Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଭାଗ୍ୟ ରେଖା
ଭାଗ୍ୟ ରେଖା
★★★★★

© Swagatika Mishra

Inspirational

5 Minutes   1.7K    185


Content Ranking

ଗଙ୍ଗା ନିରୀଖି ଦେଖୁଥିଲା ହାତର ରେଖା ସବୁକୁ।ଆଉ ମନକୁ ମନ ପ୍ରଶ୍ନ କରୁଥିଲା କଣ ପାଇଁ ତାର ଏମିତି ନୁଆଁଣିଆ ଭାଗ୍ୟରେଖା? କଣ ପାଇଁ ତା ଭାଗ୍ୟରେ ଲେଖା ଗୋଟାଏ ପରେ ଗୋଟାଏ କଳା ଅଧ୍ୟାୟ? ପରଖୁ ଥିଲା ମାଡି ଆସୁଥିବା ଅନ୍ଧାର ସହ ନିଜ ଭାଗ୍ୟର ସାମଞ୍ଜସ୍ୟକୁ। କି ଦୋଷ ସେ କରିଥିଲା, ଏଇ ଭାଗ୍ୟ ନିୟନ୍ତ୍ରକ ସତରେ କଣ ଏତେ ନିର୍ଦୟ!

ଜନ୍ମରୁ ମା ମୁହଁ ଦେଖିବାକୁ ପାଇ ନଥିଲା ଗଙ୍ଗା।ହେତୁ ଆସିଲା ବେଳକୁ ନିଜକୁ ଆବିଷ୍କାର କଲା ଗୋଟାଏ ଆଶ୍ରା ବାଡ଼ି ସହ ନା କାମ କରୁଥିଲା ଗୋଟାଏ ହାତ ନା ଗୋଡ଼ ତା ସାଙ୍ଗକୁ ସାବତ ମାଆ ର ଅତ୍ୟାଚାର।ବାପା ହରେଇ ବସିଥିଲେ କଥା କହିବାର ଅଧିକାର।ଖାଲି ଯାହା ଜେଜେମା ଯୋଗୁ ସେ ବଞ୍ଚିଯାଉଥିଲା।ତା ପାଇଁ ଜେଜେମା ବି କେତେ ଥର ମାଡ଼ ଗାଳି ଶୁଣୁଥିଲା।ପାଠ ପଢା ତ ଦୂରର କଥା, ଯେଉଁ ବୟସ ରେ ତା ସାଂଗ ସାଥି ମାନେ ମିଛି ମିଛିକା ରୋଷେଇ କରୁଥିଲେ,ସ୍କୁଲ ଯାଉଥିଲେ ସେ ବୟସ ରେ ସେ ଛୋଟେଇ ଛୋଟେଇ ଘରର ଜାବତ୍ୟ କାମ କରୁଥିଲା।ଜନ୍ମରୁ ବୟସ ତା ପାଖରେ ଛାର ଗୋଟାଏ ସଂଖ୍ୟା ହେଇ ରହିଗଲା।

