Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଭରସା
ଭରସା
★★★★★

© pratap nayak

Tragedy

4 Minutes   210    7


Content Ranking

ପ୍ରତାପ ନାୟକ

୭୦୦୮୦୫୪୨୮୨

ମନମାରି ବସିଥିଲା ମଦନା। ସକାଳୁ ଆସି ରାତିହେଲା,ଦିନସାରା ଖାଲି କେମିତି କେମିତି ଲାଗୁଛି ତାକୁ।ବାଡି ପଛ ସାମୁକା ବନ୍ଧା ହେବା ଯାଗାକୁ ଯିବାକୁ ଇଚ୍ଛା ହେଉନି ଯମା।ରହି ରହି ତା କାନକୁ ଖାଲି ମେଁ ମେଁ ଡାକ ଶୁଭି ଯାଉଛି ।ତା ସ୍ତ୍ରୀ ଛଇଳ ଆଜି ଓସ୍ତପତ୍ର ଆଣିବାକୁ ବି ଯାଇନି।ସିଏ ବି ମଦନାକୁ ଅବିଶ୍ୱାସ ଆଖିରେ ଦେଖୁଛି,ଭଲକି କଥା ହଉନି ସେ ତା ସହିତ ।

ରମଜାନ୍ ମିଆଁ ସାମୁକାକୁ ତା ବନ୍ଧା ଖୁଣ୍ଟରୁ ଫିଟେଇ ସକାଳେ ଟାଣି ଟାଣି ନବା ବେଳର ଦୃଶ୍ୟ ତା ଆଖି ଆଗରେ ନାଚି ଯାଉଛି।ହାତରେ ଘାସକେରା ଧରି ରମଜାନ୍ ମିଆଁ ତାକୁ ନେଲା ବେଳେ ଖୁସିରେ,ନାଚିନାଚି ଘାସକୁ ପାଟିରେ ଟୋକିଟୋକି କିଛିବାଟ ସାମୁକା ତା ଘରଠୁ ଆଢୁଆଳକୁ ଚାଲିଗଲା ପରେ......

ସାମୁକା ପଶୁଟିଏ,ହେଲେ କଣ ହେଲା .....ଯାଣି ପାରିଛି ମିଆଁ ବାପୁଡା ତା ମୂନୀବ ନୁହେଁ । ଘୋଷାରି ହେଇ ତା ହାତରୁ ପଘା ଘସେଇ ଆସି ମଦନା କୋଳରେ ମୁହଁ ଗେଞ୍ଜୁଛି ଚାଟଶାଳୀ କି ନଯିବା ପିଲା ଭଳି । କାନ୍ଧରେ କାନ୍ଧ ଘଷୁଛି । ରମଜାନ୍ ମିଆଁ ସହିତ ନଯିବା ପାଇଁ ଅଳି କରୁଛି । ସିଏ ଘୋଷାରା ହୋଇ ଗଲାବେଳେ ଛଇଳ ନୁଆଁଣିଆ ଛପର ପିଣ୍ଢାରୁ ଗଳିକି ଦେଖିବାକୁ ସାହାସ କରୁନି ,ତାକୁ ବି ଅନୁଭବ କରିଛି ମଦନା ।

କେତେ କଷ୍ଟରେ ସେ ନିଜେ ଗଲା ସାମୁକାକୁ ବଳେଇ ଦବାକୁ ଗାଁ ମୁଣ୍ଡ ଯାଏ । କଣ ବୁଝିଲା ପଶୁଟା ଡେଇଁ ଡେଇଁ ଆଗେଆଗେ ଚାଲିଛି ମଝିରେ ମଦନା ପଛରେ ରମଜାନ୍ । ତୋଟା ସେପାରି ଆଢୁଆଳରେ ରହିଗଲା ମଦନା ... ଯାଇଛି ଯେ ଯାଇଛି ସାମୁକା ଆଉ ପଛକୁ ଫେରି ଚାହିଁନି ।

