◆ ମୁଠାଏ ଖୁଚୁରା ◆
◆ ମୁଠାଏ ଖୁଚୁରା ◆
ଅଭ୍ୟସ୍ତ ଥିବାରୁ , ମୁଠାଏ ଖୁଚୁରା ସଂଗ୍ରହ କରି , ଯିବାବେଳେ 'ସ୍ୱଭାବ' ପକେଟ୍ ରେ ରଖିନିଏ । ସାତଘଣ୍ଟା ଯାତ୍ରାରେ ସତରଜଣ ମିଳିବେ । ସେଇ ଖର୍ଚ୍ଚ ସମତୁଲ କରିବାକୁ ସେ ଟ୍ରେନ୍ ର ବାଜ୍ଜେ ଚା କଫି କୁ ଆଭଏଡ୍ କରିଦିଏ ।
ମାସରେ ଥରୁଟିଏ 'ମିନୁ' ସହ ଭେଟହୁଏ । ମିନୁ ଘରର ବଡବୋହୁ । ସବୁ ଘରର ବଡବୋହୁ ମାନେ , ଇଚ୍ଛା ଅନିଚ୍ଛା ରେ ନିଜକୁ ତ୍ୟାଗମୟି ତିଆରିବାର ଏକ ଅଲିଖିତ ସନ୍ଧି କରିନିଅନ୍ତି । ସେଇକାରଣରୁ 'ମିନୁ'କୁ ଘରୁ ରାଉରକେଲା ଆଣିବାର ସାହାସଟେ କରିପାରୁନଥିଲା 'ସ୍ୱଭାବ' ।
- ସାଙ୍ଗରେ ତୁମେ ଥିଲେ , ଘରବାହାର ଲୋକଙ୍କ ଘୃଣା ତିରସ୍କାର ସବୁ ଭାଗକରି ହଜମ କରିନିଅନ୍ତେ । ଏଠି ଏକୁଟିଆ ମୁଁ ପାରୁନି ।
- କ'ଣ ଆଉ କରିପାରିବା ? ମନକୁ ବୁଝାଇ ରୁହ । ସବୁ ଚେଷ୍ଟା ତ ବିଫଳ । ଲୋକ ତ କହିବେ । ଈଶ୍ୱର ଆମକୁ ବଧୀରା କରିଦିଅନ୍ତେ ଭଲା । ସହିଯା'ନ୍ତେ ସବୁକିଛି । ଠାକୁର ପାଖରେ କିଛି ଦେଇ ପାରିବାରେ କ୍ଷମ ନଥିଲେ ନାହିଁ , କିଛି ନେଇ ତ ପାରନ୍ତା !!!
★★★
ପିଲାଟିଏ । କଙ୍କାଳସାର ପିଲାଙ୍କ ସଠିକ୍ ବୟସ ଆକଳିବା ମୁସ୍କିଲ । ଛୋଟ ଝାଡୁଟେ ଧରି ଓଳେଇ ପକାଉଛି ସିଟ୍ ତଳଯାକର ଆବର୍ଜନା । ବୋଧେ ସଫାକରିବାକୁ ଏଇମାନେ ଅଛନ୍ତି ବୋଲି , ଆମେ ଅଳିଆ ନିଶ୍ଚିନ୍ତରେ କରୁଁ । ନଇଁଘୁଷୁରି ପିଲାଟି ସଫାକରିବା ପରେ ସମସ୍ତଙ୍କ ପାଦ ବି ଛୁଇଁ କିଛି ମାଗୁଥିଲା । ଓଃ କି ଅସନା ସ୍ପର୍ଶ ! ସଂକ୍ରମିତ ହୋଇଯିବାର ଭୟରେ ସମସ୍ତେ ଦୁର୍ ମାର୍ କରିବାରେ ଲାଗୁଥିଲେ । କେହିକଦବା ଅଧୂଲେ ସୁଉକିଟେ ପିଲାଟିକୁ ବଢାଇଦେଉଥିଲେ । କିଛି ଫୋପାଡିବାକୁଥିବା ଅରୁଚିକର ଉଛିଷ୍ଟ ବି ପିଲାଟିର ଭାଗ୍ୟ ହେଉଥିଲା । ସ୍ଥଳବିଶେଷରେ ଦାନ ର ପରିଭାଷା କେତେ ଭିନ୍ନ ସତେ ! ଜଣେ କିଏ କହୁଥିଲା - କି' ଭିକାରୀ ଦେଶରେ ଜନ୍ମ ଆମର !!!
