Aravinda Das

Inspirational


3  

Aravinda Das

Inspirational


ହାଏ ନୀଳ ଶୈଳ

ହାଏ ନୀଳ ଶୈଳ

3 mins 14.9K 3 mins 14.9K

୧)ହାଏ ନୀଳଶୈଳ

ନାତୁଣୀ ଲିଜା ଡାକରେ ଚମକି ପଡି ଅନେଇଲେ ରାଧାମୋହନ ବାବୁ।

"ରଜ ଡ୍ରେସରେ ମୁଁ କେମିତି ଦିଶୁଛି ଜେଜେ ?"ହସି ହସି ପଚାରୁଥିଲା ଲିଜା।

ବିଦେଶରେ ରହୁଥିବା ପୁଅ,ବୋହୁଙ୍କ ସହ ନାତୁଣୀ, ଛୁଟିରେ ଓଡିଶା ଆସିଛି।ବିଶ୍ୱବିଦ୍ୟାଳୟରୁ ପ୍ରଫେସର ପଦରୁ ଅବ୍ୟାହତି ନେଇଛନ୍ତି ରାଧାମୋହନ ବାବୁ। ଇଛାଥିଲା ପୁଅ ବି ତାଙ୍କ ପରି ଓଡିଶାରେ ଅଧ୍ୟାପକ ହେଉ।ହେଲେ ପୁଅ ଚାଲିଗଲା ବିଦେଶ।

"ଜେଜେମା ,ଦେଖ ମୋ ଡ୍ରେସ ଦେଖି ଜେଜେ କିଛି କହୁନାହାନ୍ତି।"

ବସୁଧା ବିରକ୍ତ ହୋଇ କହିଲେ,"ତାଙ୍କ ଆଖିଥିଲେ ସିନା ତୋତେ ଦେଖିପାରନ୍ତେ । ଚଷମା ପରା ଟିପୟ ଉପରେ ଥୁଆ ହୋଇଛି । ତେବେ ବିନା ଚଷମାରେ ସେ ତାଙ୍କ କଲେଜର ସେଇ ବୁଢ଼ୀ ଲେକ୍ଚର ଓ ଝିଅ ଷ୍ଟୁଡେଣ୍ଟଙ୍କୁ ହିଁ ଦେଖିପାରନ୍ତି । ମୋ ନାତୁଣୀ ପୁରା ରାଜକୁମାରୀ ଭଳି ଦିଶୁଛି।"

ତରବରରେ ଚଷମା ଆଖିରେ ଲଗାଇ ରାଧାମୋହନ ଦେଖିଲେ ଲିଜା ମୁଣ୍ଡରେ ଚନ୍ଦନ,ପାଦରେ ଅଳତା ସହ ନୂଆ ଡ୍ରେସ ଓ ହାତରେ ଗୋଟେ ଛୋଟ ଗିଟାର ଧରିଛି।"

"ଆରେ ବାଃ, ଏକଦମ ଅପସରା । ହେଲେ ଏ ଗିଟାର କାହିଁକି ?"

" ଗୋଟେ ନୂଆ ଗୀତ ବୋଲିବି । ସମସ୍ତେ ଶୁଣ ।" କହି ଲିଜା ଗିଟାର ବଜାଇ ଆରମ୍ଭ କଲା....

"ହାଏ ନୀଳ ଶୈଳ, ପ୍ରବଳ......."

ଲିଜାର ଭଜନ ଅଧାରୁ ବନ୍ଦ କରି ରାଧାମୋହନ ବାବୁ କହିଉଠିଲେ "ମା, ରେ ହାଏ ନୁହେଁ, ଆହେ ନୀଳ ଶୈଳ ।ଭଗବାନଙ୍କୁ ଭକ୍ତି ସହ ଡ଼ାକୁଛନ୍ତି ସାଲବେଗ।"

"ଜେଜେ, ଆମେ ତ କାହାକୁ ଡାକିଲା ବେଳେ ହାଏ,ହାଲୋ ବୋଲି ଡାକୁ।"

ନାତୁଣୀର ସରଳପଣରେ ଉଦବୁଦ୍ଧ ହୋଇଯାଇଥିଲେ ରାଧାମୋହନ । "ହାଏ,ହାଲୋ ଡାକରେ ଆକୁଳତା, ନିଷ୍ଠା,ସମର୍ପଣ ଭାଵ ନଥାଏ।"

"ଓହୋ , ଛୁଆଟା ବୋଲୁ ବୋଲୁ ତମେ ଖୁଣିବା ଆରମ୍ଭ କରିଦେଲ ? ପୁରା ଭଜନଟା ତମେ ଏଥର ବୋଲ।ଦେଖିବା କେତେ ଠିକ୍ ତମେ ବୋଲୁଛ ।"

ଛେପ ଢୋକିଲେ ରାଧାମୋହନ । ହରଡ ଘଣାରେ ପଡ଼ିଲା ଭଳି ଲାଗୁଥିଲା ତାଙ୍କୁ । ପୁରା ଭଜନ କେଉଁ ମନେ ଅଛି ? ପୁଅ ବୋହୁଙ୍କ ଉଦ୍ଦେଶ୍ୟରେ କହିଲେ, "ଆରେ ତୁମେ ଦୁଇଜଣ ବୋଲ । ମୁଁ ତ ବୁଢ଼ା ହେଲିଣି।"

