Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନିଆରା ପ୍ରେମ
ନିଆରା ପ୍ରେମ
★★★★★

© Dr Subas Chandra Rout

Romance Others

7 Minutes   13.9K    26


Content Ranking

       ନିଆରା ପ୍ରେମ

           ଅଦ୍ଵିତୀୟ ସୌନ୍ଦର୍ଯ୍ୟର ଗନ୍ତାଘରର ନାମ ବୁଦ୍ଧ ପାର୍କ । ଅନ୍ୟ ପାର୍କରେ ଧାଡ଼ି ହୋଇ ଫୁଲ ଗଛ ଲଗାଯାଇଥାଏ, କିନ୍ତୁ ବୁଦ୍ଧ ପାର୍କରେ  ଲନ ଭଳି କିଆରୀରେ ଫୁଲ ଗଛ ଶୋଭା ପାଏ । ଗୋଟିଏ କିଆରୀରେ କେବଳ ଡାଲିଆ, ଆଉ ଏକ କିଆରୀରେ କେବଳ ଗେଣ୍ଡୁ ଫୁଲ ଓ ଆଉ ଏକ କିଆରୀରେ ବେଗୋନିଆ ଫୁଲ ଶୋଭାପାଉଥିଲା । ସେ ଅଲୌକିକ ସୌନ୍ଦର୍ଯ୍ୟ ଦର୍ଶନରେ ନିଜତ୍ଵ ହଜିଯାଏ । ସେଇ କିଆରି ପାଖ ରାସ୍ତାରେ ଧୀରେ ଧୀରେ ଚାଲୁ ଚାଲୁ ସତିଶ ହଠାତ ଅଟକିଗଲା । ଅନତି ଦୂରରେ ଅସାମାନ୍ୟ ସୁନ୍ଦରୀ ଯୁବତୀଟିଏ ଏକୁଟିଆ ଗୋଟିଏ ବେଞ୍ଚରେ ବସି ସେଇ ଅନିର୍ବଚନୀୟ ପୁଷ୍ପ ସଂଭାର ଦର୍ଶନରେ ନିମଗ୍ନ ହୋଇଯାଇଥିଲା ।

           କିଛି ସମୟ ଧରି ସେ ଝିଅକୁ ଅନେଇ ରହିଗଲା । ଭାବିଲା, ଭଗବାନ ବୋଧହୁଏ ସୁନ୍ଦର ଫୁଲଟିଏ ଗଢ଼ୁ ଗଢ଼ୁ ଭୁଲରେ ଏହି ଝିଅଟିକୁ ଗଢ଼ିଦେଇଛନ୍ତି । ଚୁମ୍ବକୀୟ ଆକର୍ଷଣ ଭଳି ସତିଶ ଟାଣି ହୋଇ ସେଠାରେ ପହଞ୍ଚିଲା ପରେ ଅନୁଭବ କଲା ଯେ ସେ ରାସ୍ତା ଭୁଲି ସେ ଯୁବତୀ ପାଖକୁ ଚାଲିଆସିଛି । ସେ ଝିଅର ଦୃଷ୍ଟି କିନ୍ତୁ ଅନ୍ୟତ୍ର ନିବଦ୍ଧ ଥିଲା ।

-- "ହେଲୋ ମିସ୍ !” ମୁଣ୍ଡ ଟେକି ଝିଅଟି ଅନେଇଲା ।

-- "ହେଲୋ !”

