Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

T.Durga Prasad Rao

Abstract

3.9  

T.Durga Prasad Rao

Abstract

ଛାଇ ଆଲୁଅର ଖେଳ

ଛାଇ ଆଲୁଅର ଖେଳ

5 mins
231



- କୁଆଡ଼େ ଯାଇଥିଲେ? ସୁବ୍ରତବାବୁଙ୍କ ପ୍ରଶ୍ନ ଶୁଣି ହାତ ମୁହଁ ଧୋଉ ଧୋଉ ମୁଁ ପାଲଟା ପ୍ରଶ୍ନ କଲି - କାହିଁକି କଣ ହେଲା କି?

- ଆପଣ ଏତେ ରାତି ଯାଏଁ ବାହାରେ ରହୁଛନ୍ତି... ଆଜି ବି କଣ ସେ କେନାଲ୍ କୂଳେ ବସିଥିଲେ? ଏକା ଏତେ ସମୟ ଯାଏଁ ସେ ଜାଗାରେ ବସିବା...

- ମୋତେ ଟିକେ ନିରୋଳା ଭଲ ଲାଗେ ତ ସେଇଥିପାଇଁ...

ସୁବ୍ରତବାବୁ କିଛି ସମୟ ଚୁପ୍ ରହି କହିଲେ - କହିବାକୁ ଚାହୁଁ ନ ଥିଲି, କିନ୍ତୁ ନ କହି ରହି ପାରୁନାହିଁ। ରାସ୍ତା କମ୍ ପଡ଼ିବ ବୋଲି ଆପଣ ଯେଉଁ ସର୍ଟ୍ କଟ୍ ଦେଇ ଘରକୁ ଫେରୁଛନ୍ତି, ଜାଣନ୍ତି ସେ ଯେଉଁ ଝଙ୍କାଳିଆ ତେନ୍ତୁଳି ଗଛଟା? ମୁଁ ଶୁଣିଛି, ସେଇଠି କିଏ ଜଣେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲା। ଜାଗାଟା ରାତି ବଢ଼ିଲେ ବିପଦଶଙ୍କୁଳ ହୋଇଯାଏ।

ମୁଁ ଏକ ଲୟରେ ସୁବ୍ରତବାବୁଙ୍କୁ ଚାହିଁଥିଲି। ତଉଲୁଥିଲି ତାଙ୍କୁ ଆଉ ତାଙ୍କ କଥାକୁ। ସେ କହିଲେ – ଆପଣ ଡରିବେ ବୋଲି ମୁଁ ଏତେଦିନ କହୁନଥିଲି।

