ବେରଙ୍ଗ ପ୍ରଜାପତି
ବେରଙ୍ଗ ପ୍ରଜାପତି
ଅପରାହ୍ନ ସୂର୍ଯ୍ୟର ତୀର୍ଯ୍ୟକଙ୍କ କିରଣ ଦିଗ୍ବଳୟ ପ୍ରସାରି ସବୁଜ ପ୍ରାନ୍ତର, ଅନାବନା ଫୁଲ ଫୁଟିଥିବା ଗଛସବୁକୁ ଏକ ଉଜ୍ଜ୍ୱଳ ସ୍ବର୍ଣ୍ଣାଭ ଛିଟାରେ ଚିତ୍ରିତ କରୁଥିଲା. ମାତ୍ର ସବୁଠାରୁ ଉଜ୍ଜ୍ୱଳ ଦିଶୁଥିଲେ ସେଠାରେ ଉଡ଼ିବୁଲୁଥିବା ଚିତ୍ରିତ ରଙ୍ଗୀନ ପ୍ପ୍ରଜାପତିମାନେ. ଯଦିଓ ସମସ୍ତେ ଓ ମାତ୍ର ସମସ୍ତେ ସମାନ ଭାବରେ ମନଲୋଭା ଦିଶୁଥିଲେ. ସେଥିରୁ ଗୋଟିଏ ହେଲେ ଧରି ପାରନ୍ତା! ଗୋଟିଏ ଧରିବା ପାଇଁ ପିଲାଟି ଅଣନିଃଶ୍ଵାସୀ ହୋଇ ସେମାନଙ୍କ ପଛରେ ଧାଉଁ ଥିଲା . କିଛିଟା ଚେଷ୍ଟା ପରେ ଗୋଟିଏ ଧରି ମଧ୍ୟ ପାରିଲା. ମାତ୍ର ଅଦୂର ଘାସ ଫୁଲରେ ବସିଥିବା ପ୍ରଜାପତିଟି ଥିଲା ବୋଧେ ଅଧିକ ଆକର୍ଷଣୀୟ ଓ ରଙ୍ଗୀନ . ଆଉ ସେଇଟି ଧରିବା ପାଇଁ ପିଲାଟିକୁ ହାତରେ ଧରିଥିବା ପ୍ରଜାପତିଟିକୁ ଉଡାଇ ଦେବାକୁ ହୋଇଥିଲା. ପ୍ରଜାପତିଟି ଉଡ଼ିଗଲା ଓ ପିଲାଟି ହାତରେ ଲାଗି ରହିଗଲା ତା ଡେନ୍ର କିଛି ରଙ୍ଗ. ପିଲାଟି ଧାଇଁ ଯାଇଥିଲା ଘାଷ ଫୁଲରେ ବସିଥିବା ପ୍ରଜାପତି ପଛରେ. ନ, ତା ଠାରୁ ମନଲୋଭା ସେଇଟା, ନ, ବୋଧେହୁଏ ସେଇ ଅନ୍ୟଟା. ପିଲାଟି ପ୍ରଜାପତିମାନଙ୍କ ପଛରେ ଖୁବ ଧାଇଁଲା. ଅନେକ ଧରିଲା ଓ ଅନେକଙ୍କୁ ବାଧ୍ୟ ହୋଇ ଉଡାଇ ଦେଲା ଆଉ ଏକ ମନଲୋଭା ପ୍ରଜାପତି ଧରିବା ପାଇଁ. ସଞ୍ଜ ନଇଁ ନଇଁ ଆସୁଥିଲେ ଓ ପ୍ରଜାପତିମାନେ ଦୃଷ୍ଟିରୁ ଅନ୍ତ ହୋଇ ହୋଇ ଯାଉଥିଲେ. ଅଗତ୍ୟା ହାତରେ ପ୍ରଜାପତିଟିଏ ଧରି ପିଲାଟି ଫେରିବାକୁ ବାଧ୍ୟ ହୋଇଥିଲା. ହାତରେ ଧରିଥିବା ପ୍ରଜାପତିଟି ଏବେ ଆଉ ତାକୁ ଆକର୍ଷଣୀୟ ଲାଗୁ ନଥିଲା. ଲାଗୁଥିଲା ବୋଧେ ପୂର୍ବ ପ୍ରଜାପତି, ନ ବୋଧେ ସେଇ ଆର ଟି , ନ ବୋଧେ ସେଇ ଆର ଟି ବୋଧେ ଥିଲା ଏହାଠାରୁ ଅଧିକ ଆକର୍ଷଣୀୟ. ଏବେ ପିଲାଟି କେବଳ ଢ଼େଖୁଥିଳା ତା ହାତରେ ଲାଗି ରହିଥିବା ଅନେକ ପ୍ରଜାପି ଡେଣାର ବିଭିନ୍ନ ରଙ୍ଗକୁ , ଯେଉଁ ମାନଙ୍କୁ ସେ ସବୁ ଧରିଥିଲା ଓ ଅଧିକ ସୁନ୍ଦର ପ୍ରଜାପତିଟିଏ ଧରିବା ଆଶାରେ ଉଡାଇ ମଧ୍ୟ ଦେଇଥିଲା.