"ଓ, ଡ୍ୟାଡ୍,ଚ୍ୟାଲେଞ୍ଜ ତମର । ତା ଛଡ଼ା ଓଡ଼ିଆ ଗୀତ କଣ ଆଉ ମନେ ଅଛି ? ବୋଉ ତୁ ହିଁ ବୋଲ ।"

ବସୁଧା ପୁରା ଭଜନଟି ବୋଲି ନାତୁଣୀକୁ କହିଲେ, "ଏମିତି ଖାଣ୍ଟି ଓଡ଼ିଆଙ୍କ ଭଳି ବୋଲିବୁ ।"

"ଓଃ,ମମି, ଆପଣ ଖାଲି ଲିଜାର ଗୀତ କଥା କହୁଛନ୍ତି । ତା ମୁଣ୍ଡର ଚନ୍ଦନ ଟିପା,ପାଦର ଅଳତା,ସମ୍ବଲପୁରୀ ଡ୍ରେସ,ବେକରେ ତୁଳସୀ ମାଳକୁ କେହି ଦେଖୁନାହାନ୍ତି । ସିଏ ଏକଦମ ଓଡ଼ିଆଣୀ ବେଶ ହୋଇ ରିମିକ୍ସ ଭଜନ ବୋଲୁଛି, ଡୋନା ଭଳି । ଡୋନା ତ ବହୁତ ଭୁଲ ଉଚ୍ଚାରଣ କରୁଥିଲେ ବୋଲି ଟିଭିରେ ଦେଖାଉଥିଲା । ଗତ ବର୍ଷ ବାପା ତାର ବହୁତ ପ୍ରଶଂସା କରୁଥିଲେ"।

ବସୁଧା କହିଲେ "ମା'ରେ, ଭଜନ ମନ ପ୍ରାଣ ଏକାଠି କରି ବୋଲାଯାଏ । ବେଶ ପୋଷାକ,ପରିପାଟୀ କିଛି ମାନେ ରଖେନା । ଆଉ ଯଦି ଭୁଲ ଅଛି,ତେବେ କ୍ଷମାମାଗି ନିଜ ଭୁଲ ସୁଧାରିବା ହିଁ ବଡ଼ପଣ । ଠାକୁରଙ୍କ ଭଜନ ପରା "

ସମସ୍ତେ ଚାଲିଗଲା ପରେ ଲିଜା ,ବସୁଧାଙ୍କୁ ଗୋଟେ ଫଟ ଦେଖାଇ ପଚାରିଲା,"ଜେଜେମା, ତମେ ଜେଜେଙ୍କ ଫେଭରାଇଟ ଡୋନାଙ୍କୁ ଜାଣିଛ ?"

"ତୋ ଛୋପରା ଜେଜେଙ୍କ ଏଇ ପ୍ରକୃତି ପାଇଁ ହିଁ ମୁଁ ସବୁଦିନ ଭଗବାନଙ୍କୁ ଡାକେ,"ଆହେ ନୀଳ ଶୈଳ.......

୨)ସୋନା ମଲ୍ଲିକ

ଡି.ଏମ.ୟୁ ଟ୍ରେନର ଭିଡ଼ ଭିତରେ ଏକ କୋମଳ, ସୁଲଳିତ ସ୍ବର ମୋର ଦୃଷ୍ଟି ଆକର୍ଷଣ କଲା ।

୨୦/୨୨ ବର୍ଷର ଝିଅଟିଏ । ହାତରେ ଦୁଇଟି କାଠି । ଦାସକାଠିଆ ଭଳି ବଜାଇ ଗୀତ ବୋଲି ପଇସା ମାଗୁଥାଏ । "ଆହେ ନୀଳଶୈଳ ।..ମନକୁ ମୋହିନେଲା ଭଳି ସ୍ବର । ମୋତେ ଲାଗିଲା ଯେମିତି ସେ ଝିଅଟା ହୃଦୟ ଭିତରୁ ଗାଉଛି ।.."ଘୋରବନେ ମୃଗୁଣୀକୁ ପଡ଼ିଥିଲା କଷଣ"......"କୁରୁସଭା ତଳେ ଶୁଣି ଦ୍ରୌପଦୀ"..... ପଦକୁ ଦୁଇ ତିନିଥର ଦୋହରାଇଥିଲା । ସତେ ଯେମିତି ନିଜ ଦୁଃଖକୁ ପରିପ୍ରକାଶ କରୁଥିଲା।

ଦେହରେ ପୁରୁଣା ଡ୍ରେସ,ଯାହା ଅନେକ ଜାଗାରେ ସିଲେଇ ହୋଇଥିଲା, ଦୁଇପାଦରେ ଅଲଗା ଅଲଗା ରଙ୍ଗର ପୁରୁଣା ଜୋତା ଓ କାନ୍ଧରେ ଏକ ଛୋଟ ଝୁଲାମୁଣି । ମନେମନେ ଭାବିଲି ତାକୁ କିଛି ସାହାଯ୍ୟ କରିବି।

