Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କି ବା ଅସାଧ୍ୟ ମହୀତଳେ
କି ବା ଅସାଧ୍ୟ ମହୀତଳେ
★★★★★

© sushama Parija

Inspirational

11 Minutes   314    37


Content Ranking

ଦୃଢ ସିଆଉ କଠୋର ସାଧନ ବଳରେ ମଣିଷ ଅସାଧ୍ୟ ସାଧନ କରିପାରେ ତା’ର ଅନେକ ଉଦାହରଣ ରହିଛି । ତନ୍ମଧ୍ୟରୁ ଏକ ଜ୍ୱଳନ୍ତ ଉଦାହରଣ ହେଲେ ପର୍ବତାରୋହୀ ଅରୁଣିମା । ତାଙ୍କର ଜୀବନରେ ଆସିଥିବା ଭୟଙ୍କର ବିପର୍ଯ୍ୟୟ ମାନଙ୍କୁ ଦୃଢ ଭାବରେ ସାମନା କରି ସେ ଆଜି ବିଶ୍ଵର ଜଣେ ଆଗଧାଡିର ପର୍ବତାରୋହୀ ରୂପେ ଉଜ୍ବଳ କୀର୍ତ୍ତିମାନ ସ୍ଥାପନା କରି ନିଜ ପିତାମାତାଙ୍କ, ନିଜ ଦେଶର ମର୍ଯାଦା ସାରା ବିଶ୍ବରେ ପ୍ରତିଭାତ କରାଇଛନ୍ତି । ନିକଟ ଅତୀତରେ ଭିନ୍ନକ୍ଷମ ମାନଙ୍କର ଗୋଟିଏ ସଭାରେ ସେଇ ମହୀୟସୀ ମହିଳାଙ୍କର ଉଦାତ୍ତ କଣ୍ଠରେ ବୟାନ କରିଥିବା ନିଜର ଆତ୍ମକଥା ର ଭିଡିଓ ଟି ସୋସିଆଲ୍ ମିଡ଼ିଆ ରେ ଭାଇରାଲ୍ ହୋଇ ମୋ ଭଳି ଲକ୍ଷ ଲକ୍ଷ ଭିନ୍ନକ୍ଷମ ମାନଙ୍କ ମନରେ ଯେଉଁ ଦୃଢ ମନୋବଳ ର ଉତ୍ତାଳ ତରଙ୍ଗ ସୃଷ୍ଟି କରିଥିଲା, ସେଇ ପରିପ୍ରେକ୍ଷୀରେ ଏଇ ଗଳ୍ପ ଟିର ଅବତାରଣା ।ତାଙ୍କରି ମୁହଁ ରେ ତାଙ୍କରି କାହାଣୀ .....

ଦୁଇ ହଜାର ଏଗାର ମସିହାର ଏପ୍ରିଲ୍ ମାସର ଏଗାର ତାରିଖ । ସେତେବେଳକୁ ମୁଁ ଜଣେ ଜାତୀୟ ଭଲିବଲ୍ ଟିମ୍ ର ତାରକା ଖେଳାଳୀ । କୌଣସି ବ୍ୟକ୍ତିଗତ କାର୍ଯ୍ୟ ରେ ଟ୍ରେନ୍ ରେ ଯାତ୍ରା କରୁଥାଏ ଲକ୍ଷ୍ନୌ ରୁ ଦିଲ୍ଲୀ । ଟ୍ରେନ୍ ରେ ଚୋରି ହେବାଟା ଗୋଟାଏ ସାଧାରଣ କଥା । ଏକେ ତ ଏକୁଟିଆ ଯୁବତୀ ଝିଅ ଦ୍ୱିତୀୟ ରେ ସାଧାରଣ କମ୍ପାର୍ଟମେଣ୍ଟ ରେ ଯାତ୍ରା କରୁଛି ମାନେ ସାଧାରଣ ଝିଅ, ବିପଦ ସବୁଠୁ ବେଶି । ଜଣେ ଲୁଟେରା ଆସି ମୋ ବେକରେ ପଡିଥିବା ପତଳା ସୁନାଚେନ୍ ଟିକୁ ଝିଙ୍କିଲା, ମୁଁ ଚାପି ଧରିଲି ତା’ର ହାତ କୁ, ପାଟି କରି ଚିଲ୍ଲେଇଲି “ବଞ୍ଚାଅ” “ବଞ୍ଚାଅ” ବୋଲି ,ଲୁଟେରା ଦଳର ଆଉ ଜଣେ ମାଡି ଆସିଲା, ହାତରେ ଛୁରୀ ଧରି ଠିଆ ହେଲା ମୋ ଆଗରେ। ତା’ର ଛୁରୀ ଦେଖି କେହି ସାହାସ କଲେନି ମତେ ରକ୍ଷା କରିବା ଲାଗି । ମୁଁ କିନ୍ତୁ ଭିଡି କରି ମୁଠାଇ ଧରିଥାଏ ମୋର ଚେନ୍ କୁ। ଲୁଟେରା ତା’ର ପ୍ରାଣପଣେ ଲାଗିଥାଏ ଚେନ୍ ଟି ଛିଣ୍ଡାଇ ନେବାକୁ ହେଲେ ମୁଁ ଛାଡୁ ନଥାଏ, ସବୁ ବଳ ଖର୍ଚ୍ଚ କରି ମୁଠାଇ ଧରି ଥାଏ ଚେନ୍ କୁ । ଏମିତି ଧସ୍ତାଧସ୍ତି ଭିତରେ ଲୁଟେରା ଦୁଇଜଣ ମୋତେ ଘୋଷାରି ଆଣି ଫିଙ୍ଗିଦେଲେ ଟ୍ରେନ୍ ବାହାରକୁ, ଦୁର୍ଭାଗ୍ୟ କୁ ଆରପଟୁ ଆସୁଥିଲା ଆଉ ଗୋଟିଏ ଦ୍ରୁତଗାମୀ ଟ୍ରେନ୍, ସେଥିରେ ପିଟି ହୋଇ ମୁଁ ଖସି ପଡିଲି ଟ୍ରାକ ଉପରେ। ସେଇଟା ଷ୍ଟେସନ୍ ପାଖାପାଖି ସ୍ଥାନ ନଥିଲା, ତେଣୁ କେହି ଲୋକବାକ ନଥିଲେ ସେଠି। ମୁଁ ଖଣ୍ଡିଆଖାବରା ହୋଇ ସେମିତି ଚିତ୍କାର କରୁଥାଏ , ପ୍ରାଣ ବିକଳରେ ପାଣି, ପାଣି ବୋଲି କରୁଥାଏ, ହେଲେ କେହି ନଥାନ୍ତି ସେଠାରେ ମୋର ଡାକ ଶୁଣିବାକୁ । ମୁହଁ ମାଡି ତଳେ ପଡିଥାଏ ,ବହୁତ କଷ୍ଟ ରେ ମୁଁ ନିଜେ ଘୋଷାରି ହୋଇ ହାତରେ ଭରା ଦେଇ ଉଠିବାକୁ ଚେଷ୍ଟା କଲି, ପାରିଲିନି, ବେକ ମୋଡି ତଳକୁ ଚାହିଁଲି, ସେତିକି ବେଳେ ମୋର ନଜର ପଡିଲା ମୋର ପାଦ ଉପରେ । ଗୋଟାଏ ଗୋଡ ଅଧାରୁ କଟି ଯାଇ ପାଦ ଟା ତଳେ ପଡିଥିଲା , ଆର ପାଦଟା ଉଠେଇବାକୁ ଚେଷ୍ଟା କରିବା ବେଳକୁ ଉଠୁନଥିଲା, ଭାବିଲି ଆର ପାଦଟା ବି ଭାଙ୍ଗି ଚୁନା ହୋଇ ଯାଇଛି ବୋଧହୁଏ । ଭୀଷଣ ରକ୍ତସ୍ରାବ ଆଉ ଯନ୍ତ୍ରଣା ରେ ଅଚେତ୍ ହୋଇଗଲି ମୁଁ । ସାତଘଣ୍ଟା କାଳ ସେମିତି ପଡି ରହିଥିଲି ମୁଁ । ସେଇ ସାତ ଘଣ୍ଟା ମଧ୍ୟରେ ଅଣଚାଶ ଟି ଟ୍ରେନ୍ ପାଶ୍ କରିଥିଲା ସେଇ ବାଟ ଦେଇ, ହେଲେ କାହାରି ଦୃଷ୍ଟି ମୋ ଉପରେ ପଡି ନଥିଲା ।

