ସବୁଥିରୁ ବଞ୍ଚିତ କରି
ସବୁଥିରୁ ବଞ୍ଚିତ କରି
ଫରକ ଏତିକି ସେ ଆଖି ନଥାଇ ଅନ୍ଧ ଥିଲା ଆଉ ଜୀବନ ବି କ୍ଷଣିକ ଅଭିନୟରେ ସେୟା । ଅନ୍ଧ ଲୋକଟି ମନ୍ଦିର ଆଗରେ ଭିକ ମାଗୁଥିବାବେଳେ ଜୀବନ ଆଖି ବନ୍ଦକରି ଜୀବନରେ ପ୍ରଥମ ଥର ପାଇଁ ଭକ୍ତି ସହକାରେ ଭିକ ମାଗୁଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗରେ । ଅନ୍ଧ ଲୋକଟି ମାଗୁଥିଲା ନିଜର ଭୋକ ମେଣ୍ଟାଇବା ପାଇଁ ଆଉ ଜୀବନ ବି ସେମିତି ଖାଲି ଯାହା ତା’ର ଭୋକ ଥିଲା କଞ୍ଚାମାଂସର । ପଡିଶା ଝିଅ ପାଇଁ ତା’ର କାମନା ଲୋଭରେ ସେ ସିନା ତା’ ବାପା ମା’ଙ୍କୁ ଟଙ୍କା ପଇସା ଦେଇ ଫସେଇ ଦେଇଥିଲା ହେଲେ ଝିଅର ଦେହକୁ କୌଣସି ବାହାନାରେ ଏ ପର୍ଯ୍ୟନ୍ତ ଛୁଇଁ ପାରିନଥିଲା । ସେ ଜାଣେ ତା’ର ଲୋଭ ଥିଲା ଝିଅଟିର ଦେହ ପାଇଁ ହେଲେ ତା’ ପ୍ରତି ଜୀବନର ଏକ ତରଫା ଅନ୍ଧ ଭଲ ପାଇବା ଯୋଗୁଁ ସେ ତା’ ଆଗରେ ପ୍ରତି ମୁହୂର୍ତ୍ତରେ ସାଜୁଥିଲା ଜିଅନ୍ତା ଶବ ।
ଜୀବନ ଦି’ ଦିନ ଆଗରୁ ସ୍ଵପ୍ନ ଦେଖିଥିଲା ଝିଅଟିର ନାଁରେ କଳ୍ପବଟରେ ଡୋରି ବାନ୍ଧିଲା । ବେଢା ବୁଲିଲା ଅବଢା ଖାଇଲା ଆସ୍ତେ ଆସ୍ତେ ମନ ପବିତ୍ର ହେଲା ଜୀବନର । ଏବେ ମନେ ମନେ ଝିଅଟି ଲାଗୁଥିଲା ସତେ ଯେମିତି ତା’ର ଜନ୍ମ ଜନ୍ମାନ୍ତର ସାଥି । ମନେ ମନେ ପାଞ୍ଚିଲା ଜୀବନ ଏ ଥର ମନକଥା ଖୋଲି କହିବ ଯଦି ସେ ମନାକଲା ସତ ସତିକା ତା’ ଭାଇ ହୋଇଯିବ ସାରା ଜୀବନ ପାଇଁ ।
ମନ୍ଦିରରୁ ବାହାରିଲା ଜୀବନ,ଗଲା ବେଳେ ଅଣଦେଖା କରିଥିବା ଅନ୍ଧ ଭିକାରିକୁ କିଛି ଦାନ କରିବାକୁ ପକେଟରେ ହାତ ପୁରାଉ ପୁରାଉ ବାଜି ଉଠିଲା ତା’ ମୋବାଇଲ ଫୋନ । ସେପଟୁ ସେଇ ଝିଅଟି ଫୋନ କରିଥିଲା ଆଉ କହୁଥିଲା .....ସମୀର ସହ ଅବୈଧ ସମ୍ପର୍କ ଯୋଗୁଁ ମୁଁ ଗର୍ଭବତୀ ସେ ମନାକଲାରୁ ସହି ପାରିଲିନି ବିଷ ପିଇଦେଲି ଆଜି ଠାରୁ ବାପା ମା’ ତମକୁ ଲାଗିଲେ ଭାଇ । ଜୀବନ ବଡବଡ ପାଟିରେ କ’ଣ ସବୁ ପାଗଳଙ୍କ ପରି ଗପି ଚାଲୁଥିଲା ଆଉ ଆସ୍ତେ ଆସ୍ତେ ନରମି ଯାଉଥିଲା ଝିଅଟିର କଣ୍ଠସ୍ଵର । ଲୁହର ପରଳରେ କିଛିକ୍ଷଣ ପାଇଁ ଜୀବନ ସିନା ସାଜିଥିଲା ଅନ୍ଧ କିନ୍ତୁ ଆଜୀବନ ଅନ୍ଧ ଭିକାରି ଜଣକ ସେତେ ବେଳ ଠାରୁ ନିର୍ବିକାର ଭାବେ ଏକ ଲୟରେ ମନ୍ଦିର ଆଡେ ମୁହଁ କରି ଗାଉଥିଲେ ସେଇ ଭାବପୂର୍ଣ ଗୀତ .......ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡାଇବ ହେ ।