୁଲୁଗୁଲିଆ ହୋଇଛି। ମିନି ଭାବୁଥିଲା, ବିଲେଇଟି ନିଜେ ଗ୍ଯାରେଜ୍ ଘରକୁ ଆସିଛି ଓ ତା ଦ୍ବାରା ଆବିଷ୍କୃତ ହୋଇଛି। ତା ଖୁସି ରେ ଭଟ୍ଟା ପକାଇବାକୁ ଚାହୁଁ ନ ଥିଲେ ଗଗନ ଓ ରମା, ତେଣୁ ସେମାନେ ଗତରାତିର ଘଟଣା ବିଷୟରେ କିଛି କହିଲେ ନାହିଁ। ଓୌଷଧ ଓ ଖାଦ୍ଯ ଖାଇ ବିଲେଇଟି ଖୁବ୍ କମ ଦିନ ଭିତରେ ସୁସ୍ଥ ହୋଇଗଲା। ଗ୍ଯାରେଜ୍ କୁ ନିଜ ଘର ବୋଲି ମାନି ନେଇଥିଲା ଓ ମିନି ସହ ଖେଳ କୌତୁକ କରୁଥିଲା।

ଗଗନ ଘରେ ବିଲେଇ ରଖିବା ସପକ୍ଷ ରେ ନ ଥିଲେ। କାରଣ ଡାକ୍ତରୀ ପାଠ ଅନୁସାରେ ହଜାର ରୋଗର ବାହକ ହେଲା ବିଲେଇ। ତା ଦେହରୁ ଲୋମ ଉଡି ଖାଦ୍ଯ ପଦାର୍ଥରେ ପଡିବା ଓ ପେଟ ଭିତରକୁ ଯିବାର ଆଶଙ୍କା କୁ ଏଡାଇ ଦେଇ ହେବ ନାହିଁ। ପୁଣି ବିଲେଇ ରହିଲେ, ଘରେ ମଳମୂତ୍ର ତ୍ଯାଗ କରି ପରିବେଶ କୁ ବିଷାକ୍ତ କରି ଦେବାର ଭୟ ରହିଛି। ମନ କଥା ସେ ରମାଙ୍କ ପାଖରୁ ଗୋପନ ରଖିଥିଲେ, କିନ୍ତୁ ସେ ଭାବୁଥିଲେ ସୁସ୍ଥ ହେବା ପରେ ବିଲେଇ ନିଜ ସ୍ଥାନ କୁ ଫେରିଯିବ । ଏମିତି କିଛଦିନ ବିତିଗଲା, ମାତ୍ର ସେ ବିଲେଇ ଫେରିବ କଣ,!ଗଗନଙ୍କ ଘରେ ନିଜର ଉପସ୍ଥିତି ଜାହିର କରିବା ଆରମ୍ଭ କରି ଦେଇଥିଲା।

ଭଲରେ ଖାଇ ପିଇ ଅଳ୍ପ ଦିନ ଭିତରେ ବିଲେଇଟି ଗୁଲୁଗୁଲିଆ ଦିଶିଲା। କିଛି ଶୃତିମଧୁର ନାମ ରେ ନାମିତ କରିବା ପର୍ଯ୍ଯନ୍ତ ତାକୁ ବିଲୁ ନାମରେ ଡାକିବା ପାଇଁ ସମସ୍ତେ ସ୍ଥିର କରିଥିଲେ ଓ ବିଲୁ ନାମକ ଧଳା ବିଲେଇ ଗଗନ ବାବୁଙ୍କ ପରିବାରର ସଦସ୍ଯ ଭାବରେ ଗଣା ହେବାକୁ ଲାଗିଲା।

ମିନି ଅଧିକାଂଶ ସମୟ ବିଲୁ ସହ ଖେଳିବାରେ ବିତାଉଥିଲା। ଖାଇବା ଦେବା ସମୟରେ ଘୁଡୁ ଘୁଡୁ ଶବ୍ଦ କରି ଲାଞ୍ଜ ଟେକି ସେ ମିନି ଚାରି ପଟେ ବୁଲିବୁଲି ମିଆଁଉ ମିଆଁଉ ଡାକରେ ସ୍ଥାନଟିିକୁ ମୁଖରିତ କରି ରଖୁଥିଲା। ସେ ସମସ୍ତଙ୍କର ପ୍ରିୟ ହୋଇ ସାରିଥିଲା ସତ, ମାତ୍ର ତାକୁ ଛୁଇଁ ବାକୁ କାହାକୁ ଅନୁମତି ଦେଉ ନ ଥିଲା। ବୋଧହୁଏ ମଣିଷ ମାନଙ୍କ ଉପରେ ତାର ବିଶ୍ବାସ ସେ ପର୍ଯ୍ଯନ୍ତ ଆସି ନ ଥିଲା। ଅନେକ ଥର ସେ ଗଗନ ଙ୍କ ଗୋଡ ପାଖରେ ଘଷି ହୋଇ ଚାଲିଯାଏ, ମାତ୍ର ତାକୁ ଆଉଁସି ଦେବାକୁ ହାତ ବଢାଇବା ମାତ୍ରେ ଲାଞ୍ଜ ଟେକି ସେ ସ୍ଥାନ ରୁ ଦଉଡି ଚାଲିଯାଏ। ବେଶ୍ କିଛି ଦିନ ପର୍ଯ୍ଯନ୍ତ ବିଲୁ ପରିବାରରେ ହସଖୁସି ର ଆସର ଜମାଇ ରଖିଥିଲା। ସବୁ ଦିନ ସକାଳ ଆରମ୍ଭ ହୁଏ ବିଲୁ କୁ ରୁଟି ଖିର ଖାଇବାକୁ ଦେବାରେ ଓ ଦିବସର ସମାପ୍ତି ହୁଏ ତାକୁ ରାତ୍ରୀଭୋଜନ ଦେଇ ଗ୍ଯାରେଜ୍ ଘରେ ଶୁଆଇବାର ବ୍ଯବସ୍ଥା କରିବାରେ।

ଦିନେ ସକାଳେ ମିନି ପାଟି କରି କହିଲା-- ବାପା, ଆସ ଦେଖିବ ବିଲୁ ଗ୍ଯାରେଜ୍ ରେ ନାହିଁ। କୁଆଡେ ଚାଲି ଗଲା କି ଆଉ? ଗଗନ ସେ କଥା କୁ ଗୁରୁତ୍ବ ଦେଲେନି, କାରଣ ବିଲେଇଟି ଯେ ସକାଳେ କୁଆଡେ ଯାଇ ପୁଣି ଫେରି ନ ଆସିବ ବୋଲି କହିହେବ ନାହିଁ। ସେ ଝିଅକୁ ବୁଝାଇ କହିଲେ-- ଆରେ ମାଆ, ତୁ ବ୍ଯସ୍ତ ହେବାର ନାହିଁ, ସେ ଯୁଆଡେ ବି ଯାଇଥିବ ପଳେଇ ଆସିବ। ବାପ ଝିଅଙ୍କ କଥୋପକଥନରୁ ଘଟଣା କଣ ବୋଲି ଜାଣି ରମା ଚୁପ୍ ଥିଲେ। କାରଣ ସେ ମଧ୍ଯ ଭାବୁଥିଲେ ବିଲୁ ଫେରି ଆସିବ। ଘରେ ଆରାମ୍ ରେ ଖାଇବା ମିଳୁଛି ଓ ସେ ରହିବା ପାଇଁ ମଧ୍ଯ ଗ୍ଯାରେଜ୍ ଅଛି, ଏମିତି ସୁଖ ଛାଡି ସେ ବା କାହିଁକି କୁଆଡେ ଯିବ?

କିନ୍ତୁ ସେଦିନ ବିଲୁ ଫେରିଲା ନାହିଁ। ରାତି ପର୍ଯ୍ଯନ୍ତ ରମା ଓ ମିନି ଅପେକ୍ଷା କରି ରହିଲେ। ଗଗନ ଡାକ୍ତରଖାନାରୁ ଆସିବା ପରେ ଟର୍ଚ୍ଚ ଧରି ଚାରି ଆଡେ ଖୋଜାଖୋଜି କଲେ। ମାତ୍ର ବିଲୁର ପତ୍ତା ମିଳିଲା ନାହିଁ। ପଡୋଶି ମାନେ କହିଲେ-- ସେ ହେଲା ବୁଲା ବିଲେଇ, କୁଆଡେ ଚାଲି ଯାଇଥିବ। ଭୋକ ଲାଗିଲେ ବଳେ ଫେରି ଆସିବ। କିନ୍ତୁ ବିଲୁ ଘରକୁ ଫେରିଲାନି। ମିନି ମନ ଦୁଃଖରେ କିଛି ଦିନ ଉଦାସ ରହିଲା ଓ ମନେ ମନେ ବିଲୁ କୁ ଖୋଜିବାରେ ଲାଗିଥିଲା। ଗଗନ ଓ ରମାଙ୍କ ମନରେ ବି ଦୁଃଖ ଥିଲା, କାରଣ ଖୁବ୍ କମ ଦିନରେ ବିଲେଇଟି ସେମାନଙ୍କର ଅତି ନିଜର ପାଲଟି ଯାଇଥିଲା। ଗଗନ ଅନୁଭବ କରୁଥିଲେ, ବିଲେଇ ପାଳିବା ବିପକ୍ଷରେ ଥିବା ଯୁକ୍ତିର ଆଲକବର୍ତ୍ତିକା ର ତେଜ ମ୍ଳାନ ପଡି ଯାଇଥିଲା, ବିଲୁ ପ୍ରତି ମନରେ ଥିବା ଅହେତୁକ ଭଲପାଇବାର ଜାଜୁଲ୍ଯମାନ ଶିଖା ସମ୍ମୁଖରେ। କିନ୍ତୁ ବିଲୁ ଅଦୃ ଶ୍ଯ ହୋଇଯାଇଥିଲା କେଉଁ ଆଡେ ତା'ର କୌଣସି ପତ୍ତା ନ ଥିଲା। ପାଖା ପାଖି ଛଅ ମାସ ଯାଏ କୌଣସି ଖୋଜଖବର ମିଳିଲା ନାହିଁ। ଧିରେ ଧିରେ ଗଗନ,ରମା ଓ ମିନି ମନ ଭିତରେ ସେ କେବଳ ଏକ ସ୍ମୃତି ଭାବରେ ରହି ଯାଇଥିଲା।

