Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narayan chandra Senapati

Inspirational

3  

Narayan chandra Senapati

Inspirational

ମାନସିକତା

ମାନସିକତା

7 mins
621


ପରିବାରର କାହାକୁ ଛାଡ଼ିବି ନାହିଁ । ସବୁଗୁଡ଼ାକ ସ୍ୱାର୍ଥପର,ଅବିବେକୀ । ମୋର ସବୁ ଖାଇଲ, ଶେଷରେ ମୋତେ ରାଜରାସ୍ତାରେ ବସାଇ ବ୍ୟାଙ୍କ୍ ବାଲାନ୍ସ ଓ ବିଲ୍ଡିଂଗ କରିବାରେ ମାତିଛ । ମୁଁ ଆଜି ନିଃସ୍ୱ.. କାହାପାଇଁ?ମୁଁ ଆଜି ବେକାମର.. କାହାପାଇଁ? କଣ ନ ଥିଲା ମୋର?ସବୁତକ ଶୋଷି ନେଇ ଶେଷରେ ମୋତେ ଫିଙ୍ଗିଦେଲ ଅଳିଆ ଗଦାକୁ । ମୁଁ କାହାରିକୁ ଛାଡ଼ିବି ନାହିଁ । ମୋ ସହ କରାଯାଇଥିବା ଅନ୍ୟାୟ ଓ ବିଶ୍ୱାସଘାତକତାର ପ୍ରତିଶୋଧ ନିଶ୍ଚୟ ନେଵି । ହାତକଡି ପକାଇ ବିଚ୍ ରାସ୍ତାରେ ଘୋଷାରି ଘୋଷାରି ଯଦି ମାମୁଁ ଘର ହଳଦିଆ ଭାତ ନ ଚଖାଇଛି ତେବେ ମୋ ନାଁ ନରସିଂହ ରଣା ନୁହଁ ।

ସାହି ଲୋକ,ଗାଁ ଲୋକ ଏସବୁ ଶୁଣନ୍ତି । କେହି କେହି କହନ୍ତି, ଏଟା ଅମଣିଷଟା,ଗୁରୁ ଗୁରୁଜନ ମାନୁ ନାହିଁ । ଘର ଲୋକ କହନ୍ତି, ଏଟା ପାଗଳ ହୋଇଗଲାଣି,ଅଭଦ୍ରଟା । କେହି କେହି କହନ୍ତି, ଏତେ ଭଲ ପିଲାଟା ଥିଲା,ଏଭଳି ହୋଇଗଲା,ମୁଣ୍ଡ ବୋଧେ ଖରାପ ହୋଇଯାଇଛି ।

ରୋଗ ହେଲେ ସମସ୍ତେ ଲୋଡ଼ନ୍ତି ଔଷଧ । ହେଲେ କିଏ କଣ ଚିନ୍ତାକରେ ଏ ରୋଗଟା କାହିଁକି ହେଲା?

କିଛି ଘଟଣା ଘଟିଲେ ମଣିଷ ଦୋଷ ଦିଏ ଅପରକୁ,ପରିବାର ଲୋକେ କେବେ କଣ ଭାବନ୍ତି, ସେମାନଙ୍କ ଦ୍ୱାରା କିଛି ଭୁଲ ହୋଇଛି କି?

ନରସିଂହର ଏକ ଘନିଷ୍ଠ ବାଲ୍ୟବନ୍ଧୁ ନରେନ୍ । ସାଙ୍ଗର ଏଭଳି ଆଚରଣ ତାକୁ ଆଦୌ ଭଲ ଲାଗୁ ନ ଥିଲା । ସେ ତାକୁ ଭୁଲ ନ ବୁଝି ନିଖୁଣ ଭାବେ ପର୍ଯ୍ୟବେକ୍ଷଣ ଓ ଅନୁଧ୍ୟାନ କରୁଥିଲା ।

