Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

✿ ବର୍ଷା ମୁଖର ✿

✿ ବର୍ଷା ମୁଖର ✿

6 mins
14K


 

{୧}

ହାଣମୁହଁକୁ ଯାଉଥିବା ତୃଣଭୋଜିଟେ ଜାଣିପାରେନା , ଏଇ ଏବେଏବେ ତା'ବେକରେ ଚୋଟ ପଡିବ ! ମୁଁ ତ ମଣିଷ । ମୋତେ ଜଣାପଡୁଥିଲା ଯେ , ଏତେଦିନୁ ବଳେଇ ବଞ୍ଚେଇ ସାଇତି ରଖିଥିବା ଏ ଦେହଟି , ନିଶ୍ଚୟ ଏବେଏବେ ଧର୍ଷିତା ହୋଇଯିବ !
ରାସ୍ତାକଡର ଗୁମୁଟି ଭିତରେ ଆଶ୍ରିତା ମୁଁ । ବାହାରେ ବର୍ଷାର ତାଣ୍ଡବ । ଦିନବିକାଳୀ କେତେବେଳୁ ଆଁଚ ଓଲଟାଇ ଚାଲିଯାଇଛି । ଭୂଇଁ ଉପରେ ପାଦଭର୍ତ୍ତି ପାଣିର ସୁଅ । ତା' ଭିତରେ ମୋ ଆଗରୁ ଆଉ ତିନିଟା ମଣିଷ । ପୁରୁଷ । ମୋ ପରି ଆଶ୍ରୟୀ ନା' ମୋ' ଅପେକ୍ଷାରେ ରହିଥିଲେ କେଜାଣି ? ବର୍ଷା ସଚ୍ଚୋଟଙ୍କୁ ବି ଅପରାଧି କରିଦିଏ । ଏମାନେ କୌଣସିମତେ ସଚ୍ଚୋଟ ପରି ଆଦୌ ଲାଗୁନଥିଲେ ମୋତେ ।
ପ୍ରତିଦିନ ଏଇଛକରୁ ମୁଁ ଯିବାପାଇଁ ବସ୍ ଧରେ । ଏଇପରି ମେଞ୍ଚାଏ ଲୋକଗୁଡାଙ୍କୁ ଦେଖେ । ଆଜିକିନ୍ତୁ ମୁଁ ଏକୁଟିଆ । ବାହାରେ ପ୍ରବଳ ବର୍ଷା । ସେ ଯୋଗୁଁ ଆଜି ଅଫିସରୁ ଫେରିବାରେ ଡେରି । ଶେଷ ଗାଁ ବସ୍ ଯାଇସାରିବଣି ଅବା ଥାଇପାରେ ।  ତରତର ଆଉ ବର୍ଷା ପବନରେ ଛତା ଓଲଟି ପଡିଲା । ତାକୁ ଠିକ୍ କରୁକରୁ , ଗୋଟାପଣେ ଦେହ ତରଳି ପାଣିପାଣି । ପିନ୍ଧା  ସାଲୁଆର ତା' ଦାୟିତ୍ଵ ଭୂଲିସାରିଥିଲା । ବର୍ଷା ଆଖପାଖର ବିଜୁଳିବତୀଙ୍କୁ ବି ଧୋଇଲିଭେଇ ଦେଇଥିଲା । ପରସ୍ତ ପରସ୍ତ ସଞ୍ଜ ଅନ୍ଧାରକୁ ଦେହସାରା ବୋଳି ମୁଁ ଲାଜ ବଞ୍ଚାଉଥିଲି । କେଉ ଲୁଚୁଥିଲା ଯେ ? ଏ ମୁହଁସଞ୍ଜରେ ବି ଛଅ ଟା ଆଖି ମୋତେ ବଳାତ୍କାର କରିବା ଆରମ୍ଭ କରିଦେଇଥିଲେ । ଏତେବଡ ସହରଟାରେ ମୁଁ ଏକା ନିଃସ୍ୱ । କି ନିର୍ଦ୍ଦୟୀ ଏ ବର୍ଷା ସତେ । ମୋ' ଆଗରେ ଦୁଇଟି ରାସ୍ତା ଏବେ । କୌଣସିମତେ ଘରେ ପହଞ୍ଚିବି ଅବା ଆଜି ଏଇଠି ମରିଯିବି ।
ଓଦା ଜଡସଡ ଦେହଟାକୁ ଅନ୍ଧାର ମଖାଇ ଗୁମୁଟି କୋଣକୁ ଘୁଞ୍ଚି ଗଲି ମୁଁ । ସୈତାନ୍ ତିନୋଟି ଖେଞ୍ଚାଖେଞ୍ଚି ହେଉଥିଲେ । ଯେମିତି ଖାଦ୍ୟ ମୁହଁ ପାଖକୁ ଆସିଯାଇଛି ।

