Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଧର୍ମ
ଧର୍ମ
★★★★★

© Banabihari Mishra

Others

6 Minutes   164    4


Content Ranking

ଗାଁର ଶେଷ ମୁଣ୍ଡରେ ଗୋଟେ ଛୋଟିଆ ଚାଳିଆ ଘର। ସେଇଠି ସିଏ ରୁହେ। ସବୁବେଳେ ସେଇ ଗୋଟିଏ ରକମର ବେଶଭୂଷା। ଚେକ୍ ଲୁଙ୍ଗି ସାଙ୍ଗକୁ ଚେକ୍ ଗାମୁଛା ଆଉ ଗୋଟେ ଧଳା ଫତେଇ। ଏମିତି ଥିଲା କରିମ୍ ମିଆଁ। ବୟସ ଷାଠିଏରୁ ଟିକେ ବେଶୀ । ହେଲେ ଗାଁ ସାରା ସିଏ ପରିଚିତ କରିମ୍ ଚାଚା ନାଁରେ । ପିଲାଠୁଁ ବୁଢା ଏମିତିକି ତା'ଠାରୁ ବୟସରେ ବଡ ଚଇନ ଜେଜେ ବି ତାକୁ କରିମ୍ ଚାଚା ଡାକନ୍ତି । ବାପର ଚାଚା ପୁଅର ଚାଚା ଆଉ ନାତିର ବି ଚାଚା । ଯେମିତି ଆକାଶରେ ଜହ୍ନ ମାମୁଁ ସମସ୍ତଙ୍କର ମାମୁଁ।

ସେଦିନ ଚଇନ ଜେଜେ ପିଣ୍ଡାରେ ବସି ଦୋକତା ଦଳୁ ଦଳୁ କରିମ୍ ଚାଚା କଥା କହୁଥିଲେ । କରିମ୍ ଚାଚାର ବାପ ରହିମ୍ ଖାଁ। କୋଉଠୁ ଆସିଥିଲା ସିଏ ଜାଣନ୍ତିନି। ରହିମ୍ ଖାଁ ଆସି ସେଇ ଗୋଚର ଜାଗାରେ କୁଡିଆଟିଏ କରି ରହିଲା। ସେଇଠୁ ଆରମ୍ଭ ହେଲା ତାର ମାଂସ ବେପାର । ସବୁଆଡୁ ଛେଳି କିଣିଆଣି ରାସ୍ତା କଡରେ ଗଛମୂଳେ ସିଏ ମାଂସ ବିକେ । ସେଇଟା ତାର କୌଳିକ ବେପାର ବୋଲି ସିଏ କହେ। କିଛି ଦିନ ପରେ ତା ସହ ରହିବାକୁ ଆସିଲେ ତା ସ୍ତ୍ରୀ ଆଉ ତିନି ପୁଅ। ସମିମ୍, ଅମନ୍ ଆଉ କରିମ୍ । ବଡ ଦି ପୁଅ ରହିମ୍ କୁ ସାହାଯ୍ୟ କରୁଥିଲା ବେଳେ ସାନ ପୁଅ କରିମ୍ ସ୍କୁଲକୁ ପଢିବା ପାଇଁ ଯାଏ। ଏଇମିତି ଚାଲିଥାଏ ତାଙ୍କର ସଂସାର ।

ରହିମ୍ ଖାଁ କିନ୍ତୁ ଥିଲା ଟିକିଏ ଧର୍ମଭୀରୁ। ଯଦିଓ ଆଉ କୋଉ ଧର୍ମ ପ୍ରତି ଅସହିଷ୍ଣୁ ନ ଥିଲା, ତଥାପି ପ୍ରତି ଜୁମ୍ମାରେ ପାଖ ଗାଁର ମସଜିଦରେ ନମାଜ କରିବା, ଦିନରେ ପାଞ୍ଚ ଥର କଲମା ପଢିବା ଏ ସବୁ ତାର ନିତିଦିନିଆ କାମ। ହିନ୍ଦୁ ପର୍ବପର୍ବାଣିରେ ଆଉ ସୋମବାର ଓ ଗୁରୁବାର ତାର କଂସେଇଖାନା ବନ୍ଦ ରୁହେ। ଦଶହରା, ହୋଲି, ଦୀପାବଳି; ସବୁଥିରେ ରହିମ୍ ଖାଁ ସାମିଲ ହୁଏ। ମୁସଲମାନ ହେଲେ ବି ଠାକୁରଙ୍କ ଭୋଗକୁ ସମ୍ମାନର ସହ ଗ୍ରହଣ କରୁଥିଲା। ରହିମ୍ ର ବ୍ୟବହାରରେ ସମସ୍ତେ ଖୁସି । କେହି ଭାବନ୍ତିନି ସିଏ ଗୋଟେ ପରଦେଶୀ ଆଉ ମୁସଲମାନ ବୋଲି ।

