Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arati Sahoo

Thriller Drama

3  

Arati Sahoo

Thriller Drama

ଚକ୍ରବ୍ୟୁହ

ଚକ୍ରବ୍ୟୁହ

5 mins
481



 ବାପା ତୁନି ତୁନି ବୋଉକୁ କହୁଥିଲେ ଯେମିତି ଉଷାର କାନରେ ନ ବାଜୁ । କିନ୍ତୁ ଉଷା ଶୁଣି ପକାଇଥିଲା , କିଛି କିଛି । ତାକୁ ଆଜି ପୁଣିଥରେ ଚାହା ଜଳଖିଆ ଧରି ନିଜର ଅଲାଜୁକ ପ୍ରଦର୍ଶନ କରିବାକୁ ପଡ଼ିବ । ତାଠାରୁ ଲୁଚେଇବେ ଯେ , କିନ୍ତୁ କେତେ ସମୟ ? ଆଜି କୁଆଡେ ବଡ଼ ଓକିଲ ଜଣେ ଦେଖିବା ପାଇଁ ଆସୁଛନ୍ତି । ଧନାଢ଼୍ୟ ବ୍ୟକ୍ତି । ଅକୁତ ଅଚଳାଚଳ ସମ୍ପତ୍ତି । 


 ହଁ , ଆସନ୍ତୁ ନା । ତାଙ୍କର ଉତ୍ତର ସେ ଭଲଭାବେ ଜାଣିଛି । ପ୍ରଦର୍ଶିତା ହୋଇ ସେ କ୍ଳାନ୍ତ ହୋଇ ସାରିଲାଣି । ଗରିବ ବାପର ଝିଅକୁ କିଏ ବିବାହ କରିବ , ଯାହାର ଭଲ ଆସନଟିଏ ମଧ୍ୟ ନାହିଁ ଅତିଥି ସତ୍କାର କରିବାକୁ ! ଭଲ ଗ୍ଲାସଟିଏ ନାହିଁ ପାଣି ଦେବାପାଇଁ !


  ଉଷା ଯାଉଥିଲା ତା ସାଙ୍ଗ ମାନଙ୍କର ବିବାହରେ ନିମନ୍ତ୍ରିତା ହୋଇ । ତାକୁ ମଧ୍ୟ ଇଚ୍ଛା ହେଉଥିଲା ତାର ମଧ୍ୟ ବାହାଘର ହୁଅନ୍ତା । ସେ ମଧ୍ୟ ବେଦୀରେ ବସନ୍ତା ଓଢ଼ଣା ଦେଇ ।ପୁରୋହିତ ତା ହାତକୁ ଆଉ ଜଣକର ବଳିଷ୍ଠ ହାତ ସହ ଛନ୍ଦି ଦିଅନ୍ତେ ପବିତ୍ର ବେଦ ମନ୍ତ୍ର ଉଚ୍ଚାରଣ ପୂର୍ବକ । ତାର ଶୀରାପ୍ରଶୀରାରେ ଖେଳିଯାଏ ଅହେତୁକ ଅପୂର୍ବ ଶୀହରଣ ।


 କନ୍ୟା ଦେଖା ପର୍ବ ସରିଲା । ପାଳିତା ଶୁଆ ପରି ସାଧାରଣ କିଛି ପ୍ରଶ୍ନର ଉତ୍ତର ଦେଇ ସେ ଧୀରେ ଉଠିଗଲା ଭିତରକୁ । 


 ସେ ସ୍ଵପ୍ନ ଦେଖୁନାହିଁ ତ ? ପରଦିନ ତାର ବାହାଘର , ମନ୍ଦିରରେ ! ବାପା ବୋଉ ବରର ରୂପ, ତାଙ୍କ ବାପା ମାଆଙ୍କର ଶାଳୀନ ସ୍ଵଭାବ ଓ ଅମାୟିକ ବ୍ୟବହାରର ଚର୍ଚ୍ଚା କରି ଥକୁ ନଥାନ୍ତି ।


