Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

T.Durga Prasad Rao

Romance

3.6  

T.Durga Prasad Rao

Romance

ସିମ୍ପାଞ୍ଜି

ସିମ୍ପାଞ୍ଜି

14 mins
674


ସିମ୍ପାଞ୍ଜି


କାଠଯୋଡ଼ି ନଈ କୂଳରେ ବୁଲୁ ବୁଲୁ ଗୋଟିଏ ଜାଗାରେ ଅଟକି ଯାଇ ବ୍ରିଜେଶ୍ ମୋତେ ଟାଣି ବସାଇଦେଲା ବାଲି ଉପରେ। କହିଲା, “ଆଉ ଚାଲି ପାରିବିନି, ଏଇଠି ଟିକେ ବସିବା। ଜାଗାଟା ଟିକେ ସଫା ଲାଗୁଛି।” ଆଜି କାହିଁକି ବ୍ରିଜେଶ୍ ଦିଶୁଛି ଭାରି ନିରାଶ, କ୍ଳାନ୍ତ। ସକାଳ ଠାରୁ ମୁଁ ତାକୁ ଲକ୍ଷ୍ୟ କରୁଛି। ସେ ଯେମିତି କିଛି କହିବ କହିବ ହେଉଛି। କହିବାକୁ ସୁଯୋଗ ଖୋଜୁଛି। ପୁଣି କହିବ କି ନା ଦ୍ୱନ୍ଦ୍ୱରେ ରହି ଯାଉଛି। ପ୍ରକୃତରେ ଶରୀର ତାର କ୍ଳାନ୍ତ ନ ଥିଲା। ମନଟା ଅସହାୟ ହୋଇ ନିସ୍ତେଜ ହୋଇ ପଡ଼ିଥିଲା। ମୁଁ ତା ସହିତ ବାଲି ଉପରେ ବସୁ ବସୁ କହିଲି, “ହଁ କଣ ଗୋଟେ କଥା ଆରମ୍ଭ କରିଥିଲୁ, ରହିଗଲୁ ଯେ!” ବ୍ରିଜେଶ୍ ନଈ ପାଣି ଭିତରକୁ ଗୋଡ଼ିଟିଏ ଫୋପାଡ଼ିଲା। ଗୋଡ଼ିଟି ବୋଧେ ତା ମନ ମୁତାବକ ଦୂରତାରେ ପହଞ୍ଚି ପାରିଲାନି। ଡାହାଣ ହାତରେ ପୁଣି ଗୋଡ଼ିଟିଏ ଖୋଜି ନିକ୍ଷେପ କଲା ପାଣି ଭିତରକୁ। ନା, ଏଥର ମଧ୍ୟ କିଛି ଅଭାବ ରହିଗଲା। କହିଲା, “ମୋ ଚେଷ୍ଟା ସବୁ ଏମିତି କାହିଁକି ପ୍ରତିଥର ବିଫଳ ହୁଏ କହିଲୁ?” ଏଇତ, ଆରମ୍ଭ ହେଲା। ପ୍ରସଙ୍ଗକୁ ଆସୁଛି ବ୍ରିଜେଶ୍। ମୁଁ ନଈପାଣିରୁ ମୋ ଆଖି ଫେରାଇ ଆଣିଲି ବ୍ରିଜେଶ୍ ଆଡ଼କୁ। ସେ ସେମିତି ନଈପାଣିକୁ ଚାହିଁ ରହିଲା ନିରାଶ ମୁହଁରେ। ବିତିଗଲା କିଛି ସମୟ। ବ୍ରିଜେଶ୍ ର ଗୋଟିଏ କଥା ମୋର ଭାରି ନାପସନ୍ଦ। କଥା କହିଲା ବେଳେ ସେ ଅନେକ ବିରତି ନିଏ। ଦୁଇପଦ କଥା, ପାଞ୍ଚ ସାତ ମିନିଟ୍ ବିରତି, ପୁଣି ଦୁଇପଦ କଥା। ପ୍ରସଙ୍ଗ ଠିକ୍ ଜମେଇ ଆସିଲା ବେଳକୁ ଅନ୍ୟମନସ୍କ ହୋଇଯାଏ। ମୋତେ ଥରେ ଥରେ ଲାଗେ ବ୍ରିଜେଶ୍ ର ନେତା ହେବା ଭଳି ରଙ୍ଗ ଢଙ୍ଗ। ବାଜପେୟୀ ଭାଷଣ କହି, ତାଳି ପାଇଁ ଅଟକିଲା ପରି ମଝିରେ ମଝିରେ ଯୋଉ ଅଟକିଯାଏ, ସେଇଥିରେ ମୋତେ ଭାରି ଚିଡ଼ି ମାଡ଼େ। କହିଲା, “ଜୀବନଟା ବେକାର ହେଇଗଲା ରେ।” ମୁଁ ମୁଣ୍ଡରେ ହାତ ଦେଲି। ୟାର ଜୀବନ ଦର୍ଶନ ଆରମ୍ଭ ହେଇଗଲା ମାନେ ଏତେ ଶୀଘ୍ର ପ୍ରସଙ୍ଗକୁ ଫେରିବ ନାହିଁ। ଆଛା ଲୋକ ହାବୁଡ଼ରେ ପଡ଼ିଲା ଆଜି ମଣିଷ। ଏବେ କେଉଁଠିକାର କଥା କେଉଁଠି ନେଇ ଖଞ୍ଜିବ। ମୁଁ ଝାଡ଼ି ଝୁଡ଼ି ହୋଇ ଉଠି ଠିଆ ହେଲି। ବ୍ରିଜେଶ୍ ବୋଧେ ଜାଣି ପାରିଲା ନାହିଁ। ତାର ଧ୍ୟାନ ମୋ ଆଡ଼େ ନଥିଲା। କହିଲା, “କିଛି କିଛି ଲୋକଙ୍କୁ ଦେଖିଲେ ମୋତେ ଭାରି ଲୋଭ ଲାଗେ। କେତେ ସୁନ୍ଦର, ସାବଲୀଳ, ନିରଙ୍କୁଶ ତାଙ୍କ ଜୀବନ। କୌଣସି ବାଧାବିଘ୍ନ ନାହିଁ। କାହାରି ବନ୍ଧନ ନାହିଁ। କାହା ପ୍ରତି ଦାୟିତ୍ୱ ନାହିଁ। ଯେତେବେଳେ ଯାହା ଚାହିଁଲେ, ପହଞ୍ଚିଯାଏ ହାତ ପାହାନ୍ତାରେ। ତାଙ୍କ ଜୀବନଶୈଳୀକୁ କେହି ଜଣେ ଅଲକ୍ଷ୍ୟରେ ଅନୁସରଣ କରି ଆଗରୁ ଖଞ୍ଜିଦେଲା ପରି ଲାଗେ।” ମୁଁ କହିଲି, “ଏବେ ତୋର କଣ ସବୁ ଅସୁବିଧା ହେଇଗଲା? ଭଲ ଚାକିରୀ ଖଣ୍ଡେ ପାଇଛୁ। ମାସକୁ ଦରମା ତିରିଶି ହଜାର। ବାହା ହେଇନୁ। ପରିବାରଠୁ ଦୂରରେ ଅଛୁ, ପରିବାରର ବନ୍ଧନ, ଦାୟିତ୍ୱ ଏପର୍ଯ୍ୟନ୍ତ ତୋ ଉପରେ ନ୍ୟସ୍ତ ହେଇନି।” ବ୍ରିଜେଶ୍ ବୁଲି ଚାହିଁଲା ମୋ ଆଡ଼େ। ମୋତେ ଠିଆ ହୋଇଥିବା ଦେଖି ହାତ ଟାଣି ପୁଣି ଥରେ ବସେଇଦେଲା। ମୋ ହାତ ପାପୁଲିକୁ ଜାବୁଡ଼ି ଧରି ଦୀର୍ଘଶ୍ୱାସ ତୋଳି ଉପରକୁ ଚାହିଁଲା କିଛି ସମୟ। କହିଲା, “ସେଇ ଗୋଟିଏ ଚିନ୍ତା। ଯେଉଁ ପର୍ଯ୍ୟନ୍ତ ଭଉଣୀଟା ବାହା ନ ହୋଇଛି ମୋ କଥା ଚିନ୍ତା କରି ପାରୁନାହିଁ।” ବ୍ରିଜେଶ୍ ର ଭଉଣୀଟିଏ ଅଛି ଏଇ ପ୍ରଥମ ଶୁଣିଲି ତା ଠାରୁ। ଅବଶ୍ୟ ତା ପରିବାରରେ ଆଉ କିଏ କିଏ ଅଛନ୍ତି ମଧ୍ୟ ମୋତେ ଜଣା ନାହିଁ। ବ୍ରିଜେଶ୍ ମୋର ସହକର୍ମୀ। ଗୋଟିଏ କମ୍ପାନୀରେ ଜବ୍ କରୁ। ଆମର ବନ୍ଧୁତ୍ୱ ମାତ୍ର ଗୋଟିଏ ବର୍ଷର। ଏଇ ଗୋଟିଏ ବର୍ଷରେ ମୁଁ ତାକୁ ଯେତିକି ଚିହ୍ନିଛି, ସେତିକିରେ ଜାଣିଛି ବ୍ରିଜେଶ୍ ର ଅନ୍ୟମନସ୍କ, ଭାବୁକ ମନ ତଳେ ସୁନ୍ଦର, ସହାନୁଭୁତି ସମ୍ପର୍ଣ୍ଣ ହୃଦୟଟିଏ ଅଛି। ମୁଁ ତାକୁ ଆଶ୍ୱାସନା ଦେଲା ପରି କହିଲି, “ସବୁ ଦୁର୍ଦ୍ଦିନ ଭିତରେ ମଧ୍ୟ ସୁଦିନଟିଏ ଅପେକ୍ଷା କରିଥାଏ। ଅଧୈର୍ଯ୍ୟ ହେଲେ ଚଳିବ? ଦେଖିବୁ ସମୟ ଧିରେ ଧିରେ ସବୁ ସମସ୍ୟାର ସମାଧାନ କରିଦେବ।” ବ୍ରିଜେଶ୍ ମୁହଁରେ ଆଉ ଟିକେ ନୈରାଶ୍ୟ ଖେଳାଇ କହିଲା,

