Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମେଟାମର୍ଫୋସିସ -କାୟା ପରିବର୍ତ୍ତନ
ମେଟାମର୍ଫୋସିସ -କାୟା ପରିବର୍ତ୍ତନ
★★★★★

© Bismita Sahoo

Inspirational

7 Minutes   273    47


Content Ranking


ଜୀବନର ଅପରାହ୍ନରେ ଉପନୀତ ସରିତା। ସ୍ୱାମୀଙ୍କ ଜୋତା ପଲିସ୍ କରିବା, ଟାଇର ନଟ୍ କରିବା, ଛୁଆଙ୍କ ୟୁନିଫର୍ମ ସଫା କରି ଇସ୍ତ୍ରୀ କରିବା, ଶାଶୁଙ୍କ ପାଇଁ ସମୟ ଅନୁଯାୟୀ ଔଷଧ ଦେବା ଭିତରେ କେତେବେଳେ ସେ ୪୦ଟି ବସନ୍ତ ପାର କରିସାରିଲାଣି ଜାଣି ପାରିଲାନି। 

   ଅନ୍ୟକୁ ଖୁସି ଦେବାପାଇଁ ସର୍ବଦା ବ୍ୟଗ୍ର ଥିବା ସରିତାକୁ ଏସବୁ ଆଉ ଖୁସି ଦେଇପାରୁନି। ପିଲାଦିଟା ସ୍କୁଲ ପାଠପଢା ସାରି ହଷ୍ଟେଲରେ ରହି ଆଗକୁ ପଢୁଛନ୍ତି। ତା ମନଭିତରେ ଲୁଚିଥିବା ଆଶାଟି ପୁଣି ଥରେ ଖଣ୍ଡି ଉଡ଼ା ଦେଲାଣି। 


    ଏବର୍ଷ ଅସହ୍ୟ ଗରମ। ତେଣୁ ସରିତା ସ୍ୱାମୀ ଅଫିସରୁ ଫେରିଲାବେଳକୁ ନାନା ପ୍ରକାର ଥଣ୍ଡା ପାନୀୟ 'ୟୁ ଟ୍ୟୁବ' ଦେଖି ବନେଇ ରଖୁଛି। ଆଜି ସେ ପୋଦିନା ଓ ଧନିଆ ପତ୍ରର ଏକ ସର୍ବତ ତିଆରି କରିଛି। ସେଥିରେ ଜିରାକୁ ଭାଜି ଗୁଣ୍ଡ କରି ପକେଇଛି। ତା ସହିତ ସର୍ବତଟିକୁ ଆହୁରି ଆକର୍ଷଣୀୟ କରିବା ପାଇଁ ନାଲି ରଙ୍ଗର ଅର୍ଗାନିକ ଫୁଡ଼ କଲର୍ ମିଶେଇଛି। ଏହି ଫୁଡ଼ କଲର୍ ସେ ବିଟ୍ ରୁଟ୍ କୁ ଛୋଟ ଛୋଟ କାଟି ତାକୁ ଶିଝେଇ ଖରାରେ ଶୁଖେଇ ଗ୍ରାଇଣ୍ଡିଙ୍ଗ କରି ବନେଇଛି। ସର୍ବତଟି ରୋଜ୍ ସିରପ୍ ପରି ଲାଲ୍ ଦେଖାଯାଉଥିଲା। ସ୍ୱାମୀଙ୍କ ମନକୁ ଆହୁରି ତାଜା କରିବା ପାଇଁ ତାଙ୍କ ପସନ୍ଦର ଧଳା ଓ କପର୍ ସଲଫେଟ୍ କଲର୍ ର ଏକ ହାଫ୍-ହାଫ୍ ଜରଜେଟ୍ ଶାଢ଼ୀ ପିନ୍ଧିଲା। ମୁହଁରେ ହାଲକା ମେକ୍ ଅପ୍ ।


