Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅମାବାସ୍ୟାର ଚାନ୍ଦ
ଅମାବାସ୍ୟାର ଚାନ୍ଦ
★★★★★

© Subal Mohapatra

Horror Inspirational

6 Minutes   181    37


Content Ranking


ଶୀତ ଦିନ, ଅମାବାସ୍ୟା ରାତି, ସମୟ ବାରଟା ବାଜି ପନ୍ଦର ମିନିଟ । ଥଣ୍ଡାରେ ଦେହ ହାତ କୋଲ ମାରି ଯାଉଥାଏ। ମୁଁ ଶାର୍ଟ ଉପରେ ସ୍ୱିଟର ତା ଉପରେ କମ୍ବଳ ଖଣ୍ଡେ ଘୋଡ଼ି ହୋଇ, ମୋ ଅଟୋରେ ବସି ଦିନ ଯାକର ଭଡା ହିସାବ କରୁଥାଏ । ଘରକୁ ଯିବାକୁ ମନ ଡାକୁଥିଲେ ବି ସକାଳୁ ଝିଅର ଜନ୍ମଦିନ ପାଇଁ ଡ୍ରେସ କିଣିବାକୁ ପଡିବ ବୋଲି ଆଉଗୋଟେ ଭଡା ପାଇଯିବା ଲୋଭରେ ମୁଁ ବସିଥାଏ ଅଟୋରେ। ମନେ ମନେ ଭୀଷଣ ଗାଳି ଦେଉଥାଏ ମୋ ସ୍ତ୍ରୀ କୁନିକୁ। ଆସିଲାବେଳେ କହିଲା, "କାଲି ଝିଅର ଜନ୍ମଦିନ, ତା ପାଇଁ ଯେମିତି ହେଲେ ନୂଆ ଡ୍ରେସ ହେବ। ଆଜି ଆସିଲା ବେଳେ ଭଲ ଡ୍ରେସ ଖଣ୍ଡେ ଦେଖିକି ଆଣିବ"।


ମୁଁ ମନେ ମନେ ଭାବୁଥାଏ "ଝିଅ ପିଲାଟେ ତ, କେଉଁ ସବୁଦିନ ମୋ ସହ ରହିବ? ପରଘରି ପାଇଁ ଏତେ ସରାଗ କିଆଁ? ହେଇଥାନ୍ତା ହେଲେ ପୁଅଟେ। କିଛି ନହେଲେ ମୋ ବୁଢା କାଳକୁ ତ ସାହା ହୁଅନ୍ତା, ମଲେ ମୁହଁରେ ନିଆଁ ତ ଦିଅନ୍ତା। ଏ ଝିଅ ଖଣ୍ଡେକୁ ଏତେ ଫୁଲେଇ? ଏପଟେ ଖାଇବାକୁ ପଇସା ଅଣ୍ଟୁନି, ସେପଟେ ତିନିହଳ ଡ୍ରେସ ଥାଉ ଥାଉ ଆହୁରି ଖଣ୍ଡେ..." ଯା ମ...


