କୁନିଗପ-୨
କୁନିଗପ-୨
କୁନିଗପ-୨
ଜଳ
ରଶ୍ମିରଞ୍ଜନ ସାହୁ
ଇଏ ସେବେକାର କଥା, ଯେବେ ପୃଥିବୀର ନାଁ ବାଲିଗ୍ରହ ହେଲା ।
ସେତେବେଳକୁ ମୋ ଛତିଶି ପୁରୁଷ ପରର ମୋ ନାତୁଣୀ ଏ ବାଲିଗ୍ରହର ରାଣୀ ।
ବାଲିଗ୍ରହର ଗୋଟେ କୋଣରେ ସବୁଯାକ ପାଣି ବରଫ
ଆଉ ଅଧାଜାଗାରେ ଖାଲି ବାଲି ଆଉ ବାଲି ।
ରାଣୀର ନାଁ ନଥିଲା, କାଇଁକିନା ଏତେ ବାଲିରେ ପାଣିହୀନ ଜୀବନ ଭିତରେ କେହି କାହା ନାଁ ଜାଣିବା ଆବଶ୍ୟକ ନଥିଲା ।
ସେ ରାଣୀ ଏଥିପାଇଁ ଥିଲା କି ବାଲିଗ୍ରହର ଶେଷ ବଞ୍ଚିଥିବା ଆଠଟା ଗଛ, ଗୋଟେ ମଧୁର ଜଳ ଚୁଆ, ବାରଟା ମହୁମାଛି , ଦୁଇଟା କୁକୁର, ଚାରିଟା ମୂଷା, ନ'ଟା ଅସରପା ଓ ଏକ ଶେଷ ପୁରୁଷକୁ ନେଇ ସେ ବଞ୍ଚୁଥିଲା ।।
ତଥାପି ମଣିଷ ହବାର ଅହଂକାରରେ ସେ ଥିଲା ।
ବାଲିଗ୍ରହକୁ ପୁଣି ସବୁଜ କରିବାର ସ୍ୱପ୍ନ କାଳେ ଦେଖିନପାରିବ, ସେଥିପାଇଁ ସବୁବେଳେ ନିଜ ଆଖିକୁ ଢାଙ୍କି ରଖୁଥିଲା ।।
ପୁରୁଷଟି ପ୍ରେମହୀନତାରେ ଜଳୁଥିଲା ।
ବାଲିଗ୍ରହର ନାଁ ପୃଥିବୀ ଥିଲା ବୋଲି କେବଳ ସେଇଦୁଇଜଣ ହିଁ ଜାଣିଥିଲେ ।
ବାଲିରେ ଯେତେଥର ପୃଥିବୀ ବୋଲି ଲେଖୁଥିଲେ, ବାଲି ସେତେଥର ଖତେଇ ହେଇ ଲିଭିଯାଉଥିଲା ।
ଦୁଇଜଣଯାକ କେବେଠୁ ପରସ୍ପରକୁ ଦେଖିନଥିଲେ ।
ଦେଖିଦେଲେ କାଳେ ମଣିଷ ହବାର ଲାଜ ମାଡିବସିବ, ତେଣୁ ନିଜକୁ ନିଜେ ମୁହଁ ବୁଲେଇ ରହୁଥିଲେ ।
ସେମାନେ ପରପିଢ଼ିକୁ ଜନ୍ମଦେବେ କି ନାଇଁ ଓ ଯଦି ଜନ୍ମଦେଲେ, ତାକୁ ଏ ଗ୍ରହର ନାଁ କ'ଣ ବୋଲି କହିବେ, ସେଇ ପାପବୋଧରେ ସନ୍ତୁଳିହଉଥିଲେ ।।
******