Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସମ୍ପର୍କ
ସମ୍ପର୍କ
★★★★★

© Sasmita Mohanty

Inspirational

6 Minutes   335    15


Content Ranking

ରତ୍ନମଣି ଦେବୀଙ୍କ ମୁଣ୍ଡଟା ଝାଇଁ ଝାଇଁ କରି ଉଠିଲା ଓ ଚାରିଆଡ଼ ଅନ୍ଧାର ଦେଖାଗଲା । ପେଟ ଭିତରଟା ମନ୍ଥି ହୋଇଯାଉଛି । ଭୋକରେ ଆଉଟୁ ପାଉଟୁ ହୋଇ ଗଲେଣି ସେ । ବାଆସ୍ତରୀ ବର୍ଷର ଶରୀର ଆଉ ଉପାସ ଭୋକ ସହି ପାରୁନି । ରାତି ଆସି ଆଠଟା ବାଜିଲାଣି, ପେଟରେ ଦାନା ମୁଠିଏ କଥା ଛାଡ ସକାଳୁ ଚା ଟୋପେ ବି ପଡିନି । କାଲି ଏକାଦଶୀ ଉପାସ ଥିଲା । ନାଁ ଆଉ ସେ ଅପେକ୍ଷା କରିବେନି ।  କେହି ତ ବୁଝୁ ନାହାନ୍ତି କି ଆଡ ଆଖିରେ ଅନଉ ନାହାନ୍ତି,ବୃଥା ଅଭିମାନ କରି ନିଜକୁ ଅଯଥା କଷ୍ଟ ଦେବା ଆଉ ଦରକାର ନାହିଁ । ସେ ଘର ଭିତରକୁ ଯାଇ ଡବା ଖୋଲି ଦେଖିଲା ବେଳକୁ ଚୁଡାଭଜା ମୁଠାଏ ପଡିଛି । ସେଇଆକୁ କଷ୍ଟେ ମଷ୍ଟେ ପାଟିରେ ପକେଇ ପାଣି ଗିଲାସେ ପିଇଲେ । ପିଣ୍ଡରେ ପ୍ରାଣ ପଶିଲା ପରି ଲାଗିଲା । ବିଶିଷ୍ଟ ବ୍ଯବସାୟୀ ସୁଧାକର ବାବୁଙ୍କ ସହଧର୍ମିଣୀ ହେଉଛନ୍ତି ରତ୍ନମଣି ଦେବୀ । ସହରରେ ସ୍ବାମୀଙ୍କର ବିରାଟ ବ୍ୟବସାୟ ଓ ଅନେକ କୋଠାବାଡି ଅଛି । କିନ୍ତୁ ସ୍ବାମୀ ତାଙ୍କୁ ଅବେଳରେ ଅଧାବାଟରେ ଛାଡି ଦେଇ ଆରପୁରକୁ ଗମନ କଲେ । ତାଙ୍କର ପାଞ୍ଚ ପୁଅ ଓ ଦୁଇ ଝିଅ । ସେତେବେଳକୁ ପିଲାମାନେ କେହି ପାରି ନଥିଲେ । ଏକୁଟିଆ ଗୁମାସ୍ତାଙ୍କୁ ସାଙ୍ଗରେ ଧରି ଏତେ ବଡ ବ୍ୟବସାୟ ନିଜେ ଦେଖାଶୁଣା କରିବା ଆଦୌ ସହଜ ନଥିଲା । ଆସ୍ତେ ଆସ୍ତେ ପିଲାମାନେ ବଡ ହେଲେ । ବଡ ଏବଂ ତା ତଳ ପୁଅ ତାଙ୍କ ସାଙ୍ଗରେ ହାତ ମିଳାଇଲେ । ରତ୍ନମଣିଙ୍କୁ ସାହାରା ମିଳିଗଲା । ଆଉ ସେ ପଛକୁ ଫେରି ଚାହିଁ ନାହାନ୍ତି । ମା ଲକ୍ଷ୍ମୀଙ୍କ କୃପାରୁ ବ୍ୟବସାୟ ଓ ସମ୍ପତ୍ତିବାଡି ସବୁ ବଢି ଚାଲିଲା । ତୃତୀୟ ଓ ଚତୁର୍ଥ ପୁଅ ଦୁହେଁ କିନ୍ତୁ ବ୍ୟବସାୟରେ ମନ ଦେଲେନି । ସେମାନେ ପାଠପଢ଼ି ଇଞ୍ଜିନିୟରିଂ ପାସ୍ କରି ଚାକିରୀ କଲେ । ସାନ ପୁଅ ବ୍ୟବସାୟରେ ମନ ଦେଲା । ଭାଇମାନଙ୍କୁ ସାହାଯ୍ୟ କଲା । ଝିଅ ଦୁଇଜଣଙ୍କୁ ଉଚ୍ଚଶିକ୍ଷିତା କରି ଭଲ ଘର ଓ ଭଲ ବର ଦେଖି ବାହାଦେଲେ । ପୁଅମାନଙ୍କ ପାଇଁ ମଧ୍ୟ ଖୋଜି ଖୋଜି ସୁନ୍ଦରୀ ଶିକ୍ଷିତା ବୋହୂ ଘରକୁ ଆଣିଲେ । ଘର ତାଙ୍କର ପୁରି ଉଠିଲା । ତା ସହ ତାଙ୍କର ଗର୍ବ ଅହଙ୍କାର ମଧ୍ୟ ବଢି ଚାଲିଲା ।