 ଉଷା ପଦ୍ମପତ୍ରେ ମିମାମ୍ବସା ସଦୃଶ୍ୟ ନିର୍ବିକାର । ଖୁସି ଯେମିତି ତା ସହିତ ଥଟ୍ଟା କରୁଛି । ସମୟ ତା ସହ ଖେଳ ଖେଳୁଛି । ତା ବର କୁଆଡେ ଦୋବେହି ! ପାଞ୍ଚବର୍ଷ ର ଗୋଟେ ପୁଅର ବାପା ! ଗାଁରେ ସମସ୍ତେ ତଥାପି ଈର୍ଷ୍ୟାତୁର ହୋଇ ପଡୁଛନ୍ତି କାହିଁକି ? ସମ୍ପତ୍ତି ବୋଧେ ଖୁସିର ଚାବିକାଠି । ତାର କେତେକ ସାଙ୍ଗମାନେ ମଧ୍ୟ ଏପରି କିଛି ମନ୍ତବ୍ୟ ଦେଉଥାନ୍ତି ଯେ ଉଷା ଭାବୁଥାଏ , ଦୋଷ ନିଶ୍ଚୟ ତାର ନିଜର , ସେ ଏତେ ଭଲ ପ୍ରସ୍ତାବ ସହ ସାଲିସ କରି ପାରୁନାହିଁ ।


  ମନ୍ଦିରରେ ବାହାଘର ହୋଇଗଲା । ନିଜେ କାନ୍ଦି ସମସ୍ତଙ୍କୁ କନ୍ଦେଇ ଉଷା ଚାଲିଗଲା ତା ସ୍ଵାମୀ ସହ ସୁସଜ୍ଜିତ ବହୁମୂଲ୍ୟ କାରରେ ବସି । କେତେ କେତେ ଈର୍ଷ୍ୟାଳୁ ଦୃଷ୍ଟି ତା ପଛରେ ଗୋଡେଇ ଆସିଲେ । 


  ମଧୁଯାମିନୀ !! ସେ ଉପନ୍ୟାସ ପଢି଼ଥିଲା , କିଛି ସିନେମା ମଧ୍ୟ ଦେଖିଥିଲା । କିନ୍ତୁ ଏପରି ଐଶ୍ୱର୍ଯ୍ୟମୟ ସଜ୍ଜା ଦେଖିନଥିଲା । ଦେଖିନଥିଲା ବି ଏପରି ଭବ୍ୟ କୋଠା । ଏଥିରେ କଣ ମଣିଷ ରହନ୍ତି ନା ଦେବତା !! 

 

 ତାର ଅନୁମାନ କେତେକାଂଶରେ ଠିକ ଥିଲା । ଦୁଇଜଣ ଦେବତା ତୁଲ୍ୟ ମଣିଷ ତାର ଚଲାପଥକୁ କୁସୁମିତ କରିବାରେ କୌଣସି ଅଭାବ ରଖିନଥିଲେ । ତାର ଜୀବନକୁ ସୌରଭମୟ କରିବା ପାଇଁ ସଦା ସର୍ବଦା ଚେଷ୍ଟା କରୁଥିଲେ । ଚତୁର୍ଥୀ ପୂର୍ବରୁ ଏ ତିନି ଦିନରେ ସେ ଏସବୁ ଜାଣି ପାରିଥିଲା । ଏମାନେ ହେଉଛନ୍ତି ଉଷାର ଶାଶୁ ଶ୍ଵଶୁର । 


 ସ୍ଵାମୀ ସୁଦର୍ଶନ ଆସିଲେ ଘର ଭିତରକୁ । ବିନା ବାକ୍ୟ ବିନିମୟରେ ରୁମରେ ଥିବା ସୋଫାରେ ଶୋଇ ପଡ଼ିଲେ । ଉଷାର ମଧ୍ୟ ନା ଥିଲା କିଛି ଆଶା ନା ଇଚ୍ଛା । ସେ ହୁଏତ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲା ଏହାହିଁ ପ୍ରତିଦିନ ଘଟୁ । ପ୍ରାର୍ଥନା ନିଷ୍ଫଳ ଯାଇ ନଥିଲା ।


  ଅତିଥି ଅଭ୍ୟାଗତ ବିଦାୟ ନେଲେ । ଏତେ ବଡ଼ ଅଟ୍ଟାଳିକାରେ କେବଳ ଚାରିଜଣ ମଣିଷ , ନା ନା ସାଢ଼େ ଚାରି । ତେବେ ସେ ଅଧା ମଣିଷଟିକୁ ତ ସେ କାହିଁ ଦେଖିପାରିଲା ନାହିଁ ଏ ପର୍ଯ୍ୟନ୍ତ । 


  ତେବେ ପୂଝାରୀ ଦାମ ମଉସା ଓ ବାହାର କାମ ପାଇଁ ସୁରମା ମାଉସୀ , ଆଉ ଦୁଇଜଣ ଶୁନଶାନ ବାତାବରଣକୁ ଟିକେ ଶବ୍ଦ ଦେଉଥିଲେ ।