ସେଦିନ ରାତିରେ ଶୋଇବା ସମୟରେ ଗଗନଙ୍କ କାନରେ ପଡିଲା ଧିର ସ୍ବରରେ ବିଲେଇ ବୋବେଇବାର ଶବ୍ଦ। ଏତେ ରାତି ରେ ଯେ ବିଲୁ ଘରକୁ ଫେରିଥିବ ବୋଲି ସେ ଭାବୁ ନ ଥିଲେ ତେଣୁ ଚୁପ୍ ରହି ଶୋଇବାକୁ ଚେଷ୍ଟା କଲେ। କିନ୍ତୁ ବେଳ କୁ ବେଳ ସେ ମିଆଁଉ ଡାକର ତୀବ୍ରତା ବଢି ଚାଲିଲା। ରମା ଶୁଣିଲା ପରେ କହିଲେ-- ଆରେ ଆମ ବିଲୁ ଫେରି ଆସିଲା କିି? ଚାଲ ଟିକେ ଦେଖି ଆସିବା। ସେତେବେଳକୁ ମିନି ଗଭୀର ନିଦରେ ଶୋଇ ସାରିଥିଲା, ନଚେତ୍ ସେତେବେଳକୁ ସେ କବାଟ ଖୋଲି ବାହାରେ ଛିଡା ହୋଇ ସାରିଥା'ନ୍ତା। ଟର୍ଚ୍ଚ ଆଲୋକରେ ଗଗନ ଦେଖିଲେ ଦୁଇଟି ଜ୍ବଳନ୍ତ ଚକ୍ଷୁ, ପାଖକୁ ଯାଇ କହିଲେ-- ଆରେ ବିଲୁ, ତୁ ଆସିଗଲୁ? ସତ କୁ ସତ ବିଲୁ ସେମାନଙ୍କ ସାମନା ରେ ଛିଡା ହୋଇଥିଲା। କିନ୍ତୁ ସେ ଭୀଷଣ ଭାବରେ ଦୁର୍ବଳ ଦିଶୁଥିଲା ଓ ତାକୁ ଦେଖିଲେ ଲାଗୁଥିଲା ସେ ଭଲରେ ଛିଡା ହେବା ପାଇଁ ଅକ୍ଷମ। ଗଗନ ରମାଙ୍କୁ କହିଲେ-- ନିହାତି ବିଲୁ କୌଣସି ଗମ୍ଭୀର ରୋଗରେ ପୀଡିତ, ଦେଖୁନ ତା ହାଡ କେମିତି ଦିଶି ଯାଉଛି। ବିଲୁ କ୍ଷୀଣ ସ୍ବରରେ ଡାକି ଗଗନ ଓ ରମାଙ୍କ ପାଖକୁ ଆସି ଛିଡା ହେଲା। ସେତିକି ବେଳକୁ ତା ପଛ ରେ ଲୁଚିଥିବା ତୋଫା ଧଳା ରଙ୍ଗର କୁନି ବିଲେଇ ଛୁଆ ବାହାରକୁ ଚାଲି ଆସିଲା। ବିଲୁ ଛୁଆଟିକୁ ଚାଟିଚୁଟି ସଫା କଲା ଓ ଗଗନଙ୍କୁ ଚାହିଁ ଧିରେ ଧିରେ ବୋବାଇଲା। ରମା ଖୁସି ରେ ତାଳି ମାରି କହିଲେ-- ଆରେ ଦେଖ, ଆମ ବିଲୁ ର ଛୁଆ। ସେ ଆମକୁ ଛୁଆ ଦେଖେଇବାକୁ ଆଣିଛି। ଚାଲ ଆମେ ସେ ଛୁଆକୁ ରଖିବାର ବ୍ଯବସ୍ଥା କରିବା। ଗଗନ ସେତେବେଳ ଯାଏଁ ଚାହିଁ ରହିଥିଲେ ବିଲୁର ମୁହଁ କୁ ଓ ତା ମନର ଭାଷା ବୁଝିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ବେଶି ସମୟ ପାଇଁ ବିଲୁ ସେଠାରେ ରହିଲାନି, ଛୁଆକୁ ସେ ଯାଗାରେ ଛାଡି ସେ କେଉଁ ଆଡେ ଅନ୍ତର୍ଦ୍ଧ୍ଯାନ ହୋଇ ଗଲା।

ଅନ୍ଧାର ରାତ୍ରିର କଳାଚାଦର ଭିତରେ ଧଳା ରଙ୍ଗର ବିଲୁ କେଉଁଆଡେ ଅଦୃଶ୍ଯ ହୋଇ ଯାଇଥିଲା। ପ୍ରଶ୍ନିଳ ଆଖିରେ ରମା ଚାହିଁ ରହିଥିଲେ ଗଗନଙ୍କୁ। ଦୀର୍ଘଶ୍ବାସ ପକାଇ ଗଗନ କହିଲେ- - ବିଲୁ ବୋଧେ ବେଶି ଦିନ ବଞ୍ଚିବନି, ସେଥିପାଇଁ ତା ଛୁଆକୁ ଆମ ଦାୟିତ୍ବରେ ଛାଡି ଚାଲିଗଲା। ଏବେ ଏ ଛୁଆର ଦାୟିତ୍ବ ଆମର, ସେ ଆମ ପାଖରେ ରହି ବଡ ହେବ। ବିଲୁ ଚାଲିଯିବାର ଦୁଃଖ ଓ କୁନି ବିଲେଇ ଛୁଆଟିର ଆଗମନର ଖୁସି , ଗଗନ ଓ ରମାଙ୍କ ମନ ଭିତରେ ପରସ୍ପର ବିରୋଧୀଭାବନା ର ଫଲଗୁଧାରା ବୁହାଇ ଚାଲିଥିଲା। ଭଲରେ ଆଖି ଫିଟି ନ ଥିବା ତୁଳା ପରି ଧଳା ରଙ୍ଗର ବିଲେଇ ଛୁଆଟିକୁ କୋଳେଇ ରମା ଘର ଭିତରେ ପଶିଲେ। ସେତେବେଳକୁ ରମାଙ୍କ ହୃଦୟରେ ମାତୃ ସୁଲଭ ପ୍ରେମର ଅମୃତଧାରା ଅବାରିତ ପ୍ରବାହିତ ହୋଇ ଚାଲିଥିଲା। ଖଣ୍ଡିଏ ମୋଟା ଚାଦରରେ ସେ ବିଲେଇ ଛୁଆକୁ ଘୋଡାଇଦେଇ ଉଷୁମ୍ କରିବାକୁ ଲାଗିଲେ। ଘନ କଳା ରଙ୍ଗର ଆଖି ଦୁଇଟି ମିଟମିଟ କରି ଦେଖୁଥିଲା ବିଲେଇଟି ତା'ର ନୂତନ ଖାଉନ୍ଦଙ୍କୁ। ଗଗନ ଗୋଟିଏ ଥାଳିରେ କ୍ଷୀର ଆଣି ଛୁଆଟିର ପାଖରେ ରଖିଦେଲେ। ସେ ବହୁତ ଭୋକିଲା ଥିଲା ଓ ନିମିଷକରେ ଥାଳି ରୁ ସବୁ କ୍ଷୀର ଚାଟିଚୁଟି ସଫା କରି,, ପୁଣି ଲୋଭିଲା ଆଖିରେ ଗଗନଙ୍କୁ ଚାହିଁ ମିଆଁଉ ମିଆଁଉ କଲା। ପୁଣି ଥରେ କ୍ଷୀର ପିଇଲା ପରେ ବିଲେଇର କୁନି ପେଟଟି ଫୁଲି ଛୋଟ ବେଲୁନ ପରି ଦିଶୁଥିଲା। ରମାଙ୍କ କୋଳ ଭିତରେ ଜାକିଜୁକି ହୋଇ ଗଭୀର ନିଦ୍ରାରେ ଶୋଇଗଲା। ରମା ଚାହିଁ ରହିଥା'ନ୍ତି ତା'ର ନିଷ୍ପାପ କ୍ଷୁଦ୍ର ମୁହଁଟିକୁ। ମନେ ପଡିଗଲା ମିନିର ପିଲାଦିନ କଥା। ମିନି ଖାଇ ସାରିଲା ପରେ ତାଙ୍କ କୋଳରେ ଏମିତି ଜାକିଜୁକି ହୋଇ ଶୋଇପଡେ। ରମାଙ୍କ ପାଟିରୁ ଅଜାଣତରେ ବାହାରି ଆସିଲା-- ଶୋଇ ପଡ ଧନ, ଶୋଇ ପଡ। ମୋ ସୁନା ଟା ପରା।