{୨}

ଅଫିସରୁ ବାହାରିଲା ବେଳେ , ବଡବାବୁ କହୁଥିଲେ ଚାଲ ଛାଡିଦେବି ।
ସୀମା କଥା ମନେପଡିଲା । ବୁଢା ସବୁବେଳେ ଏଇ ଅସହାୟ ଦିନଗୁଡାକୁ ଟାକି ବସିଥାଏ । ସାରା ଅଫିସର ଅର୍ଦ୍ଧାଧିକ ଲେଡ଼ିଷ୍ଟାଫ୍ ଛାତିତଳେ ଗୋଟେଗୋଟେ ସତକୁ ଲୁଚାଇ ରଖିଛନ୍ତି । ସୀମା ନିଜେବି । ପାରିବୁ ଯଦି ନିଜକୁ ବଞ୍ଚାଇ ରଖ୍ । ସୀମା ଖୁବ୍ ବିକଳରେ ଏତକ କହିଥିଲା ।
- ନାଇଁ ସାର୍ , ମୁଁ ଚାଲିଯିବି । କହି ବର୍ଷାକୁ ପାଦ ବଢାଇଦେଲି ।
ମାନିନେଇଥାନ୍ତି ହେଲେ ? ଅନ୍ତତଃ ଘରେତ ପହଞ୍ଚି ପାରିଥାନ୍ତି !
ବୁଢା ଯା'କିଛି କରିଥାନ୍ତା , ସାମ୍ନା କରିହେଇଥାନ୍ତା !
ବଳାତ୍କାର ଆଉ ଧର୍ଷଣ ଭିତରେ ଖୁବ୍ ଫରକ୍ ଅଛି । ଏବେତ ମୁଁ ଏ ପିଶାଚ ମାନଙ୍କଠୁଁ ଆଦୌ ମୁକୁଳି ପାରିବିନି । ଧାଇଁଲେ ବି କେତେଦୂର ? ବର୍ଷା ନେଇ ଫୋପାଡିଦେବ କେଉଁ ଅରମା ନାଳ ନର୍ଦ୍ଦମାରେ । ସେଠୁଁ ଛାଣିଆଣିବେ ମୋତେ ତିନିହେଁ । ଲକ୍ଷ୍ୟ ଗୋଟାଏ । ଧର୍ଷଣ । ମୁଁ ଅବା ଛ' ବର୍ଷର ଝିଅ । ଏକୁଟିଆ ନାରୀ ଠାରେ ସବୁଯାକ ପଶୁପଣ ବାହାରି ଆସେ ପୁରୁଷର !
ଓଃ ନିଖିଲ୍ !

