Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଟିଆରା
ଟିଆରା
★★★★★

© Soumya Shubhadarshinee

Inspirational

7 Minutes   481    41


Content Ranking

ତୋ ପାଇଁ ସାଇତିଛି ସ୍ୱପ୍ନ ଫରୁଆଟେ ହୃଦୟରେ । ବୁଝୁନୁ କିଆଁ ତୁ ତ' ମୋହଫାଶଟେ , ଜୀବନ ଜୀଇଁବାର ବାହାନାଟେ !

******

--'' ଏମିତି କଣ ହେଲା ତୋର , ଦରଜା ବନ୍ଦ କରିଛୁ କାହିଁକି ଖୋଲ ତ' ପ୍ଲିଜ !''

ହାତ ଯନ୍ତ୍ରଣା କଲାଣି ତା'ର ଦରଜାରେ ବାଡେଇ ବାଡେଇ କିନ୍ତୁ ତଥାପି ବନ୍ଦ ଥିଲା ଦରଜା , ଢେର ବେଳୁ । ଶୁଭାଙ୍ଗୀ ଅନେକ ଚେଷ୍ଟା କରିସାରିଥିଲା ଦିବ୍ୟାଙ୍ଗୀ କୁ ମନେଇବା ପାଇଁ । କିନ୍ତୁ ସବୁ ଚେଷ୍ଟା ବିଫଳ , ଦରଜା ସେମିତି ବନ୍ଦ ଥିଲା ଆଉ ସେ ଭିତରେରେ। ଅଫିସରୁ ଫେରି ଏମିତି ନିଜକୁ ରୁମ ଭିତରେ ବନ୍ଦ କରିଛି ଯେ କରିଛି କାରଣ ଜଣା ନାହିଁ ।

**********

--'' ତୁ ନେବୁ କି ଗୋଟେ ଗିଫ୍ଟ ତା' ପାଇଁ , ଆରେ ଏତେ ଦିନ ପରେ ଆସିବ ସେ ଯେତେବେଳେ ?''

ଶୁଭାଙ୍ଗୀ ପଚାରିଥିଲା ଛୋଟ ଭଉଣୀକୁ, ଦିବ୍ୟାଙ୍ଗୀକୁ । ଆସୁଥିଲା ଦିବ୍ୟାର ବନ୍ଧୁ ଅଂଶୁ ପୁରା ପାଞ୍ଚ ବର୍ଷ ପରେ ।

ଦିବ୍ୟା ଗୋଟେ ଭିନ୍ନ ଝିଅ, ଟି' ସାର୍ଟ ଆଉ ଜିନ୍ସ ଭିତରେ , ହାତରେ ଚୁଡି ଜାଗାରେ କଡା ପିନ୍ଧି , ମୁଣ୍ଡରେ ବେଣୀ ଜାଗାରେ ଛୋଟ ଛୋଟ ଚୁଟି ରଖି , ପାଦରେ ରିବକ୍ ସୁ ପିନ୍ଧି ଆଉ ଆଖିରେ ରେ' ବ୍ୟାନ୍ ଚଷମା ନାଇ , ପୁରା ପୁଅଟେ ପରି ।କେବେ ଦେଖିନି କେହି ତାକୁ ଝିଅ ଭଳି । ସବୁବେଳେ ରୁକ୍ଷ ଆଉ ଶକ୍ତ , କେମିତି ଖାପଛଡ଼ା ଖାପଛଡା । ଗିଫ୍ଟ ଭଳି ଭାବ ନାହିଁ ତା' ଭିତରେ । ସବୁବେଳେ ଅଂଶୁ ସହ ଝଗଡାହିଁ କରେ ଚଣ୍ଡୀ !

ମାନୁଛି ପୋଲିସ ଚାକିରୀ କରେ , ଯେଉଁଠି ନିଜକୁ ଟାଣ କରି ରଖିବାକୁ ହୁଏ ! ଚୋର , ଗୁଣ୍ଡା , ସ୍ମଗଲର୍ , ହତ୍ୟାକାରୀ ଏମିତି ଅନେକ ଅସାମାଜିକ ଲୋକ ମାନଙ୍କୁ ନେଇ କାରବାର କରୁଥିବା ମଣିଷ, ଶକ୍ତ ହେବା ଜରୁରୀ । କିନ୍ତୁ ତଥାପି ଭିତରେ ସେ ଝିଅଟେ ଯେ!

