Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
✿ ବାଲିଘର' ତୋଓର-ମୋ'ର ✿
✿ ବାଲିଘର' ତୋଓର-ମୋ'ର ✿
★★★★★

© Amiya Bej

Others

5 Minutes   13.5K    9


Content Ranking

✿ ବାଲିଘର' ତୋଓର-ମୋ'ର ✿

{୧}

ନିଶ୍ଚୟ ସେ ସୌମ୍ୟା ଭିନ୍ନ ଆଉକେହି ନୁହଁ । ଗୋଲ୍ ପୃଥିବୀରେ ହଜିଯାଇଥିବା ଜଣକ ସହ ପୁଣିଥରେ ଆକସ୍ମାତ୍ ଭେଟ ଯେ' ନ'ହେବ , ସେପରି ଯୁକ୍ତି କିଛି ନାହିଁ । ସଂଯୋଗ ବସତଃ ଅନେକ କିଛି ଚମତ୍କାର ହୋଇଥାଏ ।
ଆମଦୁହିଁଙ୍କର ପ୍ରିୟ ଏଇ ସମୁଦ୍ର । 
ମୋ'ସହ ତା'ର ସମୁଦ୍ର ଆସିବା ବାରଣ ହୋଇଯାଇଥିଲା , କିନ୍ତୁ ସମୁଦ୍ରରେ ଅଚାନକ୍ ଆମ ଦୁହିଁଙ୍କର ଭେଟ କାହିଁକି ଯେ' ହେବନି ? ବାଲି ଉପରେ ଆଣ୍ଠୁ ମାଡି ବସିବାର ସେଇ ଏକା ଭଙ୍ଗୀ , ଓଦାବାଲିକୁ ସାଉଁଟି ଘର ବନାଇବାରେ ସେଇ ନିମଗ୍ନତା । ମାତ୍ର ପଚାଶ୍ ଫୁଟ ଦୂରରୁ , ମୋ' ଆଖି ଧୋକା ଦେଇନପାରେ ! ସେ ନିଶ୍ଚୟ ସୌମ୍ୟା ।

ମୁଁ ଥିବି ପାଣିରେ । ବାଲିଘର ତିଆରି , ହାତ ଠାରିବ ମୋତେ -
- ହେଃ! ଆସ । ଘର ଦେଖ । ଏଇଟା ମନ୍ଦିର ।
- ଆଉ ଠାକୁର ?
- ତୁମେ ! ଦେବ୍ । ମୋ' ଦେବତା ।
ଏଇତକ କଥାରେ ଭିଡିନେବି ତା'କୁ ଛାତି ଉପରକୁ । ଛାଟିପିଟି ହେବ ସେ -
- ଧେତ୍ ! ନିର୍ଲଜ୍ଜ । ସମୁଦ୍ର ଦେଖୁଛି ।
- ଚାଲ ପାଣିକୁ ।
- ନା ବାବା । ମୋତେ ଭାରି ଡର । ତୁମେ ଯାଇ ଆସ ।

ଏବେକିନ୍ତୁ ପଚାଶ୍ ଫୁଟ୍ ଦୂରରେ ସୌମ୍ୟା ! ହାତ ପାଆନ୍ତାରେ । ଅଥଚ ମୁଁ ନିରୁପାୟ । ଥରୁଟିଏ ମୁଣ୍ଡ ଉଠାଇ ଚାହାଁନ୍ତାନି ?

