ଭୂତୁଣୀ ଓ ସୁଇଟର
ଭୂତୁଣୀ ଓ ସୁଇଟର
ଅରବିନ୍ଦ ଦାସ
-ଭୁତ ଦେଖିଲେ ମଣିଷ ଡରନ୍ତି,ଆଉ ତୁ ସୁଇଟର ଦୋକାନକୁ ଯାଇ ସୁଇଟର ବାଛିବୁ ?
ଭୁତୁଣୀକୁ ତା ସାଙ୍ଗ ଭୁତୁଣୀ ପଚାରିଲା।
-ସେମାନେ ତ ଆମକୁ ଦେଖିପାରନ୍ତି ନାହିଁ,ଡରନ୍ତି କାହିଁକି ?ଆମେ କଣ ଏତେ ଭୟଙ୍କର ?ନିଜ ରୁପ ଆମକୁ ବଦଳାଇବାକୁ ପଡିବ।"
ମଶାଣୀ ପାଖ ତେନ୍ତୁଳି ଗଛରେ ରହୁଥିବା ଗୋଟେ ଯୁବତୀ ଭୁତୁଣୀର ହଠାତ୍ ଇଛା ହେଲା ଭଳିକି ଭଳି ରଙ୍ଗୀନ ସୁଇଟର ପିନ୍ଧିବା ପାଇଁ।
ଶୀତ ଦିନ ବୋଲି ଚାରିଆଡେ ଶୀତ ପୋଷାକ ବଜାର ଲାଗିଥାଏ।ଭତୁଣୀର ବାୟବୀୟ ଶରୀର ପାର୍ଥିବ ଜିନିଷକୁ ଅନୁଭବ କରିବାରେ ଅସମର୍ଥ ଥିଲା।ସେ ଗୋଟେ ଉପାୟ ଚିନ୍ତା କଲା।କୌଣସି ଏକ ମହିଳାର ଶରୀରରେ ପ୍ରବେଶ କରିବାକୁ ପଡିବ ତାକୁ।ତା ଦୃଷ୍ଟିରେ ପଡ଼ିଲା ସୁଇଟର କିଣୁଥିବା ବାସନ୍ତୀ ଉପରେ।
ବାସନ୍ତୀ ଗୋଟେ କଳା ରଙ୍ଗର ସୁଇଟର ପସନ୍ଦ କରିଥିଲା ବେଳେ, ଦୋକାନର ସୁନ୍ଦରୀ ସେଲ୍ସ ଗାର୍ଲ କହିଲା,
- ମ୍ୟାଡମ ,ଏଇ ହାଲକା ଗୋଲାପୀ ରଙ୍ଗର ସୁଇଟର ଆପଣଙ୍କୁ ବହୁତ ଭଲ ମାନିବ।ଆପଣ ଟିକେ ଟ୍ରାଏ କରନ୍ତୁ।"
ପାଖରେ ଠିଆ ହୋଇଥିବା ସ୍ୱାମୀ ହରେକୃଷ୍ଣ ଆଡ଼କୁ ଅନାଇ ବାସନ୍ତୀ ପଚାରିଲା,"କେଉଁ କଲର ନେବି ?"