**********

ବାପା ଚାହୁଁଥିଲେ ପୁଅଟେ ଶୁଭାଙ୍ଗୀ ପରେ । କିନ୍ତୁ ଆସିଥିଲା ଏଇ ଦିବ୍ୟା , ଟିକେ ଦୁଃଖ ଦେଇ ସଭିଙ୍କ ମନରେ।ଜେଜୀ ତ' କହିଥିଲା ''ଅଲକ୍ଷଣୀ '' .........

ବୋଉ ଖୁବ୍ କାନ୍ଦି ଥିଲା , ଛୁଆକୁ କୋଳକୁବି ନେଇନଥିଲେ , ଶୁଣିଛି ସେ ଚାହୁଁଥିଲା ନେବନି ସାଥିରେ, ହସ୍ପିଟାଲରେ ହିଁ ଛାଡି ଦେବ। କାରଣ ବି ଥିଲା , ଘରେ ପ୍ରବଳ ଚାପ ଥିଲା ପୁଅଟେ ପାଇଁ । ବୋଉ ଉପରେ ଯେମିତି ପୂରା ଅତ୍ୟାଚାର ଥିଲା , ଉଲୁଗୁଣା ଥିଲା ବଂଶ ବୁଡ଼େଇ ଦେଲା ବୋଲି। ବାପା ଗୋଟେ ପୁଅ , ଆଉ ତାଙ୍କର ଝିଅ ଖାଲି । ବଂଶ ବୁଡିଯିବ ନାହିଁ ତ ଆଉ କ'ଣ !

ଆଗରୁ ଏମିତିହିଁ ଥିଲା ସାମାଜିକ ବ୍ୟବସ୍ଥା ।

ଦୁଇଟା ପିଲା ପରେ ଆଉ ଗୋଟେ ପିଲା କରିବା କଷ୍ଟ ଥିଲା , ବୋଉର ଦେହ ଦୃଷ୍ଟିରୁ । ହାର୍ଟ ପ୍ରବ୍ଲେମ ଥିଲା , ବଡ଼ ବିପଦ ଭିତରେ ଦୁଇ ଦୁଇ ଥର ଜୀବନ ବାଜି ରଖି ହାରି ସାରିଥିଲା । ତା' ସହ ପ୍ରଚୁର ଖର୍ଚ୍ଚ , ହଁ ପୂରା ଗୋଟେ ଡାକ୍ତର ଦଳଗତ ଭାବେ ବୋଉ ଆଉ ପିଲାର ଯତ୍ନରେ । ଆଉ ଧୈର୍ଯ୍ୟ , ସାହସ କି ଅର୍ଥବଳ ନଥିଲା । ତା' ବାଦେ ପୁଣି ଝିଅ ହେବନାହିଁ ବୋଲିବି କିଛି ପ୍ରତିଶ୍ରୁତି ନଥିଲା। ବୋଉ ସତରେ କାନ୍ଦିଥିଲା ବହୁତ ! ମନେ ଅଛି ଶୁଭାଙ୍ଗୀର ସେ ସେତେବେଳେ ଆଠ ବର୍ଷର ବୁଝିବା ପିଲା ।

କେବଳ ଜେଜେ ସାଥ ଦେଇଥିଲେ । ନିଜ ବଂଶର ଝିଅଟିକୁ କୋଳେଇ ନେଇ କହିଥିଲେ, " କିଏ ଜାଣେ ହୁଏତ ଏଇଟି ମୋ ଦୁର୍ଗା ହେବ ଆଗକୁ ଯାଇ ! ରଖିବ ନାଁ , ଭଗବାନ ନିଶ୍ଚିତ ଭାବେ କିଛି ଭାବି ଥିବେ ଆମ ପାଇଁ ।"

ସେତେବେଳେ ଜେଜେଙ୍କ କଥା ଥିଲା ଅକାଟ୍ୟ । ବାସ୍ ଦିବ୍ୟା ଆସିଗଲା ପରିବାର ଭିତରକୁ ଟିକେ ତିକ୍ତ କିନ୍ତୁ ମିଠା ମୁହୂର୍ତ୍ତରେ ।

ହଁ ମିଠା କାରଣ ତା ଜନ୍ମ ପରେ ବାପାଙ୍କୁ ଚାକିରୀ ମିଳିଥିଲା ଏଇ ପୁଲିସ ଚାକିରୀ। ସେଥିପାଇଁ ଅଲକ୍ଷଣୀ ଟା ଲକ୍ଷ୍ମୀମନ୍ତ ହେଇଗଲା ସଭିଙ୍କ ପାଇଁ ।

