Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅସ୍ତିତ୍ଵ
ଅସ୍ତିତ୍ଵ
★★★★★

© sushama Parija

Inspirational

9 Minutes   14.6K    15


Content Ranking

ସୋମବାର ସକାଳଟା ଭାରି ଚଞ୍ଚଳିଆ ଲାଗେ । ରବିବାର ଛୁଟି ଦିନର ସୁସ୍ଥିଆପଣଟା ଠିକ ଭାବରେ କଟିନଥିବା ବେଳେ ପୁଣି ସେଇ ଗତାନୁଗତିକ କାର୍ଯ୍ୟ ବ୍ୟସ୍ତତା ଭିତରକୁ ଫେରି ଯିବାକୁ ହୁଏ ନିଜର ଶତ ଅନିଚ୍ଛା ସତ୍ତ୍ଵେ ମଧ୍ୟ । ଏମିତି ସମୟରେ ମୋବାଇଲ୍ ଫୋନର ରିଂଟି ଆହୁରି ବିରକ୍ତିକର ଲାଗେ।

ସେଦିନ ସକାଳର ନିତ୍ୟକର୍ମ ସାରି ଚା’ କପଟିଏ ଧରିବାକୁ ଯାଉଛି ମୋବାଇଲ୍ ଫୋନର ରିଂ ଶୁଭିଲା।

ଏତେ ସକାଳୁ କିଏ ଫୋନ୍ କରୁଛି ବୋଲି ଦେଖିଲା ବେଳକୁ ଅଜଣା ନମ୍ବରଟିଏ। କିଏ ହୋଇଥିବ ଭାବି ଉଠାଇଲି ନାହିଁ । ପୁଣି ରିଂ ହେଲା ମୋବାଇଲ୍ ଫୋନଟି, ଦେଖିଲା ବେଳକୁ ପୁଣି ସେଇ ନମ୍ବରରୁ କଲ୍ ଆସିଛି । ବିରକ୍ତ ହୋଇ ଫୋନଟିକୁ ଉଠାଇ କ'ଣ ଦି 'ପଦ ଶୁଣେଇବାକୁ ଯାଉଛି ସେପଟରୁ ଶୁଭିଲା ଗୋଟିଏ ପରିଚିତ କଣ୍ଠ ସ୍ୱର '' ଲୀନା କିରେ ? ମୁଁ ରେଣୁ ଅପା କହୁଛି '' । ନିଆଁରେ ପାଣି ପଡିଲା ପରି ମୋ ବିରକ୍ତିଭାବ କୁଆଡେ ଉଭେଇ ଗଲା । ଗୋଟିଏ ଅନାବିଳ ଆନନ୍ଦର ଲହରୀ ଖେଳିଗଲା ମୋ ମନରେ । ଆଖି ଆଗରେ ଭାସି ଉଠିଲା ଅତି ଆପଣାର ସ୍ନେହସିକ୍ତ ଗୋଟିଏ ସୁନ୍ଦର ମୁହଁ , ମୋ ରେଣୁ ଅପାର । ଆନନ୍ଦାତିଶଯ୍ୟରେ ମୋ ମୁହଁରୁ ବାକ୍ୟ ସ୍ଫୁରିଲା ନାହିଁ। ସେପଟରୁ ରେଣୁ ଅପା କହୁଥିଲା ବୁଝିଲୁ ଲୀନା ,ତୋ ନମ୍ବର ତ ମୋ ପାଖରେ ନଥିଲା , ରବିବାର ସମାଜରେ ତୋର ଗୋଟିଏ ଲେଖା ବାହାରିଥିଲା, ତାକୁ ତୋ ଭାଇ ଆଣି କାଲି ମତେ ପଢିବାକୁ ଦେଇଥିଲେ, ସେଇଥିରୁ ତୋ ଫୋନ୍ ନମ୍ବରଟି ଦେଖି ଆଜି ତତେ ଫୋନ୍ କରୁଛି । ତୋ ଲେଖାଟି ଖୁବ୍ ସୁନ୍ଦର ହୋଇଛିରେ ଲୀନା , କାଲି ରାତିରେ ମୁଁ ତ ଏକା ନିଶ୍ୱାସରେ ପଢି ପକେଇଲି ସେଇଟିକୁ । ପଢିବା ବେଳେ ପୁରୁଣା କଥା ସବୁ ଜଳଜଳ ହୋଇ ନାଚି ଉଠିଲା ମୋ ଆଖି ଆଗରେ । ରାତି ସାରା ଆଉ ଶୋଇ ପାରିଲିନି ମୋ ମନକଥା ସବୁ କାଗଜ କଲମ ଧରି ଉତ୍ତାରି ପକେଇଲି ଚିଠିଟିଏ କରି । ତୋ ଲେଖାଟି ତଳେ ଦେଇଥିବା ଠିକଣାରେ ଆଜି ପଠାଇଛନ୍ତି ତୋ ଭାଇ 'ମୋ ସୁନା ଭଉଣୀଟା ପରା ! ଚିଠିଟି ଆମୂଳଚୂଳ ପଢିବୁ , ମୋ ମନ ଭିତରେ ଥିବା ଚାଳିଶି ବର୍ଷର ଜମାଟ ବନ୍ଧା ଅକୁହା କଥା ସବୁ ସ୍ୟାହି ହୋଇ ଛପି ଯାଇଛି ସେଥିରେ । ତୁ ତ ଗପ ଲେଖୁଛୁ , ସେଇ ଚିଠିରେ ଥିବା ମୋ ମନର କଥା ସବୁ ତୋ କଲମ ତୃଳୀରେ ରଙ୍ଗ ଭରି ସାକାର କରିବୁ । ତୁ କେମିତି ଅଛୁ ଜଣାଇବୁ। ବହୁତ ବେଳୁ ଗପିଲିଣି । ରଖୁଛି '। ଫୋନଟି ସେପଟରୁ କଟି ଯିବାର ଶବ୍ଦରେ ମୁଁ ପ୍ରକୃତିସ୍ଥ ହେଲି।