ହରେକୃଷ୍ଣ ଜାଣେ ବାସନ୍ତୀ ଭାରି ବଦରାଗୀ ,କଜିଆଖୋର ଓ ମୁଡ୍ଡୀ ମହିଳା।ତାକୁ କୌଣସି କଥାରେ ବାଧ୍ୟ କରିହୁଏନା।ଏମିତିରେ ଗୋଲାପୀ ରଙ୍ଗ ହରେକୃଷ୍ଣ ର ଫେଭରାଇଟ ରଙ୍ଗ।କିନ୍ତୁ ଯଦି ସେ ଗୋଲାପୀ ରଙ୍ଗ କହିବ,ହୁଏତ ଝଗଡା କରିବ ବାସନ୍ତୀ ଓ କହିବ ସେଲ୍ସ ଗାର୍ଲ ପସନ୍ଦକୁ ଅଗ୍ରାଧିକାର ଦେଉଛି ବୋଲି।ଧୀର ସ୍ୱରରେ ସବୁଥର ଭଳି କହିଲା
- ତମର ଯେଉଁଟା ଇଛା ।
ବାସନ୍ତୀ ଟ୍ରାଏଲ ରୁମକୁ ଯାଇ ଗୋଲାପୀ ସୁଇଟରଟା ଗଳାଇ ଆସିଲା ଓ ହସି ଦେଇ କହିଲା,"ଏଇଟା ,ଭାରି ଭଲ ହୋଇଛି ନା ?ତା ଛଡ଼ା ଏଇଟା ତ ତମ ପ୍ରିୟ ରଙ୍ଗ।କିନ୍ତୁ ଦାମିକା । ମୋ ପାଇଁ କିଣିଦେବ ? ପ୍ଲିଜ।"
ଚମକି ପଡ଼ିଲା ହରେକୃଷ୍ଣ।ପ୍ଲିଜ,ଶବ୍ଦ ! ତାହା ପୁଣି ବାସନ୍ତୀ ମୁହଁରୁ ?ସୂର୍ଯ୍ୟ ପଶ୍ଚିମରେ ଉଇଁଲେ କି !
ଦୋକାନରୁ ସେମିତି ସୁଇଟର ପିନ୍ଧି ଆସିଲା ବାସନ୍ତୀ ଓ ବାଟ ସାରା ଲାଜୁଆ ହସ ହସି ପ୍ରେମାଳାପ ଆରମ୍ଭ କରିଥିଲା ବାସନ୍ତୀ।
- ସୁଇଟର ମୋତେ ଭଲ ଦିଶୁଛି ନା ? ଶୀତ ଜମାରୁ ଜଣା ପଡୁନି। ତମେ ନିଜ ପାଇଁ ଗୋଟେ ନେଲନି ? ଅନେକ ଧନ୍ୟବାଦ ସୁଇଟର ପାଇଁ।
- ତମ ଦେହ ଠିକ୍ ଅଛି ତ ?"ଟିକେ ଡରିଯାଇ ପଚାରିଲା ହରେକୃଷ୍ଣ।
ଖିଲ ଖିଲ ହୋଇ ହସି ଉଠି ବାସନ୍ତୀ କହିଲା,"ତମେ ମୋତେ ଏପରି କାହିଁକି ଅନେଇଛ ?ସ୍ନେହରେ ଦି ପଦ କଥା ବି ହୋଇପାରିବି ନାହିଁ ?"
ବାଟସାରା ଗୁଣୁଗୁଣେଇ ହୋଇ ଗୀତ ବୋଲୁଥିଲା ବାସନ୍ତୀ ଦେହ ଭିତରେ ସଵାର ହୋଇଥିବା ସେଇ ଭୁତୁଣୀ।ସେ ଖୁସି ଥିଲା ସୁନ୍ଦର ସୁଇଟରଟି ପିନ୍ଧି।ରାତିରେ ସେଦିନ ସୁଇଟର ପିନ୍ଧି ଶୋଇଲା ବାସନ୍ତୀ।ରାତିରେ ବି ଖାଲି ମିଠା ମିଠା କଥା।ଭତୁଣୀ ବାସନ୍ତୀ ଦେହ ଭିତରେ ଥାଇ ଖୁସି ହେଉଥାଏ।