"ଓଡ଼ିଆ ଆଲବମ୍ ରେ ଗୀତ ବୋଲିବ ? ମୁଁ ଜଣେ ସଙ୍ଗୀତ ନିର୍ଦ୍ଦେଶକ।"

ଝିଅଟି ହଠାତ୍ ଅଟକିଗଲା ମୋ କଥା ଶୁଣି । ତାପରେ ମୃଦୁ ହସି କହିଲା, "ମୋ ଭଳି ଗରିବ ଅନ୍ଧୁଣୀ ଝିଅକୁ ଥଟ୍ଟା କରିବାକୁ ଭଲ ଲାଗୁଛି ଆପଣଙ୍କୁ ? ଏଠି ସମସ୍ତେ ଆମକୁ କେବଳ ଦୟା ଦେଖାନ୍ତି । କ୍ଷମା କରିବେ ସାର୍ ।ଜଗନ୍ନାଥଙ୍କ ପାଇଁ ଭଜନ ଵୋଲୁଛି । ନିଶ୍ଚେ ଦିନେ ମୋତେ ଉଦ୍ଧାର କରିବେ କାଳିଆ ସାଆନ୍ତେ । ଆପଣ ଦେବେ ଯଦି କିଛି ପଇସା ଦିଅନ୍ତୁ । ଭଗବାନ ଆପଣଙ୍କ ମଙ୍ଗଳ କରିବେ।"

ମୋ ପାଖରେ ବସିଥିବା ଲୋକଟା କହିଉଠିଲା, "ଆଜିକାଲି ମ୍ୟୁଜିକ ଡ଼ାଇରେକ୍ଟର, ସିଙ୍ଗର ଗୁଡାକ ବିକୃତ ଭାବେ ଭଜନ ,ଜଣାଣ ସବୁ ରେକର୍ଡିଂଗ କରି ଆମ ଓଡ଼ିଆ ପରମ୍ପରାକୁ ବଦନାମ କରୁଛନ୍ତି । ସେମାନଙ୍କ ଅପେକ୍ଷା ବସ୍,ଟ୍ରେନରେ ଭିକ ମାଗୁଥିବା ଏମିତି ଝିଅମାନେ ବରଂ ସଠିକ ଭାବେ ବୋଳୁଛନ୍ତି।"କହି ଗୋଟେ ଟଙ୍କିକିଆ କଏନ ଝିଅ ହାତରେ ଦେଲା ।

ତା ଦେଖାଦେଖି ଅନ୍ୟମାନେ ବି ପଇସା ବଢ଼ାଇବାରେ ଲାଗିଲେ । ମୋ ଷ୍ଟେସନ ଆସିଯାଇଥିଲା । ଓଳ୍ହାଇ ଯିବା ପୂର୍ବରୁ କୋଡିଏ ଟଙ୍କିଆ ନୋଟଟେ ସେଇ ଝିଅ ହାତକୁ ବଢ଼ାଇ ଦେଇ ପଚାରିଲି,"ତୁମ ନାଁ କଣ ? ବହୁତ ସୁନ୍ଦର ଭାବେ ଭଜନ ବୋଲୁଛ ।"

ନୋଟ'ଟିକୁ ଟିକେ ପରୀକ୍ଷା କରି ଝିଅଟି ଉତ୍ତର ଦେଲା,"ଧନ୍ୟବାଦ ସାର୍ । ମୋ ନାଁ ସୋନା, ସୋନା ମଲ୍ଲିକ ।ଯାହା ବୋଲୁଛି ସବୁ ସେଇ କାଳିଆ ଠାକୁର ଦୟାରୁ ।"

ମୋ ମନ କହୁଥିଲା ପେଟ ପୋଷିବା ପାଇଁ ହେଉ ପଛେ ଏଇ ଜଣାଣରେ ଆକୁଳତା ,ଭାବାବେଗ,ସମର୍ପଣ ଭାଵ ଅଛି । ଟଙ୍କା ପାଇଁ, ଟି ଆର ପି, ରେକର୍ଡ ବିକ୍ରୀ ପାଇଁ ଗୀତକୁ ବିକୃତ କରି ବିତର୍କ ସୃଷ୍ଟି କରିବାର ପ୍ରୟାସ ନାହିଁ ।ଯେମିତି ପିଲାବେଳେ ଠାକୁର ଘରେ ପ୍ରାର୍ଥନା ବୋଲା ହେଉଥିଲା । ପୁଣି ଚିନ୍ତା କଲି ଯେ ପର୍ଯ୍ୟନ୍ତ ଏମିତି ପ୍ରତିଭା ଥିବେ ଭଜନ,ଜଣାଣ ନିଶ୍ଚୟ ବଂଚିବ; ସୁଲଳିତ ଢଙ୍ଗରେ।

(ଅରବିନ୍ଦ ଦାସ)


Rate this content
Originality
Flow
Language
Cover Design