ଗଗନ ଭାବୁଥିଲେ ମାତୃ ହୃଦୟର ବୈଚିତ୍ରତା ବିଷୟରେ। ମାଆର ହୃଦୟ କେବଳ ସନ୍ତାନର ଅସ୍ତିତ୍ବ କୁ ଚିହ୍ନେ। ସେ ମହନୀୟ ହୃଦୟ ପାଖରେ ମନୁଷ୍ଯ ବା ପଶୁର ବିଭେଦ ନ ଥାଏ। ଅନ୍ତତଃ ରମାଙ୍କ ମାତୃ ହୃଦୟ ଏହି ଉକ୍ତିର ସତ୍ଯତା କୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରି ଚାଲିଥିଲା। ଅତି ଯତ୍ନରେ ବିଲେଇଛୁଆକୁ ଏକ କାଗଜପେଟିରେ ଘୋଡାଇ ରଖି ରମା କହିଲେ-- ଶୁଣ, ବିଲୁ ବଡ ଥିଲା ବୋଲି ସେ ଗ୍ଯାରେଜ୍ ରେ ରହୁଥିଲା। ଏ ଛୁଆ ଟା ଏତେ ସାନ ହୋଇଛି, ତାକୁ ଆମେ ଘରେ ରଖିବା। ବାହରେ ରଖିଲେ କିଏ କାମୁଡି ଦେବାର ଭୟ ଅଛି। କହିବା ବାହୁଲ୍ଯ, ରମାଙ୍କ କଥାରେ ଗଗନଙ୍କ ପାଖରୁ ମତାମତ ନେବା ଅପେକ୍ଷା ତାଙ୍କୁ ନିଜ ନିଷ୍ପତ୍ତି ଶୁଣାଇବାର ପ୍ରାବଲ୍ଯତା ଅଧିକ ଥିଲା। ମୁହଁରେ ହସ ଖେଳାଇ ଗଗନ ମୁଣ୍ଡ ହଲାଇବା ସହିତ, ସେ ବିଲେଇ ଛୁଆଟି ଗଗନଙ୍କ ଘରେ ଚତୁର୍ଥ ସଦସ୍ଯ ରୂପରେ ଅଧିକାର ପ୍ରାପ୍ତ କରିବାରେ ସଫଳ ହୋଇଥିଲା।

ପରଦିନ ସକାଳେ ଘରେ ନୂତନ ସଦସ୍ଯର ଆଗମନ ଦେଖି ମିନି ଖୁସି ରେ ଫାଟି ପଡୁଥିଲା। ବିଲେଇ ଛୁଆକୁ କୋଳ କୁ ନେଇ ସେ ଖୁସି ରେ ନାଚି କହିଲା-- ଇଏ ହେଲା ମୋ ବିଲେଇ। ସେ ମୋ ପାଖରେ ସବୁଦିନ ରହିବ, ମୋ ସହ ଖାଇବ, ଖେଳିବ, ବୁଲିବ। ସେ ଭାବୁଥିଲା ବିଲୁ ତା ଉପରେ ଖୁସି ହୋଇ ତାକୁ ସେ ଉପହାର ଦେଇଛି। ଘରର ପ୍ରତ୍ଯକ ସଦସ୍ଯଙ୍କ ପାଇଁ ବିଲେଇଛୁଆଟି ଥିଲା ସେମାନଙ୍କର ନିଜସ୍ବ ସମ୍ପତ୍ତି। ଆଉ ବିଲେଇ ଛୁଆଟି--- ସେ ତ ସ୍ବର୍ଗରେ ରହିବା ପରି ଅନୁଭବ କରୁଥିଲା। ଏତେ ସ୍ନେହ, ଭଲପାଇବା ଓ ଆଦର ତା ଭାଗ୍ଯରେ ଲେଖା ବୋଲି ସେ ନିଜେ ମଧ୍ଯ କଳ୍ପନା କରି ନ ଥିବ।

ଘଟଣା ପରଦିନ ଗଗନ ଡାକ୍ତରଖାନା ଯିବା ସମୟରେ ଗୋଟିଏ ଗଛ ପାଖରେ ବିଲୁ କୁ ମରି ପଡି ଥିବାର ଦେଖି ଚମକି ପଡିଲେ। ସେ ହୃଦୟଙ୍ଗମ କରି ପାରୁଥିଲେ ବିଲୁ ର ବିବଶତା। ଜୀବନର ଶେଷ ସମୟ ଉପସ୍ଥିତ ବୋଲି ଜାଣିପାରି, ସେଦିନ ରାତି ତା ଛୁଆକୁ ଧରି ସେ ଆସିଥିଲା। ପଶୁ ମନରେ ମଧ୍ଯ ଏତେ ଆସକ୍ତି ଓ ଦାୟିତ୍ବବୋଧ ରହି ଥାଇପାରେ ବୋଲି ସେ ଭାବି ପାରୁ ନ ଥିଲେ। ବିଲୁ ର ରହସ୍ଯମୟ ଆବିର୍ଭାବ ଓ ତିରୋଧାନ ତାଙ୍କ ମନରେ ଗଭୀର ଭାବାନ୍ତର ସୃଷ୍ଟି କରିଥିଲା। ସମସ୍ତ ଘଟଣାବଳୀର କେବଳ ଗୋଟିଏ ନିର୍ଯ୍ଯାସ ଥିଲା ; ତାହା ହେଲା, ଜୀବନର ଅନ୍ତିମ କ୍ଷଣରେ ସେ ନିର୍ଭରଯୋଗ୍ଯ ସାହାରା ରୂପରେ ଗଗନ ଓ ରମାଙ୍କୁ ପାଇ ତା ସନ୍ତାନର ଲାଳନ ପାଳନର ଭାର ସେମାନଙ୍କ ଉପରେ ନ୍ଯସ୍ତ କରି ଇହଧାମ ତ୍ଯାଗ କରିଥିଲା । ଫେରିବା ପରେ ରମାଙ୍କୁ ସେ ଏ ବିଷୟରେ ଜଣାଇବା ମାତ୍ରେ ରମା ନୀରବ ହୋଇ ଯାଇଥିଲେ। ବିଲୁର ଏପରି ଅବସ୍ଥା ହୋଇଛି ଜାଣି ତାଙ୍କ ଆଖିରୁ ଦୁଇ ଧାର ଲୁହ ବୋହିଗଲା। ଥରଥର କଣ୍ଠରେ ସେ ଆକାଶକୁ ଚାହିଁ କହିଲେ-- ତୁ ବ୍ଯସ୍ତ ହେବୁନି ରେ ବିଲୁ, ତୋ ଛୁଆ ଆମ ପାଖରେ ଭଲରେ ରହିବ। ସେ କେବେ ବି ଅନୁଭବ କରିବନି ତା ମାଆ ନାହିଁ ବୋଲି।

ପରିସ୍ଥିତି କୁ ହାଲୁକା କରିବାକୁ ଯାଇ ଗଗନ ପଚାରିଲେ-- ଆରେ ମାଆ ମିନି, ଧଳୁ କୁଆଡେ ଗଲା, ତାକୁ ମୋ ପାଖକୁ ଟିକେ ଆଣିଲୁ। ମିନି ବିଲେଇକୁ କୋଳେଇ ଧରି ଆସି କହିଲା- ବାପା ମୁଁ ତା ନାଁଆ ସ୍ନୋଇ ଦେଇଥିଲି। କିନ୍ତୁ ତୁମେ ଯଦି ଚାହୁଁଛ, ତାକୁ ଆମେ ସବୁ ଧଳୁ ଡାକିବା। ସେଦିନ ପରଠାରୁ ଧଳୁ ଗଗନଙ୍କ ଘରେ ନିଜର ବାଲ୍ଯଲୀଳା ଆରମ୍ଭ କରିଦେଇଥିଲା। ମିନି ଓ ଧଳୁ ଭିତରେ କିଛି ଫରକ ଦେଖୁ ନ ଥିଲେ ରମା। ତାଙ୍କ ମନରେ ସଦା ବେଳେ କେବଳ ଗୋଟିଏ ଚିନ୍ତା ଥିଲା - - ମାଆ ଛେଉଣ୍ଡ ଧଳୁ ମନରେ କେବେ ନ ଆସୁ ଯେ ତା ମାଆ ନାହିଁ ବୋଲି।