{୩}

ନିଖିଲର ମୋବାଇଲ ସୁଇଚ୍ ଅଫ୍ । ବର୍ଷା ବିଜୁଳିରେ ମୋବାଇଲ ଫାଟିଯାଏ ବୋଲି ତାର ଭିଷଣ ଭୟ । ମୁଁ , ତା' ପ୍ରେମିକା ,ଏଣେ ଫାଟିସାରିଲିଣି ଏକ ନିଶ୍ଚିତ ଧର୍ଷଣର ଆଶଙ୍କାରେ ! ସେ ପ୍ରେମିକ , ଖାଲି ପ୍ରେମ କଥା ବୁଝେ । ସ୍ୱାମୀ ହୋଇଥିଲେ ଦାୟିତ୍ଵର ଦାୟରେ ମୋ' ପାଇଁ ବ୍ୟସ୍ତ ହୁଅନ୍ତା । ଓଃ ଗତକାଲି ହେଲେ , ବାହାହୋଇପଡ଼ିଥାନ୍ତି ନିଖିଲକୁ ! ସ୍ୱାମୀ ହୋଇ ମୋ' ଫେରିବା ଚିନ୍ତାରେ ଅନ୍ତତଃ ମୋବାଇଲ ଅଫ୍ କରିନଥାନ୍ତା ତ !
ମୋବାଇଲ ଖୋଲିଲେ ଯାଇ ଜାଣିବ ମୋ ଧର୍ଷଣର ଖବର । ସେତେବେଳେ ପ୍ରତିକ୍ରିୟା କଣ ହେବ ତାର ? ଆପଣାଇବ ନା ଅପରିଚିତ ହୋଇଯିବ ? ମୁଁ ତା ବାଗଦତ୍ତା ।
ଧର୍ଷଣ ଅବା ଧର୍ଷିତା କରିବାର /ହେବାର ନିରନ୍ତର ଆଶାଟେ , ପ୍ରତ୍ୟେକ ପୁରୁଷ ନାରୀ ଠାଏଁ ରହିଥାଏ ! ପୁରୁଷ ଭିନ୍ନନାରୀକୁ ଆଉ ନାରୀ ନିଜ ମନପୁରୁଷ ଠାରୁ !!!
ମୁଁ ଚାହୁଥିଲି ମୋ' ଏଇ ସାଇତା ଦେହକୁ ନିଖିଲ୍ ହିଁ ଖିନ୍ ଭିନ୍ କରୁ !
ଗୁମୁଟି ସାରା କ୍ରମଶଃ ଧୁଆଁମୟ ହୋଇଯାଇଥିଲା । ଏମିତି ଧୂଆଁ ସହ ମୁଁ ପରିଚିତ । ଅଫିସରେ , ନିଖିଲ୍ ପାଖରେ ଏଇ ସିଗାରେଟର ଗନ୍ଧ ଭରିଥାଏ । ଏଠି କିଛି ଭିନ୍ନ ବାସ୍ନା ଥିଲା । ଆଉରି କଟୁମୟ । ନିଖିଲ୍ ବେଳେବେଳେ ଗଞ୍ଜେଇ କଥାକୁହେ । ଏସବୁରେ ଅଧିକା ନିଶା । ଲୋକଗୁଡା ବୋଧେ ଅପରାଧ କରିବାକୁ ପ୍ରସ୍ତୁତ ହେଉଥିଲେ । ମୋ ଅନ୍ତନାଡି ପଦାକୁ ବାହାରିଆସୁଥିଲା ଅଈ' ହୋଇ ।
ଚଳଚଞ୍ଚଳା ହରିଣୀକୁ ଭୟାତୁରା କରି ଦୌଡାଇ ଦୌଡାଇ ନୟାନ୍ତ କଲାପରେ ଯାଇ ମହାବଳ ଶେଷ ଲମ୍ଫ ଦିଏ । ସେତେବେଳକୁ ହାଲିଆ ହୋଇ ସୁଆଦିଆ ହୋଇଯାଇଥାଏ ତା ମାଂସ । ଏମାନେ ପରୀକ୍ଷା କରୁଥିଲେ ବୋଧେ ମୁଁ କେତେ ଅସହାୟ । ଶେଷକୁ ଲମ୍ଫ ଦେବାର ଯୋଜନା !
ଗଞ୍ଜେଇ ଧୂଆଁର ପ୍ରଖରତାରେ ମୋତେ ନିଜକୁ ନିଶାସକ୍ତ ପରି ଲାଗୁଥିଲା । ମୁଣ୍ଡ ଯେପରି ବୁଲାଇ ଦେଉଥିଲା ।
ଜଣେ ଆସନ୍ନ ଧର୍ଷିତା ଝିଅର ଉପସ୍ଥିତ ବୁଦ୍ଧି କଣ ହୋଇପାରେ ?
ଚିଲ୍ଲେଇଲେ ବି ମୋ ସ୍ୱର ମୋ ପାଖକୁ ଫେରିଆସିବ । ବାହାରେ ବି ଧର୍ଷଣଖୋର ବର୍ଷା ।
ବଡବାବୁଙ୍କୁ ବଞ୍ଚି ଏଠାକୁ ଆସିଗଲି । କେଉଁ ବଞ୍ଚାଇ ପାରିଲି ଯେ ନିଜକୁ ? ଅନ୍ଧାର ପାପକୁ ଜନ୍ମ ଦିଏ । ଆଉ ଏ ବର୍ଷାମୁଖର କିଟିମିଟି ରାତିଟେ ପାପୀକୁ ପାତକୀ ସଜାଇଦିଏ ।