 -- “ମୁଁ ଏଠି ବସିପାରିବିକି ? କିଛି ସମୟ ଧରି ମୁଁ ଆପଣଙ୍କୁ ଦେଖୁଛି, ଆପଣ ଏକୁଟିଆ ବସିଛନ୍ତି । ଭାବିଲି, ମୁଁ ଏକୁଟିଆ ବୁଲୁଛି, ଆପଣ ବି ଏକୁଟିଆ । ଏତେ ସୁନ୍ଦର ବଗିଚାରେ ଏକୁଟିଆ କାହା ସାଥିରେ କଥାବାର୍ତ୍ତା ନ ହୋଇ ବସିରହିବା ନିହାତି ବିରକ୍ତିକର । ସାଥୀ ହୋଇ ବସିଲେ ଭଲ ଲାଗିବ । ତେବେ ଆପଣ ଯଦି କୌଣସି ପୁରୁଷ ବନ୍ଧୁଙ୍କ ଅପେକ୍ଷାରେ ଅଛନ୍ତି, ତେବେ ମୁଁ ଚାଲିଯିବି ।" 

-- “ନାହିଁ, ମୁଁ କାହା ଅପେକ୍ଷାରେ ନାହିଁ, କିନ୍ତୁ ମୋର ଗୋଟିଏ ପ୍ରଶ୍ନ ଅଛି । ଏତେବଡ଼ ପାର୍କରେ ଅନେକ ଝିଅ ବସିଛନ୍ତି ଓ ବୁଲୁଛନ୍ତି । ଅନ୍ୟ ସମସ୍ତଙ୍କୁ ଛାଡ଼ି ମୋ ପାଖରେ ବସିବାକୁ କାହିଁକି ଇଚ୍ଛା ହେଲା ?"

-- "ସହରରେ ଅନେକ ସୁନ୍ଦର ପାର୍କ ଥାଉ ଥାଉ ସେଗୁଡ଼ିକୁ ଛାଡ଼ି ଆପଣ ଏଇ ପାର୍କରେ କାହିଁକି ବସିଛନ୍ତି ?"

-- "କାରଣ ଏଇ ପାର୍କ ସହରର ସବୁଠାରୁ ସୁନ୍ଦର ପାର୍କ । ମୋ ଘରଠାରୁ ଏହି ପାର୍କ ଦୂରରେ ଥିଲେ ମଧ୍ୟ ମୁଁ ଆକର୍ଷିତ ହୋଇ ଏଠାକୁ

ଆସେ ।"

-- "ଆପଣଙ୍କ ପ୍ରଶ୍ନର ଉତ୍ତର ଆପଣ ନିଜେ ଦେଇଦେଲେ । ଆପଣ ଏଇ ପାର୍କରେ ବୁଲୁଥିବା ସମସ୍ତ ଝିଅଙ୍କ ମଧ୍ୟରେ ସବୁଠାରୁ ସୁନ୍ଦରୀ । ତେଣୁ ମୁଁ ଟାଣିହୋଇ ଆସିଲି ।" ଝିଅଟିର ମୁହଁରେ ସ୍ମିତ ହସ ଖେଳିଗଲା । ଭଲଭାବେ ସତିଶକୁ ଅନେଇଲା ।

-- "ଆପଣ ଅନ୍ୟ ସମସ୍ତଙ୍କଠାରୁ ଅଲଗା ।"

-- "ଆମେ ସମସ୍ତେ ପରଷ୍ପରଠାରୁ ନିଶ୍ଚୟ ଅଲଗା । ସୁନ୍ଦର-ଅସୁନ୍ଦର, ଧନବାନ-ନିର୍ଦ୍ଧନ, ଶିଶୁ-ବୃଦ୍ଧ, ଜାତି ଧର୍ମ ନିର୍ବିଶେଷରେ ସୁନ୍ଦର ବଗିଚା ସମସ୍ତଙ୍କୁ ଆକର୍ଷଣ କରେ । ଦର୍ଶକମାନେ ତା ସୌନ୍ଦର୍ଯ୍ୟ ଉପଭୋଗ କଲେ ତାକୁ ଭଲ ଲାଗେ । ମୁଁ ଭାବୁଛି, ଅଧିକ ଦେଖଣାହାରୀ ଥିଲେ ସୁନ୍ଦରୀମାନଙ୍କୁ ମଧ୍ୟ ଅଧିକ ଆନନ୍ଦ ଲାଗୁଥିବ ଓ ନିଜକୁ ଗୌରବାନ୍ଵିତ ଅନୁଭବ କରୁଥିବେ ।" ଝିଅଟି ଖିଲ ଖିଲ ହୋଇ ହସି ଉଠିଲା ।