ଧଳୁର ରୂପ ଏତେ ସୁନ୍ଦର ଥିଲା ଯେ ଦେଖିବା ଲୋକ ଦଣ୍ଡେ ଚାହିଁ ରହିବ। ସମ୍ପୂର୍ଣ୍ଣ ଧଳା ଶରୀର ଟି କୋମଳ ଲୋମରେ ଆଛାଦିତ ହୋଇ ରହିଥିଲା। ମୁଖମଣ୍ଡଳରେ ଶୋଭା ପାଉଥିଲା ଦୁଇଟି କୃଷ୍ଣ ବର୍ଣ୍ଣର ଜାଜୁଲ୍ଯମାନ ଆଖି ଓ ଗାଢ ଗୋଲାପି ରଙ୍ଗର ଓଠ ଓ ନାକ ତା ସୌନ୍ଦର୍ଯ୍ଯକୁ ବହୁଗୁଣିତ କରୁଥିଲା। କହିବାକୁ ଗଲେ ଧଳୁ ଶରୀରରେ କେବଳ ଦୁଇଟି ବର୍ଣ୍ଣର ପ୍ରାବଲ୍ଯତା ଥିଲା; ଧଳା ଓ ଗୋଲାପି। କାଳେ ତା କୁ କିଏ ଦୃଷ୍ଟି ପକାଇ ଦେବ, ସେହି ଆଶଙ୍କାରେ ରମା କଳା ଟୀକାର ଏକ ବଡ ବିନ୍ଦି କରି ଦେଉଥିଲେ ତା ମୁଣ୍ଡରେ। ସେମିତି ବି ସେ ବାହାରକୁ କେବେ ଯାଉ ନ ଥିଲା। କେବଳ ନିତ୍ଯକର୍ମ କରାଇବା ପାଇଁ ରମା ତାକୁ ବାହାରକୁ ନେଇ ଯାଆନ୍ତି। ଅନ୍ଯ ସମୟରେ ସେ ଘରେ ହିଁ ରହୁଥିଲା। ରମା ରୋଷେଇ କରିବା ସମୟରେ ସେ ତାଙ୍କ ଗୋଡ ପାଖରେ ବସି ରହିଥାଏ, ପୁଣି କେତେ ବେଳେ ମନ ହେଲେ ମିନିର ପଢା ଟେବୁଲ ପାଖକୁ ଚାଲିଯାଏ। କେବେ କେମିତି ଗଗନ ଅଧିକ ସମୟ ଉଜାଗର ରହି କାମ କଲେ, ତାଙ୍କୁ ଜଗି ବସି ରହିଥାଏ।

ତା ପରି ଏକ ବିଲେଇ ଛୁଆର ବୁଝିବା ଶକ୍ତି ଦେଖିଲେ, ଯେ କେହି ବି ଆଚମ୍ବିତ ହୋଇଯିବ। କେବେ କେମିତି ମିନି ପାଠ ନ ପଢିଲେ ରମାଙ୍କ ପାଖରୁ ଗାଳି ଖାଇ କାନ୍ଦେ। ସେ କାନ୍ଦିଲା ବେଳେ ଧଳୁ ତା ପାଖକୁ ଯାଇ ଦେହରେ ଘଷି ହେବାରେ ଲାଗିଯାଏ। ସତେକି ସେ ମିନି କୁ ବୋଧ କରିବାକୁ ଚେଷ୍ଟା କରୁଛି। ପାଠ ପଢା ସରିଲେ ମିନି ଟିଭି ନ ଦେଖି ତା ସହ ଖେଳିବାରେ ଲାଗିଯାଏ। ମିନିର ଖେଳନା ଓ ଧଳୁର ଖେଳନା ଗୋଟିଏ ଟିଣ ବାକ୍ସରେ ସଜେଇ କରି ରଖିଥା'ନ୍ତି ରମା। ଦୁଇ ଜଣ ମନ ଭରି ଖେଳିଚାଲନ୍ତି। ଧଳୁର ଖାଇବା ପିଇବା ସମୟ ମିନି ସହିତି ତାଳ ଦେଇଚାଲେ। ମିନି ଖାଇବା ଟେବୁଲ ରେ ବସିି ଖାଇବା ବେଳେ ସେ ଟେବୁଲ ତଳେ ତା ଥାଳିରେ ଖାଦ୍ଯ ଖାଏ। ସବୁଠାରୁ ଆଚମ୍ବିତ କରିବା ପରି କଥା ହେଲା ଯେ ଧଳୁ କେବେ ଆମିଷ ଖାଉ ନ ଥିଲା। ସେମିତି ବି ଗଗନଙ୍କ ପରିବାର ଲୋକଙ୍କର ଆମିଷ ଖାଦ୍ଯ ପାଇଁ ସେତେଟା ଆଗ୍ରହ ନ ଥିଲା। ଗଗନ ଅନେକ ଥର ତାକୁ ମାଛ ମାଂସ ଦେଇ ପରୀକ୍ଷା କରି ଦେଖିଲେ ସେ ଖାଉଛି କି ନାହିଁ। କିନ୍ତୁ କେବେ ସେ ଆମିଷ ରେ ମୁହଁ ମାରେନି। ବରଂ ଖିର ଭାତ ନହେଲେ ଖିର ରୁଟି ଖାଇବାରେ ତାର ଅସୀମ ଆନନ୍ଦ। କେବେ କେବେ ରମା ଧଳୁ କୁ କୋଳ କୁ ଟେକି ନେଇ କୁହନ୍ତି-- ସତ କହିଲୁ ଧନ, ତୁ ବିଲେଇ ନା ଅନ୍ଯ କୌଣସି ଜୀବ। ତୁ ବିଲେଇ ହୋଇ ମାଛ ଖାଉନୁ କିପରି? ଲାଞ୍ଜ ଟେକି ଘୁଡ୍ ଘୁଡ୍ ଶବ୍ଦ କରି ଧଳୁ କି ଉତ୍ତର ଦିଏ ଓ ସେ ଉତ୍ତର ଶୁଣି ରମା କ'ଣ ବୁଝି ଆତ୍ମସନ୍ତୋଷଭରା ହସରେ ମୁହଁ ଉଜ୍ଜଳ କରି ଦିଅନ୍ତି, ସେ କଥା କେବଳ ଧଳୁ ଓ ରମା ହିଁ ଜାଣନ୍ତି। କେହି ବସି ଥିବାର ଦେଖିଲେ ଧଳୁ ଘଷି ହୋଇ ଗେଲ କରିବାକୁ ଅଳିକରେ। ଭଲରେ ଆଉଁସା ଟିକେ ମିଳିଗଲେ ମନ ଖୁସି ରେ ଲାଞ୍ଜ ଟେକି ଅନ୍ଯ ଜଣଙ୍କ ପାଖକୁ ଚାଲିଯାଏ। ସେ ବଡ ସ୍ନେହ ରଙ୍କୁଣିଆ ଥିଲା ଓ ଭାବୁଥିଲା ଦିନ ରାତି ତାକୁ କୋଳ ରେ ଧରି ସମସ୍ତେ କେବଳ ଗେଲ କରୁ ଥାଆନ୍ତୁ।

ସକାଳେ ବଗିଚାରେ କାମ କରିବା ସମୟରେ ଧଳୁ ଗଗନଙ୍କ ପାଖ ଛାଡି ଯାଏ ନାହିଁ। ପ୍ରଜାପତି ଦେଖିଲେ ତା ମନରେ ଖେଳିବାର ନୂଆ ଉପାୟ ମାନ ଖେଳିଯାଏ। କେତେ ଭଙ୍ଗୀରେ ଖେଳ ଦେଖାଇ ସେ ଗଗନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରେ। ଟିକେ ଆଉଁସା ମିଳିଗଲେ ପୁଣି ଯାଇ ଖେଳରେ ମାତିଯାଏ। ଅନେକ ସମୟରେ ସୁଉଚ୍ଚ ଆମ୍ବ ଗଛରେ ଚଢି ସେ ନିଜର ଗଛଚଢା କୌଶଳ ଦେଖାଇବାରେ ଅବହେଳା କରେ ନାହିଁ। ତା ବାଲ୍ଯ ଚପଳତା ଦେଖି ରମା ମିନିର ପିଲା ଦିନ କଥା ଭାବି ରୋମାଞ୍ଚିତ ହୋଇ ଯାଆନ୍ତି।

ଗଗନଙ୍କୁ କୁହନ୍ତି- ଦେଖିଲ, ଧଳୁ କେମିତି କୁନି ପିଲାଙ୍କ ପରି ଖେଳୁଛି। ବାହାରେ ଅଧିକ ସମୟ ରହିଲେ ରମା ଡାକ ପକାନ୍ତି-- ଧଳୁ ଘରକୁ ଆସେ କ୍ଷୀର ପିଇବୁ। ବାସ୍ ସେତିକି ଡାକ ଯଥେଷ୍ଟ ତା ପାଇଁ। ଲାଞ୍ଜ ଟେକି ସିଧା ପହଞ୍ଜି ଯାଏ ରମାଙ୍କ ପାଖରେ ଓ ଘୁଡୁଘୁଡୁ ଶବ୍ଦ କରି କ୍ଷୀର ପାଇଁ ଅଳିି କରିବାରେ ଲାଗିଯାଏ। କିଛି ଦିନ ମଧ୍ଯରେ ଧଳୁର ସ୍ବାସ୍ଥ୍ଯାବସ୍ଥା ବେଶ୍ ବାଗେଇ ଗଲା। ଦେଖିବା ଲୋକ ଜାଣି ପାରିବା କଷ୍ଟ ଯେ ସେ ଏକ ସାନ ବିଲେଇ ନା ଏକ ତୁଳା କଣ୍ଡେଇ। ଏବେ ଅଧିକାଂଶ ସମୟ ସେ ମିନିର କୋଳରେ ବିତାଉଥିଲା। ମନ ପାଇଲେ ମିନି ତା ମୁଣ୍ଡରେ ଟିକିଲି ମାରି, ମୁଣ୍ଡରେ ଓଢଣୀ ପକାଇ ବେଶ କରି ଫଟୋ ଉଠାଉଥିଲା। ନିଜ ପିଲା ଦିନ ର ଜାମାପଟା ବି ଧଳୁ କୁ ପିନ୍ଧାଇ ବାପା ମାଆଙ୍କୁ ଦେଖାଇ ଖୁସି ରେ ନାଚି ଯାଉଥିଲା।