- ସମୟ ହିଁ ତ ନାହିଁ। ବାପା ଚାହୁଁଛନ୍ତି, ଏକାଠି ଦୁହିଁଙ୍କ ବିବାହ କରିଦେବେ। ପାତ୍ର ଖୋଜା ଚାଲିଛି, ହେଲେ ଆଜିକାଲି ଏତେ ସହଜରେ ପାତ୍ର କେଉଁଠି ମିଳୁଛନ୍ତି।

- ହଁ ସେକଥା ବି ସତ। ଆଜିକାଲି ମ୍ୟାଚ୍ କଲା ପରି ଭଲ ଏକ ବରପାତ୍ରର ଘୋର ଅଭାବ।

- କିଛି ବୁଦ୍ଧି ବାଟ ଦିଶୁନାହିଁ। ଆଉ ସେଇଥିପାଇଁ ସେଆଡ଼େ ଯିବାକୁ ମଧ୍ୟ ମନ ଡାକୁନାହିଁ। ଗଲେ ସେଇ ଚର୍ଚ୍ଚା। ମୋ ଉପରେ ନିର୍ଭର ହେଇ ରହି ଯାଉଛନ୍ତି ତାଙ୍କ ଘର ଲୋକ।

ବ୍ରିଜେଶ୍ ପୁଣି ଥରେ ଅନ୍ୟମନସ୍କ ହୋଇଗଲା। ବ୍ରିଜେଶ୍ ର ସମସ୍ୟାତକ ମୋର ନିଜର ପରି ମନେ ହେଲା। ମୁଁ ବି ତା ପ୍ରତି ସହାନୁଭୁତିରେ ଟିକିଏ ଉଦାସ ହୋଇଗଲି। ବ୍ରିଜେଶ୍ ର କଥାକୁ ମୁଁ ପୁନରାବୃତ୍ତି କଲି। “ତାଙ୍କ ଘର ଲୋକ?” କାହା କଥା କହୁଛି ବ୍ରିଜେଶ୍? ମୁଁ ହଠାତ୍ ତା ହାତ ଟାଣି ଦେଇ ପଚାରିଲି, “ତୁ ଏତେବେଳ ଯାଏଁ ତାହେଲେ ତୋ ପରିବାର କଥା କହୁନଥିଲୁ?” ସେ ଚାହିଁଲା ମୋ ଆଡ଼େ ଶୂନ୍ୟ ଦୃଷ୍ଟିରେ। କହିଲା, “ସୁରୁଚି କଥା କହୁଥିଲି। ସୁରୁଚିକୁ ହେଲାଣି ଛବିଶି ବର୍ଷ। ତାର ଭଉଣୀକୁ ଚବିଶି ବର୍ଷ। ଯେ ପର୍ଯ୍ୟନ୍ତ ତାର ଭଉଣୀ ବାହା ହେବନି, ସୁରୁଚି ସହିତ ମୋର ବିବାହ ବି ହେଇ ପାରିବ ନାହିଁ। ତାର ବାପାଙ୍କୁ କ୍ୟାନ୍ ସର୍। କେତେବେଳେ ଡାକରା ଆସିଯିବ କିଏ ଜାଣେ? ଏତେ ଅନିଶ୍ଚିତତା ଭିତରେ ମନଟା ଭାରି ଅସହାୟ ଲାଗୁଛି। ତାପରେ... ମୋ ବୟସ ବି ତ ଗଡ଼ି ଯାଉଛି ନା! ଆମେ କଣ ବୁଢ଼ା ବୁଢ଼ୀ ହେଲା ପରେ ବିବାହ କରିବୁ?” ଓ... କଥାଟା ତାହେଲେ ଯାଇ ଏଇଠି ଅଟକିଛି। ମୁଁ ମନେ ମନେ ସ୍ୱଗତୋକ୍ତି କଲି। ନହେଲେ ସେତିକି ବେଳୁ ଭାବୁଛି, ଆଜି କେମିତି ବ୍ରିଜେଶ୍ ସୁରୁଚି କଥା ନ ଉଠାଇ ନିଜ ପରିବାର କଥା ଆରମ୍ଭ କରିଛି ବୋଲି। କାରଣ ଜୀବନ ଦର୍ଶନ ବ୍ୟାଖ୍ୟା ସହ ସୁରୁଚି କଥା ଦିନରେ ଥରେ ଅଧେ ନ ଶୁଣେଇଲେ, ବ୍ରିଜେଶ୍ ର ଭାତ ହଜମ ହୁଏନି। ମୁଁ କହିଲି, “ତୁ ଖାଲି ସୁରୁଚି କଥା ମୋତେ ପ୍ରତିଦିନ ଶୁଣୋଉଛୁ, କିନ୍ତୁ କେବେ ଥରେ ତା ସହିତ ସାକ୍ଷାତ କରେଇଛୁ? ବନ୍ଧୁ, ଏଣିକି ତୋର ସୁରୁଚି ବିଷୟରେ କୌଣସି କଥା ମୁଁ ଶୁଣିବିନି, ତୁ ଯେ ପର୍ଯ୍ୟନ୍ତ ତା ସହ ମୋର ପରିଚୟ ନ କରାଇଛୁ। ଏଥର ଉଠ୍ ଯିବା, ଅନ୍ଧାର ହେଲାଣି।” ଦୁହେଁ ଉଠି ଠିଆ ହେଲୁ।