ଶେଷ ବସ ଆଉ ଦଶ ମିନିଟ ରେ ଆସି ପହଁଚିଯିବ। ଯଦି କିଏ ମିଳିଯାଏ ତେବେ ଦେଢା ହିସାବରେ କିଛି ମିଳିଯିବ, ଏଇ ଆଶାରେ ମୁଁ ବସି ବସି ବିଡ଼ି ଖଣ୍ଡେ ଲଗେଇଲି। ବସ ଆସି ପହଁଚିଲା ଆଉ ଭଡା ବି ମିଳିଗଲା। ବସ ଷ୍ଟାଣ୍ଡରୁ ପ୍ରାୟ ଏଗାର କିଲୋମିଟର କିନ୍ତୁ ମୋ ଘରର ପୁରା ବିପରୀତ ଦିଗରେ। ହଉ, ଭଡା ବି ଭଲ ମିଳିବ। ଜଣେ ଲୋକ, ସାଙ୍ଗରେ ଖାଲି କାନ୍ଧଗଳା ବ୍ୟାଗ ଖଣ୍ଡେ। ବାଟରେ ତା ସହ କିଛି କଥା ହେବାରୁ ସେ ଚୁପ ରହିଲା। ଏତେ ଅସମ୍ଭବ ଭାବେ ଚୁପ ଯେ କେବଳ ଠିକଣା ବ୍ୟତୀତ ଆଉ କିଛି କହିଲାନି। ଶୀତରେ କଥା ହେବାକୁ ବୋଧହୁଏ ଇଛା ନଥିଲା ତା'ର। ମନେ ମନେ ବିରକ୍ତ ହେଲେବି ଗ୍ରାହକ ଈଶ୍ବର ଭାବି ଚୁପ ରହିଲି। ଠିକଣା ଜାଗା ପାଖେଇଲା, ଓଲ୍ଲେହିଲା ସେ। ଯିବା ଆସିବା (ମୁଁ ପୁଣି ଫେରିବି ନା ନାହିଁ? ଏତେ ରାତିରେ କଣ ସେପଟୁ ଭଡା ମିଳିବ? ନାହିଁ ନା...) ଭଡା ବାବଦ କଥା ଛିଡିଥିବା ଅଢେଇଶରୁ ଦୁଇଶ କୋଡିଏ ଥିଲା ତା ପାଖରେ। ବାକି ତିରିଶ ନାହିଁ ବୋଲି କହିଲା। ରାଗିଗଲି ମୁଁ, "ଶଃ.. ପଇସା ନାହିଁ, ଭଡା ମୂଲଚାଲ କଲାବେଳେ କହିଲୁନି କିଆଁ?"


-- କହିଥିଲେ, ତମେ ଆସି ନଥାନ୍ତ କି ମୁଁ ଏଠି ପହଁଚିପାରି ନଥାନ୍ତି। ଏ ଶୀତ ରାତିରେ କୁଆଡେ ଯାଇଥାନ୍ତି??

-- ଏବେ ତ ପହଞ୍ଚି ଗଲୁଣି, ଏବେ ଘରୁ ପଇସା ଆଣି ଦେ...

-- ନାଁ, ଏଇଟା ଆମ ଘର ନୁହେଁ, ମୋର ଜଣେ ସାଙ୍ଗର ଘର। ମୋର ଏଇ ହାତ ଘଣ୍ଟାଟି ରଖ, ମୁଁ କାଲି ସକାଳୁ ଷ୍ଟାଣ୍ଡ ଆସି ତମକୁ ତମ ଭଡା ପଇସା ଦେଇଦେବି କହି ମୋ ହାତରେ ସେ ହାତଘଣ୍ଟା ଟି ଖୋଲି ଧରେଇ ଦେଇ, ବିଜୁଳି ବେଗରେ ଚାଲିଗଲା। 


ହେତ... ମଣିଷ କାହା ମୁହଁ ଚାହିଁଥିଲା କେଜାଣି, ଶୀତ ରାତିରେ ଏତେ ଝୀଂଝଟରେ ଫସିଲା। ତଥାପି ମନ ଖୁସି ଥିଲା ଯେ ସେ ଆଉ ତିରିଶ ନଦେଲେ ଘଣ୍ଟା ରହିବ ମୋ ପାଖରେ..।


