Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

T.Durga Prasad Rao

Tragedy

5.0  

T.Durga Prasad Rao

Tragedy

ଅମାନତ

ଅମାନତ

11 mins
683




ଓଡ଼ିଶୀ ଗୀତର ତାଳେ ତାଳେ ନିରବଚ୍ଛିନ୍ନ ନାଚି ଚାଲିଥିଲା ରୂପସୀ ସେଲିନା। ଅଦ୍ଵିତୀୟ ତାର ଅଙ୍ଗଭଙ୍ଗୀ। ବିମୁଗ୍ଧ ଦର୍ଶକ। ଓଡ଼ିଶୀ ଗୀତ ଓ ନାଚର ତାଳେ ତାଳେ ତନ୍ମୟ ତାଙ୍କ ତନୁମନ। ପୁରା ପ୍ରେକ୍ଷାଳୟ ସତେ କି ଝୁମି ଉଠୁଛି ସେଲିନାର ଅଙ୍ଗ ଅବୟବର ଦୋଳାୟମାନ ମୁଦ୍ରାରେ। ସାମ୍ନା ଧାଡ଼ିରେ ବସିଥିବା କିଛି ରିପୋର୍ଟର୍.ଙ୍କ କ୍ୟାମେରା ଫ୍ଳାସ୍ କ୍ଷଣ କ୍ଷଣକେ ଝଲସି ଉଠୁଛି ସେଇ ମହାର୍ଘ ମୁଦ୍ରା ସବୁକୁ ଆୟତ କରିନେବାର ତତ୍ପରତାରେ। ଚୁପ୍ ଚାପ୍ ଗୋଟିଏ କୋଣରେ ବସି ଅପଲକ ଚାହିଁ ରହିଥିଲେ ମିଃ ଶଶାଙ୍କ। ଥରେ ନୁହେଁ ଦୁଇ ଥର ନୁହେଁ ୟାକୁ ମିଶାଇ ନବମ ଥର ସେ ଦେଖି ସାରିଛନ୍ତି ସେଲିନାର ପାରମ୍ପରିକ ଓଡ଼ିଶୀ ନୃତ୍ୟ ଏକ ଅଦମ୍ୟ ପିପାସା ମନ ନେଇ ଭିନ୍ନ ଭିନ୍ନ ସହରରେ। ଆଉ ପ୍ରତିଥର ସେଲିନାର ନୃତ୍ୟଶୈଳୀ ତାଙ୍କୁ ଅଧିକରୁ ଅଧିକ ମୁଗ୍ଧ କରି ତୋଳିଛି। ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର, କୁମ୍ କୁମ୍ ମହାନ୍ତି ଆଦିଙ୍କୁ ପଛରେ ପକାଇ ସେଲିନା ଦିନେ ଯେ ଖୁବ୍ ଉଚ୍ଚ ସ୍ତରକୁ ଉଠିବ ଏଥିରେ ସନ୍ଦେହ ନାହିଁ। ସେଲିନାକୁ ସେ ଯେତିକି ଦେଖୁଛନ୍ତି ବେଳକୁ ବେଳ ଆତ୍ମହରା ହୋଇ ଉଠୁଛନ୍ତି। ମିସ୍ ସୁଚିତ୍ରା ରାୟ ପରେ ଆଉ କେହି ଯଦି ତାଙ୍କ ମନ ମାନସକୁ ଆଲୋଡ଼ିତ କରୁଥାଏ, ସେ ହେଲା ସେଲିନା। ନୃତ୍ୟର ପରିସମାପ୍ତିରେ ପ୍ରବଳ କରତାଳି ସହ ଫାଟି ପଡ଼ିଲା ପ୍ରେକ୍ଷାଳୟ। ମିଃ ଶଶାଙ୍କ ହୋଟେଲ୍ ଫେରିବାକୁ ତତ୍ପର ହୋଇ ଉଠିଲେ। କ୍ଷଣେ ବି ସମୟ ନଷ୍ଟ ନ କରି ସେ ପ୍ରେକ୍ଷାଳୟରୁ ବାହାରି ତାଙ୍କ ଭଲ୍ଭୋ କାର୍ ପାଖରେ ପହଞ୍ଚିଲେ। ସଂଯୋଗବଶତଃ ସେହି କ୍ଷଣରେ ହିଁ ରୂପସୀ ସେଲିନା ବାହାରି ଆସିଲା ବାହାରକୁ ଏବଂ ବସିଗଲା ତାକୁ ଅପେକ୍ଷାରତ କାର୍.ର ପଛ ସିଟ୍.ରେ। ମିଃ ଶଶାଙ୍କ କାର୍ ଛୁଟାଇଦେଲେ ନିଜ ହୋଟେଲ୍ ଅଭିମୁଖେ। ସେଲିନାର ଗାଡ଼ି ଚାଲୁଥିଲା ଆଗରେ ଆଗରେ। ମିଃ ଶଶାଙ୍କ ଅନ୍ୟମନସ୍କ ଭାବରେ ସେଲିନା ବସିଥିବା କାର୍.କୁ ଅନୁଧାବନ କରୁ କରୁ କେତେବେଳେ ନିଜ ହୋଟେଲ୍.କୁ ଯିବା ରାସ୍ତାର ମୋଡ଼ ଛାଡ଼ି ଆସିଥିଲେ ଜାଣି ପାରିଲେ ନାହିଁ।

ସେଲିନାର କାର୍ ଯାଇ ଅଟକିଲା ହୋଟେଲ୍ ଗ୍ରାଣ୍ଡ୍.ରେ। ମିଃ ଶଶାଙ୍କ କଣ ଭାବି କିଛି ସମୟ ବାହାରେ ଅପେକ୍ଷା କଲା ପରେ ରିସେପ୍ସନ୍ କାଉଣ୍ଟର୍.ରେ ପହଞ୍ଚିଲେ।

- ମିସ୍ ସେଲିନା...

- ୱାନ୍ ମିନଟ୍ ସାର୍। ରିସେପ୍ସନିଷ୍ଟ ଝିଅଟି ରେଜିଷ୍ଟର୍ ଉପରେ ଥରେ ଆଖି ବୁଲାଇ ନେଇ କହିଲା, ସାର ରୁମ୍ ନମ୍ବର ୱାନ୍ ଜିରୋ ଟୁ।

- ଥ୍ୟାଙ୍କ୍ ୟୁ କହି ଫେରି ଆସିଲେ ମିଃ ଶଶାଙ୍କ। ପଲକ ମାତ୍ରକେ ତାଙ୍କର ଚକ୍ଷୁ ସେଲିନାର ମୋବାଇଲ୍ ନମ୍ବରଟି ପଢ଼ି ନେଇ ସାରିଥିଲା। ନମ୍ବରଟିକୁ ମୋବାଇଲ୍.ରେ ସୁରକ୍ଷିତ କରି ମିଃ ଶଶାଙ୍କ ଫେରି ଆସିଲେ ନିଜ ରୁମ୍.କୁ। ରୁମ୍.ରେ ପହଞ୍ଚି କ୍ଳାନ୍ତ ଶରୀରଟିକୁ ପଲଙ୍କ ଉପରେ ଗଡ଼ାଇ ଦେଇ ଫୋନ୍ ଲଗାଇଲେ ସେଲିନାକୁ। ଫୋନ୍ ରିଂ ହେଲା। ସେପଟୁ ଶୁଭିଲା ଏକ ସୁଲଳିତ କଣ୍ଠସ୍ଵର।

- ହ୍ୟାଲୋ...