ସଭିଏଁ ନିଜର କଲେ ତାକୁ କିନ୍ତୁ ବାପା କେବେବି ଗ୍ରହଣ କଲେନି । ନିରୁତ୍ସାହିତ ଥିଲେ ସାରା ଜୀବନ ଆଉ ଆଜିବି। ପୁଅଟେ ନଥିଲେ , ପାଣି ମୁନ୍ଦେ ମିଳିବନି ମଲା ବେଳକୁ, ଅମୋକ୍ଷ ରହିଯିବ ପିଣ୍ଡ !

**********

ରୂଢିବାଦୀ ବାପା ନିଜ ସିଦ୍ଧାନ୍ତରେ , ନିଜ ଚିନ୍ତାଧାରା ଭିତରେ ବନ୍ଦୀ ରହି ସାନ ଝିଅଟିକୁ ଅବହେଳା କଲେ ସାରା ଜୀବନ । ବୋଧେ ସେଇଥିପାଇଁ ଝିଅଟା ଜିଇଁ ପାରିଲା ନାହିଁ ପୂର୍ଣ୍ଣାଙ୍ଗ ଜୀବନଟେ ! ପୁଅଟିଏ ହେବାର ସଙ୍ଘର୍ଷ କଲା, ବେଶ ପୋଷାକ ଠାରୁ ନେଇ ଚାଲି ଚଳନ ସବୁଥିରେ ।

ଭାରି ବୁଦ୍ଧିଆ ସେ ଛୋଟ ବେଳୁ ବୁଝିଗଲା ତା' ଅଲୋଡ଼ା ପଣ , ଆଉ ପୁଅ ପାଇଁ ଲୋଡ଼ା ପଣ ବାପାଙ୍କ ଆଖିରେ ! ନିଜେ ହିଁ ବାଛି ଥିଲା ଏଇ ଜୀବନ । ପୋଲିସରେ ଭର୍ତ୍ତି ହେବାର ଇଚ୍ଛାବି ସେଇଠୁ ।

ଶକ୍ତ ଆଉ ସମର୍ଥ୍ୟ ପୁରୁଷ ଠାରୁ ଅଧିକ !

**************

ଶୁଭାଙ୍ଗୀ ବଡ଼ ହେଇବି ଛୋଟ ଥିଲା , ନାକ କାନ୍ଦୁରୀ , ଫୁଲେଇ , ସୁନ୍ଦରୀ । ଭାରି ସାଜି ସୁଜି ଝିଅଟେ , କୋମଳ ଆଉ ସ୍ନିଗ୍ଧ । ବୋଉର ସବୁ କଜଳ, ସିନ୍ଦୁର , ବିନ୍ଦି , ଚୁଡି ଉପରେ ଲୋଭ ତା'ର ଛୋଟ ବେଳୁ । ବୋଉର ଶାଢ଼ୀ ଗୁଡେଇ ହେଇ କୁନି କୁନି ପାଦରେ ଯାଇ ଜେଜେଙ୍କ ଉପରେ ଲାଉ ହେଉଥିବା କଣ୍ଡେଇ । ଦିବ୍ୟା ପରି କେବେ ଭାବିନଥିବା ଝିଅଟି ସବୁବେଳେ ସୁନ୍ଦରୀ ନାନୀ !!

ଭାରି ଗୋଟେ ଅଭିଯୋଗ ଥିଲା କିନ୍ତୁ ତା'ର , ଦିବ୍ୟା ପାଇଁ । କାହିଁକି ଏମିତି ହୁଏ ସେ ? ଏକା ପରି ଦୁଇ ହଳ ଡ୍ରେସ୍ ଆସନ୍ତା ହଁ ବାବା ଭିନ୍ନ ସାଇଜର କିନ୍ତୁ ଏକା ଦୁଇ ଭଉଣୀ ସାଜିକି ବୁଲନ୍ତେ । ସେ ଗିଫ୍ଟ କରନ୍ତା ଚୁଡି , ରିଙ୍ଗ୍ , ବ୍ରେସଲେଟ୍ , ବ୍ୟାଣ୍ଡ ଏମିତି କେତେ କ'ଣ ତା'କୁ ତା' ଜନ୍ମ ଦିନରେ । କେତେ ମଜା ହୁଅନ୍ତା ସତରେ ! କିନ୍ତୁ ନାଁ ଚଣ୍ଡୀ ପିନ୍ଧିବ ଜିନ୍ସ ଆଉ ସାର୍ଟ ଧେତ୍ !