ଅଟୋ ଷ୍ଟାର୍ଟ କଲି, ମୋ ଘର ଏଠୁ ପ୍ରାୟ ଷୋହଳ କିଲୋମିଟର ଦୂର ହେବ। ବାଟରେ ଭଡାଟେ ମିଳିଗଲେ ଭଲ ହୁଅନ୍ତା ବୋଲି ଭାବି ଭାବି ମୁଁ ଆସୁଥାଏ। ହଠାତ ରାସ୍ତା ରେ ଗୋଟେ କାର ଠିଆ ହୋଇଥିବାର ଦେଖିଲି। ଏତେ ନିର୍ଜନ ଜାଗାରେ କାର ଟି କାହିଁକି ଅଛି? ଏନ.ଏଚ. ରେ କାଳେ କିଏ କଣ ଅସୁବିଧା ରେ ପଡିଥିବ କି କୁଆଡେ ଯାଉଥିବ ମଝିରେ ଟିକେ ବିଶ୍ରାମ କି ଲଘୁଶଂକା ପାଇଁ ଅଟକି ଥିବ ବୋଲି ଭାବିଲି। କାର ଆଗରେ ଝିଅଟିଏ ହାତ ଦେଖେଇ ଅଟୋ ଅଟକେଇବାକୁ କହିଲା। ପିନ୍ଧିଥାଏ ନାଲି ଶାଲୱାର ଖଣ୍ଡେ, ହଳଦିଆ ଚୁନି ପକେଇଥାଏ। ସମ୍ଭ୍ରାନ୍ତ ଘରର ଝିଅ ପରି ଲାଗୁଥାଏ। ଏତେ ଶୀତରେ ଥରି ଯାଉଥାଏ ବିଚାରି।


ଏତେ ରାତିରେ ଏକୁଟିଆ ଝିଅଟି ଦେଖି, କିଛି ଅସୁବିଧାର ସମ୍ମୁଖୀନ ହୋଇଛି ଭାବି ଗାଡି ରଖିଲି। ଝିଅଟି କହିଲା," ଭାଇ, ମୋ ଗାଡି ଖରାପ ହୋଇ ଯାଇଛି। ମୋତେ ଟିକେ ଘରେ ଛାଡ଼ିଦେଵ?? " ଡବଲ ଭଡା ଦେବି। 

-- ହଁ, ବୋଲି କହି, ତାକୁ ଗାଡ଼ିରେ ବସିବାକୁ କହିଲି। ପୁଣି ମୋତେ ଡବଲ ଭଡା ମିଳିବାର ଲୋଭ ବି ମିଳିଲା। ମୋ ଘର ରାସ୍ତାରେ ନୁହେଁ, ଅନ୍ୟ ରାସ୍ତାରେ ଯିବାକୁ ପଡ଼ିବ, ତଥାପି ସେ ଜାଗାରୁ ମୋ ଘର ଆଉ ସାତ କିଲୋମିଟର ପଡିବ, ତେଣୁ ଠିକ ଅଛି ବୋଲି ଭାବି ଗାଡି ବୁଲେଇଲି। 


ବାଟରେ ଚାଲୁ ଚାଲୁ ଜଣେ ବଡଭାଇ ହିସାବରେ କହିଲି ତାକୁ, "ଏପଟ ରାସ୍ତା ବହୁତ ଖରାପ, ତମେ ବୋଧେ ନୂଆ ଏ ସହରରେ। ଏଇ ଯେଉଁଠି ଗାଡି ତମର ଖରାପ ହୋଇଥିଲା ଆଉ କିଛି ବାଟ ପରେ ମଶାଣି ପଡେ। ରାତି ନଅଟା ପରେ ଏପଟେ ଲୋକ ଯିବାପାଇଁ ଡରନ୍ତି, ତମେ ଏକୁଟିଆ କୁଆଡେ ଯାଉଥିଲ ଏପଟେ?

- ମୁଁ ଫେରୁଥିଲି, କିନ୍ତୁ ହଠାତ ଗାଡି ଖରାପ ହୋଇଗଲା। ଦୁଇ ଜଣଙ୍କୁ ଅଟକେଇଲି କିନ୍ତୁ କେହି ରହିଲେନି। ଆପଣଙ୍କୁ ଧନ୍ୟବାଦ। ଏଠୁ ମୋ ଘରକୁ ଭଡା କେତେ ନେବେ ଆପଣ?