  ଉଷାକୁ ଏତିକି ଆରାମ ହଜମ ହେଉନଥିଲା । ସେ ରୋଷେଇ ଘରକୁ ଗଲେ ଦାମ ମଉସା ବିଦା କରି ଦେଉଥିଲେ । ଶେଷରେ ସେ ତା ଶାଶୁଙ୍କୁ କହିଲା , ଦାମ ମଉସା ସାହାଯ୍ୟ କରନ୍ତୁ କିନ୍ତୁ ରୋଷେଇ ସେ କରିବ । ରୋଷେଇ ଘରର ଏପରି ସାଜ ସରଞ୍ଜାମ ସେ କେବେ ଦେଖି ନଥିଲା । କୁକିଂ ରେଞ୍ଜ , ଓଭନ ଆହୁରି କେତେ କଣ । ତଥାପି ସେ ସାହାଯ୍ୟ ନେଇ ରୋଷେଇ କଲା । ପ୍ରଥମ ଦିନ ହିଁ ଶ୍ଵଶୁର ତା ହାତରନ୍ଧା ଖାଇ କାନ୍ଦି ପକାଇ ଅଜସ୍ର ଆଶୀର୍ବାଦରେ ତାକୁ ପୋତି ପକାଉଥିଲେ । ସ୍ଵାମୀ ସରାଗ ବିନା ତାର ଜୀବନ ଚାଲିଲା । ତଥାପି କିଛି ଗୋଟେ ତାକୁ ଅହରହ ଦୋହନ କରୁଥାଏ ତାର ଅନିଚ୍ଛା ସତ୍ତ୍ୱେ ।


  ଦିନେ ସେ ତା ରୁମରେ ବସିଛି , କୁଲୁକୂଲିଆ ମୁହଁ ଟିଏ ଭାରି ପରଦା ଟେକିଦେଇ ପୁଣି ଥରେ ଛପିଗଲା । ଉଷା ଜାଣିଲା ଏହି ସେହି ମଣିଷ ଯିଏ ପରିବାରକୁ ସମ୍ପୂର୍ଣ୍ଣ ସାଢ଼େ ଚାରି କରିବ । ପିଲାଟି ବାରମ୍ବାର ପରଦା ଟେକୁଥାଏ ପୁଣି ଲୁଚୁଥାଏ । ଉଷାକୁ ମଜା ଲାଗିଲା ଏ ଖେଳରେ । ଛୁଆଟି ମଧ୍ୟ ଉତ୍ସାହିତ ହୋଇ ଏଥିରେ ଯୋଗ ଦେଲା । ଦୁହିଁଙ୍କ ମଝିର ବାଡ଼ଟା ଧୀରେ ଧୀରେ ଭାଙ୍ଗିବାକୁ ଲାଗିଲା । ସୋହମ ସହିତ ତାର ସମ୍ପର୍କ ନିବିଡ଼ ହେବାକୁ ଆରମ୍ଭ କଲା । ଏଥର ସମସ୍ତେ ଖୁସି । ଉଷା ମଧ୍ୟ ।


  ଗୋଟିଏ ରହସ୍ୟ ତାକୁ ବେଳେ ବେଳେ ବ୍ୟସ୍ତ କରେ । ସୋହମର ମାଆ କଥା ଘରେ କେବେହେଲେ ଆଲୋଚନା ହୁଏ ନାହିଁ । ସେ ପଚାରିବାକୁ ସାହସ କରେ ନାହିଁ । ଥରେ ସୁରମା ମାଉସୀ କଣ କହି ଆସୁଥିଲେ କିନ୍ତୁ ଜୀଭ କାମୁଡି ସେଠାରୁ ପଳାଇ ଗଲେ । ସୋହମର ମାଆଙ୍କର କୌଣସି ସ୍ମୃତିଚିହ୍ନ ସେ ଦେଖିବାକୁ ପାଉ ନଥିଲା ।


