Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
‍୨୧୬୬ କଳ୍ପନା ସମୟର
‍୨୧୬୬ କଳ୍ପନା ସମୟର
★★★★★

© Jyotiranjan Sahu

Fantasy

7 Minutes   238    36


Content Ranking


ସେ ଦିନ ଅଫିସ୍ ରୁ ଘରକୁ ଫେରିବାରେ କିଛିଟା ବିଳମ୍ବ ହୋଇଯାଇଥାଏ। ଶୀଘ୍ର ଘରେ ପହଞ୍ଚିବା ପାଇଁ ମୁଁ ବାଛିନେଲି ଗୋଟିଏ ସର୍ଟକଟ ରାସ୍ତା । ଆବଶ୍ୟ ରାସ୍ତାଟା ଥିଲା ଟିକିଏ ଅନ୍ଧାରିଆ ଆଉ ନିର୍ଜନ। ଏହିଭଳି ଏକ ରାସ୍ତାରେ ମୋ ବାଇକ୍ ଟା ବି ମୋତେ ଧୋକା ଦେଇଦେଲା । କଣ କରିବି ବୋଲି ମୋର ବୁଦ୍ଧି ହଜିଗଲା। ଆଖପାଖରେ କେହିନଥିଲେ ଯିଏ ଗାଡିଟିକୁ ସଜାଡିବାରେ ମୋତେ ସାହାଯ୍ୟ କରିବ। ଏଭଳି ପରିସ୍ଥିତିରେ ମୋର ଭଗବାନଙ୍କୁ ସାହାଯ୍ୟ ମାଗିବା ଛଡା ଆଉ କୌଣସି ଉପାୟ ନଥିଲା । ଏତିକି ବେଳେ ମୋ ଆଗରେ ଦେଖାଦେଲା ଏକ ଉଜ୍ଜଳ ଆଲୋକ । ମୁଁ ମନେମନେ ଭାବିଲି ଇଏ ଗୋଟେ ପୁଣି କଣ? କିଛି ସମୟ ପରେ ପୁଣି ଚତୁର୍ଦିଗ ଅନ୍ଧାର । ଏହି ଅନ୍ଧାର ଭିତରେ କେହିଜଣେ ପଛପଟୁ ମୋ କାନ୍ଧରେ ହାତ ରଖିଲା । ଶିହରୀ ଉଠିଲା ମୋର ସମ୍ପୂର୍ଣ୍ଣ ଶରୀର ଏକ ଅଜଣା ଆତଙ୍କରେ। କିଏ ବୋଲି ଉଚ୍ଚ ଗଳାରେ ପ୍ରଶ୍ନ କଲି । କୌଣସି ଉତ୍ତର ପାଇବା ପୂର୍ବରୁ ମୁଁ ଅନୁଭବ କଲି କେହି ଜଣେ ମୋ ନିକଟରେ ଦଣ୍ଡାୟମାନ । ହଠାତ୍ କୌଣସି ଏକ ଉପକରଣରେ ଆଲୋକିତ ହୋଇଉଠିଲା ସମ୍ପୂର୍ଣ୍ଣ ପରିବେଶ । ସେହି ଆଲୋକରେ ଦେଖାଗଲା ଜଣେ ଯୁବକ ଯିଏ ଉଚ୍ଚତାରେ ଥିଲା ମୋ ଠାରୁ ସାମାନ୍ୟ କମ୍ । ମୋର କୌଣସି ପ୍ରତିକ୍ରିୟା ଆଗରୁ ସେ କଣ ସବୁ କରି ମୋ ଗାଡିଟିକୁ ଠିକ୍ କରିଦେଲା । ସେହି ଆଲୋକରେ ମୁଁ ଦେଖିଲି ସେ ଅଜ୍ଞାତ ଯୁବକର ଅଦ୍ଭୁତ ରୁପଚର୍ଯ୍ୟା । ସପ୍ତରଙ୍ଗରେ ରଙ୍ଗାଇତ କେଶ ସହିତ ତାର ବିଚିତ୍ର ପରିପାଟି। ଲଜ୍ଯା ନିବାରଣ ପାଇଁ ଆବଶ୍ୟକ ପୋଷାକର ନ୍ୟୁନତମ ଆବଶ୍ୟକତା ହିଁ ଦୃଶ୍ୟମାନ ହେଉଥିଲା ତା ଶରୀରରେ। ସମ୍ପୂର୍ଣ୍ଣ ଶରୀରରେ ଅଙ୍କା ହୋଇଥିଲା କିଛି ବିଚିତ୍ର ଚିତ୍ର ଯାହାକୁ ବୋଧହୁଏ ଆଧୁନିକ ସମାଜ କହୁଛି ଟାଟୁ ବୋଲି। ସେହି ଭୟଙ୍କର ଟାଟୁ ଚିତ୍ରିତ ଶରୀରରେ ଜଣା ପଡୁନଥିଲା ତା ଶରୀରର ପ୍ରକୃତ ବର୍ଣ୍ଣ । ମୋର ଗାଡି ଠିକ୍ ହୋଇଗଲା ପରେ ମନରେ ଥିବା ଭୟକୁ ଲୁଚାଇ ତାକୁ କୃତ‍ଜ୍ଞତା ଜଣାଇଲି। ସେ ମଧ୍ୟ ମୋର କୃତଜ୍ଞତା ମୁଣ୍ଡ ହଲାଇ ଗ୍ରହଣ କଲା।