ଦିନେ ଗଗନଙ୍କର ଜଣେ ଡାକ୍ତର ବନ୍ଧୁ ସପରିବାର ତାଙ୍କ ଘରକୁ ବୁଲିବାକୁ ଆସିଥିଲେ। ସେ ସହରରେ ଡାକ୍ତର ରୂପେ କାର୍ଯ୍ଯରତ ଥିଲେ। କିନ୍ତ ତାଙ୍କର ଓୌଦ୍ଧତ୍ଯ ଓ କଟୁକଥା ପାଇଁ, ସେ ସାଙ୍ଗ ମହଲରେ ଅଲୋଡା ହୋଇ ରହିଥିଲେ। କିଛି ଜରୁରୀ କାମରେ ଆସିଥିବା ହେତୁ ତାଙ୍କୁ ଯଥାବିଧି ଚର୍ଚ୍ଚା କରି ଗଗନ ସୋଫାରେ ବସାଇଲେ। ତାଙ୍କ ସାଙ୍ଗରେ ଥିବା ବାର ବର୍ଷର ପୁଅକୁ ମିନି ସହ ଖେଳିବାକୁ ଇସାରା ଦେଇ ସେ କଥାବାର୍ତ୍ତା ଆରମ୍ଭ କଲେ। ତାଙ୍କ ପତ୍ନୀ ରମାଙ୍କ ପାଖକୁ ଯାଇ ଫୁଟାଣିଆ ଗପସପରେ ମାତିଗଲେ । ସେତେ ବେଳକୁ ମିନି ଧଳୁ ସହ ଖେଳୁଥିଲା। ସେ ପିଲା ଟି ଆସି ଧଳୁକୁ ଦେଖି ବେଶ୍ ଆମୋଦିତ ହେଲା। ଧଳୁ ମଧ୍ଯ ସେ ପିଲାଟି ପାଖକୁ ଯାଇ ଘଷି ହେବାକୁ ଲାଗିଲା। ରମା ମିନିକୁ କୌଣସି କାରଣ ରୁ ଡାକିବାରୁ ସେ ଚାଲିଗଲା ଓ ପିଲାଟି ଧଳୁ ସହ ବଦମାସି ଆରମ୍ଭ କରିଦେଲା। ପାଖରେ ପଡିଥିବା ସ୍କେଲ୍ ରେ ସେ ଧଳୁକୁ କେଇ ପାହାର ବାଡେଇଲା। ସେ ପର୍ଯ୍ଯନ୍ତ ନିରିହ ଧଳୁ ଭାବୁଥିଲା ଯେ ପିଲା ଟି ତାକୁ ଗେଲ କରୁଛି। କିନ୍ତୁ ମାଡର ତୀବ୍ରତା ବଢିବାରୁ ସେ ଗୁଁ ଗୁଁ ହୋଇ ନିଜର ବିରକ୍ତି ପ୍ରକାଶ କଲା । ମାତ୍ର ସେ ଦୁଷ୍ଟ ପିଲାଟି ସେତିକି ସେ ଚୁପ୍ ରହିଲାନି। ସେ ଧଳୁର ଲାଞ୍ଜ ଧରି ତାକୁ ଓଲଟା ଟାଙ୍ଗିଦେଲା। ବିକଳରେ ସେ ଚିତ୍କାର କଲା ଓ ନିଜ ଲାଞ୍ଜକୁ ସେ ପିଲା କବଳରୁ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କଲା। ସେତିକି ବେଳେ ପିଲାଟି ଜୋର୍ ରେ ପାଟି କରି କାନ୍ଦି କାନ୍ଦି ତା ବାପାଙ୍କ ପାଖକୁ ଦୌଡି ଆସି କହିଲା - - ମୋତେ ବିଲେଇ ରାମ୍ପୁଡି ଦେଲା। ସେ ଡାକ୍ତର ବନ୍ଧୁ ନିଜ ହିତାହିତ ଜ୍ଞାନ ଭୁଲି ଗଗନଙ୍କୁ ମନଇଚ୍ଛା ଗାଳି ଦେଇଗଲେ। ବିଲେଇ ରଖିବାର ଅପକାର ବିଷୟରେ ବିସ୍ତୃତ ଭାଷଣ ଦେବା ସହ, ଗଗନ ଡାକ୍ତର ହୋଇ କିପରି ଏମିତି ମୁଢ ଲୋକଙ୍କ ପରି ବିଲେଇ ପାଳିଛନ୍ତି ବୋଲି ବେଶ୍ କଡା କଥା ମଧ୍ଯ କହି ଚାଲିଲେ। ସାହାସ ପାଇ ପିଲା ଟା ଧଳୁ ପାଖକୁ ଦୌଡି ଗଲା ଓ ଏକ ବାଡିରେ ତା ଗୋଡରେ ଦେଲା ଶକ୍ତ ପ୍ରହାର। ଘୋ ଘା ଶବ୍ଦ ଓ ମାଡର ବେଦନା ରେ ଅତିଷ୍ଠ ହୋଇ ଧଳୁ ଘର ବାହାରକୁ ଦୌଡି ପଳାଇଲା।

ଜୀବନ ରେ ପ୍ରଥମ ଥର ପାଇଁ ସେ ଘରର ପାଚେରୀ ଡେଇଁ ବାହାର ଦୁନିଆ କୁ ଚାଲି ଆସିଥିଲା। ତା ପଛରେ ଗଗନ,ରମା ଓ ମିନି ମୋ ଧଳୁ ବୋଲିି ପାଟି କରି ଦୌଡି ଚାଲିଥିଲେ। ବିଚରା ଧଳୁ କାହୁଁ ଜାଣିବ, ଯେ ସ୍ବର୍ଗ ପରି ଘର ଓ ଦେବତା ପରି ଘର ଲୋକଙ୍କ ବ୍ଯତୀତ ଅନ୍ଯ ଏକ ଭୟଙ୍କର ଦୁନିଆ ବାହାରେ ଅପେକ୍ଷା କରି ରହିଛି। ନିମିଷକରେ ଏକ ବୁଲା କୁକୁର ଦୌଡି ଆସି ଧଳୁକୁ କାମୁଡି ଦେଲା। କୌଣସି ଉପାୟରେ ତାକୁ କୁକୁର କବଳରୁ ଉଦ୍ଧାର କରି ଗଗନ ଘରକୁ ନେଇ ଆସିଲେ। ଭୀଷଣ କଷ୍ଟରେ ଥାଇ ମଧ୍ଯ ଧଳୁ ଗଗନଙ୍କ କୋଳରେ ନିଷ୍ପାପ ଶିଶୁଟିଏ ପରି ଶୋଇ ରହି କୁଁ କୁଁ ହୋଇ କାନ୍ଦି ଚାଲିଥିଲା। ଏ ଘଟଣା ପାଇଁ ବାପା,ମାଆ ଓ ଝିଅ ନିଜ ନିଜକୁ ଦୋଷ ଦେବାରେ ଲାଗିଥିଲେ। ମିନି ଓ ରମା କାନ୍ଦି କାନ୍ଦି ନୟାନ୍ତ ହୋଇ ଯାଉଥିଲେ। ମୋ ପିଲା କୁ ମାରି ଦେଲେ ଲୋ...କହି ରମା ବାହୁନିବାରେ ଲାଗିଥାଆନ୍ତି। ସେ ଡାକ୍ତର ବନ୍ଧୁ କେତେବେଳେ ଗଲେ ସେ ଆଡକୁ କାହାର ଲକ୍ଷ ନ ଥିଲା। ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ-- ଧଳୁର କିଛି ହୋଇ ଯିବନି ତ?