ରହିମ୍ ଖାଁ ଖାଲି ସମୟରେ ଟ୍ରଲି ଚଲାଏ। କୌଣସିମତେ ତା ଗୁଜୁରାଣ ମେଣ୍ଟି ଯାଏ। କିନ୍ତୁ ସବୁଦିନ ସମାନ ଯାଏନି। କିଛି ଗୋଟେ କାରଣରୁ ଆରମ୍ଭ ହେଇଗଲା ହିନ୍ଦୁ ମୁସଲମାନ ଗଣ୍ଡଗୋଳ । ଚାରିଆଡେ ଆରମ୍ଭ ହେଇଗଲା ହଣାକଟା। ମୁସଲମାନ ବେଶୀ ଥିବା ଜାଗାରେ ହିନ୍ଦୁ ଆଉ ହିନ୍ଦୁ ବେଶୀ ଥିବା ଜାଗାରେ ମୁସଲମାନ ମଲେ। ତା ଉପରେ ନିଆଁରେ ଘିଅ ପରି ରାଜନେତାଙ୍କ ଉତ୍ତେଜକ ଅପରିଣାମଦର୍ଶୀ ଭାଷଣ।

ସେଦିନ ଶୁକ୍ରବାର । ରହିମ୍ ମିଆଁ ନମାଜ ଅଦା କରିବାକୁ ଯାଇଥାଏ । ଗଣ୍ଡଗୋଳକାରୀ ମାନେ ଘର ଭିତରକୁ ପଶିଆସିଲେ। ହାତରେ ମାରଣାସ୍ତ୍ର। ଆକ୍ରମଣ ଉଦ୍ଦେଶ୍ୟରେ ଘେରିନେଲେ ଛୋଟ କୁଡିଆଟିକୁ। ତାପରେ କୁଡିଆଟି ହୁତ୍ ହୁତ୍ ହେଇ ଜାଳିବାକୁ ଲାଗିଲା। ଭିତରେ ତିନିଟା ଛୁଆଙ୍କୁ ଧରି ଫାତିମା ବିବି। ସେମାନଙ୍କ ଭିତରୁ ସାନ ପୁଅ କରିମ୍ ଟା କୌଣସିମତେ ଲୁଚି ଖସିଗଲା। ଆଉ ଅକାରଣରେ ଚାଲିଗଲା ତିନୋଟି ଜୀବନ।

