Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବରଗଛ
ବରଗଛ
★★★★★

© Atanu Rout

Drama

5 Minutes   7.0K    16


Content Ranking


ଶ୍ରୀ ଅତନୁ କୁମାର ରାଉତ


କ୍ଷୁଦ୍ର ସହରଟିରେ ଖେଳିଯାଇଥିଲା ସେଦିନ ଏକ ଅଦ୍ଭୂତପୂର୍ବ ନୀରବତା । ସମସ୍ତେ ପଚାରୁଥିଲେ ଯେ ସତରେ କଣ ସୁନ୍ଦର ଦାସ ଚାଲିଗଲେ ? ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ ଘାରୁଥିଲା, ନା ସୁନ୍ଦର ଦାସ ସେପରି ନୁହଁନ୍ତି । ସେ ପଳାଇଲେ ନା କୌଣସି ଆତଙ୍କବାଦୀ ଗୋଷ୍ଠୀ ବା କୌଣସି ବଦମାସ ତାଙ୍କୁ ଟଙ୍କା ପାଇଁ ନେଇ ଯାଇନାହାଁନ୍ତି ତ ? କିନ୍ତୁ ଅନୁସନ୍ଧାନର ସେହି ଦିଗଟିରେ ପୂର୍ଣ୍ଣଛେଦ ପଡିଥିଲା ସେତେବେଳେ ଯେତେବେଳେ ତାଙ୍କ ଡ୍ରଇଁ ରୁମ୍ ରୁ ତାଙ୍କର ହାତଲେଖା ଚିଠିଟି ମିଳିଥିଲା । ଯେଉଁଥିରେ କେବଳ ଏତିକି ଲେଖଥିଲା “ଏଥର ମୁଁ ଚାଲିଲି” । ତାହେଲେ ସେ କୁଆଡେ ଗଲେ ? ସୁନ୍ଦର ଦାସଙ୍କ ଯିବାଟା ସମସ୍ତଙ୍କୁ ଗଭୀର ଭାବେ ମର୍ମାହତ କରୁଥିଲା ଏଥିପାଇଁ ସହରର ଏପରି କୌଣସି ଅନୁଷ୍ଠାନ ନଥିଲା ଯେଉଁଥିରେ କି ସୁନ୍ଦର ଦାସଙ୍କର ହାତ ବାଜି ନଥିଲା । ଏଭଳି ଲୋକଙ୍କ ସଂଖ୍ୟା ନଗଣ୍ୟ ଯିଏ କି ତାଙ୍କ ସଂସ୍ପର୍ଶରେ କୌଣସି ସାହାଯ୍ୟ ଆଶାରେ ଆସି ସାହାଯ୍ୟ ନପାଇ ୠିକ୍ତ ହସ୍ତରେ ଫେରିଯାଇଛି । କିନ୍ତୁ ଯାହା ଜନସାଧାରଣଙ୍କ ପାଇଁ ସବୁଠାରୁ କୌତୁହଳ ଏବଂ ଗରମାଗରମ ଆଲୋଚନା ପାଇଁ ଖୋରାକି ଯୋଗଉଥିଲା ତାହା ଥିଲା ସୁନ୍ଦର ଦାସଙ୍କ ବ୍ୟକ୍ତିତ୍ଵ । ତାଙ୍କର ବ୍ୟକ୍ତିତ୍ଵ ସତେ ଯେପରି ଥିଲା ଏକ ପ୍ରଦୀପ । ଯାହାର ଚତୁଃର୍ଦିଗରେ ଆଲୋକ ବିଚ୍ଛୁରିତ ହୋଇ ପଡୁଥିଲା ଭିନ୍ନ ଭିନ୍ନ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ଆକାର ଓ ପ୍ରକାର ହୋଇ ଏଇଥି ପାଇଁ ସୁନ୍ଦର ଦାସ ଥିଲେ ସମସ୍ତଙ୍କ ଠାରୁ ଏକ ଭିନ୍ନ ବ୍ୟକ୍ତିତ୍ଵ ।