ତା ପର ଦିନ ସକାଳେ ଚାକବାଲାକୁ ଅପେକ୍ଷା କରି ରହିଥାଏ ମୁଁ । କେମିତି ରେଣୁ ଅପାର ଚିଠିଟି ପାଇବି ଆଉ ତା'ର ସେ ଅକୁହା କଥା ସବୁ ଜାଣିବି ସେଇ ଚିନ୍ତାରେ ମୁଁ ଖାଲି ଗେଟ୍ ପାଖରେ ଏପଟ ସେପଟ ହେଉଥାଏ । ଡାକ ପିଅନଟି ଗେଟ୍ ପାଖରେ ପହଞ୍ଚିଲା କ୍ଷଣି ତା' ହାତରୁ ଚିଠିଟିକୁ ଚିଲ ଭଳିଆ ଝାମ୍ପି ନେଇ ମୋ ଶୋଇବା ଘର ଭିତରେ ପଶି ଚିଠିଟି ଖୋଲି ପଢିବାକୁ ଆରମ୍ଭ କଲି। ରେଣୁ ଅପା ଲେଖିଥିଲା ......

ସ୍ନେହର ଲୀନା ଆଜି ରବିବାର ସମାଜରେ ବାହାରିଥିବା ତୋର ଗପଟି ପଢିଲି । ପଢିଲି କମ୍ କାନ୍ଦିଲି ବେଶି । କାରଣ ପଢିଲା ବେଳକୁ ପୁରୁଣା ଦିନର କଥା ସବୁ ମନେ ପଡି ମୋ ଆଖିରେ ଲୁହ ଆସି ଯାଉଥିଲା । ସମାଜ କାଗଜ ପୃଷ୍ଠା ଉପରେ ଛବି ହୋଇ ଦିଶି ଯାଉଥିଲା ମଙ୍ଗଳା ବାଗର ସେଇ ନୁଆଁଣିଆ ଚାଳଘର ଆଉ ସେ ଘରେ ବିତାଇଥିବା ସ୍ଵର୍ଣ୍ଣାଭ ଅତୀତ। କେତେ ସୁନ୍ଦର ଥିଲା ସେ ଦିନ ଗୁଡିକ । ତୋ ବାବା ଆଉ ମୋ ବାବା ଥିଲେ ବନ୍ଧୁ । ସେମାନଙ୍କ ଭିତରେ ବନ୍ଧୁତ୍ଵ କମ ଭାତୃତ୍ବ ଥିଲା ଅଧିକ । ସ୍ଵଳ୍ପ ବେତନଭୋଗୀ କର୍ମଚାରୀ ହୋଇଥିଲେ ମଧ୍ୟ ପିଲାମାନଙ୍କୁ ପାଠ ପଢାଇ ମଣିଷ କରିବାର ଆଶା ଥିଲା ପ୍ରବଳ । ମୋ ଠାରୁ ବର୍ଷଟିଏ ସାନ ହେଲେ ମଧ୍ୟ ତୁ ମୋରି ସାଥିରେ ମାଟ୍ରିକ ପାସ୍ କରିଥିଲୁ । ଆମ ଗାଁରେ କଲେଜ ନଥିବାରୁ ବାବା ମତେ ଆଣି ତମ ଘରେ ଛାଡି ଥିଲେ କଲେଜରେ ପଢିବା ପାଇଁ। କଟକର ଶୈଳବାଳା ମହିଳା ମହାବିଦ୍ୟାଳୟରେ ତୁ ନାମ ଲେଖାଇଲୁ ବିଜ୍ଞାନରେ ଆଉ ମୁଁ ଆର୍ଟସ ପଢିଲି । ତମେ ପାଞ୍ଚ ଭାଇ ଭଉଣୀ ଆଉ ମତେ ମିଶେଇ ଛଅ ଜଣ ଛୁଆଙ୍କୁ ଆପଣେଇ ନେଇଥିଲେ ମାଉସୀ । ସେଇ ବଖୁରିକିଆ ଚାଳଘର , ତାକୁ ଲାଗି ଛୋଟ ରୋଷେଇ ଘର ଆଉ ଅଗଣାରେ କଟିଥିଲା ମୋର ତିନି ବର୍ଷ । ସେଇଠି ମୋ ଜୀବନର ଦ୍ଵିତୀୟ ଭାଗ ଆରମ୍ଭ ହୋଇଥିଲା । ତୁ ପାଠ ଛଡା ଆଉ କିଛି ବୁଝୁ ନଥିଲୁ କିନ୍ତୁ ଗାଁର ଯୌଥ ପରିବାରରେ ଚଳି ଆସିଥିବାରୁ ମତେ ରୋଷେଇ ବାସ ଅଘକରଣା ସବୁ ଜଣାଥିଲା । ମାଉସୀ ଏତେ ଗୁଡ଼ାଏ ପିଲାଙ୍କ କାମ କରି ଥକି ପଡୁଥିଲେ ତେଣୁ ମୁଁ ତାଙ୍କ ହାତରୁ କାମ ଛଡାଇ କରିବାକୁ ଲାଗିଲି । କଲେଜ ଯିବାର ପୂର୍ବରୁ ଏବଂ କଲେଜରୁ ଫେରି ମୁଁ ତାଙ୍କ ସହିତ କାମରେ ଲାଗି ଯାଉଥିଲି । ତୁଟା ତ ପକ୍କା ଅଳସେଇ ଥିଲୁ କଲେଜରୁ ଫେରି ଫାଁ ଗାଳି ଦେଇ ଶୋଇ ପଡୁଥିଲୁ ହେଲେ ମାଉସୀଙ୍କର କଷ୍ଟ ମୁଁ ସହି ପାରୁନଥିଲି। ତାଙ୍କ ସହି ମିଶି ସବୁ କାମ କରି ଦେଉଥିଲି । ମାଉସୀ ତୋ 'ଠାରୁ ଅଧିକ ଭଲ ପାଉଥିଲେ ମତେ । ଧୀରେ ଧୀରେ ମୁଁ ତମ ଘରର ବଡ ଝିଅ ହୋଇଗଲି। ତୋ ସାନଭାଇ ଦି ଜଣ ମତେ ପ୍ରାଣରୁ ଅଧିକ ଭଲ ପାଇଲେ । ଆଉ ତମେ ତିନି ଭଉଣୀ ମୁଁ ବସ କହିଲେ ବସିଲ ଉଠ କହିଲେ ଉଠିଲ ।