ଈଶ୍ବର ଙ୍କ କରୁଣାରୁ ଭୋର୍ ବେଳକୁ କିଛି ଲୋକ ନିତ୍ୟକର୍ମ କରିବାକୁ ଆସି ରେଳ ଧାରଣା ଉପରେ ଦେଖିଲେ ମତେ । ହୋ ହାଲ୍ଲା କରି ଅନେକ ଲୋକ ଆସି ଜମାହେଲେ ସେଠାରେ, ସେଇମାନଙ୍କ ଭିତରୁ କେହି ଖବର ଦେଲେ ରେଳବାଇ ପୋଲିସ ଆଉ ଆମ୍ବୁଲାନସ୍ କୁ। ସ୍ଥାନ ଟି ବରେଲି ପାଖାପାଖି ଥିଲା, ବରେଲି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ମତେ । ମତେ ଏମିତି ଅବସ୍ଥା ରେ ଦେଖି ଡାକ୍ତରମାନେ ବୁଝି ପାରୁନଥିଲେ ଯେ ଚିକିତ୍ସା କେଉଁଠୁ ଆରମ୍ଭ କରିବେ, ମୋର ମୁହଁ ଟି ସଫା କଲା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଚିହ୍ନି ପାରିଲେ ମତେ, ଚିତ୍କାର କରି କହିଲେ “ ଆରେ, ଇଏ ତ ଆମର ଜାତୀୟ ଭଲିବଲ୍ ଖେଳାଳି “ ଅରୁଣିମା “।ତା’ପରେ ଜୋରସୋରରେ ଆରମ୍ଭ ହୋଇଥିଲା ମୋର ଚିକିତ୍ସା । ମୁଁ ସବୁ ଦେଖୁଥାଆନ୍ତି, ଡାକୁଥାଏ ହେଲେ ପ୍ରଚୁର ରକ୍ତସ୍ରାବ ଯୋଗୁଁ ମୋର ପାଟିରୁ କଥା ବାହାରୁ ନଥାଏ । ବହୁତ କଷ୍ଟ ରେ ମୁଁ ଖନେଇ ଖନେଇ କହିଲି ମୋର ଗୋଡ ଭାଙ୍ଗି ଯାଇଛି । ସେମାନେ ଆଗ ସେଇ କଟି ଯାଇଥିବା ଗୋଡର ଚିକିତ୍ସା ଆରମ୍ଭ କରିଥାନ୍ତି, ରକ୍ତସ୍ରାବ ସେ ପର୍ଯ୍ୟନ୍ତ ବନ୍ଦ ହୋଇ ନଥାଏ , ସେଥିରେ ପୁଣି ରେଲୱେ ଟ୍ରାକ୍ ଉପରେ ଯିବା ଆସିବା କରୁଥିବା ଛୋଟ ଛୋଟ ମୂଷାମାନେ ସେଇ ଖଣ୍ଡିଆ ଜାଗାକୁ ତାଙ୍କର ମୁନିଆଁ ଦାନ୍ତ ମାନଙ୍କରେ ଆହୁରି କାଟି ପକାଇ ଥାଆନ୍ତି । ମୁଁ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥାଏ।