ସୁନ୍ଦର ଦାସ ଚାଲିବା ଭିତରେ ତାଙ୍କର ଆତ୍ମ ଜୀବନ ଯେପରି ତାଙ୍କ ସାମ୍ନାରେ ଖୋଲି ହୋଇ ଯାଉଥିଲା ପୃଷ୍ଠା ପରେ ପୃଷ୍ଠା ଯାହାକୁ କି ସେ ସ୍ପଷ୍ଟ ଭାବରେ ପଢିପାରୁଥିଲେ । ସେ ଫେରି ଯାଇଥିଲେ ବହୁତ ଦିନ ତଳକୁ ବାପା ମା’ଙ୍କର ଚିତ୍ରକୁ ମନେ ପକାଇବା ଚେଷ୍ଟା କରି ମଧ୍ୟ ତାହା ତାଙ୍କ ସ୍ମୃତି ପଟରେ ଆସୁ ନଥିଲା । ଯଦିଓ ସେ ଦେଖିବାକୁ ଆଦୌ ସୁନ୍ଦର ନଥିଲେ, କିନ୍ତୁ ବିବାହର ବହୁତ ବର୍ଷ ପରେ ସେ ତାଙ୍କ ବାପା ମା’ଙ୍କ କୋଳ ମଣ୍ଡନ କରିଥିବାରୁ ସେ ଥିଲେ ସେମାନଙ୍କ ଆଖିରେ ସବୁଠାରୁ ସୁନ୍ଦର । ତେଣୁ ତାଙ୍କ ନାମକରଣ କରଯାଇଥିଲା ସୁନ୍ଦର ଦାସ । ତାଙ୍କର ଏତିକି ମନେ ଅଛି ଯେ, ତାଙ୍କ ବାପା ମା’ ଡକାଡକି ହୋଇ ଆରପାରିକୁ ଚାଲି ଗଲେ । ତା ପରେ ଶୁଦ୍ଧିକ୍ରିୟା କର୍ମ କରିବା ପାଇଁ ତାଙ୍କ ପାଖରେ ଥିବା ଛୋଟିଆ ଭିଟା ମାଟି ଖଣ୍ଡକ ଉପରେ ପଡିଥିଲା ସମ୍ପର୍କୀୟ ଦାଦାଙ୍କର ଶ୍ଵାନ ଦୃଷ୍ଟି । ଗାଁରେ ଏକ ସଭା କରି ତାହା ମାଧ୍ୟମରେ ଗାଁକୁ ଜଣାଇ ଦିଆଗଲା ଯେ ତାଙ୍କ ବାପା ମା’ଙ୍କର ଶୁଦ୍ଧିକ୍ରିୟାରେ ତାଙ୍କର ଭିଟା ମାଟି ଖଣ୍ଡିକ ବିକ୍ରି କରି ଦିଆଯାଇଛି । ସୁନ୍ଦର ଦାସ ନିଜର ଅସ୍ତିତ୍ଵକୁ ସେତେବେଳେ ଜାଣିଲେ ଯେତେବେଳେ ସେ ପ୍ରଥମେ ଅନୁଭବ କଲେ, ତାଙ୍କର ପାଦ ତଳେ ରଖିବା ପାଇଁ ଚାଖଣ୍ଡେ ମାଟି ମଧ୍ୟ ନାହିଁ । ଉପରର ଖୋଲା ଆକାଶ ହିଁ ଥିଲା ତାଙ୍କ ସାହାରା । ଜୀବନ କ’ଣ ? ଜୀବନ ଜିଇଁବାକୁ ଯେଉଁ ସଂଗ୍ରାମ କରିବାକୁ ପଡେ ତାହାର ଶୁଭ ଶଙ୍ଖ ଯେପରି ସେ ନିଜେ ନିଜ ପାଇଁ ବଜାଇ, ଜୀବନ ସଂଗ୍ରାମ ମଧ୍ୟକୁ ଲମ୍ଫ ପ୍ରଦାନ କରିଥିଲେ । ଏହାର ପ୍ରଥମ ପ୍ରଚେଷ୍ଟା ସେ ଆରମ୍ଭ କରିଥିଲେ ଗାଁର ପ୍ରବେଶ ମୁଣ୍ଡର ବରଗଛ ତଳେ । ତିଆରି କରିଥିଲେ ଝାଟି ମାଟିର ଏକ କୁଡିଆ ଘରେ ଏକ ଛୋଟିଆ ଚା’ ଦୋକାନ । ଯାହାକି ତାଙ୍କ ଗାଁ ର କିଛି ବଦାନ୍ୟ ଲୋକଙ୍କ ସାହାଯ୍ୟରେ ସେ ଆରମ୍ଭ କରିଥିଲେ । ଗାଁରେ କୌଣସି ଜଳଖିଆ ଦୋକାନ ନ ଥିବାରୁ ଏବଂ ସହର ସେଠାରୁ ବହୁତ ଦୂରରେ ଥିବାରୁ ସେ ଦୋକାନଟି ବହୁତ ଭଲ ଚାଲିଲା । ଦୋକାନଟିର କଳେବର ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଲା । ଝାଟିମାଟି କୁଡିଆ ଜାଗାରେ ଠିଆ ହେଲା ଗୋଟିଏ ପକ୍କା ଘର । ସେ ସମୟରେ ହଠାତ୍ ବିଶାଳକାୟ ମେସିନମାନେ ଆସି ତାଙ୍କ ଦୋକାନଠାରୁ କିଛି ଦୂରରେ ଡେରା ପକାଇଲେ । ଆରମ୍ଭ ହେଲା ସର୍ଭେ କାମ । ସେମାନଙ୍କ ଠାରୁ ଗାଁ ଲୋକମାନେ ଜାଣିବାକୁ ପାଇଲେ ଯେ, ତାଙ୍କ ପାଖ ଦେଇ ଯାଇଥିବା ରାସ୍ତାଟି ଜାତୀୟ ରାଜରାସ୍ତା ହେବ ।