{୪}

କୋହ ନୁହଁ , ଲୁହରେ ଅଧିକା ସମବେଦନା ଥାଏ ବୋଲି ଜାଣିଥିଲି । କାନ୍ଦିବାକୁ ଇଛା ହେଲା । କାନ୍ଦିପକାଇଲି । ଅନ୍ଧାରରେ ସେମାନଙ୍କୁ ମୋ ଲୁହ ଦିଶୁନଥିଲେ ବି ହସିବାକୁ ଲାଗିଲେ ।
ମୋତେ ଆଉରି ଡରାଇବାକୁ ଲାଗିଲେ । କାଲି ସକାଳକୁ ଏଇ ଓଭରବ୍ରିଜ୍ ତଳେ ଖିନ୍ ଭିନ୍ ହୋଇ ପଡିଥିବ ମୋ ଉଲଗ୍ନ ଶବ ।
ଦେଖଣାହାରି ଭିଡ ଜମାଇଥିବେ । ଆଉଥରେ ସେମାନଙ୍କ ଆଖିରେ ମୋର ଧର୍ଷଣ ହେଉଥିବ । ଶବର ପୁଣି କଣ ଗୋଟେ ଲାଜ ? ଚିହ୍ନାନପଡିବାକୁ ମୋ ମୁହଁକୁ ପଥରରେ ଛେଚି ବିକୃତ କରିଦେଇଥିବେ । ପଶୁତ୍ୱ ଜାହିର କରିବାକୁ ଯାଇ ମୋ ଯୌନାଙ୍ଗରେ ଲୁହାଛଡ !
ମୋ' ବାକିପଡିଥିବା ସବୁଯାକ ସ୍ୱପ୍ନକୁ ଧୋଇନେବ ଏଇ ଗୋଟାଏ ବର୍ଷାମୁଖର ରାତି !