ଦୁର୍ଭାଗ୍ୟକୁ ସେଇ ହସ୍ପିଟାଲରେ ମୋ ଗ୍ରୁପ୍ ର ବ୍ଲଡ୍ ମିଳୁ ନଥାଏ, କିନ୍ତୁ ଈଶ୍ବରଙ୍କ ଅପାର କରୁଣା ଦେଖ, ମୋତେ ଚିକିତ୍ସା କରୁଥିବା ସମସ୍ତ ଡାକ୍ତର, କମ୍ପାଉଣ୍ଡର , ସହାୟକ, ମାନେ ନିଜ ନିଜର ଗୋଟିଏ ଲେଖାଏଁ ଇଉନିଟ୍ ରକ୍ତ ନିସଙ୍କୋଚରେ ଦାନକରି ମୋର ପ୍ରାଣ ରକ୍ଷା କରିଥିଲେ ।ଏହା ଈଶ୍ବରଙ୍କ ଆଶୀର୍ବାଦ ନୁହେଁ ତ ଆଉ କ’ଣ ? ମୋ ଜୀବନକାଳ ଭିତରେ ଏମିତି ଘଟଣାଟିଏ ମୁଁ ଶୁଣି ନଥିଲି ।ଖବର ପାଇ ମୋର ବାପା ମାଆ ଭାଇ ସମସ୍ତେ ଆସି ପହଞ୍ଚିଥିଲେ ହସ୍ପିଟାଲରେ। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ତୁରନ୍ତ ସାହାଯ୍ୟ ଯୋଗାଇ ଦିଆ ଯାଇଥିଲା, ମୋର ବାମ ଗୋଡଟି କଟା ହୋଇ କୃତ୍ରିମ ଗୋଡଟିଏ ଲାଗିଥିଲା ଏବଂ ଡାହାଣ ଗୋଡକୁ ରଡ୍ ଭର୍ତ୍ତି କରି ସଜାଡି ଅପରେସନ୍ କରି ଦିଆଯାଇଥିଲା । ହସ୍ପିଟାଲରେ ପଡି ରହି ଧୀରେ ଧୀରେ ସୁସ୍ଥ ହେଉଥିଲି ମୁଁ । ଦୁଇ ମାସପରେ ପ୍ରଥମ ଥର ପାଇଁ ସମ୍ବାଦପତ୍ରରେ ଆଖି ପକାଇଲା ବେଳକୁ ପଢିଲି ମୋ ବିଷୟରେ କିଛି ଅଭାବନୀୟ ସମ୍ବାଦ । “ଜଣାଶୁଣା ଭଲିବଲ୍ ଖେଳାଳି ଅରୁଣିମା ବିନା ଟିକେଟ୍ ରେ ରେଳରେ ଯାତ୍ରା କରୁଥିବା ବେଳେ ଟିକେଟ୍ କଲେକ୍ଟରଙ୍କ ହାତରେ ଧରାପଡ଼ିବାରୁ ଟ୍ରେନ୍ ରୁ ତଳକୁ ଡିଆଁ ମାରି ଆତ୍ମହତ୍ୟା କରିବା ବେଳେ ଆହତ ହୋଇଛନ୍ତି “। ଦୁର୍ଘଟଣା ର ଯନ୍ତ୍ରଣା ଅପେକ୍ଷା ଏଇ ସମ୍ବାଦର ଧକ୍କା ବହୁତ ଦୋହଲାଇ ଦେଲା ମୋତେ । ଖୁବ୍ କାନ୍ଦିଲି ସେଦିନ । କାନ୍ଦି କାନ୍ଦି ତକିଆ ଭିଜେଇ ଦେଲି, ଆଖିରୁ ଲୁହ ଶୁଖିଗଲା ହେଲେ ମନରୁ ଦାଗ ଲିଭିଲାନି । ସେଇ ମେଡିକାଲ ର ବେଡ୍ ଉପରେ ଶୋଇ ଶୋଇ ପ୍ରତିଜ୍ଞା କଲି “ ଆଜି ତୁମ ମାନଙ୍କର ବେଳ ପଡିଛି, ଯାହା କହିବାର କହିଯାଅ, କିନ୍ତୁ କାଲି କି ମୋର ଦିନ ନିଶ୍ଚୟ ଆସିବ, ତମ ମାନଙ୍କୁ, ସାରା ସଂସାରକୁ ମାନିବାକୁ ପଡିବ ଅରୁଣିମାକୁ । ମୁଁ ଏମିତି କିଛି କାମ କରିଯିବ ଯେ ମୋ ମଲାପରେ ମଧ୍ୟ ମୋ ନାଆଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ସେଇଠି ସ୍ଥିର କଲି ମୁଁ ପର୍ବତାରୋହଣ କରିବି । ପରିବାର ଲୋକଙ୍କୁ ଜଣାଇଲି ମନକଥା । ସମସ୍ତେ କାବାକାଠ ହୋଇ ଚାହିଁଲେ ମୋ ମୁହଁକୁ । କହିଲେ “ ତୁ ଦିବାସ୍ବପ୍ନ ଦେଖୁଛୁ କି? ଗୋଟାଏ ଗୋଡ ନାହିଁ, ଆଉ ଗୋଟାଏ ଗୋଡରେ ରଡ୍ ଭର୍ତ୍ତି ହୋଇଛି, ଠିକ୍ ରେ ଚାଲି ପାରୁନୁ, କହୁଛୁ କ’ଣ ନା ମାଉଣ୍ଟେନିୟରିଂ କରିବି, ଦିବାସ୍ବପ୍ନ ଭୁଲିଯା ଝିଅ ! ବରଂ ଆଉ କିଛି କୋର୍ସ୍ କରି ସରକାରୀ ହେଉ କି ବେସରକାରୀ ହେଉ, ଚାକିରୀ ଟିଏ କରି ଗୁଜୁରାଣ ମେଣ୍ଟାଇବାକୁ ଚେଷ୍ଟା କର “ । ମୁଁ କିନ୍ତୁ ମୋ ଜିଦ୍ ରେ ଅଟଳ ରହିଲି । ମୋଟେ ଶୁଣିଲେ ନାହିଁ କାହାରି କଥା । ପେପର୍ ଦେଖି ମାଉଣ୍ଟେନିୟରିଂ ଇନଷ୍ଟିଚ୍ୟୁଟ୍ ର ଠିକଣା ସବୁ ସଂଗ୍ରହ କଲି । ମାଡାମ୍ ବଚେନ୍ଦ୍ରୀ ପାଲ୍ ଙ୍କର ଠିକଣା ସଂଗ୍ରହ କରି ତାଙ୍କୁ ଚିଠି ଲେଖିଲି ମୋତେ ତାଙ୍କର ଶିଷ୍ୟା ଭାବରେ ଗ୍ରହଣ କରି ଟ୍ରେନିଂ ଦେବା ଲାଗି । ମୋର ଏକାଗ୍ରତା ଦେଖି ମୋ ଭାଇ ମୋର ସହାୟତା ପାଇଁ ହାତ ବଢେଇଲା । ସାଢେ ତିନି ମାସ ପରେ ଯେତେବେଳେ ମତେ ହସ୍ପିଟାଲରୁ ଡିଶ୍‌ଚାର୍ଜ କରାଗଲା ସେତେବେଳେ ମୁଁ ଘରକୁ ଯିବା ପରିବର୍ତ୍ତେ ସିଧା ସଳଖ ଚାଲିଲି ମାଡାମ୍ ବଚେନ୍ଦ୍ରୀ ପାଲ୍ ଙ୍କର ଘରକୁ । ମୋର ଡାହାଣ ଗୋଡରେ ସେ ପର୍ଯ୍ୟନ୍ତ ଷ୍ଟାପଲର୍ ର ଷ୍ଟିଚ୍ ରହିଥିଲା, ବାମ ପଟରେ ଲାଗିଥିବା କୃତ୍ରିମ ଗୋଡ ଟି ଠିକ୍ ଠାକ୍ ପଡୁ ନଥିଲା , ସେଇ ଅବସ୍ଥାରେ ମତେ ଦେଖି ମାଡାମ୍ ଆଚମ୍ବିତ ହେଲେ । ମୋର ଦୃଢ ନିଶ୍ଚୟ ଶୁଣି ସେ କହିଲେ “ଠିକ୍ ଅଛି ଅରୁଣିମା ! ତୁମର ଆତ୍ମବିଶ୍ବାସ ଆଉ ନିଷ୍ଠା ଦେଖି ମୁଁ ଖୁବ୍ ଖୁସି ହେଲି, ତୁମକୁ ଶିଷ୍ୟା ଭାବରେ ଗ୍ରହଣ କରିବାକୁ ମଧ୍ୟ ପ୍ରସ୍ତୁତ ହେଲେ ତୁମକୁ ପ୍ରମାଣିତ କରିବା ଲାଗି ପଡିବ ଯେ ତୁମର ଏଇ ଗୋଡ ଦୁଇଟି ସହିତ ତୁମେ ମାଉଣ୍ଟେନିୟରିଂ କରିବା ଲାଗି ସମର୍ଥ, ତେବେ ଯାଇ ତୁମର ଶିକ୍ଷା ଆରମ୍ଭ ହେବ। ଏବେ ତୁମେ ଯାଇ ନୂତନ ଶିକ୍ଷାର୍ଥୀ ମାନଙ୍କୁ ଦେଖ । ସପ୍ତାହେ ସମୟ ନିଅ, ତୁମର ସାମର୍ଥ୍ୟ ପ୍ରତିପାଦିତ କର “। ମୁଁ ଚାଲିଗଲି ନୂତନ ଭାବେ ଶିକ୍ଷା ନେଉଥିବା ପିଲାଙ୍କ ପାଖକୁ । ସେଦିନ ସେଠାରେ ଉପସ୍ଥିତ ରହି ସେମାନଙ୍କ ପ୍ରାକ୍ଟିସ୍ ଦେଖିଲି। ତହିଁଆର ଦିନ ପାଦ ରଖିଲି ଭୂମିରେ, ଖୁବ୍ କଷ୍ଟ ହେଉଥିଲା, ରକ୍ତ ବାହାରି ଆସୁଥିଲା,  ତଥାପି ଡରିଲିନି, ଆଉ ପାଦେ ଆଗେଇଲି। ଧୀରେ ଧୀରେ କଷ୍ଟ ଦେହସୁହା ହୋଇଗଲା ।