           ମୁଁ କିଛିଟା ସାହସ ସଞ୍ଚୟ କରି ତାକୁ ପଚାରିଲି " ତମେ କିଏ ଆଉ କେଉଁଠାରୁ ଆସିଛ?" କିଛି ସମୟ ପରେ ସେ ଉତ୍ତର ଦେଲା" ମୋ ନା ଲରେନ୍ସ । ମୋ ଘର ଉତ୍ତର ପ୍ରଦେଶ । ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି- ତୁମେ ତ ଭାରତୀୟ ଭଳି ଲାଗୁନ। ପୁଣି ଯଦି ତୁମେ ୟୂପିର ତେବେ ଓଡିଆ କିପରି କହୁଛ ! ଏହାପରେ ତାର ଉତ୍ତରଟା ଥିଲା ଯେତିକି ଆଶ୍ଚର୍ଯ୍ୟ ପୂର୍ଣ୍ଣ ସେତିକିଟା କୌତୁହଳପ୍ରଦ । ସେ ତା ଉତ୍ତରରେ କହିଲା- ମୁଁ ୨୧୬୬ ମସିହାରୁ ସମୟ ଯାତ୍ରାକରି ଆପଣଙ୍କ ସମୟକୁ ଆସିଛି । ମୋ କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ! କିନ୍ତୁ ଘଟଣାଟା ସତ୍ୟ । ଆଉ ରହିଲା ଭାଷା କଥା ; ଆମ ସମୟର ଲୋକଙ୍କ ମେମୋରୀ ଏତେ ଆଡଭାନ୍ସ ଯେ ଆମ ମସ୍ତିଷ୍କ ଯେକୌଣସି ଭାଷାକୁ ଗ୍ରହଣ କରିପାରେ ଆଉ ଅର୍ଥକୁ ମଧ୍ୟ ବୁଝିପାରେ।" ଏହା ଶୁଣି ମୋର ଆଶ୍ଚର୍ଯ୍ୟର କୌଣସି ସୀମା ରହିଲା ନାହିଁ। ତାହେଲେ କଣ ଏମାନେ ଭବିଷ୍ୟତର ସୁପରହ୍ୟୁମାନ ନା ହ୍ୟୁମାନ ରୋବର୍ଟ। ଏହିପରି ଅନେକ ପ୍ରଶ୍ନ ମୋ ମନରେ ଘୂରିବୁଲୁଥିଲା। ହଠାତ୍ ସେ କହିଉଠିଲା"ନା ନା ମୁଁ ରୋବର୍ଟ ନୁହେଁ ମୁଁ ଜଣେ ଅତ୍ୟାଧୁନିକ ମାନବ ଯେ ଭବିଷ୍ୟତର ଏକ ଅତ୍ୟାଧୁନିକ ସଭ୍ୟତାରୁ ସମୟ ଯାତ୍ରା କରି ଅତୀତକୁ ଆସିଛି କେବଳ ଆପଣଙ୍କ ପାଖରୁ ଗୋଟିଏ ପ୍ରଶ୍ନର ସମାଧାନ ପାଇଁ। ଏବେ ଆପଣ ଭାବୁଛନ୍ତି ମୁଁ ଆପଣଙ୍କ ମନ କଥା ଜାଣିଲି କିପରି ? ପ୍ରକୃତରେ ଆମ ସଭ୍ୟତାରେ ଆମେ ଅନ୍ୟର ମସ୍ତିଷ୍କ ତରଙ୍ଗକୁ ପଢିପାରୁ"। ଏତେ ସବୁ କଥା ଶୁଣି ମୋର ମୁଣ୍ଡ ଆଉ କାମ କରୁନଥିଲା। ତଥାପି ମୁଁ ପଚାରିଲି " ମୋ ପାଖରେ ତୁମ କାମ କଣ? ତୁମେ ଫେରିଯାଆ ତୁମ ସମୟକୁ"। "ମୁଁ ଆଉ ପାରିବିନି ଯେତେ ଦିନ ପର୍ଯନ୍ତ ମୋ ମସ୍ତିଷ୍କ ତା ପ୍ରଶ୍ନର ପ୍ରକୃତ ଉତ୍ତର ନପାଇଛି"। ଏତିକି କହି ସେ ଚୁପ୍ ରହିଲା ।