- ମିସ୍ ସେଲିନା?

- ୟେସ୍ ସ୍ପିକିଙ୍ଗ୍... ଆପଣ କିଏ କହୁଛନ୍ତି?

- ଆପଣ ମୋତେ ଜାଣି ନାହାନ୍ତି। ମୁଁ କିନ୍ତୁ ଆପଣଙ୍କୁ ଭଲ ଭାବେ ଜାଣେ। ଧରିନିଅନ୍ତୁ ମୁଁ ଆପଣଙ୍କର ଜଣେ ବାରମାସି ସମର୍ଥକ। ଆଇ ମିନ୍ ଆଇ ଆମ୍ ଏ ଫ୍ୟାନ୍ ଅଫ୍ ୟୋର୍.ସ୍। ମୁଁ ଆପଣଙ୍କର ପ୍ରାୟ ସବୁ ଶୋ ଦେଖେ। ୟା ପୂର୍ବରୁ ଆପଣଙ୍କର ହାଇଦେରାବାଦ, ତା ପୂର୍ବରୁ ବ୍ରହ୍ମପୁର, ତା ପୂର୍ବରୁ ରାଇପୁର...

- ବାସ୍ ବାସ୍ ବାସ୍ ବୁଝିଗଲି ମିଷ୍ଟର...

- ଶଶାଙ୍କ, ଶଶାଙ୍କ ସାମନ୍ତରାୟ।

- ଶୁଣନ୍ତୁ ମିଃ ଶଶାଙ୍କ। ରାତି ଅନେକ ହେଲାଣି। ତାଛଡ଼ା ମୁଁ ଭୀଷଣ କ୍ଳାନ୍ତ। ଆମେ ପରେ କଥା ହେବା?

- ନିଶ୍ଚୟ। ଗୁଡ୍ ନାଇଟ୍ ମିସ୍ ସେଲିନା।

ବିନା ପ୍ରତ୍ୟୁତ୍ତରରେ ଆରପଟୁ ଫୋନ୍ କଟିଗଲା। ମିଃ ଶଶାଙ୍କଙ୍କର ଓଠରେ ଖେଳିଗଲା କୁଟିଳ ହସଟିଏ।

ସେଲିନା ଗ୍ଳେମର୍ ଜଗତରେ ନୂଆ ନାଁ ଟିଏ। କୁନି କୁନି ପାଦ ପକାଇ ଚାଲି ଶିଖୁଥିବା ଏକ ନିରୀହ ନିଷ୍ପାପ କଳିଟିଏ। ଯେଉଁମାନେ ବି ଏ ଲାଇନ୍.ରେ ପ୍ରଥମେ ଆସନ୍ତି ଏକ ମଧୁର ସମ୍ଭାବନାମୟ ସ୍ଵପ୍ନର ପରିଧି ଭିତରେ ଆବଦ୍ଧ ହୋଇଯାନ୍ତି। ଥରେ ପାଦ ଥାପିଲା ପରେ, ପଛକୁ ଫେରି ଚାହିଁବାର ଅବକାଶ ନାହିଁ। ସାମ୍ନାରେ ସୁନେଲି ଭବିଷ୍ୟତର ଆଖି ଝଲସା ଦ୍ୟୁତି ତାଙ୍କୁ ବାଟ କଢ଼ାଇ ନିଏ ନିଜ ଅଜାଣତରେ ଅନେକ ଆଗକୁ। ତାର ପରିସମାପ୍ତି କେଉଁଠି ବୁଝିବାର ପରିପକ୍ଵତା ଆସିଲା ବେଳକୁ ସବୁ କିଛି ଆଖି ଆଗରେ ଝାପ୍ସା ଝାପ୍ସା ଦିଶେ। କିଛି କିଛି ସେଇ ଝାପ୍ସା କୁହୁଡ଼ିଆ ଅନ୍ଧାରକୁ ପାର ହୋଇ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚି ଯିବାରେ ସକ୍ଷମ ହୋଇଯାଆନ୍ତି ତ ଆଉ ଥୋକେ ସେଇ କୁହୁଡ଼ିର ଘନ ଘୋର ଅନ୍ଧକାର ଭିତରେ ଲୁଚି ହଜି ଯାଆନ୍ତି।

ସେଇମିତି ଏକ କୁହୁଡ଼ି ଘେରରେ ପଶି ପଥ ଖୋଜୁଥିବା ବେଳେ ମିଃ ଶଶାଙ୍କଙ୍କର ଭେଟ ହୁଏ ସୁଚିତ୍ରା ସହ। ମିସ୍ ସୁଚିତ୍ରା ରାୟ। ବାଇଶି ବର୍ଷ ବୟସରେ ଘର ଛାଡ଼ି କୋଲକାତାର ଗୋଟିଏ ଆଡ୍ କମ୍ପାନୀରେ ଚାକିରୀ କରୁଥିବା ସମୟରେ କୋଲକାତା ନଗରର ଚାକଚକ୍ୟତା ତାର କିଶୋର ସମୟର ଅଧୁରା ସ୍ଵପ୍ନକୁ ସାକାର କରିବାକୁ ମନ ଭିତରେ ପ୍ରବଳ ଆକାଂକ୍ଷା ସୃଷ୍ଟି କରିଥିଲା। ମଡ଼େଲ୍ ହେବାର ସ୍ଵପ୍ନରେ ବିଭୋର ସୁଚିତ୍ରା ଭୁଲି ଯାଇଥିଲା ନିଜ ଘର, ପରିବାର, ଆତ୍ମୀୟସ୍ଵଜନ। ଏପରିକି ସାଙ୍ଗସାଥୀଙ୍କ ଉପଦେଶ, ପରାମର୍ଶ ମଧ୍ୟ ତାକୁ ତା ସ୍ଵପ୍ନ ସାକାର କରିବାରେ ଅନ୍ତରାୟ ମନେ ହେଲା। ସୁଚିତ୍ରା ସାଙ୍ଗରେ କାର୍ଯ୍ୟରତ କିଛି ହିତାକାଂକ୍ଷୀମାନେ ସାବଧାନ କରିଥିଲେ ତାକୁ। କିନ୍ତୁ ସୁଚିତ୍ରାକୁ ଡେଣା ମେଲାଇ ଆକାଶରେ ଉଡ଼ିବାର ନିଶା ଲାଗି ସାରିଥିଲା। ଆଉ ସେଇଥିପାଇଁ ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବରେ ଦାୟୀ ଥିଲେ ମିଃ ଶଶାଙ୍କ।