ନିଜ ଭଉଣୀ କଥା ଅନ୍ୟ ମାନଙ୍କ ଓଠରେ ସବୁବେଳେ ତାତ୍ସଲ୍ୟ ଭିତରେ ଭଲ ଲାଗେନି କେବେବି , ଓଃ ! ସେ ଉଦଣ୍ଡୀ ତୋ ଭଉଣୀ ଇସ୍ !

ଏତକ କଥା କଣ୍ଟା ପରି ଫୋଡିହୁଏ ମନରେ, ଆଉ ଦିଏ ଭାରି ଯନ୍ତ୍ରଣା । କେଡେ ସୁନ୍ଦର ଝିଅଟା ତା'ଠୁବି ବେଶି ଗୋରୀ । ଯଦି ରଖନ୍ତା ଲମ୍ବା କେଶ, ପିନ୍ଧନ୍ତା ସଲ୍ୱାର ସୁଟ୍, ଲଗାନ୍ତା ଚୁଡି , ବିନ୍ଦି , ଝୁମକା କେଡେ ଭଲ ଲାଗନ୍ତା ସତେ !!

ଶୁଭଙ୍ଗୀ ଜାଣେ ଦିବ୍ୟା ଶୁଣିବ ନାହିଁ । କେବେବି ହେବନି ଝିଅ ପରି । ଏମିତି ଲଢ଼ିବ ନିଜ ସହ ସବୁବେଳେ କିନ୍ତୁ ମନ ବେଳେବେଳେ ଅସ୍ଥିର ହୁଏ ! ଭଉଣୀ ଗୋଟେ ଖୋଜେ ଭିଡ଼ ଭିତରେ । ଯାହା ସହ ବାଣ୍ଟିବ ନିଜ କଥା ଗୋଟେ ଝିଅର କଥା । କିନ୍ତୁ ନା ସେମିତି।ହୁଏନି କେବେ ଦିବ୍ୟା ରୁହେ ଝିଅପଣଠୁ ଦୂରରେ ବହୁତ ଦୂରରେ ।

ଅବଶ୍ୟ ଭାଇର ଅଭାବ ହୁଏନି କେବେ । ସେ ସାଇକେଲ ଧରି ବଜାର କରିଦିଏ ବୋଉ କହିଲେ , ମାଛ , ଚିକେନ୍ , ପରିବା ସବୁକିଛି । ଆଜିବି ଗ୍ରସରି ସେଇ ଆଣୁଛି । ବାହାରର ସବୁ ଖବର ବୁଝୁଛି ।

****************

ବାପା ଆଉ ପାରୁ ନାହାନ୍ତି ।

ଅସୁସ୍ଥ ହେଲେଣି , କେଜାଣି କାହିଁକି ଭଙ୍ଗା ମନର ପ୍ରଭାବରେ ହୁଏତ !

ବାର୍ଦ୍ଧକ୍ୟ ବୟସ ନୁହେଁ ମାନସିକ ସ୍ଥିତି ଉପରେ ନିର୍ଭର କରେ !.......