ପୁଅମାନଙ୍କର ପିଲାପିଲି ହେଲେ ଓ ଧୀରେ ଧୀରେ ପରିବାର ବଢି ଚାଲିଲା । ତାଙ୍କ ନିଜର ବୟସ ମଧ୍ୟ ବଢିବାକୁ ଲାଗିଲା । ବୋହୂମାନେ ଘରେ ଆଧିପତ୍ୟ ବିସ୍ତାର କଲେ । ସମ୍ପତ୍ତିବାଡିକୁ ନେଇ ମନ ଫଟାଫଟି ଆରମ୍ଭ ହେଲା । ପୁଅମାନେ ପାରିବାରିକ ବ୍ୟବସାୟ ସଙ୍ଗେ ସଙ୍ଗେ ନିଜସ୍ୱ ବ୍ୟବସାୟ ଆରମ୍ଭ କଲେ । ସେଥିପାଇଁ ପଇସାପତ୍ର ଆବଶ୍ୟକ ହେବାରୁ ରତ୍ନମଣିଙ୍କ ଜମାପୁଞ୍ଜି ଉପରେ ଆଖି ପକେଇଲେ । ବୋହୂମାନେ ମଧ୍ୟ ନିଜର ସ୍ବାଧୀନତା ଚାହିଁଲେ । ଏତେ ବଡ ଯୌଥ ପରିବାର ପାଇଁ ରୋଷେଇ ବାସ ଓ ଘରର ଦାୟିତ୍ୱ ନେବାକୁ କୁଣ୍ଠାବୋଧ କଲେ । ସ୍ବାମୀଙ୍କ ସହ ହୋଟେଲ ଯାଇ ନିଜ ଇଚ୍ଛା ମୁତାବକ ଖାଦ୍ଯ ଖାଇବାକୁ ଆଗ୍ରହ ପ୍ରକାଶ କଲେ । ଘରେ ରୋଷେଇ କରୁଥିବା ପୁରୁଣା ନନାକୁ ଚୋର ବୋଲି କହି ଘରୁ ବିଦା କରି ଦେଲେ । କିଏ ବା ଏତେ ଲୋକଙ୍କ ପାଇଁ ଭଲ ମନ୍ଦ ରୋଷେଇ କରିବ !!ତେଣୁ ଏକାଠି ଭାତ ଡାଲମା କରି ଦେଇ ବାହାରୁ ନିଜ ପସନ୍ଦ ମୁତାବକ ବିଭିନ୍ନ ତରକାରୀପତ୍ର ମଗେଇ ନିଜ ନିଜର ରୁମ୍ ରେ ଖାଇବା ଆରମ୍ଭ କଲେ । ଏତେ ବଡ ଯୌଥ ପରିବାର ନିଜ ଆଖି ଆଗରେ ଖଣ୍ଡ ବିଖଣ୍ଡ ହେବାକୁ ଲାଗିଲା । ପରସ୍ପର ମଧ୍ୟରେ ସ୍ନେହ ମମତା ଓ କଥାବାର୍ତ୍ତା ସବୁ କମିଗଲା । ଛୁଆଙ୍କୁ ପାଠ ପଢେଇବା ଆଳରେ ବୋହୂମାନେ ନିଜ ନିଜର ଶୀତତାପ ନିୟନ୍ତ୍ରିତ କୋଠରୀ ମଧ୍ୟରେ ଟି ଭି ଦେଖିବାକୁ ଲାଗିଲେ । ମୋବାଇଲ ଧରି ନିଜ ସାଙ୍ଗସାଥି ଓ ମାଆ ଭଉଣୀଙ୍କ ସହ ଖୁସି ଗପ ଓ ଚାଟିଂ କରିବାକୁ ପ୍ରାଧାନ୍ୟ ଦେଲେ । ତାଙ୍କ ପାଇଁ ମଧ୍ୟ ସମସ୍ତଙ୍କ ପାଖରେ ସମୟ ଅଭାବ ହେଲା । ପୁଅ ମାନେ କହିଲେ ମାଆ ତୁ ଥାଉ ଥାଉ ସବୁ ଅଡୁଆ ତୁଲାଇ ଦେ । ଆମ ସଂସାର ବଢିଲାଣି । ଏଇ ଘରେ ଜାଗା ହେଉନି । ପିଲାମାନେ ମଧ୍ୟ ବଡ ହେଲେଣି ସେମାନଙ୍କ ପାଇଁ ସ୍ବତନ୍ତ୍ର ରୁମ୍ ଦରକାର । ଏତେ ଜାଗା ଖାଲି ପଡିଛି । ତୁ ଆମକୁ ଆମ ଭାଗ ଦେଇଦେଲେ ଆମେ ନିଜର ଘର ଖଣ୍ଡେ ଖଣ୍ଡେ କରନ୍ତୁ । ସେ ବା ଆଉ କଣ କରନ୍ତେ । ନିଜ ଛାତିରେ ପଥର ରଖି ସବୁ ଭାଗ ଭାଗ କରିଦେଲେ । ପୁଅ ମାନେ କହିଲେ ମାଆ ସାମନା ପଟେ ଆମେ ନିଜର ନୂଆ ଘର କରିବୁ । ଏଇ ପୁରୁଣା ଘରକୁ ଭଡା ଦେଇ ଦେବା । ପୁରୁଣା ଘର ପାଖକୁ ଯେଉଁ ଖାଲି ଜାଗା ଅଛି ସେଠି ତୋ ପାଇଁ ବଖରାଏ ଘର କରି ଦେଉଛୁ । ତା ପାଖକୁ ଗୋଟିଏ ସୁନ୍ଦର ମନ୍ଦିର କରିଦେଲେ ଠାକୁର ପୂଜା ରେ ତୋ ସମୟ କଟିଯିବ । ଆମେ ସମସ୍ତେ ତୋତେ ପାଳି କରି ଖାଇବାକୁ ଦେବୁ ଓ ଯାହାର ପାଳି ଥିବ ସେ ତୋ ଖାଇବା ପିଇବା ସହ ଦେହ ପା ଭଲ ମନ୍ଦ କଥା ବୁଝିବ । ରତ୍ନମଣିଙ୍କ ଗାଲରେ କିଏ ଜଣେ ଚାପୁଡା ମାରିବା ପରି ଲାଗିଲା । କିଏ କହିଲା ମଣିଷ ତା କର୍ମଫଳ ପରଜନ୍ମରେ ଭୋଗିଥାଏ ବୋଲି !!ଏଇ ଜନ୍ମରେ ହିଁ ଭଗବାନ କଡା ଗଣ୍ଡା ହିସାବକରି ସବୁ ତା ପାଇଁ ଭୋଗିବାକୁ ରଖିଥାନ୍ତି । ଅନ୍ୟ ମାନେ ତ ଦୂରର କଥା ଏ ହାତର ପାପ ସେ ହାତ ବି ନିଏନି । ଯାହା ସେ ଦିନେ କରି ଥିଲେ ସବୁ ଆଜି ବୁମେରାଂ ପରି ଫେରି ଆସିଛି ତାଙ୍କ ଆଡକୁ ।

