Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅସହିଷ୍ଣୁ ଭିଟାମାଟି
ଅସହିଷ୍ଣୁ ଭିଟାମାଟି
★★★★★

© Lopamudra Mishra

Inspirational Tragedy

17 Minutes   319    6


Content Ranking

ଦୀର୍ଘ ପଚିଶ ବର୍ଷ ଭାରତୀୟ ବାୟୁସେନାରେ କାର୍ଯ୍ୟ କଲାପରେ ସନ୍ତୋଷ ବାବୁ ଏଥର ଆଉ କାର୍ଯ୍ୟକାଳ ବର୍ଦ୍ଧିତ ନକରି ଅବସର ନେବାକୁ ନିଷ୍ପତି ନେଲେ । ପୀୟୂଷ ଦିଲ୍ଲୀ ଆଇ.ଆଇ.ଟି ରେ ଏମ୍.ଟେକର ଛାତ୍ର ଆଉ ପଲ୍ଲବୀ ସିମଲାର ମେଡିକାଲ କଲେଜରେ ଏମ.ବି.ବି.ଏସ୍ ପଢୁଛି । ସୁଯୋଗ୍ୟ ସନ୍ତାନ ସନ୍ତତି ସନ୍ତୋଷ ଓ ଶୋଭାଙ୍କର । ନିଜ ପିଲାଙ୍କ ସଫଳତା ପାଇଁ ବାପାମାଆଙ୍କର ଛାତି ଗର୍ବରେ ଫୁଲି ଉଠିବା ଠାରୁ ଆନନ୍ଦ, ସୌଭାଗ୍ୟ ଆଉ କିଛି ନଥାଇପାରେ । ଠିକ ସେହିପରି ଜନ୍ମିତ ସନ୍ତାନର କୁକର୍ମ ପାଇଁ ପିତାମାତାଙ୍କ ମୁଣ୍ଡ ଲଜ୍ୟାରେ ନଇଁଯିବା ଠାରୁ ବଡ଼ ଦୁଃଖ, ଦୁର୍ଭାଗ୍ୟ ମଧ୍ୟ ଏ ସଂସାରରେ କିଛି ଥାଇନପାରେ ।

ସନ୍ତୋଷଙ୍କ ପିଲାମାନେ ଖୁବ ସଭ୍ୟ, ସଜଡା, ଶୃଙ୍ଖଳିତ ଓ ମେଧାବୀ । ସନ୍ତୋଷ ବାବୁ ଜୀବନରେ ଯେତିକି ଅର୍ଥ ଉପାର୍ଜନ କରିଛନ୍ତି ତାଠାରୁ କାହିଁରେ କେତେଗୁଣ ଅଧିକ ଆତ୍ମସନ୍ତୋଷ, ଯଶ ଓ ସମ୍ମାନ ମିଳିଛି ତାଙ୍କୁ ପିଲାମାନଙ୍କ କୃତିତ୍ୱ ରେ । ପୀୟୂଷ ଓ ପଲ୍ଲବୀଙ୍କ ପାଇଁ କିଛି କମ ତ୍ୟାଗ ଓ ସାଧନା କରିନାହାଁନ୍ତି ଶୋଭା । ନିଜ ଜବ୍ ଓ କ୍ୟାରିୟର୍ କୁ ପଛରେ ଛାଡ଼ି ସାରାଟା ଜୀବନର ତମାମ ସମୟକୁ କେଵଳ ସ୍ୱାମୀ ଓ ପିଲାଙ୍କ ଉନ୍ନତି ରେ ହିଁ ସେ ବିନିଯୋଗ କରିଛନ୍ତି । ମୋଟା ମୋଟି ଭାବେ କହିବାକୁ ଗଲେ ଉଭୟ ପତି ପତ୍ନୀ ପିଲାଦିଓଟି ଙ୍କ ପାଇଁ ନିଜର ସର୍ବସ୍ୱ ଢାଳି ଦେଇ ସେମାନଙ୍କୁ ଉତ୍ତମ ରୂପେ ଗଢିତୋଳିବାରେ ସାମାନ୍ୟତମ ଉଣା କରିନାହାଁନ୍ତି । ସେହି ସକାଶେ ଏହି ଗଭର୍ନମେଣ୍ଟ କ୍ୱାର୍ଟର୍ସ କୁ ଛାଡିଦେଲେ ସେମାନଙ୍କର ସ୍ଥାୟୀ ବିକଳ୍ପ ରହଣି ସ୍ଥାନ ସୁଦୂର ଓଡ଼ିଶାର ଅତି ନିପଟ ମଫସଲ ଗାଁ ଗୋବିନ୍ଦପୁରରେ ଥିବା ତାଙ୍କ ନିଜସ୍ୱ ପୁରୁଣା ପୈତୃକ ଭିଟାମାଟି ବ୍ୟତୀତ ଅନ୍ୟ କେଉଁଠି ନାହିଁ । ସନ୍ତୋଷଙ୍କ ପ୍ରାୟ ସମସ୍ତ ବନ୍ଧୁ ଅବସର ନେଲାପରେ ନିଜ ନିଜ ସହରରେ ଜାଗା କିଣି ବଡ଼ ବଡ଼ ଘରଟି ମାନ ତୋଳି ଅବା ବିରାଟ ବିରାଟ ଆପାର୍ଟମେଣ୍ଟ୍ ରେ ସୁନ୍ଦର ସୁନ୍ଦର ଫ୍ଲାଟ୍ କିଣି ସିଫ୍ଟ୍ ହେଉଥିବା ବେଳେ ସନ୍ତୋଷ ଶୋଭାଙ୍କୁ ଧରି ଗୋବିନ୍ଦପୁର ଫେରୁଥିଲେ, ଯେଉଁଠୁ ପଚିଶ ବର୍ଷତଳେ ଏକାକୀ ବୀରଦର୍ପ ରେ ବାହାରିଆସିଥିଲେ ।

ଫେରିଲା ରାସ୍ତାରେ ଶୋଭାଙ୍କୁ ସନ୍ତୋଷ ଶାନ୍ତିପୂର୍ଣ୍ଣ ଚକ୍ଷୁରେ ଅନେଇ କହୁଥିଲେ, "ବୁଝିଲ ଶୋଭା, ମୋର ଆଉ କିଛି ଚିନ୍ତା ନାହିଁ । ପିଲାମାନେ ଆଉ କେଇଟା ବର୍ଷ ପରେ ଖୁବ ଉଚ୍ଚ ସ୍ଥାନରେ ଥିବେ । ସେମାନଙ୍କ ଭବିଷ୍ୟତକୁ ନେଇ ଆଉ ମୋର କୌଣସି ସନ୍ଦେହ ନାହିଁ । ଏବେ ଆମେ ଆମ ବାକିତକ ଜୀବନକୁ ଗାଁର ସେହି ସୁସ୍ଥ,ସୁନ୍ଦର ପରିବେଷରେ ଶାନ୍ତିରେ ବିତେଇବା । ତୁମେ କହୁଥିଲ ଟାଉନ୍ ରେ ଘର ତୋଳିବାକୁ,କିନ୍ତୁ ସେଇଟା ଆମପାଇଁ ବୁଦ୍ଧିମତା ର କାର୍ଯ୍ୟ ହେଇନଥାନ୍ତା । ଏକରେ ତ ଆମ ପାଖରେ ଅପର୍ଯ୍ୟାପ୍ତ ଟଙ୍କା ନାହିଁ, ତା ଛଡ଼ା ସେ ସବୁ ଜାଗାରେ ଆମ ଗାଁ ପରି ଅତ୍ମୀୟତା କାହିଁ ? ଜୀବନର ଶେଷ ପର୍ଯ୍ୟାୟ ଟା ଅନ୍ତତ ଶାନ୍ତିରେ ବିତିବା ଜରୁରୀ । ପୀୟୂଷ ଚାକିରୀ କଲେ ସେ କଣ କୋଉଠି ନିଜର ଘର କରିବନି ? ସେମାନେ ସହରରେ ଜନ୍ମ, ସହରରେ ବଢିଲେ ଓ ପଢ଼ିଲେ । ତାଙ୍କ କଥା ଭିନ୍ନ । ସେମାନଙ୍କୁ ସୁଟ୍ କରିବ ସେ ଜଳବାୟୁ । ଆମ ବାର୍ଦ୍ଧକ୍ୟକୁ ଭଲ ଆମ ଭିଟାମାଟି । ଯୋଉଠି ଜନ୍ମ, ସେଇଠି ଲୀନ୍ନ । କେତେ ଭଲ ହେବ, ନୁହେଁ? "

