ଆଦର୍ଶର ଗୁରୁମା'
ଆଦର୍ଶର ଗୁରୁମା'
ମୋ ପିଲା ଦିନର ସୁଖ ଦୁଃଖର ସାଥି ପ୍ରମିଳା ଗୁରୁମା।
ସେ ଜଣେ ଅଙ୍ଗନୱାଡି କର୍ମୀ ଥିଲେ , ଆଉ ଆଜିବି ଅଛନ୍ତି । ପିଲାମାନଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଭଲପାଇବାରେ କେବେହେଲେ ଉଣା କରନ୍ତିନି ।ସେ ସବୁ ପିଲାଙ୍କୁ ନିଜର ବୋଲି ଭାବି ସ୍ନେହ ଶ୍ରଦ୍ଧା ଭଲପାଇବା ଦେଇଥାଆନ୍ତି । ଆଜି ମୁଁ ନିଜକୁ ଭାଗ୍ୟବାନ ମନେକରୁଛି ଯେ ମୁଁ ତାଙ୍କ ଛାତ୍ର ବୋଲି ।
ଯେତେବେଳେ ମୁଁ ଅଙ୍ଗନୱାଡି ଯିବା ଆରମ୍ଭ କଲି ସେତେବେଳ ମୁଁ ଖୁବ୍ ଛୋଟ ଥିଲି । କଥା କହିବା ବେଳେ ମୋ ପାଟି ଲାଗୁଥିଲା । ଅଙ୍ଗନୱାଡି ଯାଉଥିଲି ପାଠ ପଢିବା ଲାଗି ନୁହେଁ ,ମୁଁ ଅଙ୍ଗନୱାଡି ଯାଉଥିଲି କୁନି କୁନି ପିଲାଙ୍କ ପାଇଁ ପ୍ରମିଳା ଗୁରୁମା ଗାଉଥିବା ଗୀତ ଶୁଣିବାକୁ । ଏମିତି ସବୁ ଦିନ ଗୀତ ଶୁଣିବାକୁ ଯାଉ ଯାଉ ମୁଁ ଅଭ୍ୟାସରେ ପଡ଼ିଗଲି । କାରଣ ପ୍ରମିଳା ଗୁରୁମା ମତେ ବହୁତ ଭଲ ପାଉଥିଲେ । ତାଙ୍କ ଭଲପାଇବା ହିଁ ମତେ ଅଙ୍ଗନୱାଡି ଟାଣି ନେଉଥିଲା ।
ଯୋଉଦିନ ମୁଁ ଟିକେ ରାଗି ଯାଇଥାଏ ,ଆଉ ସେଇ ରାଗରେ ଅଙ୍ଗନୱାଡି ଯାଇନଥାଏ ଗୁରୁମା ଆମ ଘରକୁ ଆସି ମତେ ବୁଝେଇ ସୁଝେଇ ଅଙ୍ଗନ ୱାଡି ନିଅନ୍ତି । ଆଉ ତାଙ୍କ କୋଳରେ ବସେଇ ଗେଲ କରନ୍ତି, ପାଠ ପଢ଼ନ୍ତି , ମତେ ବୁଝେଇବାପାଇଁ ନାନା ପ୍ରକାରର ଗୀତ ଗାଆନ୍ତି । ଗୁରୁମା ଗାଉଥିବା ଗୀତକୁ ମୁଁ ଶୁଣି ଶୁଣି ମନେ ରଖିଦିଏ । ଆଉ ସେ ଗୀତକୁ ମୁଁ ତା ଆରଦିନ ସମସ୍ତଙ୍କ ଆଗରେ ଗାଏ । ଗୁରୁମା କୁହନ୍ତି ମୁଁ କୁଆଡେ ଭଲ ଗାଉଛି । କିନ୍ତୁ ସେତେବେଳେ ଭଲ କଣ ଆଉ ମନ୍ଦ କଣ ମୁଁ ଜାଣିନଥିଲି ।
ଦିନେ ନିମାପଡା ବ୍ଲକରୁ ଚିଠି ଆସିଥିଲା ଆମ ଅଙ୍ଗନୱାଡିକୁ ପ୍ରତିଯୋଗିତା ନିମନ୍ତେ । ଯୋଉ ମାନେ ଗୀତ ଓ ନାଚରେ ଭାଗ ନେବାକୁ ଚାହିଁବେ ସେ ନେଇ ପାରିବେ ବୋଲି ଗୁରୁମା କହିଲେ । ଆଉ କହିଲେ ନିମାପଡା ବ୍ଲକ ରେ ପ୍ରତିଯୋଗିତା ହବ । ଗୁରୁମା କହିଦେଲେ ଆଉ ମୁଁ ଏକାନରେ ପୁରେଇ ସେ କାନରେ ବାହାର କରିଦେଲି କାରଣ ମୁଁ କିଛି ବୁଝି ପାରୁନଥାଏ । ଏ ନିମାପଡା ବ୍ଲକ କଣ ? ଏ ପ୍ରତିଯୋଗିତା କଣ ? ମୁଁ କିଛି ବି ଜାଣିନଥାଏ । ଅଙ୍ଗନୱାଡିରୁ ଆସି ଖେଳ ବୁଲ କରିବାକୁ ଚାଲିଗଲି ।