ସୁଧାକର ବାବୁ ଦୁଇ ଭାଇ । ବଡ ଭାଇ ସୁନାକର ବାବୁ ଦେବପ୍ରତିମ ଲୋକ । କାହାକୁ କିଛି କୁହନ୍ତି ନାହିଁ । ତାଙ୍କ ସ୍ତ୍ରୀ ରାଧାରାଣୀ ମଧ୍ୟ ସବୁବେଳେ ପୂଜା ଅର୍ଚ୍ଚନାରେ ଲାଗିଥାନ୍ତି । ଶାଶୁ ଶଶୁର ଅନେକ ଦିନୁ ଡକାଡକି ହୋଇ ସେ ପୁରକୁ ଚାଲିଯାଇଥିଲେ । ଏଇ ଦେଢଶୁର ଓ ଯାଆ ସୁଧାକର ବାବୁଙ୍କୁ ନିଜ ପୁଅ ପରି ବଢେଇ କୁଢେଇ ମଣିଷ କରିଥିଲେ । ଅନେକ ଖୋଜାଖୋଜି କରି ରତ୍ନମଣିଙ୍କୁ ବୋହୂ କରି ଆଣିଥିଲେ । ହେଲେ ସେ ବାହା ହୋଇ ଆସୁ ଆସୁ ସୁଧାକର ବାବୁଙ୍କୁ ସବୁବେଳେ ଶିଖାଇଲେ । ଭାଇ ଭାଉଜଙ୍କ ନାଆଁରେ ଏଣୁ ତେଣୁ ମିଛ କଥା କହିଲେ । ତାଙ୍କର ଲାଗ ଲାଗ ପାଞ୍ଚ ପୁଅ ଓ ଦୁଇ ଝିଅ ହେବା ପରେ ବି ରାଧାରାଣୀଙ୍କ କୋଳ ଖାଲି ଥିଲା । ସେ ସବୁବେଳେ ତାଙ୍କୁ ଦେଖେଇ ଶିଖେଇ ଖୁଣ୍ଟା ଦେବାକୁ ଭୁଲୁ ନଥିଲେ । ଅମଙ୍ଗଳ ହେବ ବୋଲି କହି ନିଜ ପିଲାମାନଙ୍କୁ ବି ଧରିବାକୁ ଦିଅନ୍ତିନି । ଦିନେ ସ୍ବାମୀ ଙ୍କୁ କହି ଘରକୁ ଦୁଇ ଭାଗ କରି ଦେଲେ । ନିଜ ପିଲାପିଲିଙ୍କୁ ନେଇ ନୂଆ ଘରେ ରହିଲେ । ତାଙ୍କର ଏତେ ଘର କଣ ହେବ ବୋଲି କହି ବାଡିପଟେ ଥିବା ପୁରୁଣା ଛୋଟ ଘରକୁ ବଡଭାଇଙ୍କୁ ଦେଲେ । ବଡଭାଇ କୌଣସି ଆପତ୍ତି ନକରି ନିଜ ସ୍ତ୍ରୀକୁ ନେଇ ବାଡିପଟକୁ ଚାଲି ଗଲେ ।