-- ଦେଢଶ ଦିନ ବେଳେ। ରାତି ପାଇଁ ଦେଢା। ଏପଟେ କିନ୍ତୁ ଆଉ କେବେ ଆସିବନି ରାତିରେ...

ଶୀତ ଜୋର ହେଉଥିଲା। ମୋ ଦେହରୁ କମ୍ବଳ ଟି କାଢି ତା ପାଖକୁ ବଢ଼େଇ ଦେଲି। 

-- ହଉ, ମୁଁ କହିଛି ଆପଣଙ୍କୁ, ତିନିଶ ଦେବି। ଟିକେ ଶୀଘ୍ର ଚାଲନ୍ତୁ, ମୋ ବାପା ସେପଟେ ବ୍ୟସ୍ତ ହେଉଥିବେ କହି ମୋ କମ୍ବଳଟି ନେଇ ଘୋଡ଼ି ହୋଇ ବସିଲା ସେ। 

-- ହଉ କହି ଗାଡି ଚଳେଇବାରେ ମନ ଦେଲି। 

ପ୍ରାୟ ପନ୍ଦର ମିନିଟ ପରେ, ପହଞ୍ଚିଗଲୁ ତାଙ୍କ ଘର ଆଗରେ। ଭଡା ଏବେ ନାହିଁ ତା ପାଖରେ ଶୁଣି ମନଟା ଆମ୍ବିଳି ହୋଇଗଲା ମୋର। ପୁଣି ଆଉ ଗୋଟେ? ଏବେ ଏବେ ସେଇ ଘଟଣା ଗୋଟେ ଘଟିଛି ମୋ ସହ। ପୁଣି..