-- “ହଉ, ବସନ୍ତୁ । କିନ୍ତୁ ମୁଁ ଟିକିଏ ଚୁପଚାପ ପ୍ରକୃତିର ଝିଅ ।”     

-- “ମୁଁ ଆପଣଙ୍କୁ ବିଲକୁଲ ବିରକ୍ତ କରିବିନି । ଏହା ବ୍ୟତୀତ ମୁଁ ଆପଣଙ୍କୁ ପ୍ରତିଦିନ ଅର୍ଥାତ ଯେଉଁ ଦିନ ଆପଣଙ୍କ ସାଥିରେ ବସି କଥା ହେବି, ସେ ଦିନ ଆପଣଙ୍କୁ ଗୋଟିଏ ଉପହାର ନିଶ୍ଚୟ ଦେବି ଓ ଆପଣ ଦୟା କରି ତାକୁ ଗ୍ରହଣ କରିବେ ।”

-- ଆଶ୍ଚର୍ଯ୍ୟ ହୋଇ ଝିଅ ପଚାରିଲା, “କିନ୍ତୁ ଉପହାର କାହିଁକି ?”

-- “କାହିଁକିନା ମୁଁ ପାର୍କ ଦେଖିବାକୁ ଟଙ୍କା ଦେଇ ଟିକେଟ କାଟି ଆସୁଛି, ମାଗଣା ନୁହେଁ । ସେଥିପାଇଁ ଆପଣଙ୍କୁ ଦେଖିବାକୁ ମୁଁ କିଛି ମୂଲ୍ୟ ଦେବି । ଆମ ଓଡିଆ ସଂସ୍କୃତିରେ ଝିଅ ଦେଖିଲେ ଟଙ୍କା ବା ଉପହାର ଦେବା ବ୍ୟବସ୍ଥା ପ୍ରଚଳିତ ଅଛି । ଆପଣ ନାହିଁ କରିବେନି ।”

-- “ଆପଣ ପ୍ରକୃତରେ ବହୁତ ରୋଚକ କଥା କହୁଛନ୍ତି । ମୋ ସଙ୍ଗ ଲାଭ କରିବାକୁ ଆସୁଥିବା ପୁଅମାନଙ୍କ ସଂଖ୍ୟା ଏତେ ଅଧିକ ହେଲା ଯେ ମୁଁ ସେମାନଙ୍କ ସଂଖ୍ୟା ଗଣିବା ଛାଡ଼ିଦେଲି । ଥରେ ଦୁଇଥର କଥା ହେଲା ପରେ ‘ମୁଁ ଭଲପାଏ’ କହିଲେ ମୋତେ ଅତି ବିରକ୍ତ ଲାଗେ । ଦୁନିଆରେ ଆଉ କଅଣ କିଛି ବିଷୟ ନାହିଁ କଥା ହେବାକୁ । କିନ୍ତୁ ଆପଣ ଅନ୍ୟ ସମସ୍ତଙ୍କଠାରୁ ଫରକ ମନେହେଉଛନ୍ତି, ପୁରା ରଙ୍ଗୀନ

ସ୍ଵଭାବ ।” ଝିଅଟି ଆଉ ଥରେ ଖିଲ ଖିଲ ହୋଇ ହସି ଉଠିଲା ଓ ସେହି ହସ ଶୁଣି ବଗିଚାରେ ଥିବା ଅନେକ କଳି ପ୍ରସ୍ଫୁଟିତ ହୋଇଗଲେ ଓ ବଗିଚା ଆହୁରି ରଙ୍ଗୀନ ହୋଇଗଲା ।

-- “ଆପଣଙ୍କ ନାଁ କଅଣ ?”