ସେତିକିବେଳେ ରହିମ୍ ଖାଁ ନମାଜ ଅଦା ଫେରୁଥିଲା। ସିଏ ବି ସେଇ ନୃଶଂସମାନଙ୍କ ଆକ୍ରମଣର ଶୀକାର ହେଲା। ତା ପରଠାରୁ କରିମ୍ ଖାଁ ଏତେବଡ ଦୁନିଆଁରେ ହେଇଗଲା ନିତାନ୍ତ ଏକୁଟିଆ । ଛୋଟିଆ ପିଲାଟାକୁ ଦୁନିଆଁ ସାଙ୍ଗରେ ଖୁଣ୍ଟେ ଲଢିବାକୁ ବାରଓଳି ଶୁଣ୍ଢିପିଣ୍ଡା ହେଉ ହେଉ କେତେବେଳେ ଆଦ୍ୟ ଯୌବନରେ ପାଦ ଦେଇଥିଲା ସିଏ ନିଜେ ବି ଜାଣେନା । ରହିମ୍ ଖାଁର ତ ଠେଙ୍ଗା ଗୋବରେ ଗୋବେ ଜାଗା ନ ଥିଲା। ସେଇଥିପାଇଁ ଦଙ୍ଗା ପରେ ତାର ପରିବାରର ଜୀବିତ ସଦସ୍ୟ କରିମ୍ କୁ କିଛି ବି ସାହାଯ୍ୟ ମିଳି ନ ଥିଲା। ତଥାପି କରିମ୍ ଖାଁ ଚେଷ୍ଟା ଚଲେଇଥିଲା ନିଜ ଗୋଡରେ ଠିଆ ହେବାକୁ । ପାଖ ଗାଁ ମୁରଲୀ ସାହୁଠୁ ଭଡାରେ ଆଣି ଟ୍ରଲି ଚଲେଇବା ଆରମ୍ଭ କରିଦିଏ କରିମ୍ । ସେଇଥିରୁ ଯାହା ମିଳେ ତା ପେଟ ଚାଖଣ୍ଡକ ପାଇଁ ଯଥେଷ୍ଟ ହୁଏ। କେବେ କେମିତି ଦି ପଇସା ବଳିପଡିଲେ ଭାଟିକୁ ଯାଇ ଦି ଢୋକ ମାରିଦିଏ। ସେଇଥିରେ କୁଆଡେ ଦେହର ସବୁ ନସମ ମରିୟାଏ ।

ଏଇମିତି ଶଗଡଗୁଳାରେ କରିମ୍ ଖାଁର ଜୀବନ ଆଗକୁ ଚାଲିଥାଏ । ସଞ୍ଜ ବେଳେ ମୁରଲୀ ସାହୁର ପାଉଣା ତାକୁ ଦେଇଦେଲା ପରେ କରିମ୍ ତା ସାମ୍ରାଜ୍ୟରେ ସମ୍ରାଟ । ନା ସିଏ କୋଉ ସାଉକାରର ଖାତକ ନା କାହାର ଦେଣାଦାର। ହେଲେ ସବୁଦିନ ସମାନ ଯାଏନି। ଆଲ୍ଲା ମିଆଁଙ୍କୁ ବୋଧହୁଏ କରିମ୍ ଖାଁର ଏଇ ସରଳରୈଖିକ ଜୀବନଟା ପସନ୍ଦ ହେଲାନି। ଖଇ ପଛରେ ଧାନଟିଏ ପରି ତା ପଛରେ ଜଞ୍ଜାଳ ଯୋଡିବାକୁ ମସୁଧା କଲେ।

ସେଦିନ ସଞ୍ଜବେଳଟାରେ ଭାଟି କଡରେ ଟ୍ରଲିଟା ଥୋଇ ଦି'ଢୋକ ମାରିବାକୁ ଭିତରକୁ ଗଲା କରିମ୍ । ସେଦିନ ଭଲ ଦି'ଟା ଭଡା ମିଳିଥିଲା । ଟିକେ ଅଧିକ ପରିଶ୍ରମ ବି ତ ହେଇଥିଲା। ଅଳ୍ପ କେରାଣ୍ଡିଆ ନିଶା ଚଢିଯାଇଥିଲା। ପାଦ ଟଳମଳ ହେଲେ ବି ନିୟନ୍ତ୍ରଣରେ ଥିଲା ସିଏ। ଧୀରେ ଧୀରେ ଟ୍ରଲିଟାକୁ ଘର ପର୍ଯ୍ୟନ୍ତ ଟାଣି ଟାଣି ଆଣିଲା। ଟିକେ ଓଜନ ଅଧିକ ଲାଗୁଥିଲେ ବି ନିଶା ଯୋଗୁଁ ଏମିତି ଲାଗୁଥିବ ଭାବି କରିମ୍ ସେଥିପ୍ରତି ଧ୍ୟାନ ଦେଇ ନଥିଲା । ଟ୍ରଲିଟିକୁ ଚେନ୍ ରେ ବାନ୍ଧିବା ପାଇଁ ପଡିବ । ନ ହେଲେ ସକାଳକୁ ଆଉ ତା ଟ୍ରଲିଟିକୁ ପାଇବନି। ଭାରି ଅହନ୍ତା ଏ ଲୋକଗୁଡାଙ୍କର। କରିମ୍ ଘର ଭିତରକୁ ପଶିଗଲା। ଚେନ୍ ଟା ଆଣି ଟ୍ରଲି ଉପରେ ପକେଇଦେଲା ବେଳକୁ କାହାର ଗୋଟେ କ୍ଷୀଣ ଚିତ୍କାର ଶୁଭିଲା । ସେ ପୁଣି ତା ଟ୍ରଲି ଉପରୁ। ତା'ର ନିଶା ଛାଡିଯାଇଥିଲା। ଖବିଶ୍ ହେଇଥିବ କି କ'ଣ! ଝାପ୍ସା ଆଲୁଅରେ ଆଖିକୁ ତରାଟି ଚାହିଁଲା କରିମ୍ । କୋଡିଏ କି ବାଇଶି ବର୍ଷର ଝିଅଟିଏ । ଖୁବ୍ ଡରିଲା ଡରିଲା ଆଖିରେ ଟ୍ରଲି ଉପରେ ଶୋଇକି ଜୁଳୁଜୁଳୁ କରି ଚାହୁଁଥିଲା