ଆଉ ଯେତେବେଳେ ଘରକୁ ଫେରିଲି ବୋଉ କହିଲା ଗୁରୁମା କହିକି ଯାଇଛନ୍ତି ତୁ ନିମାପଡା ଯିବୁ ଗୀତ ଗାଇବା ପାଇଁ । ବୋଉର ଏଇ କଥା ଶୁଣି ମୁଁ ବହୁତ ଖୁସି ହେଲି । ଖୁସି ହେଇଥିଲି ଗୀତ ଗାଇବାକୁ ଯିବି ବୋଲି ନୁହେଁ , ଖୁସିହେଇଥିଲି ନୂଆ ଜାମା ପିନ୍ଧି ବଜାର ଯିବି ବୋଲି । କାରଣ ନୂଆ ଜାମା ପିନ୍ଧି ଛକ ବଜାର ବୁଲିବାକୁ ମତେ ବହୁତ ଭଲ ଲାଗେ ।
ସବୁ ଦିନ ପରି ତା ପରଦିନ ବି ଅଙ୍ଗନୱାଡି ଯାଇଥିଲି । ମୁଁ ନିମାପଡା ଗୀତ ଗାଇବାକୁ ଯିବି ବୋଲି ସେଦିନ ଗୁରୁମା ମୋ ପାଇଁ ଗୋଟେ ଭଲ ଗୀତ ଲେଖି ଆଣିଥିଲେ । ଆଉ ସେଇ ଗୀତକୁ ମତେ ଶିଖେଇଲେ
ଆଉ ମୁଁ ମଧ୍ୟ ଶିଖିଗଲି । ସେଇ ଗୀତ ଟିକୁ ମୁଁ ଆପଣମାନଙ୍କ ଆଗରେ ପ୍ରକାଶ କରୁଛି ।
ସେ ଗୀତ ଥିଲା "ବାପା ଓ ମା "
ବାପା ମା ଆମର
ସବୁଠାରୁ ସୁନ୍ଦର
କେତେ ଅଛି ମନ୍ଦିର
ବ୍ରହ୍ମା ବିଷ୍ଣୁ ମହେଶ୍ଵର ,
ଜନ୍ମିଛି ଯା କୋଳରେ
ମାନିବି ତା ବୋଲରେ
ହସି ହସାଇବି ସଦା
ଭାବି ତାଙ୍କ ବୋଲରେ ,
ଟିକି ମନ କଳିକା
ରଙ୍ଗ ଭଳି ଭଳିକା
ମୋହକିବି ତାଙ୍କୁ ସେବୀ
ନିଜେ ଜଳି ଜଳିକା ,
ଏଇ ଛୋଟ ଗୀତଟିକୁ ମୁଁ ନିମାପଡା ବ୍ଲକରେ ଗାଇଥିଲି । ମୁଁ କେବେ ଭାବି ନଥିଲି ଏଇ ଗୀତ ପାଇଁ ନିମାପଡା ବ୍ଲକକୁ ଆସିଥିବା ସହ ସହ ପିଲାଙ୍କ ଭିତରେ ମୁଁ ଫାଷ୍ଟ ହେବି ବୋଲି । ମୁଁ ଫାଷ୍ଟ ହେଇଥାଏ ସତ କିନ୍ତୁ ମୁଁ ଫାଷ୍ଟ କଣ ଜାଣିନଥିଲି ବାପା, ବୋଉ, ଗୁରୁମା ସମସ୍ତଙ୍କ ମୁହଁରେ ମୁଁ ଖାଲି ଖୁସି ଦେଖୁଥାଏ । ଅନେକ ପ୍ରାଇଜ୍ ପାଇଲି , ମୁଁ ପ୍ରାଇଜ୍ ପାଇ ଆସିଲା ପରେ ମୋର କେତେ ଗୁଡିଏ ପ୍ରାଇଜ୍ କିଏ କୁଆଡେ ସବୁ ନେଇଗଲେ । କିନ୍ତୁ ମୋ ବୋଉ ମୋର ଗୋଟିଏ ପ୍ରାଇଜ୍ ଆଜି ପର୍ଯ୍ୟନ୍ତ ସାଇତି ରଖିଛି । ସେ ପ୍ରାଇଜ୍ ହେଉଛି 25 ltr ପାଣି ଧରୁଥିବା ଗୋଟେ ନାଲି ରଙ୍ଗର ପାଣି କୁଣ୍ଡଟିଏ । ଯାହା ମତେ ଆଗକୁ ଆଗକୁ ନୂଆ ନୂଆ ସ୍ୱପ୍ନ ଦେଖିବାକୁ ବାଧ୍ୟ କରୁଛି ।