Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଲକ୍ଷ ବିହଙ୍ଗ - ୩
ଲକ୍ଷ ବିହଙ୍ଗ - ୩
★★★★★

© Chakradhar Biswal

Classics

3 Minutes   249    7


Content Ranking

କିଶୋରୀ ଚରଣ ଦାସ

ଚାଷୀମାନଙ୍କ ମୁହଁରେ କ’ଣ ଏମିତିକା ହସ ଥାଏ ? ଓ ଗାଲ କ’ଣ ଏମିତି ଫୁଲୁକା ଦିଶୁଥାଏ ?

ବାଉଁଶ ଫ୍ରେମ ଓ ଝୋଟ କନା ଉପରେ ଚାଷୀର ଛବି। ଚାଷୀର ଫୁଙ୍ଗୁଳା ଦେହ, ବଡ଼ ନିଶୁଆ ମୁହଁ ଓ ମୁଣ୍ଡ ଉପରେ ଶସ୍ୟ ଟୋକେଇ। ମିସେସ୍‌ ପୁରୀ ତା’ ଓଠରେ ଥିବା ଈଷତ୍‌ ହସକୁ ନିଶ୍ଚୟ ଆଗରୁ ଦେଖିଥିଲେ। ଚାଷୀମାନଙ୍କ ଓଠରେ ହସ ଦେଖିବାକୁ ତାଙ୍କୁ ଯେ ଭଲ ଲାଗେ ନାହିଁ, ତା’ ନୁହେଁ। କିନ୍ତୁ ଆଜି ତାଙ୍କର ଇଚ୍ଛା ହେଲା ସମାଲୋଚନା କରିବାକୁ। କାରଣ ତାଙ୍କର ମନରେ ଆସିଲା ଯେ ଜୟରାମ ବଡ଼ ହେଲେ ଓ ଗାଁରେ ରହିଲେ ଗୋଟିଏ ଉଚିତ ଧରଣର ଚାଷୀ ହୋଇପାରିବ।

ଜୟରାମର ମୁହଁ ହସିଲା ନୁହେଁ, ଦରକାର ନ ପଡ଼ିଲେ ସେ ହସେ ନାହିଁ। ତା’ ମୁହଁରେ ଅଛି ଟାଣୁଆ ପଣ ଓ ଛପିଲା ରାଗ। ବଡ଼ ହେଲେ ସେହି ଟାଣୁଆ ପଣ ତା’ ମୁହଁକୁ ରୁଗୁଡ଼ିଆ କରିଦେବ ଏବଂ ସେ ରାଗ ଆହୁରି ଦବିଯାଇ କପାଳକୁ କୁଞ୍ଚକୁଞ୍ଚିଆ କରିଦେବ। ସେ ନିଶ ରଖିବ, -କେଜାଣି !

ମିସେସ୍‌ ପୁରୀଙ୍କୁ ଭବିଷ୍ୟତର ଜୟରାମ କଥା ଭାବିବାକୁ ମଜା ଲାଗିଲା। ଏବଂ ତା’ ସହିତ ସେ ଠିକ୍‌ କରିନେଲେ ଯେ ଆର୍ଟର ଚାଷୀଟି ଉପଯୁକ୍ତ ହୋଇନାହିଁ। ହୁଏତ ସବୁ ଚଷାପୁଅ ଜୟରାମ୍‌ ପରି ହୋଇ ନ ଥିବେ, ହୁଏତ ହସିଲା ଫୁଲୁକା ମୁହାଁ ଚାଷୀ ଥାଇପାରନ୍ତି। କିନ୍ତୁ ଆର୍ଟର ଚାଷୀ ଏପରି ହେବା ଉଚିତ ନୁହେଁ। ଯେପରି କି ଶ୍ରୀକୃଷ୍ଣଙ୍କ ମୁହଁରେ ବଂଶୀ ନ ଥାଇ କାହାଳୀ ରହିବା କଥା ନୁହେଁ, ମାନିବ ନାହିଁ।