            ଏହାପରେ ମୁଁ ଆଉ ଅଧିକ କିଛି ନକହି ତାକୁ ମୋ ବାଇକ ପଛରେ ବସିବାକୁ ଇଙ୍ଗିତ କଲି। କାରଣ ମୋର ଘରକୁ ଯିବାପାଇଁ ଡେରି ହେଉଥିଲା। ଯାହା ହେଉ ସେ ବିଚିତ୍ର ମଣିଷଟାକୁ ସାଥିରେ ନେଇ ମୁଁ ଘରେ ପହଞ୍ଚିଲି। ଘରେ ତାକୁ ଦେଖି ସଭିଏଁ ତଟସ୍ଥ। ରାତିରେ ସେ ଓ ମୁଁ ଗୋଟିଏ ରୁମ୍ ରେ ଶୋଇଲୁ। ଶୋଇବା ପୂର୍ବରୁ ମୁଁ ତାଠାରୁ ତାର ପ୍ରଶ୍ନ ବିଷୟରେ ଜାଣିବାପାଇଁ ଇଚ୍ଛା ପ୍ରକାଶ କଲି। 


ସେଇଠୁ ସେ ବର୍ଣ୍ଣନା କଲା ତାର ଆସିବାର ଅଭିପ୍ରାୟ। ସେ କହିଲା " କିଛିଦିନ ପୂର୍ବରୁ ମୁଁ ଯେତେବେଳେ ମୋ ମେମୋରି ଡାଟା ବେସ୍ କୁ ଅପଡେଟ କରୁଥିଲି ସେତେବେଳେ ଗୋଟିଏ ଶବ୍ଦପାଖରେ ଯାଇ ମୋ ମେମୋରି ହ୍ୟାଙ୍ଗ ହୋଇଗଲା। ମୋ ଲାଇବ୍ରେରୀରେ ସେ ଶବ୍ଦ ତ ଥିଲା କିନ୍ତୁ ତା ଅର୍ଥ ସେ ସମୟର କୌଣସି ବ୍ୟକ୍ତିକୁ ଜଣା ନାହିଁ। ଆଉ ସେ ଶବ୍ଦଟା ହେଉଛି ଲଭ୍। ଯାହାର ଅର୍ଥ ନା ଲୋକଙ୍କୁ ଜଣା ନା ସେଇଟାକୁ କେହି ଦେଖିଛନ୍ତି। ସେଇଟା ନଜାଣିଲେ ସେଠାରେ ବହୁତ ଅସୁବିଧା ହୋଇଯିବ। ଏହି ଲଭ୍ ଶବ୍ଦଟା ଏବେ ଆଭିଧାନରେ ମଧ୍ୟ ନାହିଁ। କାହିଁକିନା ସେଠାରେ ଏହି ଶବ୍ଦର ଆବଶ୍ୟକତା ଉପଲବ୍ଧି ହେଉନାହିଁ। କିନ୍ତୁ ଏବେ ମୋ ପାଇଁ ନିତ୍ୟାନ୍ତ ଆବଶ୍ୟକ। ସମୟ ଯାତ୍ରା କରି ମୁଁ ଆପଣଙ୍କ ପାଖକୁ ଆସିବାର ଅର୍ଥ ମୋ ସୋଲ୍ୟୁସନ ଡାଟାବେସ୍ ରେ ଆପଣହିଁ ତାର ସମାଧାନ। ଯେତେଦିନ ପର୍ଯ୍ୟନ୍ତ ମୋ ବ୍ରେନର ମେମୋରି ସେଲ ସେ ପ୍ରଶ୍ନର ସମାଧାନ ନପାଇଛି ସେତେଦିନ ପର୍ଯନ୍ତ ମୋର ବ୍ରେନ୍ସେଲ୍ ଆଲୋକର ଗତିକୁ ଛୁଇଁପାରିବ ନାହିଁ ଆଉ ମୁଁ ମୋ ସମୟକୁ ଯାଇପାରିବି ନାହିଁ। ସମୟ ଯାତ୍ରା ପାଇଁ ପ୍ରଶ୍ନଟିଏ ଅବଶ୍ୟକ। ଯାହାକି ସମୟ ଯାତ୍ରାର କାରଣ ହେବ। ବିନା କାରଣରେ ସମୟ ଯାତ୍ରା ଅସମ୍ଭବ । ପୁଣି ପ୍ରଶ୍ନର ଉତ୍ତର ମିଳିଗଲେ ସମୟ ପହଞ୍ଚିଯିବ ତାର ବର୍ତ୍ତମାନକୁ"। ତା ଠାରୁ ଏତେସବୁ କଥା ଶୁଣିଲାପରେ ମୁଁ ତାଠାରୁ କିଛିଦିନ ସମୟ ମାଗିଲି। ଏହାଭିତରେ ଅନେକ ରାତି ହୋଇଯାଇଥିଲା । ଆମେ ବିଶ୍ରାମ ନେଲୁ।