ସୌମ୍ୟାକୁ ପଛକରି , ସିଗ୍ରେଟଟେ ଲଗାଇଲି । ଧୂଆଁ ସହ ଫୁ" କରି ଉଡେଇ ଦେବାକୁ ଇଛାହେଲା ସବୁ ଅତୀତକୁ । ଏଇ ଫୁ" ସବୁ , ଭିତରେ ରହି ଖୁବ୍ ଦହଗଂଜ କରନ୍ତି । 
ସମୁଦ୍ରକୁ ମୋର ଯମା ଆସିବାର ନଥିଲା ।
ଆଉଥରେ ସିଗ୍ରେଟ୍ ଛାତିରେ ଧରିବାର ନଥିଲା ।
ସୌମ୍ୟା ସହ ପୁଣିଥରେ ଭେଟ ହେବାର ନଥିଲା ।
ତଥାପି ଏଇ ଥିଲା-ନଥିଲା ଦ୍ୱନ୍ଦ ଭିତରେ କାହାକୁ କାହିଁ ଛାଡିହେଉଥିଲା ? 
ନା ସମୁଦ୍ରକୁ , ନା ସୌମ୍ୟାକୁ , ନା ସିଗ୍ରେଟକୁ !!

{୨}

- ଦେବ୍ !
- ଉଁଉଁଉଁ କୁହ ।
- ବହୁବାର ଗୁହାରୀ କରିଛି । ମିନତି କରିଛି ......।
- ସିଗ୍ରେଟ୍ ଛାଡିବାକୁ । ଏୟାତ ? ମୁଁ ତୁମକୁ ଭଲପାଏ ସୌମ୍ୟା । କିନ୍ତୁ ଏ ସିଗ୍ରେଟ୍ ମୋର ପ୍ରଥମ ପ୍ରେମ । କୁହ କେମିତି ଛାଡିବି ?
- ଆଉ ତୁମେ ମୋର ପ୍ରଥମ । କାହାକୁ ଗୋଟେ ତ ନିଜ ପ୍ରଥମ ପ୍ରେମକୁ ଛାଡିବାକୁ ହେବ ?
- ସୌମ୍ୟା ! କଣ୍ଡିସନାଲ୍ ଲଭ୍ ସର୍ବଦା ବିଭ୍ରାନ୍ତ । ଦୁନିଆଯାକର ସୁଗୁଣ ଯେ , ତୁମ ପ୍ରେମିକ ପାଖରେ ଖୁନ୍ଦି ହୋଇ ରହିବ , ସେ ଆଶା କାହିଁକି ରଖୁଛ ? ଆମ ଭିତରର ଅଳ୍ପକିଛି ଅଡୁଆକୁ ସାଲିସ୍ କରିନେଲେ ଭଲ । ଖୁବ୍ ଛୋଟବେଳୁଁ ମୁଁ ଏଇ ଷ୍ଟିକର ମୋହରେ । ଛାଡିପାରିବିନି ତାକୁ , ନା' ତୁମକୁ । 
- ନୋ' ! ଏଇଟା ଅନମ୍ୟାନେଜବଲ୍ ଦେବ୍ । ଏଥିରେ ତୁମ ସ୍ୱାସ୍ଥ୍ୟର ପ୍ରଶ୍ନ ଅଛି । ଅଛିବି ଆମର ଭବିଷ୍ୟତ ।
- ହା ହା । ଭବିଷ୍ୟତ ଆଉ କଣ କି ? ବର୍ତ୍ତମାନର ପରବର୍ତ୍ତୀ ମୁହୂର୍ତ୍ତ ତ । ପଲକ ଉଠିଲେ କାଲି । ତାକୁ ନେଇ ବ୍ୟସ୍ତ କଣ ?
ପ୍ରଚୁର ଭଲପାଅ ମୋତେ । ସବୁ ଠିକ୍ ହୋଇଯିବ । ଦିନେ ଏଇ ଧୂଆଁର ବାସ୍ନାରେ , ତୁମେ ମୋହାଚ୍ଛନ୍ନ ହୋଇଯିବ ଦେଖିବ !
- ଚିନ୍ତା କରିଦେଖ ଦେବ୍ । ମୁଁ ବୋଧେ ସାରାଜୀବନ ସାଲିସରେ ବଞ୍ଚିପାରିବିନି ।
***
***

