ପାଗୁଆ ସାର୍
ପାଗୁଆ ସାର୍
ମୁଁ ମଧ୍ୟାହ୍ନ ଆକାଶର ସୂର୍ଯ୍ୟଟିଏ।ଢଳିବାକୁ,ଦିଗ୍ବ ଳୟ ଛୁଇଁବାକୁ ଆଉ କେଇ ପାହୁଣ୍ଡ ବାକି ଥିବ।ସଠିକତା ମୁଁ ଜାଣିନି,ଏ ..ଇ..ଠି କେହି ବୋଧେ ମୋ ପରି ଜାଣି ନଥାନ୍ତି କିଏ କେତେବେଳେ ଦିଗ୍ ବଳୟରେ ମିଶିବେ।ସେ ପାଇଁକି ଜୀବନ ଏତେ ମିଠା, ମହରଗ!ଭାରି ଲୋଭନୀୟ,ଦୁଃଲ୍ଲଭ ଏ ମଣିଷ ଜୀବନ ସତରେ!
ଯେତେ ଯେତେ ମାଟିରେ ମାଟି ହେବାକୁ ଆଗଉଛି ସେତେ ସେତେ ପିଲା ଦିନ,ମନ ମନେ ପଡୁଛି।
ଏଇ ମୁଣ୍ଡ ଟି ମୋର କଣ ଯେ---ଭାବିଲେ ଆଶ୍ଚର୍ଯ୍ୟ ଲାଗେ।ଟିକି ନିକି ମନେ ରଖିଛି ସବୁ!
ସିମ୍ ସିମ୍ ଖୁଲ୍ ଯା।ଏଇତ ଆଖି କ୍ୟାମେରାରେ ଦେଖା ଯାଉଛି----ଅଷ୍ଟମ ଶ୍ରେଣୀରେ ଆମର ଛଅଟା ସେକ୍ ସନ୍। ଦୁଇଶହ ସତଚାଳିଶ ପିଲା।ସେମାନଙ୍କ ମଧ୍ୟରୁ ଜଣକ ନାଁ ପାଗୁଆ।ଗୋଟିଏ ପୁଅ ଛଅ ଝିଅରେ।ମାତ୍ରାଧିକ ଗେହ୍ଲା।କାଳିଆ ଜୋକ ପରି ଚେହେରା।ହସିଦେଲେ କଳା ହାଣ୍ଡିଆ ବଉଦ ଭିତରେ ବିଜୁଳି ଚମକିଲା ପରି ଦାନ୍ତ ଗୁଡିକ ଦେଖା ଯାଏ।ଭାରି ହସଖୁସ୍ ମିଜାଜ୍ ର ପିଲାଟା।ସାହାଯ୍ୟ କରିବାକୁ ଯେ କୌଣସି ମୁହୂର୍ତ୍ତରେ ପ୍ରସ୍ତୁତ।ସବୁରି ପ୍ରିୟ ପାତ୍ର।
ପାଗୁଆର କିନ୍ତୁ ପାଠ ଘର ଶୁନ୍।ବିଶେଷ କରି ଇଂରାଜୀ ପରୀକ୍ଷାରେ ସବୁ ବେଳେ ପରୀକ୍ଷା ଖାତା ଗୁଡା ମଲ୍ଲୀ ଫୁଲ ପରି ହସନ୍ତି।ସବୁ ଥରକ ବଡ଼ ଠଅ ଟାଏ ସେ ପାଇଥାଏ।ସ୍କୁଲରୁ ଫେରିବା ବାଟରେ ଡାକି ଡାକି ଆସେ"ଆଳୁ ନେବ ଆଳୁ,ବଡ଼ ବଡ଼ ଆଳୁ।ଭାଜିବ,ପୋଡିବ,ତରକାରୀ କରିବ ନଲେ ସନ୍ତୁଳା।ମୋତେ ଆଳୁ ମିଳିଛି।ମାଗଣା ଦେବି ନିଅ ଗୋ ଆଳୁ।