-- “ମୋ ନାଁ ସତିଶ । ମୁଁ ଆଜି ଯାଉଛି, କାଲି ଭେଟ ହେବ ।” ଗୋଟିଏ ଲଫାଫା ଝିଅ ହାତକୁ ବଢ଼େଇ ଦେଇ ସତିଶ ଚାଲିଗଲା । ଝିଅଟି ଲଫାଫାକୁ ନ ଖୋଲି ନିଜ ବ୍ୟାଗରେ ଭର୍ତ୍ତି କରିଦେଲା । 

ଏହିଭଳି ସବୁ ଦିନ ତାଙ୍କର ଦେଖା ସାକ୍ଷାତ ହୁଏ । ପରସ୍ପର କଥା ବାର୍ତ୍ତା ହୋଇ ଗୋଟିଏ ମାସ ବିତିଗଲା । ଦିନେ ପାର୍କର ବେଞ୍ଚ ଉପରେ ସତିଶ ବସି ଝିଅକୁ ଅପେକ୍ଷା କରିଥାଏ । ଦୂରରେ ଦେଖିଲା ସେ ଢଳି ଢଳି ଗଜଗମନୀ ଚାଲିରେ ଆସୁଛି । ସୁନ୍ଦର ଶାଢ଼ୀଟିଏ ପିନ୍ଧିଥାଏ । ଦେଖିବାକୁ ସୁନ୍ଦର ଲାଗୁଥାଏ । ବେଞ୍ଚ ପାଖରେ ପହଞ୍ଚିବାକୁ ଅଳ୍ପ କେଇ ହାତ ଦୂରତା ଅଛି, ହଠାତ ସେ ନିଜ ଗୋଡକୁ ଚିପି ଧରି ତଳେ ବସିପଡ଼ିଲା । “କଅଣ ହେଲା, କଅଣ ହେଲା ?” କହି ସତିଶ ତା ପାଖକୁ ଦୌଡ଼ିଗଲା । 

-- “ ଓଃ, ବହୁତ କଷ୍ଟ ହେଉଛି । ମୁଁ ବୋଧେ ଆଉ ଚାଲିପାରିବିନି । ମୋ ଗୋଡ଼ରେ ବହୁତ କଷ୍ଟ ହେଉଛି । କ୍ରାମ୍ପ ହୋଇଗଲା ।”

-- “କେଉଁ ଗୋଡ଼ ?”

-- “ଡାହାଣ ଗୋଡ଼ । ଓଃ, ମରିଗଲି ।”

-- “ଚିନ୍ତା କରନ୍ତୁନି, ମୁଁ ଟେକିନେବି ।” କହିବା ସଙ୍ଗେ ସଙ୍ଗେ ସତିଶ ତାକୁ ଟେକି ନେଇ ବେଞ୍ଚରେ ଶୁଏଇ ଦେଲା । ଦୁଇ ଗୋଡ଼କୁ ଟେକି ଦେଇ ନିଜେ ବସିପଡ଼ିଲା ଓ ନିଜ ଜଙ୍ଘ ଉପରେ ଝିଅର ଦୁଇ ଗୋଡ଼ ରଖି ଡାହାଣ ଗୋଡ଼କୁ ମାଲିସ କରିବାକୁ ଲାଗିଲା । ଲୋକମାନେ ଚାରି ପଟେ ବେଢ଼ିଗଲେ ଓ ଏ ଦୃଶ୍ୟ ଦେଖି ଅଳ୍ପ ଅଳ୍ପ ହସିଲେ । ସତିଶ ବିନା ଲଜ୍ଜାରେ ସେମିତି ତା’ର ଗୋଡ଼ ମାଲିସ କରୁଥାଏ । କିଛି ସମୟ ପରେ ଝିଅଟି କହିଲା, “ମୋତେ ଏବେ ଟିକିଏ ଭଲ ଲାଗୁଛି । ସେତିକି ଥାଉ । ମୋର ବହୁତ ସେବା କଲେଣି । ବହୁତ ଧନ୍ୟବାଦ ।”