ମିଃ ଶଶାଙ୍କ କିଛି ଦିନ ପାଇଁ କୋଲକାତା ବୁଲି ଆସିଥାନ୍ତି ତାଙ୍କ କମ୍ପାନୀର ତଦାରଖ ଉଦ୍ଦେଶ୍ୟରେ। ତାଙ୍କ କୋଠରୀ ସାମ୍ନାରେ ଫାଇଲ୍ ପତ୍ର ଧରି ଏ କଡ଼ ସେ କଡ଼ ହେଉଥିବା ଏଇ ନବଯୌବନା ପରୀଟିକୁ ଦେଖନ୍ତି ମିଃ ଶଶାଙ୍କ। ତାଙ୍କୁ ଲାଗେ ସତେ ଯେମିତି ସୁସ୍ଵାଦୁ ବ୍ୟଞ୍ଜନ ବାଢ଼ି ଦେଇ କେହି ତାଙ୍କୁ ଈଶାରା କରୁଛି ଭିଣି ଓଟାରି ଖାଇଯିବା ପାଇଁ ଗୋଟିଏ ଝଟକାରେ। ମିଃ ଶଶାଙ୍କ ଚେଷ୍ଟା କରନ୍ତି ନିଜକୁ ସଞ୍ଜତ କରିବା ପାଇଁ। ପୁଣି ଥରେ ମନ ଦିଅନ୍ତି ଅଫିସ୍ କାମରେ। ଠିକ୍ ତାଙ୍କର ଏକାଗ୍ରତା ଜମି ଆସିଲା ବେଳକୁ ଦିଶିଯାଏ ପାରଦର୍ଶୀ କାଚର ସେ ପାଖରେ ଏପଟ ସେପଟ ହେଉଥିବା ପରୀଟି। ମିଃ ଶଶାଙ୍କଙ୍କର ଏକାଗ୍ରତା ତୁଟିଯାଏ। ଧ୍ୟାନଭଙ୍ଗ ଆଖି ଓ ମନ ତାଙ୍କର ଏକ ଲୟରେ ଚାହିଁ ରହେ ସେହି ପାଞ୍ଚ ଫୁଟ ପାଞ୍ଚ ଇଞ୍ଚିର ମାଂସର ମାର୍ବଲକୁ। ବୁଭୁକ୍ଷୁ ମନ ତାଙ୍କର ଲାଳାୟିତ ହୋଇ ଉଠେ ସୁଚିତ୍ରାର ସୁଗଠିତ ତନୁ ଓ ତାର ଅଙ୍ଗ ଅବୟବ ଦେଖି। ପୌରୁଷତ୍ୱ ତାଙ୍କର ବାର ବାର କଡ଼ ଲେଉଟାଏ। ନିଜକୁ ସଂଯତରେ ରଖିପାରନ୍ତି ନାହିଁ ମିଃ ଶଶାଙ୍କ। ତାକୁ ନିଜର ଶଯ୍ୟାସଙ୍ଗୀନୀ ଭାବରେ ପାଇବାର ଲାଳସାରେ ଅତି ଚତୁରତାର ସହିତ ତାର ସବୁ ଦୁର୍ବଳତାକୁ ଖୁବ୍ କମ୍ ସମୟ ମଧ୍ୟରେ ବୁଝିନିଅନ୍ତି। ଆଉ କମ୍ପାନୀ କାମର ଦ୍ୱାହି ଦେଇ ସୁଚିତ୍ରାକୁ ଧରି ସେ ବୁଲନ୍ତି ବିଭିନ୍ନ ଲୋକେସନ୍ ଆଡ୍.ର ସୁଟିଂ ନାମରେ। ଭେଟ କରାଇ ଦିଅନ୍ତି ମଡ଼େଲ୍ ଦୁନିଆଁର ନାମୀ ଦାମୀ ମଡ଼େଲ୍, ଫଟୋଗ୍ରାଫର୍.ଙ୍କ ସହ। ନାଇଟ୍ କ୍ଳବ୍, ପାର୍ଟି ଆଦିରେ ମଦ୍ୟପାନ ସହ ପୁରୁଷଙ୍କ ସହ ହାତକୁ ହାତ ଛନ୍ଦି, ଦେହକୁ ଦେହ ଘଷି, ଗୀତର ତାଳେ ତାଳେ କେମିତି ନୃତ୍ୟ କରିବାକୁ ହୁଏ ଶିଖାନ୍ତି ମିଃ ଶଶାଙ୍କ। ବର୍ତ୍ତମାନରେ ମସ୍.ଗୁଲ୍ ରହି ହାତ ପାହାନ୍ତାରେ ଥିବା ସମସ୍ତ ସୁଖ ସଂଭୋଗ ସାଉଁଟି ଭବିଷ୍ୟତର ସୁନେଲି ସ୍ଵପ୍ନକୁ କେମିତି ଅନାୟାସରେ ସାକାର କରି ଜୀବନରେ ଉପରକୁ ଉଠିହୁଏ, ତାର ମନ୍ତ୍ର ପଢ଼ାନ୍ତି ମିଃ ଶଶାଙ୍କ। ସୁଚିତ୍ରା ବୁଝିଲା ବେଳକୁ ଅନେକ ଡେରି ହୋଇଯାଏ। ରସତକ ଚିପୁଡ଼ି ସାରି ଛଦା ଫୋପାଡ଼ିଲା ପରି ମିଃ ଶଶାଙ୍କ ଢେର୍ ରାତି ସୁଚିତ୍ରାର ଯୌବନ ଲୁଟି ସାରିବା ପରେ ଫେରି ଯାଇଥିଲେ ତାଙ୍କର ମୁଖ୍ୟ କାର୍ଯ୍ୟାଳୟ, ବାଙ୍ଗାଲୋର୍।