ସେ କଳ୍ପନାରେ ଛବିଟିକୁ ମନମୁତାବକ ସଜାଇଲେ। ଚକଚକିଆ ଝାଳୁଆମୁହଁ, କପାଳରେ ଅସଂଖ୍ୟ ଗାର, ଚେଇଁଲା ଆଖି, କିନ୍ତୁ ସେଥିରେ ପ୍ରାପ୍ତିସ୍ବୀକାର ନାହିଁ। ସତେ ଯେପରି ସେ କାମ କରିକରି ଥକିଗଲାଣି, କିନ୍ତୁ ହାରିଯିବାକୁ ଚାହେଁ ନାହିଁ ଓ ସବୁବେଳେ କ’ଣ ପ୍ରଶ୍ନ ପଚାରିବ ବୋଲି ହେଉଛି।

ସମାଲୋଚନାର ପଥରେ ଆଗେଇଯାଇ ମିସେସ୍‌ ପୁରୀ ଅନ୍ୟ ଆର୍ଟବସ୍ତୁମାନଙ୍କୁ ସଜାଇଲେ, -ଚାଷୁଣୀର ମୁହଁରେ ଅଧିକ ସ୍ଥୂଳତା ଆଣିଦେଲେ, ନାଚନ୍ତା ଆଦିବାସୀର ହସକୁ ଆହୁରି ଜନ୍ତୁବତ୍‌ ଚଉଡ଼ା କରିଦେଲେ, ଶ୍ରୀକୃଷ୍ଣଙ୍କ ସ୍ମିତହାସରେ ସାମାନ୍ୟ ବକ୍ରତା ଆଙ୍କିଦେଲେ, ଇତ୍ୟାଦି।

କଳା-ସମୀକ୍ଷା ସରିଗଲା ପରେ ମିସେସ୍‌ ପୁରୀ ଆଂଶିକ ହାଇ ମାରିଲେ ଓ ପୁଣି ସେହି ନାରୀ-ମ୍ୟାଗାଜିନ୍‌କୁ ପଢ଼ିବସିଲେ।

ବିହଙ୍ଗମାନେ ଆଶ୍ବସ୍ତ ହେଲେ। ମିସେସ୍‌ ପୁରୀଙ୍କୁ ଭାବୁକା ରୂପରେ ଦେଖି ସେମାନେ ପ୍ରମାଦ ଗଣୁଥିଲେ, କାଳେ ସେ ଅନ୍ୟ ରକମର ହୋଇଯିବେ। କିନ୍ତୁ ସେମାନଙ୍କ ଆଶଙ୍କାର କାରଣ ନ ଥିଲା। ମିସେସ୍‌ ପୁରୀ ଭାବନାକୁ ଅନୁଧାବନ କରିବାକୁ ପସନ୍ଦ କରନ୍ତିନାହିଁ। ସେହି ଫୁଲୁକାଗାଲିଆ ଚାଷୀ ବର୍ଷବର୍ଷ ଧରି ବିଦ୍ୟମାନ ରହିଛି, କାନ୍ଥର ସେହି କୋଣଟିରେ ବସା ବାନ୍ଧିଲାଣି, ସ୍ଥାନଚ୍ୟୁତ କରି ଲାଭ ନାହିଁ। ବ୍ୟତିକ୍ରମଶୀଳ ସଂସାରରେ ହାତଦେଇ ନୂଆ ବ୍ୟତିକ୍ରମ ତିଆରି କରିବାରେ କିଛି ବାହାଦୂରୀ ନାହିଁ।

ମିସେସ୍‌ ପୁରୀ ମ୍ୟାଗାଜିନ୍‌ର ଛବି ଓ ଶିରୋନାମାଗୁଡ଼ିକ ଦେଖିଲେ। ଆଗରୁ କେତେଥର ଦେଖିସାରିଛନ୍ତି, ତଥାପି ଦେଖିବାକୁ ଖରାପ ଲାଗୁନାହିଁ। ଆଖି ଦେଖିଯାଉଛି, ଭାବନାର ପରିଶ୍ରମ ନାହିଁ। ବମ୍ବେର ଜଣେ ଆଧୁନିକା ବିଭିନ୍ନ ଛାଞ୍ଚର ଶାଢ଼ୀ ପିନ୍ଧି ଓ ବିଭିନ୍ନ ଠାଣୀରେ ଗୋଟିଏ କାର୍‌କୁ ଆଉଜି ଛିଡ଼ା ହୋଇଛନ୍ତି…, ସାଲାଡ୍‌ର ବର୍ଣ୍ଣବିନ୍ୟାସ…, କାଞ୍ଜିକୁ ବେକ୍‌ରେ ବ୍ୟବହାର କରାଯାଇପାରେ…, ‘ମଧ୍ୟାହ୍ନରେ ପ୍ରେମ’ ନାମକ ଗୋଟିଏ ଗପ।