ଅଭ୍ୟାସ ଆରମ୍ଭ କଲି। ଯେଉଁ ଦୂରତ୍ବ କୁ ସେମାନେ ଘଣ୍ଟାକରେ ଅତିକ୍ରମ କରୁଥିଲେ, ମତେ ତିନି ଘଣ୍ଟା ଲାଗୁଥିଲା , ତେବେ ବି ଚେଷ୍ଟା କରି ଚାଲିଥିଲି। ଆଠମାସ ପରେ ସେମାନଙ୍କ ସମକକ୍ଷ ହୋଇ ମୁଁ ମାଡାମ୍ ଙ୍କୁ ଭେଟିଲି । ମାଡାମ୍ ବହୁତ୍ ଖୁସି ହେଲେ, କହିଲେ ସୁନା ଝିଅ! ଏବେ ତୁମେ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ମାଉଣ୍ଟେନିୟରିଂ କରିବା ଲାଗି । 

ମୋ ପରିବାର ବାହାରେ ସେ ଏକ ମାତ୍ର ମହିଳା ଥିଲେ ଯିଏ ମୋ ସାମର୍ଥ୍ୟ ଉପରେ ଭରସା କରିଥିଲେ । ଏବେ ପ୍ରସ୍ତୁତି ପର୍ବ । ଆମ ନିମ୍ନ ମଧ୍ୟବିତ୍ତ ପରିବାରରେ ଏତେ ବଡ ଅଭିଯାନ ପାଇଁ ପଇସା ଯୋଗାଡ କରିବା ସଂପୂର୍ଣ୍ଣ ଅସମ୍ଭବ । ସେଥିପାଇଁ ସ୍ପନସରଶିପ୍ ଯୋଗାଡ କରିବା ପାଇଁ ମଧ୍ୟ ମାଡାମ୍ ସାହାଯ୍ୟ କଲେ। ସାଙ୍ଗରେ ରହିବା ପାଇଁ ଶେର୍ପା ମଧ୍ୟ ଯୋଗାଡ କରିଦେଲେ ।