ଶୋଭା ଶୁଣୁଥିଲେ, ଉଁ ଚୁଁ କିଛି କହିଲେନି । ସେ ସିନା ସ୍ୱାମୀଙ୍କ ହାତ ଛାଡ଼ି ନପାରି ଗୋବିନ୍ଦପୁର ଫେରିଆସିଲେ, କିନ୍ତୁ ମନ ଭିତରେ ଆଦୌ ଚାହୁଁନଥିଲେ ଗାଁର ଧୂଳି ମଳିରେ ବାକି ଜୀବନଟା ସାରିଦେବାପାଇଁ । ଅବଶ୍ୟ ଗୋବିନ୍ଦପୁର ଆଉ ଆଗଭଳି ସେହି ଲୋଚାକୋଚା ମାଆର ଚିରା ପଣତ ପରି ଦିଶୁନାହିଁ , ଏବେ ଆଧୁନିକତାର ଝଲକ ରେ ସେ ବି ରେଶମ ପରି ମୁଲାୟମ ହେଇଯାଇଛି ଓ ଆଖି ଝଲସିଲା ପରି ଚିକମିକ୍ କରୁଛି । ତଥାପି ଶୋଭା ଗାଁରେ ତାଙ୍କ ଭାଗ ଢିଅଟାରେ ନୂଆକରି ତୋଳା ହେଇଥିବା ନିଜର ସେହି ଛୋଟ ୨ମହଲା ଛାତଘରଟାକୁ ନେଇ ବିଲକୁଲ ଖୁସି ହେଇପାରୁନାହାଁନ୍ତି କି ଉତ୍ସାହ ଦେଖାଉନାହାଁନ୍ତି । ସେ ଜାଣନ୍ତି ଗାଁରେ ରହିଲେ ସନ୍ତୋଷ ସକାଳୁ ରାତି ଯାଏଁ ଗାଁରେ ବୁଲା ବୁଲି କରି ଓ ଛକରେ ଗୁଲି ଖଟି କରି ସମୟ କଟେଇବେ ଆଉ ସେ ନିଜେ ଘରର ଚାରିକାନ୍ଥ ଭିତରେ ହେଇଯିବେ ସମ୍ପୂର୍ଣ୍ଣ କୈଦ । ଏଠି ସେ ତାଙ୍କ ଡିଫେନ୍ସ କଲୋନୀ ପରି ପଡୋଶୀଙ୍କ ଘରକୁ କାମ ସାରି ବୁଲିବାକୁ ଯାଇପାରିବେନି କିମ୍ବା ମିସେସ୍ ରାୟ ଓ ମିସେସ୍ କାପୁରଙ୍କ ପରି ସହେଲି ପାଇବେନି ମର୍ନିଙ୍ଗ ବା ଇଭିନିଙ୍ଗ୍ ୱାକ୍ ରେ ଯିବାକୁ ।

◾◾◾

ଶୋଭା ଗାଁର ସେହି ଅର୍ଖ ନୂଆ ଛୋଟିଆ ଘରଟାକୁ ସୁନ୍ଦର କରି ସଜାଡ଼ି ଦେଲେ । ଘର ଆଗରେ ସୁନ୍ଦର ବଗିଚାଟେ ନିଜ ହାତରେ ଗଢି ନାନା ଜାତିର ଫୁଲ ଫୁଟେଇଲେ ସନ୍ତୋଷବାବୁ । ସୈନିକର ଜୀବନ ବଡ଼ ଶୃଙ୍ଖଳିତ, ତାହା ସନ୍ତୋଷ ଓ ଶୋଭାଙ୍କ ଜୀବନ ଶୈଳୀ ଦେଖିଲେ ଯେ କେହି ବି କହିବ । ଉଭୟ ବଡି ଭୋରୁ ଉଠନ୍ତି । ନିତ୍ୟକର୍ମ ସାରି ଅଧଘଣ୍ଟା ଯୋଗ ପ୍ରାଣାୟାମ କରନ୍ତି । ତାପରେ ଦୁହେଁ ପତି ପତ୍ନୀ ବଗିଚା ଚାରିପଟେ ଟିକେ ବୁଲି ଆସି ଠିକ ତିରିଶ ରୁ ପଇଁଚାଳିଶ ମିନିଟ ଭିତରେ ଚା' ପିଅନ୍ତି । ଶୋଭା ଜଳଖିଆ ପ୍ରସ୍ତୁତ କରନ୍ତି । ସନ୍ତୋଷ ବାବୁ ପୋର୍ଟିକୋ ରେ ବସି ନିୟୁଜ ପେପର୍ ପଢ଼ନ୍ତି । ତାଙ୍କ ସାଙ୍ଗ ସାଥୀ ବା ଚିହ୍ନା ପରିଚିତ କେହି କେତେବେଳେ ରାସ୍ତାରେ ଯାଉଥିବାର ସେ ଦେଖିପକେଇଲେ ତାଙ୍କୁ ଡାକି ପାଖରେ ବସାନ୍ତି, ଗପନ୍ତି । ସନ୍ତୋଷ ପୁଣି ଘରୁ ଛକ କିମ୍ବା ବଜାର ଆଡ଼େ ବାହାରିଗଲେ ଶୋଭା ଟିଭି ଖୋଲି ବସନ୍ତି, ପୁଅ ଝିଅଙ୍କୁ ଫୋନ କରି ଭଲ ମନ୍ଦ ବୁଝନ୍ତି । ଏମିତି ସବୁଦିନ ବିନା କୌଣସି ବାଧା ପ୍ରତିବନ୍ଧକ ରେ ସେମାନଙ୍କ ଜୀବନ ସାବଲୀଳ ଗତିରେ ଗୋଟିଏ ସରଳରେଖା ରେ ଆଗେଇ ଚାଲିଥାଏ ।

ଗୋବିନ୍ଦପୁର ରେ ସନ୍ତୋଷବାବୁ ଙ୍କ ସାଙ୍ଗସାଥୀ ମାନେ କେହି ଚିନ୍ତା କରିନଥିଲେ ସନ୍ତୋଷ ନିଜ ପରିବାର ସହ ସ୍ଥାୟୀ ଭାବେ ଆସି ଗାଁରେ ଘର ତୋଳି ରହିବେ । ସେମାନଙ୍କୁ ସନ୍ତୋଷଙ୍କ ରହଣି ଭଲ ଲାଗୁଥିଲା କି ନାହିଁ ଜଣା ନାହିଁ କିନ୍ତୁ ପୂର୍ବପରି ସନ୍ତୋଷ ଗାଁ କୁ ବୁଲି ଆସିଥିଲା ବେଳେ ସେମାନେ ଯେମିତି ଆସି ତାଙ୍କ ସହ ମିଳାମିଶା କରୁଥିଲେ ଏବେ ସବୁଦିନ ପାଇଁ ଫେରିଆସିଲା ପରେ ସେତେଟା ଆଉ ନମିଶି ଟିକେ ଖାପ ଛଡ଼ା ଭାବ ଦେଖେଇଲେ । ସନ୍ତୋଷ ଛକ ଉପରେ ଚିହ୍ନା ଲୋକଙ୍କ ସହ ବସି ଗପୁଥିଲା ବେଳେ ଯଦି କେବେ ପୀୟୂଷ କିମ୍ବା ପଲ୍ଲବୀଙ୍କ ଫୋନ ଆସିଯାଏ ଆଉ ସେ କଥା ହୋଇସାରିଲା ପରେ ଆଇ.ଆଇ.ଟି. କିମ୍ବା ମେଡିକାଲ କଲେଜ୍ ସମ୍ବନ୍ଧରେ କିଛି ତଥ୍ୟ ଉପସ୍ଥାପନ କରନ୍ତି ତେବେ ପାଖରେ ଥିବା ଗାଁର ସେହି ଆତ୍ମୀୟମାନଙ୍କ ମୁହଁରୁ ଉଜ୍ଜ୍ୱଳତା ଉଡ଼ିଗଲା ପରି ସନ୍ତୋଷ ଅନୁଭବ କରନ୍ତି ।

ସନ୍ତୋଷ ଏବେ ଯେବେ ଗାଁର କୌଣସି ପୂଜା, ଯାତ୍ରା କିମ୍ବା ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ସମ୍ବନ୍ଧୀୟ କଥାରେ ନିଜର ମତ ରଖନ୍ତି ନୂଆ କରି ମୁଣ୍ଡିଆଳ ସାଜିଥିବା ଗାଁର ଅର୍ଦ୍ଧଶିକ୍ଷିତ ବେକାରୀ ଯୁବକମାନେ ସନ୍ତୋଷଙ୍କ କଥା କୁ ତତକ୍ଷଣାତ ନାକଚ କରିଦିଅନ୍ତି ବିନା କୌଣସି ତର୍ଜମା କରି । ବୟସ୍କମାନେ ମଧ୍ୟ ସନ୍ତୋଷଙ୍କ ଠାରୁ ଆଉ ଆଗଭଳି ସୈନ୍ୟ ବିଭାଗ ର କାହାଣୀ ବିଷୟରେ ଶୁଣିବାକୁ ସୁଖ ପାଆନ୍ତିନାହିଁ । ଗାଁ ବାହାରେ ଗୁଡ଼ାଏ ଦିନ ବିତାଇ ପୁନଶ୍ଚ ନିଜ ଜନ୍ମ ମାଟିକୁ ଫେରିଆସିଥିବା ମାଟି ମନସ୍କ ଲୋକଟାକୁ ସେହି ମାଟି କାହିଁକି କେଜାଣି ପୁନର୍ବାର ଆପଣେଇନେବାରେ କୁଣ୍ଠାବୋଧ କରୁଥାଏ । ତଥାପି ସେ ହତୋଉତ୍ସାହିତ ନହୋଇ, ମନରେ କୌଣସି ଦ୍ୱନ୍ଦ୍ୱ ଓ ଗ୍ଲାନି ନରଖି ସଭିଙ୍କ ସହ ଖୁସି ଖୁସି ମିଶନ୍ତି ।