କରିମ୍ ପାଟିକଲା। "କିଏ ତୁ? ଏଠି କ'ଣ କରୁଛୁ? ଯା ପଳା, ରାତି ବହୁତ ହେଲାଣି । ତୋ ଘର କୁଆଡେ? କହ, ମୁଁ ତତେ ଛାଡି ଦେଇଆସିବି।"

ବଡ ସଙ୍କୋଚ ଆଉ ଭୟମିଶା ସ୍ୱରରେ ଝିଅଟି ଯାହା କହିଲା ସେଥିରୁ କରିମ୍ ବୁଝିଲା ଯେ ସିଏ ବ୍ରହ୍ମପୁର ଆଡର। କୋଉ ଗୋଟେ କଣ୍ଟ୍ରାକ୍ଟର ପାଖରେ ଦିନ ମଜୁରିଆ ଭାବରେ କାମ କରୁଥିଲା । ସେ କଣ୍ଟ୍ରାକ୍ଟର ଆଉ ତା'ର କେତେଜଣ ସାଙ୍ଗ ନିଶାଶକ୍ତ ଅବସ୍ଥାରେ ତା'ର କଞ୍ଚା ମାଂସକୁ ଝୁଣି ଖାଇବା ପରେ ଅଚେତ ଅବସ୍ଥାରେ ତାକୁ ମାଲଗାଡ଼ିର ଖାଲି ଡବାରେ ଶୁଆଇ ଦେଇ ଯାଇଥିଲେ । ଚେତା ଫେରିଲା ବେଳକୁ ଗାଡି ଏଇ ଷ୍ଟେସନରେ ନିଜକୁ ପାଇଲା। ସାରା ଦେହଟା ଯନ୍ତ୍ରଣା ଜର୍ଜରିତ। ଏକୁଟିଆ ଖାଲି ଟ୍ରଲିଟିକୁ ଦେଖି ଟିକେ ଶୋଇପଡିଥିଲା।

କରିମ୍ ର ଭିତରଟା କେମିତି ଗୋଟେ ଦୟାରେ ତରଳି ଯାଉଥିଲା। ତା ସାଙ୍ଗରେ ସମାଜଟା ପ୍ରତି ଗୋଟେ ଘୃଣା ଆଉ ଝିଅଟି ପାଇଁ ଦୟା ଓ ସମବେଦନା ଆସିଯାଇଥିଲା। ଟିକେ ନରମ କରି ଝିଅଟିକୁ ଭିତରକୁ ଜାକିଲା, "ହଉ ଆ, ଭିତରକୁ ଆ। ଏଇଠି ରାତିଟା କଟେଇ ସକାଳୁ ତୋ ବାଟରେ ତୁ ଚାଲିଯିବୁ।" ସକାଳ ହେଲା। କିନ୍ତୁ ଝିଅଟି ଗଲାନି। କୁଆଡେ ବା ଯିବ? ନିଜ ଗାଁକୁ ବାଟ ଜାଣିନି। ତା'ପରେ ଏକୁଟିଆ ଯିବାକୁ ସାହସ କୁଳେଇ ପାରିନଥିଲା ସିଏ। ଅଟକିଗଲା ସିଏ। ସେଇ କରିମ୍ ପାଖରେ । ଆଉ ସେଇ ରହିବା ଭିତରେ ଦିଟା ପ୍ରାଣୀ କେମିତି ନିକଟରୁ ନିକଟତର ହେଇଗଲେ ଆଉ ପରସ୍ପରଙ୍କୁ ଭରସା କରିବାକୁ ଲାଗିଲେ ସେଇଟା ସେମାନେ ମଧ୍ୟ ଜାଣିପାରିଲେନି। ସେମାନେ ଜଣେ ଜଣକୁ ଆପଣାର କରିସାରିଥିଲେ।