ନରସିଂହର ବାପା ଥିଲେ ଜଣେ ଜ୍ଞାନୀ,ହୃଦୟୀ, ଆଦର୍ଶ ସ୍କୁଲ ଶିକ୍ଷକ । ମା ଥିଲେ ଜଣେ ଆଦରଣୀୟା ଧର୍ମପ୍ରାଣା ମହିଳା । ଆଚରଣରେ ଥିଲେ ସେ ମାର୍ଜିତା । ଏଭଳି ବିଶାଳ ହୃଦୟ ଥିଲା ଯେ ସତେ ଯେମିତି ମା ଗାନ୍ଧାରୀ କି? । ପୁଅକୁ ଜନ୍ମ ଦେଇ ଭାବିଥିଲା ସ୍ୱର୍ଗ ପ୍ରାପ୍ତ କରିଛି ।  ଅନେକ ଆଶା ରଖିଥିଲା ତା ପୁଅକୁ ସଂସ୍କାର ଦେବ,ଶୃଙ୍ଖଳିତ ଓ ଚରିତ୍ରବାନ ଭଦ୍ର ଶିକ୍ଷିତ କରିବ । ହେଲେ ସେ ଆଶା ଆକାଶରେ ଦୁଃଖର ଧୂମକେତୁ ଦେଖାଗଲା । ହସ,ଉତ୍ଫୁଲ୍ଲତାର ମଳୟ ଯେବେ ବସନ୍ତକୁ ଛୁଇଁଥିଲା କେଉଁଠି ଥିଲା କେଜାଣି ରୋଗର ନିଦାଘ ଶୋଷିନେଲା ମୃଦ୍ୟୁମନ୍ଦ ମଳୟକୁ, ଅଜାଡି ଦେଲା ଗ୍ରୀଷ୍ମର ନିଷ୍ଠୁର ଉତ୍ତାପ । ମାତ୍ର ନରସିଂହ ଅଢେଇ ମାସର ହୋଇଥିବା ବେଳେ ମାତା ହେମାଙ୍ଗିନୀ ଏକୋଇର ବୋଳା ଶିଶୁପୁତ୍ରକୁ ସ୍ୱାମୀ ଭାଗ୍ୟଧର ହାତରେ ଟେକିଦେଇ ଆରପାରିକୁ ଚାଲିଗଲେ । ନିଜ ପୁଅକୁ ମଣିଷ ପରି ମଣିଷଟିଏ କରିବା ପାଇଁ ପ୍ରତିଜ୍ଞା କରିବାକୁ ଅନୁରୋଧ ବି କରିଥିଲେ ମୃତ୍ୟୁ ପୂର୍ବରୁ । ସେଇ ଵଚନକୁ ପୁରା କରିବାକୁ ଭାଗ୍ୟଧର ଆଖିର ନିଦକୁ ସପନର ମୁଣିରେ ପୁରାଇ ଲାଗିପଡିଥିଲା ପୁଅକୁ ମଣିଷ କରିବାକୁ ଶ୍ରମ ଓ ନିଷ୍ଠାର ସାଗର କୂଳରେ ।

ବାପାଙ୍କ ଠାରୁ ବାପା ମା ଉଭୟଙ୍କର ଆଦର ପାଇଥିଲା ନରସିଂହ । ପରିବାରର ସମସ୍ତେ ବି ଜୀବନ ଦେଇ ଭଲ ପାଉଥିଲେ ।  ପରିବାର,ସାହି ଭାଇ,ବନ୍ଧୁବାନ୍ଧବ ସମସ୍ତେ ଚାପ ପକାନ୍ତି ଦ୍ୱିତୀୟ ବିବାହ ପାଇଁ,ଶିଶୁଟିର ଉପଯୁକ୍ତ ଦେଖାଶୁଣା ପାଇଁ ।  ହେଲେ ହେମାଙ୍ଗୀନୀର ସ୍ଥାନକୁ କାହାକୁ ଉପହାର ଦେବାକୁ ଚାହାନ୍ତି ନାହିଁ ଭାଗ୍ୟଧର । ମଣିଷ ପରିସ୍ଥିତିର ଦାସ । ମା,ବାପା,ଗୁରୁ ଗୁରୁଜନ ସମସ୍ତଙ୍କ କଥାକୁ ମନାକରୁଥିବା ଲୋକଟା ଶେଷରେ ବାଧ୍ୟ ହେଲା ମାନିବାକୁ କେବଳ ନରସିଂହର ମୁହଁକୁ ଅନେଇ ଅନେଇ ।

କଥାରେ ଅଛି,ସାବତ ମା,ବିଷାକ୍ତ ନିଆଁ । ହେଲେ ନବାଗତା ମା ସମସ୍ତ ଇତିହାସ,ଭୂଗୋଳ ଓ ବିଜ୍ଞାନ କୁ ପଛରେ ପକାଇ ଏତେ ଭଲ ପାଇଲେ ଯେ ହେମାଙ୍ଗୀନୀର ଉପସ୍ଥିତି କେହି ଖୋଜି ନ ଥିଲେ ।