ସନ୍ତୋଷ ବୁଝୁଥିଲେ ଗାଁର ମାହୋଲ ଏବେ ଠିକ ନାହିଁ । ଏହା ତ କେଵଳ ଗୋବିନ୍ଦପୁର ର ସମସ୍ୟା ନୁହେଁ, ସାରା ଟା ଦେଶ ତ ଏହି ଅବସ୍ଥା ରେ । ସେ ବୁଝୁଥିଲେ ରାଜନୀତି ଗାଁ କୁ ତାଙ୍କର ଟୁକୁଡ଼ା ଟୁକୁଡ଼ା କରିଦେଇଛି । ମିଛ ପଲିଟିକ୍ସର ଉତ୍ତାପ ଗ୍ରାମ୍ୟ ପରିବେଷର ସବୁତକ ନିରୀହପଣକୁ ବାମ୍ପ ପରି ଉଡ଼େଇନେଇ ଗାଁ କୁ ତାଙ୍କର ଶୁଷ୍କ ଓ ନିରସ କରି ଦେଇଛି । ଏଇ ଗାଁ ରେ ଯେଉଁ ପୁତୁରାକୁ ବଞ୍ଚେଇରଖିବା ପାଇଁ କକାଟିଏ ଦିନେ ନିଜ ଦେହର ସବୁତକ ରକ୍ତ କୁ ପାଣି କରିଦେଉଥିଲା, ଆଜି ସେହି ପୁତୁରା-କକା ଭିନ୍ନ ଭିନ୍ନ ଦଳର ରାଜନୀତି ଜାଲରେ ଛନ୍ଦି ହେଇ ପରଷ୍ପର ପରଷ୍ପର ର ରକ୍ତ ପିପାସୁ ହେଇଯାଉଛନ୍ତି । ଗାଁରେ ଆଉ ଛୋଟମାନେ ବଡ଼ଙ୍କର ଆଦେଶ ମାନିବା କଥା ଛାଡ଼ ଉପଦେଶ କୁ ବି ଖାତିର କରୁନାହାଁନ୍ତି । ନୂଆ କିଛି ଜାଣିବା ବୁଝିବାର ମାଧ୍ୟମ ବି ବଦଳିଯାଇଛି । କେହି କାହାର ଆବଶ୍ୟକତା ଲୋଡୁ ନାହାଁନ୍ତି । ଗାଁ ମନ୍ଦିର ପିଣ୍ଡି ଓ ପଡିଆରେ ଆଉ ଏବେ କବି, ଗାଳ୍ପିକ, ଓଡ଼ିଆ ସାହିତ୍ୟ, କଳା ଓ ସଂସ୍କୃତିର ଚର୍ଚ୍ଚା ହେଉନାହିଁ । ଏବେ ଆଲୋଚନା ର ବିଷୟବସ୍ତୁ ସାଜିଛି 'କିଏ ଜିତିବ, କିଏ ହାରିବ' ଓ 'କିଏ ମାରିବ, କିଏ ମରିବ' । କେଉଁ ଦେଶ ଆମର ଶତ୍ରୁ, କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ କୁ ଜୋତା ପିନ୍ଧାଇଲେ ମାନିବ,କାହା ମୁହଁକୁ ଲଣ୍ଡାଏ ଛେପ ବା ପଚା ଅଣ୍ଡା ଫିଙ୍ଗିଲେ ତାକୁ ଶିକ୍ଷାଟେ ମିଳିବ , କେଉଁ ଦେଶ ଉପରେ ପରମାଣୁ ବୋମା ନିକ୍ଷେପ କରିବା ଏକଦମ ଠିକ ପଦକ୍ଷେପ ହେବ ଇତ୍ୟାଦି ଯେତକ ସବୁ ଖଳ ଓ ବିନାଶକାରୀ ଚିନ୍ତା ସଭିଙ୍କୁ ଏବେ ଘାରିଛି ।

ସାହି ପଡ଼ିଶାରେ ଯେ ସନ୍ତୋଷ ଓ ତାଙ୍କ ପିଲାମାନଙ୍କ ବ୍ୟତୀତ ଅନ୍ୟ କେହି ସଫଳତାର ସ୍ୱାଦ ଚାଖିନାହାଁନ୍ତି, ତାହା ଆଦୌ ଠିକ ନୁହେଁ । ବରଂ ଯେଉଁମାନେ ଗାଁରେ ରହି ପଢ଼ା ପଢ଼ି କରି ଉଚ୍ଚ ସ୍ଥାନ ଅଧିକାର କରିନେଇଛନ୍ତି, ସେମାନେ ଆଉ ଏହି ଗାଁରେ ରହିବାକୁ ପସନ୍ଦ ନକରି ସହରର ଚାକଚକ୍ୟତା କୁ ବାଛି ନେଇଛନ୍ତି । ସନ୍ତୋଷ ଏବେ ଏହି କିଛି ଦିନ ହେବ ଗାଁ ରୁ ବାଟ କାଟିଥିବା ସେହି ସାହସୀ ବ୍ୟକ୍ତିମାନଙ୍କ ନିଷ୍ପତିକୁ ଶହେ ପ୍ରତିଶତ ଠିକ ବୋଲି ବିବେଚନା କରୁଛନ୍ତି ମାତ୍ର ମୁହଁ ଖୋଲି ଶୋଭାଙ୍କୁ କିଛି କହିପାରୁନାହାଁନ୍ତି ।

ଶୋଭାଙ୍କ ମନର ଅବସ୍ଥା ସନ୍ତୋଷଙ୍କ ଠାରୁ ଆହୁରି ବଳି ଦୁଃଖଦାୟକ । ଗାଁର ସ୍ତ୍ରୀଲୋକମାନେ ତାଙ୍କ ଚାଲି ଚଳନ କୁ ବିଲକୁଲ ପସନ୍ଦ କରୁନାହାଁନ୍ତି, ଯଦିଓ ସେମାନଙ୍କ ତୁଳନାରେ ଶୋଭା କମ୍ ଆଧୁନିକା ମନେ ହେଉଛନ୍ତି । ଶୋଭାଙ୍କ ସହରୀ ଆଦବକାଇଦା କୁ ଅନ୍ୟ ପଡୋଶୀନି ମାନେ ତ କଟାକ୍ଷ କରିବା , ଇର୍ଷା କରିବା ସ୍ୱାଭାବିକ ହେଇପାରେ କିନ୍ତୁ ବିଡମ୍ବନା ଯେ ସନ୍ତୋଷଙ୍କ ନିଜ ବଡ଼ବାପା ଙ୍କ ଘରର ଝିଅ ବୋହୂମାନେ ମଧ୍ୟ ଶୋଭାଙ୍କ ପାଖକୁ ଫାଙ୍କା ସମୟରେ ଆସି ବସା ଉଠା କରୁନାହାଁନ୍ତି । ସନ୍ତୋଷଙ୍କ ବାପା ଓ ବଡ଼ବାପା ଉଭୟ ପରଲୋକରେ । ବଡ଼ବାପା ଙ୍କ ଦୁଇଟି ପୁଅ ମଧ୍ୟରୁ ବଡ଼ ପୁଅ ଅଶ୍ୱିନୀ ଭାଈ ଛକ ଉପରେ ଲୁଗା ଦୋକାନ କରିଛନ୍ତି । ସାନପୁଅ ମୋହନ୍ ଭାଈ କଟକରେ ସରକାରୀ କିରାଣୀ ଚାକିରୀ ଖଣ୍ଡେ କରି ସେଇଠି ନିଜ ପରିବାର ନେଇ ଅନେକ ଦିନ ହେବ ରହୁଛନ୍ତି । ଅଶ୍ୱିନୀ ବାବୁଙ୍କ ଘରକୁ ଲାଗି ସନ୍ତୋଷଙ୍କ ନିଜ ପୁରୁଣା ଆଟୁ ଚାଳ ଘର ଥିଲା । ବାପା ବୋଉ ଙ୍କ ଅନ୍ତେ ବଡ଼ ଦୟନୀୟ ଅବସ୍ଥା ରେ ଘରଟା ପଡିଥିଲା । ସେଇଟି କୁ ଭାଙ୍ଗି ସେ ଏହି ସୁନ୍ଦର ଛାତ ଘର ଟି ତୋଳିଛନ୍ତି ଠିକ ସେହି ଜାଗାରେ, ଭାଈ ଘର ବାଉଣ୍ଡାରୀ ୱାଲ୍ କୁ ଲଗେଇ ।