ତା' ପର ବର୍ଷ ମୋ ସାନ ଭାଇ ମଧ୍ୟ ଗାଁରୁ ଆସି ରେଭେନ୍ସା କଲେଜରେ ନାଆଁ ଲେଖାଇଲା। ମାଉସୀ ତା'ର ବି ଦାୟିତ୍ଵ ନେଇ ତାକୁ ବି ରଖିଲା ପାଖରେ। ସାହି ଲୋକ ଜାଣିଲେ ଆମେ ସାତ ଭାଇ ଭଉଣୀ ଗୋଟିଏ ମାଆର ସନ୍ତାନ । କେତେ ଅଭାବ କେତେ ଅସୁବିଧା ଭିତରେ ଚଳୁଥିଲେ ଆମେ ତଥାପି କେତେ ସୁଖ ଥିଲା ସେ ସମୟରେ। ମୁଁ ଆଇ ଏ ଶେଷ ବର୍ଷରେ ପଢୁଥିବା ବେଳେ ମୋ ମା'ର ପିତ୍ତ କୋଷରେ ପଥର ହେଲା । ସେତେବେଳକୁ ମୋ ସବା ସାନ ଭାଇଟି ଚାରି ମାସର ପିଲା । ଗାଁ ଡାକ୍ତର କହିଲେ ତୁରନ୍ତ ଅପରେସନ କରିବାକୁ ପଡିବ ନହେଲେ ରୋଗୀର ଜୀବନ ପ୍ରତି ବିପଦ ଅଛି। ସାଙ୍ଗେ ସାଙ୍ଗେ ମା'କୁ ଆଣିଲେ କଟକ ବଡ ମେଡିକାଲକୁ। ମା ' ରହିଲା ବଡ ମେଡିକାଲରେ ଆଡମିଶନ୍ ହୋଇ , ସାନ ପିଲାଟିର ଦାୟିତ୍ଵ ପଡିଲା ମାଉସୀ ଆଉ ମୋ ଉପରେ। ସେଇ ଚାଳଘରଟିରେ ବାଉଁଶ ଖଣ୍ଡିଏ ବାନ୍ଧି ଶାଢ଼ୀଟିଏ ଦୋଳି କରି ଦିନ ଯାକ ଝୁଲେଇ ଝୁଲେଇ ସାଗୁ ପାଣି ପିଆଇ ବଞ୍ଚେଇ ରଖିଲୁ ସେ ସାନ ପିଲାଟିକୁ। ଅପରେସନ ପରେ ଆରୋଗ୍ୟ ହୋଇ ମା' ଫେରି ଗଲା ଗାଁକୁ କିନ୍ତୁ ଏସବୁ ଭିତରେ ମୋ ପାଠ ପଢାର ବାଆର ବାଜି ଯାଇଥିଲା । ଫାଇନାଲ ପରୀକ୍ଷାରେ ଭଲ ନମ୍ବର ରଖି ଫାଷ୍ଟ ଡିଭିଜନରେ ପାସ୍ କଲୁ ତୁ ଆଉ କମ୍ ନମ୍ବର ରଖି ତୃତୀୟ ଶ୍ରେଣୀରେ ପାସ୍ କଲି ମୁଁ। ମା' କହିଲା ଆଉ ପାଠ ଦରକାର ନାହିଁ ଏବେ ବାହାଘର ଖୋଜ ।