ଏଇ ସାଙ୍ଗେ ସାଙ୍ଗେ ଆଣି ଦେଉଛି କହି, ଗେଟ ଖୋଲି ଘର ଭିତରକୁ ପଶିଲା ସେ। କବାଟ ଠକ ଠକ ର ଶବ୍ଦ ବି ଶୁଭିଲା, ମୁଁ ଅଟୋରେ ବସି ରହିଲି। ପ୍ରାୟ ପନ୍ଦର ମିନିଟ ଯାଏଁ କେହି ବାହାରକୁ ନ ଆସିବାରୁ ବଡ ବିରକ୍ତ ଲାଗିଲା ମୋତେ। ଠକି ଦେଲାକି ଆଉ?? କି ଘର ଭିତରକୁ ଯାଇ ଭୁଲିଗଲା?? ଏପଟେ ଶୀତ ସହ ଏତେ ରାତିରେ ନିଜର ପ୍ରାପ୍ୟ ପାଇଁ କାହାକୁ ଅପେକ୍ଷା କରିବାଟା ଭାରି କଷ୍ଟ ଦେଉଥାଏ। ନା, ଆଉ ହେବନି, ଡାକିବାକୁ ପଡିବ। ଖୋଲା ଥିବା ଗେଟ ଦେଇ ଭିତରକୁ ପଶିଲି। ଘରର ମୁଖ୍ୟ ଦରଜା ଖୋଲା ଥାଏ। ଆଜ୍ଞା, କହି ଧୀରେ ଡାକିଲି। କେବଳ "ଉଁ"ବ୍ୟତୀତ ଆଉ କିଛି ଶୁଣିବାକୁ ପାଇଲି ନାହିଁ। ଘର ଝାପ୍ସା ଆଲୋକିତ ଥାଏ। ଜିରୋ ପାୱାର ର ବଲବ ଗୋଟେ ଜଳୁଥାଏ ଘର ଭିତରେ । ପୁରା ଭଲରେ ଦେଖି ନହେଲେ ବି କେହି କୁଆଡେ ନାହାନ୍ତି ବୋଲି ଜଣା ପଡୁଥାଏ। ଆଉ ଥରେ ଡାକିଲି, "ଆଜ୍ଞା"। ପୁଣି ଥରେ "ଉଁ ଉଁ" ବୋଲି ଶବ୍ଦ ଶୁଣିଲି। କେଉଁଠୁ ଆସୁଛି ବୋଲି ଭିତରକୁ ଟିକେ ଗଳି ଅନେଇଲି। ଦାଣ୍ଡଘରେ ସୋଫା ପାଖରେ ତଳେ ପଡି କେହିଜଣେ ମୋ ଆଡ଼କୁ ହାତ ବଢାଉଥିବାର ଦେଖି ଭିତରକୁ ଯାଇ ପ୍ରଥମେ ଲାଇଟ ସ୍ବୀତ୍ଚ ସବୁ ଅନ କରି ଘରକୁ ଆଲୋକିତ କଲାପରେ ଦେଖିଲି, ବୁଢା ଜଣେ ତଳେ ପଡି ଛଟପଟ ହେଉଛନ୍ତି। ଧୀରେ ତାଙ୍କୁ ଉଠେଇ ସୋଫାରେ ବସେଇଲି। ତାଙ୍କ ହାତ ଭାଙ୍ଗି ଯାଇଥାଏ, ଆସ୍ତେ ଆସ୍ତେ ଫୁଲିବା ଆରମ୍ଭ କରିଥାଏ। ସେ ପାଟିକରି କାହାକୁ ଡାକି ପାରୁ ନଥାନ୍ତି, କଣ କରିବି ବୋଲି କିଛି ମୁଣ୍ଡରେ ପଶୁ ନଥାଏ। ତଥାପି ସାହସ କରି "ଘରେ କିଏ ଅଛନ୍ତି" ବୋଲି ଡାକ ପକେଇଲି। କେହି ନଶୁଣିବାରୁ ପାଖ ପଡୋଶୀ ଙ୍କୁ ଡାକିଲି। ଏତେ ରାତିରେ ପୁଣି ଶୀତଦିନେ, କମ୍ବଳ ତଳୁ ଉଷୁମ ନଟାଣି କିଏ ବାହାରକୁ ଆସେ?? ଜଣେ ଦି ଜଣ ଆସି କହିଲେ, ତାଙ୍କ ଘରେ ଏବେ କେହି ନାହାନ୍ତି, ତାଙ୍କୁ ଟିକେ ଡାକ୍ତରଖାନା ନେଇ ଯାଅ। କିନ୍ତୁ ସକାଳୁ ସେମାନଙ୍କର କାମ ଅଛି ବୋଲି କହି ମୋ ସହ ଆସିବାକୁ ଅମଙ୍ଗ ହେଲେ ସେମାନେ। କଣ କରିବି ବୋଲି ବୁଦ୍ଧି ଦିଶୁନଥାଏ। "ମୋର କଣ ଯାଉଛି? ମୁଁ କିଆଁ ରହିବି ଏଠି" ବୋଲି ମନ କହୁଥିଲେ ବି ବିବେକ ବାଧା ଦେଉଥାଏ। ଅଗତ୍ୟା ବିବେକ ର କଥା ଶୁଣିବାକୁ ପଡିଲା। ବୁଢା ଜଣଙ୍କୁ ଧରି ଡାକ୍ତରଖାନା ବାହାରିଲି। ଯନ୍ତ୍ରଣା ରେ ସେ ଓଃ, ଆଃ ହେଉଥାନ୍ତି। ବୋଧହୁଏ ସେ ଦଶ ପନ୍ଦର ମିନିଟ ଆଗରୁ ବା ଆହୁରି ଆଗରୁ ପଡ଼ିଥିଲେ ସେଠି। ମୁଁ ତାଙ୍କୁ ଧରି ଡାକ୍ତରଖାନା ବାହାରିଲା ବେଳକୁ ପଡୋଶୀ ଜଣେ ତାଙ୍କ ଘର ତାଲା ପକେଇ ଚାବି ମୋତେ ବଢ଼େଇ ଦେଲେ। ଛାଡ଼, ଏମିତି ପଡୋଶୀ ନଥିବା ଭଲ ବୋଲି ମନେ ମନେ କହି ଗାଡି ଷ୍ଟାର୍ଟ କଲି। 