ସବୁଦିନ ପରି ସୁବ୍ରତ ସାତଟାରେ ଅଫିସ୍ ରୁ ଘରକୁ ଫେରିଲେ। ସରିତା ଉଡେନ୍ ହାଣ୍ଡିକ୍ରାଫ୍ଟ ର ଏକ ସୁନ୍ଦର ଟ୍ରେ ରେ ନାଲି ଗୋଲାପ ର ପାଖୁଡ଼ା ଗୁଡିକୁ ସଜେଇ 'ଆଇ ଲଭ୍ ୟୁ' ଲେଖି ତା ମଝିରେ ସର୍ବତ ଗ୍ଲାସ ଟିକୁ ରଖି ହସି ହସି ସ୍ୱାମୀଙ୍କୁ ପରଶି ଦେଲା। ସରିତାର ଏପରି ରଙ୍ଗ ଢଙ୍ଗ ଦେଖି ସୁବ୍ରତ କହିଲେ 

-ସର୍ବତ କଣ ପିଇବି, ସରିତା ତୁମର ଏ ଲାସ୍ୟମୟୀ, ହାସ୍ୟମୟୀ ଚେହେରାକୁ ଆଜି ଢକ୍ ଢକ୍ କରି ପିଇବାକୁ ଇଚ୍ଛା ହେଉଛି।


-ଧେତ୍ ତୁମେ ବଡ଼ ଦୁଷ୍ଟ।


ଏହା କହି ନବବିବହିତାଙ୍କ ପରି ଲାଜେଇଗଲା ସରିତା। ଗାଲ ପୁରା ଗୋଲାପି ଗୋଲାପି। ସୁବ୍ରତ ସରିତାକୁ ନିଜ ଛାତି ଉପରକୁ ଟାଣି ନେଇ ଜୋରରେ ଜାବୁଡ଼ି ଧରିଲେ। ରାଜକୀୟ ଠାଣିରେ କହିଲେ


- ପ୍ରିୟେ କି ବର ମାଗୁଛ ମାଗ। ମୋ ଜୀବନ ତୁମ ପାଦତଳେ ସମର୍ପି ଦେଲି। 


ସରିତା ସ୍ମିତ ହସି କହିଲା- ତୁମ ଜୀବନ ନେଇ ମୁଁ କଣ କରିବି? ମୁଁ ତ ତୁମ ଚରଣର ଦାସୀ। ତୁମେ ମୋ ଆରାଧ୍ୟ ଦେବତା। 

ସୁବ୍ରତ ସରିତା ମୁହଁରୁ ଏହା ଶୁଣି ପୁରା ନାଟକୀୟ ଭଙ୍ଗୀରେ କହିଲେ


- ସତ୍ୟ, ସତ୍ୟ, ସତ୍ୟ। ତ୍ରିବାର ସତ୍ୟ। ଯାହା ମାଗିବ ତୁମ ଇଚ୍ଛାକୁ ପୂରଣ କରିବି ପ୍ରିୟେ।


ସରିତାର ଆଖି ଦିଇଟା ଖୁସିରେ ଝଲସି ଗଲା। ସେ ନିଜ ଓଠକୁ ସୁବ୍ରତଙ୍କ କାନ ପାଖକୁ ନେଇ ଧୀରେ କହିଲା


- ଘର ପାଖରେ ଗୋଟିଏ ନୂଆ ସ୍କୁଲ ଖୋଲିଛି


-ହଁ , ତ କଣ ହେଲା?


- ନାଇଁ ମ ମୁଁ କଣ କହୁଥିଲି କି ସେଇ ସ୍କୁଲରେ ବିଜ୍ଞାନ ଶିକ୍ଷୟିତ୍ରୀ ପୋଷ୍ଟଟି ଖାଲି ଅଛି, ତୁମେ ଯଦି ହଁ କରନ୍ତ ତେବେ ମୁଁ ଆପ୍ଲାଇ କରନ୍ତି।


 ସତେ ଯେମିତି ବିନା ବାଦଲରେ ବର୍ଷା ହେଇଗଲା। ସୁବ୍ରତ କରେଣ୍ଟ ଖାଇଲା ପରି ସରିତାକୁ ନିଜଠାରୁ ଦୂରକୁ ଠେଲିଦେଲେ। 


-ଆଜିଯାଏ ସେ ଚାକିରୀ ନିଶା ତୁମ ମୁଣ୍ଡରୁ ଯାଇନି। ବୁଢ଼ୀଟିଏ ହେଲଣି ତଥାପି କେଉଁଟା ଠିକ୍ କେଉଁଟା ନୁହେଁ ଜାଣି ପାରୁନ। ତମେ ତ ସଜେଇ ହେଇ ଚାଲିଯିବ ସ୍କୁଲକୁ। ମୋ ମା କଣ ଏ ବୟସରେ ରୋଷେଇ କରି ତୁମକୁ ଖାଇବାକୁ ଦେବ? ରୋଗୀ ଲୋକ ସିଏ। କେତେବେଳେ କଣ ତାର ଦରକାର ହେବ କିଏ ଆସି ତା ମନକଥା ବୁଝିବ?