ତୁ ରେଭେନ୍ସା କଲେଜରେ ପଢିଲୁ ଆଉ ମୁଁ ଗଲି ଗାଁକୁ । ମାଉସୀ କିନ୍ତୁ ମତେ ପାଖରୁ ଛାଡିବାକୁ ମୋଟେ ଚାହୁଁ ନଥିଲା । ଏତେ ଦିନ ଧରି ଏକାଠି ରହିବା ଭିତରେ ତା'ର ମୋର କେମିତି ଗୋଟାଏ ଆତ୍ମାର ସମ୍ପର୍କ ଯୋଡି ହୋଇ ଯାଇଥିଲା । ତତେ ଛାଡି ସେ ରହିପାରୁଥିଲା କିନ୍ତୁ ମତେ ନୁହେଁ । କଳେ ବଳେ କୌଶଳେ କଟକରେ ରଖିବାକୁ ଇଚ୍ଛା କରି ସେ ମୋର ବାହାଘର ପ୍ରସ୍ତାବ ପକେଇଲା ନୂଆ ପାଟଣାରେ। ମା’ଟିଏ ପୁଅଟିଏ , ପୁଅ ଭଲ ବ୍ୟବସାୟ କରୁଛି ଭଲ ଦି ' ପଇସା ରୋଜଗାର କରୁଛି , ଶାଶୁଟି ଭଲ , ଝିଅ ଆମର ଭଲରେ ରହିବ, କହି ପ୍ରସ୍ତାବ ଦେଲା ମୋ ମାଆକୁ। ବାବା ସିନା ଛୋଟ ଚାକିରୀ କରୁଥିଲେ ହେଲେ ଆମର ଥିଲା ଚାଷ ବନ୍ଦୀ ପୁରୁଣା କାଳିଆ ଜମିଦାର ଘର। ଘରେ କେହି ରାଜି ହେଲେ ନାହିଁ ଏମିତି ଗୋଟିଏ ବାପ ନଥିଲା ଆଭିଜାତ୍ୟ ଶୂନ୍ୟ ଘରେ ଝିଅ ଦେବା ଲାଗି । ମାଉସୀ କିନ୍ତୁ ଚେଷ୍ଟା ଛାଡୁ ନଥାଏ ।ସେ ମୋ ମା'କୁ ବାରମ୍ବାର ପ୍ରବର୍ତ୍ତାଇବାରେ ଲାଗି ଥାଏ ସେଇ ଯାଗାରେ ବାହାଘର କରିବାକୁ କାରଣ ସେଠାରେ ବାହାଘର ହେଲେ ମୁଁ ତା'ର ପାଖାପାଖି ରହିବି ଆଉ ସେ ଯେତେବେଳେ ଇଚ୍ଛା ମତେ ଦେଖି ପାରିବ । ଶେଷରେ ମାଉସୀଙ୍କର ଚେଷ୍ଟା ସଫଳ ହେଲା, ମା' ରାଜି ହୋଇଗଲା । ସମସ୍ତଙ୍କର ନା ନା ଆଉ ମା ' ମାଉସୀ ଦି ଜଣଙ୍କର ହଁ ହଁ ଭିତରେ ମୋ ବାହାଘର ହୋଇଥିଲା ଶ୍ରୀକାନ୍ତଙ୍କ ସହିତ ମାଉସୀଙ୍କର ପ୍ରସ୍ତାବିତ ଜାଗାରେ।

