ଚାରକୋଲ (ମାନିନୀ ମିଶ୍ର)
ଚାରକୋଲ (ମାନିନୀ ମିଶ୍ର)
ରାତି ଅଧରେ ସେ ମତେ ଉଠେଇଲା କହିଲା,
"ଡରନା ମୁଁ ତତେ କିଛି କରିବିନି।"
"ମୁଁ ହସିଲି,କହିଲି ଦୁନିଆ ତତେ ଯାହା କହିଲେ କହୁ ମୁଁ ତତେ ଠିକ ଚିହ୍ନେ,ଆଖି ବୁଜି ବିଶ୍ବାସ କରେ।
ତୁ କହିଲେ ତୋ ସହ ଗୋଟେ ରାତି ନୁହଁ ଅନେକ ରାତି ବିତେଇବାକୁ ରାଜି ।"
ସେ ହସିଲା, ଖୁବ ନିଷ୍କପଟ ଲାଗିଲା ତାର ହସ
ତାର ଆଖିରେ ଖୁନ୍ଦି ହୋଇ ରହିଥିଲା ଆନ୍ତରିକତା ।
କହିଲା, "କହ କୁଆଡେ ଯିବା?"
ମୁଁ କହିଲି "ଶାନ୍ତି ନିକେତନ !"
ସେ କହିଲା ହେଉ ଏ ମାସ ୨୦ତାରିଖ ପରେ କେବେ ସୁବିଧା ହେବ ତୋର କହ,ମୁଁ ସେ ଅନୁସାରେ ଅଫିସରୁ ଛୁଟି ନେବି ।
ମୁଁ କହିଲି ହେଉ ସକାଳ ହେଉ ଡିସାଇଡ କରିବା ।
ସେ କହିଲା ହେଉ ତୁ ଶୋଇପଡ
ମୁଁ ଫୋନକୁ କାନରେ ରଖି ଶୋଇ ପଡିଲି ।
ପାହାନ୍ତାରେ ନିଦ ଭାଙ୍ଗିଲା ମୁଁ ଫୋନକୁ ଫ୍ଲାଇଟ ମୋଡରେ ରଖେ ,ଅଥଚ ଆଜି କଣ ହେଲା ,ନିଜକୁ ପଚାରିଲି ,ସ୍ବପ୍ନ ଦେଖୁଥିଲି ନା ସତରେ ସେ କଲ କରିଥିଲା, ଅନେକ ଥର ପଚାରିଲି ନିଜକୁ।ହସିଲି ସେ ଏମିତି ସମୟ ଅସମୟ ବୁଝେନି ।କୁହେ କୁଆଡେ ମୋ ଆଗରେ ତାକୁ ଲାଜ ଫାଜ ବି ଲାଗେନି ।ସବୁ କହିପାରେ ସବୁ ...
ଅଥଚ କେଉଁ ମୁହୂର୍ତ୍ତରେ ସେ ବଦଳି ଯିବ କହିବା ମୁସକିଲ୍।
ପ୍ରତି କଥାରେ ମୋ ସହ ଝଗଡା କରୁଥିବା ଏ ମଣିଷଟା କାହିଁକି ମତେ ନିଜର ଲାଗେ ପଚାରିଲି ନିଜକୁ ।ହୁଏତ ତାର ମୋ ଆଗରେ ଖୋଲାପଣ ! ହୁଏତ ତାର ଜୀବନକୁ ଜିଇଁବାର ନିଆରା ଢଙ୍ଗ ।କେଜାଣି ଲାଗେ ସେ ସମ୍ପର୍କର ଖୁବ ଉପରେ ,
କେଜାଣି କାହିଁକି ଲାଗେ ସେ ମୋର ଖୁବ ପାଖରେ !
ହାହାହାହା, ପ୍ରତି କଥାରେ ମୋର ଖୁଣ ଖୋଜୁଥିବ, ଅଥଚ ମୋ ପରି ଚଣ୍ଡୀ ହସିଦେଇ ଚୁପ ରହୁଥିବ !ଅବିଶ୍ୱାସ ଲାଗିଲେ ବି ସତ ।
ଆଜି ତା ସହ ମୋର ଖୁବ ଝଗଡା ,ସେ ମତେ କହିଲା ତୁ ମୋ ପଛରେ କାହିଁକି ପଡିଛୁ ?ମୁଁ ଆଶ୍ଚର୍ଯ୍ୟ କାଲି ମୋ ସହ କୁଆଡେ ଯିବ ବୋଲି ପ୍ଲାନ କରୁଥିବା ମଣିଷର ଆଲିଗେସନ ,
ଟ୍ରେନ ଚାଲି ଥିଲା ସେ ମୋ କାନ୍ଧ ଉପରେ ମୁଣ୍ଡ ରଖି କାନ୍ଦିଲା।
ମୁଁ ତାର କେହି ନ ଥିଲି ,ସେ କହିଲା ସରି ଦିଦୀ କଣ କରିବି ତୁମକୁ ଦେଖି କାହିଁକି ଲୁହ ମାନେ ବୋଲ ମାନିଲେନି ,ପ୍ଲିଜ ଖରାପ ଭାବିବନି ।
ମୁଁ ହସିଦେଇ ତା ଅଲରା କେଶକୁ ସଜାଡି ଦେଲି,
କହିଲି ଓଃ,ବାସ ଏତିକି ତ
ଆରେ ରାସ୍ତାରେ ଚାଲୁ ଚାଲୁ କେତେ କିଏ ଆସିବେ,କିଏ ଦୂରରୁ ଦୂରରୁ ହାଏ,ବାଏ କରି ଚାଲି ଯିବ,କିଏ ଛୁଇଁ ଦେଇଯିବ,କିଏ ପ୍ରଜାପତି ପରି ,ଚୁମା ଦେଇ ଗେହ୍ଲା କରିଯିବ,ଆଉ କିଏ ଭଅଁର ସାଜି ଖିନଭିନ କରିଯିବ ।
ଆମକୁ ହିଁ ସାଞ୍ଜୁଟେ ତିଆରି ନିଜ ଭିତରେ ନିଜକୁ ଭଲପାଇବାକୁ ହେବ ।ସେ ସାଞ୍ଜୁ କେବଳ ଆମର ଆଉ ତାର ତାରଜାଲି ବି ଆମର ,କେହି ତାକୁ ଛୁଇଁ ବା ତ ଦୂର କଥା ଦେଖି ବି ପାରୁ ନ ଥିବେ ।ଆମେ ପର ପାଇଁ ଏତେ କରୁଛୁ ନିଜର ପାଇଁ କଣ କିଛି କରିବାନି ?
