Soumya Shubhadarshinee

Others


2  

Soumya Shubhadarshinee

Others


ଅବରୋଧ

ଅବରୋଧ

4 mins 7.3K 4 mins 7.3K

ଦିଗନ୍ତ ଵିସ୍ତାରୀ ସବୁଜ ଧାନର ଗାଲିଚାରେ ସ୍ୱପ୍ନର ପ୍ରଜାପତି , ଆକାଶରେ ନାଲି ଟହ ଟହ ବାଳ ସୂର୍ଯ୍ୟଙ୍କ ସ୍ନିଗ୍ଧ ଆଭା, କିଚିରି ମିଚରି କୁନି ପକ୍ଷୀଙ୍କର କଳରବ , ଲେନ ସାରା ସେଫାଳି ର ମିଠା ମହକ। ସବୁ ମିଶି କରୁଛନ୍ତି ପ୍ରତୀକ୍ଷା। ଆସିବ ଅନାଗତ ନେଇ ନିଜ ପରିଚୟ । ରୋଜି ହାତରେ କୁନି ଝିଅ , ପୁରା ବାର୍ବୀ ଡ଼ଲ୍ ଗୋଲାପୀ ଫ୍ରକ୍ ରେ ......

ଟେବୁଲ ଘଣ୍ଟାରେ ବାଜି ଉଠିଲା ସକାଳ ର ଅଲାର୍ମ

ସମୟ 5:30, ସବୁଦିନ

ପରି । ନିଦ ଭାଙ୍ଗିଗଲା ରୋଜି ର ଆଉ ଭାଙ୍ଗିଗଲା ସ୍ୱପ୍ନ....

ଏଇ ନିର୍ଦ୍ଦିଷ୍ଟ ସ୍ୱପ୍ନଟା ସେ ଦେଖୁଛି ଆଉ ଠିକ ସେଇ ଲେନ ପାଖେ ନିଦ ଭାଙ୍ଗୁଛି ତା'ର। ଘର ର ଦେହଳି ସେପାଖେ ରହିଯାଉଛି ସେ ଆଉ ଝିଅ ଆସିପାରୁନି ଭିତରକୁ କେବେବି!!!!

ସେ ସ୍ଥପତି , ଗଢେ ସ୍ୱପ୍ନ ସୌଧ । ଯେଉଁଠି ଜୀଵନ ପ୍ରବାହିତ ହୁଏ ନିଜର ସ୍ୱତନ୍ତ୍ର ପରିଚୟ ସହ। ଯେତେ ସୁନ୍ଦର ଘର ତୋଳେ ସେ ସେତେ ସମ୍ଭ୍ରାନ୍ତ ପରିବେଶ ମିଳେ। ଆଉ ଗୃହ ପ୍ରବେଶ ରେ ମିଳେ ନିମନ୍ତ୍ରଣ । ନିଜ ହାତ ଗଢା ଘରେ ସେ ପାଏ ଗୋଟେ ହସନ୍ତ ପୃଥିବୀ।

ଘରେ ସବୁଠୁ ଚଳଚଞ୍ଚଳ ଲାଗନ୍ତି ପିଲା ମାନେ । ଛୋଟ ପିଲା ସବୁ ଡାକନ୍ତି ଆଣ୍ଟି ଆଉ ବଡ଼ ମାନେ ଦିଦି। ସେ କେବଳ ଆଖି ଭରି ଦେଖେ ସେଇ ଆଗାମୀ ଦିନର ସମ୍ଭାବନା ମାନଙ୍କୁ । କେତେ ଉଜ୍ଜ୍ଵଳ ସେଇ ଅପତ୍ୟ ର ଆକର୍ଷଣ। ସଂକ୍ରମିତ ହୁଏ ସେଇ ଇଚ୍ଛା ତା'ର ହୃଦୟ ରେ। ସେ ବି ଆଣିବ ସେମିତି ଗୋଟେ ସମ୍ଭାବନା !!!!!