ବାପ ଘରେ କ'ଣ ଥିଲି ନଥିଲି ଜଣା ନାହିଁ , ଶାଶୁଘରକୁ ଆସି ମୁଁ ପାଲଟି ଯାଇଥିଲି ସାକ୍ଷାତ ଲକ୍ଷ୍ମୀ । ଶାଶୁ ରେଣୁ ରେଣୁ ବୋଲି ପାଣି ପିଉ ନଥିଲେ ଆଉ ଶ୍ରୀକାନ୍ତ ତାଙ୍କ ଭଲ ପାଇବା ରେ ଏମିତି ବାନ୍ଧି ପକେଇଥିଲେ ଯେ ମୁଁ ସାରା ଦୁନିଆର କଥା ଭୁଲି ଯାଇଥିଲି। କିନ୍ତୁ କେବେ କେମିତି ଆମ କୋଠାଘରୁ ଆସି ଶାଶୁଘର ଭଡାରେ ଥିବା ଦି ବଖୁରିଆ ଚାଳ ଘରଟାର ଦୁଃଖ ମତେ ଚେଙ୍କି ପକାଉଥିଲା । ବିରାଟ ଚାଷ ବନ୍ଦୀ ଘରର କୁଢକୁଢ ପରିବା ଗଦା , ଆମ୍ବ, ପଣସ, ନଡିଆ , ତାଳ , ବାଡି ପୋଖରୀର ବଡ ବଡ ସଜ ମାଛର ମୋହ ମତେ ବାପ ଘରକୁ ଟାଣୁଥିଲା । ହେଲେ ଶ୍ରୀକାନ୍ତଙ୍କ ପାଇଁ ସେମାନଙ୍କ ମନରେ ଥିବା ଦ୍ୱିଧା ମୋ ମନକୁ ପଛକୁ ଟାଣୁଥିଲା । ସେଥିଲାଗି ମୁଁ ସମୟ ସମୟରେ ଯାଇ ମାଉସୀ ଘରେ ତା' ହାତ ରନ୍ଧା ପଖାଳ ଗଣ୍ଡାଏ ଖାଇ ମନ ଶାନ୍ତି କରି ଆସୁଥିଲି। ମନ କଥା ତା' ଆଗରେ କହି ମନ ହାଲୁକା ହୋଇ ଯାଉଥିଲା । ଶ୍ରୀକାନ୍ତଙ୍କର ବ୍ୟବସାୟ ଦିନକୁ ଦିନ ବଢିବାରେ ଲାଗିଥିଲା । ଶାଶୁଙ୍କୁ ଲାଗୁଥିଲା ମୋ ଲକ୍ଷ୍ମୀ ପାଦ ତାଙ୍କ ଘରେ ପଡିବାରୁ ତାଙ୍କର ଶ୍ରୀ ବୃଦ୍ଧି ହୋଇଛି । ବର୍ଷଟିଏ ପରେ ମୋ କୋଳକୁ ଆସିଲା ବେବି । ଶାଶୁଙ୍କର ତ ଝିଅ ନଥିଲା , ବେବିକୁ ପାଇ ସେ ଖୁବ୍ ଆନନ୍ଦିତ ହେଉଥିଲେ । ଶ୍ରୀକାନ୍ତ ଏ ଭିତରେ ଜାଗା ଖଣ୍ଡିଏ କିଣି ସାରିଥିଲେ ବିଡାନାସୀରେ । ଘର ତିଆରି କରିବାକୁ ଅଳ୍ପ ଦିନ ଲାଗିଥିଲା, ନୂଆ ଘରେ ପାଦ ଦେଲା ବେଳକୁ ଶ୍ରୀକାନ୍ତଙ୍କ ପାଖରେ ନିଜର ଦାମିକା କାରଟିଏ ମଧ୍ୟ କରି ସାରିଥିଲେ । ଶ୍ରୀକାନ୍ତ ଥିଲେ କଠିନ ପରିଶ୍ରମୀ ।