ଦିନେ ଦେଢଶୁର ଗୋଟିଏ ଅନାଥ ପିଲାକୁ ଆଣି ଘରେ ରଖିଲେ । ପାଠ ପଢେଇ ତାକୁ ମଣିଷ କଲେ ଓ ଗୋଟିଏ ଦୋକାନ କରିଦେଲେ । ତାକୁ ସେ ଆଦୌ ସହିପାରନ୍ତି ନାହିଁ । ଆଜି ସେଇ ଦେବୁ ବାହାଶାହା ହେଇ ପିଲାଛୁଆର ବାପ ହେଲାଣି । ତା ସ୍ତ୍ରୀ ର ସେବା ଯତ୍ନରେ ଦେଢଶୁର ଓ ଯାଆ ବେଶ୍ ଆରାମରେ ଅଛନ୍ତି । ଆଜି ବି ସେମାନଙ୍କର ଭଲରେ ରହିବା ସହ୍ଯ କରିପାରନ୍ତି ନାହିଁ ସେ । ନିଜର ବଡିମା ଦେଖେଇବାକୁ ବେଳ ଅବେଳରେ ହାଜର ହୋଇଯାଆନ୍ତି ଯାଆଙ୍କ ପାଖରେ । ପୁଅ ଝିଅମାନେ ଦେଇଥିବା ଶାଢୀ,ସାଲ୍,ସୋଏଟର, ଗହଣା ଓ ଭଳିକି ଭଳି ଘଣ୍ଟାକୁ ଦେଖେଇ ହୁଅନ୍ତି । ଏ ପୁଅ ଏଇଟା ଦେଇଛି,ସେ ପୁଅ ସେଇଟା ଦେଇଛି,ଝିଅ ଜୋଇଁ କେତେ କଣ ଦେଇଛନ୍ତି ବୋଲି କହି ଯାଆଙ୍କର ସନ୍ତାନ ନଥିବାର କ୍ଷତକୁ ଉଖାରି ଖୁସି ହୁଅନ୍ତି । ନାତି ନାତୁଣୀଙ୍କ ଗୁଣ କୀର୍ତ୍ତନ କରନ୍ତି । କିନ୍ତୁ ବଡଯାଆ କେବେହେଲେ ପ୍ରତ୍ଯୁତ୍ତର ଦିଅନ୍ତି ନାହିଁ,ଖାଲି ଟିକିଏ ହସି ଦିଅନ୍ତି । ସେଇ ହସ ଟିକକ ଦେଖିଦେଲେ ସେ ନିଆଁରେ ଘିଅ ଢାଳିଲା ପରି ଜଳି ଉଠନ୍ତି । ପିଲାଦିନେ ଗାଁରେ ହେଉଥିବା ଗାଈ ପାଳି ପରି ଆଜି ତାଙ୍କର ପାଳି କରାଯାଇଛି । ପାଞ୍ଚ ପୁଅଙ୍କ ପାଖରେ ସେ ଦୁଇ ମାସ ଲେଖାଏଁ ପାଳି କରି ରହିଥାନ୍ତି । ଯେଉଁ ପୁଅର ପାଳି ଥାଏ ସେ ତାଙ୍କର ଖାଇବା ପିନ୍ଧିବା,ଖର୍ଚ୍ଚ ବାର୍ଚ୍ଚ,ଦେହ ପା,ହାନି ଲାଭ ସବୁକିଛି ବୁଝିଥାଏ । ପ୍ରଥମେ ବଡ ଦୁଇ ପୁଅଙ୍କ ପାଖରେ ରହିଲା ପରେ ସାନ ପୁଅ ପାଖରେ ରହିଥାନ୍ତି । ତାପରେ ବାଲେଶ୍ବରରେ ଥିବା ତୃତୀୟ ପୁଅ ଆସି ତାଙ୍କୁ ନେଇଯାଏ । ସେଠି ପାଳି ପୁରିଲେ ଚତୁର୍ଥ ପୁଅ ପାଖକୁ ରାଉରକେଲା ଯାଆନ୍ତି । ଦୁଇ ମାସ ପରେ ପୁଣି ଫେରି ଆସନ୍ତି ନିଜ ଘରକୁ ଓ ବଡ ପୁଅର ପାଳି ଆରମ୍ଭ ହୁଏ । ଋତୁ ଚକ୍ର ପରି ସେ ବି ଘୁରୁ ଥାଆନ୍ତି । ଝିଅମାନଙ୍କ ଘରକୁ ସେ ଯେ କେବେ ଯାଇଥିଲେ ଭୁଲି ଗଲେଣି । ଆଗରୁ ନିଜର ଜଞ୍ଜାଳ ପାଇଁ ଯାଇପାରୁ ନଥିଲେ । ଏବେ ସେମାନେ ଏଇ ବୁଢୀ ମଣିଷଟିକୁ ନେବାକୁ ରାଜି ନୁହଁନ୍ତି । ଶାଶୁ ଘର ଲୋକ ବହୁତ ଆସୁଛନ୍ତି କେତେବେଳେ ପୁଣି ଜୋଇଁଙ୍କ ବଦଳି, ପିଲାମାନଙ୍କ ପାଠପଢ଼ା, ଛୋଟ ଘର ଏମିତି କେତେ କଣ ବାହାନା କାଢନ୍ତି । ସେ ସବୁ ବୁଝନ୍ତି । ଝିଅମାନେ କିନ୍ତୁ ବର୍ଷକୁ ଦୁଇ ଥର ଆସି ବାପଘରୁ ବୁଲି ଯାଆନ୍ତି । ମାଆକୁ ଦେଖିବା ଆଳରେ ଆସି ଭାଉଜମାନଙ୍କ ଆଗରେ ଶାଢୀରେ,ଗହଣା,ପଇସା,କୋଠାବାଡି ଓ ଗାଡି ଘୋଡାର ପ୍ରଦର୍ଶନୀ କରନ୍ତି । ସେମାନେ ବି ଦିନେ ଅଧେ ମାଆ ପାଖରେ ନରହି ଭାଇମାନଙ୍କର ସୁନ୍ଦର ବଡଘରେ ରୁହନ୍ତି । ମାଆକୁ କୁହନ୍ତି କଣ କରିବୁ ମାଆ ପିଲାମାନେ ସେପଟେ ମିଶିକି ରହିବାକୁ ଭଲ ପାଉଛନ୍ତି । ଏଇ ପଛପଟ ଏକୁଟିଆ ଘରେ ରହିବାକୁ ଆଦୌ ରାଜି ହେଉ ନାହାନ୍ତି । ସେତେବେଳେ ତ କାହିଁ ସେମାନେ ଭାବୁ ନାହାନ୍ତି ମାଆ କେମିତି ସବୁଦିନେ ଏଠି ଏକୁଟିଆ ରହୁଛି । ସମସ୍ତେ ନିଜ ନିଜର ସ୍ବାର୍ଥ ପୂରଣ କରିବାରେ ବ୍ଯସ୍ତ । ସେ ସବୁ ବୁଝନ୍ତି ସବୁ ଜାଣନ୍ତି କିନ୍ତୁ କିଛି କୁହନ୍ତି ନାହିଁ । କହିକି ବି ଲାଭ କଣ ? ଯାହା ତାଙ୍କ ଭାଗ୍ୟରେ ଥିବ ।