କି ଭରଷା ତା ମାଲିକ ଉପରେ ? ମଦନା ଉପରେ ? ପଛେ ପଛେ ଆସୁଥିବ ତ ! ଫେରିଛି ମଦନା ଅଣ୍ଟାରେ ମାରିଛି ଟଂକା ବଦଳ କରିଛି ସାମୁକାକୁ ।

ଆଉ ରାଗିବନି ସେ ସାମୁକା ଉପରେ ଦି ଡାକରେ ପାଖକୁ ନଆସିଲେ ଦି ଛାଟ ତାକୁ ସେ ଦେଇପାରିବନି । ସକାଳେ ମୁଡି ସାଂଗ ହେଇ ଖାଇବା ତା ଭାଗ୍ୟରେ ଜୁଟିବନି । ମେଁ ମେଁରେ ଭୋଓରୁ ଆଉ ଘର ଫାଟିବନି ।

ଛଇଳ ଆସି ପାଖରେ ବସିଲା ମଦନାର ,ଦୁହେଁ ଦୁହିଁଙ୍କର ଭାବନାକୁ ବୁଝିଛନ୍ତି ମର୍ମେ ମର୍ମେ ।

ସକାଳୁ ସଂଧ୍ୟା ହେଲାଣି ଏଇଠି ବସିଛ?

ଘୋଷଣିରୁ ମୁଠାଏ ଟଂକା ବଢେଇ ଦେଲା ମଦନା ......

ନେ ତୋ ସାମୁକା ବିକା ଟଂକା ନେ । ନେ ତୋ ସାମୁକାକୁ ନେ ।

ଦୁହିଁଙ୍କ ଆଖିରେ ଲୁହ ଜମାଟ ବନ୍ଧା ଛାତି ଚିରି ଗାଲକୁ ଆସିଗଲାଣି । କିଏ କାହାର ଲୁହ ପୋଛୁଥିଲା କେଯାଣି ?

କେତେ ଖୋଜୁଥିବ ସାମୁକା, ଭେଁ ଭେଁ ରଡି ଛାଡୁଥିବନା,କଂସେଇ କଣ ଖାଇବାକୁ ଦେଇଥିବ ତାକୁ ?

କଥା ହେଲା ସାତ ସିଆଁ ଲୁଗାରେ ଏ ବରଷଟା କଟିଯିବ ପଛେ ସାମୁକା ବିକା ଟଂକାରେ ଶାଢୀ କିଣା ହବନି । ମନ କରିଥିଲା ଅଭାବି ସଂସାରେ ଏତେ ଦିନକରେ ପାଉଁଜି ହଳେ କିଣିବ । ନହଉ ପାଉଁଜି ନବାଜୁ ତା ଘୁଂଗୁଂର ଘର ଅଗଣାରେ ,ପାଉଂଜି ବିନା କଣ ବଂଚିହବନି ? କାଲି ଭୋଓରୁ ଯାଇ ମିଆଁଠୁ ସାମୁକାକୁ ନେଇଆସିବ ମଦନା ,ଟଂକା ବିଡା ତା'କୁ ଫେରେଇ ଦବ ।

ରାତିରେ ନିଦନାହିଁ ମଦନାକୁ ।ଭୋଓରୁ ଯାଇ ପହଁଚିଗଲା ରମଜାନ୍ ମିଆଁ ଘରେ।ହେଲେ ସେତେବେଳକୁ ବେପାରକୁ ବାହାରିଗଲାଣି ରମଜାନ୍ । ମଦନା ଦୈାଡିଲା ପାଖ ହାଟକୁ । ଦୂରରୁ ଦେଖାଯାଉଥିଲା ରମଜାନ୍ ମିଆଁର ଖାସିକଟା ଦୋକାନ ,କଂସେଇଖାନା ।ତା ସାମୁକା ପରିକା ଚାରିଛଅଟା ବଂଧା ହେଇଥିଲେ ଦୋକାନ ପଛରେ । ଯା ହେଉ ତା ସାମୁକାର କିଛିହେଇନି,ଠାକୁରଙ୍କୁ ପ୍ରଣାମ କଲା।ପାଖରେ ଯାଇ ଦେଖିଲା , ସେମାନଙ୍କ ଭିତରେ ସାମୁକା କାହିଁ ନାହିଁ । ଆଗପଟେ ବାନ୍ଧିଛିକି ସାମୁକାକୁ । ବୁଲିଗଲା ଦୋକାନ ଆଗପଟକୁ। ରମଜାନ ମିଆଁର ନଜର ପଡିଲା ମଦନା ଉପରେ।

ଆରେ ଆ ଆ ମଦନା।ପାଖ ଚା ଦୋକାନିକୁ ବରାଦ ଦେଲା ,କଡା ଚା ଦି ଗ୍ଲାସ ଦେ ,ମୋ ବନ୍ଧୁ ଆସିଛି ।

ଆରେ ମଦନା ତୋ ଛେଳିଟା ମତେ କାଲି ରାତିସାରା ଶୋଇଦେଇନିରେ । ମେଁ ମେଁ ହଉଛି ଯେ ହଉଛି।ତା ଆଗରେ ଯେତିକି ପତ୍ର ପକେଇଥିଲି ଖାଇବାକୁ ସବୁ ସେପରି ଅଛି ଗୋଟାଏ ପତ୍ରରେ ବି ମୁଁ ହଁ ମାରିନିରେ । ସେଥିପାଇଁ ପରା ବଡି ଭୋଓରୁ ମୁଁ ହାଟକୁ ପଳେଇଆସିଲି । ହେଇ ଆସିଥିଲେ ଗୋଟେ ପିକନିକ୍ ପାର୍ଟି । ତୋ ଛେଳିଟାକୁ ପସନ୍ଦ କଲେ ,ସକାଳୁ ସକାଳୁ ଭଲ ଦି ପଇସା ରୋଜଗାର ହେଲା ତୋରି ଛେଳିପାଇଁ।ଏଇ ତା ମୁଣ୍ଡଟା ଅଛି, ଦେଖୁନୁ ,କୁଟେଇ ଦଉଛି ତୁ ନେଇଯା ମାଗଣାରେ ,ପଇସା ତୋ ଠୁ ଦରକାର ନାହିଁ।

ମଦନା ଦେଖିଲା ସାମୁକାର ମୁଣ୍ଡ । ଢଳଢଳ ଆଖି ନୀଳ ପଡିଯାଇଛି ,ଜିଭ ବାହାରିପଡିଛି ଆଗକୁ । ସତେକି ମଦନାକୁ ସେ ଖତେଇ ହଉଛି ,ନୀଳ ଆଖି ଅଭିମାନ କରୁଛି ତା ଭରସାକୁ । ପଛେ ପଛେ ଆସୁଥିବା ତାର ବିଶ୍ୱାସ,ପଶୁଟିର ବିଶ୍ୱାସ ସତେ ଯେପରି ତାକୁ ବିଦ୍ରୁପ କରୁଛି,ବିଦ୍ରୁପ କରୁଛି ତା ମଣିଷ ପଣିଆଁକୁ ।

କୁଟେଇ କାଟେଇ ମୁଣ୍ଡଟାକୁ ଜରିରେ ପୁରେଇ ସାରିଲାଣି ମିଆଁ,ଚା କପ୍ ଧରି ପାଖ ଦୋକାନୀ ମଦନାକୁ ଡାକିଲା । ଯେମିତି ଅନ୍ୟଏକ ଦୁନିଆଁରୁ ଫେରିଲା ମଦନା । ପଛରୁ ରମଜାନ୍ ଡାକ ଫିକା ଫିକା ଶୁଭୁଥିଲା।

ଘରେ ଆସି ଡାକ ପକେଇଲା ମଦନା.......

ଛଇଳ ଲୋ,ଛଇଳ ନେ ତୋ ସାମୁକାକୁ ନେ ,ନେ ତୋ ଭରସାକୁ ନେ ,ନେ ତୋ ବଶ୍ୱାସକୁ ନେ ଲୋ,ଛଇଳ।

ଦୌଡିଆସି ଦରାଣ୍ଡିଗଲା ଛଇଳର ଆଖି,କାହିଁ କୋଉଠି ମୋ ସାମୁକା ?