ବ୍ରିଜେଶ୍ କହିବା ଅନୁସାରେ, ସୁରୁଚି ସହିତ ତାର ପରିଚୟ ଅନେକ ଦିନର। କଲେଜ୍ କ୍ୟାରିୟର୍ ରୁ ପରସ୍ପରକୁ ଚିହ୍ନନ୍ତି। ଆଉ ସେଇଠୁ ହିଁ ସେମାନଙ୍କ ମଧ୍ୟରେ ମନ ଦିଆନିଆ। ପ୍ରେମାଳାପ ସହ ଅଭିମାନ, ମନୋମାଳିନ୍ୟ ମଧ୍ୟ ହେଇଛି ଅନେକ ଥର ଦୁହିଁଙ୍କ ମଧ୍ୟରେ। ତେବେ ସେ ସବୁ ଛୋଟ ଛୋଟ କଳି ତକରାଳ ତାଙ୍କ ଭଲପାଇବାରେ ବାଧକ ହେଇନାହିଁ ବରଂ ସୁଦୃଢ଼ କରିଛି ତାଙ୍କ ଭଲପାଇବାର ଚାରାକୁ ଆଉ କାଳକ୍ରମେ ତାହା ଏକ ମହାଦ୍ରୁମରେ ପରିଣତ ହୋଇଛି। ଏବେ ଲାଗେ, ସୁରୁଚି ପାଇଁ ଜୀବନଟା ଯାକ ଅପେକ୍ଷା କରିବାକୁ କହିଲେ ବି ବ୍ରିଜେଶ୍ ର ଧୈର୍ଯ୍ୟ ପରୀକ୍ଷା କରୁଥିବା ଲୋକ ନିହାତି ହାର ମାନିବ।

ଦିନେ ସନ୍ଧ୍ୟା ସମୟରେ ବ୍ରିଜେଶ୍ ଆସି ପହଞ୍ଚିଲା ମୋ ରୁମ୍ ରେ। ମୁହଁ ତାର ହସ ହସ। ମୁଁ ଟେବୁଲ୍ ଟା ଉପରେ ବିନ୍ ସ୍ ଗଣ୍ଡେ ଧରେ ଛୁରୀରେ କାଟୁଥିଲି। ଖଟଟା ଉପରେ ଗଡ଼ି ପଡ଼ି କହିଲା, “ମୋ ପାଇଁ ବି ରୋଷେଇ କର୍। ଆଜି ତୋର ଏଇଠି ଖାଇବି।” ମୁଁ ଆଶ୍ଚର୍ଯ୍ୟ ହୋଇ ଛାତ ଉପରକୁ ଚାହିଁଲି। ସେ ମୋର ଭାବଭଙ୍ଗୀରୁ ବୋଧେ କିଛିଟା ଠଉରେଇ ପାରିଲା। କହିଲା, “କଣ ଦେଖୁଛୁ?” ମୁଁ ଆଖି ଦୁଇଟିକୁ ଭ୍ରୁକୁଞ୍ଚିତ କରି କହିଲି, “ଦେଖୁଛି ମୋ ଘର ଭିତରେ କେଉଁଠି ଚନ୍ଦ୍ର ଉଇଁ ଆସିଲେ?” ବ୍ରିଜେଶ୍ ହାତ ପାଖର ତକିଆକୁ ମୋ ମୁଣ୍ଡ ଉପରକୁ ଫୋପାଡ଼ି ଦେଲା। କହିଲା,

- ତୋର ସବୁ କଥା ଏମିତି। କାହିଁ ମୁଁ କଣ କେବେ ତୋ ଘରେ ଖାଇବାକୁ ମନା କରିଛି?” ମୁଁ ତକିଆଟିକୁ ଉଠାଇ ଶେଯ ଉପରେ ଯଥା ସ୍ଥାନରେ ରଖୁ ରଖୁ କହିଲି,

- ମନା କରିନୁ ଯେ ହେଲେ ଯେତେଥର ବି ଖାଇଛୁ ମୋ ବାଧ୍ୟ ବାଧକତାରେ। ନିଜ ଆଡ଼ୁ କେବେ କହିନୁ।

- ବନ୍ଧୁ, ଇଏ ନିରାଟ ସତ୍ୟ କଥା। ତୋ ତେଲୁଗୁ ଖାନା ମୁଁ ସତରେ ଖାଇ ପାରେନି ବୋଲି ନିଜ ଆଡ଼ୁ କେବେ କହେନି। ତୁ କେମିତି ଏତେ ରାଗ ଓ ଖଟା ଖାଉ, ଆଉ ହଜମ ବି କରୁ, ମୋତେ ଆଶ୍ଚର୍ଯ୍ୟ ଲାଗେ। ରୋଷେଇ କର୍, ହେଲେ ରାଗ ଟିକିଏ କମ୍ ଦେବୁ। ଆଉ ସାମ୍ବାର କି ଚାରୁ କଲେ ତୋ ଜଣକ ପାଇଁ କରିବୁ, ମୁଁ ଖାଇବିନି।

ତାପରେ ଖଟରୁ ଉଠି ପଡ଼ି କହିଲା, “ମୁଁ କିଛି ସାହାଯ୍ୟ କରିପାରେ?” ମୁଁ ମୋର କାମ ବନ୍ଦ କରିଦେଇ ଉଠି ପଡ଼ିଲି। ତକିଆଟିଏ ପିଠିରେ ଦେଇ ଖଟବାଡ଼କୁ ଆଉଜି ବସିଲି। ତା ହାତଟାକୁ ଟାଣି ତାକୁ ମଧ୍ୟ ପାଖରେ ବସାଇ କହିଲି,

- ରୋଷେଇ ପାଇଁ ଅନେକ ସମୟ ଅଛି। ତୁ କହ, ଆଉ କଣ ସବୁ ଖବର? ସେ ଦୀପକ ସାଙ୍ଗରେ ଆଜି କାହିଁକି ପାଟିତୁଣ୍ଡ କରୁଥିଲୁ ଅଫିସ୍ ରେ?” କହିଲା,

- ତା କଥା ପଚାରନା। ଏମିତିରେ ତ ମୋର କାମ ଭିଡ଼। ସେ ତେଣେ ତାର ଗୋଟେ ଗୋଟେ ଫାଇଲ୍ ଆଣି ମୋ ପାଖରେ ଗଦା କରି କହିବ କରି ଦେବା ପାଇଁ। ତାପରେ ମୁଁ ଭଲ ମୁଡ୍ ରେ ଥିଲେ କରିଦିଏ। ଆଜି କିନ୍ତୁ କାହିଁକି ଭାରି ଚିଡ୍ ଚିଡ୍ ଲାଗିଲା ତା ଉପରେ। ନିଜ କାମ ଆଉ ନିଜେ କେବେ ଶିଖିବ? ସେକଥା ଛାଡ୍, ଅସଲ କଥା ଶୁଣ୍। ଆଜି ସୁରୁଚି ଫୋନ୍ କରିଥିଲା।

- ସେକଥା କହୁନୁ, ବାବୁଙ୍କର ସେଥିପାଇଁ ମୁଡ୍ ପୁରା ଥଣ୍ଡା। ମୁଁ ବ୍ରିଜେଶ୍ ଆଡ଼କୁ ତୀର୍ଯ୍ୟକ୍ ଚାହାଣୀ ଦେଇ କହିଲି। ବ୍ରିଜେଶ୍ ହସିଲା। କହିଲା,

- ତାର ଭଉଣୀ ସିମ୍ପାଞ୍ଜି, ଆଇ ମିନ୍ ପୂର୍ଣ୍ଣିମା ପାଇଁ ବର ପାତ୍ର ଦେଖା ଦେଖି ହେଇଛି।

- ୱେଟ୍ ଏ ମିନିଟ୍, କଣ କହିଲୁ? ସିମ୍ପାଞ୍ଜି!!! ବ୍ରିଜେଶ୍ ମୋ ଜଙ୍ଘରେ ତାଳି ମାରି ହସି ଦେଇ କହିଲା,

- ଆରେ, ମୁଁ ତାକୁ ମଜାରେ ଚିଡ଼ାଏ। ମୁଁ ମୋର ବିସ୍ମୟଭାବ ତଥାପି ଅଟକାଇ ପାରିଲି ନାହିଁ।

- ସିମ୍ପାଞ୍ଜି!!! ଆଉ କିଛି ନାଁ ମିଳିଲାନି?”