  ଧୀରେ ଧୀରେ ସେ କେବେ ଯେ ଶାଶୁ ଶ୍ଵଶୁର ଓ ସୋହମ ସହ ଏମିତି ନିବିଡ଼ ଭାବରେ ଜଡ଼ିତ ହୋଇଗଲା ସେ ନିଜେ ମଧ୍ୟ ଜାଣି ପାରିଲାନାହିଁ । ସୋହମ ଯେ ତାର ନିଜର ପୁଅ ନୁହେଁ ଏକଥା ସେମାନଙ୍କୁ ଦେଖିଲେ କେହି ଅନୁମାନ କରି ପାରିବ ନାହିଁ , ସୋହମ ଏମିତି ଆଦରି ଯାଇଥିଲା ତାକୁ । ଶାଶୁ ଶ୍ଵଶୁର ତ ତାକୁ ନଦେଖିଲେ ଅନ୍ଧ । ବାପା ବୋଉଙ୍କର କୋଉଠି ନା କୋଉଠି ଥିବା ଅପରାଧବୋଧ ମଧ୍ୟ ମନରୁ ପୋଛି ହୋଇଗଲା । ସ୍ଵାମୀ ସୋହାଗକୁ ବାଦ୍ ଦେଇ , ସୁଦର୍ଶନଙ୍କ ଉପସ୍ଥିତି ଅନୁପସ୍ଥିତିକୁ ଭୂଲି ତାର ଜୀବନ ବେଶ ଭଲ ଚାଲିଲା । କିନ୍ତୁ ଦିନେ ଏମିତି ଏକ ଭୟାନକ ସ୍ଥିତି ସହିତ ଯେ ତାକୁ ସମ୍ମୁଖୀନ ହେବାକୁ ପଡିବ , ସେ ସ୍ଵପ୍ନରେ ସୁଦ୍ଧା ଭାବି ନଥିଲା ।


  ଦିନେ ଠାକୁର ଘରେ ପୂଜା କରୁଥାଏ । ସୋହମ ତା କୋଳରେ ବସି ଦରୋଟି କଣ୍ଠରେ " ଆହେ ଦୟାମୟ ବିଶ୍ଵ ବିହାରି " ଗାଉଥାଏ । ହଠାତ ରାମଙ୍କର ବଡ଼ ଫଟୋଟିଏ ଓଲଟି ପଡ଼ି ଯାଏ । ତା ପଛରେ ନାଇଲନ ରସିଟାଏ । ତାକୁ ଆଣୁ ଆଣୁ ସୋହମ ତା କୋଳରୁ ଭୟାତୁର ହୋଇ ଚିତ୍କାର କରି ଡେଇଁ ପଡେ । ସେ ତାକୁ ଧରି ପକାଏ । ସୋହମ ଛାଟିପିଟି ହୋଇ କହୁଥାଏ , 


 - ମାମା ମୋତେ ମାରନା । ମୋ ବେକ କାଟିବ । ମୁଁ ତ ଦୁଷ୍ଟ ହେଉନାହିଁ ।


 ଉଷା ଆଶ୍ଚର୍ଯ୍ୟ ! ପାଟି ଶୁଣି ଶାଶୁ ଧାଇଁ ଆସି ତା ପାଟିକୁ ଚାପି ଧରିଲେ । 


 ଉଷା କିନ୍ତୁ ସୂତ୍ର ଧରି ନେଇ ତାଙ୍କୁ ଜେରା କଲା ତାଙ୍କୁ ବିଶ୍ୱାସରେ ନେଇ ।


 ଶାଶୁ କାନ୍ଦି କାନ୍ଦି ସବୁ ଘଟଣା ବର୍ଣ୍ଣନା କରିଗଲେ । ସୁଦର୍ଶନଙ୍କ ପୂର୍ବ ପତ୍ନୀଙ୍କର ହଠାତ ମସ୍ତିଷ୍କ ବିକୃତି ଘଟିଥିଲା । ଆକ୍ରାମକ ହୋଇ ସୋହମର ବେକରେ ଏହି ନାଇଲନ୍ ରସି ବାନ୍ଧି ପକାଇ ତାକୁ ମାରିଦେବାକୁ ବସିଥିଲା । କିନ୍ତୁ ଠିକ ସମୟରେ ସୁଦର୍ଶନ ପହଞ୍ଚି ଯାଇଥିଲେ ଓ ଯୋରରେ ଏକ ଧକ୍କା ଦେଇଥିଲେ । ଯଦ୍ୱାରା ତାଙ୍କ ପତ୍ନୀଙ୍କର ମୁଣ୍ଡ ବାଡେଇ ହୋଇ ଯାଇଥିଲା ପଲଙ୍କ ବାଡ଼।ରେ , ଅଥାନ ଥାନରେ ବାଜି ତାଙ୍କର ତତ୍କାଳ ମୃତ୍ୟୁ ଘଟିଥିଲା । ଏହା ଏକ ଦୁର୍ଘଟଣା ଥିଲା । କିନ୍ତୁ ହସ୍ପିଟାଲ ନେଲା ପରେ ଏହା ଏକ ପୋଲିସ କେସ ର ରୂପ ନେଲା । ଅବଶ୍ୟ ପୋଷ୍ଟ ମର୍ଟମରେ ସ୍ପଷ୍ଟ ଜଣା ପଡ଼ି ଯାଇଥିଲା ଯେ ତାର ମୁଣ୍ଡ ଖରାପ ହୋଇ ଯାଇଥିଲା । ତଥାପି କେସ ଟି କୋର୍ଟକୁ ଯାଇଥିଲା । କିନ୍ତୁ ଯେହେତୁ ସୁଦର୍ଶନ ଏକ ନାମିଦାମୀ ଓକିଲ ଥିଲେ ତଥା ଆଇନଗତ ଅଭିଜ୍ଞତା ଥିଲା ତାଙ୍କର ଅପାର , ତେଣୁ କେସଟି ଦବେଇ ଦିଆଯାଇଛି । କିନ୍ତୁ ଏହା ଯେ ପୁଣି ପୁନର୍ଜିବିତ ନହେବ କହିହେବ ନାହିଁ । 