ଶୁଭାଙ୍ଗୀକୁ ଗୋଟେ ସଫଳ ଘର ଦେବାର ସମସ୍ତ ଚେଷ୍ଟା ବିଫଳ ହେଲା ପରେ ବାପା ଭାଙ୍ଗି ଯାଇଛନ୍ତି । ହଁ ବାହାଘର ଟା ତିଷ୍ଠି ପାରିଲା ନାହିଁ ତା'ର , ଏତେ ସୁନ୍ଦର ରଙ୍ଗ , ରୂପ ଥାଇବି । ଏତେ ମୋଟା ଅଙ୍କର ଯୌତୁକ ଦେଇବି । ସୁଜିତ ମହାନ୍ତି ସନ୍ତୁଷ୍ଟ ନଥିଲା କେବେବି । ଆଉ ଦିନେ ବିନା କିଛି ଉପକ୍ରମରେ ଦେଇଦେଲା ଡିଭୋର୍ସ । ଶୁଭାଙ୍ଗୀ ଦୁଶ୍ଚରିତ୍ର , ହଁ ଏଇଆ ଦର୍ଶେଇଥିଲା ପ୍ରତିପକ୍ଷ ଓକିଲ । କାହିଁକି ଏମିତି କଲା ସୁଜିତ ଶୁଭଙ୍ଗୀ ସମସ୍ତଙ୍କୁ ଜଣେଇବାକୁ ଚାହୁଁ ନଥିଲା । ସେ ଜାଣି ଯାଇଥିଲା ଘର ଗ଼ଢିବା ସମ୍ଭବ ନୁହେଁ କିନ୍ତୁ ବାପାଙ୍କ ସମ୍ମାନ ଆଉ ଘରର ଇଜ୍ଜତ ପାଇଁ ସାଲିସ କଲା ବର୍ଷେ । ଭଲ ହେଲା ମୁକ୍ତ ହେଇଗଲା । ଲୋକଟାର ଥିଲା ସ୍ତ୍ରୀ ନୁହେଁ କିନ୍ତୁ ଅଧିକା , ପିଲା ହୁଏତ ଥିବେ ଜାଣିନି ସେ । କେବଳ ଟଙ୍କା ପାଇଁ ବାହା ହେଇଥିଲା ପୁରା ପାଞ୍ଚ ଲକ୍ଷ । ବାପା ଦେଇଥିଲେ ସୁଖ ସଂସାର ପାଇଁ କିନ୍ତୁ ନିୟତି କିଛି ଭିନ୍ନ ଥିଲା । ଅଵଶୋଷ କରିନି ଶୁଭାଙ୍ଗୀ କିନ୍ତୁ ଅଭିଯୋଗ ଅଛି । କାହିଁକି ତା' ସହ ଏମିତି ?........

ଦିବ୍ୟାର ଚାକିରୀ ଆଉ ସାହସକୁ ଆଧାର କରି ବିତି ଗଲାଣି ତା' ଜୀବନ ! ପୁଣି ଥରେ ଘରଟେ ଗଢିବାର ସାହସ କରିପାରି ନାହିଁ ସେ କିନ୍ତୁ ଗୋଟେ ଘରର ମୋହ ଅଛି । ଏଇ ଘରଟା ଜମା ଲାଗୁନି ଘର ପରି । ଚାଳିଶ ବର୍ଷର ଡିଭୋର୍ସି , ବତିଶ ବର୍ଷର ଅବିବାହିତା ଆଉ ପଁଷଠି ବର୍ଷର ବୁଢା ବାପାକୁ ନେଇ କ'ଣ ଗଢ଼ା ହୁଏ ଘର ?......

ଭାରି ଇଚ୍ଛା ହୁଏ ଶୁଭଙ୍ଗୀର ଦିବ୍ୟା ଜିଉଁ ଝିଅଟେ ପରି , ହାତକୁ ଶଙ୍ଖା, ମୁଣ୍ଡକୁ ବିନ୍ଦି ପିନ୍ଧା ମଣିଷ ଗୋଟେ ସହ ଖୁସି ଖୁସି । ହୁଏତ ତା' ଭିତରେ ପାଇଯିବ ସେ ନିଜ ଇଚ୍ଛା ଗୁଡିକର ଠିକଣା ! କିନ୍ତୁ ନା ସେମିତି ସ୍ୱପ୍ନ କେବଳ ସାଇତା ତା' ହୃଦୟ ଭିତରେ।

***********

ଅଂଶୁ ଭଲ ପିଲା ଠିକ ଦିବ୍ୟା ପରି ଚାକିରୀ ପୋଲିସରେ। ତାକୁ ନେଇ ଶୁଭାଙ୍ଗୀ ବହୁତ କିଛି ଭାବିଥିଲା ଦିବ୍ୟା ପାଇଁ , କିନ୍ତୁ ଝିଅଟା ମନା କରିଦେଲା ସଫା ସଫା । ସେ ବାହା ହେବନି , ସିଦ୍ଧାନ୍ତ ନେଇ ସାରିଛି ! ରହିବ ଏମିତି ଉନମୁକ୍ତ ନିଜ ସହ ସହବାସରେ । ଏମିତି ଜୀବନର ସ୍ୱାଧୀନତା ପସନ୍ଦ ତାକୁ । ଅଂଶୁ କ'ଣ ଭାବେ , ନଭାବେ ସେ ପ୍ରସଙ୍ଗ ଆଉ ଉଠିବାର ନଥିଲା , ଝିଅଟା ତ' ଅମଙ୍ଗ ହେଉଛି ଆଉ କାହା ବିଷୟରେ ଭାବି କି ଲାଭ !