        ତାପରଦିନ ସକାଳୁ ମୁଁ ଯାଇ ପ୍ରଥମେ ମୋ ବାପା ମା କୁ ପ୍ରଣାମ କଲି। ଏହା ଦେଖି ସେ ପଚାରିଲା ଏମାନେ କିଏ ଆଉ ଏଠାରେ ଏ ବୃଦ୍ଧା ଅବସ୍ଥାରେ କାହିଁକି ପଡିଛନ୍ତି ? ପାଖରେ କୋଉଠି ଜରା ନିବାସ ନାହିଁ"? ମୁଁ କହିଲି "ଏମାନେ ମୋର ପିତା ମାତା। ମୋର ଏମାନଙ୍କ ପ୍ରତି ଆଉ ଏମାନଙ୍କର ମୋ ପ୍ରତି ଲଭ୍ ମାନେ ଭଲପାଇବା ଅଛି। ସାନରୁ ଏହିମାନେ ମୋତେ ବଡ କରିଛନ୍ତି। ତେଣୁ ଏବେ ସେବାକରିବା ଦାୟିତ୍ବ ମୋର"। ଏହା ଶୁଣି ଲରେନ୍ସ କହିଲା" ତା ହେଲେ କଣ ଏହିମାନେ ତୁମକୁ ବଡ କରିଛନ୍ତି । ହେଲେ ମୋ ସମୟରେ ତ ଏମିତି ନାହିଁ । ସେଇଠି ତ ବାପା ମା ନିଜ ଇଚ୍ଛା ମୁତାବକ ସନ୍ତାନ ତିଆରି କରୁଛନ୍ତି। ସନ୍ତାନର ପ୍ରକୃତ ବାପା ମା କୁ ଏକ ସାଙ୍ଗରେ ଦେଖିବା ଖୁବ୍ କ୍ବଚିତ୍ । କେତେକ କ୍ଷେତ୍ରରେ ସନ୍ତାନ ପାଇଁ ମା କିମ୍ବା ବାପାର ମଧ୍ୟ ଆବଶ୍ୟକତା ପଡୁନି"। ଇଚ୍ଛା ମୁତାବକ ସନ୍ତାନ କଥା ଟା ମୋତେ ଟିକେ ଅବୁଝା ଲାଗିବାରୁ ସେ କହିଲା" ଆମ ସମୟରେ ସମସ୍ତଙ୍କୁ ବୁଦ୍ଧିମାନ ତଥା ନୀରୋଗା ପିଲା ଦରକାର। ତେଣୁ ସେହି ଅନୁସାରେ ଜେନେଟିକାଲି ଡ୍ୟାଭ୍ଲପଡ୍ ଜିନ୍ ବଜାରରେ ଉପଲବ୍ଧ । କୌଣସି ବି ଦମ୍ପତ୍ତି ନିଜ ଇଚ୍ଛା ମୁତାବକ ସନ୍ତାନ ତିଆରି କରେ। ଥରେ ବାପା ମା ହୋଇଗଲା ପରେ ପିଲାର ଭବିଷ୍ୟତ ପାଇଁ ଛାଡି ଦିଆହୁଏ ବୋର୍ଡିଂ ସ୍କୁଲରେ। ଯେଉଁଠି ପିଲା ରହିଲା ସୁରକ୍ଷିତ। ବାପା ମା ଚିନ୍ତା ମୁକ୍ତ ଆଉ ନିଜ ଜୀବନ ଜୀଇଁବାରେ ବ୍ୟସ୍ତ । ତେଣୁ ବାପାର ସନ୍ତାନ ବୋଝ ନେବାର ନାହିଁ କି ସନ୍ତାନର ବାପା ମା କଥା ଚିନ୍ତା