Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Others

3  

Neelima Nivedita Behera

Others

ପ୍ରେମ 2

ପ୍ରେମ 2

4 mins
7.8K


 ଫୋନ୍ କଟି ସାରିଥିଲା । କେଜାଣି କାହିଁକି ରେସ୍ମା କାନରୁ ରିସିଭର୍ କାଢି ନଥିଲା ତଥାପି, ଢେର୍ ବେଳ ଯାଏଁ ? କ’ଣ ଚାହୁଁଥିଲା ? ଅଭିନାଶ୍ ଆସନ୍ତୁ... ଆଉଥରେ ଫୋନ୍ କରି କୁହନ୍ତୁ,

- କବାଟ ଖୋଲ ରେସ୍ମା ! ମୁଁ ତମ ଗେଟ୍ ପାଖରେ । ଘର ବାହାରେ ।

ନା । ସେମିତି କିଛି ହେବନି । ରେସ୍ମାର କେବଳ ପଗାଳାମି ଇୟେ । ପାଗଳାମି ହେଇ ନ

ଥିଲେ…

ଅନିମେଷକୁ ଖୋଜିବାକୁ ସବୁଥର ଚେଷ୍ଟା କରିଛି ରେସ୍ମା । ଚେଷ୍ଟାକରିଛି ବୋଲି ତ ପ୍ରମାଣ ସବୁକୁ ସାଇତି ରଖିଛି ସେ ନିଜ ପାଖରେ ! ପ୍ରମାଣ ବାବଦକୁ ଥାକେ ସରିକି ଚିଠି । ଚିଠିର ଥାକ ଆରମ୍ଭ ହେଇଥିଲା ସେଇଦିନ ଯଉଦିନ ପ୍ରଥମଥର ରେସ୍ମା ବଡ଼ପିଲା ହେଇଥିଲା । ତରୁଣୀରୁ ଯୁବତୀ ହେବା କ’ଣ ସତରେ ବଡ଼ ହେଇଯିବା ? ନା... ଯଦି ହେଇଥାନ୍ତା ତେବେ ନିଇତି ରେସ୍ମା ଆଉ ଅନିମେଷ୍ ଭିତରେ ତୁତୁମେମେ ହେଉନଥାନ୍ତା ? ସବୁ ତୁ’ ଆଉ ସବୁ ମେ’ କୁ ନିଜ ଲୁହରେ ଧୋଇ ସଫା କରିଦିଏ ରେସ୍ମା । ମୂଲ୍ୟବାନ୍ ଚିଜକୁ ରୂପା ଫରୁଆରେ ସାଇତି ରଖିଲା ପରିକା ସବୁ ଅଭିମାନ ଓ ରାଗରୁଷାକୁ ଶବ୍ଦ ଫରୁଆରେ ଗୁଡେଇତୁଡେଇ ଚିଠି ନାମକ ଗଣ୍ଠିଲିରେ ବାନ୍ଧିଦିଏ ରେସ୍ମା । ତଥାପିବି କ’ଣ ତା’ ମନ ବୁଝେ ? ସେଇଥିପାଇଁ ତ ସେସବୁକୁ ପୁରାଏ ସେ ନେଳିଆ ରଙ୍ଗର ଫୁଲପକା ବାଙ୍କୁଶ ଭିତରେ, ଯଉଟା ତା’ ବୋଉ ଆଣିଥିଲା ଯଉତୁକରେ !

“ନିଜକୁ ସାହସୀ ବୋଲାଉଥିବା ରେସ୍ମା କିନ୍ତୁ କେବେବି ସାହସ ଜୁଟାଇପାରେନା ଚିଠିଗୁଡ଼ିକୁ ରାସ୍ତା କଡ଼େଇନେବାକୁ ଡାକଘର ଆଡ଼କୁ । ଯଦିଓ ଭଲରୂପେ ଜାଣେ ସେ, ଅନିମେଷ୍ ତାଙ୍କ ୱାଦାରେ ପକ୍କା । କେବେ ବଦଳି ନଥିବ ଫୋନ୍ ନମ୍ବର୍ । ବଦଳିଥିବ ଯଦି କେବଳ ଗାଡ଼ିର ନମ୍ବର୍ ପ୍ଳେଟ୍ । ସ୍ପ୍ଲେଣ୍ଡର୍ ଛାଡ଼ି ଏଣିକି ହୁଣ୍ଡାଇ ଚଢୁଥିବ ସେ ଯଉଟା ତାକୁ ଯଉତୁକରେ ମିଳିଥିବ । ବଦଳିଥିବ ଯଦି କେବଳ ତା’ ନାକ ତଳ । ନିଜର ଅନିଚ୍ଛା ସତ୍ତ୍ୱେ ନିଶ ରଖିବାକୁ ବାଧ୍ୟ ହେଉଥିବ ବାପାଙ୍କ ତାଗିଦରେ । ବଦଳିଥିବ କେବଳ ନହୁଣିଆ ଡାକ । ଆଉ ରେସ୍ମା ନ ଡାକି , ଡାକୁ ଥିବ ‘ହେଇଟି ଶୁଣୁଛ !’ କେଜାଣି ଆହୁରି କ’ଣ କ’ଣ ବଦଳି ସାରିଥିବ ! ହେଲେ ନିଶ୍ଚୟ ଫୋନ୍ ନମ୍ବର୍ ପୂର୍ବବତ୍ ହିଁ ଥିବ । ରିଲିଆନ୍ସ- ଯିଏ ସଂପର୍କକୁ ବାନ୍ଧେ ବିଶ୍ଵାସରେ । ସେଇଟା ଅଲଗା କଥା ଯେ ଆମ ଦୁହିଁଙ୍କୁ ବାନ୍ଧି ରଖି ପାରିଲାନି ରିଲିଆନ୍ସ”, ଭାବୁଭାବୁ ବାଜି ଉଠିଥିଲା ରେସ୍ମାର ଫୋନ୍ ।

