Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Barsha Pujahari

Inspirational Others

2.5  

Barsha Pujahari

Inspirational Others

ଦୁଇଟି ପରମ ଶବ୍ଦାଣୁ

ଦୁଇଟି ପରମ ଶବ୍ଦାଣୁ

3 mins
7.3K


ଦୁଇଟି ପରମ ଶବ୍ଦାଣୁ ଯାହାର ସୃଷ୍ଟି ନାହିଁ ବିନାଶ ନାହିଁ

ସ୍ମୃତି, ସ୍ମୃତି, ସ୍ମୃତି…….

ସ୍ଵପ୍ନ, ସ୍ଵପ୍ନ, ସ୍ଵପ୍ନ……..

ଉପରୋକ୍ତ ଶବ୍ଦ ଦ୍ଵୟ ମୋ ପ୍ରାଣରେ ସମ୍ଭାବନାର ଅବ୍ୟବହିତ ପୂର୍ବରୁ ମୋଟେ ଏକ ବନ୍ଧନୀ ଭିତରେ ଏମିତି ସୀମିତ କରି ରଖିଦେଇଛନ୍ତି ଯେ, ନା ମୁଁ ସେ ଭିତରୁ ବାହାରି ପୂର୍ଣ୍ଣଛେଦ ଯାଏଁ ମୋ' ଯାତ୍ରାର ଅୟମାରମ୍ଭ କରିପାରୁଛି; ନା ଚିତ୍କାର କରି କାହାକୁ ହାତ ବଢାଇବାକୁ କହିପାରୁଛି।

 ଜଣା ଅଜଣା ଭୁଲା ଅଭୁଲା ବ୍ୟକ୍ତିବିଶେଷଙ୍କ ସାନିଧ୍ୟ ମନେ ହୁଏ ଯେମିତି ପୂର୍ବ ଜନ୍ମର କୃତ ଫଳ ସ୍ଵରୂପ ଏଇ ଅଭାଗିନୀର ଜୀବନରେ କିୟଦଂଶରେ ଘଟୁ ଘଟୁ ଘଟିଯାଇ ଥିଲା।....। ମୋର ସୌଭାଗ୍ୟ ନାହିଁ ବୋଲିତ ତାଙ୍କ ସହ ବ୍ୟତିତ ସ୍ମୃତି ବ୍ୟତିରେକ ଆଜି ମୋ ପାଖରେ ଅଉ କିଛି ରହି ଯାଇ ନାହିଁ। ସେଥି ପାଇଁ ତ କହୁଛି କି ସେ ଅତୀତର ସ୍ମୃତି ସବୁକୁ ରୋମନ୍ଥନ କରୁ କରୁ ମୁଁ ଅଶୀ ବର୍ଷର ଏକ ବୃଦ୍ଧା ପାଲଟି ଯାଇଛି ଯାହାକୁ ସ୍ମୃତିର ବୋଝ ଶୁଆଇ ଦିଏନା। ଆଜି ଯେବେ ମୁଁ ଚାହେଁ ସେ ହୃତ ସମ୍ପର୍କର ବେଡିକୁ ପୁନଶ୍ଚ ମଜଭୁତ କରିବାକୁ, ସମୟରର ବିପରୀତ ମୁଖି ସ୍ରୋତ ସେଇ ବେଡିରେ ଜଂକ୍ ଲଗେଇ ଦିଏ। ମୁଁ ବିଫଳ ହୁଏ।

 ବନ୍ଧନୀର ଅଉ ଗୋଟେ ପାଖେ ଅଛି ସ୍ଵପ୍ନ । ସ୍ଵପ୍ନ, ଭାବନାର ଧୂଳିରେ ସୁଗଠିତ ଏକ ବାଲିଘର। କଳ୍ପନାର ରଙ୍ଗିନ ତୁଳୀରେ ମୁଁ ସେ ଘରର କାନ୍ଥରାଜିକୁ ରଙ୍ଗ ଦିଏ, କିନ୍ତୁ ବାହ୍ୟ ରାଜ୍ୟର ବାସ୍ତବତାର ଢେଉ ଅଚିରେ ତା'ର ଅସ୍ତିତ୍ଵ କ୍ଷୟ କରେ। ଆଉ ମୋ ରାଜ୍ୟକୁ ନିରବତାର ଆକ୍ରମଣ ପୁଣି ଥରେ ହୁଏ।

ତଥାପି ଆଶା କରେ ଏ ଯୁଦ୍ଧର ଅବସାନ କେବେ ନହେଉ ।ହେଲେ ଦୁନିଆ ହୁଏତ ମୋତେ ମୃତ ସାବ୍ୟସ୍ତ କରିଦେବ, ଏଣେ ଜୀଇବାର ଏକମାତ୍ର ଲକ୍ଷଣ ତ ପ୍ରକାଶ ପାଉଛି।

"Now is the only reality. All else is either memory or imagination." - Osho

ଶୁଣିଥିଲି, ଅତୀତ ଓ ଭବିଷ୍ୟତରେ ମଣିଷର କୌଣସି ଅଧିକାର ନାହିଁ, ଅଛି ତ କେବଳ ବର୍ତ୍ତମାନରେ।( All we have is now.) ହେଲେ ମୋତେ ମନେହୁଏ, ବର୍ତ୍ତମାନରେ ମୋର କିଛି ଅଧିକାର ନାହିଁ। କହିବା ବାହୁଲ୍ୟ ସ୍ମୃତି ଓ ସ୍ଵପ୍ନ ମୋର ଅଧିକାର ଚୋରାଇ ନେଇଛନ୍ତି। ଅର୍ଥାତ ସ୍ମୃତିରେ ମୋର ବିଫଳତା ତଥା ଅପାରଗତା ଦର୍ଶାଉ ଥିବା କେତୋଟି ଚିହ୍ନ ଏବଂ ମାନସ ସ୍ଵପ୍ନରେ କ୍ଷମତା ଆଙ୍କି ଦେଇଥିବା ପରିସୀମା ମୋର କର୍ମର ପୃଷ୍ଠାଙ୍କୁ ରଫ୍ କାଗଜ କରିଦେଉଛି।