ରାସ୍ତାର କଳେବର ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ବୃଦ୍ଧି ପାଇଥିଲା ସୁନ୍ଦର ଦାସଙ୍କର ବେପାର । କାରଣ ସମସ୍ତ ବାହାରର ଲୋକମାନେ ତାଙ୍କ ଦୋକାନରେ ହିଁ ଖାଉଥିଲେ । ରାସ୍ତା କାମ ନେଇଥିବା ଠିକାଦାର ମଧ୍ୟ ତାଙ୍କ ମଧ୍ୟରେ ଥିଲେ । ଠିକାଦାର ପ୍ରାୟ ଅଧିକାଂଶ ସମୟରେ ସୁନ୍ଦର ଦାସଙ୍କ ଦୋକାନରେ ବସାଉଠା କରୁଥିଲେ । ସମସ୍ତଙ୍କ ଅଜାଣତରେ ଠିକାଦାରଙ୍କର ସୁନ୍ଦର ଦାସଙ୍କ ପ୍ରତି ସୃଷ୍ଟି ହୋଇଥିଲା ଏକ ଆହେତୁକ ଆକର୍ଷଣ । ସେ ଥିଲେ ନିଃସନ୍ତାନ । ସେ ଦିନେ ସୁନ୍ଦର ଦାସଙ୍କୁ ଏକ ନିରୋଳା ସମୟରେ ପ୍ରସ୍ତାବ ଦେଇଥିଲେ ତାଙ୍କ ବ୍ୟବସାୟ ସାମ୍ରାଜ୍ୟର ଉତ୍ତରାଧିକାରୀ ଦାୟୀତ୍ଵ ସମ୍ଭାଳିବା ପାଇଁ । ହଠାତ୍ ଏଥିରେ ସୁନ୍ଦର ଦାସ ପ୍ରକୃତିସ୍ଥ ହୋଇଯାଇଥିଲେ । ଏହାପରେ ସୁନ୍ଦର ଦାସଙ୍କ ଜୀବନରେ ଘଟିଥିଲା ଏକ ବିରାଟ ପରିବର୍ତ୍ତନ । ସେ ଏକ ଚା’ ଦୋକାନୀରୁ ବନି ଯାଇଥିଲେ ବିଶିଷ୍ଟ ଠିକାଦାର ତଥା ବ୍ୟବସାୟୀ । ବାହ୍ୟ ଜଗତରେ ଏହାର ପ୍ରଭାବ ବହୁତ ଅଧିକ ଥିଲେ ମଧ୍ୟ ସୁନ୍ଦର ଦାସଙ୍କ ଅନ୍ତର ଚେତନାରେ କିଛି ପରିବର୍ତ୍ତନ ହେଲା ଭଳି ଅନୁଭବ କରିନଥିଲେ । ଏହା ପରେ ପରେ ସେ କ୍ଷୁଦ୍ର ସହର ଶ୍ରୀବୃଦ୍ଧିରେ ମୁଖ୍ୟ ପ୍ରଚ୍ଛଦପଟ ନାୟକ ଥିଲେ ସୁନ୍ଦର ଦାସ । ସ୍କୁଲ ହେଉ କି କଲେଜ ବା ହସ୍ପିଟାଲ ପ୍ରତିଷ୍ଠା ସବୁରି ସୁପରିଚାଳନାରେ ସେ ଥିଲେ ମୁଖ୍ୟ ଲୋକ । କିନ୍ତୁ ସମୟର ଉଜାଣି ସ୍ରୋତ ସୁନ୍ଦର ଦାସଙ୍କ ସପକ୍ଷରେ ନ ଥିଲା ତାଙ୍କର ମୂରବୀ ତଥା ଠିକାଦାର ମହାଶୟ ତାଙ୍କୁ ବିବାହ କରାଇ ଦେଇଥିଲେ । ବିବାହର କିଛି ଦିନ ପରେ ତାଙ୍କ ପୁତ୍ରଟିକୁ ମାତୃହୀନ କରି ତାଙ୍କର ସ୍ତ୍ରୀ ଆରପାରିକୁ ଚାଲିଗଲେ । ଏହି ଘଟଣା ପରେ ତାଙ୍କର କିଛି ଶୁଭାକାଂକ୍ଷୀ ତାଙ୍କୁ ଦ୍ଵିତୀୟ ବିବାହର ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ତାକୁ ନମ୍ରତାର ସହ ଏଡାଇ ଯାଇଥିଲେ । ପୁତ୍ରଟିର ଲାଳନ ପାଳନରେ ସୁନ୍ଦର ଦାସ କୌଣସି ଅବହେଳା କରି ନଥିଲେ । ଉଚ୍ଚଶିକ୍ଷା ପାଇଁ ତାକୁ ଆମେରିକା ପଠାଇଥିଲେ । ପୁଅ ବିଦେଶରେ ଥିବା ସମୟରେ ସେ ତା’ଠାରୁ ଖବର ପାଇଲେ ଯେ, ସେ ନିଜ ଇଚ୍ଛାରେ ଏକ ବିଦେଶିନୀ କନ୍ୟାକୁ ବିବାହ କରିଛି । ଏହାପରେ ସୁନ୍ଦର ଦାସ ଅନୁଭବ କରିଥିଲେ ସେ ଯେପରି ନିଜ ଭିତରେ ଏକ ଏକାକୀ ଅନୁଭବ କରୁଛନ୍ତି । କିନ୍ତୁ ବାହାରେ କୌଣସି ପ୍ରଭାବ ନାହିଁ । ତାହା ତାଙ୍କର ଆଚରଣ କି ଉଚ୍ଚାରଣରେ ସେଭଳି କିଛି ପରିବର୍ତ୍ତନ ଜଣାପଡୁନଥିଲା । ସେ ପୂର୍ବରୁ ଯେଭଳି ଥିଲେ ଏବେ ମଧ୍ୟ ସେଭଳି ଆଚରଣ କରୁଥିଲେ । ଏହା ମଧ୍ୟରେ ତାଙ୍କ ଗାଁଟି ଏକ ଛୋଟ ସହରରେ ରୂପାନ୍ତରିତ ହୋଇସାରିଥିଲା । ସମସ୍ତଙ୍କ ଅଲକ୍ଷ୍ୟରେ ଏବଂ ଅଜାଣତରେ ଗୋଟିଏ ବସ୍ତୁ ସବୁବେଳେ ସୁନ୍ଦର ଦାସଙ୍କର ଅନ୍ତର ଚେତନାରେ ବିରାଜମାନ କରୁଥିଲା ତାହା ଥିଲା ତାଙ୍କ ଘର ସାମ୍ନାରେ ଥିବା ସେହି ବରଗଛଟି । ଯାହାର ଛାଇ ହିଁ ତାଙ୍କ ଜୀବନରେ ସୋପାନ ପରେ ସୋପାନ ବଢି ଚାଲିବାରେ ସାହାଯ୍ୟ କରିଥିଲା । କାରଣ ସେହିଠାରେ ତାଙ୍କର ଜଳଖିଆ ଦୋକାନଟି ପ୍ରଥମେ ଆରମ୍ଭ କରିଥିଲେ । ଅଧିକାଂଶ ନିର୍ଜନ ସମୟରେ ସେ ନୀରବତାର ସହ ବରଗଛଟିକୁ ଚାହିଁ ରହୁଥିଲେ । ଯାହା ସୃଷ୍ଟି କରୁଥିଲା ତାଙ୍କ ଭିତରେ ଏକ ପ୍ରେରଣା ।