ସେ ବଦଳି ହେଇ ଚାଲି ଯାଇ ଥିଲା ଦୂରକୁ । ପାଞ୍ଚ ବର୍ଷ ପରେ ପୁଣି ଅସିଛି ତାଙ୍କ ସହର । ତାକୁ ଭେଟିବାକୁବି ରାଜି ନଥିଲା ଦିବ୍ୟା , କିନ୍ତୁ ଶୁଭାଙ୍ଗୀ ବାଧ୍ୟ କରିଥିଲା । ତା' ସହ ଦେଖା କରି ଫେରି ନିଜକୁ ରୁମ ଭିତରେ ବନ୍ଦ କରିଛି ଝିଅଟା । ଶୁଭାଙ୍ଗୀ କେତେ ଆଗ୍ରହ ସହ ଅପେକ୍ଷା କରିଥିଲା ଶୁଣିବାକୁ ଅଂଶୁ କଥା , ବୁଝିବାକୁ ଭଲ ମନ୍ଦ, ଗଢିବାକୁ ଆଉ ଟିକେ ସ୍ୱପ୍ନ । କିନ୍ତୁ ସବୁ ପଣ୍ଡ କରିଦେଇ ସେ ଚୁପ ଚାପ ଲୁଚିଛି । ବଡ଼ ବିଚିତ୍ର ଲାଗୁଛି , କିନ୍ତୁ ଗୋଟେ ଖୁସି ଖବରବି ଅଛି ସେଇଟା ହେଲା , ଝିଅପରି ଲାଗୁଛି ଆଜି ଏଇ ହରକତ ଭିତରେ !

ଅଛି କି କିଛି ଖୁସି ଖବର ? ଅଂଶୁ ସହ ସମ୍ଭାବନା , ଆଉ ଗୋଟେ ନୂଆ କାହାଣୀ । ଏଇ ରୁମ୍ ଗୋଟେ କୋକୁନ୍ ଆଉ ଭିତରେ ବନ୍ଦ ଦିବ୍ୟା ବାହାରିବ ଗୋଟେ ଚିତ୍ରିତ , ରଙ୍ଗୀନ ପ୍ରଜାପତି ହେଇ। କାହିଁକି କେଜାଣି ଏମିତି ଭାବିବାକୁ ଇଚ୍ଛା ହେଉଥିଲା ଶୁଭାଙ୍ଗୀର !!

ସେମିତି ବିତିଗଲା ରାତି ଆଉ ଆସିଗଲା ଗୋଟେ ନୂଆ ସକାଳ । ଶୁଭାଙ୍ଗୀ ସେଇ ଦରଜା ବାହାରେ ବସି ବସି ନିଜ ଇଚ୍ଛାର ଦରିଆ ଭିତରେ ଘୁମେଇ ପଡିଥିଲା , ଖାଦ୍ୟ ସେମିତି ଟେବୁଲ ଉପରେ ସଜାଡା ହେଇଥିଲା , ଲାଇଟ୍ ଜଳୁଥିଲା , ଆଉ ବାପା ନିଜ ରୁମ୍ ରେ ଶୋଇଥିଲେ ।

ଦିବ୍ୟା ବାହାରି ନିଜ ନାନୀକୁ ଉଠେଇଲା ଆଉ ବାହାରିଗଲା ମୋର୍ଣ୍ଣି ୱାକ୍ ପାଇଁ । କିଛି ପରିବର୍ତ୍ତନ ନଥିଲା ତା' ଭିତରେ କିନ୍ତୁ ଗୋଟେ ଚମତ୍କାର ଜିନିଷ ଥିଲା ମୁଣ୍ଡରେ , ଗୋଟେ ଚିକମିକ ଧଳା ଗୋଲାପ ସଜା ଟିଆରା' ।

ଶୁଭାଙ୍ଗୀ ଦିବ୍ୟକୁ ଡାକି ଟିଆରାଟିକୁ ସଜାଡି ଦେଲା ଶ୍ରଦ୍ଧାରେ ଆଉ ଗୋଟେ ଛୋଟ କଳା ବିନ୍ଦି ଲଗେଇଦେଲା ସଜେଇକି ! ........

ସୌମ୍ୟା

ଫରୁଆ ଟିଆରା ମୋହଫାଶ

Rate the content


Originality
Flow
Language
Cover design

Comments

Post

Some text some message..