ଆଲୋ ଦେଖି ପାରୁନୁ ଏଇ ମୋ ବେଗ୍ ଭିତରେ ପା ଅଛି।ଓଜାଡି ଦେଲା ବେଗ୍ ।ଗୋବର ଲିପା ଦୁଆରେ,ଖସି ପଡିଲା ଏକ ନୂଆଶାଢୀ ବେଗ୍ ଭିତରୁ।ତା ଉପରେ ଝଣ କରି ପଡିଲା ପାଉଁଜି ହଳେ ।ଫରଫର ହେଇ ଉଡିବୁଲୁଥିଲା ଶହେ ଚଂକିଆ କେଇଟା।

ତୋ ସାମୁକାକୁ ତୁ ଚିହ୍ନି ପାରୁନୁ।

ଦେଖୁନୁ ସେ କେମିତି ଶାଢୀ ପାଉଁଜି ଆଉ କେଇଟା ଟଂକା ହେଇ ଫେରି ଆସିଛି ଆମ ପାଖକୁ।ଆମେ,ପା ତାକୁ ପୁଅ ପରି ପାଳିଥିଲେ , ସେ ଆମକୁ ପରା କେତେ ବିଶ୍ୱାସ କରୁଥିଲା,କେତେ ଭରସା ରଖିଥିଲା ଆମ ଉପରେ,ତା ଋଣ କଣ ସୁଝିବନି? ସେ ପରା ପଶୁଟିଏ, ଆମେ ମଣିଷ ବୋଲାଉଛେ,ପଶୁଟା ମଣିଷକୁ କଣ ଠକି ଚାଲିଯିବ? ଆମ ଅହଂ ବଦ୍ରୋହ ଘୋଷଣା କରିବନି?

ଯା ପିନ୍ଧ ନୂଆ ଲୁଗା ଛମଛମ ପାଉଁଜି ସୂର ଘୁରିବୁଲୁ ଆମ ଅଗଣାରେ ।ସେହିଥିରେ,ଆମେ ଆମ ସାମୁକାର ଅସ୍ତିତ୍ୱ ଖୋଜିବା।

ଜଡ ପାଲଟି ସାରିଥିଲା ଛଇଳ ,ଦି ଦିନ ତଳେ ଟାପରା କରିଥିଲା ସେ ମଦନାକୁ ,ତା ଗରିବୀକୁ ଧିକ୍କାରୀ ଥିଲା ସେ ।ପୁରୁଷ ପଣିଆଁକୁ ବି ଅସମ୍ମାନ କରିଥିଲା ବୋଲି ସାମୁକା କଣ ଏଇ ବାଟେ ମଦନାର ଋଣ ସୁଝିଲାକି ?ମୁଁ ମଣିଷ ହେଇ ଭରସିଲିନି ,ପଶୁଟା ଭରସା ଦେଲା । ପୁଣି ଏତେବଡ ........

କାନ୍ଦୁଥିଲା ଘର ଅଗଣା ,କାନ୍ଦୁଥିଲା ବାଡିପଟ ସାମୁକା ବନ୍ଧା ଖୁଣ୍ଟ।ପାଗଳା ହେଇ ଯାଇଥିଲା ମଦନା।

କହି କହି ଦାଣ୍ଡକୁ ବାହିରିଗଲା ମଦନା.....

ଛଇଳ .....ଲୋ ଛଇଳ ନେ ତୋ ସାମୁକାକୁ ନେ ,ନେ ତୋ ଭରସାକୁ ନେ ,ନେ ତୋ ବଶ୍ୱାସକୁ ନେ ଲୋ,ଛଇଳ.......।

ମଦନା ରମଜାନ୍ ମିଆଁ ସାମୁକା

Rate the content


Originality
Flow
Language
Cover design

Comments

Post

Some text some message..