-- “ଆପଣ ତ ବୋଧେ ଚାଲିପାରିବେନି, ଫେରିବେ କେମିତି ? ଚାଲନ୍ତୁ, ମୁଁ ଆପଣଙ୍କୁ ଘରେ ଛାଡ଼ିଦେବି ।”

-- “ନାଇଁ, ଆପଣ ଯାଆନ୍ତୁ । ମୋ ସାଙ୍ଗକୁ ମୁଁ ଫୋନ କଲେ ସେ ଆସି ମୋତେ ନେଇଯିବ ।”

-- “ହଉ, ମୁଁ ଯାଉଛି । କିଛି ଅସୁବିଧା ହେଲେ ମୋତେ ଫୋନ କଲେ ମୁଁ ଯାଇ ଆପଣଙ୍କୁ ସାହାଯ୍ୟ କରିବି”, କହି ଗୋଟିଏ କାଗଜରେ ନାମ ଓ ଠିକଣା ଲେଖି ବଢ଼େଇଦେଲା । ଏହା ପରେ ସତିଶ ଉଠି ପଛକୁ ଅନେଇ ଅନେଇ ଚାଲିଗଲା । ଦୃଷ୍ଟି ଅନ୍ତରାଳ ହେବା ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କୁ ଅନେଇ ଥାଆନ୍ତି । କିଛି ସମୟ ପରେ ଝିଅଟି ଉଠି ଧୀରେ ଧୀରେ ଚାଲି ଚାଲି ପାର୍କ ବାହାରକୁ ଗଲା । 

ତା ପରଦିନ ସତିଶ ପାର୍କକୁ ଆସିଲାନି । ବହୁତ ସମୟ ପର୍ଯ୍ୟନ୍ତ ଝିଅଟି ତାକୁ ଅପେକ୍ଷା କଲା । ମନରେ ଗୋଟାଏ ଉତ୍କଣ୍ଠା ଆସୁଥାଏ । ଆଶଙ୍କା ବି ହେଉଥାଏ, କଅଣ ହୋଇଗଲା କି ତାଙ୍କର ! ଦେହ ଖରାପ ହେଲା କି । ମନରେ ବିଶ୍ଵାସ ଆସୁଥାଏ, ନିଶ୍ଚୟ

ଆସିବେ । କେହି ଆସିଲେନି । ସନ୍ଧ୍ୟା ହୋଇ ଆସିଲା ଓ ପରେ ପରେ ପାର୍କ ବନ୍ଦ ହେବା ସମୟ ହୋଇଆସିଲା । ଘରକୁ ଯିବା ଛଡ଼ା କିଛି ଉପାୟ ନ ଥିଲା । କିଛି ସମୟ ପରେ ଝିଅଟି ଉଠି ଚାଲି ଚାଲି ପାର୍କରୁ ବାହାରି ଗଲା । 

           ଦଶ ଦିନ ବିତିଗଲା ପରେ ଝିଅର ଧୈର୍ଯ୍ୟଚ୍ୟୁତି ହୋଇଗଲା । ରାତିରେ ଭଲ ନିଦ ଲାଗିଲାଣି । ସତିଶକୁ ସ୍ଵପ୍ନରେ ଦେଖିବାକୁ ଲାଗିଲା । ତାର କଥାବାର୍ତ୍ତା ସବୁବେଳେ ମନେପଡ଼ୁଥାଏ । ଦିନ ସାରା ଅନ୍ୟମନସ୍କ ରହିବାକୁ ଲାଗିଲା । ପାର୍କରେ ବସିଲା ବେଳେ ଲାଗେ ଯେମିତି ଦୂରରୁ ସେ ଆସୁଛନ୍ତି । ପାର୍କରେ ସେ କରିଥିବା ସେବା ମନେପଡ଼ିଲା । ବ୍ୟାଗରୁ ଠିକଣା କାଗଜ କାଢ଼ି କ୍ୟାବରେ ବସି ସତିଶ