ସୁବ୍ରତବାବୁଙ୍କ ବୟସ ପଚାଶ ଡେଇଁଲାଣି। ଭାରି ଡରକୁଳା। ସଞ୍ଜ ଗଡ଼ିଲେ ଏକା କେଉଁ ଆଡ଼େ ବାହାରକୁ ବାହାରିବା ମୁଁ ତାଙ୍କୁ ଦେଖିନି। ତାଙ୍କର ଗୋଟିଏ କାହାଣୀ ଟିକିଏ ଏଇଠି ଉପସ୍ଥାପନା କରିଦିଏ। ରାତି ପାହିଲେ କୃଷକ ମେଳା। ଅଫିସ୍ ଭିତରେ ବସି ସୁବ୍ରତବାବୁ, ମୁଁ ଆଉ ତିନି ଜଣ ଷ୍ଟାଫ୍ ସକାଳର କାର୍ଯ୍ୟକ୍ରମ ବିଷୟରେ ଚର୍ଚ୍ଚା କରୁଥାଉଁ। ମେଳା ଉପଯୋଗୀ ସାଜ ସରଞ୍ଜାମକୁ ତନଖି ଦେଖୁଥାଉଁ ଆଉ ମେଳାଟି କେମିତି ସଫଳତାର ସହ ସମ୍ପାଦିତ ହେବ, କାର୍ଯ୍ୟକ୍ରମର ସାରଣୀ ଉପରେ ନଜର ପକାଉଥାଉଁ। ହଠାତ୍ ବିଜୁଳି ଚାଲିଗଲା। କିଛି ସମୟ ଅପେକ୍ଷା କଲା ପରେ ବି ବିଜୁଳି ନ ଆସିବାରୁ ମୁଁ ଉଠି ଚାଲିଗଲି ବାଇକ୍ ନେଇ ଘରକୁ। ଉଦ୍ଦେଶ୍ୟ ଥିଲା ଏମେର୍ଜେନ୍ସି ଲାଇଟ୍ ନେଇ ଆସିବି ଘରୁ। ମୋବାଇଲ୍.ର ସ୍ୱଳ୍ପ ଆଲୋକରେ ଅନ୍ୟମାନେ ଗପସପ ହେଲେ। ମାତ୍ର ଦଶମିନିଟ୍ ଭିତରେ ମୋର ଫେରିବାର ଥିଲା। ଲାଇଟ୍ ଧରି ଫେରୁଛି ଦେଖିଲି ଅଫିସ୍ ଗେଟ୍ ପାଖରେ ସୁବ୍ରତବାବୁ ଧଇଁ ସଇଁ ହୋଇ ଦୌଡ଼ିଛନ୍ତି। ମୁଁ ତାଙ୍କୁ ଏମିତି ଦୌଡ଼ୁଥିବା ଦେଖି ବିସ୍ମିତ ହୋଇ ପଚାରିଲି, କଣ ହେଲା, ଏମିତି ବିକଳ ହୋଇ କେଉଁ ଆଡ଼େ ଧାଇଁଛନ୍ତି? ସେ ପୁରା ରାଗି ଉଠି କହିଲେ, କୃଷକ ମେଳା ହେଲେ କେତେ, ନ ହେଲେ କେତେ। ଏମିତି ଅନ୍ଧାରରେ ମୋତେ ଏକା ଛାଡ଼ି କେମିତି ଚାଲିଗଲେ? ମୁଁ ଆହୁରି ଆଶ୍ଚର୍ଯ୍ୟରେ କହିଲି, ଏକା କେମିତି, ଆହୁରି ତିନି ଜଣ ଆପଣଙ୍କ ସାଙ୍ଗରେ ଥିଲେ ନା?

ସେ ସେଇମିତି ରାଗି ଉଠି କହିଲେ, କାହିଁ, କେଉଁମାନେ? ଆପଣ ଯେମିତି ଗଲେ, ଆପଣଙ୍କ ପଛେ ପଛେ ସେମିତି ସେମାନେ ବାରଣ୍ଡାକୁ ଉଠିଗଲେ। ତାଙ୍କ କଥା ଶୁଭୁଥାଏ। କେତେବେଳେ ମୁଁ ବାରଣ୍ଡାକୁ ଆସି ଦେଖେ ତ କେହିନାହିଁ। ଛାତିରେ ମୋର ଛନକା ପଶିଗଲା। ଦେଖନ୍ତୁ ମୋ ଦେହ କେମିତି ଥରୁଛି। ଛାତି କେମିତି ଉଠୁଛି ପଡ଼ୁଛି। ସୁବ୍ରତବାବୁ ଅଣନିଃଶ୍ୱାସୀ ହୋଇ ପଡ଼ୁଥାନ୍ତି।

ମୁଁ କଣ ଉତ୍ତର ଦେବି କିଛି ବୁଦ୍ଧି ବାଟ ପାଇଲି ନାହିଁ। ସେ ଯେ ଏତେ ଡରକୁଳା, ଅନ୍ୟମାନେ ବା ଜାଣିଥାନ୍ତେ କେମିତି? ଯଦି ଜାଣିଥାନ୍ତେ, ଛାଡ଼ି ଯାଇ ନ ଥାନ୍ତେ ନତୁବା ସାଙ୍ଗରେ ନେଇ ଯାଇଥାନ୍ତେ। ମୁଁ ତାଙ୍କୁ ବୁଝାଇବା ଛଳରେ କହିଲି, ହଉ ଠିକ୍ ଅଛି, ମୋ ସାଙ୍ଗରେ ଚାଲନ୍ତୁ। ସେମାନେ ଆସିଲେ ପଚାରିବା କିଛି ନ କହି କେମିତି ଚାଲିଗଲେ। ସେ ଗେଟ୍ ପାଖ ଗୋଟିଏ ଶଂଖ ଉପରେ ବସିଲେ। ସେଇଠି ରାସ୍ତା ଉପରେ ଟିକିଏ ଜନ ସମାଗମ ଥିଲା। କହିଲେ, ଆପଣ ଯାଆନ୍ତୁ। ମୁଁ ଏଇଠି ଟିକିଏ ବସି ଘରକୁ ଚାଲିଯିବି। ବାଧ୍ୟ ହୋଇ ତାଙ୍କୁ ସେମିତି ସେଇ ଜାଗାରେ ଛାଡ଼ି ମୁଁ ଅଫିସ୍.କୁ ଫେରିଲି।