ନା ନାହିଁ ସବୁଦିନ ରହିବ ମୁକ୍ତ ,ଏ ଜଞ୍ଜାଳ ରୁ । ପିଲା ସବୁ ଜଞ୍ଜାଳ .... ଆଦିତ୍ୟ ଙ୍କ ଭାଷାରେ । ସେମାନେ ମୁକ୍ତ ଜୀଵନ ର ପଥ ରୋଧ କରନ୍ତି।ମଣିଷ କୁ ଭୀରୁ କରିଦିନ୍ତି । ନିଜ ଇଛା ରେ ଟିକେ ବଞ୍ଚି ହୁଏନି ଆଉ ।

ଅଦୃଶ୍ୟ ବନ୍ଧନଟେ ବାନ୍ଧି ହେଇଯାଏ ଅପତ୍ୟର ଆଗମନ ରେ । ଯୌବନ ଟା ହଠାତ୍ ହାତରୁ ଖସି ଯାଏ। ମଣିଷ ଦାୟିତ୍ୱ ମୁଣ୍ଡେଇ ବୁଢା ହେଇଯାଏ ।

କ୍ୟାରିଅରରେ ଟପ୍ କରିବାକୁ ହେଲେ ଫ୍ୟାମିଲି ପ୍ଲାନ କରିବାକୁ ହୁଏ। ଜୀଵନ ବହୁତ ଲମ୍ବା , ପିଲାଟେ ପାଇଁ ଏତେ ବ୍ୟସ୍ତ କିଆଁ । ସେ ଆସିବ ତା ସମୟ ହେଲେ , ସେତେବେଳେ ପର୍ଯ୍ୟନ୍ତ ଟିକେ ଫୁର୍ତ୍ତି କରିଲେ କ୍ଷତି କଣ??????

ଆଦିତ୍ୟ ନିଜ କର୍ପୋରେଟ୍ ମହାକାଶ ରେ । ଦେଶ ବିଦେଶ ବୁଲିବାରେ ବ୍ୟସ୍ତ। ଟାର୍ଗେଟ ତାଙ୍କ ପାଇଁ ପରିବାର ଠୁ ବେଶି ମୂଲ୍ୟବାନ। ଶୀର୍ଷରେ ରହିବାର ଦୁର୍ବାର ଝୁଙ୍କ ତାଙ୍କୁ କରେ ପାଗଳ। ଚାରିପଟେ ଘୁରୁଥିବା ପ୍ରଶଂସା ର ଗ୍ରହ ସବୁ ତାଙ୍କୁ ସୂର୍ଯ୍ୟ ପରି ଦୀପ୍ତିମନ୍ତ କରନ୍ତି। ରୋଜି ସେଇ ସୌରମଣ୍ଡଳର ପରିସର କୁ ଆସେ ଧୂମକେତୁ ପରି କେବେ କେମିତି।

ସବୁବେଳେ ନିଜ ଭିତରେ ମଗ୍ନ ସ୍ୱାମୀ ପାଖରେ ସ୍ତ୍ରୀର ଅସ୍ତିତ୍ୱ ହୋଇଯାଏ ବଡ଼ ବିକଳ। ସେ କେବଳ ଆସେଟ୍ ହୋଇ ରହିଯାଏ। ସାଜି ସୁଜି ଯିବ ପାର୍ଟି କି ପିକନିକ୍ । ବଢ଼େଇବ ସୌନ୍ଦର୍ଯ୍ୟ ତା' ପୁଣି ସ୍ୱାମୀଙ୍କ ଇଛାରେ। ରହିବ ନିର୍ଦ୍ଧିଷ୍ଟ ସୀମାରେ ସଫଳ ପୁରୁଷର ସହଧର୍ମିଣୀ ଭାବେ ବାସ୍। ତାର ନିଜର ଗୋଟେ ସ୍ୱତନ୍ତ୍ର ଅସ୍ତିତ୍ୱ ରହିବ ନାହିଁ। ନିଜର ନିଜତ୍ବ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିବା ଉପଯୁକ୍ତ ସ୍ତ୍ରୀ ର ଧର୍ମ।