ହେଲେ ନରସିଂହକୁ କାହିଁକି ସବୁ ଅଲଗା ଅଲଗା ଲାଗୁଥାଏ । ସାଥି ନରେନ୍ କୁ ଲାଗୁଥାଏ ଯେମିତି ସେ ତାର ପୁରା ନିଜର । ନରେନ୍ ର ମା ବି ତାକୁ ନିଜ ପୁଅ ପରି ଆଦର କରନ୍ତି । ନରେନ୍ ଓ ନରସିଂହ ସତେ ଯେମିତି ଦୁଇଟି ଦେହ, ଗୋଟିଏ ଆତ୍ମା । ରାତି ପାହିବାଠାରୁ ଶେଯକୁ ଯିବା ପର୍ଯ୍ୟନ୍ତ ଅଳ୍ପ କେଇ ଘଣ୍ଟା ଛାଡିଦେଲେ ଯେତେବେଳେ ଦେଖିବ କୃଷ୍ଣ ସୁଦାମଙ୍କ ଯୋଡି ପରି ତାଙ୍କ ମେଳ । ଭାଗ୍ୟଧର ବି ନରେନ୍ କୁ ନିଜ ପୁଅ ପରି ଭଲ ପାଆନ୍ତି । ସକାଳେ ସନ୍ଧ୍ୟାରେ ନିଜ ଘରକୁ ଡାକି ଦୁହିଁଙ୍କୁ ସାଥିକରି ପଢ଼ାନ୍ତି । କୁହନ୍ତି ଏ ଦୁହିଁଙ୍କୁ ବଡ଼ କ୍ଳାସ ହେଲେ ବାହାର ଜାଗାରେ ଭଲ ସ୍କୁଲ ଓ କଲେଜ ରେ ପଢ଼ାଇବାର ବ୍ୟବସ୍ଥା କରିବି ।

ନରସିଂହ କୁ ୧୦ବର୍ଷ ହୋଇଥାଏ । ପାଠ ଯେମିତି, ଚାଲିଚଳନ ଆଚାର ବ୍ୟବହାର ବି ସେମିତି । ସମସ୍ତେ ଭଲପାଆନ୍ତି । ହେଲେ ଦୁଃଖ ଯେବେ ଆସେ ସାଥିରେ ପରା ଭାଇ ବନ୍ଧୁ କୂଟୁମ୍ଭଙ୍କୁ ସାଥୀରେ ଧରି ଆସିଥାଏ । ସେତେବେଳେ ନରସିଂହ ପଢୁଥାଏ ପଞ୍ଚମ । ଭାଗ୍ୟଧରଙ୍କୁ ହେଲା ଜ୍ୱର । ଅନେକ ଚେଷ୍ଟାପରେ ବି ଭଲ ହେଲେ ନାହିଁ ସେ  । ମ୍ୟାଲେରିଆ ଚଢ଼ିଲା,ଧରିଲା ବ୍ରେନ୍ କୁ । ଶେଷରେ ଆରପାରିକୁ ଚାଲିଲେ ଭାଗ୍ୟଧର ନରସିଂହକୁ ହତଭାଗ୍ୟର ଭଙ୍ଗା ସିଲଟ ଧରାଇ ଦେଇ ।

ନରସିଂହ ର ମାମୁଁ ଘର ଭୁଲ ବୁଝିଲେ ଭାଗ୍ୟଧର ଘର ପରିବାରକୁ । କାରଣ ରୋଗର ଚିକିତ୍ସା ଭଲ ଭାବେ ନ କରି ଅବହେଳା କଲେ,ଯତ୍ନହୀନ ହେଲେ, ଯେଉଁଥିପାଇଁ ଭାଗ୍ୟଧର ହେଲେ ମୃତ । ଶେଷରେ ଅନାଥ ପିଲାଟି ବହି ବସ୍ତାନୀ ଧରି ଚାଲିଲା ମାମୁଁଘର,ପଢିଲା ପାଠ । ହେଲେ ବିପଦ ପାଖ ଛାଡି ନ ଥିଲା ନରସିଂହ ର । ମାଟ୍ରିକ ପରୀକ୍ଷାରେ ସେଣ୍ଟର ସ୍କ୍ରାଚ୍ ହେଲା । ଭାଗ୍ୟ ସାଥ ଦେଲାନି ତାକୁ । ମ୍ରିୟମାଣ ନରସିଂହ ପର ବର୍ଷ ପରୀକ୍ଷାରେ ସେତେ ଭଲ କରିପାରିଲା ନାହିଁ । ଏପଟେ ଭାଗ୍ୟଧର ମୃତ୍ୟୁ ପରେ ପରିବାର ଅଭାବରେ ସଢିଲେ,ନରସିଂହକୁ ସହାୟତା ଯୋଗାଇ ପାରିଲେ ନାହିଁ । ହେଲେ ନିଃସ୍ୱାର୍ଥପର ଭାଗ୍ୟଧର ବଞ୍ଚିଥିବା ବେଳେ ନିଜ ପୁତୁରା ଝିଆରୀଙ୍କୁ ବି ନିଜ ପିଲା ପରି ଦେଖୁଥିଲେ ଏମିତିକି, ନିଜ ଜନୈକ ପୁତୁରାକୁ ବିଦ୍ୟାଳୟରେ ନାମଲେଖା ପୁସ୍ତିକାରେ ବାପା ବୋଲି ନିଜ ନାମ ଲେଖିଦେଇଥିଲେ ସରକାରଠାରୁ ପ୍ରୋତ୍ସାହନ ପାଇବାକୁ । ଘରର ଆର୍ଥିକ ଦୁରାଵସ୍ଥା,ପୁତୁରା ମୋହନ ଯେକି ଶିକ୍ଷା ବିଭାଗରେ, ଏକ ବିଦ୍ୟାଳୟରେ ତାଙ୍କ ପୁତ୍ର ରିହବିଲିଟେସନ ବା ମୃତ୍ୟୁ ପରେ ରୂପାନ୍ତର ଚାକିରୀ କଲା । ଅବଶ୍ୟ ସାବତ ମା ରାଜି ନ ଥିଲେ ତାଙ୍କୁ ଚାପ ପଡିଲା,ଏପଟେ ନରସିଂହ ନାବାଳକ ଥିଲେ,ସାବାଳକ ହେଲେ ଚାକିରୀ ତାକୁ ଦେବା ପ୍ରତିଶ୍ରୁତି ଵଚନ ଶୁଣି ବିଶ୍ୱାସ ରଖିଥିଲେ ସାବତ ମା ସରସ୍ଵତୀ ।