ଏଇ ଦିନଟାର ତିଥିବାର ମନେନାହିଁ । କିନ୍ତୁ ସେବେଠାରୁ ଆରମ୍ଭ ହୋଇଥିଲା ଅବଶୋଷ ! ଲହଡି ଯୋଡେ , ଲହଡି ଭାଙ୍ଗେ । ବଡ ଏକ ଢେଉ ଆସି ଧୋଇନେଲା ବାଲିଘରକୁ । କିଛିମାତ୍ରାରେ ଆମେଦୁହେଁ ଓଦାହୋଇ ଫେରିଥିଲୁ ସମୁଦ୍ରରୁ ।

ଶେଷକୁ ସୌମ୍ୟା ନିଜର ଟ୍ରାନ୍ସଫର୍ କରାଇନେଲା ତା' ହୋମ୍ ଡିଷ୍ଟ୍ରିକ୍ଟ୍ ବାଲେଶ୍ବର। ତା' ଫେରୱେଲରେ ମୁଁ ବି ହୋଇଯାଇଥିଲି ଅଫିସର ଅନ୍ୟ ଷ୍ଟାଫଙ୍କ ପରି ସାଧାରଣ ।
ସେ ଛାଡିଯାଇଥିବା ସବୁଯାକ ଦୀର୍ଘଶ୍ବାସ , ମୋ' ଦେହରେ ବୋଳି ହୋଇଯାଇଥିଲା । ମୁଁ ନିଜେ ମୋର ଘର ଭାଙ୍ଗୁଥିବାର ମୁକସାକ୍ଷୀ ହୋଇ ଛିଡା ହୋଇରହିଥିଲି ।
ତା'ପରଠୁଁ କେଉଏକ ଅହଂକାରରେ ବୋଧେ ଆମେ ପରସ୍ପର ଖବର ରଖିବାକୁ ଚେଷ୍ଟା କରିନୁ ।

ସମ୍ପର୍କର ସେତୁ କାରଣଟିକୁ ନେଇ ବାନ୍ଧେ । ହଜାରେ ଅକାରଣର ବନ୍ୟା ଆସି କ୍ଷଣକରେ ତାକୁ ଧୋଇନିଏ ।

{୩}

ନିଜ ଅଭ୍ୟାସ ଅହଂକାର ପାଇଁ ପ୍ରେମକୁ ଏଡାଇ ଦେଇହେବ ! କିନ୍ତୁ ମାୟାବୀ ସମୁଦ୍ରକୁ ନୁହେଁ । ତା'ରି ଆକର୍ଷଣ ବଳରେ ଆଜି ପୁଣି ଆମେଦୁହେଁ ଏଇଠି । 
ନିଃସଙ୍ଗ ମୁଁ , ଆଉ ସେ ପ୍ରଥମ ପ୍ରେମ ବ୍ୟତୀତ ।
ସେ ବାଲିଘର ତୋଳିବାରେ ବ୍ୟସ୍ତ , ମୁଁ ସିଗ୍ରେଟ୍ ଫୁଙ୍କିବାରେ !
ଏ ସମୟ , ଭାବର ନା' ଅଭାବର ? ହୁଏତ ତାକୁ ଏଇ ବାଲିଖେଳରେ ଛାଡିଦେଇ , ଲହଡି ଭାଙ୍ଗୁଥିବ ତା' ନୂଆ ପ୍ରେମିକ ! କାନ୍ଧ ଯାଏଁ ବାଳ ଫୁରୁଫୁରୁ । ଚମକୁଛି ଓଠ ତଳର ଜାଈମନ୍ଦା । 
ଜୀବନକାଳ ଭିତରେ , ସମସ୍ତେ କେବେହେଲେ ପ୍ରେମରେ ପଡିବାଟା ଥୟ ! ତେବେ ଓଠ ଆଖପାଖରେ କଳାଜାଈ ଥିବା ମଣିଷଙ୍କ , ପ୍ରେମରେ ସଫଳତା ହାର ଅଧିକ । ତଥାପି ଯେଉଁ କିଞ୍ଚିତ୍ ମନ୍ଦଭାଗ୍ୟ ଅସଫଳ କାହାଣୀ , ସେଥିରୁ ଆମେ ଅନ୍ୟତମ । 
ପଚାଶ ଫୁଟ୍ ସାମ୍ନାରେ ମୁଁ । ସତରେ କଣ ତା' ନଜର ପଡୁନି ? ନା ଅଚିହ୍ନାର ଅଭିନୟଟେ କରୁଛି ବସି ? 
ପଚାରିନିଅନ୍ତା ନାଇଁ ଟିକେ , କେମିତି କଟିଛି ତା' ବ୍ୟତୀରକେ ??
ପ୍ରେମର କଣ ଗୋଟେ ଉପସଂହାର ଥାଏ ? ସବୁକିଛି ଭାଙ୍ଗିରୁଜି ଗଲାପରେ ବି ଭଙ୍ଗା ଟୁକୁଡାଟେ ହୃଦୟର ନିଭୃତ କୋଣରେ ଛପିରହି , ଆଜୀବନ ସନ୍ତଳୁଥାଏ ।
ମୋ' ଭିତରର ଆବେଗ , ବାଧ୍ୟ କରୁଥିଲା ଯାଇ ତାକୁ ପଚାରିଦେବାକୁ , ସତେକଣ ମୋତେ ଚିହ୍ନିପାରୁନ ? ନା ଆଉକିଛି ?