ସୁଚିତ୍ରା ପରେ ପରେ ଅନେକ ରୂପ ଲାବଣ୍ୟରେ ଅହଂ ରୂପସୀ ଲଳନା, ସୁନ୍ଦରୀ ତରୁଣୀ ଆସିଛନ୍ତି ମିଃ ଶଶାଙ୍କଙ୍କ ଜୀବନରେ। ହେଲେ ସୁଚିତ୍ରା ପରି ଅଧିକ ଦିନର ଅବଧି ନ ଥିଲା ସେମାନଙ୍କର। ସେ ଯେଉଁ ଅଙ୍ଗ ସୁଖ ଟିକକ ଖୋଜି ଆସିଛନ୍ତି ଏ ଯାବତ୍ ତାହା ସୁଚିତ୍ରା ଛଡ଼ା ଆଉ କେହି ଦେଇ ପାରିନାହିଁ ତାଙ୍କୁ। ଆଉ ଏତେ ଦିନର ନୈରାଶ୍ୟ ମଧ୍ୟରେ ସେଲିନାକୁ ଦେଖି ତାଙ୍କର କାମନାର ବହ୍ନି ପୁଣି ଥରେ ତେଜି ଉଠିଲା ଲେଲିହାନ୍ ହୋଇ।

ମିଃ ଶଶାଙ୍କ ପୋଖତ ଧୀବର। ମଝି ନଈରେ ଜାଲ ପକାଇ କେମିତି ବଡ଼ ବଡ଼ ରୋହୀ, ଭାକୁର ଧରାଯାଏ, ସେ ବିଦ୍ୟା ତାଙ୍କୁ ଜଣା। ଆଉ ମିସ୍ ସେଲିନା ତ କୂଳରେ ଫଡ଼ ଫଡ଼ ହେଉଥିବା ସାମାନ୍ୟ କେରାଣ୍ଡି ମାଛଟିଏ। ବିନା ଜାଲରେ ବି କାଇଦା କରି ଧରି ହେବ। ଭାବୁ ଭାବୁ ମୁଲାୟମ ଗଦିର ସ୍ପର୍ଶରେ ଧିରେ ଧିରେ ତାଙ୍କୁ ନିଦ ଲାଗିଆସିଲା। ସ୍ଵପ୍ନରେ ସେ ଦେଖିଲେ ମିସ୍ ସେଲିନା ଓ ସେ ଗୋଟିଏ ବର୍ଣ୍ଣାଢ଼୍ୟ ଉତ୍ସବରେ ଯୋଗ ଦେଇ ହସ କୌତୁକ ସହ ନୈଶ୍ୟ ଭୋଜନର ମଜା ନେଉଛନ୍ତି। ମିଃ ଶଶାଙ୍କ ସେଲିନାକୁ ବାଧ୍ୟ କରି ପିଆଇ ଦେଉଛନ୍ତି ବିଦେଶୀ ସୁରାରୁ କିଛି ପେଗ୍। ଆଉ ନା ନା ପୂର୍ବକ ସେତକ ଉଦରସ୍ଥ କରି ସାରି ସେଲିନା ଅନେଇ ରହିଛି ମଦାଳସା ଆଖିରେ ମିଃ ଶଶାଙ୍କଙ୍କ ଆଡ଼କୁ। ଉଃ! କି ସମ୍ମୋହନ ସେ ଆଖିରେ। କି ତିକ୍ଷ୍.ଣ ସେ ଦୃଷ୍ଟି। ସତେ କି ମିଃ ଶଶାଙ୍କଙ୍କ ଆଖିକୁ ଚିରି ବାହାରିଯିବ ଅପରପାଖକୁ। ଆଖି ବୁଜିଦେଲେ ମିଃ ଶଶାଙ୍କ। ନିଦ ଭାଙ୍ଗିଗଲା ତାଙ୍କର। କିଛି ସମୟ ଛଟପଟ ହେଲେ ଶଯ୍ୟା ଉପରେ। ନା, ଅସହ୍ୟ ଏ ଯନ୍ତ୍ରଣା। ତାଙ୍କୁ ଅତି ଶୀଘ୍ର କିଛି ଗୋଟେ କରିବାକୁ ପଡ଼ିବ।

ମିଃ ଶଶାଙ୍କ ନିଜର ଦୈନନ୍ଦିନ ଅଫିସ୍ କାମ ଭିତରେ ବି ଧିରେ ଧିରେ ବ୍ୟୁହ ରଚନା କରୁଥିଲେ ସେଲିନା ଚାରିପାଖରେ। ସେଦିନ ତାଙ୍କର ଡି-ଟିଭି ଚ୍ୟାନେଲ୍ ବନ୍ଧୁ ଫୋନ୍.ରେ ଜଣାଇଲେ, ଶଶାଙ୍କବାବୁ ଆପଣଙ୍କର କାମ ହେଇଗଲା ଜାଣନ୍ତୁ। ମିସ୍ ସେଲିନା ରାଜି ଅଛନ୍ତି ଆପଣଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ପରିବେଷଣ ନିମନ୍ତେ। ପୁରାକୁ ପୁରା କାର୍ଯ୍ୟକ୍ରମ ସିଧା ପ୍ରସାରିତ ହେବ ଆମ ଚ୍ୟାନେଲ୍.ରେ। ଆପଣଙ୍କ ସହିତ ସାକ୍ଷାତକାର ପାଇଁ ସେ ଆସୁଛନ୍ତି ଆସନ୍ତା ସପ୍ତାହରେ। ମୁଁ ଆପଣଙ୍କର ନମ୍ବର ଦେଇ ଦେଇଛି। ସେ ଆପଣଙ୍କ ସହିତ ଖୁବ୍ ଶୀଘ୍ର ଯୋଗାଯୋଗ କରିବେ। ତେବେ ସାକ୍ଷାତର କୌଣସି ଆବଶ୍ୟକତା ନାହିଁ ବୋଲି ମନା କରି ଦେଇଥିଲେ ମିଃ ଶଶାଙ୍କ। ଫୋନ୍.ରେ କଥାବାର୍ତ୍ତା ଯଥେଷ୍ଟ ହେବ। କାରଣ ସେହି ସପ୍ତାହରେ ବିଦେଶରୁ କିଛି ପ୍ରତିନିଧି ଆସୁଥିବାରୁ ତାଙ୍କ ସହ ସାକ୍ଷାତ ମିଃ ଶଶାଙ୍କଙ୍କ ନିମନ୍ତେ ଅତ୍ୟଧିକ ଜରୁରୀ ଥିଲା। ମିଃ ଶଶାଙ୍କ କାମୁକ ହେଲେ ବି ନିଜ ପ୍ରକୃତି ଓ ପ୍ରବୃତ୍ତି ପାଇଁ ଦାୟିତ୍ବବୋଧରେ ଖିଲାପକୁ ପ୍ରଶ୍ରୟ ଦେଇ ପାରନ୍ତି ନାହିଁ।

