Minakshi Samal


2  

Minakshi Samal


ଅନ୍ତର୍ଦ୍ବନ୍ଦ୍ବ

ଅନ୍ତର୍ଦ୍ବନ୍ଦ୍ବ

2 mins 294 2 mins 294

ଡିସେମ୍ବର ୨୨ତାରିଖ ।କଲିକତା ସଂଭାଗର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକ ଖ୍ରୀଷ୍ଟମାସ ଛୁଟି ର ଆଗମନରେ ଖୁବ୍ ଉଲ୍ଲସିତ।୨୦୧୮ ମସିହାର ଶେଷ ପ୍ରାର୍ଥନା ସଭା ଚାଲିଥାଏ।ରୋଲ କଲ୍ କରିବା ସମୟରେ ହଠାତ୍ ନଜରରେ ଆସିଲା ଦୁଇଜଣ ପିଲା ସ୍ବେଟର୍ ପିନ୍ଧି ନାହାଁନ୍ତି।ଏତେ ଥଣ୍ଡା ରେ ବିନା ସ୍ବେଟର୍ ରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ପୁଅ ଦୁଇଟି ଙ୍କର ଏଭଳି କାଣ୍ଡ ଟିକେ ଅଦ୍ଭୁତ ଲାଗିଲା।ଭାବିଲି ପାଖକୁ ଯାଇ କାରଣ ଟା ଜାଣିବାକୁ ପଡିବ।ଆଡୋଲେସେଣ୍ଟ ଏଜ୍ ରେ ହୁଏତ ଷ୍ଟାଇଲ ମାରିବା ପାଇଁ ଏମିତି କରିପାରି ଥା'ନ୍ତି ଭାବି କାରଣ ଜାଣିବାକୁ ସେମାନଙ୍କ ପାଖକୁ ଗଲି।ମନେ ମନେ ଭାବୁଥିଲି ଦୁଇଜଣଙ୍କୁ ଲାଇନ୍ ରୁ ବାହାର କରି ବିନା ୟୁନିଫର୍ମ ର ଲାଇନ୍ ରେ ଠିଆ କରାଇ ଦେବି।ତାହେଲେ ସେମାନେ ଷ୍ଟାଇଲ ମାରିବା ପାଇଁ ଏଭଳି କାଣ୍ଡ ଆଉ କରିବେ ନାହିଁ।

ରାଗ ତମତମ ହୋଇ ଚାଲିଲି ସେମାନଙ୍କ ପାଖକୁ।ପ୍ରଥମ ପିଲାଟି କହିଲା ଭୁଲରେ ତା'ର ମା ସ୍ବେଟର୍ ଟି ରାତିରେ ସଫା କରିଦେଇଛନ୍ତି ।ଯେହେତୁ ସ୍ବେଟର୍ ଟି ଶୁଖି ନଥିଲା ସେଥିପାଇଁ ସେ ଏମିତି ଭାବେ ଆସିଯାଇଛି।

ଦ୍ଵିତୀୟ ପିଲାଟି ଥିଲା ଗୌତମ।ପିଲାଟି ଭାରି ସୁଧାର।ପାଖକୁ ଗଲି।ପି ଟି ୟୁନିଫର୍ମ ରେ ଆସିଛି ସେ।ହଳଦିଆ ହାଫ୍ ଟି ସାର୍ଟ ପିନ୍ଧିଛି।ଶୀତରେ ଖୋଲା ପଡିଆରେ ରୁମ ଗୁଡିକ ତା'ର ଟାଙ୍କୁରି ଉଠିଛନ୍ତି।ସ୍ବେଟର୍ ନପିନ୍ଧିବାର କାରଣ ପଚାରିବାରୁ ସେ କହିଲା " ମ୍ୟାମ୍ ମେରା ସ୍ବେଟର ନହିଁ ହୈ।ପାପା ନେ ନହିଁ ଖରିଦା।" ରାଗରେ ଚଢି ଆସୁଥିବା ପାରା ଧମ୍ କରି ତଳକୁ ଖସି ଆସିଲା।

ସେଦିନ ହାଫ୍ ଡେ ଥିଲା।ଗୌତମ୍ କୁ ଡାକି ତା'ର ଘରର ପରିସ୍ଥିତି ବିଷୟରେ ଜାଣିବାକୁ ଚାହିଁଲି।କିନ୍ତୁ ପାରିଲି ନାହିଁ।କ୍ଲାସ୍ ର ରେଜିଷ୍ଟର ରୁ ତା'ର ଫୋନ୍ ନଂ ଲେଖି ରଖିଲି।ଭାବିଲି ତା'ର ବାପାଙ୍କୁ ପଚାରିବି କାହିଁକି ସେ ପିଲାଟି ପାଇଁ ସ୍ବେଟର୍ କିଣିଦେଇ ନାହାଁନ୍ତି।

ଛୁଟିସାରା ଅନେକ ଚେଷ୍ଟା କରିଛି।ଫୋନ୍ ନଂ ଲଗାଇ କାଟି ଦେଇଛି ଅନେକ ବାର।କିନ୍ତୁ ଗୌତମ ର ବାପାଙ୍କୁ ପଚାରି ପାରିଲିନି କାରଣଟି।ହୋଇପାରେ ମୋର ଅପାରଗତାରୁ ମୁଁ ଏ କାମଟି କରିପାରିଲିନି।