ପୁରୁଣା ନାଁ 'ପାର' କୁ ବଦଳେଇ କରିମ୍ ତା ନାଁ ପରବିନ୍ ରଖିସାରିଥିଲା। ପରବିନ୍ କିନ୍ତୁ ସିନ୍ଦୁର ନାଏ, ଚୁଡି ପିନ୍ଧେ ଆଉ ଓଢଣା ଦେଇ ଶାଢୀ ପିନ୍ଧେ ଗାଁର ଅନ୍ୟ ସ୍ତ୍ରୀ ଲୋକଙ୍କ ପରି। କରିମ୍ ର କିନ୍ତୁ ସେଥିପାଇଁ କୌଣସି ଆପତ୍ତି ଅଭିଯୋଗ ନ ଥାଏ ।

ଦିନେ କରିମ୍ ଦେଖିଲା ପରବିନ୍ ତା ହାତରେ ଗୋଟେ ସୁନ୍ଦର ଚିତା କୁଟେଇଛି। ଏଇଟା କ'ଣ ବୋଲି ପଚାରିବାରୁ ପରବିନ୍ ବୁଝେଇ ଦେଇଥିଲା ଇଏ ରାଧାକୃଷ୍ଣଙ୍କର ଚିତ୍ର । ତା'ପରେ ପରବିନ୍ ରାଧାକୃଷ୍ଣଙ୍କର ଅମର ନୈସର୍ଗିକ ପ୍ରେମ କଥା କହିଥିଲା କରିମ୍ କୁ। କରିମ୍ ମଧ୍ୟ ଅଭିଭୂତ ହେଇଯାଇଥିଲା ରାଧାକୃଷ୍ଣଙ୍କର ପ୍ରେମମୟ ଗାଥା ଶୁଣି। ଆଗ୍ରହ ବଢିଯାଇଥିଲା କରିମ୍ ର । ପରବିନ୍ କୁ ପଚାରିଥିଲା ଚିତା କୋଉଠି ଆଉ କେମିତି କୁଟେଇ ହେବ । ଯୋଗକୁ ସେ ଚିତାକୁଟା ବୁଢୀ ସେଦିନ ସେଇ ବାଟ ଦେଇ ଯାଉଥିଲା । ଆଉ ସବୁ ଯନ୍ତ୍ରଣା ସହି କରିମ୍ ହାତରେ ରାଧାକୃଷ୍ଣଙ୍କର ଚିତା କୁଟେଇଥିଲା। ଗଭୀର ଆତ୍ମସନ୍ତୋଷ ପାଇଥିଲା କରିମ୍ ।

ସେଇଦିନଠୁ କରିମ୍ ର ଜୀବନଟା କୃଷ୍ଣମୟ ହେଇଯାଇଥିଲା । କୃଷ୍ଣଚେତନାରେ ଦିନେଦିନେ ଏମିତି ଡୁବି ଯାଉଥିଲା ଯେ ତା ଟ୍ରଲିର ଚେନ୍ ଫିଟୁ ନଥିଲା ।