ବେଶ୍ କିଛି ଦିନ ପରେ ଧଳୁ ସୁସ୍ଥ ହେଲା। କିନ୍ତୁ ତା ଭିତରେ ଥିବା ନିଷ୍ପାପ ଶିଶୁ ମନ ଭିତରେ ଭୟ ବସା ବାନ୍ଧି ସାରିଥିଲା। ପୂର୍ବରୁ ସଦାବେଳେ ଚଳଚଞ୍ଚଳ ରହୁଥିବା ଧଳୁ ଗୁମସୁମ ହୋଇ ଯାଇଥିଲା। କୁକୁର ଭୁକିବାର ଶବ୍ଦ ଶୁଣିବା ମାତ୍ରେ ଡରି ଯାଇ ରମାଙ୍କ ପାଖକୁ ଦୌଡିଯାଇ ନିଜକୁ ଲୁଚାଇବାକୁ ଚେଷ୍ଟା କରୁଥିଲା। ଜଣେ ଡାକ୍ତର ଭାବରେ ଗଗନ ବୁଝି ପାରୁଥିଲେ ଧଳୁର ମାନସିକ ଅବସ୍ଥା। କାଳକ୍ରମେ ଧଳୁ ପୁଣି ସମ୍ପୂର୍ଣ୍ଣ ଠିକ୍ ହୋଇଯିବ ବୋଲି ସେ ଦୃଢ ନିଶ୍ଚିତ ଥିଲେ। ଏବେ ଧଳୁର ସୁରକ୍ଷା ପାଇଁ ତିନି ଜଣ ବେଶ୍ ସଚେତନ ହୋଇ ଯାଇଥିଲେ। ଘର କୁ କେହି ଆସିଲେ ତାକୁ ଏକ ଘରେ ବନ୍ଦ କରି ରଖା ଯାଉଥିଲା। ସବୁଠାରୁ ଅଧିକ ସାବଧାନ ହୋଇ ଯାଇଥିଲା ମିନି। କୌଣସି ସାଙ୍ଗସାଥୀ ଯେପରି ଧଳୁର ପାଖକୁ ନ ଆସି ପାରିବେ ସେଥିପାଇଁ ସେ ବିଶେଷ ଧ୍ଯାନ ଦେଉଥିଲା।

ଥରେ ରମାଙ୍କ ସମ୍ପର୍କୀୟ ଭଉଣୀଙ୍କ ବିଭାଘର କୁ ଯିବା ପାଇଁ ଗଗନ ଓ ରମାଙ୍କୁ ନିମନ୍ତ୍ରଣ ଆସିଲା। ଛୁଟି ନ ମିଳିବା କାରଣରୁ ଗଗନ ଯିବାରେ ନିଜର ଅସାମର୍ଥ୍ଯତା ପ୍ରକାଶ କଲେ ଓ ମିନିକୁ ସାଙ୍ଗରେ ନେଇ ଯିବା ପାଇଁ ରମାଙ୍କୁ ପ୍ରସ୍ତାବ ଦେଲେ। ରମାଙ୍କର ଯିବାରେ କୌଣସି ଆପତ୍ତି ନ ଥିଲା। କିନ୍ତୁ ତାଙ୍କର ଚିନ୍ତା ଥିଲା ଧଳୁ ପାଇଁ। ସେ ଚାଲିଗଲା ପରେ ତା ଯତ୍ନରେ କାଳେ ହେଳା ହେବ, କାଳେ ସେ ବାହାରକୁ ଚାଲିଯିବ, କାଳେ ସେ ସହରୀ ଡାକ୍ତର ପୁଣି ତାଙ୍କ ପୁଅ କୁ ଧରି ଆସିବେ, ଏମିତି ଅନେକ ଦୁଶ୍ଚିନ୍ତା ରେ ତାଙ୍କ ମନ ଗୋଳେଇ ଘାଣ୍ଟି ହୋଇ ଯାଉଥିଲା। କିନ୍ତୁ, ଧଳୁକୁ ଠିକ୍ ରେ ରଖିବାର ନିର୍ଭର ପ୍ରତିଶୃତି ଗଗନଙ୍କ ପାଖରୁ ପାଇବା ପରେ ସେ ମିନି କୁ ସାଙ୍ଗରେ ନେଇ ଯିବା ପାଇଁ ପ୍ରସ୍ତୁତ ହେଲେ। ମିନି ଧଳୁକୁ ଛାଡି ଯିବା ପାଇଁ ପ୍ରଥମେ ଅମଙ୍ଗ ହେଉଥିଲା। କିନ୍ତୁ ଦୁଇ ଦିନରେ ଫେରିି ଆସିବ ବୋଲି ଜାଣିବା ପରେ ବାଧ୍ଯ ହୋଇ ରମାଙ୍କ ସହ ବାହାରିଲା। ସେମାନେ ଯିବା ପୂର୍ବ ଦିନ ଧଳୁ ସେମାନଙ୍କ ପାଖ ଛାଡି କୁଆଡେ ଗଲାନି।

ଅନ୍ଯ ଦିନ ଅପେକ୍ଷା ରମାଙ୍କ ପାଖରେ ଅଧିକ ଘଷି ହୋଇ ଗେଲ ହେବାର ଦେଖି, ରମା ତାକୁ କୋଳେଇ ନେଇ କହିଲେ-- ଆରେ ଏମିତି ବ୍ଯସ୍ତ କାହିଁକି ହେଉଛୁ। ମୁଁ ମାତ୍ର ଦୁଇ ଦିନ ପାଇଁ ଯାଉଛି। ଫେରିଲା ବେଳକୁ ତୋ ପାଇଁ ଭଲ ଜିନିଷ ନେଇ ଆସିବି। ମିନି ମଧ୍ଯ ତାକୁ ବୁଝାସୁଝା କରି ଗେଲ କଲା। ସେଦିନ ଟ୍ଯାକ୍ସିରେ ରମା ଓ ମିନି ଙ୍କୁ ବିଦାୟ ଦେଲେ ଗଗନ ଓ ତାଙ୍କ କୋଳରେ ଥିବା ଧଳୁ । ରମା ଲକ୍ଷ କଲେ ଧଳୁର ସେ ଜାଜ୍ଜୁଲ୍ଯମାନ ଚକ୍ଷୁରେ କେଇ ବୁନ୍ଦା ଲୁହର ଉପସ୍ଥିତି। କାନିରେ ଆଖି ପୋଛି ଗଗନଙ୍କ ଉଦ୍ଦେଶ୍ଯରେ କହିଲେ - - ମୋ ଧଳୁ ତୁମକୁ ଲାଗିଲା, ତାର ଯେମିତି କିଛି ଅସୁବିଧା ନ ହୁଏ। ତାକୁ ତୁମ ପାଖରେ ଯେମିତି ଛାଡି ଯାଉଛି, ଆସିଲା ବେଳକୁ ସେମିତି ରଖିଥିବ। ଦେହରେ ଯେମିତି ଆଞ୍ଚୁଡା ଦାଗ ଟେ ବି ନ ପଡେ। ସମ୍ମତିସୂଚକ ହସରେ ଗଗନ ସେମାନଙ୍କୁ ବିଦାୟ ଦେଲେ।

ପ୍ରଥମ ଦିନ ଧଳୁକୁ ଖାଇବା ପିଇବା ଦେଇ କବାଟ ବନ୍ଦ କରି ସେ ଡାକ୍ତରଖାନା ଗଲେ। ଫେରିବା ପରେ ଧଳୁ ତାଙ୍କ ପାଖରେ ଜାକି ହୋଇ ରହିଲା। ତାଙ୍କୁ ଲାଗିଲା ସତେକି ସେ ରମା ଓ ମିନି ବିଷୟରେ ତାଙ୍କୁ ବାରମ୍ବାର ପଚାରୁଛି । ସେଦିନ ରାତିରେ ସେ ଭଲରେ ଖାଇଲା ନାହିଁ ଓ ଗୁମସୁମ୍ ହୋଇ ଗଗନଙ୍କ ଗୋଡ ପାଖରେ ଶୋଇ ରହିଲା। ଯେତେ ବୁଝାଇଲେ ମଧ୍ଯ ତା ମନରେ କୌଣସି ପରିବର୍ତ୍ତନ ହେବା ଲକ୍ଷ କରିପାରିଲେନି ଗଗନ। କୌଣସି ମତେ ସେ ଦିନଟି ଚାଲିଗଲା। ମନେ ମନେ ଭାବୁଥିଲେ ଗଗନ, ରମା ଓ ଧଳୁ ମଧ୍ଯରେ ଥିବା ନିବିଡ ସମ୍ପର୍କ ବିଷୟରେ। ସତରେ ରମା ତା'ର ମାଆ ପାଲଟି ଯାଇଥିଲେ। ମାଆ ପାଖରୁ ଦୂରରେ ରହିଲେ ପିଲା ର ଅବସ୍ଥା ଯାହା ହୁଏ, ଧଳୁ ଅବସ୍ଥା ସେମିତି ଥିଲା।

