Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Abstract Inspirational

2  

Amiya Bej

Abstract Inspirational

ଅଫୁଟା

ଅଫୁଟା

3 mins
1.5K


{୧}

ଗରିବ ପିଲାଏ କାଁଭାଁ ଜିଦ୍ କଲେବି ଆଦୌ ଅବୁଝା ନଥାନ୍ତି । ସତ୍ୟକୁ ମାନିନିଅନ୍ତି । ଭାଇର କଥାକୁ ମାନିନେଉଥିଲା ଟୁନା । ବାପା ନଥିବାରୁ ବଡଭାଇ ହିଁ ବାପା । ମଦ ପି' ପି' ରୋଗରେ ବାପା ମରିଗଲା । କା'କୁ ବି ଦୁଃଖ ହେଲାନି । ଭଲହେଲା , ଭାରି ଦହଗଞ୍ଜ କରୁଥିଲା । ଏମାନେ ମୂଲ ଆଣିବେ , ସେ ମାରିପିଟି ଛଡେଇ ମଦପି ବ ! ଓଲଟା । ବାପନୁହେଁ ତ ବୋଝ ଗୋଟେ । ଦୁନିଆର ସବୁ ବାପ ଗୋଟେଗୋଟେ ମୂଲିଆ । ଯେ ମୂଲ ନଆଣେ ସେ ମୂଲ୍ୟହୀନ ! ମା' କୁହେ , ଠାକୁର ନିରାଶକୁ ଟିକେ ବାଟ ଦେଇଥାନ୍ତି । ସେଇ ବାଟ ହେଲା ମୋ ବଡପୁଅ ' ରଙ୍ଗା '।ରଙ୍ଗା , ମଣିଷ ନୁହେଁ ତ ବଳଦଟେ ! ପିଠି ଚଉଡା ହେବା ଆଗରୁ , ବୋହିନେଲାଣି ସଂସାର ବୋଝ । ତା'ଯୋଗୁଁ ବଞ୍ଚିରହିଛନ୍ତି ବାକି ତିନିପ୍ରାଣୀ । ରଙ୍ଗାର ଭାରି ଇଚ୍ଛା , ଟୁନା ମୂଲ ନଲାଗି, ପାଠ ଟିକେ ପଢୁ । ଭାଗ୍ୟ ଥିଲେ ବାବୁ ହେବ !

{୨}

ଏଇ ପୂଜାପର୍ବ ଆସିଲେ , ଗରିବଗୁରୁବାଙ୍କ ଦୁଃଖ ସବୁ ଛାତିରେ ଚଢେ । ସବୁ ଠିକଠାକ୍ ଚାଲିଥିବାବେଳେ , କାଇଁ ଏ ବଡବଡିଆ ଗୁଡା ଏମିତି ଉତ୍ସବମୁଖର ହେଇପଡନ୍ତି କେଯାଣି ? ସେମାନଙ୍କ ଏଇ ଦେଖାଣିଆ ମନ ପାଇଁ , ଗରିବ ମାନେ ବାଧ୍ୟ ହୁଅନ୍ତି କଷ୍ଟ ଭୋଗିବାକୁ । ତାଙ୍କ ପିଲେ ସଜବାଜ , ଜାମାଯୋଡ ହେଉଥିବେ । ତାଙ୍କ ଘର ପିଠାପଣା , କୁଣିଆଁମୈତ୍ରରେ ଭାସୁଥିବ । ଏଇ ଦୁଃଖରେ , ଗରିବ ଛୁଆ ଘରକୋଣରୁ ବାହାରି ପାରୁନଥିବ ! ଯାହା କ'ଣ ମିଳେ ଅବା ୟେ ସବୁଦିନିଆ ପୂଜା ପାଉଥିବା ଠାକୁର ଗୁଡାଙ୍କୁ, ଦିନେ ଅଧେ ପାଇଁ ଦାଣ୍ଡକୁ ଆସି ନିଜ ବଡପଣ ଜାହିର୍ କରିବାରେ ?????

{୩}

- ମୁହଁ କାଇଁ ଶୁଖେଇଚୁ କିରେ ଟୁନୁ ?

- ଭାଇ,ବାଣ ?

- ଆମର ପା କାଲି ଦୀପାବଳୀ । ଭୂଲିଗଲୁ କି' ?