◾◾◾

ମାର୍ଗଶୀର ମାସ ପ୍ରଥମ ଗୁରୁବାର ଶୋଭା ଭୋରୁ ଉଠି ପୂଜା ସରଞ୍ଜାମ ଯୋଗାଡ଼ କରୁଥିଲେ । ଅଶ୍ୱିନୀ ବାବୁଙ୍କ ଘର ଆଡୁ ସୁମଧୁର ସ୍ୱରରେ ଲକ୍ଷ୍ମୀ ପୁରାଣ ର ଗୀତ ଭାସି ଆସିଲା । ଶୋଭା ତାଙ୍କ ଘର ଆଡ଼େ ଚାଲିଗଲେ ଦେଖିବା ପାଇଁ ବଡ଼ ଜା' ବୀଣାନାନୀ କଣ କରୁଛନ୍ତି । ଗେଟ୍ ଖୋଲା ଥିଲା । ଘର ଆଗରେ ଝିଆରୀ ସୋନାଲି ସୁନ୍ଦର ସୁନ୍ଦର ଝୋଟି ଚିତା ଆଙ୍କି ପକାଉଥିଲା । ଶୋଭାଙ୍କୁ ଖୁବ୍ ଖୁସି ଲାଗିଲା । ପାଖକୁ ଯାଇ ନିରିଖେଇ ସୋନାଲି ର ଚମତ୍କାର କାରୁକାର୍ଯ୍ୟ କୁ ଦେଖିଲେ । ସୋନାଲି ବି ଦେଖିଲା ଖୁଡୀ ଆସି ଠିଆ ହେଲେଣି । ବଡ଼ ପାଟିରେ ସେଇଠୁ ଥାଇ ବୋଉ କୁ ଡାକିଲା । ବୀଣା ଭିତରୁ ବାହାରି ଆସିଲେ । ବୀଣାଙ୍କୁ ଲକ୍ଷ କରି ଶୋଭା ହସି ହସି କହିଲେ, "ବାଃ ! ସୋନି ଆମର ବଢିଆ ଝୋଟି ପକାଉଛି । ମୁଁ ତ ଦେଖି ପୁରା ଆଚମ୍ବିତ ! ଜାଣିଛ ନାନୀ, ମୋତେ ଭଲ ଚିତା ପକେଇ ଆସେନି ବୋଲି ଗୋଟେ ଛାଞ୍ଚ ଆଣି କାଲି ଛପେଇ ଦେଇଛି । "

ବୀଣା ହସିଲେ ଓ କହିଲେ, "ହଁ ସୋନି ଘର ସାରା ସବୁଜାକ ଚିତା ନିଜେ ଆଙ୍କିଛି । ମୁଁ ହାତ ମାରିନି କୋଉଥିରେ । ଘରର ଯେତକ ସଫା ସଫି କାମ ପରା ସବୁ ସିଏ କରିଛି । "

: "ତୁମେ ବଡ଼ ଭାଗ୍ୟବତୀ ନାନୀ । ଆମ ପଲ୍ଲବୀ ତ ଆଜି ମାଣବସା ଗୁରୁବାର ବୋଲି ଜାଣି ବି ନଥିବ । ଘରକୁ ଆସିଲେ କେଵଳ ସେହି ଟିଭି, ମୋବାଇଲ ନହେଲେ ବହି । ୟା ବାହାରେ ଯେ ଆଉ ଗୋଟେ ଦୁନିଆଁ ଅଛି, ତାକୁ କହି କହି ମୁଁ ଥକ୍କି ଯାଏ । ଘରେ କଣ ସେ କିଛି କରେ ? କୁଟା ଖଣ୍ଡ କୁ ପରା ଦୁଇଖଣ୍ଡ କରିବନି । "

ଶୋଭାଙ୍କର ଏହି ଦୁଇ ଚାରି ପଦ କଥାରେ ଏମିତି କଣ ଭୁଲ ରହିଗଲା ଯେ ବୀଣାଙ୍କର ହସ ହସ ମୁହଁଟା ସଙ୍ଗେ ସଙ୍ଗେ ବିରକ୍ତି ଓ ରାଗରେ ମିଶା ମିଶି ଗୋଟେ ବଲୁରି ବସା ପରି ଦିଶିଲା । ଗୋଟେ ଦମ୍ଭୀଲା ସ୍ୱରରେ କହିଲେ, "ହଁ ମାଆ ଯେମିତି ଶିଖେଇବ ଛୁଆ ସେମିତି ହେବ । ପାଠ କଣ ସୋନି ପଢୁନି ? ମାଟ୍ରିକ୍, ପ୍ଲସ୍ ଟୁ ସବୁଥିରେ ତାର ଫାର୍ସ୍ଟ୍ କ୍ଲାସ୍ । ଆମେ ଝିଅ ପିଲାଟା ବୋଲି କେଵଳ ଦୂରକୁ ନଛାଡି ସିନା ତାକୁ ଗାଁ କଲେଜ୍ ରେ ପଢ଼ାଉଛୁ, ନହେଲେ ସେ କଣ ବଡ଼ କଲେଜ ରେ ପଢ଼ିବା କୁ ଅଯୋଗ୍ୟ? ବାପା ମାଆଙ୍କୁ ଛାଡ଼ି ହଷ୍ଟେଲ ରହି ଝିଅମାନେ କଣ ସବୁ କରୁଛନ୍ତି ଆମେ କଣ ଆଉ ଜାଣୁନୁ ନାଁ ଦେଖୁନୁ । ଏଇ ଅଳ୍ପଦିନ ତଳେ ପରା ଆମେ ଟିଭି ରେ ଦେଖୁଥିଲୁ ଡାକ୍ତରୀ ଛାତ୍ରମାନେ କେମିତି ଗଣ୍ଡଗୋଳ କରି ଥାନା କୁ ଯାଉଥିଲେ । ଯେତେ ପଢ଼ିଲେ କଣ ହେବ, ସଂସ୍କାର ନଥିଲେ ସେ ପାଠ କୋଉ କାମକୁ ନୁହେଁ " ।

ଶୋଭା ଏମିତି ଗୋଟେ ଅଜବ ଜବାବ ଆଦୌ ଆଶା କରୁନଥିଲେ । ସେ ଏତେ ବୋକା ନୁହଁନ୍ତି ଯେ ତାତ୍ସଲ୍ୟ ଟା ବୁଝିପାରିବେନି । ସେ ଝିଆରୀ ଆଡ଼କୁ ଆଉଥରେ ଦେଖିଲେ । ସୋନାଲି ବି ଅପ୍ରସ୍ତୁତ ଜଣାଗଲା । ତାଙ୍କୁ ଲାଗିଲା ସେ ବୋଧେ ତା ବୋଉର କଥାରେ ଲଜ୍ଜିତ । ଶୋଭା ସେମାନଙ୍କ ଠାରୁ ବିଦାୟ ନେବାକୁ ଚାହିଁଲେ ଓ ପୁଣିଥରେ ସୋନାଲି କୁ ଅନେଇ କହିଲେ, "ହଉ ତୁମେ ମାଆ, ଝିଅ ମିଶିକରି ପୂଜା ଆରମ୍ଭ କର । ମୁଁ ତ ଏକୁଟିଆ ଲୋକ । ଯାଏ ସବୁ ଯୋଗାଡ଼ କରିବି । ସୋନି ତୋର କାମ ସରିଲେ ଆମ ଘର ଆଡ଼େ ଆସିବୁ ମାଆ । କେତେବେଳେ ତ ଟିକେ ଖୁଡୀ କେମିତି ଅଛନ୍ତି ଦେଖିବାକୁ ଯାଉନୁ ।"

ସୋନାଲିର ଉତ୍ତର ଟା ଏମିତି ଥିଲା ଯେ ତାହା ବି ଶୋଭାଙ୍କୁ ଟିକେ ଅଖାଡୁଆ ଲାଗିଲା ।

--ଖୁଡୀ ! ମତେ ବେଳ କାହିଁ ତୁମ ପାଖରେ ଯାଇ ବସି ଗପିବାକୁ ? କଲେଜ୍, ଟିୟୁସନ୍,କମ୍ପୁଟର୍ କ୍ଲାସ, ଆର୍ଟ୍ କ୍ଲାସ୍ ରୁ ମୋତେ ଫୁରସତ ମିଳିଲେ ତ ଯିବି ? ତା ଛଡ଼ା ତୁମର ତ ସବୁବେଳେ ଗେଟ୍ ବନ୍ଦ । ମୋତେ ଖରାପ ଲାଗେ ବାହାରେ ଯାଇ ଠିଆ ହୋଇ ବେଲ୍ ଦେବାପାଇଁ । ଗାଁରେ ସମସ୍ତଙ୍କର କବାଟ, ଗେଟ୍ ସବୁବେଳେ ଖୋଲା ରହେ । ତୁମେ ଖୋଲା ରଖୁନ ? କାହିଁକି ସବୁବେଳେ ଗେଟ୍ ରେ ତାଲା ଟେ ଦେଉଛ ?