ନରସିଂହ ବଡ଼ ହେଲା,ମାମୁଁ ଘର, ଗାଁ ଲୋକ ପ୍ରରୋଚନାରେ ସେ ହେଲା ମତଭ୍ରଷ୍ଟ । ଭୁଲ ବୁଝିଲା ସମସ୍ତଙ୍କୁ । ଏମିତିକି ମାନସିକ ଅସ୍ଥିରତା ଯୋଗୁଁ କୌଣସି ଜାଗାରେ ସ୍ଥାୟୀତ୍ୱ ବଜାୟ ରଖିପାରିଲାନି ସେ । ଶେଷରେ ଫେରିଲା ଗାଁକୁ । ଘର ଲୋକ ବହୁତ ଶ୍ରଦ୍ଧା କଲେ । ସାଥି ନରେନ୍ ର ଦିଗଦର୍ଶନ ତା ବିପରୀତ ମତକୁ ଭଲପାଇବାର ଅନୁକୂଳରେ ସାମାଜିକତା ଦିଗକୁ ଟାଣିନେଲା ।

ପୁଣି ଫେରିଆସିଲା ଆନନ୍ଦର ମୁହୂର୍ତ୍ତ । କିନ୍ତୁ ସଫେଦ ଆକାଶକୁ ଅଦିନିଆ ମେଘ ଢାଙ୍କିଲା ପରି କିଛି ଘଟଣା ତାକୁ ମତିଭ୍ରମ କରାଇଲା । କିଛି ଟଙ୍କା ପାଇଁ ମୋହନ ପାଖରେ ହାତ ପତେଇବ ସିଏ?କିଛି ଟଙ୍କା ପାଇଁ ଭିକ୍ଷା ମାଗିଲାପରି ମାଗିବ ସେ ସରସ୍ୱତୀଙ୍କୁ?କିଛି ଟଙ୍କା ମିଳିଲା ସରକାରଙ୍କ ପାଖରୁ । ଚିଙ୍ଗୁଡ଼ି ଚାଷ ରେ ଲଗାଇ ହରାଇଦେଲା ଅଧିକାଂଶ । ଆଉ କିଛିଥିଲା ସାଙ୍ଗ ନରେନ ର ଅସୁବିଧା ଓ ନିଜ ମଉସା କୁ ସାହଯ୍ୟ ଅବଶ୍ୟ କରିଥିଲା ଧାର ସୂତ୍ରରେ ସ୍ବେଚ୍ଛାକୃତ ଭାବେ । ପଡିଲା ତା ସାବତ ଭଉଣୀର ବାହାଘର । ମୋହନ ସବିକିଛି ଭୁଲି ମାଗିଥିଲେ ୟାକୁ ଟଂକା । ତା ବାପା ସମ୍ପତ୍ତି ଖାଇ ଝିଅକୁ ବିବାହ ପାଇଁ ବିକ୍ରିକଲା ଜମି । ଏହା ଖୁବ ଧକ୍କା ଦେଲା ନରସିଂହକୁ । ନିଜ ସାବତ ମା ଓ ମୋହନକୁ ଭୁଲ ବୁଝିଲା ସେ ।