{୪}

ଅଧାଜଳା ସିଗ୍ରେଟଟାକୁ ପାଦରେ ମକଚି ଦେଇ ସୌମ୍ୟା ଆଡକୁ ଆଉଟିକେ ଆଗେଇବାକୁ ଯାଆନ୍ତେ , ଏକ ଅଭାବନୀୟ ଘଟଣା ଘଟିଲା ମୋ' ଆଗରେ । ସେ ହାତଠାରି ଡାକୁଥିଲା -
- ହେଃ! ଆସ । ଘର ଦେଖ । ଏଇଟା ମନ୍ଦିର ।
ପାଣି ଭିତରୁ ସୁଦର୍ଶନ ଯୁବକଟିଏ ଆସି ଟେକି ନେଇଗଲା ତାକୁ । ମୋ' ମୁହଁକୁ ଆସୁଥିଲା - ତାକୁ ପାଣିକୁ ନିଅନି , ସେ ଭାରି ଡରେଇ !

କଉଠି କହିହେଲା ଏତକ ? ବରଂ ସୌମ୍ୟା ନିଜେ ଖୁସିରେ ଲୋଟି ପଡୁଥିଲା ପିଲାଟିର ଛାତିରେ ।

ଏ ଭିତରେ ମୁଁ ଅଧାଗଢା ବାଲିଘର ପାଖରେ ପହଞ୍ଚି ସାରିଥିଲି । ସେମାନେ ଢେର ପାଣି ଭିତରକୁ ଚାଲିଯାଇଥିଲେ । ଲଥ୍ କି ବସିପଡ଼ିଲି ମୁଁ ସେ ଘର ସାମ୍ନାରେ । ସୌମ୍ୟାର ହାତତିଆରି । କୌଣସି ମତେ ସେ ଜାଣୁ , ମୋ' ହୃଦୟରେ ସେ ଏବେବି ବଞ୍ଚିଛି ବୋଲି । ଏକ ସ୍ୱାକ୍ଷର ଛାଡି ଯିବା ପାଇଁ , ଓଦାବାଲିରେ ଲେଖିଦେଲି ' ସୌମ୍ୟା ' ! ଆଉଟିକେ ସ୍ପଷ୍ଟ କରିବାକୁ ଯାଇ
ଅକ୍ଷର ଦୁଇଟିକୁ ଯତ୍ନକରି ଆଙ୍ଗୁଠିରେ ବାରମ୍ବାର ମଡାଉଥିଲି !