ମୋର ସେତେବେଳେ ଯୁବା ବୟସ। ଏଇ ଧରନ୍ତୁ ପଞ୍ଚତିରିଶି, ଛତିଶି ହେବ। ଭୟ କଣ ମୁଁ ଜାଣିନାହିଁ। କେହି ଡରିବାର ଦେଖିଲେ ମୋତେ ଭାରି ହସ ମାଡ଼େ। ଖାସ୍ କରି ଅନ୍ଧାର, ଭୁତପ୍ରେତ କଥା ଉପରେ କେହି ଭୟଭୀତ ହେଲେ ମୋତେ ଭାରି ମଜା ଲାଗେ। ଆଉ ବେଳେ ବେଳେ ଆଶ୍ଚର୍ଯ୍ୟ ବି ଲାଗେ ଯେ ଯେଉଁ ଜିନିଷର କୌଣସି ଅସ୍ତିତ୍ୱ ନାହିଁ, ତା ପ୍ରତି ଲୋକଙ୍କର ଏତେ ଭୟ କାହିଁକି। ମୋର ମନେ ହୁଏ, ଆତ୍ମା, ଭୁତ ପ୍ରେତ ଇତ୍ୟାଦି ଛାଇ ଆଲୁଅର ଖେଳ। ଆଲୁଅ ଭିତରେ ଛାଇଟିଏ କି ଅନ୍ଧାର ଭିତରେ ଆଲୁଅଟିଏ ଦେଖିଲେ ହଠାତ୍ ମନଟା ମାଡ଼ି ମାଡ଼ି ପଡ଼େ। ଶୈଶବରେ ମୋର ଯେ ଏସବୁ ପ୍ରତି ଡର ନ ଥିଲା ସେକଥା ନୁହେଁ, ବୟସ ବଢ଼ିବା ସହିତ ମୋର ଧାରଣା ବଦଳିଗଲା। ମସ୍ତିଷ୍କ କହିଲା, ଏସବୁ କେବଳ ଏକ ଭ୍ରମ। ମଣିଷର କଳ୍ପନାପ୍ରସୁତ ଗୋଟିଏ ଗୋଟିଏ କାଳ୍ପନିକ ଚରିତ୍ର। ପୁଣି ମୁଁ ଈଶ୍ୱର ବିଶ୍ୱାସୀ। ଏକଥା ବି ମୁଁ ସ୍ଥିର ନିଶ୍ଚିତ ଯେ କିଛି ତ ପରମ ଶକ୍ତି ଏ ବ୍ରହ୍ମାଣ୍ଡରେ ଅଛି ଯାହାରି ନିର୍ଦ୍ଦେଶରେ ଏ ଜୀବ ଜଡ଼ ପ୍ରତ୍ୟେକଟି ଚିଜ ପରିଚାଳିତ ହେଉଛନ୍ତି। ସେ ଭିତରୁ କିଛି ଖାଲି ଆଖିରେ ଦିଶନ୍ତି ଏବଂ ଆଉ କିଛି ଚିଜ ଆମ ଆଖି ଧରିପାରେ ନାହିଁ। ଆମ ଶରୀର ସବୁ ପ୍ରକାର ଚେତନ ଆଉ ଜଡ଼ ପଦାର୍ଥକୁ ଅନୁଭବ କରିବାରେ ଅକ୍ଷମ। ଆଉ ଯେତେବେଳେ ତାହା ହଠାତ୍ ଆମ ଚକ୍ଷୁ, କର୍ଣ୍ଣ ଅଥବା ଚର୍ମ ସଂସ୍ପର୍ଶରେ ଆସେ, ଆମେ ଏକ ଅଜଣା ଭୟରେ ଶିହରୀତ ହୋଇ ଉଠୁ। ସେଇ ଭୟ ଯୋଗୁଁ ହିଁ ଶରୀରରେ ଆମ ଅଜ୍ଞାତରେ ଅନେକ କିଛି କ୍ଷତି ସଂଘଟିତ ହୋଇଯାଏ। ମୁଁ ଭୁତପ୍ରେତର ଅସ୍ତିତ୍ୱକୁ ଅତ୍ୟନ୍ତ ସାଧାରଣ ଭାବରେ ନିଏ। ଭାବେ, କିଛି ନାହିଁ। ପୁଣି ଭାବେ, ଯଦି ବା ତାର ଅସ୍ତିତ୍ୱ ଥିବ, ସେ ମଧ୍ୟ ଆମ ଭଳି କିଛି ମୌଳିକ ପଦାର୍ଥରେ ତିଆରି ହୋଇଥିବ। ଆମ ପରି ସେ ମଧ୍ୟ ଈଶ୍ୱରଙ୍କ ଏକ ସୃଷ୍ଟି। ହୋଇପାରେ ସେ ଜନ୍ମ ପୂର୍ବର ଅବା ମୃତ୍ୟୁ ପରର ଅବସ୍ଥିତି। ସେଥିରେ ଭୟ ବା ଆଶଙ୍କାର ତ କିଛି କାରଣ ନାହିଁ। ସେ ଯଦି ଆମରି ହିଁ ପ୍ରଚ୍ଛାୟା, ତେବେ ଅସୁବିଧା କେଉଁଠି? କାହିଁକି ଆମେ ପ୍ରକୃତିର ଏ ପ୍ରକ୍ରିୟାକୁ ଅତ୍ୟନ୍ତ ସାଧାରଣ ଭାବରେ ମନ ମସ୍ତିଷ୍କରେ ଗ୍ରହଣ କରି ପାରୁନାହୁଁ? ଜଳଚକ୍ର, ଯବକ୍ଷାରଯାନ ଚକ୍ର ପରି ଏ ମଧ୍ୟ ଏକ ଜନ୍ମଚକ୍ର।