ବ୍ରିଜେଶ୍ ହାତ ହଲାଇ କହିଲା, “ଏଃ, ତୋତେ ସେଥିରୁ କଣ ମିଳିବ? ମୋ ଶାଳୀ ମୁଁ ଯାହା ବି ଡାକିପାରେ।” ମୁଁ ହାତ ଯୋଡ଼ି ଦେଲି। ବ୍ରିଜେଶ୍ କଥା ଚାଲୁ କଲା। “ଯାହା ଜଣା ପଡ଼ୁଛି ବରପକ୍ଷ ରାଜିରୁଜା ଅଛନ୍ତି। ଆସନ୍ତା ରବିବାର ମୋତେ ଡାକିଛନ୍ତି ବରକୁ ଦେଖିବା ପାଇଁ। ମୋର ପସନ୍ଦ ନାପସନ୍ଦ ଉପରେ ରହିଲା। ସୁରୁଚି କହୁଥିଲା, ପିଲାଟା ଦେଖିବାକୁ ଭାରି ଭଦ୍ର ଜଣା ପଡ଼ୁଛି। କେଉଁଠି ଗୋଟେ କିରାଣୀ ଅଛି। ଦେଖିବାକୁ ବି ଠିକ୍ ଠାକ୍। ମୁଁ ଏବେ ମନା କରି କାହିଁକି ମୋ ବିବାହ ବୟସ ଗଡ଼େଇବି ଯେ। ଯେନତେନ ବାହାଘରଟା ହେଇଗଲେ ଯାଏ। ନା, କଣ କହୁଛୁ?” ମୁଁ ଚୁପ୍ ଚାପ୍ ବସିଥାଏ। ସେ ପୁଣି ଥରେ ପଚାରିଲା, “ଆରେ କିଛି କହୁନୁ ଯେ?” ମୁଁ କହିଲି, “କଣ କହିବି? ଥରେ ଚେଷ୍ଟା କରି ଦେଖିଥିଲି, ହେଲେ ତୁ ଆଉ ତୋ ଶାଳୀ ମଝିରେ ମୋତେ ପଶିବାକୁ ଦେଲେ ତ?” ବ୍ରିଜେଶ୍ ହାତ ଉଠାଇଲା। କହିଲା, “ଭାରି ଫାଜିଲ୍ ହେଇଗଲୁଣି।” ହସି ଉଠିଲୁ ଦୁହେଁ। ରାତି ଖିଆପିଆ ସାରି ଢ଼େର୍ ରାତି ଯାଏଁ ଗୋଟିଏ ଖଟରେ ଶୋଇ ଶୋଇ ଗପିଲୁ ଦୁଇବନ୍ଧୁ ।

ରବିବାର ବରଦେଖାରୁ ଫେରି ବ୍ରିଜେଶ୍ ନିରାଶ ମନରେ ମୋତେ କହିଲା, “ମନା କରିଦେଲି।” ମୁଁ ତା ମୁହଁକୁ ଠିକ୍ ଭାବରେ ପଢ଼ି ପାରିଲି ନାହିଁ। ପଚାରିଲି, “ତୁ ତ କହୁଥିଲୁ ଯେନତେନ କଥାଟା ପକ୍କା କରି ଆସିବୁ ବୋଲି। ମନା କେମିତି କଲୁ?” ସେ ଭାବଗମ୍ଭୀର ହୋଇ କହିଲା, “ସେ ପିଲାକୁ ମୁଁ ଆଗରୁ ଜାଣେ। ମୋ ଠୁ ଦିଟା କ୍ଳାସ୍ ତଳେ ପଢ଼ୁଥିଲା। ସେ ସମୟରୁ ହିଁ ତାର ଗୁଡ଼ାଏ ଆଫାୟାର୍। ସମ୍ପୂର୍ଣ୍ଣ ଚରିତ୍ରହୀନ। ତୁ କହିଲୁ, ଜାଣିଶୁଣି ପୂର୍ଣ୍ଣିମାକୁ କେମିତି ତା ସହ ଛନ୍ଦି ଦେଇଥାନ୍ତି?” ବ୍ରିଜେଶ୍ ର କଥା ଶୁଣି ମୋ ହୃଦୟଟା ବି ନୈରାଶ୍ୟରେ ଭାଙ୍ଗି ପଡ଼ିଲା। ସିମ୍ପାଞ୍ଜି ପାଇଁ ନୁହେଁ, ବ୍ରିଜେଶ୍ ପାଇଁ। ବାରମ୍ବାର ବର ଦେଖା ଅସଫଳ ହେଉଥିବାରୁ ବ୍ରିଜେଶ୍ ଅସହଜ ହୋଇ ଉଠୁଥିଲା ଧିରେ ଧିରେ।

ପୋଙ୍ଗାଲ୍ ରେ କିଛିଦିନ ପାଇଁ ଛୁଟି ନେଇ ମୁଁ ଘରକୁ ଚାଲିଗଲି। ଅବଶ୍ୟ ବ୍ରିଜେଶ୍ କୁ ମଧ୍ୟ ଘରକୁ ଆସିବାକୁ ନିମନ୍ତ୍ରଣ କରିଥିଲି। ସେ କିନ୍ତୁ କିଛି ଏକ ପ୍ରୋଜେକ୍ଟ୍ ନେଇ ବ୍ୟସ୍ତ ଥିଲା। ଇଚ୍ଛା ଥିଲେ ବି ମୋ ସାଙ୍ଗରେ ଘରକୁ ଯାଇ ପାରିଲା ନାହିଁ। ଘରେ ପୁରା ସପ୍ତାହେ ଛୁଟି କଟାଇ ଖୁବ୍ ମଉଜରେ ପୋଙ୍ଗାଲ୍ ସାରି, ଫେରିବା ପାଇଁ ଟିକେଟ୍ କାଉଣ୍ଟର୍ ପାଖରେ ଧାଡ଼ିରେ ଠିଆ ହୋଇଛି, ବ୍ରିଜେଶ୍ ଫୋନ୍ କଲା। ପଚାରିଲା, “କେଉଁଠି ଅଛୁ?” ମୁଁ କହିଲି, “ବସ୍ ଷ୍ଟାଣ୍ଡ୍ ଟିକେଟ୍ କାଉଣ୍ଟର୍ ରେ। କାହିଁକି? ଆସୁଛୁ କି ଆଉ?” ସେ କହିଲା, “ଟିକେଟ୍ କାଲି ପାଇଁ କାଟନା। ଛୁଟି ଆଉ ଗୋଟେ ଦିନ ଏକ୍ସ୍ ଟେନ୍ ସନ୍ କର୍।” ମୁଁ ଖୁସି ହେଇଗଲି। ଭାବିଲି, ତାହେଲେ ବ୍ରିଜେଶ୍ ଆସୁଛି। କହିଲି, “ତୁ କହିଲେ ଗୋଟେ ଦିନ କାହିଁକି ଆଉ ସାତ ଦିନ ଏକ୍ସ୍ ଟେନ୍ ସନ୍ କରିନେବି।” ସେ କହିଲା, “ଗୋଟିଏ ଦିନ ଯଥେଷ୍ଟ। ସେ ଯାଉଛି ତୋ ସହରକୁ। କଣ ଇଣ୍ଟର୍ ଭ୍ୟୁ ଦେବ। ତାକୁ କିଛି ଜଣା ନାହିଁ। ଟ୍ରେନ୍ ରେ ଯାଉଛି। ଷ୍ଟେସନ୍ ରୁ ତାକୁ ରିସିଭ୍ କରିବୁ। ପାଖରେ ଥାଇ ସବୁ କିଛି ବୁଝିବୁ। ଘରେ ଆଗରୁ କହି ଦେଇଥିବୁ ତା ବିଷୟରେ। ପରେ ଯେମିତି ବୃଥା ଅନର୍ଥ ନ ହୁଏ।” ବ୍ରିଜେଶ୍ ର କଥା ଶୁଣି ମୁଁ ଅବାକ୍। ଚିହ୍ନା ଜଣା କିଛି ନାହିଁ। ଝିଅଟିଏ ଏତେ ଦୂରରୁ ଆସିବ ଟ୍ରେନ୍ ରେ। ମୁଁ ବୁଝି ପାରୁନଥିଲି, ତାକୁ ଷ୍ଟେସନ୍ ରୁ ଆଣିବି ଯେ ହେଲେ ତାକୁ ଚିହ୍ନିବି କେମିତି? ପଚାରିବା ପୂର୍ବରୁ ସେ ସମାଧାନ ବି ବ୍ରିଜେଶ୍ କରିଦେଲା। କହିଲା, “ତୋର ତାକୁ ଚିହ୍ନିବା ଦରକାର ନାହିଁ। ସେ ତୋତେ ଚିହ୍ନିଛି। ତୁ ଖାଲି ନିର୍ଦ୍ଧାରିତ ସମୟରେ ଷ୍ଟେସନ୍ ପ୍ଳାଟ୍ ଫର୍ମରେ ଗେଟ୍ ପାଖାପାଖି ଠିଆ ହେଇଥା। ସେ ଆସି ତାର ପରିଚୟ ଦେବ।”

