Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sulagna Mohanty

Inspirational Others

3.9  

Sulagna Mohanty

Inspirational Others

କବିତା ବୁଝୁ ନଥିବା ଝିଅ

କବିତା ବୁଝୁ ନଥିବା ଝିଅ

5 mins
14.6K


(୧)

'ପାପପୁଣ୍ୟ ଲୋଡେନାହିଁ ପ୍ରେମ ଯେ ମୋ ନଶ୍ଵର', ୟା ମାନେ କଣ କହିଲ"।

"ଆରେ ତୁମେ ନିଜେ ପଢି କି ବୁଝୁନ! ଟିକେ ଭାବ।"

"ପଢ଼ିଲି ପରା। ଭାବିଲି ବି। ହେଲେ ମୁଁ କିଛି ବୁଝି ପାରିଲିନି।"

"ଏଇଟା କଣ କୋଉ ସାହିତ୍ୟ ବହିର ପଦ୍ୟାଂଶ ହେଇଚି ଯେ ମୁଁ ବୁଝେଇବି କବି ଏଥିରେ କଣ କହିବାକୁ ଚାଁହୁଛନ୍ତି??"

"ହଁ, କାହିଁକି କହି ହବନି?"

"ଆରେ ବୋକି, କବିତାକୁ ନିଜେ ପଢି ବୁଝିବାର ଯେଉଁ ମଜା, ସେଇ ମଜା କଣ କେହି ବୁଝେଇବାରେ ଅଛି??"

"ହେଲା ଯେ, କିନ୍ତୁ ଏମିତି ବୁଲେଇ ବଙ୍କେଇ କହିଲେ କିଏ କଣ ବୁଝିବ ଯେ?"

"ସେଇଥିରେ ହିଁ ତ କବିର କବିତା ଜଣାପଡେ। ଟିକେ ଜଣଉଥିବ, ଟିକେ ଲୁଚଉଥିବ। ଟିକେ ଆଲୁଅ,ଆଉ ଟିକେ ଅନ୍ଧାର। ସେଇ ଲୁଚକାଳି ଖେଳରେ ହିଁ ତ କବିତାଟେ ଫୁଟି କି ଦିଶେ।"

"କିନ୍ତୁ ଯାହା କହିବାର ଅଛି ସେଇଟା ସିଧା ସିଧା ବି ତ' କହିହବ। ସରଳ ଜିନିଷ ବି ତ' ସୁନ୍ଦର ହେଇପାରେ। ସବୁ ଜଟିଳ ଜିନିଷ ସୁନ୍ଦର ହବ ବୋଲି କଣ ମାନେ ଅଛି?"

"ଆଚ୍ଛା କଥା! ମୋ କବିତା କଣ ଜଟିଳ?? କଲେଜସାରା ଝିଅ ମୋ କବିତା ପଢି ମୋ ପ୍ରେମରେ ଆଉ ମୋ ପ୍ରେମିକା ନିଜେ ମୋ କବିତା ବୁଝି ପାରୁନି।"

"ଆରେ ସେଗୁଡା ମୋ ମୁଣ୍ଡ ଉପରୁ ଚାଲିଯାଏ। ସେ କବି କଣ ଭାବେ, କଣ କୁହେ ଆଉ କଣ ଲେଖେ ସେଇଟା ଖାଲି ସିଏ ହିଁ ଜାଣିଥିବ।"

"ତମେ ତ କବିତା ବୁଝୁନ, ପ୍ରେମ କେମିତି ବୁଝିବ?"

"ପ୍ରେମକୁ ବୁଝିବା ପାଇଁ କଣ କବିତା ବୁଝିବା ନିହାତି ଜରୁରୀ?"

