ଅଚିହ୍ନା ପ୍ରତିବିମ୍ବ
ଅଚିହ୍ନା ପ୍ରତିବିମ୍ବ
ସେଦିନ ସକାଳୁ ସକାଳୁ କଲେଜ ବାହାରିବା ସମୟରେ ପ୍ରତିଦିନ ଭଳି ଅଳ୍ପ ସମୟ ପାଇଁ ଆଇନା ପାଖରେ ଅଟକି ଯାଇଥିଲା କଳ୍ପନା। ଭାରି ସଜାଇ ହେଉଥିଲା ନିଜକୁ। ତା ଚନ୍ଦ୍ରବଦନୀ ମୁହଁରେ ବାହାରିଥିବା ବ୍ରଣକୁ ନେଇ ଭାରି ଚିନ୍ତିତ ଥିଲା। ଅସହ୍ୟ ମନେକରୁଥିଲା। ବ୍ରଣକୁ ଦୂର କରିବାକୁ ଅନେକ ଉପାୟ ପ୍ରୟୋଗ କରିଛି, ଔଷଧ ଖାଇଛି ତଥାପି ବ୍ୟର୍ଥ। ଏହାକୁ ନେଇ ମାଆଙ୍କ ପାଖରେ ଅଭିଯୋଗ କରେ। ମାଆ ବୁଝାନ୍ତି ବୟସ କ୍ରମରେ ଏହା ଆସେ। ତରୁଣ ବୟସରେ ଏହା ଆସିବା ସ୍ବାଭାବିକ। କୌଣସି ଉତ୍ତରରେ ମନ ମାନେନା ତାର। ଶେଷରେ ବାହାରି ପଡେ କଲେଜ ଅଭିମୁଖେ।
ସରିତା ଦେବୀଙ୍କ ଏକମାତ୍ର ଝିଅ କଳ୍ପନା। କେନ୍ସର ରୋଗରେ ସ୍ଵାମୀଙ୍କ ମୃତ୍ୟୁ ପରେ ସେ ହିଁ କଳ୍ପନାର ସବୁକିଛି ହୋଇ ରହିଛନ୍ତି। ସ୍ଵାମୀଙ୍କ ପେନସନ୍ ଟଙ୍କା , ତା ସାଙ୍ଗକୁ ସିଲେଇ କରି ଯାହା ରୋଜଗାର କରନ୍ତି ସେଥିରେ ଘର ଖର୍ଚ୍ଚ ଆଉ କଳ୍ପନାର ପଢାପଢି ପାଇଁ ହୋଇଯାଏ। କଳ୍ପନା ୩,କଳା ଦ୍ଵିତୀୟ ବର୍ଷରେ ପଢେ। ଦେଖିବାକୁ ଭାରି ସୁନ୍ଦର। ଢଳଢଳ ନୟନ। ନାଲି ଓଠ। କଞ୍ଚା ହଳଦୀ ରଙ୍ଗର ଶରୀର। ଯେମିତି ଯେ କେହି ବି ସେ ମୁହଁକୁ ଥରେ ଦେଖି ନେଲେ ତା ଜୀବନର ସମସ୍ତ ଅବସାଦ ଏକାବେଳକୁ ଉଭେଇଯିବ।
ଗାଁ ଆଠୁ କଲେଜ ପ୍ରାୟ ୧୦ କିଲୋମିଟର। କଲେଜ ଯିବାପାଇଁ ଛକରେ ବସ୍ କୁ ଅପେକ୍ଷା କରିଥାଏ କଳ୍ପନା। ପ୍ରତିଦିନ ଭଳି ସେଇ ଛକରେ ଆଜି କାଲିର ମଡର୍ଣ୍ଣ ପ୍ରେମିକ ସବୁ ତା ଚାରିପାଖରେ ଭିଡ ଜମାନ୍ତି। କିନ୍ତୁ କଳ୍ପନା ଆଜିକାର ଝିଅ। ଆଜିକାଲିକା ପ୍ରେମର ମାନେ କଣ ଭଲ ଭାବେ ଜାଣେ। ପ୍ରେମ ନା ରେ ଦୁନିଆରେ ଯାହା ସବୁ ଘଟେ ସବୁ ସେ ଜାଣିଛି। ଏମିତି ପ୍ରତିଦିନ ଚାଲେ। ତଥାପି ନୀରବରେ ସମ୍ଭାଳି ନିଏ ସେମାନଙ୍କ ହରକତ୍ କୁ। ଅନେକ ପ୍ରେମ ପ୍ରସ୍ତାବ ଆସେ। ସବୁକୁ ଅଗ୍ରାହ୍ୟ କରେ କଳ୍ପନା। କଛି ପ୍ରେମିକ ଅଧାରୁ ଉଭେଇଯାଆନ୍ତି ,କିଛି ପିଛା ଛାଡନ୍ତିନି, ପୁଣି କଛି ନୂଆ ନୂଆ ପ୍ରେମିକ ବି ଯୋଡି ହୋଇଯାଆନ୍ତି।