ଘରେ ପହଞ୍ଚିଗଲା । ମନରେ କେମିତି ଗୋଟାଏ ବିଚିତ୍ର ଅନୁଭୂତି ଆସୁଥାଏ । ଜଣେ ପୁଅ ଘରକୁ ସେମିତି ବିଶେଷ ପରିଚୟ ନଥାଇ ସେ ଆସିଥିଲା । କଲିଙ୍ଗ ବେଲ ଚିପିଲା । ଅଳ୍ପ ସମୟ ପରେ କବାଟ ଖୋଲିଗଲା । ସାମନାରେ ସତିଶ ଠିଆ ହୋଇଥିଲା । 

-- “ଆରେ ଆପଣ ! କି ଆଶ୍ଚର୍ଯ୍ୟ କଥା । ମୋର ଆହୋଭାଗ୍ୟ, ଆପଣଙ୍କ ପାଦ ମୋ ଗରିବ କୁଡ଼ିଆରେ ପଡ଼ିଲା ! ଭିତରକୁ ଆସନ୍ତୁ ।”

-- “ଆପଣ ଏତେଦିନ ଧରି ଆସିଲେନି କାହିଁକି ? ଦେହ ଭଲ ନାହିଁ କି ?” ସତିଶକୁ ଭଲରୂପେ ଝିଅଟି ଅନୁଧ୍ୟାନ କରୁଥିଲା ।  

-- “ମୋ ଦେହ ଭଲ ଅଛି । ଆପଣ ଆସିଛନ୍ତି, ମୋ ପାଇଁ ବଡ଼କଥା । ମୋ ପ୍ରତି ସ୍ନେହ ନଥିଲେ ଆପଣ କେବେ ହେଲେ ଆସିନଥାନ୍ତେ । ସେତିକି ମୋ ପାଇଁ ଯଥେଷ୍ଟ ।”

-- “ଆପଣ ବଡ଼ ଆଶ୍ଚର୍ଯ୍ୟ ରକମର ଲୋକ । ମୋ ସାଥିରେ ଦେଖା ହେଲା ଦିନରୁ ଆପଣଙ୍କ ଆଖିରେ ମୋ ପ୍ରତି ଭଲ ପାଇବା ମୁଁ ଦେଖିଆସୁଛି । ଏତେ ଦିନ ମୋ ସାଥିରେ ମିଶିଲେ କିନ୍ତୁ ଦିନେ ହେଲେ ମୋତେ ଭଲ ପାଉଛି କହିଲେନି । ଆପଣ ବଡ଼ ବେରସିକ ଲୋକ ।”

-- “ଆଚ୍ଛା କଥା, ଭଲ ପାଉଛି କହିଲେ ଖରାପ, ନ କହିଲେ ବେରସିକ । ଇଏ କି କଥା ! ମୁଁ ଭଲ ପାଉଛି କହିଥିଲେ ଆପଣଙ୍କ ଅଗଣିତ ପ୍ରେମିକ ତାଲିକାରେ ମୋ ନାଁଟି କେବଳ ରହିଥାଆନ୍ତା, କିନ୍ତୁ ଆପଣଙ୍କ ମନରେ ମୋ ଛବି ରହିନଥାଆନ୍ତା । ଆପଣ ମୋ ଘରକୁ ବି ଆସିନଥାନ୍ତେ ।” ହସି ପକେଇ ଝିଅଟି କହିଲା, “ମୋ ନାଁ ସୀମା । ମୋ ନାଁ ବି କେବେ ବି ପଚାରିଲେନି ?”