ଏ ତ ଗଲା ମୋର ଯୁବା ବୟସର କଥା। ଯୁବା ବୟସରେ ନିଶାର୍ଦ୍ଧରେ ଶ୍ମଶାନରେ ମଧ୍ୟ ଶୋଇଯିବା ପରି ସାହସ କିଛି କିଛି ବ୍ୟକ୍ତିଙ୍କର ଥାଏ। ମୁଁ ମଧ୍ୟ ସେ ମଧ୍ୟରୁ ଜଣେ। ଧୀରେ ଧୀରେ ମୋର ବୟସ ବଢ଼ିବାକୁ ଲାଗିଲା। ସମୟ ଥିଲା, ଯେତେବେଳେ ସ୍ୱପ୍ନ ସବୁ ମଧୁର ଥିଲା। ସ୍ୱପ୍ନର ବିଷୟବସ୍ତୁ ଅଲଗା ଥିଲା। ସ୍ୱପ୍ନ ପ୍ରେରଣାଦାୟୀ ଥିଲା, ମାର୍ଗଦର୍ଶୀ ଥିଲା। ସ୍ୱପ୍ନରେ ଭଲପାଇବା ଥିଲା, ଉଚ୍ଚାକାଂକ୍ଷା ଥିଲା। ମୋତେ ପଚାଶ ପାଖା ପାଖି ହେଲା ବେଳକୁ ସ୍ୱପ୍ନସବୁ ଦିଗ ପରିବର୍ତ୍ତନ କରିବା ଆରମ୍ଭ କରି ସାରିଥିଲେ। ସ୍ୱପ୍ନର ବିଷୟବସ୍ତୁ ଧୀରେ ଧୀରେ ବଦଳୁଥିଲା। ସ୍ୱପ୍ନରେ ମୁଁ ଚିନ୍ତିତ ଥିଲି। ସ୍ୱପ୍ନରେ ମୁଁ ହତୋତ୍ସାହିତ ଥିଲି। ଶଯ୍ୟାରୁ ଉଠି ବସୁଥିଲି, ବାଥରୁମ୍ ଯାଉଥିଲି, ପାଣି ପିଉଥିଲି। ପୁଣି ଆସି ଶଯ୍ୟାରେ ପଡ଼ି ନିଦର ଅପେକ୍ଷା କରୁଥିଲି।