ଶୁଭ ମୁହୂର୍ତ୍ତ ରେ ଆମ ଆଠ ଜଣିଆ ଅଭିଯାତ୍ରୀ ଦଳ ର ଏଭରେଷ୍ଟ ଅଭିଯାନ ଆରମ୍ଭ ହେଲା । ମୋର ଅବସ୍ଥା ପ୍ରାୟ ସମସ୍ତଙ୍କୁ ଜଣାଥିଲା , ତେଣୁ ସମସ୍ତେ ମୋତେ କହୁଥାନ୍ତି, ଧୀରେ ଧୀରେ ଆସ ଅରୁଣିମା ଧୀରେ ଧୀରେ କିନ୍ତୁ ମୁଁ ଡଗଡଗ ହୋଇ ତାଙ୍କ ସହିତ ଚାଲୁଥାଏ । କ୍ୟାମ୍ପ ୱାନ୍ ରେ ପହଞ୍ଚି ସମସ୍ତେ ବିଶ୍ରାମ ନେଲୁ। ବରଫ ଉପରେ ଚାଲି ଚାଲି ପାଦ ରୁ ରକ୍ତ ବାହାରି ଆସିଥିଲା , କୃତ୍ରିମ ଗୋଡଟି ମଧ୍ୟ ଜଙ୍ଘରେ ଘଷି ହୋଇ ଖଣ୍ଡିଆ ଖାବରା ହୋଇ ଯାଇଥିଲା , ସବୁ କଷ୍ଟ କୁ ସହି ପୁଣି ଯାତ୍ରା ଆରମ୍ଭ କଲୁ ରାତିରେ । ସାଧାରଣତଃ ରାତିରେ ହିଁ ପର୍ବତାରୋହୀଙ୍କୁ ଯାତ୍ରା କରିବା ସୁବିଧାଜନକ ହୋଇଥାଏ କାରଣ ଦିନବେଳା ସୂର୍ଯ୍ୟ ତାପରେ ବରଫ ତରଳି ଗୋଡ ଖସିଯାଏ, ଥକାପଣ ବି ଅଧିକ ରହେ ,ସେଥିପାଇଁ ରାତିର ଯାତ୍ରା ହିଁ ପସନ୍ଦ କରନ୍ତି ସମସ୍ତେ। କଷ୍ଟେମଷ୍ଟେ କ୍ୟାମ୍ପ ଥ୍ରୀ ରେ ପହଞ୍ଚିଗଲୁ । ଆଉ ଅଳ୍ପ କିଛି ବାଟ ବାକି ଆମ ଲକ୍ଷ୍ୟ ହାସଲ କରିବା ପାଇଁ । ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ । ଏଥର ଯାତ୍ରା କିନ୍ତୁ ସହଜ ହେଉ ନଥାଏ । ମୁଣ୍ଡରେ ଲାଗିଥିବା ହେଡ୍ ଲାଇଟ୍ ର ଆଲୁଅ ଯୁଆଡେ ଯୁଆଡେ ପଡୁଥିଲା ସିଆଡେ ଅନେଇଲା ବେଳକୁ ଶବ ମାଳ ମାଳ । ଚାଖଣ୍ଡେ ଜାଗା ବି ଖାଲି ନାହିଁ ପାଦ ରଖିବାକୁ ।

ଦେହ ଶୀତେଇ ଉଠୁଥାଉ ମୋର ସେଇ ଶବ ମାନଙ୍କୁ ଦେଖି। ଶେର୍ପା କହିଲା “ ଏମାନେ ସବୁ ତୁମରି ଭଳି ଏଭରେଷ୍ଟ ବିଜୟ କରିବା ନିଶାରେ ଆସିଥିଲେ ଏତେ ବାଟ , କାହାର ଅକ୍ସିଜେନ୍ ସରିଗଲା ବାଟରେ ତ କିଏ ଅବଶ୍ୟ ହୋଇ ପଡି ରହିଲା ଏଠାରେ, ମାଇନସ୍ ସିକ୍ସଟି ଡିଗ୍ରୀ ସେଲସିୟସ ର ଉତ୍ତାପ ସମ୍ଭାଳି ପାରିଲାନି , ଏଇଠି ପଡି ରହିଲା ବରଫ ହୋଇ , ବିଶ୍ୱ ବିଜୟ କରିବାର ଅଭିଳାଷ ନେଇ ଚାଲିଗଲା ଆରପାରି କୁ । ମୋର ମୁଣ୍ଡ ଝାଇଁ ମାରି ଯାଉଥିଲା, “ଆଗକୁ ଯିବାକୁ ହେବ ମତେ” ଆଖି ବନ୍ଦ କରି ଏଇ ମନ୍ତ୍ର ଘୋଷି ଘୋଷି ଆଗରେ ପଡିଥିବା ଦୁଇଟି ଶରୀର କୁ ବାଡିରେ ଘୁଞ୍ଚାଇ ଦେଇ ପାଦ ପକେଇଲି ଆଗକୁ ଆଗକୁ । ମତେ ଆଉ କିଛି ଦେଖା ଯାଉନଥିଲା ଏଭରେଷ୍ଟ ଶୃଙ୍ଗ ବ୍ୟତୀତ । ଯେମିତି ହେଲେ ସେଠାରେ ପହଞ୍ଚିବାକୁ ହେବ, ଏଇ ସଂକଳ୍ପ ନେଇ ଚାଲୁଥାଏ । ଏଇ ସମୟରେ ମତେ ଝଟକାଟିଏ ଦେଲା ଶେର୍ପା “ ତୁମର ଅକ୍ସିଜେନ୍ ସରି ଆସୁଛି, ଏଇଠୁ ଫେରିଲା,ନହେଲେ ହୁଏତ ଫେରିବା ମଧ୍ୟ ଅସମ୍ଭବ ହୋଇ ପଡିବ” । ମୁଁ ଅବାକ୍ ହୋଇ ଚାହିଁଲି ତା’କୁ । ସେଇ ମୁହୂର୍ତ୍ତ ରେ ଶେର୍ପା ଗୋଟାଏ ବଦ୍ଧ ପାଗଳ ବୋଲି ମୋର ମନେହଲା । ମୋର ଲକ୍ଷ୍ୟସ୍ଥଳ ଆଉ ଅଳ୍ପ କିଛି ଦୂରରେ, ଆଉ ଇଏ କହୁଛି ଏଇଠୁ ଫେରିଚାଲ । “ଅସମ୍ଭବ, ଏକବାର ଅସମ୍ଭବ” ମୁଁ ଚିହିଁକି ଉଠିଲି । ସେ ମୋତେ ବୁଝାଇବାକୁ ଚେଷ୍ଟା କଲା “ ଆରେ ଝିଅ! ଜୀବନ ଟା ମୂଲ୍ୟବାନ ନା ଲକ୍ଷ୍ୟ? ଜୀବନ ରକ୍ଷା କରି ଏବେ ଫେରି ଚାଲ, ଜୀବନରେ ରହିଲେ ଆଉଥରେ ଚେଷ୍ଟା କରିବ । ମୋ ଛୋଟ କଥା ମାନ, ଏବେ ଫେରି ଚାଲ, ସମୟ ଖୁବ୍ କମ୍ । ମୋ ଆଖିରେ ଲୁହ ଆସିଗଲା, ମୁଁ ଚାହିଁଲି ପଛକୁ, କେତେ ବାଟ କେତେ କଷ୍ଟ କରି ଆସିଛି, ଆଉ ଫେରିଗଲେ ଆଉ ଥରେ ସ୍ପନସରଶିପ୍ କୋଉଠୁ ମିଳିବ ? କିଏ ଭରସା କରିବ ମୋ ଉପରେ? ନା, ନା, କୌଣସି ମତେ ମୁଁ ଆଉ ପଛକୁ ଫେରିବି ନାହିଁ, ତେଣିକି ଫଳାଫଳ ଯାହା ବି ହେଉନା କାହିଁକି । ଦୃଢ ନିଶ୍ଚିତ କରି ମୁଁ ଚାଲିଲି ଆଗକୁ ଆଗକୁ, ପାଦରେ ଗତି ବଢାଇଦେଲି, ଅଗତ୍ୟା ଶେର୍ପା କୁ ମୋ ସାଥିରେ ଯିବାକୁ ପଡିଲା। ମୋର ଆଖି ଆଗରେ ଖାଲି ଏଭରେଷ୍ଟ ଛଡା ଆଉ କିଛି ଦେଖା ଯାଉନଥିଲା ନଥାଏ, ଆଉ ମାତ୍ର ଦେଢ ଘଣ୍ଟା ଭିତରେ ମୁଁ ପହଞ୍ଚି ଗଲି ସର୍ବୋଚ୍ଚ ଶିଖର ଏଭରେଷ୍ଟ ରେ । ନିଜକୁ ନିଜେ ବିଶ୍ବାସ କରି ପାରୁ ନ ଥିଲି ମୁଁ । ସତରେ ମୁଁ ଏଭରେଷ୍ଟ ଜୟ କରି ପାରିଛି? ସତେ?? ଅନେକ ଗୁଡିଏ ଦେଶର ପତାକା ଉଡୁଥାନ୍ତି ସେଠାରେ । 