ପିଲାଟି ଦିନରୁ ବାପାଙ୍କୁ ହରାଇ ଜୀବନକୁ ବହୁତ ପାଖରୁ ଦେଖିଥିଲେ ସେ । ନିଜେ କଷ୍ଟ କରି ନିଜ ଗୋଡ ରେ ଠିଆ ହୋଇ କେ ଦୁଃଖିନୀ ମାଆଟିକୁ ସଂସାରର ସବୁ ସୁଖ ଦେବେ , ସେଇଥି ପାଇଁ ଦିନରାତି ଖାଲି କାମ କରିବାକୁ ଲାଗିଥିଲେ । କାମ ଛଡା ସଂସାରରେ ଆଉ କିଛି ନଥିଲା ତାଙ୍କ ପାଇଁ। କାମ କରିବା , ପଇସା ରୋଜଗାର କରିବା ବ୍ୟତୀତ ଆଉ କୌଣସି କଥା ଦେଖା ଯାଉନଥିଲା ତାଙ୍କୁ । ଦିନ ରାତି ଖାଲି କାମ ହିଁ କାମ । ସଂସାରଟା ଖାଲି କାମ ଆଉ ପଇସା ଏଇ ଦୁଇଟି ଜିନିଷରେ ସୀମିତ ଥିଲା ତାଙ୍କର ।