 ଉଷା ବଡ଼ ଧର୍ମ ସଙ୍କଟରେ ପଡ଼ିଲା । ଆଉ ଠିକ ସେହି ସମୟରେ ହିଁ ପୁଣିଥରେ କୋର୍ଟରୁ ସୁଦର୍ଶନଙ୍କ ନାମରେ ସମନ ଆସିଲା । ପୁଣିଥରେ ଘରେ ଅଶାନ୍ତି ପରିବେଶ ସୃଷ୍ଟି ହେଲା । ପୋଲିସ ସମସ୍ତଙ୍କୁ ଜେରା କରି କିଛି ତଥ୍ୟ ପାଉ ନଥିଲେ ।


 ଶେଷକୁ ତା ପାଖକୁ ମଧ୍ୟ ଆସିବେ ନିଶ୍ଚୟ । ଚକ୍ରବ୍ୟୁହ ଭିତରେ ଛନ୍ଦି ହୋଇ ଯାଉଥିଲା ଉଷା । ଗୋଟିଏ ପଟେ ସୋହମର ନିଷ୍ପାପ ଶ୍ରଦ୍ଧା , ଆଉ ଗୋଟାଏ ପଟେ ବୃଦ୍ଧ ଶାଶୂ ଶ୍ଵଶୁରଙ୍କ ଅନାବିଳ ସ୍ନେହ ଓ ପରିପକ୍ଵ ଏକ ବିଶ୍ୱାସ ତାକୁ କର୍ତ୍ତବ୍ୟ ପଥରୁ ଟାଣି ଧରୁଥିଲେ ପଛକୁ । ସତ୍ୟ ଉଦଘାଟିତ କରି ଦେବ କି । କରିଦେବ କି ସୋହମର ଭବିଷ୍ୟତକୁ ଅନ୍ଧାର । କରିଦେବ କି ନିଜେ ସଜାଡିଥିବା ପରିବାରଟିକୁ ଛାରଖାର । କି ନିର୍ଣ୍ଣୟ ସେ ନେବ ? 


 ପୋଲିସର ପ୍ରଶ୍ନ ଶୁଣି ସେ ଅତି ଆତ୍ମବିଶ୍ୱାସର ସହ କହିଲା ,


 ମୋତେ ବିବାହ ପୂର୍ବରୁ ଏକଥା ଜଣା ଅଛି ଯେ ସୁଦର୍ଶନଙ୍କ ପୂର୍ବ ପତ୍ନୀ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଅପରାଧି ହୋଇଥିଲେ ମୋ ନିକଟରେ ଏହା ଏକ ରହସ୍ୟ ହିଁ ରହିଥାନ୍ତା । ତେଣୁ ମୋର ଦୃଢ଼ ବିଶ୍ୱାସ ଯେ ସୁଦର୍ଶନ ଓ ତାଙ୍କର ମାଆବାପା ସମ୍ପୂର୍ଣ୍ଣ ନିର୍ଦୋଷ । 


  ଚକ୍ରବ୍ୟୁହ ଆପଣାଛାଏଁ ଉନ୍ମୁକ୍ତ ହୋଇ ଯାଇଥିଲା ।


Rate this content
Log in

Similar oriya story from Thriller