ପାଖ ଗଳିର ଅନ୍ଵେଷ ଆଜି ବି ହାଜର ଛକରେ। ବହୁତ ଦିନରୁ କଳ୍ପନା ପଛରେ ପଡିଛି। ବହୁତ ଥର ପ୍ରୋପଜ୍ ବି କରିଛି। ହେଲେ କଳ୍ପନା ଭଲ ଭାବେ ଜାଣେ ଅନ୍ବେଷର ପ୍ରକୃତି। ପ୍ରେମ ନାଁ ରେ ଫସେଇ ଅନେକ ଝିଅଙ୍କ ଜୀବନ ସହ ଖେଳେ। କିଛି ପ୍ରତି ଉତ୍ତର ଦିଏନି କଳ୍ପନା। ଅସହ୍ୟ ହୋଇଯାଏ ଅନ୍ବେଷ। ବହୁତ ଚେତାବନୀ ଦିଏ। ସନ୍ଧ୍ୟା କଲେଜରୁ ଫେରିବା ସୁଦ୍ଧା ଆଜି ତାର ଉତ୍ତର ଦରକାର କହି ପ୍ରତିବାଦ କରେ। କଳ୍ପନା ରୋକଠୋକ ଶୁଣାଇ ଦିଏ ସନ୍ଧ୍ୟା ନୁହଁ ସାତ ଜନ୍ମ ନେଲେ ବି ସେ ତାକୁ ଭଲ ପାଇବନି। ତଥାପି ଥୟ ଧରି ଅପେକ୍ଷା କରେ ସନ୍ଧ୍ୟା ସମୟକୁ। କଳ୍ପନାର ଉତ୍ତରକୁ। ଏତକ ମଧ୍ୟରେ ବସ୍ ଆସେ ଆଉ କଲେଜ ଚାଲିଯାଏ କଳ୍ପନା।
ସନ୍ଧ୍ୟା ସମୟ। ସବୁ ନିଜ ନିଜର କାମ ସାରି ଘରକୁ ଫେରୁଥାନ୍ତି। ଛକ ରେ ଲୋକଙ୍କ ଯିବାଆସିବା ଚାଲିଥାଏ। ଯାତ୍ରୀ ବିଶ୍ରାମଗାରରେ ଦୀର୍ଘ ସମୟ ଧରି କଳ୍ପନାର ଫେରିବା ବାଟକୁ ଚାହିଁ ବସିଛି ଅନ୍ବେଷ। ଭାବୁଛି ଆଜି ଯେମିତି ହେଲେ କଳ୍ପନାକୁ ତାର ବଶ କରିବ ଯଦି ନ ମାନେ ତା ହେଲେ ଆଜି ସବୁ ଦିନ ପାଇଁ ତାକୁ ଶେଷ କରିଦେବ। ସେଥିପାଇଁ ପୂରା ପ୍ରସ୍ତୁତ ହୋଇ ସାମାନ୍ୟ ନିଶାସକ୍ତ ଅବସ୍ଥାରେ ଜଗିଥାଏ। ଏତକ ମଧ୍ୟରେ ବସ୍ ଆସି ଛକରେ ଅଟକିଲା। କଳ୍ପନା ନିଜ ସାଥି ମାନଙ୍କ ସହ ବସରୁ ଓହ୍ଲାଇ ଘରକୁ ଯାଉଥାଏ। ସେମାନଙ୍କ ପିଛାକରେ ଅନ୍ବେଷ। ଛକର ଶେଷ ମୁଣ୍ଡରେ ଥିବା ବରଗଛ ନିକଟରୁ ସାଥିମାନେ ନିଜ ରାସ୍ତାରେ ଅଲଗା ହୋଇଯାଆନ୍ତି। କଳ୍ପନା ଏକକୀ ନିଜ ରାସ୍ତାରେ ଘର ଅଭିମୁଖେ ଆଗକୁ ବଢେ।
ଏକାନ୍ତତାର ସୁଯୋଗ ପାଇ ବାଟ ଓଗାଳେ ଅନ୍ବେଷ। ବହୁ ଦିନ ଧରି ଦେଇଥିବା ତା ପ୍ରେମ ପ୍ରସ୍ତାବର ପ୍ରତି ଉତ୍ତର ମାଗେ। ତା କଥାବାର୍ତ୍ତାରୁ କଳ୍ପନା ବୁଝି ସାରିଥାଏ ଅନ୍ବେଷ ନିଶାରେ ଅଛି। ତଥାପି ଜାଣି ଜାଣି କଦାପି ତା ଭଳି ପୁଅକୁ କେବେ ବି ଭଲପାଇବନି। ଏହା କହି ଅନ୍ବେଷକୁ ଏଡାଇ ଆଗକୁ ବଢେ କଳ୍ପନା। କଳ୍ପନାର ଏଭଳି ବ୍ୟବହାରରେ ଅତ୍ୟଧିକ କ୍ରୋଧିତ ହୋଇଯାଏ। ଭାରି ଅତିଷ୍ଠ ହୋଇପଡେ। ଶେଷରେ ନିଶାରେ ନିଜ ହିତାହିତ ବୁଦ୍ଧି ହରାଇ ପକେଟରୁ କାଚ ଶିଶିଟେ ବାହାର କରି ଠିପି ଖୋଲି ଫୋପାଡିଦିଏ କଳ୍ପନାର ମୁହଁରେ!!!!!!