କରିବାର ନାହିଁ"। ତାର ଏଭଳି କଥା ଶୁଣି ମୋର ଆଉ କିଛି କହିବାର ନଥିଲା । ତେବେ ସେ ପ୍ରଶ୍ନକଲା ଆଚ୍ଛା ତାହେଲେ ଲଭ୍ ଟା କଣ ? ମୁଁ ଖାଲି ଏତିକି କହିଲି ଯେ ଲଭ୍ ମାନେ ନିଃସର୍ତ୍ତ ଭଲପାଇବା । ବୋଧହୁଏ ସେ ମୋ କଥାଟିକୁ ବୁଝିପାରିଲା ନାହିଁ । ଏହା ପରେ ମୁଁ ବାହାରକୁ ଗଲି ପାରା ମାନଙ୍କୁ ଖୁଦ ଦେବାପାଇଁ । କିଛି ପାରା ଆସି ମୋ ହାତରେ ବସି ଖୁଦ ଖାଇବାକୁ ଲାଗିଲେ । ସେ ପଚାରିଲା ଏଇଟା କଣ? ଆମ ସମୟରେ ତ ଏ ସବୁ ପଶୁ ପକ୍ଷୀ ଚିଡିଆ ଘରେ ନହେଲେ ମ୍ୟୁଜିୟମରେ । ଏଗୁଡାକ ବାହାରେ ବୁଲିଲେ ଦୁର୍ଘଟଣା ହେବାର ଯଥେଷ୍ଟ ସମ୍ଭାବନା । ତା ପାଖରୁ ଏସବୁ କଥା ଶୁଣି ମୁଁ କହିଲି ଏଇଟା ପ୍ରେମ । ଏମାନଙ୍କ ପାଇଁ ଦୁର୍ଘଟଣା ହୁଏନି ଏମାନଙ୍କୁ ପ୍ରେମ କରାହୁଏ । ସେତିକି ବେଳେ ମୋ ସହଧର୍ମିଣୀ ଆସି କହିଲେ" ହେଇ ଦେଖ ପୁଅ ତୁମର ହୋଟେଲରେ ଖାଇବ ବୋଲି ତୁମ ପକେଟରୁ ଟଙ୍କା ଚୋରି କରୁଥିଲା"। ଏହା ଶୁଣି ମୋ ରାଗ ପଞ୍ଚମକୁ ଉଠିଗଲା । ମୁଁ ଯାଇ ତାକୁ ଖୁବ୍ ପିଟାମରା କଲି। ଏହା ଦେଖି ଲରେନ୍ସ କହିଲା "ପିଲାକୁ ମାଡ ମରାଯାଇ ପାରିବନାହିଁ । ଏହା ଆଇନ୍ ଅନୁଯାଇ ଅପରାଧ । ମୋ ସମୟରେ ପିଲାକୁ ବାପା ମା ପିଟି ପାରିବେ ନାହିଁ। ଜନ୍ମ ହେଲାପରେ ପିଲାର ଶରୀର ଉପରେ କେବଳ ତାର ନିଜର ଅଧିକାର ଅଛି। ବାପା ମା ତା ଶରୀରରେ ଆଘାତ ଦେଇ ପାରିବେ ନାହିଁ । ଯଦି ସେ ଦୋଷ କରିଛି ତେବେ ତୁମେ ପୋଲିସ୍ ପାଖରେ ଅଭିଯୋଗ କରିପାରିବ। ସେମାନେ ଉଚିତ୍ ପଦକ୍ଷେପ ନେବେ। ନଚେତ୍ ଚାଇଲ୍ଡ କେୟାରରେ କମପ୍ଲେନ କରିପାରିବେ"।