ସେଦିନ ରବିବାର ଥିଲା ଓ ରମା ଦ୍ବି' ପହର ସୁଦ୍ଧା ଫେରି ଆସିବାର ଥିଲା। କାହିଁକି କେଜାଣି ସେଦିନ ଧଳୁ ବେଶ୍ ଖୁସି ଜଣା ପଡୁଥିଲା। ସେ ବୋଧେ ରମାଙ୍କର ଆସିବା ବାସ୍ନା ବାରି ନେଇଥିଲା। ସକାଳୁ ପେଟ ଭର୍ତ୍ତି କରି ଖାଇବା ପରେ ଗଗନଙ୍କ ସହ ମନଭରି ଗେଲ ହେଲା। ବଗିଚା ରେ ପ୍ରଜାପତି ଧରିବା ଖେଳ ଓ ଗଛ ଚଢିବାର କୌଶଳ ଗଗନଙ୍କୁ ଦେଖାଇବାକୁ ଲାଗିଲା। କୋଳକୁ ଟେକି ନେଇ ଗଗନ ତାକୁ କହିଲେ-- କିରେ ଦୁଷ୍ଟ, ତୋ ମାଆ ଆଜି ଫେରୁଛି ବୋଲି ଏତେ ଖୁସି ଅଛୁ ନା କ'ଣ? ଲାଞ୍ଜ ଟେକି ଘୁଡୁଘୁଡୁ ଶବ୍ଦ କରି ସେ ନିଜ ଉତ୍ତର ରଖିଲା। ଘରକୁ ଆଣିବା ଦିନରୁ ସେଦିନ ଯାଏଁ କେବେ ମଧ୍ଯ ଧଳୁ ଗଗନଙ୍କୁ ଚାଟିବାର ନଜିର ନ ଥିଲା। ସେଦିନ କଣ ହେଲା କେଜାଣି ସେ ଗଗନଙ୍କ ଗାଲ ଓ ହାତ କୁ ଚାଟିଲା। ପ୍ରଥମେ ଗଗନ କିଛି କହିଲେନି, କିନ୍ତୁ କିଛି ସମୟ ପରେ ଧଳୁ କୁ ତାଙ୍କୁ ଚାଟିବା କାମରୁ ନିବୃତ୍ତ କରି ମୁହଁ ଧୋଇବାକୁ ଘର ଭିତରକୁ ଗଲେ। ଘରକୁ ପଶିବା ପୂର୍ବରୁ ଧଳୁକୁ ତାଗିଦ୍ କରିବା ପରି କହିଲେ-- ଦେଖ୍ ଧଳୁ ତୁ ଏଇ ଯାଗାରେ ଖେଳୁ ଥା, ମୁଁ ପାଞ୍ଚ ମିନିଟ୍ ଭିତରେ ଆସୁଛି। କୁଆଡେ ମଧ୍ଯ ଯିବୁନି। ଧଳୁ ତାଙ୍କ ଗୋଡ ପାଖକୁ ଲାଗି ଆସି ଆଉଥରେ ଘଷିହେଲା ଓ ପ୍ରଜାପତି ଧରିବା କାମରେ ଲାଗିଗଲା।

ଗଗନ ବାହାରକୁ ଆସି ଦେଖିବା ବେଳକୁ ଧଳୁ ସେ ଯାଗା ରେ ନ ଥିଲା। ସେ ବଡ ପାଟିରେ ତାକୁ ଡାକି ବାକୁ ଲାଗିଲେ, କିନ୍ତୁ ଧଳୁର ଦେଖା ନାହିଁ। ଗଛ ପାଖକୁ ଯାଇ ଦେଖିଲେ, ଗଛ ଉପରେ ମଧ୍ଯ ସେ ନ ଥିଲା। ତାଙ୍କ ମନରେ ପାପ ଛୁଇଁଲା। ଏତେ କମ୍ ସମୟ ଭିତରେ ଧଳୁ କୁଆଡେ ଚାଲିଯିବ ସେ ଭାବି ପାରୁ ନ ଥିଲେ। ପୁଣି ଥରେ ଘର ଭିତରକୁ ଯାଇ ଖୋଜିଲେ, କାଳେ କିଛି ଖାଇବା ପାଇଁ ସେ ଘର ଭିରକୁ ଚାଲି ଆସିଥିବ। କିନ୍ତୁ ସେ ଘର ଭିତରେ ବି ନ ଥିଲା। କାଳ ବିଳମ୍ବ ନ କରି ସେ ଗେଟ୍ ଖୋଲି ବାହାରେ ଦେଖିବାକୁ ଲାଗିଲେ ଓ ପାଖ ଲୋକଙ୍କୁ ପଚାରିଲେ। ସମସ୍ତଙ୍କର ସେହି ଗୋଟିଏ ଉତ୍ତର ସେମାନେ ଧଳୁ କୁ ଦେଖି ନାହାଁନ୍ତି। ପାଖାପାଖି ଘଣ୍ଟାଏ କାଳ ଖୋଜାଖୋଜି କରିବା ପରେ ମଧ୍ଯ ଧଳୁର ପତ୍ତା ମିଳୁ ନ ଥିଲା। ସେ କଣ କରିବେ କିଛି ଭାବିି ପାରୁ ନ ଥିଲେ। ଅଳ୍ପ ସମୟ ମଧ୍ଯରେ ରମା ଓ ମିନି ପହଞ୍ଚି ଯିବେ, ଯଦି ସେତେବେଳକୁ ଘରେ ଧଳୁ ନ ଥିବ ,କଣ ଯେ ଅବସ୍ଥା ହେବ ଭାବିବା କଷ୍ଟକର। ଡାକ୍ତରଖାନା ର କର୍ମଚାରୀ ମାନଙ୍କୁ ଡକାଇ ସେମାନଙ୍କ ସହ ମିଶି ଖୋଜିବାରେ ଲାଗିଲେ।

ସେ ସମୟରେ ଜଣେ କର୍ମଚାରୀ କହିଲା - - ଆଜ୍ଞା, ଆପଣଙ୍କ ଘର ପଛ ପାଖରେ ଏକ ଭଙ୍ଗା କୂଅ ଅଛି। ସେ କୂଅରୁ କେହି ପାଣି ନିଅନ୍ତିନି, କିନ୍ତୁ ଅନେକ ସମୟରେ ପୋଷା ଜୀବ ମାନେ ତା ଭିତରେ ପଡି ଯାଆନ୍ତି। କାହିଁ କେତେ ଦିନରୁ ସେହି ଅବସ୍ଥାରେ ଅଛି, ନା କେହି ତାକୁ ପୋତା ପୁରାଉଛନ୍ତି ନା ତା ଉପରେ ତାର ଜାଲି ଦେଇ ବନ୍ଦ କରୁଛନ୍ତି। ଆମେଟିକେ ସେ କୂଅ ପାଖକୁ ଯାଇ ଦେଖିଲେ.....

ତା କଥା ସମ୍ପୂର୍ଣ୍ଣ ହେବା ପୂର୍ବରୁ ଗର୍ଜି ଉଠିଲେ ଗଗନ। - - କାହିଁକି ସେମିତି ମୁର୍ଖଙ୍କ ପରି କଥା କହୁଛ?ସେ କୂଅ ମୁଁ ଆଜି ଯାଏ ଦେଖିନି, ଧଳୁ କେମିତି ଦେଖିବ? କର୍ମଚାରୀଟି ପୁଣି କହିଲା - - ଆଜ୍ଞା ସେ କଥା ଠିକ୍ ଯେ, ଯଦି କୁକୁର ଗୋଡେଇ ଥିବ ଧଳୁ ସେପଟକୁ ଦୌଡି ପଳାଇବା ଟା କଣ ଅସମ୍ଭବ ଲାଗୁଛି।

କୁକୁର କଥା ଶୁଣି ସ୍ଥାଣୁ ହୋଇଗଲେ ସେ। ସବୁଦିନ ପେପର ବାଲା ଘର ଭିରେ ନ ପଶି ଗେଟ୍ ପାଖରେ ପେପର ଫିଙ୍ଗି ଦେଇଯାଏ। କିନ୍ତୁ ରମା ନାହାଁନ୍ତି ବୋଲି ଯଦି ସେ ଗେଟ୍ ଖୋଲି ଆସିି ଘରେ ପେପର ଦେଇଥିବ, ତେବେ ସେ ଅବସର ରେ କୁକୁର ପଶି ଆସିବା ଆଦୌ ଅସମ୍ଭବ ନୁହଁ। କାହାକୁ କିଛି ନ କହି ଗଗନ ଦୌଡି ଗଲେ ଘର ପାଖକୁ। ଘର ଦୁଆର ଆଗରେ ପେପର ପଡିଥିବାର ଦେଖି ସେ ଚିତ୍କାର କରି କହିଲେ - - ସବୁ କୂଅ ପାଖକୁ ଚାଲ।

କୂଅ ପାଖକୁ ଯିବା ସମୟରେ ଗଗନଙ୍କର ପ୍ରତ୍ଯକ ଟି ପାହୁଣ୍ଡ ସହ ମନ ଭିତରେ ନାଚି ଚାଲିଥିଲା ବିଲୁ ର ଆବିର୍ଭାବ ଓ ଧଳୁକୁ ତାଙ୍କ ପାଖରେ ଛାଡି ଚାଲିଯିବା, ଗଛ ପାଖରେ ବିଲୁର ମୃତ ଶରୀର, ଧଳୁ ସହ ବିତାଇ ଥିବା ସ୍ବର୍ଣ୍ଣିମ ମୂହୂର୍ତ୍ତ ସବୁ ଓ ରମା,ମିନିଙ୍କ ସହ ଧଳୁର ଆତ୍ମିକ ସମ୍ପର୍କ ର ଦୃଶ୍ଯାବଳୀ। କାନ ରେ ବାରମ୍ବାର ଗୁଞ୍ଜରିତ ହେଉଥିଲା ଯିବା ସମୟରେ ରମା କରିଥିବା ତାଗିଦ୍- - ମୋ ଧଳୁ ତୁମକୁ ଲାଗିଲା, ତାର ଯେମିତି କିଛି ଅସୁବିଧା ନ ହୁଏ। ତାକୁ ତୁମ ପାଖରେ ଯେମିତି ଛାଡି ଯାଉଛି, ଆସିଲା ବେଳକୁ ସେମିତି ରଖିଥିବ।