.................................
ଆଃ ! ଶୁଭମ୍ ଆଜି ଆକାଶରେ. ହଁ , ଆଜି ତାର ବାହାଘର ଠିକ ହୋଇଯାଇଛି. ମାନେ ପୁରା ପକ୍କା . ନହେଲେ ଏତେ ଝିଅ ଦେଖି ଦେଖି ମଧ୍ୟ କିଛି ହୋଇ ପାରୁ ନଥିଲା. ତାକୁ ପ୍ରାୟତଃ ସବୁ ଝିଅ ଭଲ ଲାଗୁଥିଲେ, ମାନେ ତା ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତା . ହେଲେ କେବେ ଜାତକ ପଡୁନି ତ କେବେ ବାପା ଓ ଭଉଣୀଙ୍କୁ ପସନ୍ଦ ହେଉନି. ବୋଉ କଥାଟା ଛାଡ଼. ତା ପାଇଁ କିଏ ଟିକିଏ କଲା, ତ କିଏ ଟିକିଏ ମିଃଖୁ ଦନ୍ତୁରି. କିଏ ପୁଣି ବାଙ୍ଗିରି ତ କିଏ ମୋଟା.
ସେଥର ସେଇ ଝିଅଟି କେତେ ଭଲ ଲାଗିଥିଲା. ସେଇଠି ହୋଇଥିଲେ ବାହାଘର ଛ ମାସ ପୁରନ୍ତାଣି . ହେଲେ ବୋଉକୁ ଲାଗିଲା ତା କପାଳଟା ଟିକିଏ ଉଚ୍ଚା, ଉଚ୍ଚ କପାଳୀ ଘଇତା ଖାଇ. ଏଇଠି ନିଶ୍ଚିତ ଭାବରେ ବୋଉ ତାର ଅମରତ୍ୱ ପକ୍କା କରି ଦେଇଥିଲା ସେଇ ଝିଅକୁ ନାଚକ କରି.
ସେ ଯାହା ହେଉ ଏବେ ଯିଏ ତା ଜୀବନକୁ ଆସିବାଟା ନିଶ୍ଚିତ ସେ ବୋଧେ ସବୁଝିଅଙ୍କ ଠାରୁ ପ୍ରକୃଷ୍ଠ, ଏମିତି ଲାଗିଥିଲା ଶୁଭମକୁ. ଏମିତି ଅବଶ୍ୟ ତାକୁ ପ୍ରତ୍ୟେକ ଝିଅ ଦେଖା ବେଳେ ଲାଗେ.
ସସ୍ମିତା ଗୋରା, ଉତ୍ତମ ସ୍ୱାସ୍ଥ୍ୟବତୀ, ମାନେ ସୁନ୍ଦରୀ, ଶିକ୍ଷିତା (ଆଜିକାଲି ଯେତେ ସବୁ ଶିକ୍ଷା ଅନୁଷ୍ଠାନ ଖୋଲି ଲାଣି ଗାଈ ଗୋରୁ ମଧ୍ୟ ଡିଗ୍ରୀ ଧରି ହେଲେଣି.) ଇଂରାଜୀ ମଧ୍ୟ ଫଟାଫଟ କହିପାରେ. ଉଚ୍ଚ ମଧ୍ୟବିତ୍ତ ପରିବାରର ଗୋଟିଏ ବୋଲି ଝିଅ, ତା ତଳେ ଭାଇଟିଏ. ସେଥିପାଇଁ ଦାଣ୍ଡସୁନ୍ଦର ମଧ୍ୟ ...... ତେଣୁ ସସ୍ମିତା ହିଁ ବେଷ୍ଟ.