- ସୌମ୍ୟା ????

ମୁଣ୍ଡଟେକି ଦେଖିବାରୁ , ଓଦା ଜଡସଡ ସେଇ ଝିଅଟି !! ନିକଟରୁ ସୌମ୍ୟା ନୁହଁ , ଅବିକଳ ସୌମ୍ୟା ପରି ! ସେଇ ରୂପରଙ୍ଗ ! ଓଠତଳର ଜାଈମନ୍ଦା ! ଏକ ଅପରାଧ ବୋଧରେ ଇତସ୍ତତଃ ହୋଇଯାଉଥିଲି ମୁଁ । ଝିଅଟି ପୁଣି ପଚାରୁଥିଲା -
- ଆପଣଙ୍କ ପରିଚୟ ? କେମିତି ଜାଣନ୍ତି ମୋ' ମା'କୁ ??
- ମା' ?
- ହଁ ! ସୌମ୍ୟା ପ୍ରିୟଦର୍ଶିନୀ ମହାନ୍ତି । 
- ତୁମେ ତାଙ୍କ ଝିଅ ?
- ବଟ୍ ସି ଇଜ୍ ନୋ ମୋର୍ ଅଙ୍କଲ୍ ।

ମୁହୂର୍ତ୍ତେ ନୁହଁ , ଏକ ଯୁଗର ନୀରବତା ଜାବୁଡ଼ି ଧରିଲା ମୋତେ , ଝିଅଟିର କଥାଶୁଣି । ବିଳମ୍ବ ହେଉଥିବାର ଦ୍ୱାହିଦେଇ , ମୋତେ ପଛକରି ଦୁହେଁ ଚାଲିଗଲେ । ଛାଡ଼ି ଚାଲିଗଲେ ପୁଣି ଏକ ବାଲିଘର ।
ସାମ୍ନାରେ ସ୍ଥାଣୁହୋଇ ଛିଡାହୋଇଥିଲି ମୁଁ ତାରି ସାମ୍ନାରେ ।

ସୁର୍ଯ୍ୟ ମୁଣ୍ଡ ଆରପାରିକୁ ଚାଲିଯାଇଥିଲେ କେତେବେଳୁଁ । ମୋ' ନିଜର ଛାଇ ସାମ୍ନାକୁ ଆଉରି ଲମ୍ବି ଯାଇଥିଲା । କେତେହେବ ଏ ଛାଇର ଦୈର୍ଘ୍ୟ ? ଗତ ତିରିଶ୍ ବର୍ଷ , ନା ଯୁଗଟିଏ ?

ସମୟ , ବୟସକୁ ନେଇ ଆଗେଇ ଯାଏ । ପ୍ରେମ କିନ୍ତୁ ବୟସ୍କ ହୁଏନାହିଁ । ଛାଡିଥିବା ଯାଗାରେ ହିଁ ରହିଥାଏ ଚିରସତେଜ ହୋଇ ।

ବଡ ଢେଉଟେ ଆସି ଧୋଇନେଲା ଝିଅଟି ବନାଇଯାଇଥିବା ବାଲିଘରକୁ । ମୋତେ ଲାଗିଲା , ସେ ଅପହଞ୍ଚ ଦିଗବଳୟ ପାଖରେ ସୌମ୍ୟା ମୋତେ ହାତଠାରି ଡାକୁଛି । 
ମୁଁ ଏବେ ମାନିବାକୁ ବାଧ୍ୟ ଯେ' ମୋ ଅପରାହ୍ନ ,ସନ୍ଧ୍ୟାର ଦ୍ୱାରସ୍ଥ !!!!!

✿ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ✿

✿ ବାଲିଘର' ତୋଓର-ମୋ'ର ✿

Rate the content


Originality
Flow
Language
Cover design

Comments

Post

Some text some message..