ଏପଟେ ବିଡାନାସୀ ଆସିଲା ପରେ ଆଉ ମାଉସୀ ଘରକୁ ଯାଇ ହେଉନଥିଲା କି କୌଣସି ପ୍ରକାରେ ସମ୍ପର୍କ ରଖି ହେଉନଥିଲା । ସେଇ ଭିତରେ ତୋର ବାହାଘର ପରେପରେ ମଉସା ଚାକିରୀ ଛାଡି ତମ ଗାଁକୁ ଚାଲି ଯାଇଥିଲେ । ମୋ ସଂସାରରେ ମଧ୍ୟ ଆଉ ଗୋଟିଏ ପୁଅ , ଗୋଟିଏ ଝିଅ ଆସି ମୋର ଜଞାଳକୁ ଆହୁରି ବଢେଇ ଦେଇଥିଲେ । ମୁଁ ଖାଲି ମୋ ଘର , ମୋ ବର , ମୋ ପିଲାଙ୍କ ଭିତରେ ସୀମିତ ହୋଇ ରହିଗଲି । ଏତେ ପ୍ରାଚୁର୍ଯ୍ୟର ଭିତରେ ରହି ମଧ୍ୟ ମୁଁ ମୋ ନିଜକୁ ଖୋଜି ପାଉ ନଥିଲି। କେମିତି ପିଲା ପାଠ ପଢିବେ,ମଣିଷ ହେବେ ସେଇ ଚେଷ୍ଟାରେ ଲାଗି ରହିଥିଲି । ଐଶ୍ଵର୍ଯ୍ୟ ଆସିଲା ପରେ ଆମ ଘର ଲୋକମାନେ ମଧ୍ୟ ଯଥୋଚିତ ସମ୍ମାନ ଦେବାକୁ ଲାଗିଥିଲେ ଶ୍ରୀକାନ୍ତଙ୍କୁ । ହେଲେ ସବୁ ସୁଖ ତ ବିଧାତା ସହନ୍ତି ନାହିଁ ନା । ମୋ ଶାଶୁ ଦୂରାରୋଗ୍ୟ କର୍କଟ ରୋଗର ଶିକାର ହେଲେ । ପିଲା ମାନଙ୍କ ସେବା ସହିତ ତାଙ୍କର ବି ସେବା କରିବାକୁ ପଡିଲା ମତେ। ତିନି ବର୍ଷ କାଳ ଘାଣ୍ଟି ହୋଇ ସିଏ ଗଲେ ଆରପାରିକୁ । ଦୁଃଖରେ ଭାଙ୍ଗି ପଡିଲେ ବି ଶ୍ରୀକାନ୍ତ କାମ କରିବା ଛାଡିଲେନି। ଏବେ ତାଙ୍କୁ ପିଲାମାନଙ୍କୁ ଥଇଥାନ କରିବାର ଚିନ୍ତା ଘାରି ଥିଲା । ଝିଅ ଦୁଇଜଣ ବାହା ହୋଇ ନିଜ ନିଜର ସଂସାର କଲେ। ପୁଅ ମଧ୍ୟ ଭଲ ଚାକିରି କରି ବାହା ହୋଇ ବାହାରେ ରହିଛି ତା ପିଲାମାନଙ୍କ ସହିତ ହେଲେ ଏଯାବତ୍ ତୋ ଭାଇଙ୍କର କାମ କରିବା ସରି ନାହିଁ।

ସେ ଏବେ ବି ସକାଳ ଛଅଟାରୁ ଉଠି ଦୋକାନକୁ ଯାଉଛନ୍ତି ଆଉ ମୁଁ ଏବେ ବି ସେଇ ଆଗ ଭଳିଆ ତାଙ୍କ ଲାଗି ଚା’ ଜଳଖିଆ ଠାରୁ ଆରମ୍ଭ କରି ରାତି ଖାଇବା କରି ଜଗି ବସୁଛି। ଏତେ ବଡ ଘରଟା ମତେ ଖାଁ ଖାଁ ଗୋଡାଉଛି ତଥାପି ମୁଁ ନାଚାର । ଆଜି ବି ସିଏ ତାଙ୍କ ପ୍ରେମରେ ମତେ ଏମିତି ବାନ୍ଧି ରଖିଛନ୍ତି ଯେ ପିଲାମାନେ ତାଙ୍କ ପାଖକୁ ଡାକିଲେ ବି ମୁଁ ୟାଙ୍କୁ ଛାଡି ଯାଇ ପାରୁନି । ଜୀବନ ସାରା ଖଟିଖଟି ସେ ଏବେ ରୋଗୀ ହୋଇ ଗଲେଣି ତଥାପି ଖଟିବା ଛାଡୁ ନାହାଁନ୍ତି । ଆଉ ଚାଳିଶ ବର୍ଷ ଧରି ତାଙ୍କୁ ହିଁ କେନ୍ଦ୍ର କରି ଘୁରି ବୁଲୁଥିବା ମୋ ଜୀବନଟା ମଧ୍ୟ ସେଇ ଅକ୍ଷାଂଶରୁ ଆଉ ବାହାରି ପାରୁନାହିଁ। କେମିତି ଏକ ଅଜବ ସ୍ଥାଣୁତା ଆବୋରି ବସିଛି ମତେ। ଏତେ ପ୍ରାଚୁର୍ଯ୍ୟର ଭିତରେ ଥାଇ ବି ମୁଁ ନିସ୍ୱ । ଏଠି ମୁଁ ସମ୍ପୂର୍ଣ୍ଣ ଏକା ।ଖାଲି ଯନ୍ତ୍ରବତ୍ ଘୁରି ବୁଲୁଛି ଶ୍ରୀକାନ୍ତଙ୍କ ଚାରିପଟେ । ତାଙ୍କ ବିନା ମୋର ଅସ୍ତିତ୍ବ ହିଁ ନାହିଁ। ମୁଁ ଗୋଟିଏ କା' ମାତ୍ର ।ଆଜି ତୋର ଲେଖାଟି ପଢିବା ପରେ ମୁଁ ଭାବୁଛି, ମୁଁ ଜୀବନରେ କିଛି କରି ପାରିଲିନି । ଯଦି ମୁଁ କିଛି କାମ ନକରି ମନଧ୍ୟାନ ଦେଇ ପାଠ ପଢି ଥାଆନ୍ତି ତୋ ଭଳିଆ କୋଉଠି ଚାକିରୀଟିଏ କରି ଥାଆନ୍ତି । ତୋ ଭଳିଆ କିଛି ସୃଜନଶୀଳ କାମ ବି କରି ପାରି ଥାଆନ୍ତି । ଆଜି ନିଜ ଭିତରେ ନିଜର ଅସ୍ତିତ୍ଵକୁ ସାଉଁଟି ଖୋଜିବାକୁ ପଡି ନଥାନ୍ତା।