ଏତେ ଯଦି କାମ କରିବାକୁ ଇଚ୍ଛା ଘର ସଜଉନ। କେବେଠାରୁ ଫୁଲଦାନୀର ଫୁଲ ଗୁଡ଼ିକ ବଦଳା ହେଇନି। ଝରକାର ପରଦାଗୁଡିକ ପୁରୁଣିଆ ଦେଖାଯାଉଛି। କାନ୍ଥ କଣରେ ମେଞ୍ଚାଏ ଅଳନ୍ଧୁ ଲାଗିଛି। ଆଜିକାଲି ତୁମ ମାନଙ୍କୁ ପରା 'ହାଉସ୍ ୱାଇଫ୍' ନ କହି 'ହୋମ୍ ମେକର୍' କୁହାଯାଉଛି। ତେବେ ସେ ଡିଉଟିକୁ ପୂରା କରୁନ। କାଲି ତୁମ ପାଇଁ ଚାରି ପାଞ୍ଚଟା 'ହାଉସ୍ ଡେକୋରର' ମ୍ୟାଗଜିନ ଆଣିଦେଉଛି। ତାକୁ ପଢ଼। ବାୟେ ଦ ୱେ ତୁମ ପୋଦିନା ଡ୍ରିଙ୍କ ଟା ଲାଜବାବ୍ ଥିଲା।


      ଏହା କହି ସୁବ୍ରତ ଟାୱେଲ୍ ନେଇ ଗାଧୁଆ ଘରକୁ ଚାଲିଗଲେ। ସରିତା ଜାଣେ ତା ଚାକିରୀ କରିବା କଥା ସୁବ୍ରତ ପସନ୍ଦ କରନ୍ତିନି। ସବୁ ଜାଣି ଏତେବର୍ଷ ପରେ ଏକଥା ଉଠେଇ କିଛି ଠିକ୍ କଲାନି ବୋଲି ନିଜକୁ ଖୁବ୍ ଦୋଷୀ ମନେ କରୁଥିଲା।


  ସାନ ନଣନ୍ଦ ମିଲି ଦିଲ୍ଲୀରେ ରୁହନ୍ତି। ଖରାଛୁଟିରେ ତାଙ୍କ ଛୋଟ ଝିଅ ଆନିକୁ ନେଇ ଆସିଥିଲେ। ଜିଦ୍ କରି ସମସ୍ତଙ୍କୁ ଦିଲ୍ଲୀ ନେଇକି ଯାଇଛନ୍ତି। ଆଜି ସରିତାର ବିବାହ ବାର୍ଷିକୀ। ମିଲି ଏହି ଉପଲକ୍ଷେ ଏକ ସୁନ୍ଦର ରିସର୍ଟ ବୁକ୍ କରି ଜବରଦସ୍ତି ସରିତା ଓ ସୁବ୍ରତକୁ ଛାଡି ଆସିଛି। ଜୀବନରେ ପ୍ରଥମ କରି ସରିତା ଓ ସୁବ୍ରତ ଏକ ହୋଟେଲରେ ଅଛନ୍ତି। ସୁବ୍ରତ ନିଜ ମାଙ୍କୁ ନେଇ ଖୁବ୍ ପଜେସିଭ। ପିଲାଦିନୁ ବାପାଙ୍କୁ ହରେଇଥିବାରୁ ମାଙ୍କୁ ଛାଡି ଦଣ୍ଡେ ରହିପାରନ୍ତିନି । ତେଣୁ ସେମାନେ ଏକୁଟିଆ କୁଆଡ଼େ ଯାଆନ୍ତିନି। ଯଦି କେବେ ଅର୍ଜେଂଟ ଥାଏ ସେହି ଦିନ ଘରକୁ ଫେରିବା ପାଇଁ ଚେଷ୍ଟା କରନ୍ତି।