ସମୟ ସହ ଭାଗ୍ୟକୁ ଆଦରି ନେଇ ଆଗକୁ ଚାଲିଲା ଗଙ୍ଗା।ତା ସାଙ୍ଗ ସାଥି ସମସ୍ତେ ଏମିତିକି ତା ଠାରୁ ତିନି ବର୍ଷ ସାନ ତା ସାବତ ଭଉଣୀ ରୂପା ମଧ୍ୟ ବାହାହେଇ ତାର ପୁଅ ଟିଏ ହେଇ ସାରିଥିଲା ହେଲେ ଗଙ୍ଗା ତା ଅକର୍ମନ୍ୟତା ପାଇଁ ବାହାଘର ଠାରୁ ଢେର ଦୂରରେ ରହି ସ୍ଵପ୍ନ ସବୁକୁ କବର ଦେଇ ସାରିଥିଲା। ଜେଜେମା ରାତିରେ କେତେଥର ସକେଇ ସକେଇ କହେ,ପୋଡାମୁହିଁ ତୋର ଟିକିଏ ହାତ କୁ ଦି ହାତ ହେଇ ଯାଆନ୍ତାନି! ମୁଁ ଟିକିଏ ଶାନ୍ତିରେ ମରନ୍ତି।ଜେଜେମା ର ସେ ପୋଡାମୁହିଁ ଡାକ ଭିତରେ ବି ଗଙ୍ଗା ପାଉଥିଲା ଅଶେଷ ଆନନ୍ଦ।ସ୍ନେହର ଉଷ୍ମତାରେ ତରଳି ଆସୁଥିଲା ତା ଆଖି ଲୁହ ।ନିଜକୁ ଜେଜେମା କୋଳ ରେ ଜଡେଇ ଧରି ଶୋଇବାର ବାହାନା କରୁଥିଲା ଗଙ୍ଗା।ଜେଜେମା ର ନିତି ଦିନିଆ କଥା, ତୁ ତ ହୀନିକପାଳି ଟା। ତୋ ଭାଗ୍ୟରେ କୋଉଠୁ ଆସିବ ବାହାଘରର ସୁଖ। କିଏ ଅବା ଆଦାରିବ ତତେ?ଏମିତି କେତେ କଣ ଶୁଣୁ ଶୁଣୁ କେବେ କେଜାଣି ନିଦ ଆସି ମଥା ଆଉଁସେ;ଆଖି ଖୋଲିଲା ବେଳକୁ ସୁରୁଜ ମୁରୁଜ ବିଞ୍ଚି ସାରିଥାଏ।

ଜେଜେମା ର ସ୍ବପ୍ନ ସେଇଦିନ ସତ ହେଲା ଯୋଉ ଦିନ ଗଙ୍ଗାର ସାବତ ମାଆ ତା ଜଞ୍ଜାଳରୁ ମୁକ୍ତ ହେବାପାଇଁ ମଦୁଆ ସନିଆ ସହ ଜୋର ଜର୍ଜବରଦସ୍ତି ତା ବାହାଘର କରିଦେଲାଖାଲି ଯାହା ଜେଜେମା ନଥିଲା ଦେଖିବାକୁ।ଆଶୀର୍ବାଦ ଚାଉଳ ଟାଏ ବି ପକେଇବାକୁ କେହି ନଥିଲେ।ସେ ଯାହା ବି ହେଉ ଏଣିକି ଗଙ୍ଗା ଭାବିଥିଲା ହୁଏତ ସେ ନିଜର ଭାଗ୍ୟ ବଦଳେଇବ ବୋଲି କାଠି କୁଟାର ଘର ଖଣ୍ଡକୁ ସ୍ନେହ ଶ୍ରଦ୍ଧାରେ ମହଲ କରି ଗଢିତୋଳିବ ବୋଲି, ସନିଆକୁ ବୁଝେଇ ସୁଝେଇ ବାଟକୁ ଆଣିବ ବୋଲି।ହେଲେ ବିଧିର ବିଧାନ ବଡ଼ ବିଚିତ୍ର। ନିତି ମଦ ପିଇ ସନିଆ ଗଙ୍ଗା କୁ ମାର ଧର କଲା ଭାଷା ଅଭାଷା ରେ ଗାଳି ଗୁଲଜ କଲା।ଅଭାବ ଅସୁବିଧା ଭିତରେ ଯୁଝି ଯୁଝି ଗଙ୍ଗା ପେଟରୁ ପିଲାଟା ଜନମ ହେବା ମାସ କେଇଟା ନହଉଣୁ ସନିଆ ଆଉ ଗୋଟାଏ ମାଇକିନିଆ ଆଣି ଘରେ ପୁରେଇଲା ଗଙ୍ଗାକୁ ଘରୁ ବାସନ୍ଦ କଲା।ବିଚାରି ଜୀବନ ବିକଳରେ ରାତି ନପାହୁଣୁ ପିଲାଟାକୁ କାନ୍ଧ ରେ ପକେଇ ଚାଲି ଆସିଲା।ବେସାହାରା ଅକର୍ମଣ୍ୟ ମାଇପି ଲୋକ ଟାଏ ସେ; ତା ସାଙ୍ଗକୁ ସାତମାସ ର ଛୁଆ।କୁଆଡେ ଯିବ କେମିତି ଯିବ ଥଳକୂଳ ନ ପାଇ ଆଦରି ନେଲା ଟ୍ରେନ ଲାଇନ କଡ଼ ବସ୍ତିକୁ।ବାସ ସେଇ ଦିନଠୁ ଟ୍ରେନ ଲାଇନ କଡ଼ ବସ୍ତି ହିଁ ତାର ଠିକଣା।ଏଇଠି ତାର ପରିଚୟ।