ହଠାତ୍ ଦିନେ ସେ ଖବର ପାଇଲେ ଘର ସାମ୍ନା ଦେଇ ଯାଇଥିବା ରାଜରାସ୍ତାଟି ଚଉଡ଼ା ହେବ । ସେଥି ପାଇଁ ସର୍ଭେ କାମ ମଧ୍ୟ ଚାଲିଲା । ଏବଂ ତା’ପରେ ବଡ ବଡ ମେସିନମାନ ଧରି ଇଂଞ୍ଜିନିୟର ଏବଂ ଶ୍ରମିକମାନେ ତାଙ୍କ କାମ ଆରମ୍ଭ କରିଦେଲେ । ଦିନେ ସୁନ୍ଦର ଦାସ ଜାଣିବାକୁ ପାଇଲେ ଯେ ଆସନ୍ତାକାଲି ରାସ୍ତାର ଛାତି ଚଉଡା ପାଇଁ ତାଙ୍କ ଆପଣାର ବରଗଛଟି ବଳି ପଡିବାକୁ ଯାଉଛି । ତାହା ତାଙ୍କ ଭିତରେ ସୃଷ୍ଟି କଲା ଏକ ଗଭୀର କମ୍ପନ । ସେ ବିଭାଗୀୟ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅନୁରୋଧ କଲେ ବରଗଛଟିକୁ ନ କାଟିବା ପାଇଁ । କିନ୍ତୁ ତାଙ୍କର ଅନୁରୋଧ କାହାରି କର୍ଣ୍ଣଭେଦ କଲା ନାହିଁ ।