ଆଦିତ୍ୟ ର ସମୃଦ୍ଧ ଦୁନିଆ ରେ ଗୋଟେ ଅପତ୍ୟ ର ଆବଶ୍ୟକତା ଆସେନି, ବରଞ୍ଚ ସେ ଚାହେଁ ସେ ଦାୟିତ୍ବ ରୁ ମୁକ୍ତି। କୁହେ "ହେ ଜାନୁ ଆମ ପାଖେ ଅଛି ବହୁତ ସମୟ । ଟିକେ ସେଟେଲ୍ ହେଇଯିବାକୁ ଦିଅ , ତା' ପରେ ଆସିବ ଆଦିତ୍ୟ ଜୁନିଅର।" ସେଥିପାଇଁ ପ୍ରସ୍ତୁତି ସାରିନାହିଁ ଯେ" !!!!!

ଆଦିତ୍ୟ ବ୍ୟସ୍ତ ରୁହେ ତେଣୁ ବିଚଳିତ ହୁଏନି ସନ୍ତାନ କି ପରିବାର କୁ ନେଇ । କିନ୍ତୁ ସେ , ତାର କାର୍ଯ୍ୟ ପରିସର ନୀଡ଼ ଗଢିବା ଆଉ ସେଇଠି ସୃଷ୍ଟି ର ଭୂମିକା କେତେ ଉଲ୍ଲାସମୟ କେବଳ ବୁଝେ ତା' ମନ। ସୃଜନ କେବଳ ଆଵଶ୍ୟକତା ନୁହେଁ ସେଥିରେ ଅଛି ଅଫୁରନ୍ତ ଆନନ୍ଦ। ସେଠି ଅଛି ନାରୀ ଜୀବନ ର ପୂର୍ଣ୍ଣତା।

ତାର ପରିଚିତ ବନ୍ଧୁ ମହଲ ରେ ବି ଚାପା ଗୁଞ୍ଜରଣ ଶୁଣେ ତାର ସୃଷ୍ଟି ର ସାମର୍ଥ୍ୟକୁ ନେଇ। " ବାହାଘର କେବେ ହେଇଥିଲା କହିଲୁ?? ବୋଧେ ଚାରି - ପାଞ୍ଚ ବର୍ଷ ଖଣ୍ଡେ ହେବ ନୁହେଁ? ତଥାପି କୋଳ ଖାଲି ?? ଏ ଝିଅ ଟା ର ଅସୁବିଧା ଥିବ ମଁ , ହଁ!!!!

ଏଇ ଟିପ୍ପଣୀ କେବଳ ତାକୁ ଶୁଣେଇ ଥାନ୍ତି ସମାଜର ଠେକା ନେଇଥିବା ଭଦ୍ର ମହିଳାମାନେ । ପୁରୁଷକୁ କଣ କେହି ଆଙ୍ଗୁଳି ନିର୍ଦ୍ଦେଶ କରେ କେବେ ????

ତାର ଇଚ୍ଛା ହୁଏ କହିବ ନା କିଛି ଅସୁବିଧା ନାହିଁ , ଆଦିତ୍ୟ ପ୍ରସ୍ତୁତ ହେଇ ନାହାନ୍ତି। ଏ ଅବରୋଧ ସେମାନଙ୍କ ସ୍ୱେଛାକୃତ। ଆଉ ଟିକେ ଫୁର୍ତ୍ତି କରିବା ବାକି ଅଛି। କିନ୍ତୁ କହି ପାରେନା କେମିତି ଗୋଟେ ଗଳାରୁଦ୍ଧ ହେଇଯାଏ।

ଆଦିତ୍ୟ କାହାକୁ କେୟାର୍ କରେନି । ହସିକି ଉଡେଇ ଦିଏ ଆଉ ସହଜରେ ହଜମ କରିଦିଏ ତା ଏଇ ପ୍ରସଙ୍ଗ। ଜୀଵନ ତା'ର ଏକାନ୍ତ ନିଜର ସମାଜର ଲୋକ ମାନେ ଏହାର ଗତି ନିର୍ଦ୍ଧାରଣ କରିବାକୁ କିଏ??