ତା କଥା ଶୁଣି ମୁଁ କୌଣସି ପ୍ରତିଉତ୍ତର ନଦେଇ ଅଫିସ୍ ଯିବାପାଇଁ ପ୍ରସ୍ତୁତ ହେଲି। ଯିବା ପୂର୍ବରୁ ମୁଁ ଲରେନ୍ସକୁ ଅନୁରୋଧ କଲି ବାହାରେ ନବୁଲିବା ପାଇଁ । ସେ ଦିନ ବିଳମ୍ବିତ ରାତ୍ରିରେ ମୁଁ ଘରକୁ ଫେରିଲି । ସାଥିରେ ଆଣିଥାଏ ପଞ୍ଚତାରକା ହୋଟେଲରୁ ମୋ ପୁଅ ପସନ୍ଦର କିଛି ଖାଦ୍ୟ । ଯାଇ ଦେଖିଲି ସେ ଶୋଇଛି । ପିଠିରେ ତାର ସକାଳ ମାଡର ଚିହ୍ନ । ଆଖିଟା ମୋର ଟିକିଏ ଭିଜିଗଲା। ଟେବୁଲ ଉପରେ ଥିବା ବାମ୍ ଶିଶିରୁ କିଛି ନେଇ ଧୀରେଧୀରେ ତା ପିଠିରେ ମାଲିସ୍ କରିଦେଲି । ମୋ ଅଜାଣତରେ କେଇଟୋପା ଅଶ୍ରୁ ଝରିପଡିଲା ତା ପିଠି ଉପରେ । ନିଦ ଟା ତାର ଭାଙ୍ଗିଗଲା। ସେ ଉଠିପଡି ମୋତେ କାନ୍ଦୁଥବାର ଦେଖି କୁଣ୍ଢାଇଧରି ବହୁତ କାନ୍ଦିଲା। କହିଲା"ବାପା ଭୁଲ ହୋଇ ଯାଇଛି। କିଛି ସାଙ୍ଗମାନଙ୍କ କଥାରେ ପଡି ମୁଁ ଏ ଭୁଲ କରିଦେଲି"। ଆଖିରେ ତାର ଥିଲା ପଶ୍ଚାତାପର ଚିହ୍ନ। ହଠାତ୍ କେହି ଜଣେ ମୋ ପିଠିରେ ଥାପୁଡେଇଦେଲା । ବୁଲିଦେଖିଲି ଲରେନ୍ସ । କୋହ ଭରା କଣ୍ଠରେ ସେ କହିଲା "ଏଇଟା ବୋଧେ ପ୍ରେମ"। ମୁଁ ମଧ୍ୟ ମୁଣ୍ଡ ହଲାଇ ତା କଥାକୁ ସମର୍ଥନ କଲି । ସେ କହିଲା" ଆଗରୁ କେବେ ଏ ଅନୁଭୁତି ମୋ ବ୍ରେନରେ ଷ୍ଟୋର ନଥିଲା । ଏକ ଅଦ୍ଭୁତ କେମିକାଲ ରିଆକ୍ସନ । ଏଇଟା ଆମ ସମୟରେ କରିବା ଅସମ୍ଭବ । ମାଇନ୍ଡ ଚେଞ୍ଜର ଏକ ଅଦ୍ଭୁତ ଫର୍ମୁଲା । ବୋଧହୁଏ ମୋ ପ୍ରଶ୍ନର କିଛିଟା ଉତ୍ତର ମୋ ବ୍ରେନ ରିଡ୍ କଲା ଯେଉଁଟା ଦ୍ବାରା ବ୍ରେନ ସେଲ୍ ଆକ୍ଟିଭ୍ ହେବା ଆରମ୍ଭ କଲେଣି"।