ସେଦିନ ତାଙ୍କ ଗାଁ କୁ ଗେରୁଆପିନ୍ଧା ଲୋକ କେତେଜଣ ଆସିଥିଲେ । କରିମ୍ କୁ ସେମାନେ ବୁଝେଇଥିଲେ ସନାତନ ହିନ୍ଦୁ ଧର୍ମ ବିଷୟରେ । ଆଉ କରିମ୍ ବି ଆଗ୍ରହରେ ଶୁଣିଥିଲା । ପ୍ରବଳ ଆଗ୍ରହ ହୋଇଥିଲା ତା ମନରେ ହିନ୍ଦୁ ଧର୍ମ ପ୍ରତି । ସେମାନେ ବି ରାଜି ହେଲେ । ନିର୍ଦ୍ଧାରିତ ଦିନ କରିମ୍ ଆଉ ପରବିନ୍ ଦି ଜଣ ଯାକ ପାଖ ଗାଁ ପଡିଆରେ ହେଉଥିବା ଯଜ୍ଞ ସ୍ଥଳକୁ ଗଲେ । ସମସ୍ତ କାର୍ଯ୍ୟକ୍ରମ ସରିଲା। କରିମ୍ ରୁ ସିଏ କରମଚାନ୍ଦ ହେଇଯାଇଥିଲା ଆଉ ପରବିନ୍ ବି ପାର୍ବତୀ ସଂକ୍ଷିପ୍ତ ରେ ପାର ହେଇ ଯାଇଥିଲା । ମୁଖ୍ୟ ଅତିଥି ମଞ୍ଚ ରେ ଭାଷଣ ଦେବା ଅବସରରେ କହିଲେ, ସନାତନ ହିନ୍ଦୁ ଧର୍ମ ବିଷୟରେ ମୁଁ କିଛି କହିବିନି, ବରଂ ଏଇ ଧର୍ମରେ ଦୀକ୍ଷିତ ହେଇଥିବା ଲୋକମାନଙ୍କ ମଧ୍ୟରୁ କେହି ଜଣେ କହିବେ । ଏମିତି କହି ସିଏ ମଞ୍ଚ ଉପରକୁ କରିମ୍ କୁ ଡାକିଲେ । ଅତି ସମ୍ଭ୍ରମର ସହ ସନ୍ତର୍ପଣରେ ମଞ୍ଚ ଉପରକୁ ଉଠିଲା କରମଚାନ୍ଦ। ଆଗରୁ କେବେ ପାଞ୍ଚ ଜଣଙ୍କ ଆଗରେ ଦି ପଦ କହି ନଥିବା କରମଚାନ୍ଦ ଏତେ ଲୋକଙ୍କ ଆଗରେ କିଛି କହିବା ପାଇଁ ସାହସ ଜୁଟେଇ ପାରୁ ନଥିଲା। ପାଟି ଶୁଖି ଯାଉଥିଲା । ତଥାପି ଛେପ ଢୋକି ଢୋକି ଆରମ୍ଭ କଲା , "ହିନ୍ଦୁ ଧର୍ମ ଏମିତି ଏକ ଧର୍ମ, ଯାହା ଆମକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଏ । ଯୋଉଠି ମନ ହୁଏ ସେଇଠି ଭଗବାନଙ୍କୁ ଡାକିପାରୁ । ସ୍ଥାନ ବା କାଳର କୌଣସି ପ୍ରତିବନ୍ଧକ ନଥାଏ । ଗଛମୂଳେ ପଥର ଟିଏ ଥୋଇ ତାକୁ ଫୁଲ ସିନ୍ଦୁର ଦେଇ ପୂଜା କରି ମାନସିକ ଶାନ୍ତି ପାଇବାର ସହଜ ଉପାୟ ଏଇ ଧର୍ମ ହିଁ ଶିଖେଇଛି।" ଆଉ କିଛି କହି ନପାରି କରମଚାନ୍ଦ ଲୁହ ଛଳ ଛଳ ଆଖିରେ ମଞ୍ଚ ରୁ ଓହ୍ଲେଇ ଆସିଲା । ଆଉ କରତାଳିରେ ସଭାଟି ଫାଟି ପଡିଲା ।

ଜେଜେ ଚାଚା ମାମୁଁ

Rate the content


Originality
Flow
Language
Cover design

Comments

Post

Some text some message..