"ତୁମ କକା ଦେଇଛନ୍ତି ଗାର୍ଡେନ୍ ର ଫୁଲ ପାଇଁ । ଗାଁରେ ତ ଜାଣିଥିବ.. "

ଶୋଭା କଥା ଶେଷ କରିନାହାଁନ୍ତି ବୀଣା ପୁଣି ଥରେ ଉଚ୍ଚ ସ୍ୱରରେ କହିଲେ, "ଇଏ କି କଥା ? ଗାଁ କଣ ଆଉ ଆଗ ଭଳି ଅଛି ? ଆଉ କାହାର ଛାତ ଘର ନାହିଁ ନା ଆଉ କେହି ବଗିଚାରେ ଦାମିକା ଫୁଲ ଗଛ ଲଗାଉନି ଯେ ତୁମ ଗେଟ୍ ଡେଇଁ ଲୋକେ ତୁଚ୍ଛା ଫୁଲ ଛିଡେଇବେ? ଆଉ କାହାକୁ କହିବନି ମ? "

ମାଆ ଝିଅ ଦୁହେଁ ହସିଲେ । ଶୋଭାଙ୍କୁ ବଡ଼ ଅପମାନ ବୋଧ ହେଲା । ସେ ଚୁପଚାପ ସେହି ହାସ୍ୟରୋଳ କୁ ଡେଇଁ ଗେଟ୍ ପାରକରି ବଡ଼ ବଡ଼ ପାଦ ପକେଇ ନିଜ ଘରକୁ ଚାଲିଆସିଲେ ।

ଶୋଭା ଲକ୍ଷ କରୁଥିଲେ ସନ୍ତୋଷ ସଞ୍ଜ ସକାଳେ ଆଉ ଏତେଟା ଛକ ବଜାର କିମ୍ବା ଗାଁ ପଡ଼ିଆ ଆଡ଼େ ବୁଲି ଯାଉନାହାଁନ୍ତି । କେଵଳ ସୌଦା ଓ ପରିବା ପାଇଁ ଯାହା ହାଟ ବଜାର ଯାଉଛନ୍ତି ହାଟ ପାଳି ଦେଖି । ବାକି ସମୟରେ କିନ୍ତୁ ଆଉ ଗାଁ ଲୋକଙ୍କ ସହ ବସି ମନ୍ଦିର ପିଣ୍ଡିରେ ଆଗଭଳି ଖଟି କରୁନାହାଁନ୍ତି । ଶୋଭା ଓ ସନ୍ତୋଷଙ୍କ ପ୍ରତି ଗାଁଲୋକଙ୍କର ଅସହିଷ୍ଣୁତା ବାରି ହେଇପଡୁଥିଲା ବେଳେ ଆହୁରି ମଧ୍ୟ ଗୋଟେ ଦୁଇଟି ପରିବାର ଏମିତି ଥିଲେ ଯେଉଁମାନେ ସମରୂପେ ସନ୍ତୋଷଙ୍କ ପରିବାର ପରି ଗାଁ ଲୋକଙ୍କ ଅସହିଷ୍ଣୁତାର ଶିକାର ହେଉଥିଲେ । କିନ୍ତୁ ସେହି ପରିବାର ଗୁଡ଼ିକ ଗାଁର ପ୍ରତ୍ୟେକ ଛୋଟ ବଡ଼ ଘଟଣାବଳି ଠାରୁ ନିଜ ନିଜ ପରିବାର କୁ ନିରାପଦ ଦୂରତାରେ ରଖୁଥିଲେ । କୌଣସି କଥାରେ ମୁଣ୍ଡ ନାକ ନପୁରାଇ ଗାଁରୁ ବାଛନ୍ଦ ହେଲାପରି ରହୁଥିଲେ । ଏବେ ଶୋଭା ଓ ସନ୍ତୋଷଙ୍କ ଅବସ୍ଥା ମଧ୍ୟ ସେପରି ହେବାକୁ ଯାଉଥିଲା । ପିଲାଦିନେ ଗାଁରେ ଥିଲାବେଳେ ସହରୀ ଜୀବନ କୁ ସେ ଯେପରି କଳ୍ପନା କରିଥିଲେ ଏବେ ବିଭିନ୍ନ ସହରରେ ରହଣି ସାରି ଗାଁକୁ ଫେରିଆସି ସେହିପରି ଜୀବନଟେ ନିଜ ଗାଁରେ ଆବିଷ୍କାର କରୁଥିଲେ । ଅତ୍ମୀୟତା ବିହୀନ ଓ ନିରୋଳା ଏକ ନିସଙ୍ଗତା ରେ ପରିପୂର୍ଣ୍ଣ ଗ୍ରାମ୍ୟ ଜୀବନ । ସେହି ନଦୀ, ପଡ଼ିଆ, ମନ୍ଦିର, ଆମ୍ବ ତୋଟା ପିଲାଦିନର ସାକ୍ଷୀ ଓ ନୀରବ ସ୍ମୃତି ହୋଇ ଠିଆ ହେଇଛନ୍ତି କିନ୍ତୁ ପୂର୍ବର ସେହି ସ୍ନେହଁ, ସୌହାର୍ଦ୍ୟ ଓ ପ୍ରେମ ଗୁଡିକ ଧୀରେ ଧୀରେ ରୁକ୍ଷତାକୁ ରୂପାନ୍ତରିତ ହୋଇଯାଉଛି ।

◾◾◾

ସନ୍ତୋଷ ଓ ଶୋଭାଙ୍କ ବିବାହ ବାର୍ଷିକୀ ଥିଲା । ଓଡିଶା ବାହାରେ ଥିଲାବେଳେ ଖୁବ ଜାକଜମକ ରେ ପୀୟୂଷ , ପଲ୍ଲବୀ, ସେମାନଙ୍କ ଫ୍ରେଣ୍ଡ୍ସ ଓ କଲୋନୀବାସୀ ଙ୍କ ସହ ଉଭୟ ପତି ପତ୍ନୀ ଖୁବ ଉତ୍ସାହ ରେ ବଡ଼ ପାର୍ଟୀ ଗୋଟେ ଆରେଞ୍ଜ୍ କରି ସେଲିବ୍ରେଟ୍ କରନ୍ତି । ସେହି କଥା ମନେ ପକେଇ ସ୍ୱାମୀ, ସ୍ତ୍ରୀ ଦୁହେଁ ଉଦାସ ହେଇଯାଉଥିଲା ବେଳେ ପୀୟୂଷ ଫୋନ କଲା । ସେ ଓ ପଲ୍ଲବୀ ମାମା, ପାପା ଙ୍କ ୱେଡିଙ୍ଗ୍ ଆନିଭର୍ସାରି ସେଲିବ୍ରେଟ୍ କରିବା ପାଇଁ ଓଡିଶା ଆସୁଛନ୍ତି ଜଣେଇଲା । ଶୋଭା ଓ ସନ୍ତୋଷ ଚଞ୍ଚଳ ହୋଇଉଠିଲେ । ଅନେକ ଦିନ ହେବ ପିଲାମାନଙ୍କୁ ଦେଖିନଥିଲେ । ଆନିଭର୍ସରୀ ର ଖୁସି ଅପେକ୍ଷା ନିଜ ପୁଅ ଝିଅଙ୍କୁ ପାଖରେ ପାଇବାର ଉତ୍କଣ୍ଠା ଓ ଆନନ୍ଦରେ ବାପମାଆ ଦୁଇଜଣଙ୍କ ମନ ଭରିଉଠୁଥିଲା ।

ସନ୍ତୋଷ ନିଜ ଗାଁରେ ଓ ପାଖଗାଁରେ ଥିବା ନିଜର ସମସ୍ତ ବନ୍ଧୁଙ୍କୁ ସେମାନଙ୍କ ପରିବାର ସହ ବିବାହ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଛୋଟିଆ ଭୋଜିଟି ପାଇଁ ନିମନ୍ତ୍ରଣ କଲେ । ଏପରି ଭୋଜି ଗାଁରେ ପ୍ରଥମ ଥର ପାଇଁ କିଏ ଦେଉଥିବାରୁ ଅତିଥିମାନେ ନିଜ ନିଜ ଭିତରେ ଚୁପଚାପ କଣ ସବୁ ଆଲୋଚନା କରୁଥିଲେ । ଉପସ୍ଥିତ ବନ୍ଧୁଙ୍କ ସାମ୍ନାରେ ପୀୟୂଷ ନିଜ ପାପା,ମାମା ଙ୍କୁ ସୁନ୍ଦର ଏକ ଉପହାର ଦେବ ବୋଲି ଘୋଷଣା କଲା ଓ ପଲ୍ଲବୀ କୁ ଡାକି ଗୋଟାଏ ପେପର୍ ଓ ନିଜ ସ୍ମାର୍ଟ ଫୋନ ଆଣି ବାପମାଆ ଙ୍କ ଆଗରେ ରଖିଲା ।

: "ଆରେ କଣ ଏଇଟା ? "

: "ପାପା ଦେଖ, ମୁଁ ଏହି ପ୍ରତିଷ୍ଠିତ କମ୍ପାନୀର ମ୍ୟାନେଜର ପୋଷ୍ଟ ରେ ଆପଏଣ୍ଟ ହେବା ପାଇଁ ଯୋଗ୍ୟ ବିବେଚିତ ହେଇଛି । ଏଇଟା ମୋ ଆପଏଣ୍ଟମେଣ୍ଟ୍ ଲେଟର୍ ।"