ବ୍ରିଜେଶ୍ କହିବା ମୁତାବକ ତାପରଦିନ ମେନ୍ ଗେଟ୍ ପାଖରେ ଟ୍ରେନ୍ କୁ ଅପେକ୍ଷା କରି ରହିଲି। ଟ୍ରେନ୍ ଦଶ ମିନିଟ୍ ଲେଟ୍ ରେ ଆସି ଯେତେବେଳେ ପ୍ଳାଟ୍ ଫର୍ମ୍ ରେ ଲାଗିଲା, ମୁଁ ଗହଳି ଭିତରେ ସୁରୁଚିକୁ ଚିହ୍ନିବାକୁ ଚେଷ୍ଟା କଲି। କେମିତି ଦିଶୁଥିବ ସେ? ବ୍ରିଜେଶ୍ ର ଋଚି କେମିତି ହେଇଥିବ? ଗୋରା ଥିବ ନା ଶାବନା ଦିଶୁଥିବ? ଲମ୍ବା ଥିବ ନା ଗେଡ଼ି? ଆଧୁନିକା ହେଇଥିବ ନା ମଫ? ହଠାତ୍ କିଏ ଜଣେ ମୋ କାନ୍ଧରେ ହାତ ମାରିଲା। କହିଲା, “ଚାଲ ଯିବା।” ମୁଁ ବୁଲି ଚାହିଁଲି, ଏକ୍ ଦମ୍ ଶାଳୀନ ବେଶଭୁଷାରେ ଅସାମାନ୍ୟା ସୁନ୍ଦରୀ ଝିଅଟିଏ ମୋ ଆଡ଼େ ଚାହିଁ ମୃଦୁ ମୃଦୁ ହସୁଛି। କିଛି ସମୟ ମୁଁ ହତବମ୍ବ ହୋଇ ରହିଗଲି। ବ୍ରିଜେଶ୍ ଯେ ମୋତେ ଏମିତି ଗୋଟେ ସର୍ ପ୍ରାଇଜ୍ ଦେବ ମୁଁ ମୋଟେ ଆଶା କରିନଥିଲି। ସେ ଯେ ସୁରୁଚି ମୋତେ ବୁଝିବାକୁ ଆଉ ବାକି ରହିଲା ନାହିଁ। ଆମେ ଚାଲିବାକୁ ଆରମ୍ଭ କଲୁ। ମୁଁ କିନ୍ତୁ ତା ଆଡ଼େ ନ ଚାହିଁ ରହି ପାରୁନଥାଏ। ଝିଅଟିଏ କଣ ଏତେ ସୁନ୍ଦର ହେଇପାରେ। ଗୋଲ୍ ମୁହଁ, ଢ଼ଳ ଢ଼ଳ ନୀଳ ଆଖି, କୁଞ୍ଚକୁଞ୍ଚିଆ କେଶ। ମୋତେ ଲାଗୁଥିଲା ମୁଁ ଯେମିତି ପ୍ରଥମ କରି ଝିଅଟିଏ ଦେଖୁଛି। ଭାରି ଈର୍ଷା ହେଉଥିଲା ବ୍ରିଜେଶ୍ ଉପରେ। ତା ପରି ଝିଅ ପାଇଁ ଗୋଟିଏ ଜନ୍ମ କଣ ସାତ ଜନ୍ମ ଅପେକ୍ଷା କରିବାକୁ କହିଲେ ଯେ କେହି ଅପେକ୍ଷା କରିବ। ମୁଁ ପଚାରିଲି, ଇଣ୍ଟର୍ ଭ୍ୟୁ କେତେଟାରେ?

- ଏଗାରଟା ସମୟରେ।

- ତାହେଲେ ପ୍ରଥମେ ଘରକୁ ଯିବା। ସେଠୁ ଫ୍ରେସ୍ ହେଲା ପରେ ତୁମକୁ ଇଣ୍ଟର୍ ଭ୍ୟୁ ଜାଗାରେ ଛାଡ଼ିଦେବି।

ସୁରୁଚି ହଁ ଭରିଲା। ମୁଁ ବାଇକ୍ ଷ୍ଟାର୍ଟ୍ ମାରି ଘର ଅଭିମୁଖେ ଘୁରାଇଲି। ସେ ଅତି ଯତ୍ନର ସହ ବସିଲା ପଛ ସିଟ୍ ରେ। ଘରେ ମୁଁ କହି ରଖିଥିଲି ତା କଥା। ହେଲେ ସେମାନେ ବି କିଛି ସମୟ ବିସ୍ମୟରେ ଚାହିଁ ରହିଲେ ତାର ଡଉଲ ଡାଉଲ ମୁହଁକୁ। ମୁଁ ମନେ ମନେ ଗର୍ବ ବୋଧ କରୁଥିଲି। ମୋ ସାନ ଭଉଣୀ ଇନ୍ଦୁ ଧିରେ ଆସି ମୋ ପାଖରେ କିଛି ଈଶାରା କରିବାକୁ ଚେଷ୍ଟା କଲା। ମୁଁ ପାଟିରେ ଆଙ୍ଗୁଠି ଦେଇ ତାକୁ ଚୁପ୍ କରାଇଲି। ସୁରୁଚି ଭିତରକୁ ଗଲା ପରେ ଇନ୍ଦୁ କହିଲା, “ଆନ୍ନେୟା (ଆନ୍ନେୟା ଅର୍ଥ ଭାଇନା) ତୁ କଣ କରିବୁ ମୁଁ ଜାଣିନି, ମୋର କିନ୍ତୁ ଏମିତି ଗୋଟିଏ ଭାଉଜ ଦରକାର।” ମୁଁ ତାକୁ ଆଖି ବଡ଼ ବଡ଼ କରି ଧମକାଇ କହିଲି, ଇଏ ଓଡ଼ିଆ ଘର ଝିଅ। ଆଉ ଆମେ ତେଲୁଗୁ। ଭୁଲ୍ ରେ ବି ସେକଥା ଉଠେଇବୁ ନାହିଁ। ମା ଶୁଣିଲେ ମନଦୁଃଖ କରିବ।” ଚୁପ୍ ହେଇଗଲା ଇନ୍ଦୁ।