ଜୀବନର ଆଉ ଏକ ମୋଡ଼ ଆସିଲା । ହିଂସୁକ ହୋଇ ଆସିଲା ନରସିଂହ । ୟା ସୁଯୋଗ ନେଇ ଖଳନାୟକ ମାନେ ହେଲେ ତା ପ୍ରିୟ,ଦେଲେ ବାରମ୍ବାର କୁମନ୍ତ୍ରଣା । କେବଳ ନରେନ୍ ବ୍ୟତୀତ ଗଠନମୂଳକ କଥା ପାଇଲାନି କାହାଠାରୁ । ଏପଟେ ବେକାରୀ,ସେପଟେ ଗଲା,ମୋହନ ନେଇଗଲା ଚାକିରୀ....ଏ ଭୂତ କାଟିଲା ତା କଅଁଳିଆ ମନକୁ । ନରେନ୍ ର ହେଲା ଚାକିରୀ । ସେ ବେକାର । କାଳେ ଦୁଃଖ ଲାଗିବ ବୋଲି ନରେନ୍ ଚାକିରୀ ପାଇଁ କୌଣସି ଖୁସି ମନାଉ ନ ଥାଏ । ଜୁଆ ରେ ଟଙ୍କା ଲଗାଇବାକୁ ମନ କଲା । ମାଗିଲା ସାଥି ନରେନ୍ ଓ ମଉସା ଚୈତନକୁ ଧାର ଦେଇଥିବା ଟଙ୍କା । ସେ ଦୁହେଁ ତାର ଅତି ଅନ୍ତରଙ୍ଗ, ଜୁଆ ଖେଳି ବର ବାଡ଼ କରିବାକୁ କଣ କେବେ ଚାହିଁବେ । ହେଲେ ନରସିଂହ ବୁଝି ନ ଥିଲା ସାଥି ନରେନ୍ ର ମହତ ଉଦ୍ଦେଶ୍ୟ ଓ ମଉସା ଚୈତନର ସୁଭାବନା । ଖଳ ଲୋକଙ୍କ ମନ୍ତ୍ରଣାରେ ପହଁରିଲା ନରସିଂହ । ମଉସାକୁ ଜୀଅନ୍ତା ଶୁଦ୍ଧି ହୋଇଗଲା,କାଟିଦେଲା ସୁସମ୍ପର୍କ । ଅପପ୍ରଚାର କଲା ସାଥୂ ନରେନ୍ ନାଁ ରେ । ହେଲେ ନରେନ୍ ସ୍ଥିତପ୍ରଜ୍ଞ ଓ ସାଥୀର ମଙ୍ଗଳ ପାଇଁ ବଦ୍ଧପରିକର । ପୂର୍ବ ପରି ଭଲ ପାଇବା ଭୁଲି ନ ଥିଲା ସେ । ଦୁରେଇ ନ ଥିଲା ମା ବାପା ବିହୀନ ସାଥିକୁ ନିଜ ହୃଦୟରୁ । ଶେଷରେ ସବୁ କିଛି ବୁଝାଇ ଘରକୁ ଡାକି ଫେରାଇଦେଲା ତା ଟଙ୍କା ଆଉ ଅନୁରୋଧ କଲା ଯେମିତି ଏହାକୁ ଅପବ୍ୟବହାର ନ କରେ । ନିଜର ସବୁ ଭୁଲ ବୁଝିପାରିଲା ନରସିଂହ, ନରେନ୍ ର ମହତ ଉଦ୍ଦେଶ୍ୟ ପାଖରେ ନୂଆଇଲା ମୁଣ୍ଡ । କ୍ଷମା କରିଦେବା ପାଇଁ ବହୁତ ଅନୁରୋଧ କଲା ।

ହେଲେ ତାର ଚାକିରୀ ଦରକାର,ନିଜ ବାପାଙ୍କ ଚାକିରୀ ରେ ହକ ଅଛି,ଏସବୁ ପାଇଁ ସେ ଆଇନରେ ଆଶ୍ରୟ ନେବା ଜଣାଇଲା ନରେନ୍ କୁ । ନରେନ୍ ଧୀକ୍କାର କଲା,ସେ ଜଣେ ଜ୍ଞାନୀ ପିଲା,ପଢି,ପରୀକ୍ଷା ଦେଇ ଚାକିରୀ କରୁ ଏହା ପ୍ରବର୍ତ୍ତାଇଲା । ହେଲେ ନିଜ କ୍ଷତାକ୍ତ ମନକୁ ସୁସ୍ଥ କରି ପାରୁ ନ ଥିଲା ସେ । କେମିତି ଭୁଲିଯିବ ଏତେ ଅନ୍ୟାୟ,ତା ପ୍ରତି କରାଯାଇଥିବା ଅବିଚାରକୁୠ ନରେନ୍ ପରଖି ଦେଲା ନରସିଂହର ମାନସିକତା । ଉପାୟ ଖୋଜିଲା ।