-ମା ପାଇଁ ଭାଉଜ ବ୍ୟସ୍ତ ହେବନି। ମୁଁ ତାର ଠିକ୍ ଭାବରେ ଦେଖାଶୁଣା କରିବି। ଆଜି ତୁମେ ଦୁହେଁ ନିଜ ୱେଡିଙ୍ଗ ଆନିଭର୍ସରିକୁ ଫୁଲ୍ ଏନଜଏ କର । 


ବାରମ୍ବାର ମିଲି ଏସବୁ କହି ଯାଇଛି।

   ସରିତାକୁ ଆଜି ସବୁ ନୁଆଁ ନୂଆଁ ଲାଗୁଥାଏ। ସେ ସୁବ୍ରତ ହାତକୁ ଧୀରେ ଚାପି କହିଲା


- ଚାଲନା ଟିକେ ହୋଟେଲର ଲନ୍ ରେ ବୁଲି ଆସିବା। 


ସୁବ୍ରତ ବି ତା କଥାରେ ହଁ ଭରିଲେ। 

 ହେଲେ ଭଗବାନଙ୍କ ଇଚ୍ଛା ବୋଧେ କିଛି ଅଲଗା ଥିଲା। ସୁବ୍ରତର କଲେଜ ସାଙ୍ଗ ସହିତ ସେମାନଙ୍କର ଦେଖା ହେଇଗଲା। ଦୀର୍ଘ କୋଡ଼ିଏ ବର୍ଷ ପରେ ଦେଖା ସାକ୍ଷାତ। ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଦୁଇ ସାଙ୍ଗ ଚାଲିଗଲେ। ରୁମ୍ ରେ ରେଷ୍ଟ ନେଉଥାଅ, ମୁଁ ଜଲ୍ଦି ଚାଲି ଆସିବି । ଯିବା ପୂର୍ବରୁ ସରିତାକୁ କହିଗଲେ।


   ଲନ୍ ରେ ଗୋଟେ ସୁନ୍ଦର ୱାଟର ଫାଉଣ୍ଟେନ୍ । ନାଲି, ନୀଳ, ସବୁଜ ଏମିତି ବିଭିନ୍ନ ପ୍ରକାରର ଅଲୋକରାଶି ପାଣି ଭିତରୁ ସତେ ଯେମିତି ଛିଟିକି ପଡୁଛି। 'ଲଗ୍ ଯା ଗଲେ ଏ ହସିନ୍ ରାତ୍ ହୋ ନା ହୋ ' ଏ ସୁମଧୁର ସଙ୍ଗୀତ ପରିବେଶକୁ ଆହୁରି ରୋମାଣ୍ଟିକ କରିଦେଉଛି। ଲତା ମଙ୍ଗେସ୍କରଙ୍କ ଏହି ଗୀତଟି ପିଲାଦିନୁ ସରିତାର ଖୁବ୍ ପସନ୍ଦ। ଏଇ ଗୋଟିଏ ଗୀତ ତାକୁ ତା ସ୍କୁଲ ସମୟରେ କେତେ ପ୍ରତିଷ୍ଠା ଆଣି ଦେଇଥିଲା। ତା ବଡ଼ ଗୁରୁଜୀ ସଦାବେଳେ ତା ଗୀତର ପ୍ରଶଂସା କରି କହୁଥିଲେ-

ସରିତା ତୋ କଣ୍ଠରେ ସରସ୍ୱତୀ ବିଜେ କରିଛନ୍ତି। ପାଠ ସହିତ ଗୀତ ଟିକିଏ ଶିଖ। ସଙ୍ଗୀତ ଆକାଶରେ ତୁ ବି ଦିନେ ସଙ୍ଗୀତ ରାଣୀ ଲତା ମଙ୍ଗେସ୍କରଙ୍କ ପରି ନକ୍ଷତ୍ର ସାଜି ଚକ୍ ଚକ୍ କରିବୁ। ବଡ଼ ଗୁରୁଜୀଙ୍କ ଠାରୁ ସାହସ ପାଇ ଦିନେ ମାଙ୍କ ନିକଟରେ ତାର ସଙ୍ଗୀତ ଶିକ୍ଷା କରିବା ପାଇଁ ଥିବା ଇଚ୍ଛାକୁ ପ୍ରକାଶ କରିଥିଲା। ହେଲେ ମା ବାପା ଦୁହେଁ ତା କଥାରେ ଅରାଜି ହେଇଥିଲେ। 


