Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

T.Durga Prasad Rao

Others

3  

T.Durga Prasad Rao

Others

ଯାହା ଦେବେ

ଯାହା ଦେବେ

4 mins
508




ଘରଟିଏ ତୋଳିବାର ଇଚ୍ଛା ଯେତେବେଳେ ଆକଣ୍ଠ ହେଲା, ଜଣେ ପରିଚିତ ଜଣାଶୁଣା ବଙ୍ଗୀୟ ରାଜମିସ୍ତ୍ରୀ ମିଲନ୍ ଯିଏ ଫାଉଣ୍ଡେସନ୍.ରୁ ଫିନିଶିଙ୍ଗ୍ ଯାଏଁ କାମ ଠିକାରେ କରନ୍ତି, ତାଙ୍କ ସହ ଦେଖା ହୋଇ ମନକଥା ଜଣାଇଲି। ମୋ ଘର ତିଆରିର ଯୋଜନା, ଅଟକଳ ସବୁକିଛି ଶୁଣି ସାରି ସେ ମୁଣ୍ଡ ଟୁଙ୍ଗାରିଲେ।

- ହେଇଯିବ ଆଜ୍ଞା, କରିଦେବା। ମୋର କାମଟିଏ ଚାଲିଛି, ଆଉ ମାତ୍ର ପନ୍ଦର କୋଡ଼ିଏ ଦିନ ଲାଗିବ। ତାପରେ ଆପଣଙ୍କର କାମ ଆରମ୍ଭ କରିବା।

- ହେଇଯିବ ଯେ, ଆଉ... କେମିତି କଣ... ଛିଣ୍ଡାପଟା ହେଇଗଲେ ଭଲ ହୁଅନ୍ତା।

- କଣ? ରେଟ୍ କଥା ପଚାରୁଛନ୍ତି କି? ଆପଣ କଣ ଜାଣିନାହାନ୍ତି? ମୁଁ କଣ ଆପଣଙ୍କ ଠାରୁ ଅଧିକ ନେବି? ସଚରାଚର ଯାହା ଥିବ, ସେଇୟା ଦେବେ।

- ତଥାପି...

- ଆପଣଙ୍କ ସହିତ ମୋର ବହୁଦିନର ପରିଚୟ, ଯାହା ଦେବେ। ମୁଁ ଆଉ କଣ ମୁହଁ ଖୋଲି କହିବି।


ରାଜମିସ୍ତ୍ରୀ ମିଲନ୍ ରେଟ୍ କଥା କିଛି ଆଉ କହିଲେ ନାହିଁ ଯେତେ ପଚାରିଲେ ବି। ମୁଁ ମନେ ମନେ ଭାବିଲି ହଉ, ଠିକ୍ କାମ ଆରମ୍ଭ ପୂର୍ବରୁ ପଚାରିଦେବି।

ୟା ଭିତରେ ସଚରାଚର ରେଟ୍.ଟା କଣ ମୁଁ ଦୁଇ ତିନିଟା ମିସ୍ତ୍ରୀଙ୍କୁ ପଚାରି ବୁଝି ସାରିଥାଏ। ତା ଭିତରେ ଜଣେ ରାଜମିସ୍ତ୍ରୀ ମଙ୍ଗରାଜ ଖୁବ୍ ଆଗ୍ରହ ପ୍ରକାଶ କରି କହିଲେ, “କାମଟା ମତେ ଦିଅନ୍ତୁ। ଆପଣଙ୍କୁ ଅଭିଯୋଗର ସୁଯୋଗ ଦେବିନାହିଁ। କାମ ଭଲ ହେବ। ଆଉ ଆପଣଙ୍କ ପ୍ଳିନ୍ଥ ଏରିଆ ଯାହା ହେବ ବର୍ଗଫୁଟ ପ୍ରତି ଶହେ ଅଶୀ ଲେଖାଁ ଦିଅନ୍ତୁ। ଆଡଭାନସ୍ କିଛି ଦେବା ଦରକାର ନାହିଁ। କାମ ହିସାବରେ ପ୍ରତି ସପ୍ତାହରେ କିଛି କିଛି ପାଉଣା ଦେବେ, ମୁଲିଆଙ୍କ ହାଜିରି ବାବଦରେ। କାମ ସରିଲା ପରେ ସବୁତକ ହିସାବ କରିବା, ବାକି ପାଉଣା ସେ ସମୟରେ ଦେବେ।” ମୁଁ “ହଉ ଠିକ୍ ଅଛି ଦେଖିବା” କହିଦେଇ ସମୟ ଗଡ଼ାଇନେଲି। ମଙ୍ଗରାଜଙ୍କୁ ମୁଁ ଆଗରୁ ଜାଣିନାହିଁ। ତେବେ ତାଙ୍କୁ ଦେଖିଲେ ମନେହୁଏ ଲୋକ ଭାରି ସାଧାସିଧା। ତଥାପି ମନେ ମନେ ଭାବିଲି ମୋର ପରିଚିତ ବଙ୍ଗୀୟ ରାଜମିସ୍ତ୍ରୀ ମିଲନ୍.ଙ୍କୁ କାମ ନ ଦେଇ ନୂଆ ଲୋକଙ୍କୁ କାହିଁକି ଦେବି? ସେ ନିଶ୍ଚୟ ୟାଙ୍କଠାରୁ ଭଲ କାମ କରିବେ ଆଉ ଠିକ୍ ରେଟ୍.ରେ କରିବେ। ମଙ୍ଗରାଜଙ୍କର ଯଦି ବର୍ଗଫୁଟକୁ ଶହେ ଅଶୀ, ତାହେଲେ ମିଲନ୍.ଙ୍କର ନିଶ୍ଚୟ ଶହେ ସତୁରୀ କିମ୍ବା କମ୍ ଥିବ।