ନିର୍ଦ୍ଧାରିତ ତାରିଖର ଗୋଟିଏ ଦିନ ପୂର୍ବରୁ ପହଞ୍ଚିବାର ତାଗିଦ୍ ଥିଲା ମିଃ ଶଶାଙ୍କଙ୍କ ତରଫରୁ। ନୃତ୍ୟ ପ୍ରଦର୍ଶନୀରେ କୌଣସି ପ୍ରକାର ହୁଗୁଳା ନୀତିକୁ ସେ ନାପସନ୍ଦ କରୁଥିଲେ। ଯେଉଁଥିପାଇଁ ମଞ୍ଚରେ ନୃତ୍ୟ ପ୍ରବୀଣତା ଦେଖାଇବା ପୂର୍ବରୁ ଅନ୍ତତଃ ଥରୁଟିଏ ସେଇ ମଞ୍ଚରେ ପୂର୍ବାଭ୍ୟାସ ଆବଶ୍ୟକ ବୋଲି ଫୋନ୍.ରେ ବୁଝାଇଥିଲେ ମିଃ ଶଶାଙ୍କ। ପ୍ରକୃତରେ କହିବାକୁ ଗଲେ ସେଲିନା ପରି ଉଚ୍ଚକୋଟିର ନୃତ୍ୟଶିଳ୍ପୀ ନିମନ୍ତେ ପୂର୍ବାଭ୍ୟାସର କୌଣସି ଆବଶ୍ୟକତା ନ ଥିଲା। ତେବେ ଅନ୍ୟ କେଉଁଠି କାର୍ଯ୍ୟକ୍ରମ ନ ଥିବାରୁ ମିଃ ଶଶାଙ୍କଙ୍କ କଥାରେ ସେଲିନାର ଆପତ୍ତି ମଧ୍ୟ ନ ଥିଲା। ଅସଲରେ ମିଃ ଶଶାଙ୍କ ନିଜ ଯୋଜନାକୁ କାର୍ଯ୍ୟକାରୀ କରିବାକୁ କିଛି ଅଧିକ ସମୟ ଚାହୁଁଥିଲେ।

ଠିକ୍ ସମୟରେ ସେଲିନା ପହଞ୍ଚିଥିଲା ବାଙ୍ଗାଲୋର୍.ରେ ତାର ଟିମ୍ ସହ। ସମସ୍ତଙ୍କୁ ରହିବା ଓ ଖାଇବାର ବନ୍ଦୋବସ୍ତ ହୋଇଥିଲା ବାଙ୍ଗାଲୋର୍.ର ନାମୀ ଦାମୀ ହୋଟେଲ୍.ରେ। ମିଃ ଶଶାଙ୍କଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୃତ୍ୟ କୃତ୍ୟ ହୋଇ ଉଠିଥିଲା ସେଲିନା। ପୂର୍ବାଭ୍ୟାସ ସାରି ହୋଟେଲକୁ ଫେରିବା ସମୟରେ ପୂର୍ବ ଯୋଜନା ଅନୁଯାୟୀ ସେଲିନା ପାଇଁ ଉଦ୍ଦିଷ୍ଟ କାର୍.ରେ କିଛି ଯାନ୍ତ୍ରିକ ତୃଟି ଯୋଗୁଁ ନିଜେ ମିଃ ଶଶାଙ୍କ ତାଙ୍କ କାର୍ ରେ ସେଲିନାକୁ ହୋଟେଲରେ ପହଞ୍ଚାଇବା ପାଇଁ ବାହାରିଲେ। ରାସ୍ତାରେ ନିଜ ସ୍ଵଭାବ ସୁଲଭ ଚତୁରତାରେ ସେଲିନାକୁ ଭୁରି ଭୁରି ପ୍ରଶଂସାରେ ପୋତି ପକାଉଥିଲେ ମିଃ ଶଶାଙ୍କ। ଆଉ ପୁରୁଷଟିଏ ଯେତେବେଳେ ନାରୀର ପ୍ରଶଂସାରେ ଶତମୁଖ ହୁଏ, ସେଇ ସମୟରେ ସେ ନାରୀକୁ ପୁରୁଷଟି ଅନ୍ୟ ସମସ୍ତଙ୍କ ତୁଳନାରେ ଅଧିକ ନିଜର ମନେ ହୁଏ। ତେବେ କିଛି କିଛି ନାରୀଙ୍କ କ୍ଷେତ୍ରରେ ତାଙ୍କର ଷଷ୍ଠେନ୍ଦ୍ରିୟ ଏ ସମୟରେ ଠିକ୍ କାମ କରେ। ହୋଟେଲ୍ ରୁମ୍ ପର୍ଯ୍ୟନ୍ତ ସେଲିନାକୁ ପହଞ୍ଚାଇ ଦେଇ ଫେରିବାକୁ ଉଦ୍ୟତ ହେବା ସମୟରେ ହଠାତ୍ କିଛି ମନେ ପକାଇଲା ପରି ଫେରି ପଡ଼ିଲେ ମିଃ ଶଶାଙ୍କ।