     ବାପା କହିଥିଲେ ସେ ଗୀତ ଫୀତ ରୁ କଣ ମିଳିବ? ମନଦେଇ ପାଠ ପଢ଼। ଭଲ ପାଠ ପଢ଼ିଲେ ବଡ଼ ଚାକିରୀ କରିବୁ। ନିଜ ଗୋଡ଼ରେ ନିଜେ ଠିଆ ହେବୁ , କିନ୍ତୁ ସେଇ ବାପା ଭଲ ପ୍ରସ୍ତାବ ହାତଛଡା କଲେ ପରେ ପସ୍ତେଇବାକୁ ପଡ଼ିବ କହି ସୁବ୍ରତ ସହିତ ତାର ବିବାହ କରି ଦେଇଥିଲେ।  ଚିକମିକ ଜଳର ଫୁଆରାରେ ସରିତା ଯେପରି ନିଜ ଜୀବନକୁ ତନ୍ନ ତନ୍ନ କରି ଦେଖୁଥିଲା। 


'ହୋ'----- କେହିଜଣେ ପଛପଟୁ ତାକୁ ଚମକେଇ ଦେଲା। ସେ ନିଜ ଚିନ୍ତା ସାମ୍ରାଜ୍ୟରୁ ବାହାରି ଆସି ପଛକୁ ଅନେଇଲା।


ଝିଅଟିର ବୟସ ବୋଧେ ୩୦/୩୫ ଭିତରେ ହେବ। ପାଦରେ ପେନ୍ସିଲ ହିଲ, ଦେହରେ ମଡର୍ଣ୍ଣ ଆଉଟ୍ ଫିଟ୍। କିଏ ଇଏ? ତାକୁ କାହିଁକି ଚମକେଇ ଦେଲା? ସେ ସରିତାକୁ ଚିହ୍ନେ କି? ସରିତା ମନରେ ଅସୁମାରୀ ପ୍ରଶ୍ନ। ତାର ଏପରି ଭାବଭଙ୍ଗୀ ଦେଖି ଝିଅଟି କହିଲା

- ଆରେ, ମୋତେ ଚିହ୍ନି ପାରୁନୁ କି? ମୁଁ ପରା ମୋନା। ଯାହାକୁ ତୁ ସ୍କୁଲ ଓ କଲେଜରେ ଗୀତ କମ୍ପିଟିସନ୍ ରେ ବାରମ୍ବାର ହରାଉଥିଲୁ। ତୋ ବଡ଼ ଗୁରୁଜୀଙ୍କ ଝିଅ।


    ଇଏ କଣ ସେଇ ମୋନା। ଯିଏ ଅନ୍ଧାରକୁ ଡରେ। ଦିନରେ ବି ଏକୁଟିଆ କୁଆଡ଼େ ଯାଇପରେନି। କଥା କହିଲାବେଳେ ଖନି ମାରେ। ତାର ପୁଣି ଏ ଟ୍ରାନ୍ସଫରମେସନ୍। କୁଆଡ଼େ ଗଲା ତାର ଲମ୍ବା ବେଣୀ? ଯିଏ ସମ୍ବଲପୁରୀ ସାଲୱର୍ କମିଜ ବ୍ୟତୀତ କିଛି ପିନ୍ଧେନି, ସେ ପୁଣି ପିନ୍ଧିଛି ସ୍କ୍ରାପ୍ଡ୍ ଜିନ୍ସ ଓ ସର୍ଟ ଟପ୍। 