ସେତେବେଳକୁ ବାରଟା ବାଜି ପନ୍ଦର ମିନିଟ୍‌। ଘଣ୍ଟା ନ ଦେଖି ମଧ୍ୟ ମିସେସ୍‌ ପୁରୀଙ୍କର ଧାରଣା ହେଲା ଯେ ଦିନ ଅଧାରୁ ବଳିଗଲାଣି। ସେହି ଧାରଣାର ପ୍ରଭାବରେ ତାଙ୍କ ମନରେ କେତେଗୁଡ଼ିଏ ବିକ୍ଷିପ୍ତ ଭାବନା ବିହରଣ କରି ଚାଲିଗଲା, ମ୍ୟାଗାଜିନ୍‌ ଦେଖାରେ ତ୍ରୁଟି ଆସିଲା ନାହିଁ। ଜୟରାମ୍‌ ସୋନାଚାନ୍ଦ୍‌ ବଜାରର ଅଧାବାଟରେ ହେବଣି, ପହଞ୍ଚି ଦେଖିବ ଯେ ପୋଟଳ ଆହୁରି ସଢ଼ା, ବିନ୍‌ ଆହୁରି ଶୁଖିଲା !… ସେ କେତୁଟା ଫାଇଲ୍‌ ସାରିବେଣି ଏହା ଭିତରେ ? ଡାଇରେକ୍ଟର୍‌ ଜେନେରାଲ୍‌ ହେବାକୁ ଆଉ କେତେ ବାଟ ରହିଲା ? ଶୀଘ୍ର ହୋଇଯାଆନ୍ତା ଯେ, କିନ୍ତୁ ତାଙ୍କର କହିଲାପୋଛିଲା ଗୁଣ ନାହିଁ। ଆଉ ଟିକିଏ ସ୍ମାର୍ଟ ହେଇଥିଲେ-। …ପାଖ ଘରୁ ସେ ଛୋଟିଆ ପିଲାଟା କାନ୍ଦୁଛି, ବୋଧହୁଏ ମାଡ଼ ଖାଉଛି। ତା’ ମାଆ ଭାରି ଜୋର୍‌ରେ ମାଡ଼ ମାରେ। ତା’ ମାଉସୀ ସମାଜସେବା କରେ, ସବୁବେଳେ ଓ ଅଯଥା ହସୁଥାଏ। ମନେହୁଏ ଯେ ଏ ବେଶୀ ରାଗେ, ବେଶି ମାଡ଼ ମାରେ, କାହିଁକିନା ତା’ ଭଉଣୀ ବାହାସାହା ନ ହୋଇ ସମାଜସେବା କରୁଛି। ଏବଂ ସେ ବେଶୀ ହସେ, ହସିବାର ଢଙ୍ଗ କରେ କାହିଁକି ନା ସେ ନିଜର କାହାକୁ ଗାଳି ଦେଇପାରେ ନାହିଁ, ମାଡ଼ ମାରିପାରେ ନାହିଁ। …ସଞ୍ଜ ହେବାକୁ ଆଉ ପାଞ୍ଚ ଛଅ ଘଣ୍ଟା ଅଛି। ଆଜି ଶ୍ରୀବାସ୍ତବଙ୍କ ଘରକୁ ଯିବାର ଅଛି। ମିସେସ୍‌ ଶ୍ରୀବାସ୍ତବ ସବୁ କଥା ଦୃଢ଼ ଭାବରେ କହନ୍ତି, ସତେକି ସେମିତି ନ କହିଲେ କେହି ବିଶ୍ବାସ କରିବେ ନାହିଁ ଏବଂ ପ୍ରତି କଥାରେ ନଜର୍‌ ଦିଅନ୍ତି, – ମୁଁ ଜାଣିଛି ଅମୁକ କହୁଥିଲେ, ମୁଁ ଦେଖିଛି ଅମୁକଙ୍କ ଘରେ, ଶାସ୍ତ୍ରରେ ଅଛି ପରା, ଇତ୍ୟାଦି। ମିସେସ୍‌ ଶ୍ରୀବାସ୍ତବ ନିହାତି ଢିଲା ବଡ଼ିସ୍‌ ପିନ୍ଧନ୍ତି…।