ଛୁଟି ଶେଷହେଲା।ଭାବୁଥିଲି ଜାନୁୟାରୀ ୧୪ ତାରିଖରେ ସ୍କୁଲ ଖୋଲିଲେ ଗୌତମ ନିଶ୍ଚୟ ସ୍ବେଟର୍ ପିନ୍ଧି ଆସିବ।ସେ କେବେ ଅନୁପସ୍ଥିତ ରହେନି।ସେ କେବେ ଅନ୍ୟ ମାନଙ୍କ ପରି ଦୁଷ୍ଟାମି କରେନି।ମୋ'ର ସବ୍ଜେକ୍ଟ ରେ ଖୁବ୍ ଭଲ ନମ୍ବର ରଖେ।ସେଦିନ ର ପ୍ରାର୍ଥନା ସଭା ଚାଲିଥାଏ ।ରୋଲ ନମ୍ବର ଅଠର.....ଗୌତମ କୁମାର।ଦେଖିଲି ସେ ଆସିଛି।ସେକ୍ସନ୍ ର ସମସ୍ତେ ପ୍ରପର୍ ୟୁନିଫର୍ମ ରେ ଅଛନ୍ତି।କିନ୍ତୁ ଗୌତମ ଆସିଥିଲା ବିନା ସ୍ବେଟର୍ ରେ।ସେଦିନ ସୋମବାର ଥିବାରୁ ନର୍ମାଲ ୟୁନିଫର୍ମ ରେ ଥିଲା ସେ।ଶୀତ ଦିନର ଫୁଲ ସାର୍ଟ ପିନ୍ଧି ଥିଲା। ସମ୍ଭାଳି ନପାରି ପଚାରିଲି ଭିତରେ କିଛି ଥଣ୍ଡା ର ଡ୍ରେସ୍ ପିନ୍ଧିଛି କି ନାହିଁ ।ସେ ହଁ ମାରିଲା।

ମୁଁ ମନେମନେ ସ୍ଥିର କଲି ସ୍ବେଟର୍ ଟିଏ କିଣି ତା ପରଦିନ ତାକୁ ପିନ୍ଧାଇ ଦେବି।ସ୍ବେଟର୍ କିଣିବା ଟା ବଡକଥା ନୁହେଁ।ତାକୁ ଦେବା ସମୟରେ ଯେଉଁ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ସେସବୁର ପର୍ଯ୍ୟାଲୋଚନା କରିକରି ମୁଁ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରିଲିନି।ମୋ ମନରେ ଥିଲା ଅନେକ ପ୍ରଶ୍ନବାଚୀ।ଆଜିକାଲି ର ପିଲାମାନଙ୍କ ମାନସିକ ସ୍ତରର ପରିପକ୍ବତା ଆମମାନଙ୍କ ଠାରୁ ଅନେକ ଗୁଣରେ ଅଧିକା।ଗୋଟିଏ ଜିନିଷକୁ ଅନ୍ୟ ଦୃଷ୍ଟି କୋଣରୁ ଦେଖିବାର ସମ୍ଭାବନା ଅନେକ ବେଶୀ ସେମାନଙ୍କ ପାଖରେ।ଆଜିକାଲି ର ପିଲାମାନଙ୍କ ମନସ୍ତତ୍ତ୍ଵ ଆମ ସମୟଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ।ପିଲାଟି ହୁଏତ ଭାବିପାରେ...

* ହଠାତ୍ କ୍ଲାସ୍ ଟିଚର୍ ତା ପ୍ରତି ଏତେ ଦରଦୀ କାହିଁକି ହୋଇଉଠିଲେ

* ଏଭଳି କରିବା ପଛରେ ତାଙ୍କର କିଛି ଅଭିପ୍ରାୟ ଅଛିକି

* ସେ କ'ଣ ମୋତେ ସାଙ୍ଗ ମାନଙ୍କ ଆଗରେ ହୀନମନ୍ୟତାର ଶିକାର କରାଇବାକୁ ଚାହୁଁଛନ୍ତି କି

* ସ୍ବେଟର ଦେଇ ଟିଚର୍ ନିଜକୁ ମହାନ ବୋଲି ସମସ୍ତଙ୍କ ଆଗରେ ଦେଖାଇବାକୁ ଚାହୁଁଛନ୍ତି ବୋଧହୁଏ

* ଘରେ ଏ ସ୍ବେଟର୍ ଦେଖି ମୋ ବାପା କ'ଣ ଭାବିବେ

*ଯଦି ମୋ ଘରଲୋକେ ମତେ କିଛି କହିବେ ଆଉ ପରଦିନ ଠାରୁ ମୁଁ ସ୍ବେଟର୍ ନପିନ୍ଧିକି ଆସିଲେ ଟିଚର୍ ଗାଳି କରିବେ

ଏ ସବୁ ଅସମାହିତ ପ୍ରଶ୍ନସବୁ ମୋ ମୁଣ୍ଡରେ ବୁଢିଆଣୀ ଜାଲ ସୃଷ୍ଟି କରି ଚାଲିଛନ୍ତି ।ଛୁଟି ଖୋଲିବାର ଏକ ସପ୍ତାହ ପୁରିଗଲାଣି।ମୁଁ କିନ୍ତୁ କିଛି କରିପାରିନି ଏକ ଅଜଣା ଆଶଙ୍କାରେ..........

ମିନାକ୍ଷୀ ସାମଲ


Rate this content
Originality
Flow
Language
Cover Design