ଗୋଟିଏ ଶିଶୁ ମନ୍ଦିରରେ ରଖାଇଦେଲା ନିଜ ସାଥିକୁ ।  ନିୟୋଜନ ଓ ସେଠାକାର ବାତାବରଣ ଧୀରେ ଧୀରେ ବଡଦଲାଇଦେଲା ତାକୁ । ଏ ସମୟରେ ବିବାହ ବନ୍ଧନରେ ଛନ୍ଦିହେଲା ସେ । ଏକ ବିଡୁଷୀ ମହିଳା ସୁଷମାକୁ ପାଇ ବି ସେ ଥିଲା ଖୁସି । ନରେନ୍ ର ଖୁସି କହିଲେ ନ ସରେ । ହେଲେ ଏ ସଭିଙ୍କର ଖୁସିରେ ବି କାହାର ନଜର ଲାଗିଗଲା । ଶିଶୁ ମନ୍ଦିରର ଶେଷ କାଲଂଶ ବନ୍ଦେ ମାତରଂ କଲାବେଳେ ହଠାତ ଖସିପିଡ଼ିଲା ନରସିଂହ । ନିଆଗଲା ନୀଳାଚଳ ହସ୍ପିଟାଲ । ଦୁଇ ଦିନ ଧରି ଅବଜରଭେସନ୍ ରେ ରଖି ଚିକିତ୍ସା ହେଲାପରେ ପରିସ୍ଥିତି ହେଲା ଗୁରୁତର । ଡାକ ପଡିଲା,ଏ ହେଉଛି ଶେଷ ସମୟ । ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ୱଜନ ଙ୍କର କନ୍ଦା ବୋବାଳି ସ୍ତବ୍ଧ ଚକିତ କଲା ସଭିଙ୍କୁ । ସମସ୍ତଙ୍କ ମୁହଁରେ ଗୋଟିଏ କଥା,ଭଗବାନ ବଡ଼ ଅବିବେକୀ । ବାପ ମା ଛେଉଣ୍ଡ ପିଲାଟାକୁ ଶେଷରେ ଏଭଳି ଦଶା ଭୋଗିବାକୁ ପଡିଲା । ନରେନର ହୃଦୟ ଫାଟି ଯାଉଥାଏ । ନିଆଗଲା କଟକ ବଡ଼ ଡ଼ାକ୍ତରଖାନା । ସମସ୍ତଂକ ମୁହଁରେ ଗୋଟିଏ କଥା,ଆଉ ବଂଚିବନି । ସୁଷମା ଚେତାଶୂନ୍ୟ ହୋଇ ପଡିଥାଏ । ପାଞ୍ଚ ବର୍ଷର ପୁଅ ଶୁଭମ୍ ଖାଲି ଚାହିଁଥାଏ ମଟ ମଟ ହୋଇ ସମସ୍ତଙ୍କ ମୁହଁକୁ । ନରେନ ଚାଲିଲେ ମା ତାରିଣୀଙ୍କୁ ନଡ଼ିଆ ସହି, ଡାକି ଡାକି । ମାଆ, ଯଦି ମୋ ସାଙ୍ଗ ନ ବଞ୍ଚେ ତେବେ ଏ ଦୁନିଆଁରେ ଠାକୁର,ଧର୍ମ କିଛି ବି ନାହିଁ ଅନ୍ତରେ କହି କହି । ରାତି ଦଶଟାରେ ପହଁଚିଲା ନରେନ । ଡାକ୍ତରଙ୍କ ପାଖରୁ ନିରାଶର ଶବ୍ଦ ଶୁଣି ମର୍ମାହତ ହେଲା । ବହୁତ ଗୁହାରି କଲା । ହୃତପିଣ୍ଡ ର ସ୍ପନ୍ଦନ ବଢିଲେ ବଞ୍ଚିବାର ଆଶା ବଢିବ ସୂଚନା ପାଇଲା ।

ଆଇ ସି ୟୁ ରୁମରେ ବେଡ଼ ପାଖରେ ବସି ଡାକିଲା, ନରୁ ...ଏ ନରୁ... । ପିଠିରେ ହାତ ଆଉଁସୀ ଦେଇ ମା ତାରିଣୀଙ୍କୁ ସ୍ମରଣ କଲା । ଅନ୍ତରରୁ ଡାକିଲା । ସତେ ଯେମିତି ନରେନ କୁ ଅପେକ୍ଷା କରିଥିଲା ନରସିଂହ । ଦଶ ଦିନରେ ଯାହା ହୋଇନଥିଲା କେଇ ମିନିଟରେ ସ୍ପନ୍ଦନ ଟିକେ ବଢ଼ିଲା । ଠାକୁରାଣୀଙ୍କୁ ସ୍ମରି ସ୍ମରି ଆପେକ୍ଷ କୋଠରୀରେ ଉଜାଗର ହୋଇ ରହିଲା ନରେନ । ନର୍ସଙ୍କ କେଇପଦ କଥା,ଆଜ୍ଞା ସ୍ପନ୍ଦନ ଧୀରେ ଧୀରେ ବଢୁଛି । ଏଥର ବଞ୍ଚିବାର ଆଶା ଅଛି ।