କେତେ ବେଳେ ସେ କୂଅ ପାଖରେ ପହଞ୍ଚି ସାରିଥିଲେ ସେ ବିଷୟ ରେ ଆଦୌ ସଚେତନ ନ ଥିଲେ। କୂଅ ବିଷୟରେ ସୂଚନା ଦେଇଥିବା କର୍ମଚାରୀ ଉଲ୍ଲସିତ ହୋଇ କହିଲା- - ମୁଁ କହୁଥିଲି ପରା ସେ ଏଇ କୂଅ ଭିତରେ ପଡିଥିବ। ଆସନ୍ତୁ ସାର୍ ନିଜେ ଦେଖନ୍ତୁ, ବିଲେଇଟା ଏଇ କୂଅ ଭିତରେ କେମିତି ପଡିଛି। ତା ଦେହରେ ଆଉ ଜୀବନ ନାହିଁ। ଦେଖୁ ନାହାଁନ୍ତି କେମିତି ଚାରି ଗୋଡ ଟାଙ୍ଗଣା ହୋଇ ଗଲାଣି।

ଗଗନଙ୍କ ଇଚ୍ଛା ହେଉଥିଲା ତାଙ୍କ ଧଳୁ ବିଷୟରେ ଏପରି ଅପମାନଜନକ ଅବିବେକୀ ମନ୍ତବ୍ଯ ଦେଇଥିବା କର୍ମଚାରୀ ମୁହଁ ରେ ଶକ୍ତ ମୁଥା ମାରି ତା ମୁହଁ ଭାଙ୍ଗି ଦେବା ପାଇଁ। କିନ୍ତୁ ତାହା ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଥିଲା କୂଅ ଭିତରେ ତାଙ୍କ ପାଇଁ ଅପେକ୍ଷା କରିଥିବା ଲୋମହର୍ଷଣକାରୀ ଦୃଶ୍ଯ ସହ ପ୍ରତ୍ଯକ୍ଷ ହେବା। ସେ ଏକ ପ୍ରକାର କୂଅ ଭିତରକୁ ଝୁଙ୍କି ପଡିଲେ। ଅନ୍ଯ କର୍ମଚାରୀ ନ ଥିଲେ ବୋଧେ ସେ କୂଅ ଭିତରକୁ ଲମ୍ଫ ପ୍ରଦାନ କରି ଦେଇଥାଆନ୍ତେ।

ଧଳୁର ସିକ୍ତ ଶରୀର କୂଅ ମଧ୍ଯରୁ ବାହାର କରାଗଲା। ଗଗନ ବିକଳ ହୋଇ ତା ହୃଦ୍ ସ୍ପନ୍ଦନ ପରୀକ୍ଷା କରିବାକୁ ଲାଗିଲେ। କାଳେ ଡାକ୍ତରି ବିଦ୍ଯାର ପ୍ରୟୋଗ କରି ସେ ଧଳୁ କୁ ବଞ୍ଚାଇ ପାରିବେ,ସେହି ଚେଷ୍ଟା କରି ଚାଲିଲେ। କିନ୍ତୁ, ସେତେ ବେଳକୁ ବହୁତ ଡେରି ହୋଇଯାଇଥିଲା। ଧଳୁର ପ୍ରାଣପକ୍ଷୀ ଶରୀର ପଞ୍ଜୁରୀ ଛାଡି ଉଡି ଯାଇଥିଲା ଅଲଙ୍ଘନୀୟ ଦୂରତାକୁ। ତା'ର ତୁଷାରସମ ଧବଳ ଶରୀର, ଲୋହିତ ବର୍ଣ୍ଣ ଧାରଣ କରିଥିଲା କ୍ଷତ ର ପ୍ରାବଲ୍ଯତା ହେତୁ। ପଞ୍ଝାରୁ ମୁନିଆ ନଖ ସବୁ ଉନ୍ମୁକ୍ତ ହୋଇ ରହିଥିଲା ପ୍ରତିଆକ୍ରମଣ ଅଥବା ନିଜକୁ ବଞ୍ଚାଇବା ଉଦ୍ଦେଶ୍ଯରେ। ଲୋମଶ ଲାଞ୍ଜଟି ଫୁଲି ରହି ଦର୍ଶାଉଥିଲା, କୂଅରେ ପଡିବା ପୂର୍ବରୁ ଧଳୁ ନିଜକୁ ରକ୍ଷା କରିବା ଉଦ୍ଦେଶ୍ଯରେ କରିଥିବା ଶେଷ ପ୍ରୟାସର ସ୍ବୀକାରୋକ୍ତି। ଘନମେଘ ପରି କୃଷ୍ଣରଙ୍ଗର ଚକ୍ଷୁ ଦ୍ବୟ ଅର୍ଦ୍ଧ ନିମିଳିତ ଅବସ୍ଥାରେ ଥିଲା ଓ ତନ୍ମଧ୍ଯରେ ପରିସ୍ଫୁଟିତ ହେଉଥିଲା ଅକଥ୍ଯ କଷ୍ଟ ଓ ଯନ୍ତ୍ରଣାର ଚିହ୍ନ। ପାରିପାର୍ଶ୍ବିକ ଅବସ୍ଥାରୁ ସ୍ପଷ୍ଟ ଥିଲା ଯେ କୁକୁର ଆକ୍ରମଣ ରେ କ୍ଷତାକ୍ତ ହୋଇ ନିଜକୁ ବଞ୍ଚାଇବା ସମୟରେ ସେ ପଡି ଯାଇଥିଲା ସେହି ଅଭିଶପ୍ତ କୂଅ ଭିତରେ।

ଧଳୁର ପାର୍ଥିବ ଶରୀର କୁ କୋଳରେ ଜାକି ଗଗନ ବଗିଚାରେ ଥିବା ଆମ୍ବ ଗଛ ପାଖରେ ବାହୁନି ବାହୁନି କାନ୍ଦି ଚାଲିଥିଲେ। ଧଳୁର ଜନ୍ଣଦାତ୍ରୀ ଓ ପାଳନକର୍ତ୍ତ୍ରୀ ଙ୍କ ପାଖରେ ସେ ଦୋଷୀ ହୋଇ ସାରିଥିଲେ। ବିଲୁ ଓ ରମାଙ୍କୁ ଦେଇଥିବା ଆଶ୍ବାସନା ଧଳୁର ରକ୍ତସ୍ନାତ ଶରୀର ରୁ ନିଗିଡି ପଡୁଥିବା ରକ୍ତ ବିନ୍ଦୁ ସହ ମାଟି ରେ ମିଶି ଯାଉଥିଲା। ସେ ସମୟରେ ଗେଟ୍ ସାମନା ରେ ଗାଡି ରହିବା ଓ କିଛି ସମୟ ପରେ ଗେଟ୍ ଖୋଲିବାର ଶବ୍ଦ ସେ ଶୁଣି ପାରିଲେ। ତା ସାଙ୍ଗକୁ ଶୁଭୁଥିଲା ରମାଙ୍କ ସ୍ନେହାର୍ଦ୍ଦ ଡାକ-- ମୋ ଧଳୁ ରେ କୁଆଡେ ଗଲୁ, ଆସିଲୁ ତୋତେ ଟିକେ ଗେଲ କରି ଦେବି। ଦୁଇ ଦିନ ହେଲାଣିି ତୋତେ ଦେଖିନି। ଝିଅ ମିନି, ରମାଙ୍କ ପଛେ ପାଟି କରି କହିଚାଲିଥିଲା-- ଦେଖ୍ ଧଳୁ ମୁଁ ତୋ ପାଇଁ କେତେ ଜିନିଷ ଆଣିଛି। ତୁ ଦେଖିଲେ ଖୁସି ହୋଇଯିବୁ।

ରମା ଓ ମିନିଙ୍କୁ ଲୁଚାଇ ଗଗନ ଧଳୁକୁ କୋଳରେ ଜାକି କାନ୍ଦି କାନ୍ଦି କହି ଚାଲିଥିଲେ -- – ପାଞ୍ଚ ମିନିଟ୍ ପାଇଁ ତୋତେ ଏକୁଟିଆ ଛାଡି ଗଲି ବୋଲି ମୋତେ ଏପରି ଦଣ୍ଡ ମିଳିଲା ? ନିମିଷକରେ ମୋର ସର୍ବନାଶ ହୋଇ ଗଲାରେ ଧଳୁ। ହଁ ମୁଁ ଦୋଷୀ ମୋତେ ସମସ୍ତେ ଦଣ୍ଡ ଦିଅ, ଏତିକି କହି ସେ ଅଚେତ୍ ହୋଇ ପଡିଗଲେ।

ରମା, ହାଁ....ତୁମର କଣ ହେଲା? କହି ଗଗନଙ୍କ ପାଖକୁ ଦୌଡି ଆସିଲେ। ମିନି କିଛି ବୁଝି ନ ପାରି ଭେଁ କରି କାନ୍ଦି ଉଠିଲା। ଗଗନ ଅଚେତ ହୋଇଯିବା ପରେ ତାଙ୍କ କୋଳରୁ ଧଳୁର ଶରୀର ତଳେ ପଡିଗଲା। ତା ପରେ......

ପରବର୍ତ୍ତୀ ଦୃଶ୍ଯ ର ବିବରଣୀ ଦେବାପରି ଶକ୍ତ ହୃଦୟ ଏ ଲେଖକ ପାଖରେ ନାହିଁ ସେଥିପାଇଁ ସେ କ୍ଷମାପ୍ରାର୍ଥୀ।

------------- ସମାପ୍ତ------------

ଡାକ୍ତରଖାନା ବିଲେଇ ଗୁଲୁଗୁଲିଆ

Rate the content


Originality
Flow
Language
Cover design

Comments

Post

Some text some message..