- ହ୍ୟାଲୋ ରେସ୍ମା ।

- କୁହ ଅବିନାଶ୍ ? ଏବେ କଉଠି ?

- ଅପେକ୍ଷା କରିଛି ଗୋଟେ ସାଙ୍ଗକୁ । ବସରେ ବସେଇଦେଲିଣି ସ୍ତ୍ରୀ ଓ ପୁଅକୁ । ସାଙ୍ଗଟା ଆସିଲେ ଭାବିଛି ଯିବି ଗୋଟେ କାମରେ । ଆଛା ! ତମ ସହ ଦେଖାହେଇ ପାରିବ କି ? ତମ ଅଫିସ୍ କେତେବେଳେ ଛୁଟି ହେବ ?

- ଛୁଟି ?

ରେସ୍ମା ଏବେ ଦ୍ଵନ୍ଦ୍ଵରେ । କ’ଣ କହିବ ସେ ଅଭିନାଶଙ୍କୁ ? ସେମିତିରେ ତ ଅଭିନାଶ୍ ସହ ଦେଖା କରିବା ରେସ୍ମା ପାଇଁ ଗୋଟେ ବଡ଼ ସୁଯୋଗ, ନହେଲେ ସ୍ତ୍ରୀ-ପୁଅ ସଂସାରରେ ଖୁସି ଥିବା ଅଭିନାଶ୍ ପୁଣି ରେସ୍ମା ସହ ଦେଖା କରିବାକୁ ଇଚ୍ଛା କରିବେ ! ଏକଥା ରେସ୍ମା ହଜମ୍ କରିପାରୁ ନଥାଏ । ୬ଟା କହିଲେ କାଳେ ଅଭିନାଶ୍ ଦେଖା କରିବାର ଇରାଦା ବଦଳାଇଦେବେ ? ୫ଟା ବି ତ କହିହେବନି ଯେହେତୁ ଡାରେକ୍ଟରଙ୍କ ମୁଡ୍ ଅଫ୍ । ଏବେଳେ ଅଫିସରୁ ବାହାରିବା ମାନେ ଚାକିରି ଗଲା ବୋଲି ଜାଣ । କରିବ ତ, କ’ଣ କରିବ ସେ ? ଗୁଁଗୁଁ ହେଇ କହିଲା,

- ଯାଉ ଯାଉ ୬/୫/୫:୩୦ ...

- ତମେ ବ୍ୟସ୍ତ ହୁଅନା । ମୁଁ ତମକୁ ଦେଖା କରିବାକୁ ତମ ଘରକୁ ଯିବି । ତମେ କାମ କର ଓ କାମ ସାରି ବାହାର ଅଫିସରୁ ।

ରେସ୍ମା ହସୁଥିଲା ନା କାନ୍ଦୁଥିଲା, କେଜାଣି ? ମନ ତାର ଆହୁରି ଅସ୍ଥିର । କେମିତି ଘଣ୍ଟା କଣ୍ଟା ସଅଳ ସଅଳ ଘୁରିବ ଆଉ ୫:୩୦ ହେବ । ଅବିନାଶ୍ ମୁହଁରେ ସେ ତା’ ଅନିମେଷକୁ ଦେଖିବ । ସମାନ୍ ଦାୟିତ୍ଵବୋଧ । ସମାନ୍ କର୍ତ୍ତବ୍ୟପରାୟଣ ମଣିଷଟିଏ ଯିଏ ସମାଜ ଓ ସମ୍ମାନ ପାଇଁ ନିଜ ମନକୁ ବି ହତ୍ୟା କରିପାରେ ହସିହସି । ଆଗରୁ କେବେ ଦେଖି ନଥିଲା ସେକଥା ନୁହେଁ, ରେସ୍ମା ଅନେକଥର ଦେଖିଛି ତା’ ଅନିମେଷକୁ ଭିନ୍ନ ଭିନ୍ନ ମୁହଁରେ, ବିଭିନ୍ନ ନାମରେ । ହେଲେ କେବେ ପାଇନି କାହା ଭିତରେ ତାକୁ । ମାନେ କ’ଣ ଯେ ଅବିନାଶ୍ ଭିତରେ ସେ ତାକୁ ପାଇଯିବ ବୋଲି ? ପାଇଲେ ବି ? ଅନିମେଷ୍ କ’ଣ ଡେଇଁପାରିବ ୩ ଟା ଗାର ?