"ନିହାତି! କବିତା ନ ବୁଝିଲେ ପ୍ରେମକୁ ବୁଝି ପାରିବନି। ଆଉ ପ୍ରେମକୁ ନ ବୁଝିଲେ ଜୀବନକୁ ବୁଝିବା ଅସମ୍ଭବ।"

"କେଜାଣି ହେଇଥିବ। କିନ୍ତୁ ମୁଁ ଜୀବନରେ କେବେ କବିତା ବୁଝିପାରିବିନି।"

"ହେଲେ ମୋ ସ୍ତ୍ରୀ ହବାକୁ ହେଲେ କବିତା ବୁଝିବା ନିହାତି ଆବଶ୍ୟକ।"

"ଆଚ୍ଛା, ତାହେଲେ ଭଲ ହେଲା କହିଦେଲ। ମୁଁ ବଂଚିଗଲି। ଶୁଣିଚି କବିଙ୍କ ସହ ସାରା ଜୀବନ କାଟିବା କୁହୁଡ଼ିରେ ଘର କରିବା ସଙ୍ଗେ ସମାନ। ସାମ୍ନାରେ ଥିବେ। ଛୁଇଁ ହବନି।""ଆଚ୍ଛା?? କବିତା ବୁଝି ହଉନି! ହେଲେ ଭାରି ବଡ ବଡ କଥା କହୁଛ ତ!!" ତା' ଲମ୍ବା ବେଣୀକୁ ଟାଣିଦେଇ ମୁଁ କହିଲି।

(୨)

"ଚୁଟିଗୁଡା କାଟି ଏତେ ଛୋଟ କରିଦେଇଛ ଯେ?"

"ହଁ, ଏସବୁ ବାଜେ ଜିନିଷରେ ଯେତେ କମ୍ ସମୟ ନଷ୍ଟ ହବ ସେତେ ଭଲ।"

"ହଁ, ସେଇଟା ବି ଠିକ।"

"ସେଇ ବେଞ୍ଚ ଉପରେ ଟିକେ ବସିବା କି?"

"ହଉ ଚାଲ।"

ବାଣୀବିହାରର ଘାସଗାଲିଚା ଉପରେ ବସି ତା' ଲମ୍ବା ବେଣୀ ଟାଣିବାର ଦୀର୍ଘ ତେତିଶ ବର୍ଷ ପରେ ଆଜି ମୁଁ ଛାୟାକୁ ପୁଣି ଭେଟୁଥିଲି ପଣ୍ଡିଚେରୀର ଶ୍ରୀଅରବିନ୍ଦ ଆଶ୍ରମରେ।

"ତୁମେ କଣ ସବୁବେଳେ ଏଠିକି ଆସ??" ସେ ପଚାରିଲା।

"ନାଁ, ଏଇଟା ମୋର ପ୍ରଥମ। ତୁମେ କହୁଥିଲ ଏଠି ଆଶ୍ରମରେ ରହୁଛ ବୋଲି? କେତେ ଦିନ ହେଲାଣି?"

"ଗତ ତିନି ବର୍ଷ ହେଲାଣି।"

"ଯଦି କିଛି ନ ଭାବିବ ମୁଁ କିଛି ପଚାରିବି?"

"କବିମାନେ କେବେଠୁ କିଏ କଣ ଭାବିବ ନ ଭାବିବ ସେ କଥା ଚିନ୍ତା କଲେଣି?"

"କିଏ କବି? ମୁଁ? ତିରିଶବର୍ଷ ଖଣ୍ଡେ ହେଇଯିବ ମୁଁ କବିତା ଧାଡିଟିଏ ବି ଲେଖିନି। ହେଲେ ତୁମ କବିତା ମୁଁ ପଢେ ପତ୍ରିକାଗୁଡିକରେ। ଖୁବ ସୁନ୍ଦର ଲେଖୁଛ। କବିତାକୁ ଭଲଭାବରେରେ ବୁଝିଗଲଣି ୟା ଭିତରେ ବୋଧେ।"

"କିଏ କହିଲା? ମୁଁ ଏବେ ବି କବିତା ବୁଝେନି। ଖାଲି ଲେଖିଯାଏ। ପାଠକେ ପଢ଼ନ୍ତି, ବୁଝନ୍ତି, ଚିଠି ବି ଲେଖନ୍ତି। ତାଙ୍କ ଚିଠିରୁ ମୁଁ ବୁଝେ ମୋ କବିତାର ମାନେ।"

"ତୁମେ ଏବେ ବି ବଦଳିନ ଛାୟା। ସେମିତି ରୋକଠୋକ କଥା।"

"ରୋକଠୋକ ନୁହଁ ସତ କଥା। ହଉ ଛାଡ। କିଛି ଗୋଟେ ପଚାରୁଥିଲ।"

"ହଁ, ତୁମେ ଆସି ଆଶ୍ରମରେ ରହିଛ। ଘରେ କେହି କିଛି କହିଲେନି?"