ଆଜିକାଲି ସୁବ୍ରତବାବୁ କିଛି ଆଉ କହୁନଥିଲେ। ତାଙ୍କୁ ଲାଗୁଥିଲା, ତାଙ୍କ ଚିନ୍ତାଧାରା ଓ ମୋ ଚିନ୍ତାଧାରା ଭିତରେ ଆକାଶ ପାତାଳ ତଫାତ୍। ସେ ନିଜକୁ ଜଣେ ସାଧାରଣ ମାଟିର ମଣିଷ ମନେ କରୁଥିଲେ। ଆଉ ମୋତେ ବୋଧହୁଏ ଭାବୁଥିବେ କେଉଁ ଅନ୍ୟ ଏକ ଗ୍ରହର ଜୀବ, ଯାହାର ଧୀଶକ୍ତି, ସାହସ, କଳ୍ପନାର ପରିସର ଅନେକ ଅଧିକ ତାଙ୍କଠାରୁ। ନଚେତ୍ ଯେଉଁ କଥାଗୁଡ଼ାକ ସଚରାଚର ଗ୍ରହଣୀୟ, ସେସବୁ କଥା ମୋତେ କାହିଁକି ଛୁଇଁ ପାରୁନାହିଁ। ସୁବ୍ରତବାବୁ କେବେଠାରୁ ଅବସର ନେଇ ସାରିଲେଣି। ସକାଳୁ ସକାଳୁ ନିତି ଦେଖା ହୋଇଯାଆନ୍ତି ମର୍ଣ୍ଣିଂ ୱାକ୍.ରେ। ଦୁଇ ଚାରି ପଦ ଏଣୁ ତେଣୁ ପାରିବାରିକ କଥା, ବଜାର ଦର, କିଛି ରାଜନୀତି, ତାପରେ ଯେ ଯାହା ବାଟରେ। ଜାଣିଶୁଣି ସେ ଜୀବନ ଦର୍ଶନ ଆଡ଼େ ଯାଆନ୍ତି ନାହିଁ। ସେ ଜାଣନ୍ତି ମୋ ପାଖରେ ତାଙ୍କ ସବୁ ଯୁକ୍ତିର ଉତ୍ତର ଥୁଆ। ତେଣୁ ସେ ପଙ୍କ ଗାଡ଼ିଆରେ ଗୋଡ଼ ପୁରେଇବେ କାହିଁକି, ପୁଣି ଧୋଇବେ କାହିଁକି?

ରାତି କେତେ ହେବ କେଜାଣି, ବାଧ୍ୟ କରି ଆଖି ଖୋଲି ପକାଇଲି। କିଛି ଅଲଗା ମନେ ହେଲା। ଶଙ୍କାକୁଳ? ଏଃ, ନା। ମୁଁ ପରା ନିଶାର୍ଦ୍ଧରେ ଶ୍ମଶାନରେ ଶୋଇଯିବା ବ୍ୟକ୍ତି। ତେବେ ଏମିତି କାହିଁକି ଲାଗିଲା। ଆଖି ବୁଜିଲି ପୁଣି ଥରେ। ଛାପି ଛାପିକା ଅନ୍ଧାର। କିଛି ଛାଇ ଆଲୁଅର ଖେଳ। ଓଃ! ଉଠିଲି, ବାଥ୍.ରୁମ୍ ଗଲି, ପାଣି ପିଇଲି। କକ୍ଷର ଚାରିପଟକୁ ନଜର ବୁଲାଇନେଲି। ପତ୍ନୀ ଶୋଇଛନ୍ତି ଆରପଟେ କଡ଼ ଲେଉଟାଇ। ସେଇଟା କଣ? ଓ, ଭେଣ୍ଟିଲେଟର୍ ଦେଇ ଷ୍ଟ୍ରିଟ୍ ଲାଇଟ୍ ଆସୁଛି ବୋଧେ। ଲାଇଟ୍ ସୁଇଚ୍ ଅନ୍ କରି ସନ୍ଦେହ ମୋଚନ କଲି। ତାପରେ ଲାଇଟ୍ ଲିଭେଇ ଦେଇ ଧୀରେ ଗୋଡ଼ଟିଏ ବଢ଼ାଇ ପତ୍ନୀଙ୍କ ଗୋଡ଼କୁ ସ୍ପର୍ଶ କରି ଶୋଇଗଲି।