ମ୍ୟାଗାଜିନ୍‌ ଦେଖା ସରିଲା। ଭାବନା-ଛବି ସରିଆସିଲା। ମିସେସ୍‌ ପୁରୀ ଉଠିପଡ଼ି ଟ୍ରାନ୍‌ଜିଷ୍ଟର ରେଡ଼ିଓ ଚଳାଇଦେଲେ। ଏହିକ୍ଷଣି ୟୁରୋପୀୟ କ୍ଲାସିକାଲ୍‌ ସଙ୍ଗୀତର ସମୟ। ସେ କ୍ଲାସିକାଲ୍‌ ସଙ୍ଗୀତରୁ କିଛି ବୁଝନ୍ତି ନାହିଁ, କିନ୍ତୁ ତାଙ୍କୁ ଭଲ ଲାଗେ।

ଆଜି ମୋଜାର୍ଟ୍‌, ମୋଜାର୍ଟ୍‌ ତାଙ୍କୁ ସବୁଠୁଁ ଭଲ ଲାଗେ। ମନେ ହୁଏ ଯେ ସେ ପରୀ ରାଇଜରେ ବୁଲୁଛନ୍ତି ଓ ପରୀମାନେ ତାଙ୍କୁ କୁତୁକୁତୁ କରୁଛନ୍ତି। ସେ ପୁଣି ବିଛଣାରେ ଶୋଇ ପଡ଼ିଲେ, ନିସ୍ପନ୍ଦ ହେଲେ ଓ ମନୋଯୋଗ ସହ ସଙ୍ଗୀତ ଶୁଣିଲେ।

ତତ୍‌ସହ ବିହଙ୍ଗମାନେ ବିଭୋର ହେଲେ ଓ ଭାବିଲେ ଯେ ସେମାନଙ୍କର ଡେଣା କଟିଯାଇଛି। ସେମାନେ ଗୋଟିଏ ସୀମିତ ଓ ସୁରଭିତ ସ୍ବର୍ଗରେ ଖସିପଡ଼ିଛନ୍ତି।ସେମାନେ ଛଟପଟ ହେଲେ ନାହିଁ। ବରଂ ତାଙ୍କର ମନରେ ସନ୍ଦେହ ହେଲା, -ଏହି କ’ଣ ସଭ୍ୟତାର ସ୍ବର୍ଗ ? ହୋଇଥିବ। କାହିଁକିନା ଏହି ଜ୍ଞାନର ଭାରୀପଣ ନାହିଁ ଓ ଅଜ୍ଞାନର ଜଡ଼ତା ନାହିଁ। ଅସନ୍ତୋଷ ନାହିଁ, ଉଦ୍ୟମ ନାହିଁ। ଅନୁକମ୍ପା ନାହିଁ, ହିଂସା ନାହିଁ। ବେରସିକତମୋଜାର୍ଟ୍‌ ସରିଲା। ମିସେସ୍‌ ପୁରୀ ଅନ୍ୟମନସ୍କ ଭାବରେ ଦୂରକୁ ଅନାଇଲେ, ଦେଖିଲେ ରିଫ୍ରିଜିରେଟର୍‌ ଉପରେ ଏକୁଟିଆ ମାଛିଟିଏ ବସିଛି ଓ କ୍ରମଶଃ ଆଖି ବୁଜିଆଣିଲେ। ନାହିଁ।

ଚାଷୀ ଫ୍ରେମ ଜୟରାମ

Rate the content


Originality
Flow
Language
Cover design

Comments

Post

Some text some message..