ମୁଁ ମୋ ଅଣ୍ଟାରେ ଭାରତୀୟ ଜାତୀୟ ପତାକା କୁ କାଢି ଆଗ ନିଜ ଦେହରେ ଗୁଡେଇ ହୋଇ ପଡିଲି । ଆଃ ସତେ କି ପ୍ରାଣ ସଞ୍ଚରି ଗଲା ମୋ ଦେହରେ, ଛାତି ଭର୍ତ୍ତି ନିଶ୍ବାସ ନେଇ କହିଲି ଶେର୍ପା କୁ “ ମୋର କିଛି ଫଟୋ ଉଠାଇନିଅ, ଯଦି ମୁଁ ମରିବାକୁ ଯାଏ ତେବେ ସେଇ ଫଟୋ ଦେଖି ଲୋକେ ଜାଣିବେ ଯେ ମୁଁ ଏଭରେଷ୍ଟ ବିଜୟ କରି ସାରିବା ପରେ ଯାଇ ମରିଛି ନହେଲେ କହିବେ ଅଧା ବାଟରେ ପଡି ମରିଛି ବୋଲି । ଶେର୍ପା ଆଠଦଶଟି ଫଟୋ ନେଲା, ମୋର ଅବସ୍ଥା ଦେଖି କହିଲା “ ଏବେ ତ ଫେରି ଚାଲ, ନହେଲେ ନିଜେ ମରିବ ଆଉ ମତେ ବି ମାରିବ “ । ମୁଁ ତା’କୁ ହାତ ଯୋଡି ଅନୁରୋଧ କଲି “ ଭାଇ ଟା ପରା, ଆଉ ଗୋଟିଏ ଛୋଟ କାମ କରିଦିଅ, ମୋର ଏଇ ବିଜୟର ଗୋଟିଏ ଭିଡିଓ ବନେଇ ଦିଅ , ଯଦି ମୁଁ ମରିବାକୁ ଯାଏ , ତେବେ ଏଇଟା ଭାରତ ପଠାଇ ଦେବ ମୋ ବାପ ମାଆ, ମୋର ଦେଶବାସୀଙ୍କ ଜାଣିବେ ଅରୁଣିମା ଜୀବନରେ ହାର୍ ମାନି ନାହିଁ, ସେ ଏଭରେଷ୍ଟ ବିଜୟିନୀ ହୋଇ ମରିଛି, ମୋର ବିକଳ ଅନୁରୋଧ କୁ ରକ୍ଷାକରି ସେ ଛୋଟ ଭିଡିଓ ଟିଏ ତିଆରି କରି ରଖିଲା । ଭାରତୀୟ ଜାତୀୟ ପତାକା କୁ ସେଇଠି ପୋତି ଆମେ ଫେରିବାକୁ ଆରମ୍ଭ କଲୁ । ମୋର ହାତ ପାଦ ସେତେବେଳକୁ ଥରୁଥାଏ, ଅକ୍ସିଜେନ୍ ସରି ସରି ଆସୁଥାଏ । ଫେରିବା ବାଟରେ ମୋର ମୃତ୍ୟୁ ନିଶ୍ଚିତ ବୋଲି ମୁଁ ଧରି ନେଇଥାଏ । ଆଠ ହଜାର ଆଠ ଶହ ଚଉରାଅଶୀ ଫୁଟ୍ ଉପରେ ମାଇନସ୍ ସିକ୍ସଟି ଡିଗ୍ରୀ ସେଲସିୟସ ଟେମ୍ପରେଚର୍ ରେ ମୋର ହାତ ସବୁ ନାଲି ରଙ୍ଗ ରୁ ନୀଳ ରଙ୍ଗ ହେବା ଆରମ୍ଭ କରିଥାଏ । ବହି ରେ ପଢିଥିଲି ବରଫରେ ଅମ୍ଳଜାନ ନ ପାଇ ଶରୀର ନାଲି ରୁ ନୀଳ ପଡିଯାଏ ଏବଂ ଶେଷରେ ନୀଳରୁ କଳା ରଙ୍ଗ ପଡିଗଲେ ମଣିଷ ର ମୃତ୍ୟୁ ସୁନିଶ୍ଚିତ । ମୋର ଶେଷ ଅବସ୍ଥା ଆସି ଯାଇଥାଏ ।ମୁଁ ଚେତା ହରାଇ ପଡିଗଲି ତଳେ । ମୃତ୍ୟୁ ଆଉ ଅଳ୍ପ ଦୂରରେ, ଏଇ ସମୟରେ ଗୋଟିଏ ବିଚିତ୍ର ଘଟଣା ଘଟିଲା । ବୋଧହୁଏ ଐଶ୍ୱରୀୟ କରୁଣା ଥିଲା ମୋ ଉପରେ, ମୋର ମୃତ୍ୟୁ ସେଇ ସମୟରେ ଲେଖା ନଥିଲା ବୋଧହୁଏ, ସେଇଥିପାଇଁ  ସେଇ ପଟ ଦେଇ ଯାଉଥିବା ଜଣେ ବ୍ରିଟିଶ୍ ପର୍ବତାରୋହୀ ତାଙ୍କ ପାଖରେ ଥିବା ଦୁଇଟି ଅକ୍ସିଜେନ୍ ସିଲିଣ୍ଡର ରୁ ଗୋଟିଏ ଫୋପାଡି ଦେଲେ ନିଜର ଓଜନ ହାଲୁକା କରିବା ଲାଗି । ଶେର୍ପା ର ନଜରରେ ପଡିଲା ସେଇ ଅକ୍ସିଜେନ୍ ସିଲିଣ୍ଡର ଟି । ଧାଇଁ ଯାଇ ସେଇଟାକୁ ଗୋଟେଇ ଆଣିଲା ସେ, ମୋର ନାକରେ ଲାଗି ଥିବା ଅକ୍ସିଜେନ୍ ମାସ୍କ ରେ ଯୋଗ କରିଦେଇ ମତେ ସାଷ୍ଟମ କଲା । ମୁଁ ପୁନଃ ଜୀବନ ପାଇଲି। ଟିକିଏ ବିଶ୍ରାମ ନେଇ ଫେରୁଥିଲୁ ଆମେ । ବରଫ ପାହାଡ ଉପରେ ଚଢିବା ଯେତିକି କଷ୍ଟ ଓହ୍ଲାଇବା ତା’ଠାରୁ ଦୁଇଗୁଣ କଷ୍ଟ, ବିଶେଷ କରି ମୋ ଭଳି ଭିନ୍ନକ୍ଷମ ମାନଙ୍କ କ୍ଷେତ୍ରରେ ଆହୁରି ଦୁରୂହ ବ୍ୟାପାର । ହଠାତ୍ ମୋର କୃତ୍ରିମ ଗୋଡଟି ବୁଲିଗଲା ପଛ ପଟକୁ, ଯେତେ ଚେଷ୍ଟା କଲେ ବି ଆଉ ସିଧା ହେଲା ନାହିଁ। ଶେର୍ପା ଡରିଗଲା, ଗୋଟାଏ ଅପରେସନ୍ ହୋଇ ରଡ୍ ପଡିଥିବା ଗୋଡ ନେଇ କେମିତି ତଳକୁ ଓହ୍ଲାଇବି ମୁଁ, ସେଇ ଚିନ୍ତା ରେ ତା’ ଗୋଡ ହାତ ଚଳିଲେ ନାହିଁ । ଏଇ ସମୟରେ ତା’କୁ ସାହସ ଦେଲି ମୁଁ । କହିଲି “ ଆରେ ଭାଇ ! ଇଏ ମୋ’ ଗୋଡ ସିଏ କେମିତି ଚାଲିବ , ସେକଥା ମୁଁ ଜାଣିଛି, ତମେ ମୋଟେ ବ୍ୟସ୍ତ ହୁଅନାହିଁ, ସବୁ ଠିକ୍ ହୋଇ ଯିବ । ଆଖି ବନ୍ଦ କରି ଈଶ୍ବର ଙ୍କୁ ସ୍ମରଣ କଲି ମୁଁ, ଆଉ ଶରୀରର ସବୁ ଶକ୍ତି ଲଗାଇ କୃତ୍ରିମ ଗୋଡଟି ମୋଡିମାଡି ପୁଣି ଥରେ ସିଧା କରି ଲଗାଇ ଦେବାରେ ସଫଳ ହେଲି । ଏଥର ଆଉ କୌଣସି ଅସୁବିଧା ନାହିଁ । ଶେର୍ପା ମଧ୍ୟ ଉପରକୁ ଚାହିଁ ହାତ ଯୋଡିଲା, ବୋଧହୁଏ ଈଶ୍ବର ଙ୍କୁ ଧନ୍ୟବାଦ ଜଣାଉଥିଲା । ଧୀରେ ଧୀରେ ଖୁବ୍ ସାବଧାନତାର ସହ ଆମେ ଓହ୍ଲାଇ ଆସିଲୁ ତଳକୁ ତଳକୁ ।ଯେତେବେଳେ ସାଉଥପୋଲ୍ ର କ୍ୟାମ୍ପ ରେ ତମ୍ବୁ ର ପରଦା ଟେକି ମୁଁ ଭିତରକୁ ପଶିଲି ସମସ୍ତେ ଚକିତ ହୋଇ ଚାହିଁଲେ ମତେ । ସମସ୍ତେ ଏକ ସ୍ବର ରେ କହି ଉଠିଲେ “ ଆରେ ଅରୁଣିମା ! ତୁମେ ଆସିଗଲ? ଆମେ ତ ଭାବିଥିଲୁ ତୁମେ ଆଉ ଫେରି ଆସିବ ନାହିଁ ବୋଲି । ସତରେ, ତୁମର ନ ଫେରିବା ସୁନିଶ୍ଚିତ ବୋଲି ଧରି ନେଇଥିଲୁ ଆମେ । ଯାହା ହେଉ ଭଗବାନ ବଡଲୋକ, ସେ ତୁମକୁ ସକୁଶଳ ଫେରାଇ ଆଣିଛନ୍ତି “ । ପ୍ରକୃତରେ ବି ସେମାନେ ସେମିତି କିଛି ଭାବିବା ଠିକ୍ ଥିଲା କାରଣ ସେମାନଙ୍କ ଯାତ୍ରା ଏଗାର ଘଣ୍ଟା ରେ ସମାପ୍ତ ହୋଇଥିବା ବେଳେ ମୋର ଯାତ୍ରା ର ଅବଧି ଥିଲା ଅଠେଇଶି ଘଣ୍ଟା । ଆମେ ସମସ୍ତେ ସଫଳ ହୋଇଥିଲୁ ଏଭରେଷ୍ଟ ଶୃଙ୍ଗ ବିଜୟ କରିବାରେ । ମାଡାମ୍ ବଚେନ୍ଦ୍ରୀ ପାଲ୍  ଖୁବ୍ ଖୁସି ହୋଇସମସ୍ତ ବିଜେତା ଙ୍କୁ ଅଭିନନ୍ଦନ ଜଣାଇଲେ। ବିଶ୍ୱ ର ଚାରିଆଡେ ଆମର ସଫଳତାର କାହାଣୀ ପ୍ରସାରିତ ହୋଇଗଲା । ଦେଶର କୋଣ ଅନୁ କୋଣରୁ ବଧାଇ ର ସୁଅ ଛୁଟିବାକୁ ଲାଗିଲା ଆମ ମାନଙ୍କ ପାଖକୁ । 