ବୁଢା ଜଣଙ୍କୁ ଡାକ୍ତରଖାନା ରେ ହାତ ବ୍ୟାଣ୍ଡଜ କରି ଟିକେ ସାଷ୍ଟାମ ହେଲାପରେ ଡାକ୍ତରଖାନା କ୍ୟାଣ୍ଟିନ ରୁ ଚା ଆଉ ବିସ୍କୁଟ ଆଣି ଖାଇବାକୁ ଦେଲି। ମେଡ଼ିସିନ ଷ୍ଟୋର ରୁ ମେଡ଼ିସିନ ନିଜେ ପଇସା ଦେଇ କିଣିଲି। ହାତଘଡି ଦେଖିଲା ବେଳକୁ ରାତି ତିନିଟା। ଏବେ ମୋ ଦାୟିତ୍ୱ ହେଲା ୟାଙ୍କୁ ଘରେ ଛାଡ଼ି ମୋ ଘରକୁ ଫେରିବି। କିନ୍ତୁ ମୋ ଭଡା? ଏ ଅବସ୍ଥା ରେ କଣ ଭଡା ମାଗିବି? ଥାଉ, ପରେ କେବେ ଦେଖିବା ଭାବି, ବୁଢା ଜଣଙ୍କୁ ଗାଡ଼ିରେ ବସିବାକୁ କହିଲି। ତାଙ୍କ ଅବସ୍ଥା ରେ ସୁଧାର ତଥାପି ଆସି ନଥାଏ। ଆସ୍ତେ ଆସ୍ତେ ସେ ଟିକେ ନର୍ମାଲ ଆଡକୁ ଆସୁଥାନ୍ତି। ଗାଡି ବହୁତ ଧୀରେ ଚଳେଇବାକୁ ପଡୁଥାଏ। ଆବଡା ଖାଵଡା ରାସ୍ତା ରେ ତ ଶଗଡ଼ ଗାଡିଠୁ ବି ଧୀରେ। ତାଙ୍କ ଘରେ ପହଞ୍ଚିବାକୁ ପ୍ରାୟ ଅଧଘଣ୍ଟା ଲାଗିଲା। ଘର ଖୋଲି ତାଙ୍କୁ ସୋଫାରେ ବସେଇ ମେଡ଼ିସିନ ଖାଇବାକୁ କହିଲି। ସେ ଟିକେ ସାଷ୍ଟାମ ହେଲେ। ମୋତେ ବହୁତ ବହୁତ ଆଶୀର୍ବାଦ କରି ଟେବୁଲ ଉପରେ ଥିବା ପର୍ସ ରୁ କାଢି ମୋ ହାତରେ ଦୁଇ ହଜାର ଟଙ୍କିଆ ନୋଟ ଟିଏ ଧରେଇ ଦେଲେ। ଚେଞ୍ଜ ନାହିଁ କହିବାରୁ କହିଲେ, "ରଖ, ଏଇଟା ତିନିଟା ଭଡା ଓ ମେଡ଼ିସିନ ପାଇଁ। ସାହାଯ୍ୟ ପାଇଁ ଅଶେଷ ଅଶେଷ ଧନ୍ୟବାଦ"। 

-- ତିନିଟା ଭଡା?

-- ହଁ, ଡାକ୍ତରଖାନା ଯିବା, ଆସିବା ଓ ହାତଠାରି କାନ୍ଥ ଆଡକୁ ଦେଖେଇଲେ।

-- ଯାହା ଦେଖିଲି, ମୋ ହୋସ ଉଡିବା ଅବସ୍ଥା....