ଟକ ଟକ ହେଇ ଫୁଟୁଥାଏ ଭାତହାଣ୍ଡିରେ ପୋଷେ ଉସୁନା ଚାଉଳ ଆଉ ଆଳୁ ଗୋଟାଏ।ଅତୀତରେ ହଜିଯାଇ ଅନ୍ୟମନସ୍କ ଭାବରେ ଚୁଲିଟାକୁ ଜାଳୁ ଜାଳୁ କେତେବେଳେ ଜାଳ ଜଳି ନିଆଁ ଉପରକୁ ଉଠିଆଇଥାଏ।ହାତ ଟା ଚେଙ୍କି ହେଇଗଲା ଗଙ୍ଗାର।ଯନ୍ତ୍ରଣା ସହ ଗଙ୍ଗା ଚିତ୍କାର କରି ହାତ ଫୁଙ୍କିବା ଆରମ୍ଭ କରିଛି କି ନାହିଁ ହଠାତ କାନ୍ଦି ଉଠିଲା ମୁନି, ପ୍ରକୃତିସ୍ଥ ହେଇ ଗଙ୍ଗା କୋଳେଇ ଆଣିଲା ମୁନିକୁ। ବୋଧ ହୁଏ ଭୋକ ରେ ଆଉଟୁ ପାଉଟୁ ହଉଥିଲା ପିଲାଟା।ପେଟ ପିଠି ସମାନ ଦିଶୁଥାଏ।ଚୂଡ଼ାଗୁଣ୍ଡ ଡବାଟାକୁ ଝାଡ଼ି ଝୁଡ଼ି ଦେଇ କାତେ ପାଣି ଗୋଳେଇ ପିଆଇ ଦେଲା ମୁନିକୁ।ଡବା ଖାଲି। ବାହାରେ ବର୍ଷା ଛେଚୁ ଥାଏ ଗୋଟାଏ କଣରେ ଜାକି ଜୁକି ହେଇ ଶୋଇ ଥାନ୍ତି ମାଆ ପିଲା ଦୁହେଁ, ମୁନିକୁ କୋଳ ରେ ଚାପି କୋହମୋହ ହେଇ ଆସୁଥାଏ ଗଙ୍ଗା।ପାଖରେ ଯୋଉ ପଇସା କିଛି ଥିଲା ବହୁ କଷ୍ଟରେ ଏତିକି ଦିନ ଗଲା।କେମିତି ଚଳିବ,କୋଉଠୁ ଆଣିବ, ପିଲାଟା ମୁହଁରେ ଦାନା ଗଣ୍ଡେ କେମିତି ଦେବ ଏମିତି କେତେ କଣ ଭାବି ଭାବି ତା ନିଦ ହଜି ଯାଇଥାଏ।ତା ଛଡା ତା ଭଳି ଅକର୍ମଣ୍ୟ ଲୋକକୁ ବା କୋଉଠୁ କାମ ମିଳିବ!ମୁନି ମଥା ଆଉଁସି ତା ଆଡେ ଆଖି ବୁଲେଇ ଆଣିଲା ଗଙ୍ଗା। ଅବୋଧ ମୁହଁ ଟାକୁ ଦେଖି ନିଜକୁ ପଥର କରି ସେ ଶପଥ ନେଲା ତା ଭାଗ୍ୟ ର କଳା ଛାଇ ସେ କେବେହେଲେ ମୁନି ଉପରେ ପଡ଼ିବାକୁ ଦେବନି।