ଆଜିଠାରୁ ସାନ ପୁଅର ପାଳି ଆରମ୍ଭ ହୋଇଛି । ଶାଳୀ ବାହାଘର ପାଇଁ ସାନ ପୁଅ ଚାରି ଦିନ ହେଲାଣି ବୋହୂ ଓ ପିଲାମାନଙ୍କୁ ଧରି ଶଶୁର ଘରକୁ ଯାଇଛି । ଆଜି ଫେରିବା କଥା କିନ୍ତୁ ଦିନ ଯାଇ ରାତି ଆସି ନଅଟା ବାଜିଲାଣି ତାଙ୍କର ଦେଖା ଦର୍ଶନ ନାହିଁ । ଘରେ ଏତେ ଲୋକ, କେହିହେଲେ ତାଙ୍କୁ ଚା କପ୍ ଟେ କି ପାଣି ଗିଲାସେ ପାଇଁ ପଚାରି ନାହାନ୍ତି । ସଂଧ୍ୟା ବେଳେ ବଡ ପୁଅ ବୋହୂ ସଜବାଜ ହେଇ ବାହାରକୁ ଯାଉଥିଲେ । ସେ ଡାକିବାରୁ ପୁଅ କହିଲା ମାଆ ଆମର ଡେରି ହୋଇଗଲାଣି । ଯାହା କହିବା କଥା ବୁଲୁ(ସାନପୁଅ)କୁ କହ । ଏବେ ତୋ କଥା ବୁଝିବା ଆମ କାମ ନୁହେଁ । ସେ ନୀରବ ହୋଇଗଲେ । କହିପାରିଲେ ନାହିଁ ଯେ ସାନ ପୁଅର ଦେହ ଖରାପ ସମୟରେ ରାତି ସାରା ଅନିଦ୍ରା ହେଇଥିଲେ ବି ସେ ପରୀକ୍ଷା ଥିବାରୁ ଭୋରରୁ ବଡ ପୁଅକୁ ଉଠେଇ ପାଠ ପଢଉ ଥିଲେ । ସବୁ ପିଲାମାନଙ୍କର ବରାଦ ମୁତାବକ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ରାନ୍ଧି ପରଶୁଥିଲେ । ଏମିତି କେତେ କଥା ଭାବୁ ଭାବୁ ସେ କେତେବେଳେ ଶୋଇପଡିଛନ୍ତି ନିଜେ ବି ଜାଣି ନାହାନ୍ତି ।