"ଘରେ ମୋର କିଏ? ସ୍ୱାମୀ ଚାରିବର୍ଷ ତଳେ ହଠାତ ଚାଲିଗଲେ। ପୁଅ କାନାଡ଼ାରେ ଚାକିରୀ କରିଥିଲା। ବାହାଘର ପରେ ସେଠି ସିଟିଜେନଶିପ ନେଲା। ମୋର ଦାୟିତ୍ୱ ସରିଲା। ଭାବିଲି ଶେଷ ଜୀବନ ଆଶ୍ରମରେ କାଟିଦେବି।"

"ଓଃ! ତୁମ ସ୍ୱାମୀଙ୍କ କଥା ମୁଁ ଜାଣିନଥିଲି। ଆଇ ଏମ୍ ସରି।"

"ଇଟସ୍ ଓକେ। ଆଉ ତୁମ ଖବର କଣ?? ଘରେ ସବୁ କିଏ?"

"ଘରେ ସ୍ତ୍ରୀ ଆଉ ପୁଅ। ପୁଅ ସେଠି ଚାକିରୀ କରୁଛି। ଗାଁଘର ଛାଡ଼ି ବାପାମା ବି ଏବେ ଭୁବନେଶ୍ୱର ଆସିଯାଇଛନ୍ତି।"

"ଆଚ୍ଛା। ଭଲ କଥା।"

ଛାୟା ଚୁପ ରହିଲା। ତା ନୀରବତା ମତେ ଯେମିତି କଣ୍ଟା ଫୋଡିଲା ଭଳି ଲାଗୁଥିଲା।

କହିଲି, "ଛାୟା, ତୁମକୁ ବହୁତ ଥର ଦେଖା କରିବା ବିଷୟରେ ଭାବିଛି। ହେଲେ ସବୁଥର ଡର ମାଡ଼ିଛି।"

"ପୁରୁଣା କଥାସବୁ ଆଉ କାଇଁ ମନେ ପକଉଛ ଅମର?"

"ମତେ କହିବାକୁ ଦିଅ ଛାୟା। ଆଜି ନ କହିଲେ ବୋଧେ ଆଉ କେବେ ବି କହିପାରିବିନି।

"କିନ୍ତୁ ଅତୀତ ଯେ ମରିସାରିଛି।"

"ମୋ ଅତୀତ ମୃତ ନୁହେଁ ଛାୟା। ତାକୁ ଯାହା ଜିଅନ୍ତା ସମାଧି ଦେଇଚି ମୁଁ ଛାତିରେ। ଆଉ ସେଇଠି ଏବେ ବି ଧକେଇ ଧକେଇ ନିଶ୍ୱାସ ନେଉଛି ସେ।"

"ହଉ କହିଦିଅ ତା'ହେଲେ। ବନ୍ଦ ହଉ ତା' ନିଶ୍ୱାସ।"

"ବାପାଙ୍କ ନିଷ୍ପତ୍ତି ବିରୁଦ୍ଧରେ ମୁଁ ଯାଇପାରିଲିନି ଛାୟା।"

"ହେଲେ ମୁ ଶୁଣିଥିଲି କବିମାନେ ସାହସୀ।"

"ସେଇଟା ଖାଲି କାଗଜରେ ଛାୟା! ମୁଁ ଭୁଲି ଯାଇଥିଲି ଜମିଦାରିଆ ଚୌଧୁରୀବଂଶର ଏକମାତ୍ର ପୁତ୍ର ହିସାବରେ ନା ମୋର କବି ହବାର ଅଧିକାର ଥିଲା ନା ପ୍ରେମିକ ହବାର।"

"ଆଉ ସେଥିପାଇଁ ତୁମେ ଗୋଟିଏ ଚିଠିରେ ଆମର ସବୁ ସଂପର୍କ ଭାଙ୍ଗିଦେଲ?"