ସମସ୍ତେ ହସି ହସି ବେଦମ ହୋଇ ଯାଆନ୍ତି ତା କଥାରେ।ମୁଁ ପିଲା ବେଳୁ ଭାରି ଚୁପ୍ ଚାପ୍ ରୁହେ।ଚାଲୁ ଚାଲୁ ଲକ୍ଷ୍ୟ କରେ ତା ମୁହଁ ସିନା ହସୁଥାଏ, ହେଲେ ତା ଆଖିରେ ଫୁଟି ଉଠେ ଅସହାୟତା।ଆକୁଳ ଭାଵ ଜାବୋଡି ଧରେ ତା ହୃଦୟକୁ।ହସି ହସି ଶେଷକୁ ଏକଦମ୍ ଚୁପ୍ ହୋଇ ଚାଲେ। ମୋତେ କଷ୍ଟ ଲାଗେ ତା ଆକୁଳ ଆଖିର ନିରବ ଭାଷା।
ଆମ ସମୟରେ ପୁଅ ଝିଅ ଭାଵ ଆମକୁ ଛୁଇଁ ନଥିଲା।ଆଜିକାଲି ମେଞ୍ଚଡ଼ ଛୁଆ ଗୁଡାଙ୍କର ଅସମ୍ଭବ ଧରଣର ପୁଅ ଝିଅ ଭାଵ ;ମୋତେ ଚକିତ କରେ।ଆମ ଭିତରେ ବନ୍ଧୁତା,ଏକତା ଭାଵ ପ୍ରଚୁର ଥିଲା।ପାଗୁଆ ପାଇଁ ମୋ ମନ ଭାରି ଦୁଃଖ। ମୁଁ ତାକୁ କୁହେ" ତୁ ମନ ଦେଇ ପଢୁନୁ।ସବୁ ବେଳେ ଖେଳୁଛୁ,ଖାଉଛୁ ଓ ଶୋଉଛୁ କାହିଁକି ଯେ"!
ସେ କାନ୍ଦି କାନ୍ଦି କୁହେ ମୋର ଭାରି ଇଚ୍ଛା ପଢିବାକୁ।ହେଲେ ହେଉଛି କେଉଁଠି???ଯାହା ପଢିଲେ ବି ମନେ ରହୁନାହିଁ।"ମୀନୁ ଲୋ! ମୋତେ କମ୍ କଷ୍ଟ ହେଉଛି ପାଠ ହେଉ ନାହିଁ ବୋଲି!ବିଶେଷ କରି ଇଂରାଜୀ ମୋର ଆଦୌ ହେଉ ନାହିଁ।ତୁ କହୁନୁ କଣ କରିବି"???
"ମୁଁ ତାକୁ କହିଲି ଶୁଣ, ତୁ ଧ୍ରୁବ ସାର୍ ଙ୍କ ପାଖକୁ ଯା।ସେ ବଢିଆ ଇଂରାଜୀ ପଢ଼ାନ୍ତି।ସେ ଯଦି ଚାହିଁବେ ତୁ ବି ଇଂରାଜୀ ଭଲ କରି ପାରିବୁ"।ସତକୁ ସତ ସେ ଧ୍ରୁଵ ସାର୍ ଙ୍କ ପାଖକୁ ଗଲା।ସେତେବେଳେ ଟିଉସନ ମାନିଆଁ କି ଅର୍ଥ ଉପାର୍ଜନ କରିବା ମାନସିକତା ନଥିଲା ଶିକ୍ଷକଙ୍କର।ସେ ରାଜି ହେଉ ନଥିଲେ ପ୍ରଥମେ।ପରେ ପିଲାଟିର ଆକୁଳ ଆଗ୍ରହ ଦେଖି ଘଣ୍ଟାଏ ଲେଖାଏଁ ପଢା ଇଲେ ତାକୁ।