ରୋଜି କିନ୍ତୁ ବୋଝଟା ମୁଣ୍ଡେଇ ଥାଏ ସବୁବେଳେ। ଗୋଟେ ଅଜଵ ଶୁନ୍ୟତା ଭରି ରୁହେ ଜୀବନରେ। ଯେବେ ଦେଖେ ମାଳେ ଗୁଲୁୁଗୁଲିଆ କଣ୍ଢେଇ ଖେଳୁଥିବାର ତା ହାତ ଗଢା ସ୍ୱପ୍ନ ସୌଧ ରେ।

ଆଦିତ୍ୟ ପାଖରେ ପହଞ୍ଚେ ନାହିଁ ଏ ମନୋଦଶା। ଏଇଟା ରୋଜିର ଏକାନ୍ତ ନିଜର । କେତେ ବିଚିତ୍ର ଏ ଅବରୋଧ ର ବ୍ୟବସ୍ତା!!!!

ଅବରୋଧ ବ୍ୟବସ୍ଥା କଣ ସତରେ ଆବଶ୍ୟକ ? ସବୁ କିଛି କଣ ମଣିଷ ପ୍ଲାନ କରିପାରେ? ପ୍ରାକୃତିକ ସୃଜନ ପଥରେ ମଣିଷ ବାଧକ , ଏଇଟା କଣ ଏତେ ଶକ୍ତିଶାଳୀ ଯେ ମଣିଷ କୁ ନିଜର ଅଧୀନସ୍ତ କରିଛି , ଆଉ ସେ ଅସହାୟ ହେଇଯାଉଛି??

ରୋଜିକୁ ଇଚ୍ଛା ସବୁ ବ୍ୟସ୍ତ କରିଦିଅନ୍ତି ଆଉ ସେ ସମ୍ପୂର୍ଣ୍ଣ ହେଇଯିବାର ସ୍ୱପ୍ନରେ ବିଭୋର ହୁଏ। ନିଜର ପାରିଲାପଣକୁ ସଭିଙ୍କ ଆଗରେ ସାବ୍ୟସ୍ତ କରିବା ପାଇଁ।

ଆଜି ବହୁତ ଡେରୀ ରେ ସରିଛି ପାର୍ଟି । ସବୁ ମଣିଷ ସୁଖପାନରେ କ୍ଲାନ୍ତ । ପଥ ଅସ୍ପଷ୍ଟ, ଅଙ୍ଗ ପ୍ରତ୍ୟଙ୍ଗ ଟଳ ମଳ,ଭାଷା ଅସଂଯତ ଆଉ ମନ ଅବାଧ୍ୟ। ନିଶାରେ ଚୁର୍ ଆଦିତ୍ୟ ନିଜ ପ୍ରେମିକ ପଣ ରେ ଏକାକାର ହେଇଛି ରୋଜି ସହ । ସେଥିରେ ଆନନ୍ଦ ଅଛିକି ନାହିଁ କହିବା କଷ୍ଟ କିନ୍ତୁ ଅଛି ଗୋଟେ ସୁଯୋଗ । ସମ୍ଭାବନା ଟେ ସାଇତି ପାରିବ ରୋଜି ନିଜ ଭିତରେ । ଅନାଦି କାଳର ଇଚ୍ଛା ଟେ ମୋକ୍ଷ ପାଇଯିବ । ସେ ସୃଷ୍ଟି କରିପାରିବ ସନ୍ତକ ।ନିଜକୁ ଦୃଢ଼ କରିନେଲା ରୋଜି ଆଉ ଆଜିର ଏ ମିଳନ କୁ ପରିଚୟ ଦେବାର ସିଦ୍ଧାନ୍ତ ନେଲା । ଆଦିତ୍ୟଙ୍କ ଅବରୋଧକୁ କରିବ ପ୍ରତ୍ୟାଖ୍ୟାନ । ନହେଲେ ସୃଜନର ସମ୍ଭାବନା ରହିଯିବ ଯେ ଦେହଳି ସେପାଖେ !!!

*ସୌମ୍ୟା ଶୁଭଦର୍ଶିନୀ*

ଅଧ୍ୟାପିକା

ଜଗତସିଂହପୁର


Rate this content
Originality
Flow
Language
Cover Design