ନିର୍ବନ୍ଧ ସରିଲା. ଲାଗିଲା ସତେ ଯେପରି ସସ୍ମିତାକୁ ମୁଦି ପିନ୍ଧେଇନି ତ ବରଂ ଶିଙ୍କୁଳିରେ ବାନ୍ଧି ପକାଇଛି. ଆଉ ଖସି ଯିବାର ଡର ନାହିଁ. ଆଜିକାଲି ଯୁଗରେ ଅନ୍ୟମାନଙ୍କ ପରି ଦୁହେଁ ମିଶି ନିଜ ବାହାଘରର ପ୍ଲାନିଂ ଓ କିଣାକିଣି ମଧ୍ୟ କରିଥିଲେ. ଶୁଭମ ସସ୍ମିତାକୁ ଦେଖିଲେ ଶିହରି ଉଠେ. ହେଲେ ଏତେ ଏକାନ୍ତ ମୁହୂର୍ତ୍ତ ପାଇ ମଧ୍ୟ ସେ ସସ୍ମିତାକୁ ଥରଟିଏ ସ୍ପର୍ଶ ସୁଦ୍ଧା କରେନି. ଏସବୁ ପଛରେ ମଧ୍ୟ ଶୁଭମର ଗୋଟିଏ ତୀରରେ ଦୁଇଟି ଶୀକାର. ଏକେତ ସସ୍ମିତା ତା ନିର୍ମଳ ଭାବମୂର୍ତ୍ତିର ପ୍ରମାଣ ପାଇଯିବ ଆଉ ନିଜେ ଶୁଭମ ସବୁ ରୋମଞ୍ଚକୁ ବାନ୍ଧି ରଖିଛି ପ୍ରଥମ ରାତିର ପ୍ରଥମ ସ୍ପର୍ଶକୁ ଏକ ଅଦ୍ଵିତୀୟ ଅନୁଭବରେ ପ୍ରିଣ୍ଟ କରିବା ପାଇଁ.
.......................................
ବାପା ମାଙ୍କର ଶୁଭମ ଗୋଟିଏ ବୋଲି ପୁଅ. ତେଣୁ ବାହାଘର ବଡ଼ ଧୁମଧାମରେ ହୋଇଗଲା. ଆଉ ଶୁଭମର ସେହି ବହୁ ପ୍ରତିକ୍ଷିତ ରାତିଟି ମଧ୍ୟ ଉପନୀତ ହେଲା.
ଫୁଲ ଶେଯରେ ଓଢ଼ଣା ଦେଇ ବସିଛି ସସ୍ମିତା. ଖୁବ ସୁନ୍ଦର ଦିଶୁଚି ଏଇ ନବବଧୂ ରୂପରେ. ଶୁଭମକୁ ଲାଗୁଥିଲା ସତେ ଯେପରି ଏଇ ସସ୍ମିତାକୁ ସେ ପ୍ରଥମ ଥର ପାଇଁ ଦେଖୁଚି, ଯିଏକି ରୂପେଲି ପରଦା କିମ୍ବା କେଉଁ ଏକ ପତ୍ରିକା ପୃଷ୍ଠାରୁ ଏଠାକୁ ଓହ୍ଲାଇ ଆସିଛି.
ଶୁଭମ ଦରଜା ବନ୍ଦ କରି ସସ୍ମିତା ପାଖରେ ଯାଇ ବସି ପଡିଲା. ନିଜ ଯୋଜନା ଅନୁଯାୟୀ ପ୍ରଥମେ ସସ୍ମିତାର ମେହେନ୍ଦିରଚା ଚୁମ୍ବନଟିଏ ମଧ୍ୟ ଆଙ୍କିଦେଲେ. ଆରେ ଏ କଣ ? ତାକୁ ଏପରି କାହିଁକି ଲାଗୁଚି! ଆଠ ବର୍ଷ ତଳର ସେହି ସ୍ପର୍ଶ କାହିଁ ତା ମସ୍ତିଷ୍କରେ ବିଦ୍ୟୁତ ପରି ଖେଳି ଯାଉଛି! ରିମିର ସେଇ ସୁକୋମଳ ହାତର ସ୍ପର୍ଶ ତାକୁ ଶିହରି ଦେଉଛି.
ରିମି, ହଁ ସେଇ ରିମି ଯିଏକି ପୃଥିବୀରେ ଗୋଟିଏ ହିଁ ଥାଇ ପରେ. ରିମି ପାଇଁ ଶୁଭମ ହିଁ ଥିଲା ତା ପୃଥିବୀ. ହେଲେ ଶୁଭମ ପାଇଁ ତ ସେ ଥିଲା କଲେଜରେ ସମୟକୁ ଅତିବାହିତ କରିବାର ଏକ ସୁନ୍ଦର ଉପାୟ. ଓଃ ! ଶୁଭମ କପାଳ ଘର୍ମକ୍ତ. ଯଦି ସସ୍ମିତା ଆଖିରେ ପଡ଼ିଯିବ? ନ, ଶୁଭମକୁ ଏ ଭବନରୁ ମୁକୁଳିବାକୁ ହେବ ନହେଲେ ସସ୍ମିତା କଣ ଭାବିବ?