କିଛିଦିନ ଏହିଭଳି ବିତିଗଲା । ଆମ ବିବାହକୁ ପନ୍ଦର ବର୍ଷ ପୂରିଥାଏ । ଆମେ ସ୍ବାମୀ ସ୍ତ୍ରୀ ଦୁହେଁ ମନ୍ଦିର ଯିବାକୁ ବାହାରିଲୁ । ହଠାତ୍ ମୋ ସ୍ତ୍ରୀ ର ମୁଣ୍ଡଟା ବୁଲାଇଦେଲା । ମୁଁ ଜାଣି ଦେଲି ଆଉ ବେଶୀଦିନ ନୁହେଁ । ଖୁବ୍ ଶୀଘ୍ର ଆମର ବିଚ୍ଛେଦ ହେବାକୁ ଯାଉଛି । ମୁଁ ଡକ୍ତର ବର୍ମାଙ୍କୁ ଫୋନ୍ ଲଗାଇ ବାକୁ ଗଲି । ମୋତେ ପଛରୁ ଟାଣି ଧରିଲା ଲରେନ୍ସ । ଖୁବ୍ ଗମ୍ଭୀର ଜଣାପଡୁଥିଲା ସେ । କହିଲା" ଆପଣ ବୋଧେ ଭୁଲିଗଲେ ମୁଁ ବ୍ରେନ ରିଡ୍ କରିପାରେ । ପ୍ରଥମ ସାକ୍ଷାତରେ ମୁଁ ଜାଣିଥିଲି ଆପଣଙ୍କ ଚିନ୍ତାର କାରଣ ଆଉ ଆପଣଙ୍କ ସ୍ତ୍ରୀ ର ରୋଗ ବିଷୟରେ। ତାଙ୍କୁ ବ୍ରେନ କ୍ୟାନସର । ଆମ ସମୟରେ ଯେଉଁଠି ମାସଟିଏ ସାଥୀ ହୋଇ ଚଳିବା ଅସମ୍ଭବ ସେଠାରେ ପନ୍ଦର ବର୍ଷର ଆତ୍ମୀୟତା । ବୋଧହୁଏ ଏଇଟା ହିଁ ପ୍ରେମ । ନିଜର ମନ ଅପେକ୍ଷା ଅନ୍ୟର ହୃଦୟକୁ ଜିତିବାଟା ପ୍ରେମ । ଆପଣଙ୍କ ଅନ୍ୟ ମାନଙ୍କ ପ୍ରତି ବ୍ୟବହାରରେ ହିଁ କେଉଁଠି ବୋଧେ ଲୁଚି ରହିଛି ଭଲପାଇବା । ଏଇଟା କୌଣସି ବ୍ରେନ ରିଡ୍ କରିପାରିବ ନାହିଁ କି ଏହାର କୌଣସି ଫର୍ମୂଲା ନାହିଁ । ଏହା ଏକ ଅନୁଭବ। ଏହି ଅନୁଭବର ତରଙ୍ଗଟା ହିଁ ମୋ ପ୍ରଶ୍ନର ଉତ୍ତର । ଏହା ହିଁ ମୋର