ବିଶେଷ କରି ମୋ ପାଖକୁ କାରଣ ଜଣେ ଭିନ୍ନକ୍ଷମ ଆଉ ନାରୀଟିଏ ହୋଇ ମଧ୍ୟ ମୁଁ ଏଭରେଷ୍ଟ ବିଜୟିନୀ ହୋଇଥିଲି। ମୋ ମନରେ ଆତ୍ମ ସନ୍ତୋଷ ମିଳିଲା ଯେ ଯେଉଁ ଲୋକମାନେ ଗତକାଲି ମୋ ବିଷୟରେ ଯାବତୀୟ କୁତ୍ସା ରଚନା କରୁଥିଲେ ଆଜି ସେଇମାନେ ମୋର ପ୍ରଶଂସା ରେ ଶତମୁଖ ହୋଇ ଉଠିଥିଲେ । ମୋ ବାପା ମାଆ, ଭାଇ ବନ୍ଧୁର, ମୋ ଦେଶବାସୀ ମୋ ପାଇଁ ଗର୍ବ ଅନୁଭବ କରୁଥିଲେ । ମୋର ଯାତ୍ରା ସେଇଠି ଶେଷ ହେଲା ନାହିଁ, ମାଡାମ୍ ବଚେନ୍ଦ୍ରୀ ପାଲ୍ ଙ୍କର ପ୍ରେରଣା ମତେ ଆହୁରି ଆହୁରି ଦୁଃସାହସିକ ଯାତ୍ରା କରିବା ଲାଗି ସାହସ ଦେଲା । ଆଜି ମୁଁ ବିଶ୍ବ ରେ ଏସିଆ ର ଏଭରେଷ୍ଟ ସହ ଆଫ୍ରିକା, ଇଉରୋପ, ଅଷ୍ଟ୍ରେଲିଆ ଆଦି ,ପାଞ୍ଚ ଟି ମହାଦେଶରେ ଥିବା ସର୍ବୋଚ୍ଚ ଶୃଙ୍ଗ ମାନ ଆରୋହଣ କରି ବିଶ୍ୱ କୀର୍ତ୍ତି ସ୍ଥାପନା କରି ସାରିଛି । ତଥାପି ମୋର ଯାତ୍ରା ସରି ନାହିଁ , ମନୋବଳ ହାରି ନାହିଁ । ଆଜି ବି ମୁଁ ଗାଉଛି ....