-- “ସୀମା, ଭଲ ପାଇବା ନଥିଲେ ନାଁ ଜାଣିବା ଅନାବଶ୍ୟକ । ଆପଣ ମୋ ପାଖକୁ ଆସିଛନ୍ତି ମାନେ ମୋତେ ଭଲ ପାଉଛନ୍ତି । ଆପଣ ପ୍ରଥମେ 'ମୁଁ ଭଲ ପାଉଛି' କହିଲେ ମୋତେ ଭଲ ଲାଗିବ ।”

-- “ହଁ, ମୁଁ ଆପଣଙ୍କୁ ଭଲ ପାଏ । ଅନେକ ପୁଅଙ୍କ ସଂସ୍ପର୍ଶରେ ଆସିଛି, କିନ୍ତୁ ଆପଣ ପ୍ରକୃତରେ ନିଆରା ।”

-- “ମୁଁ ବି ଆପଣଙ୍କୁ ଭଲ ପାଏ ।” ଦୁହେଁ ପରସ୍ପରକୁ ଆଲିଙ୍ଗନ କରିପକାଇଲେ । ସତିଶର ଛାତିରେ ମୁଣ୍ଡ ରଖି ହୃତପିଣ୍ଡର ଧକ ଧକ ଶବ୍ଦ ସୀମା ଶୁଣୁଥାଏ । କିଛି ସମୟ ବିତିଗଲା ।

           ସୀମା କହିଲା, “ଆପଣଙ୍କୁ ଗୋଟିଏ ସତ କଥା କହିବି । ମୋତେ କ୍ଷମା କରିଦେବେ । ଜାଣିଛନ୍ତି, ମୋର ପ୍ରକୃତରେ ସେଦିନ ଗୋଡ଼ର କିଛି ଅସୁବିଧା ନଥିଲା ।”

-- “ହଁ ଜାଣିଛି ।”

ପାଦେ ପଛକୁ ଚାଲିଯାଇ ଆଶ୍ଚର୍ଯ୍ୟାନ୍ଵିତ ହୋଇ ସୀମା ସତିଶକୁ ଅନେଇଲା । “ମିଛ କହୁଛନ୍ତି ଆପଣ । କେମିତି ଜାଣିଲେ ମୋର କିଛି ହୋଇନଥିଲା ? ମୁଁ ବର୍ତ୍ତମାନ କହିଲି ବୋଲି ନା କଅଣ ?” ଟିକିଏ ହସି ସତିଶ କହିଲା, “ମୋତେ ଏତେ ବୋକା ଭାବନ୍ତୁନି । ଆପଣ ‘ବହୁତ କଷ୍ଟ ହେଉଛି କହୁଥିଲେ’ କିନ୍ତୁ ଆପଣଙ୍କ ମୁହଁରେ କଷ୍ଟର କୌଣସି ଚିହ୍ନ ନଥିଲା । ତା ଛଡ଼ା ମୁଁ ଆପଣଙ୍କ ପାଖରୁ ବିଦାୟ ନେଇ ଗଲାପରେ ଗଛ ଆଢ଼ୁଆଳରେ ରହି ଆପଣଙ୍କ ଗତିବିଧି ଲକ୍ଷ କରୁଥିଲି । ଆପଣଙ୍କ ପାଖରୁ ମୁଁ ଚାଲିଯିବା ପରେ ଆପଣ ସାଧାରଣ ଭାବରେ ଚାଲି ଚାଲି ପାର୍କରୁ ଗଲା ବେଳେ ମୁଁ ଆପଣଙ୍କ ଉଦ୍ଦେଶ୍ୟ ବୁଝିଗଲି ।”

-- “କିଛି ହୋଇନି ଯଦି ଜାଣିଥିଲେ, ତେବେ ଆପଣ ମୋର ଗୋଡ଼ ମାଲିସ କାହିଁକି କଲେ ।”   