-କଣ ଧୋକା ଖାଇଗଲୁ ମୋତେ ଦେଖିକି? ମୋର ଛୋଟ ବେଳୁ ମଡର୍ଣ୍ଣ ଡ୍ରେସ୍ ପ୍ରତି ଅହେତୁକ ଆକର୍ଷଣ ଥିଲା। ସେ ସମୟରେ ମା ମୋତେ ଯେମିତି ସଜ ହେବାକୁ କହୁଥିଲେ ମୁଁ ସେମିତି ନିଜକୁ ସଜଉଥିଲି। ମୋର ଇଛା ଅନିଚ୍ଛା ମୁଁ ନିଜେ ଜାଣି ନ ଥିଲି। ଏବେ ବି ମୋ ବାବାଙ୍କ କଥା ମୋ କାନରେ ଗୁଞ୍ଜରଣ ସୃଷ୍ଟି କରୁଛି। ମୁଁ ଟିକେ ବଡ଼ ହେଲାପରେ ମାକୁ ବୁଝାଉଥିଲେ ଝିଅ ତୁମର ଆଉ ଛୋଟ ନାହିଁ। ନିଜ ନିଷ୍ପତ୍ତି ନିଜେ ନେଇପାରିବ। ତାକୁ ତା ବାଟରେ ଛାଡିଦିଅ। ଫୁଟିବା ଆଗରୁ ମୋ ଝିଅକୁ ମଉଳିବାକୁ ଦିଅନି। ପାରୁଛ ଯଦି ରଙ୍ଗର ତୁଳୀ ଧରେଇ ଦିଅ ତା ହାତରେ । ସେ ନିଜ ଭବିଷ୍ୟତ ନିଜେ ଆଙ୍କିବ। ମାଛଟିଏ ହେଇ ପାଣିରେ ପହଁରୁ କି ଚଢ଼େଇ ଟିଏ ହେଇ ଆକାଶରେ ଉଡ଼ୁ। ତାକୁ ତା ସ୍ବପ୍ନକୁ ରଙ୍ଗୀନ କରିବାକୁ ଦିଅ। 


ସେହିଦିନ ଠାରୁ ମୁଁ ନିଜ ଇଛା ମୁତାବକ ଜିଉଁଛି। ବାବା କହୁଥିଲେ 'ଜିନ୍ଦେଗି ଜିନେ କା ନାମ୍ ହେ' । ଯଦି ବଞ୍ଚିବାର ମାନେ ଜୀବନ ତେବେ ଆମେ ମରି ମରି ବଞ୍ଚିବା କଣ ପାଇଁ?


    ହେଇ ଦେଖ, ସେ ସଁବାଳୁଆକୁ। ଛିଃ କେଡ଼େ ଅସନା ଜୀବ ଟା। କଦାକାର ଚେହେରାକୁ ଦେହ ସାରା ଲୋମ ଭର୍ତ୍ତି। ଯିଏ ଦେଖିଲା ତା ଉପରେ ଛେପ ଲେଣ୍ଡାଏ ପକେଇଲା। ଅନ୍ୟମାନଙ୍କ ଟାହି ଟାପରା କୁ ଡରି ସେ ନିଜ ଜୀବନ ପଥକୁ ସଙ୍କୁଚିତ କରିଲା କି? 

ନା ବରଂ ନିଜର କାୟା ପରିବର୍ତ୍ତନ କଲା, ଯାହାକୁ ଆମେ ମେଟାମର୍ଫୋସିସ କହୁ। ଏଇ ସଂବାଳୁଆରୁ ଦିନେ ରଙ୍ଗୀନ ଡେଣା ବାହାରିବ। କିମ୍ଭୁତ କିମାକାର ସଂବାଳୁଆ ଅତି ସୁନ୍ଦର ମନଲୋଭା ପ୍ରଜାପତିରେ ପରିଣତ ହେବ। ଯେଉଁମାନେ ଛିଃ କହି ଆଡେ଼ଇ ଦେଉଥିଲେ ସେମାନେ ତାରି ସୌନ୍ଦର୍ଯ୍ୟରେ ବିମୁଗ୍ଧ ହେବେ।