ଆରେ ବାବା! ପାଗୁଆକୁ ଦେଖେ କିଏ???ଖାଲି ତ ଚୋବେଇଲା ଇଂରାଜୀ, ବାନ୍ତି କଲା ଇଂରାଜୀ।ଘୁଷି ମାଇଲା ଇଂରାଜୀ।ଖାଇଲେ,ପିଇଲେ,ଶୋଇଲେ ଇଂରାଜୀ କହିଲା।
ତା ମା ଠିଆ ହୋଇଥିଲେ କହିବ" ମଦର ଷ୍ଟାଣ୍ଡ"।ରୋଷେଇ ଘରକୁ ବିଲେଇ ଗଲେ କହିବ" ମଦର୍ ମଦର୍ ଇନ୍ ଘରକୁ କାଟ୍ ଗଲା"।
ଥରେ ତା ଦେହ ଖରାପ ହୋଇଥିଲା।ଡାକ୍ତର ପରା ମର୍ଶ ଦେଲେ ହର୍ଲିକ୍ସ୍ ପିଇବାକୁ।ସେ ଆସି ଘରେ କହିଲା ଡାକ୍ତର ଟକିଙ୍ଗ ଆଇ ହର୍ଲିକ୍ ଡ୍ରିଙ୍କିଙ୍ଗ୍ ।ମାଇଁ ବେଲି କାଟିଙ୍ଗ୍। ଭେରି ଭେରି ଭୋକ ମଦର୍ ଖାଇବା ଗିଭିଂ।ଖେଳିବାକୁ ଡାକିବ କମ୍ କମ୍ ପଡ଼ିଆରେ ବାଗୁଡି ପ୍ଲେଇଙ୍ଗ୍।
ତାର ଏ ଇଂରାଜୀ ଖଣ୍ଡି ଉଡା ଦେଖି ସମସ୍ତେ ତୋବା ହୋଇ ଗଲେ।ସାରଙ୍କ କାନକୁ ଏ କଥା ଗଲା।ସାର୍ ଆମ ସମସ୍ତଙ୍କ ଉପସ୍ଥିତି ରେ ପାଗୁଆକୁ ଡାକି କହିଲେ--"ବାଃ ତୁ ତ ବଢିଆ ଇଂରାଜୀ କହୁଛୁ।ମୋତେ ଲାଗୁଛି ତୁ ନିଶ୍ଚେ ଦିନେ ଇଂରାଜୀରେ
ନାଁ କମେଇବୁ।ହେଲେ ବାବା!ପ୍ରଥମେ ତୋ ମାତୃଭାଷାରେ ସୁନ୍ଦର ଭାବେ କହି ଶିଖ।ମନର ଭାଵ ଠିକ୍ ପ୍ରକାଶ କର ପ୍ରଥମେ ଓଡ଼ିଆରେ।କହ,ପଢ଼ ପ୍ରଚୁର ଓଡ଼ିଆ।ହଁ ଇଂରାଜୀ ଲୋଡ଼ା ଯୋଗା ଯୋଗ ପାଇଁ,ଉଚ୍ଚ ପଢା ପାଇଁ।କିନ୍ତୁ ଓଡ଼ିଆ ଲୋଡ଼ା ଜୀଇଁବା ପାଇଁ।ମନକୁ ଠିକ ଓ ସୁନ୍ଦର ଭାବେ ଫୁଟାଇବା ପାଇଁ ନିଜ ମାତୃଭାଷା ପ୍ରଥମ ମାଧ୍ୟମ"।
---ମାତୃଭାଷାରେ କହିବା,ବୁଝିବା କି ନିଜକୁ ପ୍ରକାଶିତ କରିବାକୁ ସାହାଯ୍ୟ ଆବଶ୍ୟକ ନୁହେଁ।ଏତ ଆମ ରକ୍ତରେ।ମାଆ ମୁହଁରେ।ବହୁତ ମିଠା,ଭାରି ଆପଣାର।ଯେଉଁଠି ରୁହ,ଯାହା ବି ହୁଅ କେବେ ଭୁଲିବ ନାହିଁ ତୁମେମାନେ ପିଲେ ନିଜ ମାତୃଭାଷାକୁ"