ବାୟୋଲଜିକାଲ ଫାଦରଙ୍କ ଔଷଧ । ୩୦ ବର୍ଷର ନିଃସଙ୍ଗତାର ଟ୍ରିଟ୍ ମେଣ୍ଟ । ମୁଁ ଆମ ସମୟର ଜଣେ ଓନ୍କଲୋଜିଷ୍ଟ ଓ ନ୍ୟୁରୋ ସର୍ଜନ । ଆମ ସମୟରେ କ୍ୟାନସରର ଉପଚାର ତ ଅଛି କିନ୍ତୁ ନିଃସଙ୍ଗତାର ନାହିଁ । ବ୍ରେନ ତ ରିଡ ହୋଇପାରୁଛି କିନ୍ତୁ ଧୈର୍ଯ୍ୟର ଅଭାବଟା କୌଣସି ଔଷଧ ପୂରଣ କରିପାରୁନାହିଁ"। ହଠାତ୍ ଲରେନ୍ସ କହିଲା" ମୋ ବ୍ରେନ ବୋଧହୁଏ ପୂରା ଉତ୍ତରର ଡାଟା ରିଡ୍ କରିଦେଲା । ଏବେ ମୁଁ ମୋ ସମୟକୁ ଚାଲିଯାଇ ପାରିବି । ଆପଣଙ୍କୁ ଧନ୍ୟବାଦ"। ଏତିକି କହି ସେ ମୋ ସ୍ତ୍ରୀ ପାଖକୁ ଗଲା । କୌଣସି ଏକ ଯନ୍ତ୍ର ଦ୍ବାରା ବୋଧହୁଏ କିଛି ବୈଦ୍ୟୁତିକ ତରଙ୍ଗ ମୋ ସ୍ତ୍ରୀ ର ମସ୍ତିଷ୍କରେ ପ୍ରବାହିତ କରାଇଲା ଓ ହଠାତ୍ ଏକ ଆଲୋକ ତରଙ୍ଗରେ ଅଦୃଶ୍ୟ ହୋଇଗଲା।


 ସେହି ଉପଚାର ରେ ମୋ ସ୍ତ୍ରୀ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କଲା। ସେ ଯାଉ ଯାଉ ମୋ ମନରେ ତା ପ୍ରତି ସମ୍ମାନଟା ଅନେକ ଗୁଣ ବଢାଇଦେଇଗଲା । ( ଏହା ଭବିଷ୍ୟତର ଏକ କଳ୍ପନା ମାତ୍ର )

ଭବିଷ୍ୟତ ଲରେନ୍ସ ଲଭ୍

Rate the content


Originality
Flow
Language
Cover design

Comments

Post

Some text some message..