-- “ପ୍ରଥମେ ଗୋଡ଼ ମାଲିସ କଲା ବେଳେ ଆପଣଙ୍କ ଉଦ୍ଦେଶ୍ୟ ଜାଣିନଥିଲି । ସେବା ମନୋଭାବ ନେଇ ମାଲିସ କଲି । ସେଇଟା ମୋ ଭଲ ପାଇବାର ନିଦର୍ଶନ ଥିଲା । ପରେ ଆପଣଙ୍କ କଷ୍ଟବିହୀନ ମୁହଁ ଓ ତା’ ପରେ ଆପଣଙ୍କ ଚାଲି ଦେଖି ଜାଣିଲି ଆପଣ ମିଛ କହିଛନ୍ତି । କିନ୍ତୁ ସେବା ମନୋଭାବରେ ମାଲିସ କଲି ବୋଲି ତ ଆଜି ଆପଣ ମୋ ଦୁଆରକୁ ଆସିଛନ୍ତି । ସେତିକି କରିବାରୁ ତ ଆପଣ ମୋ ଆଡ଼କୁ

ଢଳିଲେ ।”

-- “ଭଲ ପାଉଥିଲେ ତ ଏତେ ଦିନ ସାକ୍ଷାତ କରିବାକୁ କାହିଁକି ଆସୁନଥିଲେ ?”

-- “ଆପଣ ଭଲ ପାଉଛନ୍ତି କି ନାହିଁ, ପରୀକ୍ଷା କରୁଥିଲି । ଆପଣ ମିଛ କହି ମୋ ଭଲ ପାଇବାକୁ ପରୀକ୍ଷା କଲେ, ମୁଁ ବି ସେମିତି ଆପଣଙ୍କୁ ପରୀକ୍ଷା କଲି । ମୁଁ କେମିତି ଜାଣିଥାନ୍ତି, ଆପଣ ମୋତେ ଭଲ ପାଉଛନ୍ତି କି ନାହିଁ ? ସେହି ଦିନଠାରୁ ମୁଁ ପାର୍କ ନଯାଇ ଦେଖୁଥିଲି, ଆପଣଙ୍କର ମୋ ପ୍ରତି କିଛି ବିଶେଷ ଆକର୍ଷଣ ଅଛି କି ନାହିଁ । ଆଜି ଆପଣ ଏଠାକୁ ଆସି ଆପଣଙ୍କ ଭଲ ପାଇବା ପ୍ରମାଣିତ କରିଦେଲେ ।” ଏହା ପରେ ଆହୁରି ନିବିଡ ଭାବରେ ଦୁହେଁ ଆଲିଙ୍ଗନ ପାଶରେ ଆବଦ୍ଧ ହୋଇଗଲେ ।

-- ସୀମା କହିଲା, “ଆପଣ କଅଣ କାମ କରନ୍ତି ?”

-- “ମୁଁ ଜଣେ ଫିଜିଓଥେରାପିଷ୍ଟ ।” ଏହା ଶୁଣି ହସି ହସି ଗଡ଼ିଗଲା ସୀମା ।

-- “ଓଃ, ସେଇଥିଯୋଗୁ ଏତେ ସୁନ୍ଦର ମାଲିସ କରିଥିଲେ ।”

           ପ୍ରେମାସକ୍ତ ଆଖିରେ ସୀମା ବ୍ୟାଗରୁ ଲଫାଫା ସବୁ କାଢ଼ି ସତିଶକୁ ଦେଇଦେଲା । କହିଲା, “ଆପଣଙ୍କର ଅସଲ ସ୍ଵର୍ଗୀୟ ଉପହାର ମୁଁ ଆଜି ପାଇଗଲି । ଏ ଭଲ ପାଇବା ଉପହାର ପାଇବା ପରେ ଆଉ କୌଣସି ଭୌତିକ ଉପହାରର ଆବଶ୍ୟକତା ନାହିଁ ।”  

ଡଃ ସୁବାସ ଚନ୍ଦ୍ର ରାଉତ

ଫୋନ – ୭୯୭୮୦୫୯୮୫୧

ସତିଶ ସୀମା ଉପହାରର

Rate the content


Originality
Flow
Language
Cover design

Comments

Post

Some text some message..