ଭାରତର ଏକ ବଳିଷ୍ଠ ଓ ସୁପ୍ରସିଦ୍ଧ କମ୍ପାନୀରେ ପୀୟୂଷ ମ୍ୟାନେଜର ଭାବେ ପୋଷ୍ଟିଙ୍ଗ ପାଇବାର ଖୁସିଠୁ ବଡ଼ ଉପହାର ସନ୍ତୋଷ ଓ ଶୋଭାଙ୍କ ପାଇଁ ଆଉ କିଛି ନଥିଲା । ତେଇଶ ବର୍ଷ ତଳେ ସେମାନଙ୍କ ପ୍ରଥମ ବିବାହ ବାର୍ଷିକୀର ଠିକ ଦଶଦିନ ପରେ ସବୁଠୁ ସୁନ୍ଦର ଉପହାର ରୂପେ ପୀୟୂଷ କୁ ସେମାନେ ପାଇଥିଲେ । ସେଦିନ ବି ଆଜିପରି ସେମାନେ ଖୁସିରେ ଆତ୍ମହରା ହେଇଯାଇଥିଲେ । ଶୋଭାଙ୍କ ଆଖିରେ ଆନନ୍ଦର ଲୁହ । ପୁରା ପରିବାର ବେଶ୍ ଖୁସି ଜଣାପଡୁଥିଲା ବେଳେ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରୁ ଅନେକଙ୍କ ମୁହଁକୁ ହଠାତ ବିଷାଦର କଳା ବାଦଲ ଢାଙ୍କି ଦେଲା ପରି ମନେ ହେଉଥିଲା । ସବୁଠୁ ବେଶି ଦୁଃଖୀ ଜଣାପଡୁଥିଲେ ଅଶ୍ୱିନୀ ଓ ବୀଣା । ସେମାନେ ଶୀଘ୍ର ସେ ସ୍ଥାନ ଛାଡ଼ି ଚାଲିଯିବା ପାଇଁ ତରବର ହେଲେ । ବୀଣା ଉପବାସ ରଖିଥିବା କହି କିଛି ନଖାଇ ଫେରିଗଲେ । ପୀୟୂଷ ଓ ପଲ୍ଲବୀ ସେମାନଙ୍କର ଏପରି ହାବଭାବର କାରଣ କଣ ବୁଝିପାରୁନଥିଲେ । "ହଁ ଗାଁର ଲୋକମାନେ ଟିକେ ଲାଜକୁଳା । କାହାକୁ ଏମିତି ହଠାତ କଙ୍ଗ୍ରାଚୁଲେସନ୍ସ କହିପାରନ୍ତିନି",ପଲ୍ଲବୀ ଭାଈର କାନରେ ଧୀରେ କରି କହିଲା ।

ପଲ୍ଲବୀ ଓ ପୀୟୂଷ ନିଜ ନିଜ ସ୍ଥାନକୁ ଚାଲିଯାଇଥିଲେ । ସେମାନଙ୍କ ମାର୍ଜିତ ଓ ଶାଳୀନ ବ୍ୟବହାର ମଧ୍ୟ ଗାଁର ତଥାକଥିତ ଆତ୍ମୀୟ ମାନଙ୍କୁ ପସନ୍ଦ ଆସୁନଥିଲା । କିଛି ଜଣ ଏକଦମ ଏକଜୁଟ ହୋଇ କେଵଳ ସେହି ଗୋଟିଏ ପରିବାରର ଖୁଣ ବାହାରକରିବାରେ ବ୍ୟସ୍ତ ହୋଇପଡିଥିଲେ । ଶୋଭାଙ୍କ ସହ କଥା ହେବା ତ ଦୂରେ ଥାଉ ବୀଣା ତାଙ୍କୁ ଦେଖିଲେ ହିଁ ମୁହଁ ବୁଲେଇ ନେଉଥିଲେ । ଯେବେଠୁଁ ପୀୟୂଷ ର ଚାକିରୀ ହେଇଯିବା ଖବର ଟା ମିଳିଲାଣି ସେବେଠାରୁ ଗାଁ ଲୋକେ ସନ୍ତୋଷଙ୍କ ଠାରୁ ମଧ୍ୟ ବେଶି ବେଶି ଦୂରେଇବା ଆରମ୍ଭ କଲେଣି ।

ପଲ୍ଲବୀର ଏମ୍.ବି.ବି.ଏସ୍ ଚତୁର୍ଥ ସେମିଷ୍ଟାର ପରୀକ୍ଷାର ଫଳ ବାହାରିଲା । ସେ କଲେଜ୍ ରେ ତା ବ୍ୟାଚ୍ ରେ ସର୍ବାଧିକ ନମ୍ବର ରଖି ଟପର୍ ହେଇଥିଲା । ସନ୍ତୋଷ ବଡ଼ ପାଟିକରି ଶୋଭାଙ୍କୁ ଡାକୁଥିଲେ ଖୁସି ଖବରଟା କହିବାପାଇଁ । ଶୋଭା କିଚେନ୍ ରୁ ରାଗ ତମ ତମ ହେଇ ବାହାରି ଆସିଲେ ।

: "କାହିଁକି ଏତେ ବଡ଼ ପାଟି କରୁଛ ? ମୁଁ ଜାଣିଛି । ସେ ହ୍ୱାଟ୍ସଅପ ରେ ମୋତେ ମେସେଜ ଦେଇଛି । ଏତେ ବଡ଼ ପାଟି କରୁଛ କଣ ସାରା ଗାଁ କୁ ଜଣେଇବ ? ଧୀରେ କହିଲେ ହେଉନାହିଁ ? କିଏ ଯଦି ବାହାରୁ ଥାଇ ଶୁଣେ ? "

: "ଶୁଣୁ । କଣ ହେଲା ସେଇଠୁ ? ଆମ ଝିଅ ଟପର୍ ହେଇଛି । କଣ କ୍ରାଇମ୍ କରିଛି ନାଁ କଣ ଡ଼ରିକି ଧୀରେ କହିବି ? "

: "ତୁମ ଗାଁରେ, ତୁମ ଭିଟାମାଟିରେ ଟପର୍ ହେବା ବି ଅପରାଧ । ମୁଁ ଆଗରୁ ଜାଣିନଥିଲି ମ, ଏବେ ଜାଣୁଛି । ଶୁଣ,ତୁମକୁ ମୁଁ ନେହୁରା ହେଉଛି ପ୍ଲିଜ୍ ଏଠି ତୁମେ କାହା ସହ ଆମ ପିଲାଙ୍କ ବିଷୟରେ କିଛି ଆଲୋଚନା କରିବନି । ପ୍ଲିଜ୍... ।"

ସନ୍ତୋଷ ଓ ଶୋଭା କଥା ହେଉଥିବା ଭିତରେ ବାହାରେ ଗୋଟେ କଣ ପାଟି ଗୋଳ ଓ ହୋ ହାଲ୍ଲା ଶବ୍ଦ ଶୁଭିଲା । ଦୁହେଁ ଦାଣ୍ଡ କବାଟ ଖୋଲି ଦେଖିଲେ ଅଶ୍ୱିନୀ ବାବୁଙ୍କ ପୁଅ ମୁନା ଖୁବ ଜୋରରେ ରାସ୍ତାରେ ଚିତ୍କାର କରୁଛି । ବେହେରା ସାହିର ଦୁଇଟା ପିଲାଙ୍କ ସହ ଧସ୍ତା ଧସ୍ତି କରୁଛି । ଚାହୁଁ ଚାହୁଁ ସେ ପିଲାଦୁଇଜଣ ମୁନାକୁ ତଳେ କଚାଡ଼ି ପିଟିବାକୁ ଲାଗିଲା । ଶୋଭା ମନା କରିବା ସତ୍ୱେ ସନ୍ତୋଷ ଗେଟ୍ ଖୋଲି ବାହାରକୁ ଯାଇ ମୁନାକୁ ତଳୁ ଉଠେଇଲେ । ଘଟଣା କଣ ବୁଝିଲା ବେଳକୁ ଜାଣିଲେ, ରାତିରେ କୁଆଡ଼େ ଜୁଆ ଖେଳରେ ହାରି ମୁନା କିଛି ଟଙ୍କା ହରେଇଥିଲା ଓ ହାରିଲାପରେ ଜୋର କରି ନିଜ ଟଙ୍କା ସହ ଏମାନଙ୍କ ଟଙ୍କା ବି ଛଡ଼େଇ ନେଇ ପଳେଇ ଆସିଥିଲା । ଏବେ ସେହି କଥାକୁ ନେଇ ମାଡ଼ପିଟ୍ ଓ ଗଣ୍ଡଗୋଳ ।

ଅଶ୍ୱିନୀ ବାବୁ ଟଙ୍କା ଦେଇ ସେ ପିଲାଦୁଇଟାଙ୍କୁ ସେଠୁ ଯିବାକୁ କହିଲେ । ଭିଡ଼ ଭାଙ୍ଗିଗଲା । ସନ୍ତୋଷ ମୁନା କୁ ଧରି ଅଶ୍ୱିନୀଙ୍କ ଘରକୁ ନେଉଥିଲେ ମୁନା ରାଗରେ ତାଙ୍କ ହାତକୁ ଛାଟିଦେଲା । ସନ୍ତୋଷ ତଳେ କଚାଡ଼ି ପଡୁ ପଡୁ ବାଡ଼ ଧରି ଅଟକି ଗଲେ । ଅଶ୍ୱିନୀ ମଧ୍ୟ ସନ୍ତୋଷଙ୍କୁ ରାଗିଲା ଚାହାଣୀ ରେ ବୁଲିକରି ଦେଖିଲେ । ସନ୍ତୋଷ ମୁହଁ ତଳକୁ କରି ସେଠୁ ପଳେଇ ଆସିଲେ ।