ଲୀନା ରେ ! ତୁ ଭାବିବୁନି ଯେ ମୁଁ ତତେ ଈର୍ଷା କରୁଛି ବୋଲି । ମୁଁ କେବଳ ମୋର ଆତ୍ମସମୀକ୍ଷା କରୁଛି ।

ଈଶ୍ଵରଙ୍କୁ ପ୍ରାର୍ଥନା କରୁଛି ସେ ତତେ ଯଶସ୍ଵୀ କରନ୍ତୁ । ତୋ ସଫଳତାରେ ସବୁଠାରୁ ଅଧିକ ଖୁସି ମୁଁ ହେବି , କାରଣ ଯେତେବେଳେ ତୁ କଲେଜରୁ ବିଶିଆ ଦହି ବରା ଖାଇବା ଲାଳସାରେ ରିକ୍ସା ଭଡା ତକ ଖର୍ଚ୍ଚ କରି ଦେଇ ଚାଲିଚାଲି ଘରକୁ ଆସି ଥକି ଯାଇ ଶୋଇ ପଡୁଥିଲୁ ସେତେବେଳେ ଯଦି ମୁଁ ତୋ କାନ ମୋଡି ଉଠେଇ ପାଠ ପଢିବାକୁ କହି ନଥାନ୍ତି ତେବେ ତୁ ପ୍ରଥମ ଶ୍ରେଣୀରେ ପାସ୍ କେମିତି କରିଥାନ୍ତୁ ? ମୋ ସୁନା ଭଉଣୀ ପ୍ରଭୁ ତତେ ଭଲରେ ରଖନ୍ତୁ । ଏ ଚିଠିଟି ଲେଖି ମୋ ମନ ହାଲୁକା ହୋଇଗଲା । କିଛି ଭାବିବୁ ନାହିଁ । ରହିଲି , ଯାଉଛି ଟିକିଏ ଶୋଇ ପଡିବି । କାଲି ସକାଳୁ ପୁଣି ପାଞ୍ଚଟା ବେଳୁ ଉଠି ତୋ ଭାଇଙ୍କ ପାଇଁ ଚା ଜଳଖିଆ କରିବାକୁ ପଡ଼ିବ । ଇତି ।।

ତୋର ରେଣୁ ଅପା

ଚିଠିଟି ଧରି ମୁଁ ଖମ୍ବଟି ଭଳି ଠିଆ ହୋଇଥିଲି । ମତେ ଲାଗୁଥିଲା ରେଣୁ ଅପାର ଲୁହ ଗୁଡାକ ମୋ ଆଖି ଦେଇ ବୋହି ଯାଉଛି।।

ଲୀନା ରେଣୁ ଅପା ପୁରୁଣା

Rate the content


Originality
Flow
Language
Cover design

Comments

Post

Some text some message..