ହଠାତ ଏହି ସମୟରେ ଗଙ୍ଗା ଅନୁଭବ କଲା ତା କଟିରେ କାହାର ଗୋଟାଏ ସ୍ପର୍ଶ।ଚମକି ପଡିଲା ଗଙ୍ଗା।ଆଖି ବୁଲେଇ ପଛକୁ ଦେଖେ ତ ଗୋଟାଏ ଅଚିହ୍ନା ଅଜଣା କାମାନ୍ଧ ମଣିଷ।ପାଟିରୁ ତାର ଭାସି ଆସୁଥାଏ ମଦର ଭୁରୁ ଭୁରୁ ଗନ୍ଧ।ଗଙ୍ଗା ପାଟିକରିବାକୁ ଉଦ୍ୟତ ହେବା କ୍ଷଣି ହିଁ ସେ ତା ପାଟିଟାକୁ ମୁଜି ଦେଇ ଆରମ୍ଭ କରିଦେଲା ରାତିକ ପାଇଁ ତା ଦେହ ର ଭାଉ ଉପରେ ମୂଲ ଚାଲ।ଗଙ୍ଗା ସ୍ତବ୍ଧ ।ଶେଷରେ ତାକୁ ଏଇ ଦିନ ବି ଦେଖିବାର ଥିଲା।!ନଜର ପଡିଲା ମୁନି ଉପରେ। ପିଲାଟା ଅଭାବକୁ ବୁଝିଗଲା ପରି ଶାନ୍ତ ହୋଇ ଶୋଇଥାଏ ଏବେବି ତା ପେଟ ପିଠିରେ ଏକାକାର ଦିଶୁଥାଏ।ପାଖରେ ଗଡ଼ ଗଡାଉଥାଏ ଖାଲି ଚୂଡ଼ାଗୁଣ୍ଡ ଡବାଟା।ଗଙ୍ଗାକୁ କେବଳ ଗୋଟାଏ ରାସ୍ତା ଦେଖାଗଲା।ତା ପିଲାର ଜୀବନ ବଦଳରେ ତା ଦେହର ନିଲାମ।ବୁକୁ ଫଟେଇ ଶେଷ ଥର ନିଜ ପାଇଁ ମନ ଭରି କାନ୍ଦିଲା ଗଙ୍ଗା।ସେଇ ଦିନଠୁ ସେ ସାଉଁଟି ନେଲା ଦେହଜୀବୀର ପରିଚୟ।ଛାତିରେ ଛାତିଏ କୋହ ଆଖିରେ ଆଖିଏ ବିଶ୍ୱାସ ଆଉ ମନ ରେ ଅମାପ ଆଶା ରଖି ମୁନି କୁ ଚାହିଁ ମୁହଁ ବୁଲେଇ ଦେଲା ନିଜ ଆଡୁ।କେତେ ଡାହାଳ କୁକୁର ଙ୍କ ଠାରୁ ବଞ୍ଚେଇ ବଞ୍ଚେଇ ସବୁ କଷ୍ଟ ସହି ସେ ବଢ଼େଇ ଚାଲିଲା ମୁନିକୁ।ମୁନି ବି ଭଗବାନ ଙ୍କ ଆଶୀର୍ବାଦ ରୁ ଭଲ ପାଠ ପଢିଲା,କେତେ ଘାତ ପ୍ରତିଘାତ ଘୃଣା ଆଉ ଲାଂଛନା କୁ ପାଦରେ ଆଡେଇ ନିଜ ପରିଶ୍ରମ ଆଉ ଅଧ୍ୟବସାୟ ବଳରେ ସାରା ଓଡିଶାରେ ମାଟ୍ରିକ ପରୀକ୍ଷା ରେ ପ୍ରଥମ ଶହେ ଜଣଙ୍କ ମଧ୍ୟରେ ସ୍ଥାନ ଅଧିକାର କଲା।ପରେ ପରେ ଅନେକ ସାହାଯ୍ୟ ର ହାତ ବଢ଼ିଲା ମୁନି ଆଡକୁ। ମୁନି ଯୁକ୍ତଦୁଇ ଓ ଯୁକ୍ତତିନି ରେ କୃତିତ୍ୱ ର ସହ ପାସ କରିବା ପରେ ଆଇ ବି ପି ଏସ ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ଗୋଟିଏ ସରକାରୀ ବ୍ୟାଙ୍କରେ ପ୍ରୋବେଶନାରୀ ଅଫିସର ଭାବରେ ନିଯୁକ୍ତି ପାଇଲା।ସମଗ୍ର ବସ୍ତିର ନାମ ଆଲୋକିତ କଲା।ଯେଉଁ ମାନେ ଦିନେ ଦେହଜୀବୀ ର ଝିଅ କହି ତା ବାପର ପରିଚୟ ଉପରେ ଅଙ୍କ କସୁଥିଲେ ସେମାନେ ଆଜି ତା ସଫଳତାକୁ ଭାଗ୍ୟର ଦ୍ୱାହି ଦେଇ ଇର୍ଷାରେ ଜଳିବାକୁ ମଧ୍ୟ ପଛାଉ ନଥିଲେ। ଗଙ୍ଗାର ତ୍ୟାଗ କଷ୍ଟ ଯନ୍ତ୍ରଣା ଆଉ ପରିଶ୍ରମ କୁ ଭୁଲିଯାଇ ଲୋକେ ଟୁପଟପ ହେଲେ ଯାହା ହେଉ ଗଙ୍ଗାର ଭାଗ୍ୟ ବଦଳିଲା।