ସକାଳ ଆଠଟାରେ ବିଛଣା ଛାଡୁଥିବା ବାସନ୍ତୀ ,ପରଦିନ ସକାଳ ଛଅଟା ବେଳକୁ ଚାହା ବଢ଼ାଇଦେଲା ସ୍ବାମୀକୁ।ହତବାକ ହୋଇଯାଇଥିଲା ହରେକୃଷ୍ଣ।ତେବେ ଖରା ଆସିଲା ପରେ ଦେହରୁ ବାସନ୍ତୀ ଯେମିତି ସୁଇଟର କାଢ଼ିଦେଲା,ଭତୁଣୀ ସେମିତି ତା ଦେହରୁ ଚାଲିଗଲା ଓ ଆରମ୍ଭ ହୋଇଗଲା ବାସନ୍ତୀର କର୍କଶ ସ୍ବର ଓ ପାଟିଗୋଳ।
ସନ୍ଧ୍ୟାରେ ବାସନ୍ତୀ ସୁଇଟର ପିନ୍ଧିଲାପରେ ଭତୁଣୀ ପୁଣି ପଶିଗଲା ତା ଦେହରେ ଓ ଅଫିସରୁ ଫେରି ସ୍ତ୍ରୀ ର ଶାନ୍ତ ବ୍ୟବହାର ଦେଖି ପୁଣି ତାଜୁଵ ହରେକୃଷ୍ଣ।ଦୁଇଦିନ ଏଭଳି ଚାଲିଲା ପରେ, ଅଫିସରେ ନିଜ ବନ୍ଧୁ ବିଜୟକୁ ସବୁକଥା କହିଲା ହରେକୃଷ୍ଣ।
- ମୋତେ ଲାଗୁଛି,ଭାଉଜଙ୍କୁ ବହୁତ ପସନ୍ଦ ଆସିଛି ସୁଇଟର ଓ ତାଙ୍କ ମସ୍ତିଷ୍କ ଉପରେ ଭଲ ପ୍ରଭାବ ପକାଉଛି।ଯେମିତି ତାଜା ଫୁଲ ଦେଖିଲେ ମନ ପ୍ରଫୁଲ୍ଲ ରହେ,କିମ୍ବା ମନ ଶାନ୍ତି ପାଇଁ ସ୍ପା ରେ ଅରୋମା ଥେରାପି ବ୍ୟବହାର କରାଯାଏ,ଠିକ୍ ସେଭଳି ଏହା ସୁଇଟର ଇଫେକ୍ଟ ବୋଲି ଭାବେ।ମୁଁ ତ କହୁଛି ,ତୁ ଆହୁରି କିଛି ସୁଇଟର କିଣିନେ ଭାଉଜଙ୍କ ପାଇଁ।
ହରେକୃଷ୍ଣ ଭାବିଲା,ଯଦି କିଛି ଟଙ୍କା ଖର୍ଚ୍ଚ କଲେ ଘରେ ଆନନ୍ଦର ପରିବେଶ ରହୁଛି,ତେବେ କ୍ଷତି କଣ ?
ଦୋକାନର ସେଇ ସେଲ୍ସଗାର୍ଲ ବି ହରେକୃଷ୍ନକୁ ବାରମ୍ବାର ଦୋକାନ ଆସୁଥିବାର ଦେଖି ଭାବୁଥିଲା ଲୋକଟାର ହୁଏତ ଅନ୍ୟ ମତଲବ ଅଛି;ତେବେ ଗୋଟେ ବକରା କଷ୍ଟମର ପାଇଥିବାରୁ, ହସି ହସି ଦାମୀ ସୁଇଟର ବାଛି ଦେଉଥିଲା ହରେକୃଷ୍ଣ ପାଇଁ।ଘରେ,ଦୋକାନରେ ଏମିତି ବ୍ୟବହାର ପାଇ ହରେକୃଷ୍ଣକୁ ଚତୁର୍ଦିଗ ପ୍ରେମମୟ ଲାଗୁଥିଲା।
ସତକୁ ସତ ହରେକୃଷ୍ଣ ଆଣୁଥିବା ଦାମୀ ସୁଇଟର ସବୁ ଦେଖି ଭୁତୁଣୀ ଖୁସି ହୋଇ ,ବାସନ୍ତୀ ଦେହରେ ରହୁଥିଲା ଓ ସ୍ତ୍ରୀ ବ୍ୟବହାର ପାଇଁ ହରେକୃଷ୍ଣ ଆହୁରି ଖୁସି।ସେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲା," ପ୍ରଭୁ ଏବର୍ଷ ଶୀତଦିନ ଟା ଆଉ ଛ ମାସ ବଢ଼ାଇଦିଅ ।