ଠିକ୍ ଠାକ୍ ଇଣ୍ଟରଭ୍ୟୁ ଶେଷ କରି ସୁରୁଚି ଅପରାହ୍ନରେ ବାହାରିଗଲା ଟ୍ରେନ୍ ରେ। ମୁଁ ଆସନ୍ତା କାଲି ପାଇଁ ଟିକେଟ୍ କରି ବସ୍ ରେ ଆସିଲି କଟକ। ଘର ବସ୍ ଷ୍ଟାଣ୍ଡ୍ ପାଖରେ ହେଇଥିବାରୁ ମୋତେ ବସ୍ ଜର୍ଣ୍ଣି ହିଁ ସୁବିଧା ଲାଗେ।

କଟକ ଆସି ମୋତେ ଆଉ କାମରେ ମନ ଲାଗିଲା ନାହିଁ। ମୋ ଆଖିରେ ସୁରୁଚିର ମୁହଁଟା ଭାସି ଆସୁଥିଲା ରହି ରହି। ତା ସହିତ ଇନ୍ଦୁର ତାଗିଦ୍, “ଆନ୍ନେୟା, ତୁ କଣ କରିବୁ ମୁଁ ଜାଣିନି, ମୋର କିନ୍ତୁ ଏମିତି ଗୋଟିଏ ଭାଉଜ ଦରକାର।” ମନେ ମନେ ଭାବୁଥିଲି, ଯଦି ସୁରୁଚି ଏତେ ସୁନ୍ଦର, ତାହେଲେ ତାର ସାନ ଭଉଣୀ ସିମ୍ପାଞ୍ଜି କେତେ ସୁନ୍ଦର ନ ହେଇଥିବ। ସିମ୍ପାଞ୍ଜିକୁ ନ ଦେଖି ମଧ୍ୟ ମୋ ମନ ଭିତରେ ଧିରେ ଧିରେ ସିମ୍ପାଞ୍ଜିର ଏକ କାୟାକଳ୍ପ ତିଆରି ହେଉଥିଲା। ଆଉ ମୋ ଅଜାଣତରେ ସେ କାୟାକଳ୍ପଟି ଯେମିତି ଧିରେ ଧିରେ ଧସେଇ ପଶି ଆସିଥିଲା ମୋ ହୃଦୟ ଭିତରକୁ। କଳ୍ପନାର ରୂପରେଖ ବାସ୍ତବତା ଠାରୁ ସର୍ବଦା ଉର୍ଦ୍ଧ୍ୱରେ। ସିମ୍ପାଞ୍ଜିର ପ୍ରତିକୃତିଟିଏ ମୋ ମନ ମସ୍ତିଷ୍କରେ ଯେଉଁ ଭାବରେ ଗଢ଼ି ଉଠୁଥିଲା, ତା ଆଗରେ ସୁରୁଚିର ସୌନ୍ଦର୍ଯ୍ୟ ଧିରେ ଧିରେ ମଳିନ ପଡ଼ି ଆସୁ ଥିଲା ମୋ ହୃଦୟ ମାନସରୁ। ସତ କହିବାକୁ ଗଲେ ମୁଁ ଏକତରଫା ସିମ୍ପାଞ୍ଜିର ପ୍ରେମରେ ପଡ଼ି ଯାଇଥିଲି। ରାତିରେ କେତେବେଳେ କେଉଁ ବେଶ ନେଇ ସେ ମୋ ସ୍ୱପ୍ନରେ ଆସୁଥିଲା। କେଉଁଦିନ ଛୋଟ ରଙ୍ଗୀନ ପ୍ରଜାପତିଟିଏ ହୋଇ ମୋ ଚାରିପଟେ ଉଡ଼ି ବୁଲୁଥିଲା ଆଉ ମୁଁ ଧରିବାକୁ ଆପ୍ରାଣ ଚେଷ୍ଟା କରି ଖଣ୍ଡିଆ ଖାବରା ହେଉଥିଲି ତ ଆଉ କେଉଁଦିନ ସୁନା ହରିଣୀ ପରି ଆଖି ସାମ୍ନାରେ ଦେଖା ଦେଇ ପୁଣି ଅନ୍ତର୍ଦ୍ଧାନ ହେଇ ଯାଉଥିଲା। ବେଳେ ବେଳେ ତା ପିଠିରେ ଗଜୁରି ଉଠୁଥିଲା ପରୀଟିଏ ପରି ଦୁଇଟି ସୁନ୍ଦର ପାରଦର୍ଶୀ ଡେଣା। ଅଳସ ଆଖିରେ ମୋତେ ଉଠାଉଥିଲା ନିଦରୁ। ମୋର ହାତ ଧରି ଉଡ଼ାଇ ନେଉଥିଲା ପାହାଡ଼, ଝରଣା, ପୁଷ୍ପ ଉପବନ ପରିବେଷ୍ଟିତ କେଉଁ ଏକ ସୁନ୍ଦର ଅଲୌକିକ ଜଗତକୁ।

ମୁଁ କିନ୍ତୁ ମୋର ଭାବନାକୁ ବ୍ରିଜେଶ୍ ଠାରୁ ଲୁଚେଇ ରଖିଥିଲି। ମୋତେ କାହିଁକି ଲାଗୁଥିଲା ମୋ କଥା ଶୁଣି ବ୍ରିଜେଶ୍ ହସିବ ଖୁବ୍ ଜୋର୍ ରେ। କହିବ, ଏମିତି କଣ ପ୍ରେମ ହୁଏ? ଦେଖିଲ ଜଣକୁ, ଆଉ ପ୍ରେମରେ ପଡ଼ିଲ ଆଉ ଜଣକର?