ଏଣିକି ଛାଇ ଆଲୁଅ ମୋ ସାହସ ସହିତ ଖେଳିବା ଆରମ୍ଭ କରି ଦେଇଥିଲେ। ଦିନ ବେଳେ ନୁହେଁ, କେବଳ ରାତିରେ... ରାତି ଅଧରେ...। ମୋ ଦୁର୍ବଳତାର ଆହୁରି ଆହୁରି ଫାଇଦା ନେବାକୁ ଜୋର୍ ସୋର୍ ପ୍ରସ୍ତୁତି ଚଳାଇଥିଲେ। ବୟସ ମୋର ବଢ଼ୁଥିଲା ଧୀରେ ଧୀରେ। ଆଉ ତା ସହିତ ଛାଇ ଆଲୁଅ ମୋ ସହ ଖେଳି, ମୋତେ ବ୍ୟତିବ୍ୟସ୍ତ କରି ଭରପୁର ମଜା ନେଉଥିଲେ। ମୋତେ ବାରମ୍ବାର ନିଦରୁ ଉଠାଉଥିଲେ। ସ୍ୱପ୍ନ ଏବେ ଆଉ ମଧୁର ନ ଥିଲା। ସ୍ୱପ୍ନ ପ୍ରେରଣାଦାୟୀ ନ ଥିଲା। ଏବେ ସ୍ୱପ୍ନରେ ଉଡ଼ିଲେ ଛାତି ଧଡ଼ ଧଡ଼ ହୁଏ। ଆକାଶର ଅନନ୍ତ ବିସ୍ତୃତି ଦେଖିଲେ ଆପେ ଚକ୍ଷୁ ଉନ୍ମୁକ୍ତ ହୋଇ ଯାଏ। ତାର ନୀଳ ବିସ୍ତୃତି ... ଅସୀମ, ଭାରି ବିକଟାଳ, ଅହେତୁକ ବିରାଟ! ମୋର ଉଡ଼ିବା କଣ ଦରକାର ଯେ। ମାଟିର ମଣିଷ ମୁଁ, ମାଟିରେ ହିଁ ଠିକ୍ ଅଛି। ମଣିଷ ସତରେ ଭାରି ବିଚିତ୍ର! ରକ୍ତ ଗରମ ଥିଲା ପର୍ଯ୍ୟନ୍ତ ଧରାକୁ ସରା ମଣେ। ସବୁ ଅତି ଭୌତିକ, ଐଶ୍ୱରିକ ଶକ୍ତିକୁ ହେୟଜ୍ଞାନ କରେ ଅଥବା ଅସ୍ୱୀକାର କରେ। ବଳ ସରିଗଲେ ହୃଦୟଙ୍ଗମ କରେ, ସବୁ ସତ୍ତା ମଧ୍ୟରେ ସେ ନିଜେ କେତେ ଅସହାୟ, ନଗଣ୍ୟ। ଅନନ୍ତ ବ୍ରହ୍ମାଣ୍ଡରେ ... କେଉଁଠି ତାର ସ୍ଥିତି? ପଞ୍ଚ ମହାଭୁତରେ ନିର୍ମିତ ଏ ଶରୀର ମିଶିଯିବ ଦିନେ ସେଇ ପଞ୍ଚ ମହାଭୁତରେ। ଆଇନ୍.ଷ୍ଟାଇନ୍.ଙ୍କ ମତରେ ବସ୍ତୁତ୍ୱ ଆଉ ଶକ୍ତି ପରସ୍ପର ପରିବର୍ତ୍ତନଶୀଳ। ତାହେଲେ, ଏ ଶରୀର ଛାଇ ଆଲୁଅର ଖେଳ ନୁହଁ ତ ଆଉ କଣ?




Rate this content
Log in

Similar oriya story from Abstract