ସେଦିନ ସନ୍ଧ୍ୟାରେ ମନ୍ଦିର ପିଣ୍ଡିରେ ଓ ଅଶ୍ୱିନୀଙ୍କ ଘରେ ଗାଁର କିଛି ମୁଣ୍ଡିଆଳ ଲୋକଙ୍କ ଘମାଘୋଟ କଣ ସବୁ ଆଲୋଚନା ଚାଲିଲା । ଚାରିଦିନ ଛାଡ଼ିକରି ଚକବନ୍ଦୀ ଅଫିସ ରୁ ଦୁଇଜଣ ଲୋକ ଆସି ଅଶ୍ୱିନୀ ଓ ସନ୍ତୋଷ ଙ୍କ ଜାଗା ବାଡ଼ି ମାପ କରିବା କଥା କହିଲେ । ସନ୍ତୋଷ କିଛି ବୁଝିପାରୁନଥିଲେ । ମାପଚୁପ ହେଲା । ପୁରୁଣା ଓ ନୂଆ ନକ୍ସା ମିଳେଇ ଦେଖାଗଲା । ଘରଢ଼ୀହ ଓ ଜାଗାବାଡି କୁ ନେଇ ତାଙ୍କ ବାପା ଓ ବଡବାପାଙ୍କର ଅତୀତରେ କୌଣସି ଦ୍ୱନ୍ଦ୍ୱ ନଥିଲା । ସେଥିପାଇଁ ଯିଏ ଯୋଉଠି ଇଚ୍ଛା ଗାଁ ଭିଟାମାଟି ରେ ଘର ତୋଳି ରହୁଥିଲେ । ସନ୍ତୋଷଙ୍କ ବାପା କହୁଥିଲେ, "ଭଗବଣ୍ଟା ଗୋଟେ କଣ ? ମଣିଷ ଗଲା ବେଳକୁ କେତେ ଗଜ ଜାଗା ସାଙ୍ଗରେ ନେଇଯିବ ଯେ ସେଥିପାଇଁ ଗୋଟେ ଏଠି ମାପ ଚୁପ କରି ଘର କରିବ ! ଭାଈ ସେଇଠି ଦୁଇ ବଖରା ଛପର ପକେଇଲେ, ମୁଁ ତାଙ୍କ ଘରକୁ ଲାଗି କୁଡ଼ିଆ ଟେ ତୋଳିଦେବି । ଭାଈ ଭାଈ ଭିତରେ ଭାଗମାପ ଆଉ କଣ? "

ସନ୍ତୋଷ ବାପାଙ୍କର ସେହିକଥାକୁ ମନରେ ବାନ୍ଧି ରଖିଥିଲେ । କେଵଳ ସେଇଥିପାଇଁ ଘର କଲାବେଳେ ଆଉ ମାପଚୁପ ନକରି ପୁରୁଣା ଚାଳଘରକୁ ଭାଙ୍ଗି ସେହି ଜାଗାରେ ନୂଆଘର ତୋଳିଦେଇଥିଲେ । କିନ୍ତୁ ଏତେଦିନ ପରେ ଅଶ୍ୱିନୀ ଭାଈ ଏମିତି ଗୋଟେ କାମ କରିବେ ତାଙ୍କ ଚିନ୍ତାର ବାହାରେ ଥିଲା କଥାଟା ।

କୋର୍ଟ ରୁ ନୋଟିସ୍ ଆସିଲା । ଲେଖାଥିଲା ଅଶ୍ୱିନୀଙ୍କ ଜାଗାକୁ ମାଡିବସି ସନ୍ତୋଷ ଘର କରି ନେଇଛନ୍ତି । ଅଶ୍ୱିନୀ ଜାଗା ଚାହୁଁଥିଲେ । ସନ୍ତୋଷ ଟଙ୍କା ଦେବାକୁ ରାଜିଥିଲେ ଓ ବୁଝାମଣା କରିବାପାଇଁ ନିଜ ଆଡୁ ହାତ ବଢା଼ଉଥିଲେ । କୋର୍ଟ କଚେରୀ ନଯାଇ ଆପୋଷ ସମାଧାନ କରେଇନେବାକୁ ନେହୁରା ହେଲେ ଉଭୟ ଶୋଭା ଓ ସନ୍ତୋଷ । ଅଶ୍ୱିନୀ ଓ ବୀଣା କିନ୍ତୁ କୌଣସି କଥା ଶୁଣିବାକୁ ରାଜିହେଲେନାହିଁ । କଥାଟା ଯେ ଆଉ ଦୁଇ ଗଜ ଜାଗାର ନଥିଲା, ଥିଲା ସେମାନଙ୍କ ଛାତିରେ ଅସହିଷ୍ଣୁତାରେ କୁହୁଳୁଥିବା ଦୁଇହୁଳା ନିଆଁର । ସେମାନେ ଆଉ ମାନନ୍ତେ କେମିତି !! ଏଇ ଇର୍ଷା ଓ କ୍ରୋଧର ନିଆଁ ସବୁଠି ଚରିଯାଇଥିଲା । କ୍ରମେ ମାଡି ମାଡି ଆସି ଗାଁର ଅଧିକାଂଶ ନିରୀହ ଲୋକଙ୍କ କୋମଳ ହୃଦୟ ଓ ମନକୁ ଜାଳିପୋଡି ଅଙ୍ଗାର କରିସାରିଥିଲା ।

ଲୋକଙ୍କ ମାନସିକତା ମଧ୍ୟ ଅଦ୍ଭୁତ । କାହାର କିଛି କ୍ଷତି ହେଲେ ଲୋକେ ତାକୁ ସହାନୁଭୂତିରେ ପୋତି ପକାନ୍ତି । ସେହି ବ୍ୟକ୍ତିର ସଫଳତା ପୁଣି ଲୋକଙ୍କୁ ଇର୍ଷାନ୍ୱିତ କରିପକାଏ । ବିଫଳ, ଅସହାୟ ଲୋକଟିକୁ ଆହାଃ ଚୁ ଚୁ କରନ୍ତୁ ଅବା ନାହିଁ , କିନ୍ତୁ ସଫଳ ବ୍ୟକ୍ତିକୁ ନିଶ୍ଚିତ ରୂପେ ନିଜର ଶତ୍ରୁ ଭାବି ନିଅନ୍ତି । ଗାଁର ଲୋକଙ୍କ ଏମିତି ପରିବର୍ତ୍ତିତ ମନୋଭାବ କୁ ଦେଖି ସନ୍ତୋଷ ଏକଦମ ଭାଙ୍ଗିପଡୁଥିଲେ । ବିଶେଷକରି ଅଶ୍ୱିନୀ ଭାଈ ତାଙ୍କ ପରିବାର ଉପରେ ଅକାରଣେ ଶତ୍ରୁତା ଆଚରଣ କରିବା ସନ୍ତୋଷଙ୍କ ନିଜ ସହନଶକ୍ତିର ବାହାରେ ଥିଲା । ସେ ଶାନ୍ତିରେ ଆତ୍ମୀୟଙ୍କ ଗହଣରେ ଦିନ କାଟିବାକୁ ଗାଁକୁ ଫେରିଥିଲେ । କୋର୍ଟ କଚେରୀ ମାମଲା ରେ ପଶିବାକୁ ଆଦୌ ଚାହୁଁନଥିଲେ । ପୀୟୂଷକୁ ଏସବୁ ବିଷୟରେ କହିବା ବି ଉଚିତ ମଣୁନଥିଲେ । କଣ କରିବେ ନକରିବେ କିଛି ଠିକ କରିପାରୁନଥିଲା ବେଳେ ଗାଁଲୋକଙ୍କ ବ୍ୟବହାର ଦିନକୁ ଦିନ ଅସହ୍ୟ ହେଉଥିଲା । ସେହି ଜାଗାବାଡ଼ି କଥା କୁ ନେଇ ନାନା ଲୋକ ନାନାଦି କଥା କହୁଥିଲେ । ବୀଣା ଭାଉଜ ଅଯଥାରେ ଶୋଭା ଓ ସନ୍ତୋଷ ଙ୍କୁ ଦେଖେଇ ଦେଖେଇ ଗାଳି କରୁଥିଲେ ।