ମୁଁ ଜାଣେ ତୁ ମୋ ଠାରୁ ବହୁତ ଭଲ ଗୀତ ଗାଉଥିଲୁ। ବାପାଙ୍କ ଡରରେ ତୋର ସେ କଳାକୁ ମନ ଭିତରେ ଲୁଚେଇ ରଖିଲୁ। ପ୍ରଥମ ଶ୍ରେଣୀରେ ବିଜ୍ଞାନରେ ସ୍ନାତକୋତ୍ତର ପାସ୍ କଲୁ। ୟୁନିଭର୍ସିଟିରେ ପୋଜିସନ୍ ରଖିଲୁ କିନ୍ତୁ ସ୍ୱାମୀଙ୍କ ତାଗିଦ ପାଇଁ ଚାକିରୀ କରିବାର ଇଚ୍ଛାକୁ ନିଜ ହାତରେ ଦଳିଦେଲୁ। ହେଲେ ଏ ଜୀବନ ଯୁଦ୍ଧରେ ହାରି ଯାଉଛୁ କଣପାଇଁ? ତୁ ବି ସେ ସଂବାଳୁଆ ପରି କାୟା ପରିବର୍ତ୍ତନ କର। ତା ପରି ନିଜ ସହିତ ଯୁଦ୍ଧ କର। ତୁ ଚିନ୍ତା କର, ଏପରି କି କାମ କରିବୁ ଯାହାଦ୍ୱାରା ତୋତେ ଘରୁ ବାହାରକୁ ଯିବାକୁ ପଡିବନି କିନ୍ତୁ ତୁ ସ୍ୱାବଲମ୍ବୀ ହେଇ ପାରିବୁ। 


    ବହୁତ ଗପି ଦେଲିଣି। ମୋର ଆଜି ଏଇ ରିସର୍ଟ ପାଖରେ ଗୋଟେ ପ୍ରୋଗ୍ରାମ ଅଛି। ଯଦି ସମୟ ପାଇବୁ ମୋ ଗୀତ ଟିକେ ଶୁଣିବାକୁ ଆସିବୁ। ମୁଁ ଯାଉଛି, ହେଲେ ତୁ ନିଜକୁ ସଂବାଳୁଆ ନା ପ୍ରଜାପତି କେଉଁ ଅବସ୍ଥାରେ ଦେଖିବାକୁ ଚାହୁଁଛୁ ତାହା ଭଲ କରି ଭାବିବୁ। ବାଏ..


    ମୋନା ଚାଲିଗଲା ସରିତାର ଆଖି ଉହାଡ଼ରୁ। ଦଲକାଏ ଥଣ୍ଡା ପବନ ବହିଗଲା। ପ୍ରଜାପତି ଟିଏ ତା ମୁଣ୍ଡ ଉପର ଦେଇ ଉଡ଼ିଗଲା। ସରିତା ମନରେ ଅପୂର୍ବ ଆନନ୍ଦ। ରୁମ୍ ରେ ଶୋଇ ଗୁଣୁଗୁଣେଇ ହେଉଛି'ଆଜ୍ ଫିର୍ ଜିନେ କି ତମାନ୍ନା ହେ, ଆଜ୍ ଫିର୍ ମରନେ କା ଇରାଦା ହେ'। 


ହଠାତ କେହିଜଣେ ତାକୁ କୁଣ୍ଢେଇ ଧରିଲେ। ସରିତା ଭୟରେ ଶିହିରୀ ଯାଇ କୌଣସି ମତେ ନିଜକୁ ସେ ବାହୁ ବନ୍ଧନରୁ ମୁକ୍ତି କରି ରୁମ୍ ର ଲାଇଟ୍ ଜଳେଇଲା। ସୁବ୍ରତ ଏକ ଲୟରେ ତାକୁ ଅନେଇଥାନ୍ତି। 


-ବାଃ ତୁମେ ଏତେ ସୁନ୍ଦର ଗୀତ ଗାଇପାର ! ତୁମେ ତ ଲତାମଙ୍ଗେସ୍କରଙ୍କ ଜେରକ୍ସ। ଏତେ ସୁନ୍ଦରୀ ଗାୟିକା ମୋ ସ୍ତ୍ରୀ ଆଜି ମୁଁ ଜାଣିଲି। 