  “ଅଭି ତୋ ଇସ୍ ବାଜ୍ କା ଅସଲୀ ଉଡାନ୍ ବାକୀ ହୈ

   ଅଭି ତୋ ଇସ୍ ପରିନ୍ଦେ କା ଇମତିହାନ୍ ବାକୀ ହୈ

   ଅଭି ଅଭି ମୈନେ ଲାଙ୍ଘା ହୈ ସମନ୍ଦର କୋ ,

ଅଭି ତୋ ପୁରା ଆସମାନ୍ ବାକୀ ହୈ “

ବନ୍ଧୁଗଣ ! ଇଏ ଖାଲି ମୋ ପାଇଁ ନୁହେଁ, ସମସ୍ତଙ୍କ ପାଇଁ କହୁଛି, ଯଦି କେହି ତୁମକୁ ହିମ୍ମତ୍ ଦେଉଥାଏ, ତୁମକୁ ଆଗକୁ ଯିବାକୁ ସାହସ ଦେଉଥାଏ, ତୁମକୁ ବିପଦ ବେଳେ ଠିକଣା ବାଟ ଦେଖାଇଥାଏ, ତେବେ ସେଇ ଜଣକ ତୁମେ ନିଜେ, ଆଉ କେହି ନୁହେଁ । ତୁମର ଅନ୍ତର ଭିତରେ ଥିବା ମନ ହିଁ ତୁମକୁ ଆଲୋକ ବର୍ତ୍ତିକା ଦେଖାଇ ଆଗକୁ ନିଏ। ତୁମ ମନର ଦୃଢତା ହିଁ ତୁମର ବଳ। ତୁମେ ନିଜେ ହିଁ ନିଜର ପରିପୂରକ । 

ହସ୍ପିଟାଲ ଅରୁଣିମା ଏଭରେଷ୍ଟ

Rate the content


Originality
Flow
Language
Cover design

Comments

Post

Some text some message..