କିଛି ଦିନ ପରେ ସୁସ୍ଥ ହେଲା ନରସିଂହ,ମାତ୍ର ହରାଇ ବସିଲା ବାକଶକ୍ତି । ଦୁଃଖର କଥା ଘର ଲୋକ ଟଙ୍କାଟିଏ ବି ସାହାଯ୍ୟ କଲେ ନାହିଁ । ଯେମିତି ଚାହୁଁଥିଲେ ଏ ମରିଯାଉ । ବହୁତ ଚେଷ୍ଟା କଲେ କଥା ହେବା ପାଇଁ ନରସିଂହ,ସାଥି ଓ ମାମୁଁ ଘରର ଲୋକେ । ଚାକିରୀ ବି ପାଇଲା ନରସିଂହ । ହେଲେ ବାକଶକ୍ତି ନ ଥିବାରୁ ନିଜକୁ ଧିକ୍କାର କରୁଥିଲା ସେ । ଚାକିରୀ ଜୀବନ ଉପଭୋଗ କରୁଥାଏ ସେ । ପୁଣି ଆଉ ଏକ ଝଡ଼ ମାଡି ଆସିଲା । ଏକ ପରୀକ୍ଷାରେ ପାଶ ନ କଲେ ଯିବ ଚାକିରୀ । ଏପଟେ ଅପରେସନ ନ ହେଲେ କଥା ହେବା ଅସମ୍ଭବ । ଏଥିପାଇଁ ଦରକାର ଅପର୍ଯ୍ୟାପ୍ତ ଟଙ୍କା । ପ୍ରଥମେ ପାଶ୍, ଦ୍ଵିତୀୟରେ ସୁସ୍ଥ । ଘରଲୋକ ଉପହାସ କରୁଥାନ୍ତି, ପଇସା ଦେବା ତ ଦୂରର କଥା । ବାରମ୍ବାର ଫେଲ,ଆଉ ଗୋଟିଏ ସୁଯୋଗ । ମ୍ରିୟମାଣ ହୋଇଗଲା ସେ । ଚିନ୍ତାକଲା ଆତ୍ମହତ୍ୟା କରିଦେବ । ନରେନ ସବୁ ଶୁଣିଲା,ଗାଳିଦେଲା ଓ ଅନେକ ବୁଝାଇଲା ।  ଖରା ଛୁଟିରେ କଠିନ ପରିଶ୍ରମ କରି ପଢ଼ାଇଲା ନରେନ ।

ଘର ଲୋକଙ୍କ ଦୁର୍ବ୍ୟବହାର ସହି ନ ପାରି ଚାଲିଗଲେ ସେମାନେ ଘରଛାଡି । ଲୋକେ ବା ଜାଣିବେ କାହିଁକି?ସାଥି ମାନଙ୍କ ସହାୟତାରେ ଅପରେସନ ହେଲା ଓ ମାଙ୍କ କରୁଣାରୁ ଭଲ ହେଲା ସେ । ଶୁଣିଲା ମୋହନ ଜାଗା କିଣିଛ ଭୁବନେଶ୍ୱର ରେ,କିଣିଛି ସ୍କରପିଓ । ହେଲେ ମରଣଶଯ୍ୟାରେ ପଡିଥିଲାବେଳେ ପାଇଲା ନାହିଁ ଟଙ୍କାଟିଏ ।  ଭାବୁଥିଲା, କି ସ୍ୱାର୍ଥପର,ଅମଣିଷ ଏମାନେ ।

ଘରକୁ ଆସିଲା ନରସିଂହ । ରାଗରେ ଜଳିଯାଉଥାଏ ତା ପ୍ରତି ଅନ୍ୟାୟର ସଢା ଦେହଟା ଓ ଅବିବେକରେ ପୋଡା ମସ୍ତିଷ୍କଟା କଲା ଉନ୍ମତ୍ତ କାଣ୍ଡ ।

ସତରେ ମାନସିକତା କିପରି ବଦଲାଇବ ଜାଣିପାରୁ ନ ଥାଏ । ନିଜକୁ ବହୁତ ବୁଝାଇଲା, ହେଲେ ଆତ୍ମାକୁ ବାଧି ଥିବା କଥାକୁ ସେ କିପରି ବା ଭୁଲନ୍ତା । ଅମଣିଷ ଗୁଡାକ ବିଚରା ଅନାଥଟାକୁ ଦାଣ୍ଡରେ ପକାଇଦେଲେ । ହଠାତ୍ ଏକ ଫୋନ୍ କଲ୍ ଆସିଲା, ନରେନ୍ ସାଥି ଆକାଶ ଠାରୁ । ନରସିଂହ ପାଶ୍ କରି ଯାଇଛି । ଏସବୁକୁ ଜଣାଇ ବୁଝାଇଲା ନରେନ୍ । ଏଥି ମଧ୍ୟରେ ପୋଲିସ ଗାଡ଼ିଟା ଆସି ପହଁଚିଲା ନରସିଂହଙ୍କ ଘର ଆଗରେ । ସୁଷମା ଦେଇଥିବା କେଶ ଇଂଭେସ୍ଟିଗେଶନ କରିବାକୁ । ଗୋଟିଏ ଉପାୟ ଯଦି ବଂଚାଏ ନରସିଂହ ନହେଲେ ମୋହନ ଯିବ ଦଫା ୪୨୦ ଆରେଷ୍ଟ ହୋଇ । ମୋହନର ମା କାକୁତି ମିନତି ହେଲା । ମୋହନର ଶୁଖିଲା ମୁହଁ ଦୁର୍ବଳ ଚେହେରା ଭିତରେ ସତେ ଯେମିତି ସାହାଯ୍ୟ ମାଗୁଥିଲା ନରସିଂହକୁ ପୁରୁଣା ସ୍ନେହ ଶ୍ରଦ୍ଧା ର ଛାଇ । ନରେନ୍ ବୁଝାଇଲା , ମହତ ମଣିଷ ମହାନତାକୁ ଚିହ୍ନେ । ଏ ତୋ ଘରର ଇଜ୍ଜତ । ସାଧୁ ଲୋକ ନିଜ ଘରର ଇଜ୍ଜତକୁ କେବେ ବି ତଳେ ପକାନ୍ତି ନାହିଁ ।