- ଆଚ୍ଛା, ମିସ୍ ସେଲିନା... ସେତିକିରେ ଅଟକି ଯାଇ ଦ୍ୱାର ପାଖରେ ଛିଡ଼ା ହୋଇ ପଡ଼ିଲେ। ତାପରେ ପୁଣି କହିଲେ ନା, ନା ଆପଣ ଖାଇ ପିଇ ବିଶ୍ରାମ କରନ୍ତୁ। ପରେ କଥା ହେବା। ଅବଶ୍ୟ, ପରେ ମୋର ଏ ଛୋଟ କଥାଟି ମନେ ରହିବ କି ନାହିଁ। ପ୍ରକୃତରେ କଥା କିଛି ନ ଥିଲା। ମିଃ ଶଶାଙ୍କ ସୁଯୋଗ ଉଣ୍ଡୁଥିଲେ। ସେଲିନା ଦରଜାଟିକୁ ଅଳ୍ପ ମେଲା କରିଦେଇ ମିଃ ଶଶାଙ୍କଙ୍କୁ ଡାକି ନେଲା ଭିତରକୁ। ତାପରେ ଦରଜା ଭିତରୁ ବନ୍ଦ କରିଦେଲା। ମିଃ ଶଶାଙ୍କ ସୋଫାଟି ଉପରେ ବସୁ ବସୁ ଅନ୍ୟମନସ୍କ ହୋଇ ପଡ଼ୁଥିଲେ। ସେଲିନା ତାଙ୍କୁ ଚମକାଇ ଦେଇ କହିଲା, ଆପଣ ବୋଧହୁଏ ଟିକେ ବିଚଳିତ ମନେ ହେଉଛନ୍ତି। ତାପରେ ଟିକିଏ ରହି କହିଲା, ଆଜି ମୋ ସହିତ ଏଇଠି ରାତ୍ରିଭୋଜନ କରିବାରେ ଆପଣଙ୍କର କଣ କିଛି ଆପତ୍ତି ଅଛି? ମିଃ ଶଶାଙ୍କଙ୍କର ଉତ୍ତରକୁ ଅପେକ୍ଷା ନ କରି ଦୁଇଜଣଙ୍କ ପାଇଁ ଖାଇବା ଅର୍ଡର୍ କଲା ସେଲିନା। ମିଃ ଶଶାଙ୍କ ଘଣ୍ଟାକୁ ଚାହିଁଲେ ରାତି ସାଢ଼େ ଦଶ ବାଜିଲାଣି। ଗୋଟିଏ ଆବଦ୍ଧ କକ୍ଷରେ ମିଃ ଶଶାଙ୍କ ଏବଂ ରୂପସୀ ସେଲିନା। କିଛି ବି ହୋଇପାରେ। ସେଲିନାର ତାଙ୍କ ପ୍ରତି ଭରସାକୁ ସେ ଆଦୌ ବିଶ୍ୱାସ କରି ପାରୁନଥିଲେ। ସବୁ ସୁନ୍ଦରୀ ଝିଅ କଣ ଏମିତି? ଯେତିକି ସୁନ୍ଦରୀ, ତା ତୁଳନାରେ ଆତ୍ମବିଶ୍ୱାସ ତାଙ୍କର ତା ଠାରୁ ଅଧିକ। ନିଜ ପ୍ରତି ଭରସା ତ ଠିକ୍ ଅଛି, କିନ୍ତୁ ଅପର ପ୍ରତି ସେତିକି ଭରସା କଣ ଠିକ୍? ସେଲିନା ଆର ରୁମ୍.ରେ ଲୁଗା ବଦଳାଇ ଆସି ବସିଲା ମିଃ ଶଶାଙ୍କଙ୍କୁ ଲାଗି। ପଚାରିଲା, ହଁ କଣ କହିବେ ବୋଲି କହୁଥିଲେ? ସଂକ୍ଷିପ୍ତ ବସନରେ ସେଲିନାର ଅପରୂପ ଲାବଣ୍ୟଭରା ଶରୀରକୁ ଚାହିଁ ଦେଇ ମିଃ ଶଶାଙ୍କ ସତେ କି ଜଡ଼ ପାଲଟିଗଲେ। ପାଟିରୁ ତାଙ୍କର କିଛି ବି କଥା ସ୍ଫୁରିଲା ନାହିଁ। ସେଲିନାର ଅଙ୍ଗ ସ୍ପର୍ଶରେ ତାଙ୍କ ଶରୀରରେ ଛୁଟିଗଲା ହାଇ ଭୋଲ୍ଟେଜ୍.ର କରେଣ୍ଟ୍। ସେଇ ଝଟକାରେ ମିଃ ଶଶାଙ୍କ ଘୁଞ୍ଚିଗଲେ ଦୂରକୁ। ସେଲିନା ସେମିତି ଚାହିଁ ରହିଥିଲା ମିଃ ଶଶାଙ୍କଙ୍କୁ କିଛି ଶୁଣିବା ଆଶାରେ। ଆଉ ସେଇ ଚାହାଣୀରେ ମିଃ ଶଶାଙ୍କ ଯେମିତି କିଛି କ୍ଷଣ ପାଇଁ ହଜିଗଲେ ପାର୍ଥିବ ଦୁନିଆଁରୁ। ସେଲିନା ତାଙ୍କ ଚକ୍ଷୁ ସାମ୍ନାରେ ହାତ ହଲାଇ ଦେଇ କହିଲା, ଆପଣ କିଛି କହୁଥିଲେ ନା ମିଃ ଶଶାଙ୍କ? ମିଃ ଶଶାଙ୍କ ସମ୍ବିତ୍ ଫେରି ପାଇ କିଛି କହିବା ପାଇଁ ପାଟିଟା ଅଳ୍ପ ମେଲୁଥିଲେ କି କଲିଂବେଲ୍ ଶବ୍ଦରେ ଅଟକିଗଲେ। ସେଲିନା ଯାଇ କବାଟ ଖୋଲିଦେଲା। ଅନେକ ସୁସ୍ଵାଦୁ ଡିସ୍.ରେ ଟେବୁଲ୍ ସଜାଡ଼ିଦେଇ ଚାଲିଗଲା ୱେଟର୍। ସାଙ୍ଗରେ କିଛି ମୃଦୁ ପାନୀୟ ବି ଆସିଥାଏ। ଅଳ୍ପ କିଛି ପାନୀୟ କଣ୍ଠସ୍ଥ କଲା ପରେ ଖାଇବାରେ ମନ ଦେଲେ ଦୁହେଁ। ସେଲିନା କିନ୍ତୁ ପାନୀୟକୁ ମୋଟେ ଛୁଉଁ ନ ଥାଏ। ବୋଧହୁଏ ପାନୀୟଟି ଖାସ୍ କରି ମିଃ ଶଶାଙ୍କଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ତାଙ୍କରି ବ୍ରାଣ୍ଡ୍। ଭୋଜନର ପ୍ରଶଂସା କରୁ କରୁ ସେଲିନାର ପ୍ରଶ୍ନକୁ ଏଡ଼େଇ ଯାଇଥିଲେ ମିଃ ଶଶାଙ୍କ।

- ଆଛା, ଆପଣ ପାନୀୟ ମୋଟେ ନେଲେ ନାହିଁ ଯେ?

- ସରି, ମୁଁ କେବେ ପିଇ ନାହିଁ। ଏ କ୍ଷେତ୍ରରେ ଆପଣଙ୍କୁ ମୁଁ ସଙ୍ଗ ଦେଇ ପାରିବି ନାହିଁ। କହି ଦେଇ ହସି ଦେଲା ସେଲିନା। ତାର ମୁକ୍ତା ସମ ସଜ୍ଜିତ ସଫା ଦାନ୍ତ ବିଜୁଳି ଆଲୁଅରେ ଚକ୍ ଚକ୍ କରି ଉଠିଲା। କହିଲା, ଆପଣଙ୍କ ସହ ରାତ୍ରିଭୋଜନ ମୋର ସବୁଦିନ ପାଇଁ ମନେ ରହିବ।

- ମୋର ବି। ମିଃ ଶଶାଙ୍କ ହାତ ଧୋଇ ସାରି ଯିବାକୁ ଉଦ୍ୟତ ହେଲେ। ସେଲିନା ମନେ ପକାଇ ଦେଲା ପରି ତା ପ୍ରଶ୍ନର ପୁନରାବୃତ୍ତି କଲା। ମିଃ ଶଶାଙ୍କ ଏଥର କିନ୍ତୁ ହସି ଦେଇ ଆପଣରୁ ତୁମେ କୁ ଖସି ଆସି କହିଲେ, ଏଥର ମୋର ପାଳି। ଆସନ୍ତା କାଲି ମୁଁ ତୁମକୁ ପୁରା ବାଙ୍ଗାଲୋର୍ ବୁଲାଇବି। ସକାଳ ଆଠଟାରେ। ଠିକ୍ ଅଛି? ସେଲିନା ମୃଦୁ ମୃଦୁ ହସୁଥିଲା। ସେ ବୋଧହୁଏ ବୁଝି ପାରୁଥିଲା କଥା ଅନ୍ୟ କିଛି ଥିଲା।