ପାଗୁଆ ଓରଫ ଫଗେନ୍ଦ୍ର ମହାନ୍ତି ଏବେ ଜଣେ ଦକ୍ଷ ଇଂରାଜୀ ପ୍ରଧ୍ୟାପକ।ମାତ୍ର ଆଶ୍ଚର୍ଯ୍ୟ ଶ୍ରେଣୀ ଗୃହ ବ୍ୟତୀତ ପାଗୁଆ ମୁହଁରେ କେବେ କେହି ଶୁଣି ନାହିଁ ଗୋଟିଏ ଇଂରାଜୀ ଶବ୍ଦ।ମାନିଛି ପାଗୁଆ ସାର୍ ଙ୍କ କଥା।ପେଟ ପାଇଁ ଇଂରାଜୀ ପଢାଏ।ମାତ୍ର ଆତ୍ମାରୁ ଭଲ ପାଏ ତା ମାତୃଭାଷା ଓଡିଆକୁ।ତା ଘର,ଗାଡିର ନେମ ପ୍ଲେଟ ବି ଓଡ଼ିଆରେ ଲେଖା।
ପାଗୁଆ ତା ଘରେ ବି କରିଛି ବିରାଟ ଚିତାକର୍ଷକ ଓଡ଼ିଆ ପାଠାଗାର ଟିଏ।କଲେଜରୁ ଆସିଲେ ପାଗୁଆ ସେଇ ପାଠା ଗାରରେ ହଜେ।ଯେଉଁଠି ଯେଉଁ ଓଡ଼ିଆ ବହି ବାହାରେ ପାଗୁଆ ଆଗ କିଣେ।ଏଥିପାଇଁ ତା ଶ୍ରୀମତୀ ବହୁତ ଗାଳି ଗୁଳଜ କରେ।ପାଗୁଆ କୁଆଡେ ଅଗାଡ଼ି,ମଫ।
ତାଙ୍କ ପିଲାମାନେ ବାବା କେମିତି ପ୍ରାଧ୍ୟାପକ ଇଂରାଜୀ ରେ ବୋଲି ସନ୍ଦେହ କରନ୍ତି।ପଢେଇ ପାରୁଥିବେ ତ ପିଲାଙ୍କୁ ଇଂରାଜୀ!ସବୁବେଳେ ଓଡ଼ିଆ ବହି ସଙ୍ଗେ ଲଟର ପଟର।ବାବା କି ପାଠ ପଢ଼ାଉଥିବେ କେଜାଣି!କିନ୍ତୁ କଲେଜର ସବୁ ପିଲାମାନେ ଫଗେନ୍ଦ୍ର ମହାନ୍ତି ସାର୍ ସାରଙ୍କ ପଢାକୁ ବେଶୀ ପସନ୍ଦ କରନ୍ତି।ଫଗେନ୍ଦ୍ର ସାରଙ୍କ ଅଗାଧ ଜ୍ଞାନ ବୋଲି ଚାରିଆଡେ ହୁରି। ତାଙ୍କ ଇଂରାଜୀ ପଢୁଆ ପିଲାଏ ବୁଝିପାରନ୍ତି ନାହିଁ ଏସବୁ ...
ପାଗୁଆର କାହା କଥା ପ୍ରତି ନିଘା ନାହିଁ।ସେ ନିଜ ମନର ରାଜା,ଇଛାର ମାଲିକ।ପାଗୁଆ ସାର୍ ମୋ ବନ୍ଧୁ ଆତ୍ମାରୁ ଜଣେ ସଫଳ ନିଆରା ବ୍ୟକ୍ତିତ୍ୱ।ମା, ମାଟି ଓ ମାତୃଭାଷା ପ୍ରତି ସମର୍ପିତ ଅମାୟିକ ମଣିଷ ଯାହା ଏ ଯୁଗରେ କେବଳ ଦୁଃଲ୍ଲଭ ନୁହନ୍ତି ଦୁଷ୍ପ୍ରାପ୍ୟ ମଧ୍ୟ।
*ସତ୍ୟବତୀ ସ୍ଵାଇଁ,ମୀନୁ,ବାଲିକୁଦା,ଜଗତସିଂହପୁର**