- ପୁଅ ?

- ଭାଇ ?

- ସ୍ଵାମୀ ?

ନା’ ଶବ୍ଦଟା ଲୁହ ହେଇ ବୋହୁଥାଏ ରେସ୍ମା ଆଖିରୁ ଆଉ ଅବିନାଶ୍ କେବେବି ତା’ ଅନିମେଷ୍ ହେଇ ନ ପାରନ୍ତିର ବିଶ୍ଵାସ ହସ ହେଇ ଝୁଲୁ ଥାଏ ଓଠ ଧାରେ ।

ଘରେ ପହଞ୍ଚି ତରବର ହେଇ ରୁଟି-ସନ୍ତୁଳା କରିସାରି ପୁଣି ଫୋନ୍ କଲା ଅଭିନାଶଙ୍କୁ ।

- ଦ ସସ୍କ୍ରାବର୍ ଇଜ୍ ନଟ୍ ରିଚେବୁଲ୍ ...

ଏୟାର୍ଟେଲ, ରିଲିଆନ୍ସ, ଭୋଡା, ଆଇଡିଆ ଏମିତି ସବୁ ନେଟୟୋର୍କ ଟ୍ରାଇ କରୁଥାଏ ରେସ୍ମା । ହେଲେ ପ୍ରତିଥର ସେଇ ଏକା କଥା

- ଦ ସସ୍କ୍ରାବର୍ ଇଜ୍ ନଟ୍ ରିଚେବୁଲ୍ ...

ଖାଇବା ଟେବୁଲରେ ଆଉ କେତେ ସମୟ ହାତ ଟେକି ବସିବ ଯେ !

- ହ୍ୟାଲୋ, ମୁଁ ଜାଣିଥିଲି ତମେ ଆସିବନି ବୋଲି ।

- ନାଇଁ... କଥା କ’ଣ କି... ! ଏପଟେ ଟିକେ ବେଶି କାମ ରହିଗଲା ତ ! କିନ୍ତୁ ସବୁ କାମ ସୁରୁଖୁରୁରେ ହେଇଗଲା । ତମକୁ ଟିକେ ଦେଖା କରିବାକୁ ଇଚ୍ଛା ଥିଲା ରେସ୍ମା । ଆସି ପାରିବ ? ଘରେ ଛାଡିବେ ତମକୁ ରାତି ୯ ଟାରେ ?

- ଦେଖା କରିବାର ଅଭୀପ୍ସା ପାଇଁ ଆଉ କ’ଣ ଜାଗା ଥିବ ତମ ପେଟରେ ? ସବୁ କାମ ସୁରୁଖୁରୁରେ ହେଇଗଲା, ସେଇ ଖୁସିରେ ତ ତମ ପେଟ ପୁରି ସାରିଥିବ ଅଭିନାଶ୍ !

- ମୁଁ ଯିବି କି ?

- ନୋ କମେଣ୍ଟ୍ସ ।

- ହଉ ତା’ହେଲେ । ରହୁଛି । ବାଏ ରେସ୍ମା । ଟିଂ...................... !!!

ଫୋନ୍ କଟି ସାରିଥିଲା । କେଜାଣି କାହିଁକି ରେସ୍ମା କାନରୁ ରିସିଭର୍ କାଢି ନଥିଲା ତଥାପି, ଢେର୍ ବେଳ ଯାଏଁ ? ଛାତିର, ଝର୍କା ବାହାରେ ବର୍ଷୁଥିବା ବର୍ଷାର କି ରିସିଭରର, କେଜାଣି ? ଶୁଭୁଥିଲା କିନ୍ତୁ କିଛି ଅସ୍ପଷ୍ଟ ଶବ୍ଦ, ଏଇଯେମିତି

ମାଟି ବି ଖୋଲିଦିଏ ଛାତି

ବର୍ଷାକୁ କୁହେ, ଆ’ ଭେଦି ଯା’ ମୋ ଦେହ

ନହୁଲି ବୟସର ମେଘ

ଛାଡି କିପାରେ ନିର୍ଘାତ୍ ବରଷି ଯିବାର ମୋହ ?

ଦୁହେଁ କୋଳାକୋଳି ହେଲାବେଳେ

ଦିଶେନି ଯାହା

ସେଇଟା ଖାଲି ଭାଙ୍ଗି ନଯିବାର କୋହ... !!!

ନୀଳିମା ନିବେଦିତା


Rate this content
Log in