ସବୁକିଛିକୁ ଭୁଲିଗଲା ସେ । ଚାହିଁଲା ମନେ ପକାଇଲା ତା ବାପାଙ୍କ ନିଃସ୍ୱାର୍ଥପରତା ଓ ବଦାନ୍ୟତାକୁ । ରାମାୟଣ କଣ ମୋତେ ଏଇ ଶିକ୍ଷା ଦେଇଛି । ମୋ ବାପାଙ୍କ ରୋଇଥିବା ଗଛକୁ ମୁଁ କଣ ଉପାଡ଼ିଦେବି । ବଦଲାଇଦେଲା ସେ ମାନସିକତା । ପୋଲିସକୁ କହିଦେଲା ମୋହନ ହେଉଛି ଭାଗ୍ୟଧରଙ୍କ ବଡ଼ପୁଅ,ମୋ ବଡ଼ ଭାଇ । କୌଣସି ଆପତ୍ତି ଅଭିଯୋଗ ଆମର ନାହିଁ ।

ପୋଲିସ ଚାଲିଗଲା ତା ବାଟରେ । ରହିଗଲେ ଆଉସବୁ । ମୋହନର ଆଖିରୁ ଝରିପଡ଼ିଲା ଅଶ୍ରୁ ଦୁଇଧାର । କୁଣ୍ଢେଇ ପକାଇଲା ସେ ନରସିଂହ କୁ । ପାଟିରୁ ବହାରିପଡ଼ିଲା ମୋତେ କ୍ଷମା କରିଦେ ରେ ।  ଏ ଘରଦ୍ୱାର ଯାହାକିଛି ସବୁ ତୋର । ମୋ ମାନ ସମ୍ମାନ ତୁ ରଖିଦେଲୁ ମୋ ଭାଇ ।

ଝଡ଼ ଗଲାପରେ ଶାନ୍ତ ପଡ଼ିଗଲା ପରି ସେ ସ୍ଥାନ ସ୍ତବ୍ଧ ହୋଇଗଲା । ଆଖିରୁ ଲୁହ ପୋଛି କହିଲା ଭାଇ ମୋର କିଛି ଦରକାର ନାହିଁ,କେବଳ ଦରକାର ତୁମ ମାନଙ୍କ ଟିକେ ସ୍ନେହ,କାଣିଚାଏ ମମତା ।

ମୋହନ କହିଲା ସତରେ ନରସିଂହ ତୁ ମହାନ । ନରେନ୍ ଆଡ଼କୁ ଆଙ୍ଗୁଳି ଦେଖାଇ ନରସିଂହ କହିଲା,ସତରେ ଭାଇ ମୁଁ ମହାନ ନୁହଁ,ମହାନ ଏ ମୋ ସାଙ୍ଗ ନରେନ୍ । ଯାହାଙ୍କ ପ୍ରେରଣା ଓ ଦିଗ୍ ଦର୍ଶନରେ ମୁଁ ଆଜି ମୋର ସର୍ବସ୍ୱ ପାଇଛି,ମୋ ମାନସିକତାକୁ ବଦଳାଇ ସେ ମୋତେ କୂପଥରୁ ସୁପଥକୁ ଆଣିଛନ୍ତି । ଏହାର ଶ୍ରେୟ କେବଳ ମୋ ସାଥି ନରେନ୍ । ପୁଣି ନରସିଂହ ଫେରି ପାଇଲା ତା ସରଗପୁରୀ । ସତେ ଯେମିତି ଆନନ୍ଦାଶ୍ରୁ ବିଗଳିତ କରି ଭାଗ୍ୟଧର ଓ ହେମାଙ୍ଗୀନୀ ଆଶୀର୍ବାଦ ଦେଉଥିଲେ ନରେନ୍ କୁ ଓ ଚୁପ ଚୁପ ନରସିଂହକୁ କହୁଥିଲେ, ସବୁବେଳେ ମାନସିକତାକୁ ସୁସ୍ଥ କରିବୁ, ତେବେ ଯାଇ ନିଜକୁ,ସମାଜକୁ ଓ ଦେଶକୁ ସୁସ୍ଥ କରିପାରିବୁ ।

ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର


Rate this content
Log in

Similar oriya story from Inspirational