- ନା ।

- ଆଉତେବେ ? ବେସ୍ତ କିଆଁ ? ଯାଆ ପନି ମାଉସୀ ପିଠା ପଠେଇଛି, ଖାଇଦେ । ମା,ଦେଲୁ ତାକୁ ମୋ ଭାଗଟା ବି ।

{୪}

ସହର କଣ ବସ୍ତି କଣ ? ଆଜିକାଲି ସବୁ ସମାନ । ଆଲୋକର ପର୍ବ , ଶୁଭ ଦୀପାବଳୀ । ଅମା ଅନ୍ଧାରକୁ , ଦୀପସଳିତାରେ ଧୋଇ ଦେବାରେ ସବୁ ବ୍ୟସ୍ତ । ଅହଂକାରର ହାବେଳି ଛାଡ଼ି ନିଜ ଅସ୍ଥିତ୍ୱ ପଦର୍ଶିତ କରିବାରେ ପ୍ରତିଯୋଗିତା ! ଦେଖି ନ ଦେଖିବାର ଚେଇଁ ଶୋଇଥିବାର ଇଶ୍ଵରଙ୍କ ତନ୍ଦ୍ରାଭଙ୍ଗ କରାଇ ନିଜଆଡକୁ ଆକର୍ଷିବାର ମାନସିକତା । ଫଳତଃ ଭସ୍ମାସୁର ହୋଇପଡେ କେଇ କ୍ଷଣରେ ପୃଥିବୀ । ଧୂଆଁ ବାରୁଦର ତାପରେ ଅସ୍ତବ୍ୟସ୍ତ ଜୀବନ ! ଭୃକ୍ଷେପ ନାଇଁ । ହଁ ମଁ , ଦିନଟିଏ ତ ସହିନେବ ନି କି ଧରା ?

{୫}

ଥକିହାରି ଶୋଇପଡିଥିଲା କାକରସ୍ନାତା ସହର । ଶିତଳ ଏବେ ମାଟି ପବନ । ଚତୁର୍ଦ୍ଦିଗ ବିକ୍ଷିପ୍ତ କୁଢକୁଢ ଅହଂକାରର ବାରୁଦ ,କାଗଜର ଟୁକୁଡା ସବୁ ! ରଙ୍ଗା ମା ମେହନ୍ତରାଣୀ । ଏସବୁକୁ ଗୋଟେଇପୋଛି ସଫାକରିବାର ଦାୟିତ୍ଵ ତା'ର । ଆଜି କାମ ଭିଡ । ଭୋଅରୁ ଟୋକେଇ ଝାଡୁ ନେଇ ବାହାରିଗଲା ଦାଣ୍ଡକୁ । ମା'କୁ ସାହାଯ୍ୟ ହେବାପାଇଁ , ପଛେପଛେ ଗଲା ରଙ୍ଗା । ଘରେ ଶୋଇଛନ୍ତି ଟୁନା ଆଉ ସାନ । ଶୋଇଥାନ୍ତୁ ।

- ମା ! ର ର...

- କଅଣ ?

- ବାଣଟେ ! ଫୁଟିନି ! ରହ ଓଳାନା । ନେବି ଟୁନୁ ଲାଗି ।

- ପଲିଥିନିଟେ ଧଅ । ମେଞ୍ଚେ ମିଳିଯିବ ।

{୬}

ଢେର୍ ବାରୁଦ ଅକାରଣେ ଜଳିବାକୁ ନୁହଁ ଜାଳିବାକୁ ଟାକି ରହିଥାନ୍ତି ଦେହରେ ଟିକେ ପାଉଁଶ ଝୁଲ ସାଇତି ! ସରକାରୀ ଡାକ୍ତରଖାନାର ଜଳାପୋଡା ବିଭାଗରେ ଅନେକ ରଙ୍ଗା ଛଟପଟ ହେଉଥିଲେ । କେଏ ନିଜ ଅହଂକାର ପାଇଁ , କେଏ ଆଉକାହାର ଅହଂକାରକୁ ଗୋଟେଇଗାଟି ! ରଙ୍ଗାର ମୁହଁହାତ ପୋଡିଯାଇଥିଲା । କଷ୍ଟ ତ ସେ ଫି'ଦିନ ଭୋଗେ। ଏବେ ପୀଡା ଏଥିଲାଗି ଯେ,ପଙ୍ଗୁ ବଡଭାଇ ଟେକୁ ବାପ ଦାୟିତ୍ଵ ତୁଲାଇବାରେ ଏଣିକି ଢେର୍ ଅଡୁଆ ହେବ । ଅଫୁଟା ହୋଇ ରହିଥିଲା ଘର ଚଳୁଥିଲା । ଫୁଟିଗଲା ପରେ ରଙ୍ଗା ଆଉରି କାଙ୍ଗାଳ ହୋଇଗଲା ସତେ !!

✿ ଅମିୟ ବେଜ୍ ,

ଘଟଗାଁ , କେନ୍ଦୁଝର ✿


Rate this content
Log in

Similar oriya story from Abstract