ନିଜ ଭ୍ୟାନିଟି ବ୍ୟାଗରୁ ଗୋଟେ ସମ୍ବଲପୁରୀ ରୁମାଲ କାଢି ସେ ତାର ନିଜ ଲୁହ ପୋଛିଦେଲା ,ହସିଦେଇ କହିଲା ହଁ ଦି' ସତ୍ ।
ଝାଲ ମୂଢି ବିକୁଥିବା ଲୋକଟା ଆମ ବଗିକୁ ପଶି ଆସିଲା। ଖଟା ଫଳ ରସ ଆଉ ଆଚାରର ବାସ୍ନାରେ ଆଖପାଖ ଚହଟେ ଗଲା ।ଟ୍ରେନରେ ଝାଲ ମୁଢିର ଟେଷ୍ଟଟା କାହିଁକି ବଢିଯାଏ ।ବୋଧେ ସବୁବେଳେ ସ୍ଥିର ଥିବା ଗଛ,ଖୁମ୍ବ ପଛକୁ ଧାଉଁଥାନ୍ତି ବୋଲି ,ସବୁ ଛୋଟିଆ ଛୋଟିଆ ଘଟଣାକୁ ମୁଢି ପରି ଚୋବେଇ ହଜମ କରିଦେବାକୁ ଇଚ୍ଛା ହୁଏ, ଇଚ୍ଛା ହୁଏ ମନଖୋଲି ହସିବାକୁ,ହା,ହା । ମୁଁ ଦୁଇଟା ଝାଲମୁଢି ଦେବାକୁ କହି ଟ୍ରେନ ଲାଇନ କଡର ସେ ସୁନ୍ଦର ପାହାଡ ଉପରକୁ ଦେଖିଲି,ମତେ ଅନେକ ଥର ଏ ପାହାଡ ମାନେ ହାତ ଠାରି ଡାକନ୍ତି।ହସିଲି ନିଜକୁ ନିଜେ ,ଏ ହାଇ ହିଲ ପିନ୍ଧା ପାଦ କେତେ ଦୂର ସାଥ୍ ଦେବ ।
ରାତି ହୋଇ ଆସୁଥିଲା, ପାହାଡ ଆର ପଟେ ଲାଲ ରଙ୍ଗ ଉତୁରି ବସିଥିଲା, ଚାରକୋଲ କୋର୍ଟ ପିନ୍ଧି କେହିଜଣେ ମୋ ପାଖ ସିଟର ଝିଅକୁ ଯୋରରେ କୁଣ୍ଢେଇ ଧରିଥିଲା ,ତାର ହାତରେ କିଛି ଚକଚକ କରୁଥିଲା,ହୁଏତ ଚାକୁ ନ ହେଲେ ଚକଲେଟ! ନା ମୁଁ ଆଉ ପାଖକୁ ଯାଇ ତନଖି ଦେଖି ଲିନି।ବୋଧେ ଏଇ ସିଏ ଯାହା ପାଇଁ ସେ ସକାଳୁ କାନ୍ଦୁଛି , ମୋ ଆଖି ଅଟକିବ ବୋଲି କହିଲା ।ମୁଁ ତାକୁ ତାଗିଦ କଲି,ମୋ ମନ କହିଲା,କେଜାଣି ସେ ଏଥରକ ନିଜକୁ ସାଞ୍ଜୁ ପିନ୍ଧେଇ ପାରିଛିକି ନାଇଁ !!
ମୁଁ ଆଉ ସେପଟେ ଅନେଇଲିନି
ମୋ ପାଦ ପାହାଡ ଆଡକୁ ବଢୁଥିଲେ ,ମୋର ବାରଣ ସତ୍ତ୍ୱେ ।।
ପଶ୍ଚିମର ଲାଲ ଆଭା ଏବେବି ବାକି ଅଛି ।
ଆଜି ମତେ ପ୍ରଥମ ଥର କାହିଁକି ଲାଗୁଚି !ଏ ଲାଲ ଆଭା କେଉଁଠି ନା କେଉଁଠି ଥାଏ ପ୍ରତୀକ୍ଷାରେ ,ଆମ ଧୂଳି ମୟ ଅବୟବକୁ ନିସର୍ତ୍ତ ଆଲିଙ୍ଗନ କରି ତା ଚୁମାରେ ପୋତି ଦେବା ପାଇଁ ।ଅଥଚ ଚାରକୋଲକୁ ଆମେ ତିଆରୁ , ପ୍ଲାଣ୍ଟର ଚିମିନିରୁ ଉଡି ଆସି ସେ ଫୋଡି ହୁଏ ସ୍ବଚ୍ଛ ପଟଳରେ, ବ୍ୟସ୍ତ ବିବ୍ରତ କରେ, ଆଖିରୁ ଲୁହ ଝରେ ...