◾◾◾

ରବିବାର ସକାଳ । ଖୁବ ଶୀଘ୍ର ବିଛଣା ଛାଡ଼ି ସନ୍ତୋଷ ଉଠିଲେ । ଘର ଚାରିପଟେ ବୁଲି ଆସିଲେ । ଜାଗା ମାପଚୁପ ହୋଇ ଚାରିପଟେ ଖୁଣ୍ଟି ବସିଥିଲା । ସନ୍ତୋଷଙ୍କ ଘର ଚାରିପାଖର ସିମେଣ୍ଟ ପାଚେରୀଟା ଭାଙ୍ଗିଲା ପରେ ଭିତରକୁ ପଶିଲେ ପୋର୍ଟିକୋ ତଳକୁ ହେଇଥିବା ଚଟାଣ ଆଉ ଗାର୍ଡେନର କିଛି ଅଂଶ ଥିଲା ଅଶ୍ୱିନୀଙ୍କ ଭାଗର ଜାଗା । ସେ ମନେ ମନେ ଭାବିଲେ, "ବଡ଼ ବାପାଙ୍କ ସାନ ପୁଅ, ମୋହନ ଭାଈଙ୍କ ସହ କଥା ହେବି କି ? ନାଁ କିଛି ଲାଭ ନାହିଁ । ସେ ତ ଦସ୍ତଖତ ଦେଇଛନ୍ତି । ଏ ଭଙ୍ଗା ଭଙ୍ଗି ଦେଖିବା ମୋ ପକ୍ଷେ ସମ୍ଭବ ନୁହେଁ । ଏତେ ଜାଗା ଥାଉଁ ଥାଉଁ... " ।

ସନ୍ତୋଷ ଭାବନା ରେ ପୂର୍ଣ୍ଣଛେଦ ଟାଣି ଆସି ପୋର୍ଟିକୋ ରେ ବସିଲେ । ଶୋଭା ଚା' ଆଣି ଥୋଇଲେ । ସନ୍ତୋଷ ଚା' ଟା ନନେଇ କୁଆଡ଼େ ଗୋଟେ ଫୋନ ଲଗେଇଲେ ।

: ହାଲୋ ନିରଞ୍ଜନ । କୋଉଠି ଏବେ ? ଦିଲ୍ଲୀରେ । ଭଲ ଭଲ । ଆରେ ତୋର ଯେଉଁ ଘର ଟା ଭୁବନେଶ୍ୱର ରେ ବନେଇଥିଲୁ, ସେଠି ଏବେ ରହୁଛି କିଏ ? ତାଲାଦେଇ ପଳେଇଛୁ ନାଁ ଭଡା ଲଗେଇଦେଇଛୁ ? କଣ ହେଲା ଭଡ଼ାଟିଆ ଖୋଜୁଛୁ ? ତୋ ଖୋଜିବା ଶେଷ ହେଲା ଜାଣେ ।

ସନ୍ତୋଷ ଆଉ କିଛି ସମୟ କଥା ହେଇ ଫୋନ ରଖିଲେ । ତାଙ୍କ ଚା' ଥଣ୍ଡା ହେଇଯାଇଥିଲା । ଶୋଭାଙ୍କ ଚା' କପ ଉପରେ ସରଟେ ପଡ଼ିଯାଇଥିଲା ଓ ସେ ହାଁ କରି ସ୍ୱାମୀଙ୍କ ମୁହଁକୁ ଚାହିଁଥିଲେ ।

: ଆରେ ଦେଖୁଛ କଣ ? ଚା' ଟା ଆଉ ଟିକେ ଗରମ କରି ଆଣ ।

: ଆମେ ଏହି ମାସ ଦଶ ତାରିଖ ସୁଦ୍ଧା କୋଉ କାମ ସାରିଦେବା କହୁଥିଲ ?

: ଏହି ଘର ଫାଙ୍କା କରିବା କାମ ।

: କିନ୍ତୁ ଭିଟାମାଟିର ଅତ୍ମୀୟତା କଣ ସହରରେ ମିଳିବ ?

: ହେତ୍.. ଅତ୍ମୀୟତା ନୁହେଁ ଅସହିଷ୍ଣୁତା । ଭିଟାମାଟି ଏବେ ଅସହିଷ୍ଣୁ । ଚିହ୍ନା ଲୋକମାନେ ଏବେ ବେଶି ବେଶି ଅସହିଣି ହେଲେଣି । ଯିଏ ଆମକୁ ଶାଗ ପଖାଳ ଖାଇବା ଦେଖିଛି, ସେ ଏବେ ଆମ ଆଗର ପଲାଉ ପ୍ଲେଟ୍ ଟାକୁ ଦେଖିଲେ ସହିପାରୁନି, ଥାଉ ପଛେ ତା ପାଖରେ ସୁନା ରୁପାର ଥାଳି ଗିନା । ସହରରେ ଅତ୍ମୀୟତା ନଥାଉ ପଛେ , ଏ ଅସହିଷ୍ଣୁ ରୋଗଟା ତ ନଥିବ ନା ! ସେଠି କାହାକୁ ଏତେ ସମୟ ଅଛି ଯେ ?

ଶୋଭା ଏକମତ ହେଲେ । ଦଶ ତାରିଖ ପୂର୍ବରୁ ସବୁ କାମ ସରିଗଲା । ଗାଁ ଛାଡ଼ି, ଭିଟାମାଟି ଛାଡ଼ି ସବୁଦିନ ପାଇଁ ସନ୍ତୋଷ ଚାଲିଯାଉଥିଲେ । ତାଙ୍କ ସୁନ୍ଦର ଗାଁ ଟା ଏବେ କେଵଳ ତାଙ୍କ ସ୍ମୃତିରେ ରେଶମୀ ଡୋରି ବନ୍ଧା ହେଇ ରହିବାକୁ ଯାଉଥିଲା । ଗଳ୍ପ, କବିତା, ଉପନ୍ୟାସରେ ବର୍ଣ୍ଣିତ ଗାଁ ପରି ତାଙ୍କ ଗାଁ ବି ଦିନେ ନିରୋଳା ଆତ୍ମୀୟତା ରେ ଛଳଛଳ ନିରୀହ ଓ ଏକାନ୍ତ ନିଜର କିଛି ଲୋକଙ୍କ ପବିତ୍ର ଭୂମୀ ଥିଲା । ଏବେ ତ ସେମିତି ଗାଁ କେଵଳ ସେହି ଗପ ଓ ଉପନ୍ୟାସ ରେ ହିଁ ମିଳିବ ।

ଗାଁ ପାର ହେଇଯିବା ପୂର୍ବରୁ ସନ୍ତୋଷ ଡ୍ରାଇଭର୍ କୁ ଗାଁ ମୁଣ୍ଡ ପଡ଼ିଆ କଡ଼ରେ ଟିକେ ଗାଡି ରଖିବାକୁ କହି ଓଲ୍ହେଇ ପଡ଼ିଲେ । ତଳୁକୁ ନଇଁ କଣ ଗୋଟେ ଗୋଟାଇ ଆଣିଲେ । ରୁମାଲରେ ଗୁଡ଼େଇ ହ୍ୟାଣ୍ଡ ବ୍ୟାଗ୍ ରେ ରଖୁଥିଲେ ଶୋଭା ଦେଖିନେଇ ପଚାରିଲାରୁ କହିଲେ, " ସବୁଠି କଂକ୍ରିଟ୍ ଢ଼ଳେଇ । ପୁରୁଣା ଦିନ ଆଉ ମନ ଗୁଡ଼ାକ କଂକ୍ରିଟର ଶକ୍ତ ଆବରଣ ତଳେ ଲୁଚି ଯାଇଛି । ମୁଁ କଣ ଖୋଳି ତାଡ଼ି ତା ତଳୁ ଅତ୍ମୀୟତା କୁ ବାହାରକରି ଆଣିପାରିବି ? ଆଖି ପକେଇ ପକେଇ ଆସୁଥିଲି । ଏଇ ପଡ଼ିଆ ପାଖରେ କାଣିଚାଏ ଦେଖିଲି, ମୁଠାଏ ନେଇଯାଉଛି । ଜୀବନର ଶେଷଯାଏଁ ଏତକ ମାଟି ହିଁ ଆତ୍ମୀୟ ହୋଇରହିବ । ଏଠି ତ ଆଉ ଲୀନ୍ନ ହେଇପାରିଲିନି, ୟାକୁ ମୋ ଭିତରେ ଲୀନ୍ନ କରିବାକୁ ଚେଷ୍ଟା କରିବି । "

ଗାଡି ଆଗକୁ ଗଡୁଥିଲା ଓ ସନ୍ତୋଷଙ୍କ ଆଖିରୁ ଦୁଇଧାର ଲୁହ ଗଡି ଆସି ତାଙ୍କ ପାପୁଲି ଉପରେ ଟପ ଟାପ ହେଇପଡୁଥିଲା । ହାତର ସେହି ଧୂଳି ଉପରେ ବୁନ୍ଦା ବୁନ୍ଦା ଲୁହ ଗାଁ ମାଟି ଉପରେ ଆଷାଢ଼ର ପହିଲି ବର୍ଷାଛିଟା ପରି ତାଙ୍କୁ ଅନୁଭବ ହେଉଥିଲା ।

ଲୋପାମୁଦ୍ରା ମିଶ୍ର

ନନ୍ଦିପୁର, ଦଶରଥପୁର, ଯାଜପୁର

ଭାରତୀୟ ସନ୍ତୋଷ ଭିଟାମାଟି

Rate the content


Originality
Flow
Language
Cover design

Comments

Post

Some text some message..