{୫}

ମୁଁ ଆଉ ମୋ' ତଥାକଥିତ ସୁଇଚ୍ ଅଫ୍ ପ୍ରେମିକ ନିଖିଲକୁ ନୁହେଁ , ଇଶ୍ୱରଙ୍କୁ ହିଁ ମନେପକାଇଲି । ଚମତ୍କାର କରିବାର ଦାୟିତ୍ଵ କେବଳ ତାଙ୍କର । କରିଥିଲେ ବି କୁରୁସଭାରେ !
ଆଗରୁ କେବେ ଏତେ ଅସହାୟ ହୋଇ ଡାକିନଥିଲି ।
ଗାଡିଟିଏ ଆସୁଥିଲା । କ୍ରମଶଃ ଧୀର ହେବାରେ ଲାଗିଲା ତା' ଆଲୁଅ । ସେ ଆଲୁଅ ରୋଷଣୀରେ ମୋ ଓଦାଦେହ ଆଉରି ସ୍ପଷ୍ଟ ହୋଇ ମୋତେ ବିକୃତ କରାଉଥିଲା । ପରଖିନେଲା କି କଣ ଆଲୁଅ ବନ୍ଦ କରିଦେଲା ସେ । ମୁଁ ଅନ୍ଧାର ମାଖି ସାମାନ୍ୟ ସହଜ ହେଲି ପୁଣି ।
- ଯିବୁ ?
- ହଁ !
- ବସ୍ ଗାଡିରେ ।
ମୁଁ ବସିଗଲି । ମୋତେ ବଞ୍ଚିବାରେ ଥିଲା । ଗୁମୁଟି ସାରା ହତାଶର ଖଣ୍ଡିକାଶ ଗୁଞ୍ଜୁରୁଥିଲା !
- ସୁଲତାନପୁର । ମୁଁ ଆପେଆପେ କହିପକାଇଲି ।
- ଘର ସେଠି ?
- ହଁ !
- ଓଃ ! ହଉ
କଣ ହୋଇପାରେ । ମୋତେ ଦେଖି କାହିଁକି ସେ ଗାଡି କାହିଁକି ଅଟକାଇଲା ? ବଡବାବୁଙ୍କୁ ଡରି ଏ ଅଜଣା ସହ ମୁଁ କେମିତି ଆସିପାରିଲି ?
ହୁଏତ ପିଲାଟା ଭାବୁଥିବ ମୋତେ ଗୋଟେ ଗରାଖ ଅପେକ୍ଷାରେ ଛିଡା ହୋଇଥିବା ରାସ୍ତାକଡର ବେଶ୍ୟା ! ହୁଏତ ସେ ଏସବୁ କାମରେ ନିୟମିତ ଅଭ୍ୟସ୍ତ ଥାଇପାରେ । ମୋ' ପାଇଁ କିନ୍ତୁ ସେ ଏବେ ତ୍ରାଣକର୍ତ୍ତା ।
ଘନ ଅନ୍ଧାର ମୋତେ ଜାଣିବାକୁ ସୁଯୋଗ ଦେଉନଥିଲା , ଗାଡି କେଉଁଆଡେ ଗଡୁଛି । ମୁହଁସାରା ବର୍ଷାର ବଡବଡ ନିଷ୍ଠୁର ଟୋପା ସବୁ ଆଖିପତାକୁ ଖୋଲିବାକୁ ଦେଉନଥିଲା ।
- ସିଟ୍ ଓଦା ଅଛି । ଭଲକି ଧରି ବସ । ପଡିଯିବ ।
ମୁଁ ଆଉଜି ପଡିଲି , ଠିକ୍ ନିଖିଲ୍ ପିଠିରେ ଆଉଜାଇଲା ପରି !
ପୁରୁଷଟିଏ ସବୁବେଳେ ସୁଯୋଗ ଅପେକ୍ଷାରେ ରୁହେ ।  ଜଣାନଥିଲା ୟେ ବେଶ୍ୟାସକ୍ତ ପିଲାଟି ମୋତେ  କୁଆଡ଼େ ନେଉଛି ? ଏକୁଟିଆ ପାଇ ଧର୍ଷଣ କରିବ କି ନାହିଁ ? ତଥାପି ମୁଁ ମରିବିନି । ୟେ ମୋତେ ମାରିବନି ।
ଅନ୍ତତଃ ସକାଳକୁ ପୋଲିସ କୁ ଜଣାଇପାରିବି , ଗୋଟେ କଳା ପଲସର୍ ଆଉ ତା' ବେକରେ ଚିତାକୂଟା ! ଆଉଟିକେ ପାଖେଇ , ଆଖିଖୋଲି ଦେଖିଲି , ଏକ ବାଘପଞ୍ଝାର ଚିତାକୂଟା ହୋଇଛି ତା ବେକରେ ।
ମୋତେ ଆଉ ଡର ଲାଗୁନଥିଲା ଆଦୌ । ଧର୍ଷଣର କଷ୍ଟ ମୁଁ ଭୋଗି ସାରିଥିଲି କେତେବେଳୁଁ ।