ନିସ୍ତବ୍ଧ ପାଲଟିଯାଏ ଦୁନିଆ!!!! ଶୂନ୍ୟ ଆକାଶରେ ଅଟକିଯାଆନ୍ତି ଫେରନ୍ତା ପକ୍ଷୀଦଳ!!!! ନିର୍ବାକ ହୋଇଯାଏ ପ୍ରକୃତି!!!
କିଛି ଦିନ ପରେ...
ହସପିଟାଲର ବେଡ୍ ଉପରେ କଳ୍ପନା। ଚେତା ଫେରେ। ପାଟି ଖୋଲି ମାଆ....ମାଆ... ଡାକେ। ଅଳ୍ପ ଦୂରରୁ ଦୌଡିଦୌଡି ଆସନ୍ତି ମାଆ। ଏଭଳି ପରିବେଶରେ ନିଜକୁ ଦେଖି ଶଙ୍କିଯାଏ। ମାଆଙ୍କୁ ପଚାରେ ତାର କଣ ହୋଇଛି। ହେଲେ ମାଆଙ୍କ ମୁହଁରୁ କୌଣସି କଥା ବାହାରେ ନାହିଁ। ଲୁଗା କାନିରେ ଲୁହ ପୋଛି ବଳ ବଳ ହୋଇ କଳ୍ପନାର ମୁହଁକୁ ଚାହିଁ ରହିଥାନ୍ତି। ସେମିତି ଆଖପାଖ ବେଡରେ ଥିବା ସମସ୍ତେ ନିରୀହ ଚକ୍ଷୁରେ ଦେଖୁଥାନ୍ତି। ସନ୍ଦେହରେ ପଡିଯାଏ କଳ୍ପନା। ନିଜ ମୁହଁକୁ ଦେଖିବାକୁ ଇଛା କରେ। ଦର୍ପଣ ମାଗେ ମାଆଙ୍କୁ। ମାଆ ମନା କରନ୍ତି, ତଥାପି ଜିଦ୍ ଧରେ। ଶେଷରେ କଳ୍ପନାର ହାତକୁ ବଢାଇ ଦିଅନ୍ତି ଦର୍ପଣଟିକୁ।
ଦର୍ପଣ ଧରୁଧରୁ ଥରି ଉଠେ କଳ୍ପନା। ଦର୍ପଣରେ ନିଜକୁ ଭାରି ଖୋଜେ। ହେଲେ ୟେ କାହା ବିକୃତ ପ୍ରତିବିମ୍ବ। ଚିହ୍ନିପାରେନା। ହଠାତ୍ ହାତରୁ ଖସିଯାଏ ଦର୍ପଣ! ସେଇ ଖଣ୍ଡ ଖଣ୍ଡ ଦର୍ପଣରେ ପୁଣି ପ୍ରତିବିମ୍ଵିତ ହୁଏ ସେଇ ନିଷ୍ଠୁର ପ୍ରେମର ପ୍ରତିବିମ୍ବ। ମନେ ପଡିଯାଏ ସେଦିନ ତା ସହ ଘଟିଥିବା ଘଟଣା ସବୁ। ଶେଷରେ ବୁକୁଫଟା କାନ୍ଦରେ ପ୍ରକମ୍ପିତ ହୋଇଉଠେ କୋଠରୀ।
ଆଜି ନା ଅଛି ସେଇ ଚନ୍ଦ୍ରବଦନୀ ମୁଖ ନା ଅଭିଯୋଗ। ସେ ନିଷ୍ଠୁର ପ୍ରେମର ଫଳ ସବୁ ଦିନ ପାଇଁ ତା ମୁହଁରେ କଳଙ୍କି ବୋଳି ଚାଲିଯାଇଛି। କଳ୍ପନା ଆଜି ବି ବଞ୍ଚିଛି କଳ୍ପନାରେ।
* * *
ଅନିରୁଦ୍ଧ ସାମନ୍ତରା କଲ୍ୟାଣ ସିଂହପୁର, ରାୟଗଡ ୯୪୩୮୬୮୫୮୬୫