ସେଦିନ କୌଣସି କାରଣରୁ ବ୍ରିଜେଶ୍ ଅଫିସ୍ ଆସିନଥାଏ। ଖବର ନେଇ ଜାଣିଲି ଛୁଟିରେ ଅଛି। ମୋ ମନରେ ଆଶଙ୍କା ଜନ୍ମିଲା, ଦେହ ତାର ଅସୁସ୍ଥ ହେଇନି ତ? ଫୋନ୍ କଲି ବ୍ରିଜେଶ୍ କୁ। ଫୋନ୍ ଉଠାଉନି। ମୁଁ ଡରି ଯାଇ ହାଫ୍ ଡେ ନେଇ ପହଞ୍ଚିଲି ବ୍ରିଜେଶ୍ ରୁମ୍ ରେ। ମୋତେ ଦେଖୁ ଦେଖୁ ବ୍ରିଜେଶ୍ ଆସି କୁଣ୍ଢେଇ ପକେଇଲା। ତାର କପାଳ, ବେକ ପାଖରେ ହାତ ମାରି ଦେଖିଲି, ଜ୍ୱର ନାହିଁ। କହିଲା, “ନା, ଦେହ ଠିକ୍ ଅଛି, ମନ ଠିକ୍ ଲାଗୁନି।” ମୁଁ ପଚାରିଲି, “ପୁଣି କଣ ହେଲା?” ବ୍ରିଜେଶ୍ ଘଡ଼ିଏ ଅନ୍ୟମନସ୍କ ଭାବରେ ମୋ ଆଡ଼କୁ ଚାହିଁଲା। କହିଲା, “ଭଉଣୀର ଚାରି ଦିନ ହେଲା ଦେହ ଭଲନାହିଁ। ତେଣୁ କେଉଁଥିରେ ବି ମନ ଲାଗୁନାହିଁ।” ମୁଁ କହିଲି, “ଏ କଥା ପାଇଁ ଏତେ ବ୍ୟସ୍ତ କାହିଁକି ହେଉଛୁ, ଦେହ ଆପେ ଭଲ ହେଇଯିବନି? ତାଛଡ଼ା ସିଏ ତ ଆଉ ଛୋଟ ପିଲା ନୁହଁ ଯେ ନିଜ ଦେଖ୍ ରଖ୍ ନିଜେ କରି ପାରିବନି। ପୁଣି ଏସବୁ ତ ତୋ ଜୀବନର ଗୋଟେ ଚିରାଚରିତ ଅଧ୍ୟାୟ ହେଇଗଲାଣି, ସେଥିପାଇଁ ଏତେ ମନମାରି ବସିବା କଣ ଦରକାର?” ବ୍ରିଜେଶ୍ କିଛି ସମୟ ମୋତେ ଅବିଶ୍ୱାସରେ ଚାହିଁଲା। କିଛି କହିଲାନି। ମୁଁ ଭାବିଲି, ଏଇଟା ଉପଯୁକ୍ତ ସମୟ ମୋ ମନ କଥା କହିବା ପାଇଁ। ହେଲେ କେମିତି ଆରମ୍ଭ କରିବି ମୁଣ୍ଡରେ କିଛି ପଶୁ ନ ଥିଲା। ହାତ ଦୁଇଟିକୁ ଉପରକୁ ଟେକି ଅଳସ ଭାଙ୍ଗିଲି। ଟିକିଏ ପୂର୍ବ ପ୍ରସ୍ତୁତି କଲି ମନେ ମନେ। ବ୍ରିଜେଶ୍ ବୋଧେ ମୋର କିଛି କହିବାକୁ ଅଛି ବୋଲି ଜାଣି ପାରିଲା ମୋ ହାବଭାବରୁ, ତାର ଭୁରୁ ଦୁଇଟିକୁ ନଚାଇ ସତେକି ପଚାରିଲା, କଣ କିଛି କହିବୁ? ସଙ୍ଗେ ସଙ୍ଗେ ମୋ ପାଟିରୁ ବାହାରି ଆସିଲା, “ତା ସହିତ ମୋର ସେଟିଙ୍ଗ୍ କରି ଦେଏନା, ସବୁ ବେଳେ ମୁଁ ତା ପାଖେ ପାଖେ ରହିବି, ତୋର ଆଉ ଚିନ୍ତା କରିବାର ନ ଥିବ। ଆଉ ଯେତେବେଳେ ଯାହା...” ମୋ କଥା ସରିଛି କି ନାହିଁ, ବ୍ରିଜେଶ୍ ଉହୁଙ୍କି ଆସିଲା ମୋ ଉପରକୁ। ହାତରେ ଲାଗିଲା ଘର କୋଣରେ ପଡ଼ିଥିବା ଅଳନ୍ଧୁ ଝାଡ଼ିବା ଝାଡ଼ୁ। ସେଇଆକୁ ଉଞ୍ଚାଇ ଗୋଡ଼େଇ ଆସିଲା ମୋ ଆଡ଼କୁ। ମୁଁ କିଛି ବୁଝି ପାରୁନଥିଲି, କଣ ଅସଙ୍ଗତ କଥାଟିଏ କହି ପକାଇଲି। ବଡ଼ ପାଟି କରି କହିଲା, “ତୋର ସାହସ କେମିତି ହେଲା ମୋ ଭଉଣୀ ବିଷୟରେ ମୋ ଆଗରେ ଏଣୁ ତେଣୁ କହିବାକୁ? ଭାଇ ଭାବିଲୁ ଭାଡ଼ୁଆ? ତୁ କଣ ତା କଥା ବୁଝିବୁ? ତା ଦେଖ୍ ରଖ୍ ପାଇଁ ତାର ସ୍ୱାମୀ ନାହିଁ କି ତା ପାଖରେ? ସେଟିଙ୍ଗ୍ କରିଦେବି!!!” ମୁଁ ହତବମ୍ବ ହୋଇ କହିଲି, “ୱେଟ୍, ୱେଟ୍। ତୁ ଏବେ ତାହେଲେ ସିମ୍ପାଞ୍ଜି କଥା କହୁନଥିଲୁ?” ବ୍ରିଜେଶ୍ ଆଉ ଟିକେ ରାଗି ଯାଇ ଝାଡ଼ୁଟିକୁ ମୋ ଉପରକୁ ଫୋପାଡ଼ିଦେଲା। ମୁଁ ହାତ ଯୋଡ଼ି ଦେଇ କହିଲି, “ଯେତେବେଳେ ଦେଖ, ତୋ ମୁହଁରେ ସୁରୁଚି ଆଉ ତା ପରିବାର କଥା। ମୁଁ କେମିତି ଜାଣିବି ତୁ ଆଉ କାହା କଥା କହୁଛୁ?” ବ୍ରିଜେଶ୍ ର ରାଗ ତଥାପି ଶାନ୍ତ ହେଇ ନ ଥିଲା। ସେମିତି ଫଁ ଫଁ ହେଇ କହିଲା, “ସିମ୍ପାଞ୍ଜି, ସିମ୍ପାଞ୍ଜି କଣ ହେଉଛୁ? ତାର କଣ ନାଁ ନାହିଁ?” ତା ରାଗ ଦେଖି କିଛି ସମୟ ମୁଁ ଆଉ ଘର ଭିତରକୁ ପଶିଲି ନାହିଁ। ଠିଆ ହୋଇ ରହିଲି ପିଣ୍ଡାଟାରେ। ବ୍ରିଜେଶ୍ ବସିଥାଏ ଘର ଭିତରେ, ଚୌକିଟା ଉପରେ। ହଠାତ୍ ଯେମିତି ତାର ଜ୍ଞାନୋଦୟ ହେଲା। ଉଠି ଆସିଲା ଚୌକିରୁ। ମୁଁ ଟିକିଏ ଡରି ଯାଇ ଦୂରେଇ ଯିବାକୁ ଚେଷ୍ଟା କଲି। ସେ ଦୌଡ଼ି ଆସି ମୋତେ ଆଲିଙ୍ଗନ କଲା। କହିଲା, “ସତେ ତ ଏକଥା ମୋ ମୁଣ୍ଡକୁ କାହିଁକି ଢୁକି ନ ଥିଲା।” ମୁଁ ଆଉ ଟିକିଏ ଡରିଗଲି। ୟା ମୁଣ୍ଡରେ ପୁଣି କଣ ଢୁକିଲା କିଏ ଜାଣେ? କହିଲି, “ବନ୍ଧୁ, ଆଉ ଡରାନା, ଯାହା କହିବାର ଅଛି ସିଧା ସଳଖ କହ। ଏମିତିରେ ମୋର କଲିଜା ଭାରି ଛୋଟ।” ବ୍ରିଜେଶ୍ ହସିଦେଇ କହିଲା, “ଆରେ ଡରିବାର କିଛି ନାହିଁ। ତୁ କଣ ତାହେଲେ, ସତରେ ପୂର୍ଣ୍ଣିମା ସହିତ ବିବାହ ଚାହୁଁଛୁ?”

- ମୁଁ ଆଉ କଣ ସେତିକିବେଳୁ ତୋତେ ତେଲୁଗୁରେ କହୁଥିଲି? ବ୍ରିଜେଶ୍ ମୁହଁରେ ଆଉ ଟିକେ ହସ ଫୁଟି ଉଠିଲା। ପଚାରିଲା,

- ତୋର ମାଆ ଏଥିରେ ରାଜି ହେବେ?

- ସେକଥା ତ ଜାଣିନି, କିନ୍ତୁ ମୋ ଭଉଣୀ ନିଶ୍ଚୟ ରାଜି ହେବ। ଆଉ ମାଆଙ୍କୁ ନିଶ୍ଚିତ ଭାବରେ ରାଜି କରାଇ ପାରିବ। ହେଲେ ସୁରୁଚିର ବାପା ରାଜି ହେବେ ତ?