-- ମୋ କାନ୍ଧରେ ହାତରଖି କହିଲେ, ସେ ମୋ ଝିଅ। ଏକୋଇଶ ବର୍ଷ ତଳେ ଗୋଟେ କାର ଦୁର୍ଘଟଣା ରେ ସେ ଆରପାରିକୁ ଚାଲି ଯାଇଛି। ମୁଁ ଜାଣିଛି, ସେ ଆଜି ଅଟୋ ଭଡା କରି ଏଠିକି ତୁମ ସହ ଆସିଥିବ ଓ ତୁମକୁ ଭଡା ଦେଇ ନଥିବ। ଏଇଟାକୁ ମିଶେଇ ଚାରିଥର ହେଲା। ମୁଁ ଯେତେବେଳେ ବି ଅସୁବିଧାରେ ପଡିଛି, କେହି ନା କେହି ଅଟୋବାଲା ସହ ଆସି ସେ ଏମିତି ମୋତେ ସାହାଯ୍ୟ କରିଛି। ମୋର ଦୁଇ ପୁଅ ଓ ଗୋଟେ ଝିଅ। ସ୍ତ୍ରୀ ଦୀର୍ଘ ତିରିଶ ବର୍ଷ ହେଲା ଆର ପାରିରେ। ପୁଅ ଦୁଇଜଣ ବିଦେଶ ରେ। ମୁଁ ଏଠି ଏକା ରୁହେ। ଆପଣଙ୍କ ସହୃଦୟତା ପାଇଁ ଅଶେଷ ଧନ୍ୟବାଦ। 


ମୋ ଅବସ୍ଥା ଏବେ ବାର ବାଜିବା ଉପରେ। ଏ ଝିଅଟି ଅଟୋ ରେ ଆସି ଭଡା ଦେଇନଥିବା କଥା ତ ମୁଁ ପୁରା ଭୁଲି ଯାଇଥିଲି। ଆଉ ଥରେ ସେ ଫୋଟୋଟିକୁ ଦେଖିଲି, ସେଇ ନାଲି ସଲୱାର, ସେଇ ହଳଦିଆ ଚୁନି, ସେଇ ମୁହଁ, ସେଇ ଝିଅ ଖାଲି ଫୋଟୋ ଉପରେ ଫୁଲମାଳ ପଡିଥିଲା। 


ବାପରେ ବାପ....ଏବେ ଏକମୁହାଁ ହୋଇ ଦୌଡ଼ିଲି ମୋ ଅଟୋ ପାଖକୁ। ଗାଡି ଷ୍ଟାର୍ଟ କରି ସିଧା ସିଧା ଗାଡ଼ିରେ ବସି ଯିବା ବେଳକୁ, ମିରର ରେ ଦେଖିଲି, କେହିଜଣେ ହସି ହସି ମୋତେ ଟା ଟା କରୁଥିଲା....ସେଇ ନାଲି ଶାଲୱାର, ସେଇ ହଳଦିଆ ଚୁନି, ସେଇ ମୁହଁ, ସେଇ ଝିଅ.....।


ମୋ ମା.....ଆଖି ବନ୍ଦ କରି ଶହେ ସ୍ପୀଡ଼ ରେ ଦଉଡେଇଲି ଅଟୋକୁ....।


ଡର ଲାଗୁଥିଲେ ବି ମନେ ମନେ ସାଲୁଟ କଲି ସେ ଝିଅ କୁ...ମୋତେ ବହୁତ ବଡ଼ ହୀନମନ୍ୟତା ରୁ ଉଦ୍ଧାର କରି ଥିବାରୁ ତା ନିକଟରେ ରୁଣୀ ବୋଲି ସ୍ବୀକାର କଲି...


ଏବେ ମୋ ଝିଅ, ମୋତେ ପୁଅ ମାନଙ୍କଠୁ ଅଧିକ ଲାଗୁଥିଲା...।



ଝିଅ ବୁଢା ଅଟୋ ଅମାବାସ୍ୟା ରାତି

Rate the content


Originality
Flow
Language
Cover design

Comments

Post

Some text some message..