ପୂର୍ବୋକ୍ତ ଦୋକାନରୁ ଆହୁରି ସୁଇଟର କିଣିଲା ହରେକୃଷ୍ଣ।
-ତମେ ଏତେ ସୁଇଟର କାହିଁକି ଆଣୁଛ? ତମକୁ କିଏ ମାଗଣାରେ ଦେଉଛି ନା ସୁଇଟର ଦୋକାନ କରିବ ?"ସେଦିନ ସ୍ବାମୀ ହାତରେ ପୁଣି ଏକ ନୂଆ ସୁଇଟର ଦେଖି ପଚାରିଲା ବାସନ୍ତୀ।
- ମୋତେ ଲାଗୁଛି ସୁଇଟର ପିନ୍ଧିବା ପରେ,ତମ ଭିତରେ କୌଣସି ଏକ ଭଲ ଆତ୍ମା ପ୍ରବେଶ କରୁଛି ଓ ତମ ବ୍ୟବହାରରେ ଅସମ୍ଭବ ପରିବର୍ତ୍ତନ ଆସୁଛି।ଧନ୍ୟବାଦ ସେଇ ମହାନ ଆତ୍ମାକୁ ଯିଏ ଆମ ଘରେ ସୁଖ ଶାନ୍ତି ଫେରାଇ ଆଣିଛନ୍ତି।"
-ଆଛା !ଏସବୁ ଆତ୍ମାର ଖେଳ !
ସ୍ୱାମୀକୁ ଧରି ବାସନ୍ତୀ ପହଞ୍ଚି ଗଲା ସେଇ ସୁଇଟର ଦୋକାନରେ ଓ ସେଠାରେ ଘଟି ଥିବା ଦୃଶ୍ୟ ଦେଖି ,ସତସତିକା ଭୁତୁଣୀ,ଚଟକିନା ମଶାଣୀ ପାଖ ତେନ୍ତୁଳି ଗଛକୁ ଉଡିଯାଉ ଯାଉ କହିଲା,"ମଣିଷ ଗୁଡାକ ବି ଭୁତ ଭୁତୁଣୀଙ୍କ ଠାରୁ ଏତେ ଭୟଙ୍କର !!!ଭତୁଣୀ ମନେ ପକାଉଥିଲା କିଛି ସମୟ ପୂର୍ବର ଦୋକାନର ଦୃଶ୍ୟକୁ।
ସୁଇଟର ଦୋକାନରେ ପହଞ୍ଚି, ବାସନ୍ତୀ ସେଠାରେ ଥିବା ଏକମାତ୍ର ସୁନ୍ଦରୀ ସେଲ୍ସ ଗାର୍ଲକୁ ଦେଖାଇ ଚିତ୍କାର କରି ସ୍ୱାମୀକୁ କହି ଉଠିଲା,"ଆତ୍ମା ମୋ ଦେହରେ ନୁହଁ,ତମ ଦେହରେ ପ୍ରବେଶ କରୁଛି।ଏଇ ସୁନ୍ଦରୀ ଟୋକି, ଭୁତୁଣୀ ସାଜି ,ମୋ ସଉତୁଣୀ ହେବା ପାଇଁ ତମ ମୁଣ୍ଡରେ ବସି ସୁଇଟର କିଣାଉଛି।ଆଜି ସବୁତକ ସୁଇଟର ଚୁଲିରେ ପକେଇ ନିଆଁ ଲଗାଉଛି ଓ ତମ ଦେହରୁ ଭତୁଣୀ ତଡି ଘରକୁ ଘରକୁ କିଲେଇବି ।"
ଦୋକାନରେ ହରେକୃଷ୍ଣ ଓ ସେଇ ଝିଅକୁ,ବାସନ୍ତୀ ନିଜ ହାତ,ଦାନ୍ତ ଓ ନଖରେ ଆକ୍ରମଣ କରୁଥିଲା ।
(ଅରବିନ୍ଦ ଦାସ)
{ଭୁତ ପ୍ରେତ ସବୁ ମିଛ.....ନୁହେଁ କି ?}