 ନିକଟ ଅତୀତରେ ମୁଁ ମୋ' ଜେଜେମାଙ୍କ ସହ କିଛି ସୁନ୍ଦର ମୁହୂର୍ତ୍ତ ବିତାଉଥିବା ବେଳେ କଥା କଥାରେ ତାଙ୍କୁ ପଚାରିଲି,

- ଜେଜେମା, ମନେ ଅଛି ସେଇ ଶାଲ, ଯେଉଁ ଟି ତମେ ମତେ ଗାଁରୁ ପଠେଇଥିଲ, ସେଇଟି ମୋ ପାଖରେ ଏବେ ବି ଅଛି।

- କେମିତି ଦିଶୁଛି.... ଜେଜେମା ପଚାରିଲେ।

- ବହୁତ ଭଲ, ମୁଁ କହିଲି।

- ମାନେ, ତା ରଙ୍ଗ...?

- ଓଃ.... ସେଇଟା ଗୋଲାପୀ ରଙ୍ଗ ଗୋଟେ ପଟେ ଆଉ ଗାଢ଼ ଖଇରିଆ ଆର ପଟେ।

 ଜେଜେମା ମନେ ପକାଇବାରେ ତାଙ୍କ ଅସାମର୍ଥ୍ୟ ପ୍ରକାଶ କଲେ। ମୁଁ ବି କଥାର ନାଵକୁ ଅନ୍ୟ ଦିଗକୁ ମୁହାଁଇଲି।

ବୟସାଧିକ୍ୟ ହେତୁ ଜେଜେମା ଅନେକ ସ୍ମୃତିକୁ ହଜାଇ ଦେଇ ଚାଲିଛନ୍ତି। ବାର୍ଦ୍ଧକ୍ୟ ସୁଲଭ ଉକ୍ତ ଲକ୍ଷଣଟି ବିରକ୍ତିକର ହେଲେହେଁ ଭଗବାନଙ୍କ ଆଶୀର୍ବାଦରୁ ଜେଜେମାଙ୍କୁ ରାତ୍ରିର ଦୁର୍ମୁଲ୍ୟ ନିଦ୍ରା ଟିକକ ତ ପ୍ରାପ୍ୟ ହେଉଛି।

ଦୁଇ ତିନି ମାସ ତଳେ ଜେଜେମା ନିରାଶ ହୋଇ ଯେତେବେଳେ ନିଦ ନ ହେବାର ଅଭିଯୋଗ କରୁଥିଲେ ସେତେବେଳେ ମୁଁ ପ୍ରାର୍ଥନା କରୁଥିଲି,"ହେ ଭଗବାନ, ମୋ' ରାତି ଦିନ ପରିବ୍ୟାପ୍ତ ସୁଦୀର୍ଘ ନିଦ୍ରାରୁ କେତେକାଂଶ ମୋ ଜେଜେମାଙ୍କୁ ବି ଦେଇ ଦିଅ।"

ଆଜି ଭାବୁଛି ମୋ ଡାକରେ ସନ୍ତୁଷ୍ଟ ପ୍ରଭୁ ମୋତେ ସ୍ମୃତି ଓ ସ୍ଵପ୍ନଙ୍କୁ ଜାଣି ଜାଣି ପାଖକୁ ପଠାଇଛନ୍ତି। ସତରେ... ସେ କଷା ପିତା ଖଟା ମିଠା ସ୍ମୃତି ଓ ସ୍ଵପ୍ନ ପଛେ ଅତିଷ୍ଠ କରିବାକୁ ମୋ' ପାଖକୁ ଆସନ୍ତୁ କିନ୍ତୁ ମୋ ଜେଜେମା ମୋତେ ଛାଡ଼ି କୁଆଡେ ନ ଯାଆନ୍ତୁ। ଆଜି ମୁଁ ନିଶ୍ଚୟ ନିଏ..... ନିଜକୁ ମୁଁ ମୋ ସୀମାରେ ବାନ୍ଧି ଆଉ ସମୟ ଓ ବୟସର ଦଂଶନ ସହ୍ୟ କରିବିନି। ବରଂ ମୁଁ ନିଜକୁ ଭୁଲା ପ୍ରତ୍ୟୟି ଜେଜେମାଙ୍କ ଭଳି ବିକଶିତ କରିବି, ଅତୀତ ଓ ଭବିଷ୍ୟତକୁ ପାଦରେ ଆଡ଼େଇ ମୁଁ ଏକ ଦିଗନ୍ତହୀନ ସାମ୍ରାଜ୍ୟରେ ପାଦ ଦେବି। ଜେଜେମାଙ୍କ ସ୍ଵପ୍ନ ସାକାର କରିବି। ଆଉ ହଁ "ସେ ସ୍ଵପ୍ନଟି କ'ଣ ?" ତାହା ମୋ ସ୍ମୃତିରେ ସଯତ୍ନେ ଗଚ୍ଛିତ ଅଛି।


Rate this content
Log in

Similar oriya story from Inspirational