ନିଦ ଭାଙ୍ଗିଲା ବେଳକୁ ଦେଖିଲେ ଖରା ଆସି କେତେ ହେଲାଣି । ମୁହଁ ହାତ ଧୋଇ ଦାନ୍ତ ଘଷି ଗାଧୋଇବାକୁ ଗଲେ ସେ । ପୂଜା ଶେଷ କରି ଦେଖିଲେ ଆଜି ମଧ୍ୟ ସାନ ପୁଅ ବୋହୂ ଆସି ନାହାନ୍ତି । ଆଖିରେ ଲୁହ ଦୁଇ ଟୋପା ଜକେଇ ଆସିଲା । ଆଜି ସେ ସମସ୍ତଙ୍କ ପାଇଁ ଅଲୋଡା । ଦିନେ ତାଙ୍କ କଥା ରେ ବସ ଉଠ୍ ହେଉଥିବା ଏଇ ଘରର ଲୋକମାନଙ୍କୁ ସେ କଣ କରୁଛନ୍ତି ଜଣାନାହିଁ । ତାଙ୍କ ପାଇଁ ସାମାନ୍ୟ ଆଗ୍ରହ ମଧ୍ୟ କାହାର ନାହିଁ । ମାଆ ପାଖରୁ ଟଙ୍କା ପଇସା,ଜମି ବାଡି ସବୁ ନେଇ ସାରିବା ପରେ ମାଆ ଆଉ କାହାର ବା କଣ ଦରକାର ? ଜୀବନ ପ୍ରତି ବିତୃଷ୍ଣା ଆସିଗଲା ତାଙ୍କର । ଏହି ସମୟରେ ଘରେ ଭଡାଥିବା ଝିଅଟି ବାମ୍ଫଉଠା ଚା କପ୍ ସାଙ୍ଗରେ ବିସ୍କୁଟ ଚାରି ଖଣ୍ଡ ଆଣି କହିଲା ମାଉସୀ ଚା ଟିକିଏ ପିଅନ୍ତୁ,କେତେବେଳୁ ଗାଧୋଇ ପୂଜା ସାରି ବସିଛନ୍ତି । ଝିଅଟି ବାଧ୍ୟ କରିବାରୁ ବହୁତ କଷ୍ଟରେ ଚା ବିସ୍କୁଟ ଖାଇ ଉଠିଲେ । ନାଁ ଆଜି ଗୋଟିଏ କିଛି ନିଷ୍ପତ୍ତି ନେବାକୁ ହେବ । ବହୁତ ଦିନ ଆଗରୁ ଭାବୁଥିଲେ ବି ଘରର ମାୟା ମୋହ କଟେଇ ଏମିତି ଏକ ନିଷ୍ପତ୍ତି ନେବାକୁ ସେ ସାହସ ଜୁଟେଇ ପାରୁ ନଥିଲେ । ଅଯଥା ଡେରି ନ କରି ଆଲମାରୀ ଖୋଲି ଫୋନ୍ ଖାତା ଆଣି ଆଗରୁ ଟିପି ରଖିଥିବା ବୃଦ୍ଧାଶ୍ରମକୁ ଫୋନ୍ ଲଗେଇଲେ । ଘଣ୍ଟାଏ ପରେ ତାଙ୍କୁ ନେବାକୁ ଗାଡି ଆସି ଗେଟ୍ ପାଖରେ ଲାଗିଲା । ସେ ନିଜର ଲୁଗାପଟା ଦୁଇ ଖଣ୍ଡ ଧରି ଗାଡିରେ ବସିବାକୁ ଯାଉଛନ୍ତି ଏହି ସମୟରେ ରୁହ ସାନବୋହୂ ଡାକ ଶୁଣି ପଛକୁ ଫେରି ଚାହିଁଲେ । ଦେଖିଲେ ଯାଆ,ଦେଢଶୁର ଓ ଦେବୁ ସମସ୍ତେ ଆସୁଛନ୍ତି । ଦେଢଶୁର କହିଲେ ସୁଧା ନଥିଲେ କଣ ହେଲା ମୁଁ ତ ବଞ୍ଚିଛି । ତୁମେ କାହା ଅନୁମତି ନେଇ ଏ ଘର ଛାଡି ଯାଉଥିଲ ?ଦେବୁ କହିଲା,ସାନବୋହୂ !!ଘରକୁ ଚାଲ ମୁଁ କଣ ତୁମ ପୁଅ ନୁହେଁ ?ଦେଢଶୁର ହାତଯୋଡି ବିନମ୍ରତାର ସହ ବୃଦ୍ଧାଶ୍ରମର କର୍ମକର୍ତ୍ତାମାନଙ୍କୁ ଫେରିଯିବାକୁ ଅନୁରୋଧ କରୁଥିଲେ ।

ରତ୍ନମଣିଙ୍କ ଆଖିରୁ ଅନୁତାପର ଅଶ୍ରୁ ଗଡି ଚାଲିଥିଲା । ତାଙ୍କର ଇଚ୍ଛା ହେଉଥିଲା ସମାଜର ସବୁ ନୀତି ନିୟମ ଭାଙ୍ଗି ଦେବପ୍ରତିମ ବଡଭାଇ ସଦୃଶ ଦେଢଶୁରଙ୍କର ପାଦ ଦୁଇଟାକୁ ଜାବୁଡି ଧରି କ୍ଷମା ପ୍ରାର୍ଥନା କରିବାକୁ ।

ରତ୍ନମଣି ସୁଧାକର ସମ୍ପର୍କ

Rate the content


Originality
Flow
Language
Cover design

Comments

Post

Some text some message..