"କହିଲି ନା କବିର ସବୁ ସାହସ ଖାଲି କାଗଜରେ। କାଗଜଛଡା ମୋ ଶବ୍ଦକୁ ଆଉ କେମିତି ତୁମ ପାଖରେ ପହଞ୍ଚେଇଥାନ୍ତି? ତୁମ ସାମ୍ନାରେ ଠିଆ ହେବାର ସାହସ ମୋର ନଥିଲା।"

ଛାୟା ଚୁପଚାପ ମୋ କଥା ଶୁଣୁଥିଲା।

"ବହୁତଥର ଭାବିଚି ଭେଟିବି ତୁମକୁ। ପଚାରିବି ତୁମେ କେମିତି ଅଛ? ସୁଖୀ ହେଇଛ କି ନାହିଁ?"

"ମୋ କଥା ଛାଡ ଅମର। ତୁମେ ସୁଖୀ କି ନା??"

"ସୁଖୀ??? ସେଇ କଥା ବି ଜାଣିନି ମୁଁ ଛାୟା। ଜୀବନ ପୁଣି ମୋତେ ଗୋଟିଏ ଦୋଛକିରେ ଆଣି ଠିଆ କରି ଦେଇଛି।"

"ଜୀବନ ଆମକୁ କେବେ ଠିଆ କରେନି ଅମର। ଆମେ ନିଜେ ଠିଆ ହଉ ଦୋଛକିରେ। ଯଦି ଚାଲିବା ଆରମ୍ଭ କରିବା ତାହେଲେ ଆଗରେ ଲମ୍ବା ଚଲାବାଟ। ହଉ ଛାଡ଼। ସନ୍ଧ୍ୟା ହବ। ଏଠୁ ଉଠିବା।"

(୩)

"ମୋଟାମୋଟି କେମିତି ରହିଲା ତୁମ ରହଣି?"

"ଖୁବ ଭଲ। ଦେଖୁଦେଖୁ ଯିବାବେଳ ହେଇଗଲା।"

"ଯାହା ଖୋଜିବାକୁ ଆସିଥିଲ ମିଳିଲା??"

"କଣ ଖୋଜୁଥିଲି ମୁଁ?"

"ତୁମେ ଜାଣିଥିବ। ମୁଁ କେମିତି ଜାଣିବି?"

"କେଜାଣି କଣ ଖୋଜୁଛି! କାହାକୁ ଖୋଜୁଛି! ନିଜକୁ ବୋଧେ।"

"ନିଜ ଭିତରକୁ ଚାହିଁଦେଖ। କାଳେ ପାଇଯିବ।"

"ଛାୟା, ପଚାରୁଥିଲ ସେଦିନ ନା ସୁଖୀ ହେଇଚି କି ନାହିଁ ମୁଁ? ପୁଅ ହେଇଚି, ସ୍ୱାମୀ ହେଇଚି, ବାପା ହେଇଚି, ହେଲେ ସୁଖୀ ହେଇଚି କି ନାହିଁ ଜାଣିନି।"

"ସୁଖ ତ ଆମ ଭିତରୁ ଆସେ ଅମର। ସମ୍ପର୍କରୁ ସୁଖ ଖୋଜିଲେ ଖାଲି କାନ୍ଦିବା ସାର।"

"ସେଇ ସଂପର୍କକୁ ନେଇ ହିଁ ତ ଜୀବନ। ଗୋଟିଏ ସମ୍ପର୍କ ଭାଙ୍ଗି ଦେଖିଦେଇଛି। ଆଉ କେତେ ସମ୍ପର୍କ ଭାଙ୍ଗିବି?"

"ସମ୍ପର୍କକୁ ତା ବାଟରେ ଛାଡିଦିଅ ଅମର। ବାଲିଭଳି ତାକୁ ହାତମୁଠାରେ ଜାକି ଧରିଲେ ଖୋଲିଲା ବେଳକୁ କିଛି ନଥିବ।"

"ଛାଡିପାରୁନି ଛାୟା। ରକ୍ତର ସମ୍ପର୍କ ବହୁତ ଗାଢ଼ ବୋଧେ।"

"ଗାଢ଼ କଥା ଜାଣିନି। ହେଲେ ଜଟିଳ ନିଶ୍ଚିତ। ଆଉ ତୁମେ ତ ସରଳ କଥାକୁ ଜଟିଳ କରିବାରେ ଓସ୍ତାଦ।"

"ମୁଁ କେଉଁ କଥାରେ ଆଘାତ ପାଇବି ତୁମେ ସେଇଟା ବହୁତ ଭଲ ଭାବରେ ଜାଣିଛ ଛାୟା।"

"ଜମା ନୁହେଁ ଅମର। ସତ କଥାକୁ ସ୍ୱୀକାର କରିପାରିଲେ ଆଘାତ ଲାଗିବାର ପ୍ରଶ୍ନ ଉଠୁଛି କୁଆଡୁ?"

"ସତ୍ୟକୁ ସ୍ୱୀକାର କରିବା କଣ ଏତେ ସହଜ?"

"ସହଜ ନ ହେଇପାରେ। କିନ୍ତୁ ଅସମ୍ଭବ ତ ନୁହେଁ।"

ଅମର ଚୁପ୍। ଛାୟା ବି ଚୁପ୍। ଶେଷରେ ଛାୟା ମୁହଁ ଖୋଲିଲା।

"ହାତମୁଠାକୁ ଟିକେ କୋହଳ କର ଅମର। କାହାକୁ ମୁଠେଇ ରଖିବାକୁ ଚେଷ୍ଟା କରୁଛ? ଯେତିକି ମୁଠେଇବ ସେତିକି ସେ ଖସିବାକୁ ଛଟପଟ ହବ।"

"ଖସିବାକୁ ଛଟପଟ ହବ କଣ ଛାୟା, ଖସି ସାରିଛି।"

"କାହା କଥା କହୁଛ ତୁମେ ଅମର?"

"ମୋ ପୁଅ।"

"କଣ କରିଛି ସେ?"

"ବାହା ହେଇଯାଇଛି।"

"ସେ ତ ଖୁବ ଖୁସିର କଥା। ବହୁତ ବହୁତ ଅଭିନନ୍ଦନ।"

"ନିଜ ଇଚ୍ଛାରେ ସେ ବାହାହେଇଛି। ଆମ ସମସ୍ତଙ୍କ ମତ ବିରୁଦ୍ଧରେ। ଗୋଟିଏ ବିଧର୍ମୀ ଝିଅକୁ।"

"ଏଇ ଯୁଗରେ ଏଇ କଥା କହୁଛ ତୁମେ ଅମର?"

"ଯୁଗ ବଦଳିପାରେ ଛାୟା। କିନ୍ତୁ ଆମ ବଂଶ ପରମ୍ପରା ନୁହେଁ। ବାପାମା, ମୋ ସ୍ତ୍ରୀ ସମସ୍ତେ ବହୁତ ଦୁଃଖୀ।"

"ଆଉ ତୁମେ? ତୁମେ କଣ ଚାହୁଁଛ ଅମର?"

"ସେଇଆ ତ ଜାଣିନି ଛାୟା। ମୁଁ କଣ ଚାହେଁ? କେବେ ମୁଁ ନିଜ ପୁଅ ଭିତରେ ନିଜକୁ ଦେଖେ ତ କେତେବେଳେ ନିଜ ଭିତରେ ମୋ ଜମିଦାରିଆ ବାପାଙ୍କୁ।"

"ତୁମକଥା ଶୁଣି ମୁଁ ଦୁଃଖିତ ଅମର। ତୁମେ କଣ ସେଇ ଯିଏ ଅନ୍ଧ ସଂସ୍କୃତି ବିରୁଦ୍ଧରେ କବିତା ଲେଖୁଥିଲା।"

"ସେସବୁ କବିତା ଛାୟା। ଏଇଟା ଜୀବନ। ବାସ୍ତବ ଜୀବନରେ କବିତାର ସ୍ଥାନ ନାହିଁ।"

"ଜୀବନରେ କବିତାର ସ୍ଥାନ ଅଛି କି ନାହିଁ ସେଇଟା ଆମେ ହି ନିରୂପଣ କରୁ ଅମର। ନିଜ ସୁବିଧା ଅନୁସାରେ।"

"ଅନ୍ୟକୁ ଏସବୁ କହିବା ବହୁତ ସହଜ ଛାୟା। ନିଜ ଉପରେ ଘଟିଲେ ଦେଖିହୁଏ ଅସଲି ଜୀବନର ରଙ୍ଗ।"