ସେଦିନ ଥାଏ ଏକ ପୂର୍ଣ୍ଣମୀ ରାତି । ସୁନ୍ଦର ଦାସ ନିଜେ ନେଇଥିବା ନିଷ୍ପତ୍ତି ସଂପର୍କରେ ଦୃଢ ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ସେ ଆଜି ରାତିରେ ଏ ଘର ତଥା ସହର ଛାଡି ଚାଲିଯିବେ । ଏହା ମନସ୍ଥ କରି ସେ ରାତିରେ ନିଜ ଘରୁ ବାହାରକୁ ଚାଲିଆସିଲେ । ବରଗଛ ମୂଳରେ ନୀରବ ଅଶ୍ରୁପାତ ମାଧ୍ୟମରେ ସେ ଯେପରି ଜଣାଉଥିଲେ ଗଭୀର ଶ୍ରଦ୍ଧାଞ୍ଜଳି । ତାଙ୍କର ଅନ୍ତର ଚେତନାରେ ଯେପରି ପ୍ରତିଧ୍ଵନିତ ହେଉଥିଲା ଏକ ଭାଷା ଯାହାର ସାରମର୍ମ୍ମ ସଂକ୍ଷିପ୍ତ ଭାବରେ ଏହାହିଁ କୁହାଯାଇପାରେ ଯେ ମଣିଷ ଜାତି ଏକ ସ୍ଵାର୍ଥପର ପ୍ରାଣୀ ତା’ ଭଳି ଜୀବ ଜଗତରେ ଅନ୍ୟ କୌଣସି ପ୍ରାଣୀ ନୁହଁନ୍ତି ଯାହାକୁ ନେଇ ମଣିଷ ନିଜେ ଉପରକୁ ଉଠୁଥାଏ ତାକୁ କୌଣସି ପ୍ରତିଦାନ ଦେବା ପାଇଁ ସେ ଯେପରି ସବୁବେଳେ ଅସମର୍ଥ, ଅସହାୟ.......... ।

ସେହି ଗଛଟି ସୁନ୍ଦର ଦାସଙ୍କୁ କେବେ ଛାଡି ନଥିଲା କିନ୍ତୁ ସୁନ୍ଦର ଦାସ ସେ ଗଛକୁ ପଛ କରି ଚାଲିଥିଲେ ଏକ ଅଜଣା ଅଚିହ୍ନା ରାସ୍ତାରେ ଯାହାର ପରିସମାପ୍ତି କେଉଁଠି ତାହା ମଧ୍ୟ ତାଙ୍କୁ ଜଣା ନଥିଲା, କିନ୍ତୁ ସେ ଚାଲୁଥିଲେ............. ଚାଲୁଥିଲେ......... ।

ସୁନ୍ଦର ଦାସ ବ୍ୟବସାୟୀ ବରଗଛ

Rate the content


Originality
Flow
Language
Cover design

Comments

Post

Some text some message..