ମୁନିର ବ୍ୟାଙ୍କ ଅଫିସର ଭାବରେ ଆଜି ପ୍ରଥମ ଦିନ।ମୁନି ଗାଧେଇ ପଡି ପାଖ ମନ୍ଦିର ଯାଇଛି ଚାକିରି ର ପ୍ରଥମ ଦିନଟା ଭଲ ରେ ଯାଉ ବୋଲି ଶୁଭ ମନାସିବା ପାଇଁ।ଆଖିକୁ ଭଲସେ ଦେଖା ଯାଉ ନାହିଁ ଆଉ ଗଙ୍ଗାର।ଝିଅ ପାଇଁ ତର ତର ହେଇ ରୋଷେଇ କରୁ କରୁ ପନିକି ରେ ହାତ ରୁ ଫଡେ କାଟି ପକାଇଛି ଆଜି।ସେଥିରେ ବି ତାର ଭ୍ରୁକ୍ଷେପ ନାହିଁ।ରୋଷେଇ ସାରି ଝିଅକୁ ଅପେକ୍ଷା କରୁ କରୁ ଝରକା ପାଖେ ଠିଆ ହେଇ ଗଙ୍ଗା ତା ବୃଦ୍ଧା ଆଖିରେ ଅଣ୍ଡାଳି ପକେଇଲା ନିଜ ଟାଣୁଆ ହାଡୁଆ ଶୁଷ୍କ ହାତ ପାପୁଲିରେ ଭାଗ୍ୟରେଖା ଟାକୁ।କାହିଁକି କେଜାଣି ସେ ଆଜି ଭିତରେ ଭିତରେ ଭାରି ଦୁର୍ବଳ ହେଇ ଆସୁଥିଲା।ତା ଆଖିରେ ନାଚୁଥିଲା ଜେଜେମା ଆଉ ସନିଆର ମୁହଁ।ଗଙ୍ଗା ବୋଧେ ସିଦ୍ଧାନ୍ତରେ ପହଂଚୁଥିଲା ଯେ ଭାଗ୍ୟ, ମଣିଷ ତିଆରି କରେନି ବରଂ ମଣିଷ ନିଜ ଅଖଣ୍ଡ ପରିଶ୍ରମ, ଅଦମ୍ୟ ସାହସ ଆଉ ଅପରିସୀମ ଇଛାଶକ୍ତି ବଳରେ ନିଜ ଭାଗ୍ୟ ନିଜେ ତିଆରି କରେ।

ମୁନି ମନ୍ଦିରରୁ ଫେରି ଗଙ୍ଗା ପାଟିରେ ମିଠାଟାଏ ଗୁଞ୍ଜି ଦେଉ ଦେଉ ତା ଦେହରେ ଆଉଜି ପଡି କହିଲା, ଏଇ ରବିବାର ବ୍ୟାଙ୍କ ବନ୍ଦ ତୋ ଆଖି ପରୀକ୍ଷା କରିଦେବା ବୋଉ।ମୋ ଭାଗ୍ୟ ରେଖାଟାକୁ ସଳଖ କରି ଗଢିଥିବା ଲୋକ ହିଁ ତ ଅସଲ ହକ୍ଦାର ମୋ ଭାଗ୍ୟରେ ଥିବା ଖୁସି ଦେଖି ଖୁସି ହେବାପାଇଁ।

ଗଙ୍ଗା ସମୟ ଭାଗ୍ୟ

Rate the content


Originality
Flow
Language
Cover design

Comments

Post

Some text some message..