ମୋ ତଣ୍ଟି ଶୁଖିଯାଉଥିଲା । ପାଟି ଖୋଲି ବଡ ଆଁ ଟାଏ କଲି । ବର୍ଷା ଠୋପା କିଛି ଠୁଳାଇ ଭିତରକୁ ଢୋକିନେଲି ।
ମୁଁ ଅନ୍ୟ କାହାଦ୍ୱାରା ଧର୍ଷିତା ଜାଣିବାପରେ , ମୋ ଦେହରେ ସନ୍ଦେହରେ ଆଉ ସତୀତ୍ୱ ଖୋଜିବନି ନିଖିଲ୍ ! ମୁଁ ତାଠୁଁ ଆଶାବି କରୁନଥିଲି । ଭରସା ପ୍ରେମକୁ କରାଯାଇପାରେ , ପ୍ରେମିକକୁ ନୁହେଁ !
ସେ ଅଫିସର ବଡବାବୁ  ଅବା ଗୁମୁଟିର ପିଶାଚ , ବା ଏଇ ମୋତେ ଉଦ୍ଧାର କରି ନିଜ ଅରମାନ ମେଣ୍ଟାଇବାକୁ ନେଉଥିବା ଅଚିହ୍ନା ଯୁବକ । ସମସ୍ତେ ପୁରୁଷ । ଗୋଟେ ଭୟାଳୁ ଜୀବ । ଯେ କେବଳ ଅନ୍ଧାରରେ ନିଜ ପୌରୁଷତ୍ୱ ଜାହିର କରନ୍ତି । ଦିନ ଆଲୁଅରେ ସଚ୍ଚୋଟତା ! ପ୍ରେମ ଅବା ଅପରାଧ , ସବୁଥିରେ ଅନ୍ଧାର ଆଉ ଅବଳାଟେ ଲୋଡା , ଆଲୁଅରେ ସାହାସ କୁଳାଏନି !
ଦୁଃଖ ତ ଏତିକି ଯେ ନିଖିଲ୍ ବି ପୁରୁଷ । ସୁଇଚ୍ ଅଫ୍ । ଛିଃ!

{୬}

- ଏବେ କୁଆଡ଼େ ?
- ଆଁ ?
- ସୁଲତାନପୁର ଛକ ଆସିଗଲା ।
- ଓଃ ! ବାଁ ଗଳିରେ ପାଞ୍ଚୁଟା ଘର ଛାଡ଼ି ।
- ଓହ୍ଲାଅ ଏଥର ।

ମୁଁ ଗାଡିରୁ ଓହ୍ଲାଇ ପାରୁନଥିଲି କିଛିକ୍ଷଣ ।  ମୋତେ ମୋ ଅବିଶ୍ୱାସ ଓହ୍ଲାଇବାକୁ ଦେଉନଥିଲା । ଯେମିତି ଓହ୍ଲାଇଛି , ଗାଡି ବୁଲାଇ ଅନ୍ଧାରରେ ତୁରନ୍ତ ମିଶିଗଲା ପିଲାଟି । ମୁଁ ନିର୍ବାକ୍ । ଧନ୍ୟବାଦ ଟିଏ କହିବାକୁ ଅସର୍ମଥ ହୋଇପଡ଼ିଲି ।
ନିଖିଲ୍ ପାଇଁ ପୁଣି ଥରେ ସାଇତା ହୋଇ ନୁହଁ , ଏଇ ଦେବତୁଲ୍ୟ ପୁରୁଷ ହାତରେ ଧର୍ଷିତା ହୋଇ ନପାରିବାର ଅବସୋସ ମୋତେ ଢେର୍ କନ୍ଦାଇଲା ପୁଣି !!!

ଏ ଲୁହ ଆଉ ବର୍ଷା ପାଣିର ରଙ୍ଗ ଏକାପରି କାହିଁକି ଯେ???
ବିଶ୍ଵାସ ଅବିଶ୍ୱାସ ବାରିବାରେ ଅଡୁଆ କରିଦିଏ !!!

✿ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ✿


Rate this content
Log in