କିଛି ଦିନ ପରେ ବଙ୍ଗୀୟ ରାଜମିସ୍ତ୍ରୀ ପୁଣିଥରେ ଦେଖା ହୋଇଗଲେ ବଜାରରେ। ମୋତେ ଦେଖି ହସିଦେଲେ। ପଚାରିଲି, “ଆଉ... କାମ ସରିଲା?” ସେ କଳରେ ପାନ ଚୋବାଉ ଚୋବାଉ ନାଲିଆ ଓଠ ବୁଲାଇ କହିଲେ, “ହଁ, ହଁ ପ୍ରାୟ ସରି ଆସିଲାଣି, ଆଉ ଯାହା ବି ଅଛି ମୋ ଆସିଷ୍ଟାଣ୍ଟ୍.ଙ୍କୁ କହିଦେଇଛି। ଆସନ୍ତା ବୁଧବାର ଆପଣଙ୍କର ଆରମ୍ଭ କରିବା।” ମୁଁ ଟିକେ ଗମ୍ଭୀର ହୋଇ ପୁଣି ରେଟ୍ କଥା ଦୋହରାଇଲି। ସେ ହସି ଦେଇ କହିଲେ, “ଆପଣ ନିଜର ଲୋକ, ଯାହା ଦେବେ।” ତାପରେ ପରିବା ବ୍ୟାଗ୍.ଟିକୁ ସାଇକେଲ୍ ହ୍ୟାଣ୍ଡଲ୍.ରେ ପୁରାଇ ଚାଲିଗଲେ।


ଘର ତୋଳିବାର ଆଗ୍ରହ ମୋତେ ବ୍ୟତିବ୍ୟସ୍ତ କରୁଥିଲା। ରବିବାର ଛୁଟି ଦିନ। ହାତରେ କିଛି କାମ ନାହିଁ। ମୁଁ ମୋର ଜଣେ ଇଞ୍ଜିନିୟର୍ ବନ୍ଧୁଙ୍କୁ ଡାକି ଆଣି ଜଣେ ମୁଲିଆ ସାହାଯ୍ୟରେ ପ୍ଳଟ୍ ଉପରେ ଲେଆଉଟ୍ କରାଇନେଲି। ଗୋଟିଏ ଟେମ୍ପରାରୀ ଘର ତିଆରି ପାଇଁ ଆବଶ୍ୟକ ଇଟା, ସିମେଣ୍ଟ୍, ବାଲି ଓ ଟିଣ ଆଣି ରଖିଲି।


ନିର୍ଦ୍ଧାରିତ ଦିନ ବଙ୍ଗୀୟ ରାଜମିସ୍ତ୍ରୀ ମିଲନ୍ ତାଙ୍କର ଚେଲା ଚାମୁଣ୍ଡା ନେଇ ପହଞ୍ଚିଲେ। ସାଙ୍ଗରେ ତାଙ୍କର ଦୁଇଟି ବ୍ୟାଗ୍ ଭର୍ତ୍ତି ସାଜ ସରଞ୍ଜାମ। ଶାବଳ ଓ ଗଇଁତି ନେଇ ଫାଉଣ୍ଡେସନ୍ ଖୋଳିବା କାମରେ ଚାରିଜଣ ମୁଲିଆଙ୍କୁ ଲଗାଇଦେଲେ। ଆଉ ଦୁଇ ଜଣ ମୁଲିଆ ଓ ନିଜର ଆସିଷ୍ଟାଣ୍ଟ୍.ଙ୍କୁ ନେଇ ଟେମ୍ପରାରୀ ଘର କାମ ପାଇଁ ମପାମପି ଆରମ୍ଭ କରିଦେଲେ। ମୁଲିଆ ଦୁଇଜଣ ସିମେଣ୍ଟ୍ ଓ ବାଲି ମିଶାଇ ମସଲା ପ୍ରସ୍ତୁତ କରିବେ, ମୁଁ ତାଙ୍କୁ ଅଟକାଇ ଦେଇ ମିଲନ୍.ଙ୍କୁ ପଚାରିଲି, “ଏବେ ତ କୁହ, କେତେ ହେଲେ ହେବ?” ସେ ପୁଣି ସେଇ ଚିରାଚରିତ ଢଙ୍ଗରେ ହସି ଦେଇ କହିଲେ, “ଆଜ୍ଞା, ଯାହା ଦେବେ, ମୁଁ ଆଉ କଣ କହିବି?” ଏଥର କିନ୍ତୁ ମୁଁ ଟିକିଏ ଦୃଢ଼ କଣ୍ଠରେ କହିଲି, “ନା, ତମେ ରେଟ୍ ନ କହିବ ଯଦି କାମ ମୋର ଦରକାର ନାହିଁ। ଅଧିକ ହେବ କି କମ୍ ହେବ ନ ଜାଣି ମୁଁ କେମିତି କାମ ଆରମ୍ଭ କରିବାକୁ ଅନୁମତି ଦେବି?”