ଶୁଭମ ପାପୁଲି ମଧ୍ୟରୁ ସସ୍ମିତାର ହାତ କେତେବେଳୁ ଖସି ଯାଇଥିଲା. ନିଜକୁ ସମ୍ଭାଳିବାକୁ ଯାଇ ତଳକୁ ମୁଣ୍ଡ କରି ସେ ଦୀର୍ଘ ନିଃଶ୍ଵାସ ନେଇ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରିବା ବେଳକୁ ସସ୍ମିତାର ଅଳତା ରଞ୍ଜିତ ପାଦରେ ଆଖି ପଡିଗଲା. ହେଲେ ଜ୍ୟୋତିର ପାଦ ଥିଲା ଅନନ୍ୟ, ଅଦ୍ଵିତୀୟ.
ଜ୍ୟୋତି, ହଁ ସେଇ ଜ୍ୟୋତି ଯିଏ ଉନ୍ମୁକ୍ତ ଝରଣା ପରି ହସି ପକାଏ , କଥା କଥାକେ କାନ୍ଦି ମଧ୍ୟ ପକାଏ.ତାର ସେଇ ଲୁହ ଛଳ ଛଳ ଆଖି...
ଏସବୁ ତା ସହ କାହିଁକି ହେଉଛି ଶୁଭମ କିଛି ବୁଝି ପାରୁ ନଥିଲା. "ଆରେ କଣ ହେଲା?" ସସ୍ମିତାର ପ୍ରଶ୍ନରେ ଶୁଭମ ସଚେତ ହେଲା. ସେ କେତେ କଣ ଭାବିଥିଲା ତାର ଏହି ବହୁ ପ୍ରତିକ୍ଷିତ ରାତିକୁ କରିବାକୁ ହେଲେ ଏସବୁ କଣ ଘଟୁଛି ତା ସହ! " ଆରେ ନ,କିଛି ନାହିଁ. ଏ ବାହାଘର ହୋ ହଲ୍ଲା ରେ ଟିକିଏ ହାଲିଆ ଲାଗୁଛି.
ଏଥର ଶୁଭମ ସସ୍ମିତାର ଓଢଣା ଉଠିଲା. ସତରେ ସସ୍ମିତା ଭାରି ସୁନ୍ଦର ଦିଶୁଛି. ତାକୁ ନିଜ ଛାତିକୁ ଆଉଜେଇ ଆଣି ଶୁଭମ ବିଗତ ସ୍ମୃତି ସବୁକୁ ଭୁଲି ଯିବ. ହେଲେ ଏ କଣ! ଆଜି କାହିଁକି ମନେ ପଡୁଛି ସେଇ ରିମି, ଜ୍ୟୋତି, ସୋନାଲି, ଆରତୀ, ଆଉ... ଆଉ ଯେଉଁ କେତେଜଣଙ୍କ ନାଁ ଯାହା ଠିକ ଭାବରେ ତାର ମନେ ପଡୁନି....
...........................
ଶୁଭମ ଆଖି ଆଗରେ ନାଚି ଯାଉଥିଲା ପିଲାବେଳେ ମାମୁଁଘର ଗାଁର ସେଇ ଦିଗ୍ବଳୟ ପ୍ରସାରି ଦୂର ପଡିଆ. ଆଉ ସୂର୍ଯ୍ୟର ତୀର୍ଯ୍ୟକ କିରଣରେ ରଙ୍ଗ ବେରଙ୍ଗ ଡେଣା ଝଲସାଇ ଉଡ଼ିବୁଲୁଥିବା ପ୍ରଜାପତିମାନେ. ଆଉ ସେ କିପରି ସୁନ୍ଦର ପ୍ରଜାପତିଟିଏ ଧରିବା ନିଶାରେ ସେମାନଙ୍କ ପଛରେ ଦଉଡୁଥାଏ. ଆଉ ମଧ୍ୟ ହାତରେ ପ୍ରଜାପତିଟିଏ ଥିଲେ ମଧ୍ୟ ସବୁଠାରୁ ସୁନ୍ଦର ପ୍ରଜାପତିକୁ ଛାଡି ଦେଇଥିବା ପରି ଅନୁଭବ କରି ନିରାଶ ହୁଏ ସବୁବେଳେ. ହାତ ଖୋଲି ଦେଖେ , ସେ ଛାଡି ଦେଇଥିବା ପ୍ରଜାପତିଙ୍କ ଡେଣାର ବିଭିନ୍ନ ରଙ୍ଗ ତା ହାତରେ ଲାଗି ରହିଥିବା. ଆଉ...
ସ୍ଵାଗତିକ ସେଠୀ