ତଳେ ପହଞ୍ଚି ମିଃ ଶଶାଙ୍କ କୋଟ୍ ପକେଟ୍.ରୁ ଦୁଇଟି କ୍ୟାପ୍.ସୁଲ୍ ବାହାର କରି ଫିଙ୍ଗିଦେଲେ ନର୍ଦ୍ଦମାକୁ।

ତା ପରଦିନ ସିଲିକନ୍ ନଗରୀ ବାଙ୍ଗାଲୋର୍ ର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲୁ ବୁଲୁ ଷ୍ଟାଚ୍ୟୁ ଅଫ୍ କିଙ୍ଗ ଏଡୱାର୍ଡ୍ ସେଭେନ୍ଥ୍ ପାଖରେ ଅଟକିଗଲା ସେଲିନା। ମିଃ ଶଶାଙ୍କଙ୍କ ପାଖକୁ ଲାଗି ଆସି ସେଲ୍ଫିଟିଏ ନେଉ ନେଉ ସେଲିନା କହିଲା, କାଲି ଠାରୁ ଆପଣଙ୍କର ଚକିତ ଭାବ କିଛିଟା କଟିଛି।

- ମାନେ?

- ମାନେ, ମୁଁ ଆସିବା ଠାରୁ ଲକ୍ଷ୍ୟ କରୁଛି, ଅଧିକାଂଶ ସମୟ ମୋ ଆଡ଼େ ଚାହିଁ ଦେଇ ହଜି ଯାଉଛନ୍ତି। ପାଖକୁ ଲାଗି ଆସିଲେ ଦୂରକୁ ଘୁଞ୍ଚି ଯାଉଛନ୍ତି।

ମିଃ ଶଶାଙ୍କ ହସିଲେ ଠୋ ଠୋ ହୋଇ। ପଚାରିଲେ, ତୁମେ କଣ ସବୁବେଳେ ଏମିତି? ଏତେ ରୋକ୍ ଠୋକ୍? ମୁଁ ତୁମର ଆତ୍ମବିଶ୍ୱାସରେ ନିଜର ଆତ୍ମବିଶ୍ୱାସ ହରାଇ ବସୁଛି ଥରେ ଥରେ। ସେଇଥିପାଇଁ ମୋର ଏ ଅନ୍ୟମନସ୍କ ଭାବ।

ସେଲିନା ନିଜ ପ୍ରଶଂସାରେ ଚକ୍ଷୁ ନତ କରି କହିଲା, ଏ ଆତ୍ମବିଶ୍ୱାସ ମୋର ବଢ଼ିଛି ମୋର ବାପା ମାଆଙ୍କ ପାଇଁ, ଖାସ୍ କରି ଅପା ପାଇଁ।

- ମୁଁ ବୁଝି ପାରିଲି ନାହିଁ।

- ପିଲାଟି ଦିନରୁ ନୃତ୍ୟ ପ୍ରତି ମୋର ଖୁବ୍ ଦୁର୍ବଳତା। ମୋର ଇଚ୍ଛା ଥିଲା ମୁଁ ବଡ଼ ହୋଇ ଓଡ଼ିଶୀ ନୃତ୍ୟରେ ପ୍ରବୀଣ ହେବି। ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟଟିଏ ସୃଷ୍ଟି କରିବି। ଆଉ ଅପାର ସ୍ଵପ୍ନ ସେ ଦିନେ ନାମୀ ଦାମୀ ଅଭିନେତ୍ରୀ ହେବ। ଖୁବ୍ ନାଁ କରିବ। ଆମ ଦୁହିଁଙ୍କ ପ୍ରଫେସନ୍ ପ୍ରତି ବାପା ମାଆଙ୍କର ଥିଲା ଘୋର ବିରୋଧ। ପ୍ରକୃତରେ ବାପା ଭୟ କରୁଥିଲେ ସମାଜରେ ପ୍ରତିଦିନ ଘଟୁଥିବା ଅଭାବନୀୟ ଘଟଣାକୁ ନେଇ। ତାଙ୍କର ଭୟ ଥିଲା ଗ୍ଳେମର୍ ଦୁନିଆଁର ଚାକଚକ୍ୟତାକୁ ନେଇ। କହୁଥିଲେ, ଏତେ ବଡ଼ ବଡ଼ ସ୍ଵପ୍ନ ଆମ ପାଇଁ ଠିକ୍ ନୁହେଁ। କିନ୍ତୁ ସ୍ଵପ୍ନ ନ ଥାଇ ଜୀବନରେ ସଫଳତା ନାହିଁ। ଅଭିନେତ୍ରୀ ହେବାର ସ୍ଵପ୍ନ ନେଇ ବାପା ମାଆଙ୍କ କଥାର ବିପରୀତରେ ଯାଇ ଅପା ଦିନେ ଘରୁ ଲୁଚି ଚାଲିଗଲା କେଉଁଠିକି, ଆଜି ପର୍ଯ୍ୟନ୍ତ ଫେରିଲା ନାହିଁ। ମୁଁ କିନ୍ତୁ ସେମାନଙ୍କ କଥାକୁ ଅବମାନନା କରି ଜୀବନରେ ଆଗକୁ ବଢ଼ିବା କଥା ଚିନ୍ତା ବି କରି ପାରୁନଥିଲି। ବାପା ମାଆ ମୋ ପାଇଁ ଥିଲେ ସବୁ କିଛି। ଅପା ଯୋଗୁଁ ତାଙ୍କ ମନରେ ଯେଉଁ ଆଘାତ ଲାଗିଛି, ମୋର ପୁନରାବୃତ୍ତିରେ ସେମାନଙ୍କ ବଞ୍ଚିବାର ଛୋଟ ଆଗ୍ରହ ଟିକକ ମଧ୍ୟ ଭାଙ୍ଗି ଚୁର୍ ମାର୍ ହୋଇଯିବ। ସବୁ କିଛି ବିକ୍ଷିପ୍ତ ହୋଇଯିବ କ୍ଷଣିକରେ। ଏଣୁ ମୁଁ ଚାହୁଁଥିଲି ବାପା ମାଆଙ୍କୁ ବୁଝାଇ ସୁଝାଇ ମୋର ସ୍ଵପ୍ନ ସାକାର କରିବାକୁ। ସେମାନଙ୍କ ଇଚ୍ଛା ବିରୁଦ୍ଧରେ ପାଦଟିଏ ବଢ଼ାଇବା ମୋ ପାଇଁ ଥିଲା ଲକ୍ଷ୍ମଣ ରେଖା ପାର କରିବା ସଦୃଶ। ମୋ ଆତ୍ମା ଓ ବିବେକ ମୋତେ ଏଥିପାଇଁ ଅନୁମତି ପ୍ରଦାନ କରୁନଥିଲା।

- ତାହେଲେ ତୁମେ ଏ ଲାଇନ୍ କୁ ଆସିଲ କେମିତି?