'ସ୍ୱଭାବ' ଭାବୁଥିଲା ଏଇ ପିଲାଟିର ବି କେଉଠିଁ ଗୋଟେ ମା ବାପା ଥିବେ । ଥରେ 'ମିନୁ' ଦେଖନ୍ତା ଯଦି ଜାଣନ୍ତା , ପିଲା ଜନ୍ମ କରିବାଠୁଁ , ପାଳିବାରେ ରହିଛି କେତେଯେ' ଯନ୍ତ୍ରଣା ।
ପିଲାଟି ଅଦୃଶ୍ୟ ହୋଇଯିବାପରେ , ଆସିଲା ପଲଟଣ ଟାଏ ! କି' ଔଧତ୍ୟ ସେମାନଙ୍କର । ୟେ' ବି ଭିନ୍ନ ଏକ ଭିକ୍ଷାବୃତ୍ତି । ଓଠ ଗାଢ କରି , ଅର୍ଦ୍ଧଉନ୍ନତ୍ତ ମୁକୁଳା ଛାତିରେ , ସମସ୍ତଙ୍କୁ ଜବରକରି ଟଙ୍କା ମାଗିବାରେ ଲାଗିଗଲେ କିନ୍ନର ଦଳ । ଏ ମାନଙ୍କ ସ୍ପର୍ଶରେ ସଂକ୍ରମଣ ର ଭୟ ନଥିଲା ବୋଧେ ! ସମସ୍ତେ ସହଜ ହୋଇ ପକେଟ୍ ରୁ ଟଙ୍କା କାଢୁଥିଲେ । ପଛରୁ ସେଇଜଣକ କହୁଥିଲା -
- ଏମାନଙ୍କ ସ୍ନେହଁଆଶୀର୍ବାଦ ରେ ସ୍ୱର୍ଗମୁଖା ହୁଏ ମଣିଷ ପରା !!!
ପୁରୁଷ ମିଶ୍ରିତ ନାରୀଗନ୍ଧ ତକ ଯାତ୍ରୀ ଡବା ଭିତରୁ ଛାଡିଯିବାପରେ , ଆବିର୍ଭାବ ହେଲା ମା' ଟାଏ ଏଥର । ହାତ ଧରି ନିରିମାଖି ଝିଅଟିଏ , କାଖରେ ବାଳୁତ ଆଉ ପେଟଭର୍ତ୍ତି ସାମ୍ଭାବ୍ୟ ଆଗନ୍ତୁକ !!
- ଏଇ ଏବେ ଯେଉଁ ପିଲାଟା ଝାଡୁ ମାରି ଗଲା , ସେ ତୋରି ପୁଅ ନା ? ଏକାପରି ଲାଗୁଛି ।
- ହଁ ବଡ ।
- ତା'ପରେ ପୁଣି ଆଉରି ଏତକ ? ଆଁଆଁ ? ଶଃ! ବୁଲାକୁକୁର ପରି ସରକାରୀ ବନ୍ଧ୍ୟାକରଣ ଯୋଜନାଟେ ଏଇମାନଙ୍କ ପାଇଁ ଲାଗୁହେବା ଉଚିତ୍ ।
ଚୁପ୍ ରହି ମୁଣ୍ଡ ପୋତିଲା ନାରୀ । ସବୁ ପ୍ରଶ୍ନ କୁ ସାମ୍ନା କରେ ନାରୀ । ପିଲା ହେଲେବି ପୁଣି ନହେଲେବି !!
ଲୋକଟା ତଥାପି ଛାଡୁନଥିଲା ତାକୁ ।
- କ'ଣ ଛୁଆଙ୍କୁ ଭୋକିଲା ରଖି ଖାଲି ଭିକାରୀବଂଶ ବଢାଇବାର ଅଛି କି ତୁମମାନଙ୍କର ? ତିନିତିନିଟା ଛୁଆରେ ହେଲାନି ଯେ , ଆଉଟେ ପେଟରେ ଧରିଛୁ ?
ତଥାପି ଚୁପ୍ ହୋଇ ଆଗକୁ ବଢୁଥିଲା ନାରୀ । ହୋହା ହୋଇ ହସୁଥିଲେ ସଭିଏଁ । କେଜାଣି କ'ଣ ଭାବି ପଛକୁ ଫେରିଆସିଲା ଏଥର ମାଈପିଟା । ଜବାବଦେଲା -
- ଭୋକ ଦାଉରୁ ମୁକୁଳିବା ପାଇଁ , ଏ ଦେହଟାକୁ ଜମା ଜଗିହେଉନି ବାବୁ !!! ବେଳଅବେଳରେ ସେଇଥିରେ ହିଁ ପେଟପୁରିଯାଉଛି ଆଉ !!!
@ ଅମୀୟ ବେଜ୍