ଏହା କହି ମଲ୍ଲୀ ଫୁଲର ଗଜରାଟେ ତା ଜୁଡ଼ାରେ ଲଗେଇ ଦେଲେ। 


   ଦିଲ୍ଲୀରୁ ଦି ଦିନ ହେଲା ସେମାନେ ଘରକୁ ଫେରିଲେଣି। ସରିତା ୟୁ ଟ୍ୟୁବ ଦେଖି ଆଜି ଫାଲୁଦା ବନେଇଛି। ସୁବ୍ରତ ଅଫିସ ରୁ ଫେରିଲା ପରେ ହାତରେ ଫାଲୁଦା ଗ୍ଲାସ୍ ଟି ଧରେଇ ଦେଇ ସରିତା ତା ଭ୍ୟାନିଟି ବ୍ୟାଗ ରୁ ଦି ଟା ଲିଫ୍ ଲେଟ୍ ବାହାର କରି ସୁବ୍ରତଙ୍କୁ ଦେଲା। 

' କୁକ୍ ଉଇଥ୍ ସରିତା:- ସମୟ ପ୍ରତ୍ୟେହ ସକାଳ ୧୧ଟା ରୁ ଦିନ ୧ଟା '(ଶନିବାର ଓ ରବିବାର ବନ୍ଦ)

 'ସରିତା ମ୍ୟୁଜିକାଲ୍ କ୍ଲାସ :- କେବଳ ଶୁକ୍ରବାର, ଶନିବାର ଓ ରବିବାର' (ସମୟ ଅପରାହ୍ନ ୪ଟା ରୁ ସନ୍ଧ୍ୟା ୬ଟା)

ଲିଫ୍ ଲେଟ୍ ଦୁଇଟିକୁ ସୁବ୍ରତ ଏକ ଲୟରେ ଅନେଇଥାନ୍ତି। 


- ମୁଁ ଭାବୁଛି ଏଥିରେ ତୁମର ଆପତ୍ତି ନଥିବ? ମୋତେ ଘରୁ କୁଆଡ଼େ ଯିବାକୁ ପଡିବନି। ମୁଁ ଘରକାମ ଓ ମାଙ୍କ ଦେଖାଶୁଣା ସହିତ ଏସବୁ କରିବି।

  ସରିତା ଧୀର ସ୍ୱରରେ କହିଲା।

 ସୁବ୍ରତ ଥରେ ସରିତାକୁ ଓ ଥରେ ଲିଫ୍ ଲେଟ ଦୁଇଟିକୁ ଦେଖି କହିଲେ 

- କଣ ମ୍ୟାମ ମୋତେ ବି ଡେଲି ଡେଲି ନୂଆଁ ନୂଆଁ ଖାଇବାକୁ ମିଳିବ ତ? ସରିତା ଖୁସିରେ ହଁ ଭରିଲା। 


-ହେଲେ ମୋର ଗୋଟିଏ ଆପତ୍ତି ଅଛି।


-ଠିକ୍ ଅଛି , ତୁମେ ଯଦି ରାଜି ନାହଁ ତେବେ ମୁଁ ଏସବୁ କିଛି କରିବିନି।


ଏହା କହି ସରିତା ଲିଫ୍ ଲେଟ୍ ଗୁଡ଼ିକୁ ଚିରିବାକୁ ଗଲାବେଳେ ସୁବ୍ରତ ସରିତାକୁ ନିଜ ଛାତି ଉପରକୁ ଟାଣି କହିଲେ


- ମ୍ୟାମ, କଥା କଣ କି ମୋତେ ଗୀତ ଗାଇ ଆସେନା। ଆପଣ ଯଦି ଏ ଅଧମକୁ ଆପଣଙ୍କ ମ୍ୟୁଜିକାଲ କ୍ଲାସର ଷ୍ଟୁଡେଣ୍ଟ ଭାବରେ ଗ୍ରହଣ କରନ୍ତେ ତେବେ ମୋ ସ୍ତ୍ରୀ ସରିତାକୁ ମୁଁ ବି ପ୍ରତିଦିନ ରାତିରେ ରୋମାଣ୍ଟିକ ଗୀତ ଶୁଣାନ୍ତି।


ସରିତା ଖୁସିରେ ନିଜ ଦୁଇ ବାହୁକୁ ସୁବ୍ରତଙ୍କ ବେକରେ ଗୁଡ଼େଇ ଗାଇଲା 'ବାହୋ ମେଂ ଚଲେ ଆଓ, ହମ ସେ ସନମ କ୍ୟା ପରଦା'

 

ଅଧମ ଘରକାମ ଲିଫ୍ ଲେଟ୍

Rate the content


Originality
Flow
Language
Cover design

Comments

Post

Some text some message..