"ଜୀବନର ରଙ୍ଗ ମୋର ଆଉ ଦେଖିବା ବାକି ନାହିଁ ଅମର। ଏଇ ଦେଖ।"

ନିଜ ମୋବାଇଲରେ ଛାୟା ଗୋଟିଏ ଫଟୋ କାଢି ଦେଖାଇଲା। ଦୁଇଟି ପୁଅ। ଗୋଟିଏ ଭାରତୀୟ, ଅନ୍ୟଟି ବିଦେଶୀ।

ଭାରତୀୟ ପୁଅଟିକୁ ଦେଖେଇ କହିଲା, "ମୋ ପୁଅ ଇଏ। ଭଲପାଇ ଏଇ ପୁଅଟିକୁ ବାହା ହେଇଛି।"

"କଣ କହୁଛ ତୁମେ ଛାୟା," ମୋ କଣ୍ଠ ଧରି ଉଠିଲା।

"ହଁ, ଆଉ ସେଥିପାଇଁ କାନାଡ଼ାର ନାଗରିକତ୍ୱ ନେଇଗଲା ସେ।"

"ଆଉ ତୁମେ ତାକୁ ସ୍ୱୀକାର କଲ ଛାୟା??"

"ଏଥିରେ ଆଉ ଅସ୍ଵୀକାର କରିବାର କଣ ରହିଲା? ହୃଦୟ ତ ହୃଦୟ। ଆଉ ସେଇଟା ଭାଙ୍ଗିଲେ କଷ୍ଟ ହୁଏ। ଗୋଟିଏ ପ୍ରେମଭରା ହୃଦୟ ଭାଙ୍ଗିବାର ଅଧିକାର ମୋତେ କିଏ ଦେଇଛି ଅମର??"

"ତୁମେ ପୁଅକୁ ବୁଝେଇ ପାରିଥାନ୍ତ??"

"ମୁଁ ମନା କଲେ ହୁଏତ ପୁଅ ମୋ କଥାରୁ ଓହରି ନଥାନ୍ତା। କିନ୍ତୁ ଜୀବନଯାକ କୁହୁଳିଥାନ୍ତା ନିଶ୍ଚିତ।"

ଛାୟା କଣ ମୋ ଭିତରର ଧୂଆଁକୁ ଦେଖି ପାରିଥିଲା କି??

"କିନ୍ତୁ ଛାୟା। ଏଇଟା କଣ ପ୍ରାକୃତିକ?"

"ପ୍ରାକୃତିକ କଣ ଆଉ ଅପ୍ରାକୃତିକ କଣ? ନିଜ ହୃଦୟର କଥା ଶୁଣିବା କଣ ଅପ୍ରାକୃତିକ ଅମର? ନିଜ ଆତ୍ମାର ଡାକ ଶୁଣିବା କଣ ଅପ୍ରାକୃତିକ?? ପ୍ରେମ ତ ଶାଶ୍ୱତ। ନୁହେଁ କି? ଯେଉଁଠି ମନ ମିଳେ ସେଠି ପ୍ରେମ। ଯେଉଁଠି ଆତ୍ମା ମିଳେ ସେଠି ପ୍ରେମ। ସେଠି ରଙ୍ଗବର୍ଣ୍ଣ, ଜାତିଧର୍ମ ପାଇଁ ସ୍ଥାନ ନାହିଁ। ଆଉ ସ୍ଥାନ ନାହିଁ ବି ଶରୀର ପାଇଁ। ସେଇ ପ୍ରେମ ଯେ ନଶ୍ୱର। ନୁହେଁ କି??"

ମୁଁ ଛାୟାର ମୁହଁକୁ ଚାହିଁ ରହିଥିଲି। ଭାବୁଥିଲି କବିତା ବୁଝୁ ନଥିବା ଝିଅ ହିଁ ବୋଧେ ପ୍ରେମକୁ ଭଲରେ ବୁଝିପାରେ। ଆଉ ସବୁଠୁ ଭଲରେ ବୁଝିପାରେ ଜୀବନକୁ!!!


Rate this content
Log in

Similar oriya story from Inspirational