- ଠିକ୍ ଅଛି, ଆସୋସିଏସନ୍ ରେଟ୍ ଦୁଇଶ ସତୁରୀ ଅଛି। ଆପଣ ବର୍ଗଫୁଟକୁ ଦୁଇଶ ପଚାଶ ଦିଅନ୍ତୁ। ଟେମ୍ପରାରୀ ଘର ପାଇଁ ଅଲଗା ପନ୍ଦର ହଜାର ଦେଇଦେବେ।

- ଏଇଟା କଣ ଦୁଇମହଲା ପାଇଁ ରେଟ୍?

ମିଲନ୍ ଦାନ୍ତ ଦେଖେଇ ହସିଲେ। କହିଲେ, “ଆପଣ ବି ଭଲ ଜୋକ୍ କରୁଛନ୍ତି।”

- ଜୋକ୍? ଜୋକ୍ ତ ତମେ ଶୁଣାଉଛ। ସଚରାଚର ଯେଉଁଠି ଶହେ ଅଶୀ ଶହେ ନବେ ଅଛି, ସେଇଠି ତମେ ମୋତେ ଦୁଇଶ ପଚାଶ ମାଗୁଛ।

- ନାଇଁ ଆଜ୍ଞା, ଶହେ ଅଶୀ ନବେରେ କେହି କରିବେନି। ଆପଣ ପଚାରି ବୁଝନ୍ତୁ, ଦୁଇଶ ପଚାଶରୁ କେହି ଯଦି କମ୍.ରେ କରିଦିଏ ମୁଁ ମିସ୍ତ୍ରୀ କାମ ଛାଡ଼ି ଦେବି।

- ତା ଅର୍ଥ ତମେ ବର୍ଗଫୁଟ ଶହେ ଅଶୀରେ କରିବନି?

- ହେଃ ହେଃ... ଦୁଇଶ ପଚାଶ କଉଠି ଶହେ ଅଶୀ କଉଠି?

- ହଉ, ତାହେଲେ କାମ ବନ୍ଦ କର। ମୁଁ ଅନ୍ୟ ବ୍ୟବସ୍ଥା କରିବି।


କାମ ବନ୍ଦ କଥା ଶୁଣି ମିଲନ୍.ଙ୍କ ମୁହଁଟା ଶୁଖିଗଲା। ଟିକିଏ ଇତସ୍ତତଃ ହୋଇ କହିଲେ, “ଠିକ୍ ଅଛି ଦୁଇଶ ଚାଳିଶ ଦେବେ, ଆଉ କଣ କରାଯିବ?”

ମୁଁ ମୋର କ୍ରୋଧ ଚାପି କହିଲି, “ହଉ ଦେଖିବା। ଆଜି ମନଟା କାହିଁକି କିଛି ଭଲ ଲାଗୁନି। ମୁଁ କିଛି ନିଷ୍ପତି ନେଇ ପାରୁନାହିଁ। କାମ ଆରମ୍ଭ କରିବାର ଥିଲେ ମୁଁ ଡାକିବି। ଏବେ ତମେ ଆସିପାର।”

ବଙ୍ଗୀୟ ରାଜମିସ୍ତ୍ରୀ ଜଣକ ଯେମିତି ଆସିଥିଲେ, ସେମିତି ତାଙ୍କ ଚେଲା ଚାମୁଣ୍ଡା ଓ ଦୁଇଟି ବ୍ୟାଗ୍ ସହ ଓଲଟ ପାଦ ପକାଇ ଫେରିଗଲେ।

ସେଇଦିନ ସନ୍ଧ୍ୟାରେ ହିଁ ମଙ୍ଗରାଜଙ୍କୁ ଡାକି ଘରତୋଳା ଦାୟିତ୍ୱ ଦେଇଦେଲି। ଦିନେ କଥାଛଳରେ ଯେତେବେଳେ ଇଞ୍ଜିନିୟର୍ ବନ୍ଧୁଙ୍କୁ ଏକଥା ଶୁଣାଇଲି, ସେ ଆଶ୍ଚର୍ଯ୍ୟ ହୋଇ କହିଲେ, “ଏମିତି ବି ଲୋକ ଅଛନ୍ତି? ଜଣାଶୁଣା, ପରିଚୟ ଭିତରେ ମଧ୍ୟ ଠକିବାକୁ ପ୍ରସ୍ତୁତ। ଭଲ ହେଲା, ଡେରିରେ ହେଲେ ବି ତୋର ଜ୍ଞାନୋଦୟ ହେଲା। ଲୋକ ଚିହ୍ନିବାରେ ସଫଳ ହେଲୁ।”



Rate this content
Log in