- ମୋର ଗୀତ ନୃତ୍ୟ କ୍ଳାସ୍ ସବୁ ବନ୍ଦ ହୋଇ ଯାଇଥିଲା। ଅନ୍ୟ ଆଗରେ ମୁହଁ ଖୋଲି ହସୁଥିଲେ ମଧ୍ୟ ଭିତରେ ଭିତରେ ମୁଁ ଭାରି ବିଷର୍ଣ୍ଣ ଆଉ ଏକୁଟିଆ ବୋଧ କରୁଥିଲି। ମୋର ଉଦାସୀନତା ଧରା ପଡ଼ି ଯାଇଥିଲା ବାପାଙ୍କ ଆଗରେ। ସେ ମୋର ଡିପ୍ରେସନ୍ ର କାରଣ ବୁଝିବା ପାଇଁ ଜଣେ ମନୋସ୍ତତ୍ତ୍ୱବିତ୍ ଙ୍କୁ ଦେଖାଇଲେ। ଏକାନ୍ତରେ ବାପାଙ୍କୁ ତାଙ୍କର ପରାମର୍ଶ ଥିଲା ଝିଅର ସ୍ୱପ୍ନ ଓ ଉଚ୍ଚାକାଂକ୍ଷାକୁ ଦମନ କରାନଯାଉ, ଏ ଡିପ୍ରେସନ୍ ତାରି ଫଳ। ବାପା ବୁଝିଗଲେ। ମୋର ସ୍ୱପ୍ନକୁ ସାକାର କରି ଗଢ଼ି ତୋଳିବା ପାଇଁ ରାସ୍ତା ତିଆରି ହୋଇଗଲା। ତେବେ ବାପା ମାଆଙ୍କର ମୋ ପ୍ରତି ଯେଉଁ ଘୋର ଆତ୍ମବିଶ୍ୱାସ ତାକୁ ମୁଁ ନିଜର ପୁଞ୍ଜି କରି ଚାଲିଛି। ମୋ ପାଇଁ ତାଙ୍କର ମସ୍ତକ କେବେ ବି ଲଜ୍ଜାରେ ଅବନତ ହେବ ନାହିଁ। ଏ ଦୃଢ଼ ସଂକଳ୍ପ ମୋ ଆତ୍ମବିଶ୍ୱାସକୁ ବଢ଼ାଇଛି ଅନେକ ଗୁଣ। ଏଇ ଯେଉଁ ସେଲିନାକୁ ଆପଣ ଦେଖୁଛନ୍ତି ଇଏ ହେଉଛି ତାଙ୍କରି ଅମାନତ। ସ୍ୱପ୍ନ ପୂରଣ ପୂର୍ବକ ସସମ୍ମାନେ ତାଙ୍କୁ ଫେରାଇବାକୁ ହେବ ଏଇ ଅମାନତ ଟିକକ।

କଥା କହୁଥିବା ବେଳେ ସେଲିନାର ଚକ୍ଷୁ ଆତ୍ମସନ୍ତୋଷରେ ଝଲସି ଉଠୁଥିଲା। ମିଃ ଶଶାଙ୍କ ଅପଲକ ଚାହିଁଥିଲେ ସେଲିନାର ଚକ୍ଷୁରୁ ବିକିରିତ ଖୁସିର ଚମକ ସବୁକୁ।

ସେଲିନାର ନୃତ୍ୟ କାର୍ଯ୍ୟକ୍ରମ ଅତି ସୁରୁଖୁରୁରେ ସମାପନ ହେଲା। ଇତି ମଧ୍ୟରେ ସେଲିନା ଆଉ ମିଃ ଶଶାଙ୍କଙ୍କ ମଧ୍ୟରେ ଅନ୍ତରଙ୍ଗତା ଆଉ ଟିକିଏ ବଢ଼ି ଯାଇଥିଲା। ସେଲିନା ପ୍ରତି ମିଃ ଶଶାଙ୍କଙ୍କ ସମ୍ମାନ ବଢ଼ି ଯାଇଥିଲା ଶତଗୁଣ । ସେ ବିନା ଦ୍ୱିଧାରେ ନିଜର ଅନ୍ଧକାର ପାର୍ଶ୍ୱକୁ ଖୋଲି ଦେଇଥିଲେ ସେଲିନା ଆଗରେ। ହୃଦୟର କେଉଁ ଏକ କୋଣରେ ସେଲିନା ପାଇଁ ସ୍ଥାନ ତିଆରି କରି ସାରିଥିଲେ ନିଜ ଅଜାଣତରେ। ସେଲିନାକୁ ବିଦାୟ ଦେବା ପୂର୍ବରୁ ଭାବ ପ୍ରବଣତା ପୂର୍ବକ ଛୋଟ ନିବେଦନଟିଏ କରି ବସିଲେ ମିଃ ଶଶାଙ୍କ।

- ତୁମେ ମୋତେ ବିବାହ କରିପାରିବ ସେଲିନା?

- ନା...

କ୍ଷଣିକ ପାଇଁ ମିଃ ଶଶାଙ୍କଙ୍କ ମନଟା ଦୁଃଖୀ ହୋଇଗଲା। ସେ ଶୂନ୍ୟ ଆଖିରେ ଚାହିଁଥିଲେ ସେଲିନା ଆଡ଼େ।

ସେଲିନା ଓଠ ଧାରରେ ସଲଜ୍ଜ ହସଟିଏ ଟାଣି କହିଲା, ନା, ଏ ପ୍ରସ୍ତାବ ଏଠି ନୁହେଁ। ଆପଣଙ୍କୁ ମୋ ବାପା ମାଆଙ୍କ ସହିତ କଥା ହେବାକୁ ପଡ଼ିବ। ତାଙ୍କ ବିନା ଅନୁମତିରେ...

ମିଃ ଶଶାଙ୍କ ଅତ୍ୟଧିକ ଭାବାବେଗରେ ଆଉ କିଛି କଥା କହି ପାରିଲେ ନାହିଁ। ଅନୁତପ୍ତ ହୃଦୟ ତାଙ୍କର ଚକ୍ଷୁ ଦେଇ ଝରାଇ ଦେଲା ଦୁଇ ବୁନ୍ଦା ଅଶ୍ରୁ।


ଟି.ଦୁର୍ଗା ପ୍ରସାଦ ରାଓ


Rate this content
Log in

Similar oriya story from Tragedy