ବ୍ରିଜେଶ୍ ଏଥର ଠୋ ଠୋ ହସି କହିଲା, “ତୁ ସେଥିପାଇଁ ମୋଟେ ବ୍ୟସ୍ତ ହେଏନା। ସେ ଘରର ଗାର୍ଜିୟାନ୍ ପରା ମୁଁ। ମୋ କଥା କଣ ଅନ୍ୟଥା ହେବ?” ମୁଁ ଟିକିଏ ଶଙ୍କି ଯାଇ ଛେପ ଢୋକି ପଚାରିଲି, “ବୁଢ଼ାଟା କଣ ମରିଗଲା?” ହଠାତ୍ ହସ ବନ୍ଦ କରି ବ୍ରିଜେଶ୍ କହିଲା,

- ତୋର ଏ ବଦଭ୍ୟାସ ଜମା ଗଲାନି। ଯେତେବେଳେ ଦେଖ ଅମଙ୍ଗଳ କଥା। ଆରେ, ବୁଢ଼ା ଆହୁରି ଦଶବର୍ଷ ବଞ୍ଚୁ। ତା ଝିଅମାନଙ୍କର ବାହାଘର ଦେଖୁ, କୋଳରେ ନାତି ନାତୁଣି ଖେଳାଉ। କହୁ କହୁ କାନ୍ଦି ପକାଇଲା ବ୍ରିଜେଶ୍। ମୁଁ ନିଜକୁ ସମ୍ଭାଳି ପାରୁନଥିଲି। ଭିଡ଼ି ଧରିଲି ବ୍ରିଜେଶ୍ କୁ। ଅଳ୍ପ ସମୟ ଭିତରେ ବ୍ରିଜେଶ୍ ନିଜକୁ ସମ୍ଭାଳି ନେଲା। ପକେଟ୍ ରୁ ମୋବାଇଲ୍ ବାହାର କରି ସୁରୁଚିକୁ ଫୋନ୍ ଲଗାଇଲା। ଉଚ୍ଛ୍ୱସିତ ହୋଇ କହିଲା, “ସୁରୁଚି, ଗୋଟେ ଖୁସିର ଖବର। ପୂର୍ଣ୍ଣିମା ପାଇଁ ବରପାତ୍ର ଯୋଗାଡ଼ ହେଇଗଲା। କଣ କହିଲ, କିଏ? ଆରେ, ତମେ ତାକୁ ଜାଣିଛ... ମୋର ସାଙ୍ଗ ପରା... ହଁ ହଁ ... ଠିକ୍ ଧରିଛ... ବାସ୍ ବାସ୍... ” ବ୍ରିଜେଶ୍ ର କଥା ବନ୍ଦ ହେଉନଥାଏ। ଏଣେ ତା ଖୁସି ଦେଖି ମୋ ଛାତି ଧଡ଼ ଧଡ଼ କରିବା ଆରମ୍ଭ କରି ଦେଇଥାଏ। ମୁଁ ବ୍ରିଜେଶ୍ କୁ ଧିରେ ଉଙ୍ଖାରୁ ଥାଏ। ସେ କିଛି ବୁଝି ପାରୁନଥାଏ। କଥା ତାର ଅବ୍ୟାହତ ରଖିଥାଏ। ମୁଁ ଏଥର ଜୋର୍ କରି ତାର ହାତଟାକୁ ଟାଣି ଦେଇ ଧିର ସ୍ୱରରେ ପଚାରିଲି, “ହେଲା ଯେ… ସବୁ କିଛି ପକ୍କା ହେବା ପୂର୍ବରୁ ଦେଖି ପାରିବି କି ପୂର୍ଣ୍ଣିମାକୁ ଟିକେ?” ଏଥର ବ୍ରିଜେଶ୍ କୁ ସମ୍ଭାଳେ କିଏ? ମୋବାଇଲ୍ କୁ ଖଟ ଉପରେ ଫୋପାଡ଼ି ଦେଇ ଏତେ ଜୋର୍ ରେ ହସି ଉଠିଲା ଯେ ମୁଁ ଏକାଥରେ ଡରିଗଲି। ହସି ହସି ବେଦମ୍ ହୋଇ ପେଟଟାକୁ ଧରି ବସି ପଡ଼ିଲା ଖଟ ଉପରେ। କହିଲା, “ତୋର ସେନ୍ସ୍ ଅଫ୍ ହ୍ୟୁମର୍ ସତରେ ଖୁବ୍ ବଢ଼ିଆ।” ମୁଁ ବୁଝି ନ ପାରି କହିଲି,

- ଏଥିରେ ହ୍ୟୁମର୍ କେଉଁଠି ରହିଲା?

- ମାନେ, ତୁ କହୁଛୁ, ତୁ ପୂର୍ଣ୍ଣିମାକୁ ଦେଖିନାହୁଁ? ସେମିତି ହସୁ ହସୁ ପଚାରିଲା ବ୍ରିଜେଶ୍।

- ନା, କେତେବେଳେ ଆଉ ଦେଖିଲି?

- ପୋଙ୍ଗାଲ୍ ପରେ ତୋ ଘରକୁ ଯାଇଥିଲା, ସେ କିଏ ବୋଲି ଭାବୁଛୁ? ମୁଁ ପରା ତୋତେ ସବୁ କହିଥିଲି?

ମୁଁ ବୋକା ଭଳି ଚାହିଁଲି ତା ମୁହଁକୁ, ମନେ ପକାଇ ପାରିଲି ନାହିଁ ବ୍ରିଜେଶ୍ ସୁରୁଚି କଥା କହିଥିଲା ନା ପୂର୍ଣ୍ଣିମା କଥା!

ବ୍ରିଜେଶ୍ ମୋ କାନ୍ଧରେ ହାତ ରଖି କହିଲା, ସେଇ ତୋ ପୂର୍ଣ୍ଣିମା ଆଉ ମୋ ଆଦରର ଶାଳୀ, ସିମ୍ପାଞ୍ଜି।

ହଠାତ୍ ମୋ ଭିତରେ କେଉଁ ରସ କ୍ଷରଣ ହେବା ଆରମ୍ଭ ହେଲା କେଜାଣି, ଚଟାଣ ଉପରେ ଗୋଡ଼ଟା ମୋର ସ୍ଥିର ହୋଇ ରହିପାରିଲା ନାହିଁ। ଏକାଠି ଗୁଡ଼ାଏ ଖୁସି ମିଳିଲେ ମଣିଷର ଅବସ୍ଥା ଯାହା ହୁଏ! ଅତ୍ୟଧିକ ଉଲ୍ଲାସରେ ପାଦ ଯୋଡ଼ିକ ମୋର ଦମ୍ଭ ହରାଇ ଦୁର୍ବଳ ହୋଇପଡ଼ିଲେ। ମୁଁ ଲଥ୍ କରି ବସି ପଡ଼ିଲି ଚଟାଣଟା ଉପରେ।

ସୁଖର କଥା, ସମସ୍ତଙ୍କ ସମ୍ମତିରେ ଆମ ଦୁଇ ବନ୍ଧୁଙ୍କର ବିବାହ ଅତି ଅଳ୍ପଦିନ ଭିତରେ ଜାକଜମକରେ ହେଇଗଲା। ତେବେ, ଏବେ ବି ମୁଁ ମୋ ସ୍ତ୍ରୀକୁ ସିମ୍ପାଞ୍ଜି ବୋଲି ଡାକିଲେ ଚିହିଁକି ଉଠେ ବ୍ରିଜେଶ୍। ସେ ଅଧିକାର କେବଳ ବ୍ରିଜେଶ୍ ର। ମୁଁ ସେ ଅଧିକାରରୁ ତାକୁ ବଞ୍ଚିତ କରିବାକୁ ଚାହେଁନି। କେବେ ନୁହେଁ।

ଟି.ଦୁର୍ଗା ପ୍ରସାଦ ରାଓ


Rate this content
Log in

Similar oriya story from Romance